Categories
ଆଜିର ଖବର ରାଜ୍ୟ ଖବର

ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍‌ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି।

ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା।

ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି ବିଳମ୍ବ ନୁହେଁ । ଏହି ଥିମ୍‌ର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ନେଇ ୱାକାଥନର ଆୟୋଜନ କରାଯାଇଥିଲା। ଏହି ସମସ୍ୟାରେ ଥିବା ବିପଦ, ଚିକିତ୍ସାରେ ବିଳମ୍ବ ଏବଂ ରୋଗକୁ ଆଗକୁ ଅଧିକ ବଢ଼ିବାକୁ ନ ଦେବାର ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ଏହି ୱାକାଥନରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଆସୋସିଏଟ୍ ପ୍ରଫେସର ଲଗ୍ନଜିତ ଦାଶ ସମେତ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅଂଗଦାନ ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ

ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ ମନକୁ ଦୃଢ଼ କରିଥିଲେ । ସେମାନେ ଝିଅର ମୃତ୍ୟୁ ପରେ ତା’ର ୨ଟି ବୃକକ୍ ଦାନ କରିବାର ନିଷ୍ପତି ନେଇଥିଲେ । ୨୦୨୨ ମସିହା ମେ ମାସ ୧୭ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଅଂଚଳର ଏହି ଝିଅଟିର ମୃତ୍ୟୁ ପରେ ତା’ର ଦୁଇଟି ବୃକକକୁ ବାହାର କରାଯାଇ ଅଂଗଦାନ ପ୍ରକ୍ରିୟାରେ ସଫଳତାର ସହ ଅନ୍ୟ ଦୁଇଜଣଙ୍କ ରୋଗୀଙ୍କର ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

ହସ୍ପିଟାଲ ପକ୍ଷରୁ ଗୁରୁବାର ଭାରତୀୟ ଅଂଗ ଦାନ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଏହି ଅନୁଭୂତି ବଖାଣିଥିଲେ ଝିଅଟିର ବାପା ଶ୍ରୀ ସପନ କୁମାର ବିନ୍ଧାଣୀ ଓ ମା ଡାକ୍ତର ସୁନୀତା ପ୍ରଧାନ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭାରତୀୟ ଅଂଗ ଦାନ ଦିବସ ଅବସରରେ ଆୟୋଜିତ ଅଂଗ ଦାନ ମହୋତ୍ସବରେ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ହସ୍ପିଟାଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଗଦାନର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହ ହସ୍ପିଟାଲ୍‌ର ଡାକ୍ତର ଓ ଜନସାଧାରଣଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅଂଗ ଦାନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଏହା ଯୋଗୁଁ ମୃତ୍ୟୁ ପରେ ବି ମଣିଷ ଅନ୍ୟ ୮ ଜଣଙ୍କର ଜୀବନ ରକ୍ଷା କରିପାରିବ ବୋଲି ସେ କହିଥିଲେ । ମୃତ୍ୟୁ ପୂର୍ବରୁ ମଣିଷ କେବଳ ବୃକକ, ଯକୃତ ଓ ଚର୍ମ ଦାନ କରିପାରିଥାଏ । ତେବେ ମୃତ୍ୟୁ ପରେ ବିଭିନ୍ନ ଅଂଗ ଯେପରିକି ବୃକକ, ଯକୃତ, ଫୁସ୍‌ଫୁସ୍‌, କ୍ଷୁଦ୍ରାନ୍ତ୍‌, ଚକ୍ଷୁ, ଅଗ୍ନାଶୟ, ହୃତ୍‌ପିଣ୍ଡ, ଚର୍ମ ଓ ହାଡ ସମେତ ଟିସ୍ୟୁ ଦାନ କରିପାରିବ ବୋଲି ଡାକ୍ତର ନାୟକ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅଂଗଦାନ ସମ୍ପର୍କରେ ସଚେତନତା ଆବଶ୍ୟକ ବୋଲି କହିବା ସହ ଏ ନେଇ ଡାକ୍ତରମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଂଗ ଦାନ କରିବା ନିମନ୍ତେ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଝିଅର ଅଂଗ ଦାନ କରିବାର ନିଷ୍ପତି ପାଇଁ ଶ୍ରୀ ବିନ୍ଧାଣୀ ଓ ଡାକ୍ତର ପ୍ରଧାନଙ୍କୁ ସମ୍ମାନ ଜଣାଇବା ସହ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ବିଭାଗରେ ଶୀଘ୍ର ରୋବୋଟିକ୍ସ ସର୍ଜରୀ ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ଅଂଗ ଦାନ ଓ ପ୍ରତ୍ୟାରୋପଣ ସମ୍ପର୍କରେ ବିଭିନ୍ନ ବିଭାଗର ଡାକ୍ତରମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହି ଉପଲକ୍ଷେ ଗୁରୁବାର ସକାଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ୱାକାଥନ ମଧ୍ୟ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ସିଏଚ୍‌ଆର୍: ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର

ଭୁବନେଶ୍ୱର: ବନ୍ଧ୍ୟାଦୋଷ ସମସ୍ୟା ଥିôବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍‌ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)। କେବଳ ଓଡ଼ିଶା ନୁହେଁ ଅନ୍ୟ ପ୍ରଦେଶ ତଥା ବିଦେଶରୁ ମଧ୍ୟ ଚିକିତ୍ସା ଓ ସନ୍ତାନ ଲାଭ ପାଇଁ ଏହି କେନ୍ଦ୍ରକୁ ଛୁଟି ଆସୁଛନ୍ତି ଅନେକ ଦମ୍ପତି।

ମଙ୍ଗଳବାର ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କେନ୍ଦ୍ରରୁ ମିଳୁଥିବା ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବାଂଲାଦେଶ ଚାପାଇ ନବାବଗଞ୍ଜ ଅଂଚଳର ଜନୈକ ଦମ୍ପତି। ଦୀର୍ଘ ୧୯ ବର୍ଷର ବୈବାହିକ ଜୀବନ ପରେ ମଧ୍ୟ ସନ୍ତାନ ସୁଖ ଲାଭ କରି ନଥିବା ଏହି ଦମ୍ପତି ଏବେ ସମ୍ ସିଏଚ୍‌ଆର୍ ଉପରେ ହିଁ ଭରସା କରିଛନ୍ତି। ଏହି ଠାରେ ହିଁ ଏହି ଦମ୍ପତିଙ୍କର ଦୀର୍ଘ ଦିନ ହେବ ଚିକିତ୍ସା ଜାରୀ ରହିଛି। ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଉପରେ ବେଶ ଆଶାବାଦୀ ଅଛନ୍ତି ଏହି ବାଂଲାଦେଶୀ ଦମ୍ପତି।

ବାଂଲାଦେଶ ଭଳି ଅନ୍ୟ ଦେଶରୁ ଦମ୍ପତିମାନେ ଏହି କେନ୍ଦ୍ରକୁ ସନ୍ତାନ ଲାଭ ପାଇଁ ଭରସା କରୁଛନ୍ତି। ତେଣୁ ଏହା ଗର୍ବର ବିଷୟ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମସ୍ତ ନିୟମାବଳୀ ହସ୍ପିଟାଲ୍ ପକ୍ଷରୁ ପାଳନ କରାଯାଉଛି ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସିଏଚ୍‌ଆର୍‌ର ସମସ୍ତ ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଏକ ରିପ୍ରଡକ୍ଟିଭ୍ ମେଡିସିନ୍ ବିଭାଗ ଆରମ୍ଭ କରାଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱର ୬ ରୁ ୮ କୋଟି ଦମ୍ପତିଙ୍କ ମଧ୍ୟରୁ ୨୫ ପ୍ରତିଶତ ଦମ୍ପତି ପ୍ରତ୍ୟେକ ବର୍ଷ ବନ୍ଧ୍ୟାଦୋଷ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଗତିଶୀଳ ଦେଶଗୁଡ଼ିକରେ ପ୍ରତି ୪ ଜଣ ଦମ୍ପତିଙ୍କ ମଧ୍ୟରେ ଜଣେ ଏହି ସମସ୍ୟାରେ ପୀଡ଼ିତ ଅଟନ୍ତି।

୧୫ ପ୍ରତିଶତ ଭାରତୀୟ ଦମ୍ପତି ବନ୍ଧ୍ୟାଦୋଷର ଶିକାର ହେଉଥିବା ବେଳେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ବିଳମ୍ବରେ ବିବାହ, ଚାପଯୁକ୍ତ ଜୀବନ ଶୈଳୀ, ମେଦବହୁଳତା, ଜଙ୍କଫୁଡ୍ ପ୍ରତି ଆଗ୍ରହ, ଧୂମ୍ରପାନ, ମଦ୍ୟପାନ ଓ ନିଶା ସେବନ ପ୍ରଭୃତି ଏହି ସମସ୍ୟାର ପ୍ରମୁଖ କାରଣ।

ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ତଥ୍ୟ ଅନୁଯାୟୀ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତୀୟଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଢ଼େର ବୃଦ୍ଧି ପାଇଛି।

ମହିଳାମାନଙ୍କ କ୍ଷେତ୍ରରେ ବନ୍ଧ୍ୟାଦୋଷ ଦେଖାଯିବାର ୫ଟି ମୁଖ୍ୟ କାରଣ ହେଉଛି ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌), ଏଣ୍ଡୋମେଟ୍ରିଓସିସ୍‌, ଆବ୍‌ନର୍ମାଲ୍ ମେଲ୍ ଫ୍ୟାକ୍ଟର, ଟ୍ୟୁବାଲ୍ ବ୍ଲକେଜେସ୍ ଆଣ୍ଡ ଓଭ୍ୟୁଲେସନ୍ ସମସ୍ୟା।

ତେବେ ଏହି ସବୁ ସମସ୍ୟାଗୁଡ଼ିକର ସଫଳ ଚିକିତ୍ସା ୨୦୧୨ ମସିହା ଠାରୁ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌) ଠାରେ ଉପଲବ୍ଧ ଅଛି। ଆଇଭିଏଫ୍ ଚିକିତ୍ସା ଓ ବହୁବିଧ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ପ୍ରଥମ ମେଡିକାଲ୍ କଲେଜ ହସ୍ପିଟାଲ ଅଟେ।

୨୦୧୩ ମସିହାରେ ଆଇସିଏମ୍‌ଆର୍ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏହି କେନ୍ଦ୍ର ୨୦୨୩ ମସିହାରୁ ଓଡ଼ିଶା ଷ୍ଟେଟ୍ ବୋର୍ଡ ଫର୍ ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନିକ୍ (ଆର୍ଟ) ଅନୁଯାୟୀ ଲେବଲ୍ ଟୁ ଆର୍ଟ କ୍ଲିନିକ ଭାବେ ପଞ୍ଜୀକୃତ ହୋଇଛି।

ଏହି କେନ୍ଦ୍ରରେ ଇନ୍‌ଫର୍ଟିଲିଟି କପଲ୍ କାଉନ୍‌ସେଲିଂ, ଟ୍ରାନ୍ସଭାଜାଇନାଲ ସ୍କାନ୍‌, ଓଭ୍ୟୁଲେସନ୍ ଇଣ୍ଡକ୍ସନ୍ ଆଣ୍ଡ ଫଲିକ୍ୟୁଲାର ମନିଟରିଂ, ଫର୍ଟିଲିଟି ଏନ୍‌ହାନ୍ସିଂ ଲାପ୍ରୋସ୍କୋପିକ୍ ସର୍ଜରୀ, ସିମେନ୍ ଆନାଲିସିସ୍‌, ଇନ୍‌ଟ୍ରାୟୁଟେରିନ୍ ଇନ୍‌ସେମିନେସନ୍ (ଆଇୟୁଆଇ), ଇନ୍‌-ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌), ଇନ୍‌ଟ୍ରାସାଇଟୋପ୍ଲାଜ୍‌ମିକ୍ ସ୍ପର୍ମ ଇଞ୍ଜେକ୍ସନ୍ (ଆଇସିଏସ୍‌ଆଇ), ସର୍ଜିକାଲ୍ ସ୍ପର୍ମ ରିଟ୍ରାଇଭାଲ୍ ପ୍ରୋସିଡ୍ୟୁଅର୍ (ଟେସା/ପେସା), ସିମେନ୍ ଆଣ୍ଡ ଏମ୍ବ୍ରିଓ ଫ୍ରିଜିଙ୍ଗ୍ ଓ ଡୋନର ସ୍ପର୍ମ ଆଇୟୁଆଇ ଓ ଆଇଭିଏଫ୍। ସିଏଚ୍‌ଆର୍‌ର ସଫଳତାର ହାର ଆଇଭିଏଫ୍ କ୍ଷେତ୍ରରେ ବିଶ୍ୱ ଆର୍ଟ ସକ୍‌ସେସ୍ ହାରରେ ୪୮.୧ ପ୍ରତିଶତ ଥିବା ବେଳେ ଆଇୟୁଆଇ କ୍ଷେତ୍ରରେ ୧୪ ପ୍ରତିଶତ ରହିଛି।

ଏହି ଅତ୍ୟାଧୁନିକ ଚିକିତ୍ସା ସହିତ ସିଏଚ୍‌ଆର୍ ଠାରେ କ୍ୟାନ୍ସର ଥେରାପି ନିମନ୍ତେ କେମୋଥେରାପି ଓ ପେଲ୍‌ଭିକ୍ ରାଡିଏସନ୍ ପାଇଁ ଯିବା ପୂର୍ବରୁ ଉଭୟ ଲିଙ୍ଗଙ୍କର ଫର୍ଟିଲିଟି ସଂରକ୍ଷଣ କରିବାର ସୁବିଧା ମଧ୍ୟ ରହିଛି। ଏସବୁ ବ୍ୟବସ୍ଥା ନିମନ୍ତେ ଖୁବ୍ ସୁଲଭ ମୂଲ୍ୟ ରଖାଯାଇଛି ଯାହା ଦ୍ୱାରା କି ଅଧିକରୁ ଅଧିକ ଦମ୍ପତି ଏହି ସୁଯୋଗ ନେଇପାରିବେ।

ଏଭଳି ସମସ୍ୟା ଥିବା ଦମ୍ପତିଙ୍କର ଉପଯୁକ୍ତ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଚିକିତ୍ସା ମାଧ୍ୟମରେ ଓ ଖୁବ୍ କମ୍ ପାଶ୍ୱର୍ ପ୍ରତିକ୍ରିୟା ଦ୍ୱାରା ଗର୍ଭଧାରଣ ସୁବିଧା ଯୋଗାଇ ଦେବା ଆମର ଲକ୍ଷ୍ୟ ରହିଛି ବୋଲି ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ କହିଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଜେ. ଭି କନ୍‌ୱର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ନିଓନାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ନନ୍ଦ, ପ୍ରଫେସର ରତନ କୁମାର ଦାସ, ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଜୟଶ୍ରୀ ସ୍ୱାଇଁ, ୟୁରୋଲୋଜି ବିଭାଗର ପ୍ରଫେସର ଦେବବ୍ରତ ସାବତ, ସିଏଚ୍‌ଆର୍‌ର ଆସୋସିଏଟ୍ ପ୍ରଫେସର (ଡାକ୍ତର) ପଦ୍ମାଳୟା ଠାକୁର, ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅନୁଭୁତି ପଟେଲ୍‌, ଡାକ୍ତର ଅମ୍ରିତା ମହାନ୍ତି, ଏମ୍ବ୍ରିଓଲୋଜି ବିଭାଗର ଡାକ୍ତର ଚିଦାନନ୍ଦ ଦାସ ଓ ଆଶୀଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆଇଭିଏଫ ଚିକିତ୍ସାରେ ସଫଳତା ପାଇଥିବା ଦମ୍ପତିମାନେ ଉପସ୍ଥିତ ରହି ସେମାନଙ୍କ ଅନୁଭୂତି ବଖାଣି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରୋବୋଟ ଦ୍ଵାରା ସମ୍ ହସ୍ପିଟାଲ୍‌ରେ ସଫଳ ହେଉଛି ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର: ପ୍ରଫେସର ଦାଶ

ଭୁବନେଶ୍ୱର: ବର୍ତ୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି।

ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ। ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ। ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି।

ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବୋଟ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି।
ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ମେଡିକାଲ୍ କଲେଜ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌)ରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଭବିଷ୍ୟତରେ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ପ୍ରଫେସର ଦାଶ କହିଛନ୍ତି।

ଚିରାଚରିତ ଢ଼ଙ୍ଗରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଓ ରୋବୋଟ ସହାୟତାରେ କରାଯାଉଥିବା ଅସ୍ତ୍ରୋପଚାର ମଧ୍ୟରେ କିଛି ଫରକ ନାହିଁ। ତେଣୁ ରୋବୋଟ ସହାୟତାରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ରୋଗୀଙ୍କୁ ଅଲଗା ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ତେବେ କେଉଁମାନେ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରିପାରିବେ ସେ ନେଇ ପ୍ରଫେସର ଦାଶ କହିଛନ୍ତି ଯେ ସାଧାରଣ ଭାବେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରୋବୋଟ ସହାୟତାରେ ଏହା କରାଇପାରିବେ। ଆଣ୍ଠୁ ଗଣ୍ଠିରେ ସମସ୍ୟା ଥିବା ଏବଂ କୌଣସି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଖୁବ୍ ଲାଭଦାୟକ ବୋଲି ସେ କହିଛନ୍ତି।

ଏହାଛଡ଼ା ଏହି କ୍ଷେତ୍ରରେ ରୋବୋଟିକ ଅସ୍ତ୍ରୋପଚାର ସାଧାରଣ ଅସ୍ତ୍ରୋପଚାର ଅପେକ୍ଷା ଉତମ ଫଳ ଦେଇଥାଏ କାରଣ ଏହାକୁ ପୂର୍ବରୁ ପରିକଳ୍ପନା କରାଯାଇ ନିର୍ଭୁଲ ଭାବେ କରାଯାଇପାରେ।

ସ୍ୱତନ୍ତ୍ର ଥ୍ରୀଡି ଇମେଜ ନିଆଯାଇ ରୋବୋଟିକ୍ ଅସ୍ତ୍ରୋପଚାର କରାଯାଇଥାଏ। ଏହି ଇମେଜଗୁଡ଼ିକ ସର୍ଜନଙ୍କୁ ଉପଯୁକ୍ତ ଭାବେ ପ୍ରତ୍ୟାରୋପଣରେ ସହାୟକ ହୋଇଥାଏ।
ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜନମାନେ ପ୍ରତ୍ୟାରୋପଣ ନେଇ ଅଧିକ ଦକ୍ଷ ହୋଇପାରନ୍ତି। ଏହା ଦ୍ୱାରା ଶୀଘ୍ର ରୋଗୀ ସୁସ୍ଥ ହୋଇଥାଏ, ଖୁବ୍ କମ୍ ସମସ୍ୟା ଦେଖାଦେଇଥାଏ ଏବଂ ଆଉ ଥରେ ଅସ୍ତ୍ରୋପଚାରର ଆବଶ୍ୟକତା କମ୍ ଥାଏ ବୋଲି ପ୍ରଫେସର ଦାଶ କହିଛନ୍ତି।

ତେବେ ଏହି ଅସ୍ତ୍ରୋପଚାରରେ କେବଳ ରୋବୋଟ କାମ କରେ ନାହିଁ ସେ କେବଳ ସର୍ଜନମାନଙ୍କୁ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥାଏ ବୋଲି ଡାକ୍ତର ଦାଶ କହିଛନ୍ତି। ପାରମ୍ପରିକ ଅସ୍ତ୍ରୋପଚାରରେ ସବୁକିଛି ସର୍ଜନଙ୍କ ନିୟନ୍ତ୍ରଣରେ ଥାଏ। ତେବେ ରୋବୋଟିକ୍ ସର୍ଜରୀ ଦ୍ୱାରା ଅଧିକ ସୁଫଳ ମିଳିଥାଏ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା କ୍ଷେତ୍ରରେ ପ୍ରଭାବ ପକାଉଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ 

ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି ଶୁକ୍ରବାର ଜଣେ ବିଶେଷଜ୍ଞ ମତ ଦେଇଛନ୍ତି।

ସାରା ଦେଶରେ ଅଧିକରୁ ଅଧିକ ରକ୍ତ କେନ୍ଦ୍ର ବା ବ୍ଲଡ୍ ସେଂଟର ଖୋଲାଯାଉଥିବା ବେଳେ ଅଟୋମେସନ୍‌, କମ୍ପ୍ୟୁଟରାଇଜେସନ୍ ଏବଂ ସେନ୍‌ସିଟିଭ୍ ଆଡଭାନ୍ସଡ ଟେକ୍ନିକ୍ ଭଳି ନୂତନ ଜ୍ଞାନକୌଶଳର ବ୍ୟବହାର ଏହି ପରିବର୍ତନ ଆଣିପାରିଛି ବୋଲି କହିଛନ୍ତି କୋଲକାତା ସ୍ଥିତ ଆପୋଲୋ ଗ୍ଲିନିଏଗିଲ୍‌ସ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୁଦିପ୍ତ ଶେଖର ଦାସ। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଚତୁର୍ଥ ବାର୍ଷିକ କନ୍‌ଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ)ରେ ଯୋଗ ଦେଇ ନିଜ ବକ୍ତବ୍ୟରେ ଏହା କହିଛନ୍ତି ଡାକ୍ତର ଦାସ।

୨୦ ବର୍ଷ ପୂର୍ବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ସମ୍ପର୍କରେ ବିଶେଷ କିଛି ଜଣା ନଥିବା ବେଳେ ଗତ ଏକ ଦଶନ୍ଧି ମଧ୍ୟରେ ଏ କ୍ଷେତ୍ରରେ ଆଖିଦୃଶିଆ ବିକାଶ ହୋଇଛି ବୋଲି କହିବା ସହ ଦେଶର ସବୁ ରକ୍ତ ଭଣ୍ଡାରଗୁଡ଼ିକରେ ଏପର୍ଯ୍ୟନ୍ତ ଉପଯୁକ୍ତ ବ୍ୟବସ୍ଥା ହୋଇପାରି ନାହିଁ ବୋଲି ଡାକ୍ତର ଦାସ କହିଥିଲେ।

ତେବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଯେଭଳି ଭାବେ ଜନସାଧାରଣଙ୍କର ଆବଶ୍ୟକତାକୁ ପୂରଣ କରୁଛି ଏବଂ ଉଚ୍ଚକୋଟୀର କାର୍ଯ୍ୟ କରୁଛି ତାହା ପ୍ରଶଂସନୀୟ ବୋଲି କହିଥିଲେ ଡାକ୍ତର ଦାସ। ଦେଶର ଅଧିକ ରକ୍ତ ଭଣ୍ଡାରଗୁଡ଼ିକରେ ବର୍ତମାନ ଟ୍ରାନ୍ସଫ୍ୟୁଜନ୍ ବିଶେଷଜ୍ଞମାନେ କାର୍ଯ୍ୟ କରୁଥିବା ବେଳେ ଏ କ୍ଷେତ୍ରରେ ଭାରତ ଖୁବ୍ ଶୀଘ୍ର ବିକଶିତ ଦେଶଗୁଡ଼ିକ ସହିତ ଏହି କ୍ଷେତ୍ରରେ ନିଜର ସ୍ଥାନ ନେବ ବୋଲି ସେ କହିଥିଲେ।

ଆୟୋଜିତ ଏହି ସିଏମ୍‌ଇର ବିଷୟବସ୍ତୁ ଥିଲା “ହେଡ୍‌ୱେ ଇନ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌: ସ୍ପେଶିଆଲ୍ ଏମ୍ଫାସିସ୍ ଅନ୍ ପେଡିଆଟ୍ରିକ ଆଣ୍ଡ ନିଓନାଟୋଲୋଜି ପେସେନ୍‌ଟ୍ସ”। ଏହି ସିଏମ୍‌ଇରେ ଟ୍ରାନ୍ସଫ୍ୟୁଜନ ମେଡିସିନ୍ କ୍ଷେତ୍ରର ବିଶେଷଜ୍ଞ, ବିଭିନ୍ନ ବିଭାଗର ସିନିୟର ଫ୍ୟାକଲ୍ଟି, ଜୁନିୟର ରେସିଡେଂଟ୍ସ, ପିଜି ଛାତ୍ରଛାତ୍ରୀ ଏବଂ ଅନ୍ୟ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର କର୍ମଚାରୀ ସମେତ ପ୍ରାୟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।
ଏହି ଅବସରରେ ଆଇଏମ୍‌ଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜା ନନ୍ଦିନୀ କାନୁନ୍‌ଗୋ କହିଥିଲେ ଯେ ହସ୍ପିଟାଲ୍‌ର ଏହି ରକ୍ତ ଭଣ୍ଡାରଟି ୨୦୦୫ରେ ଆରମ୍ଭ ହୋଇଥିବା ବେଳେ ଏଠାରେ ରକ୍ତ ସଂଗ୍ରହ ଓ ରୋଗୀମାନଙ୍କୁ ରକ୍ତ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ମଧ୍ୟ ଦିଆଯାଇଥାଏ। ରକ୍ତ ଭଣ୍ଡାରଟି ଆରମ୍ଭ ହେବା ସମୟରେ ପ୍ରତ୍ୟେକ ଦିନ ପ୍ରାୟ ୩ ରୁ ୫ ୟୁନିଟ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ୩ ୟୁନିଟ ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହାର ପରିମାଣ ବୃଦ୍ଧି ପାଇ ପ୍ରତ୍ୟେକ ଦିନ ହାରାହାରି ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ୧୭୫ ୟୁନିଟ୍ ପ୍ରଦାନ କରାଯାଉଛି।

ଏହି ବିଭାଗରେ ନିୟମିତ ଷ୍ଟେମ୍ ସେଲ୍ ଆଫେରେସିସ୍ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଥେରାପ୍ୟୁଟିକ୍ ଆଫେରେସିସ୍ କରାଯାଇଥାଏ। ଏହା ଦ୍ୱାରା ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପରି ଜଟିଳ ପ୍ରକ୍ରିୟା ସଫଳତାର ସହ କରାଯାଇ ପାରୁଛି ବୋଲି ସେ କହିଥିଲେ।

ରୋଗୀଙ୍କୁ ରକ୍ତପ୍ରଦାନ କ୍ଷେତ୍ରରେ ଟ୍ରାନ୍ସଫ୍ୟୁଜନ୍ ଦ୍ୱାରା ସଂକ୍ରମଣର ବିପଦକୁ କମ୍ କରିବା ପାଇଁ ସମସ୍ତଙ୍କ କ୍ଷେତ୍ରରେ ‘ଇଣ୍ଡିଭିଜୁଆଲ୍ ଡୋନର- ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟିଙ୍ଗ୍ (ଆଇଡି-ନାଟ୍‌)’ ପରୀକ୍ଷା କରାଯାଇଥାଏ ବୋଲି ପ୍ରଫେସର କାନୁନ୍‌ଗୋ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ କାଉନ୍‌ସିଲ୍‌ର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ନୀଳକଣ୍ଠ ମିଶ୍ର ଯୋଗ ଦେଇ କହିଥିଲେ ଯେ ଓଡ଼ିଶାରେ ପ୍ରତ୍ୟେକ ବର୍ଷ ୪ ଲକ୍ଷ ୟୁନିଟ୍‌ରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ କରାଯାଉଥିବା ବେଳେ ପ୍ରାୟ ୫ ଲକ୍ଷ ୟୁନିଟ୍‌ର ଆବଶ୍ୟକତା ରହିଛି। ତେଣୁ ସରକାର ସୁରକ୍ଷିତ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ପାଇଁ ପ୍ରଚେଷ୍ଟା କରୁଛନ୍ତି। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ସମାଜ ପ୍ରତି ସେବା ଓ କାର୍ଯ୍ୟ ଉଚ୍ଚକୋଟୀର ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଷ୍ଟେଟ୍ ଏଡ୍ସ କଂଟ୍ରୋଲ୍ ସୋସାଇଟିର ନିର୍ଦ୍ଦେଶକ ଡାକ୍ତର ଉର୍ମିଳା ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମିଶ୍ର ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ଗୁରୁତ୍ୱ ଦେଇଥିବା ବେଳେ ପ୍ରଫେସର ସାମନ୍ତସିଂହାର ହସ୍ପିଟାଲ୍‌ର ରକ୍ତ ଭଣ୍ଡାରର କାର୍ଯ୍ୟ ସୁରୁଖୁରରେ ସମ୍ପାଦନ କ୍ଷେତ୍ରରେ ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ଭିତିଭୂମିର ସହଯୋଗକୁ ପ୍ରଂଶସା କରି ଏହି ରକ୍ତ ଭଣ୍ଡାରରେ ଗଚ୍ଛିତ ରକ୍ତ ରାଜ୍ୟରେ ସବୁଠାରୁ ସୁରକ୍ଷିତ ବୋଲି କହିଥିଲେ।

କୋଭିଡ ମହାମାରୀ ସମୟରେ ମଧ୍ୟ ସମ୍ ହସ୍ପିଟାଲ୍‌ର ରକ୍ତ ଭଣ୍ଡାର ପକ୍ଷରୁ ଥାଲାସେମିଆ ଓ ସିକଲ୍ ସେଲ୍ ଏନିମିଆ ରୋଗୀମାନଙ୍କର ନିୟମିତ ଭାବେ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରାଯାଉଥିଲା ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯକ୍ଷ୍ମା ରୋଗ ଏକ ବଡ଼ ଆହ୍ୱାନ, ଏହାର ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ: ଡିଏମ୍‌ଇଟି

ଭୁବନେଶ୍ୱର: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇରହିଛି। ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍ (ଡିଏମ୍‌ଇଟି) ପ୍ରଫେସର (ଡାକ୍ତର) ସଚିଦାନନ୍ଦ ମହାନ୍ତି କହିଛନ୍ତି।

ଦେଶରେ ଯକ୍ଷ୍ମା ଭଳି ବ୍ୟାଧିକୁ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରିପ୍ରେକ୍ଷୀରେ ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାସ୍କଫୋର୍ସ ବୈଠକ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁବାର ଆରମ୍ଭ ହୋଇଛି। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ମହାନ୍ତି ଏଭଳି ବୈଠକକୁ ସ୍ୱାଗତ କରିବା ସହ ପୂର୍ବାଂଚଳରେ ଟିବି ରୋଗୀଙ୍କ ଚିହ୍ନଟ ସଂଖ୍ୟା ଖୁବ୍ କମ୍ ରହିଛି ତଥା ନିରାକରଣ ନିମନ୍ତେ ଅଧିକ ପ୍ରଚେଷ୍ଟା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

ଉତ୍ତମ ଭିତିଭୂମୀ, ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ଓ ପରୀକ୍ଷଣ ବ୍ୟବସ୍ଥା, ବିଶେଷଜ୍ଞଙ୍କ ଦ୍ୱାରା ଉତ୍ତମ ଚିକିତ୍ସା ଉପଲବ୍ଧ ହେଲେ ହିଁ ପୂର୍ବାଂଚଳ ଟିବିମୁକ୍ତ ହୋଇପାରିବ ବୋଲି ସେ ଏହି ଅବସରରେ କହିଛନ୍ତି।

ତେବେ ରାଜ୍ୟରେ ଅନେକ କ୍ଷେତ୍ରରେ ଟିବି ରୋଗୀଙ୍କ ଚିହ୍ନଟକୁ ନେଇ ଭୁଲ ତଥ୍ୟ ଆସିବା ଓ ଲୋକେ ଟିବି ରୋଗୀଙ୍କ ୱାର୍ଡକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିବା ନିରାକରଣ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ହସ୍ପିଟାଲ୍‌ରେ ଯକ୍ଷ୍ମାରୋଗକୁ ନେଇ ଅଧିକ ଯତ୍ନ ନିଆଯାଉଥିବା କହିଛନ୍ତି। ସାଧାରଣତଃ ରୋଗୀଙ୍କ ଛାତିରେ ଉପୁଜୁଥିବା ଯକ୍ଷ୍ମା ରୋଗର ହିଁ ଚିକିତ୍ସା କରାଯାଇଥାଏ। ମାତ୍ର ଛାତି ବ୍ୟତୀତ ମସ୍ତିଷ୍କ, ହାଡ଼, ପେଟ ଏବଂ ଶରୀରର ଅନ୍ୟାନ୍ୟ ଅଂଗରେ ମଧ୍ୟ ଯକ୍ଷ୍ମା ରୋଗ ଦେଖାଯାଇଥାଏ। ଏହାକୁ ଏକ୍ସଟ୍ରା ପଲ୍‌ମୋନାରୀ ଟିବି କେସେସ୍ ବୋଲି କୁହାଯାଇଥାଏ। ତେବେ ସମ୍ ହସ୍ପିଟାଲ୍‌ରେ ଥିବା ମଲ୍ଟି ସ୍ପେଶିଆଲିଟି ଡିପାର୍ଟମେଂଟ ଓ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧି ଯୋଗୁଁ ଏକ୍ସଟ୍ରା ପଲ୍‌ମୋନାରୀ ଟିବି ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା ମଧ୍ୟ ହୋଇପାରୁଛି ବୋଲି ସେ କହିଥିଲେ। ଓଡ଼ିଶାରେ ଏଭଳି ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ସମ୍ ହସ୍ପିଟାଲ୍ ସର୍ବାଗ୍ରେ ରହିଛି ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବାଂଚଳର ଜୋନାଲ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଡାକ୍ତର ଏସ୍‌.କେ. ସାହି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ୨୦୨୫ ସୁଦ୍ଧା ଭାରତକୁ ଟିବିମୁକ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ।

ସେହିପରି ଓଡ଼ିଶାର ସ୍ପେଶାଲ ଟାସ୍କ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ହୋତା କାର୍ଯ୍ୟକ୍ରମରେ ଯୋଗ ଦେଇ ଟିବି ନିରାକରଣ ଦିଗରେ ମେଡିକାଲ୍ କଲେଜଗୁଡ଼ିକ ପଦକ୍ଷେପ ନେବା ଉଚିତ୍ ବୋଲି କହିବା ସହ ଏଦିଗରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ୍ କଲେଜଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ନ୍ୟାସ୍‌ନାଲ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଡାକ୍ତର ଅଶୋକ ଭରଦ୍ୱାଜ ଯୋଗ ଦେଇ କହିଥିଲେ ଯେ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିବିମୁକ୍ତ ଭାରତର ଆହ୍ୱାନ ଦେଇଥିବା ବେଳେ ୨୦୨୩ରେ ସେ ଏହି କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ଏବଂ ୨୦୨୫ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆହ୍ୱାନ ଦେଇଥିଲେ। ଏଥି ନିମନ୍ତେ ଆମକୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଦେଶରେ ପୂର୍ବାଂଚଳ ଟିବି ଚିହ୍ନଟ ଓ ନିରାକରଣ ଦିଗରେ ପଛୁଆ ଥିବାବେଳେ ଏ ଦିଗରେ ଅଧିକ ତ୍ୱରାନ୍ୱିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ରାଜ୍ୟ ଟାସ୍କଫୋର୍ସର କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା, ଅଧିକ ରୋଗୀ କିଭଳି ଚିକିତ୍ସା ପାଇଁ ଆସିବେ ସେ ବିଷୟରେ ପଦକ୍ଷେପ ନେବା, ଏଲ୍‌ଟିବିଆଇ ମ୍ୟାନେଜମେଂଟ ଭଳି ନୂତନ ନିୟମକୁ ଲାଗୁ କରିବା ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ୍ କଲେଜଗୁଡ଼ିକ ମଧ୍ୟରେ ଟିବି ରୋଗୀଙ୍କ ଚିହ୍ନଟ ଏବଂ ଚିକିତ୍ସା ନେଇ ସମନ୍ୱୟ ରଖିବା ଏହି ଦୁଇ ଦିନିଆ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଟିବିମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଟିବିର ମୂଳୋତ୍ପାଟନ ନେଇ ଅନେକ କାର୍ଯ୍ୟ ଜାରି ରହିଥିବା ପ୍ରଫେସର ଜେନା କହିଥିଲେ।

ସେହିପରି କାର୍ଯ୍ୟକ୍ରମରେ ସିଟିଡିର ଆଡିସ୍‌ନାଲ ଡିଜି ଡାକ୍ତର ସଞ୍ଜୟ ମାଟୁ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ସ୍ପେଶାଲ୍ ଟାସ୍କଫୋର୍ସ, ଓଡ଼ିଶାର ଅଧ୍ୟକ୍ଷ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ଟିବିମୁକ୍ତ ଭାରତ କାର୍ଯ୍ୟକ୍ରମରେ ଗଣମାଧ୍ୟମର ଅନେକ ଭୂମିକା ରହିଛି ବୋଲି କହିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ବୈଠକଟି ସେଂଟ୍ରାଲ୍ ଟିବି ଡିରେକ୍ଟରେଟ, ଜୋନାଲ୍ ଟାସ୍କଫୋର୍ସ (ପୂର୍ବାଂଚଳ), ସ୍ପେଶାଲ୍ ଟାସ୍କ ସର୍କଲ୍ ଓଡ଼ିଶା, ସ୍ପେଶାଲ ଟାସ୍କଫୋର୍ସ ଓଡ଼ିଶା ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାନ୍ସର ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କଲେ ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଗ ସହ ମଧ୍ୟ ଜଡ଼ିତ ଥିଲା।

ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ବହୁବିଧ ଟିମ୍ ଏହି ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନେଇଥିଲେ।

ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ ପ୍ଲିହାକୁ ପ୍ରଭାବିତ କରୁଥିବାରୁ ଏହା ଚିନ୍ତାର କାରଣ ଥିଲା। ସିଲିଆକ୍ ଟ୍ରଙ୍କ (ସିଲିଆକ୍ ଧମନୀ) ଯାହାକି ତିନି ଭାଗ ହୋଇ ପାକସ୍ଥଳୀ, ଯକୃତ ଏବଂ ପ୍ଲିହାକୁ ରକ୍ତ ଯୋଗାଇଥାଏ ତାହାକୁ ବାହାର କରିବାର ଆବଶ୍ୟକତା ପଡ଼ିଥିଲା। ତେବେ ଏଭଳି କରିବା ଦ୍ୱାରା ଯକୃତକୁ ରକ୍ତ ସଂଚାଳନ ବନ୍ଦ ହୋଇ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ଡାକ୍ତର ଜେନା ମଙ୍ଗଳବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା କ୍ୟାନ୍ସର ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରହିଥିବା ବେଳେ ସର୍ଜିକାଲ୍ ଟିମ୍ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ। ମାତ୍ର ରକ୍ତ ଧମନୀ ଏକ ବଡ଼ ସମସ୍ୟା ସୃ୍‌ଷ୍ଟି କରିଥିଲା ବୋଲି ସେ କହିଥିଲେ।

ଏଭଳି ରୋଗୀଙ୍କ କ୍ଷେତ୍ରରେ ପ୍ରାୟତଃ ଅସ୍ତ୍ରୋପଚାର କରାଯାଇ ନଥାଏ କାରଣ ଏମାନେ ମାତ୍ର ୬ ମାସ ବଂଚିବାର ସମ୍ଭାବନା ଥାଏ। ତେବେ ଆପେଲ୍‌ବି ପ୍ରୋସିଡ୍ୟୁୟର୍ ନାମକ ଏକ ଜଟିଳ ଅସ୍ତ୍ରୋପଚାର ଏଭଳି ରୋଗୀଙ୍କ କ୍ଷେତ୍ରରେ କରାଯାଇଥାଏ। ବିଶ୍ୱର ଅଳ୍ପ କେତେକ ହସ୍ପିଟାଲ୍‌ରେ ଏହା ସମ୍ପାଦନ କରାଯାଉଥିବା ଡାକ୍ତର ଜେନା କହିଛନ୍ତି।

ତେବେ ନିର୍ଦ୍ଦିଷ୍ଟ କେତେକ ରୋଗୀଙ୍କ ଶରୀରରେ ଏହି ଅସ୍ତ୍ରୋପଚାର କରାଯାଇଥାଏ ଓ ସର୍ଜରୀ ପୂର୍ବରୁ ସିଟି ସ୍କାନ୍ ମାଧ୍ୟମରେ ଯକୃତକୁ ଅନ୍ୟ କେଉଁ ଦିଗରୁ ରକ୍ତ ସଂଚାଳନ ହୋଇପାରୁଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ। ତେବେ ଏହି ରୋଗୀଙ୍କ କ୍ଷେ୍‌ତ୍ରରେ ଅନ୍ୟ କୌଣସି ମାଧ୍ୟମରେ ଯକୃତକୁ ରକ୍ତ ସଂଚାଳନ ହେଉ ନଥିଲା। ତେଣୁ କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ସର୍ଜନଙ୍କ ସାହାଯ୍ୟରେ ଗୋଡ଼ରୁ ଏକ ରକ୍ତ ଧମନୀ ଆଣି ସେହି ସ୍ଥାନରେ ଏକ ନୂତନ ଧମନୀ ସୃଷ୍ଟି କରାଯାଇ ଆଓର୍ଟାରୁ ଯକୃତକୁ ରକ୍ତ ସଂଚାଳନ କରାଯାଇଥିଲା। ଏହି ପରିସ୍ଥିତିରେ “ମୋଡିଫାଏଡ୍ ଆପେଲବି ସର୍ଜରୀ” କରିବା ନିମନ୍ତେ ଚିନ୍ତା କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସିଟିଭିଏସ୍ ସର୍ଜନ୍ ତଥା ଆସୋସିଏଟ୍ ପ୍ରପେସର ଡାକ୍ତର ସଂଗ୍ରାମ କେଶରୀ ବେହେରା କହିଥିଲେ।

ଗତ ଫେବୃଆରୀ ଶେଷ ସପ୍ତାହରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ହସ୍ପିଟାଲ୍‌ର ଏହି ଟିମ୍‌ରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି, କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ମେଡିକାଲ୍ ଅଙ୍କୋଲୋଜି, ରେଡିଓ-ଡାଏଗ୍ନୋସିସ୍ ଏବଂ ଆନେସ୍‌ଥେସିଓଲୋଜି ବିଭାଗର ବିଶେଷଜ୍ଞମାନେ ସାମିଲ ହୋଇଥିଲେ।

ଏହି ପ୍ରକ୍ରିୟାରେ ଟ୍ୟୁମର ସୃଷ୍ଟି ହୋଇଥିବା ଅଗ୍ନାଶୟର ପ୍ରାୟ ୭୫ ପ୍ରତିଶତ ସହିତ ସିଲିଆକ୍ ଧମନୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରକ୍ତ ଧମନୀ କଢ଼ାଯାଇଥିଲା। ଗୋଡରୁ ଏକ ଧମନୀ କାଢ଼ି ନେଇ ବାଇପାସ୍ ସର୍ଜରୀ ମାଧ୍ୟମରେ ମୁଖ୍ୟ ରକ୍ତ ଧମନୀକୁ ଯକୃତ ସହ ସଂଯୁକ୍ତ କରାଯାଇଥିଲା।

ଏଭଳି ଅସ୍ତ୍ରୋପଚାରରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ସମ୍ଭାବନା ରହିଥିବା ବେଳେ ଏହି ରୋଗୀ କିନ୍ତୁ ୩ ଦିନ ଆଇସିୟୁରେ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଉପଯୁକ୍ତ ଚିକିତ୍ସା, ଧ୍ୟାନ ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇଥିବା ବେଳେ ତାଙ୍କର ଫାଇନାଲ୍ ବାୟୋପ୍ସି ରିପୋର୍ଟରେ ତାଙ୍କ ଶରୀରରୁ ଟ୍ୟୁମରଟି ସମ୍ପୂର୍ଣ୍ଣ ରୂପେ ଅନ୍ତର୍ହୀତ ହୋଇଥିବା ଡାକ୍ତର ଜେନା କହିଥିଲେ।

ରୋଗୀ ଜଣକ ଆଇସିୟୁରେ ୭୨ ଘଂଟା ରହିଥିବା ବେଳେ ଡାକ୍ତର ସନ୍ତୋଷ ସିଂ ଓ ଡାକ୍ତର ଅନୀତା ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ।

ଭାରତରେ ଖୁବ୍ କମ୍ ଏଭଳି ଅସ୍ତ୍ରୋପଚାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର ଜେନା କହିଥିଲେ।

ଏହି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ଜେନାଙ୍କ ସହିତ ରେଡିଓ-ଡାଏଗ୍ନୋସିସ୍ ବିଭାଗର ପ୍ରଫେସର ଡାକ୍ତର ଏସ୍‌.ଏସ୍ ମହାପାତ୍ର, ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁମିତ ମହାନ୍ତି, ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ମହାରଣା, ସିଟିଭିଏସ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ବେହେରା, ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସସ୍ମିତା ପାଣିଗ୍ରାହୀ ଏବଂ ପାଥୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରୁପନ୍ୱିତା ବିଶ୍ୱାଳ ସାମିଲ ଥିଲେ।

ସେହିପରି ଏମ୍‌ସିଏଚ୍ ଛାତ୍ରଛାତ୍ରୀ ଡାକ୍ତର ଉଦୟ ରେଡ୍ଡୀ, ଡାକ୍ତର ହର୍ଷାଲ ଭୋଇ, ଡାକ୍ତର ଏଚ୍‌. ସ୍ୱାମୀ ରାଜେଶ ଓ ଡାକ୍ତର ରଘୁନାଥ ରାଜା ଏହି ସର୍ଜରୀ ଟିମ୍‌ରେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର

ଭୁବନେଶ୍ୱର: ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ଉତମ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର। ଏହି ସେଂଟରରେ କେବଳ ଯକ୍ଷ୍ମା ରୋଗ ନିମନ୍ତେ ଉପଲବ୍ଧ ଔଷଧ ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ କାମ କରୁନଥିବା କ୍ଷେତ୍ରରେ ଅନ୍ୟ ଔଷଧ ପ୍ରୟୋଗ କରାଯିବା ସହ ବିଭିନ୍ନ ବିଭାଗ ଦ୍ୱାରା ଚିକିତ୍ସା ପ୍ରଦାନ କରାଯାଇ ପୀଡ଼ିତଙ୍କୁ ସୁସ୍ଥ କରାଇବାର ପ୍ରଚେଷ୍ଟା କରାଯିବ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଅନୁଷ୍ଠାନର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର।

୨୦୨୫ ସୁଦ୍ଧା ସାରା ଦେଶରେ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ସମ୍ ହସ୍ପିଟାଲ୍‌ରେ ମଲ୍ଟି ଡ୍ରଗ୍ ରେଜିଷ୍ଟାଂଟ ଟିବି ସେଂଟର ଖୋଲାଯାଇ ସାରା ରାଜ୍ୟରୁ ଚିକିତ୍ସା ନିମନ୍ତେ ଆସୁଥିବା ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରାଯିବାର ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ହସ୍ପିଟାଲ୍‌ର ପଲମୁନାରୀ ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଥାନେ ସ୍ଥିତ ଜୁପିଟର ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ତଥା ମୁମ୍ବାଇର ଜିଟିବି ହସ୍ପିଟାଲ୍‌ର ଡିଆର ଟିବି ସେଂଟରର ନୋଡାଲ୍ ଚେୟାରମ୍ୟାନ୍ ଡାକ୍ତର ଆଲ୍‌ପା ଦଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗର କାରଣ, ଚିକିତ୍ସା ଓ ନିରାକରଣ ନେଇ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ପଲ୍‌ମୁନାରୀ ମେଡିସିନ୍ ବିଭାଗର ଗୁରୁତ୍ୱ ବଢ଼ିଛି ବୋଲି ପ୍ରକାଶ କରି ଡାକ୍ତର ଦଲାଲ ଯକ୍ଷ୍ମା ରୋଗକୁ ସମାପ୍ତ କରିବା ନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ନିମନ୍ତେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଯକ୍ଷ୍ମା ରୋଗୀଙ୍କୁ କିଭଳି ଚିକିତ୍ସା କରାଯିବ, ହସ୍ପିଟାଲ୍‌ର ଭିତିଭୂମି କିଭଳି ହେବ, ବାହ୍ୟ ଓ ଆନ୍ତଃରୋଗୀଙ୍କ ଚିକିତ୍ସା ନିମନ୍ତେ କିଭଳି ସୁବିଧା ଉପଲବ୍ଧ ହେବା ଆବଶ୍ୟକ ସେ ବିଷୟରେ ତଥ୍ୟ ରଖି ଡାକ୍ତର ଦଲାଲ ପ୍ରଶିକ୍ଷଣ ପାଇଥିବା ନର୍ସ ଓ ପାରାମେଡିକ୍ସଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କୋଭିଡ ସମୟରେ ହସ୍ପିଟାଲ୍‌ର କ୍ରିଟିକାଲ କେୟାର, ପଲ୍‌ମୁନାରୀ ମେଡିସିନ୍ ଓ ଇମ୍ୟୁନୋଲୋଜି ବିଭାଗର ଡାକ୍ତର, ନର୍ସ ଓ ପାରାମେଡିକ୍ସ ମାନଙ୍କ ଉଚ୍ଚକୋଟୀର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ସାରା ବିଶ୍ୱରେ ଯକ୍ଷ୍ମା ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏ ବୋଲି କହିଥିଲେ। ଯକ୍ଷ୍ମା ଏକ ଜୀବାଣୁଜନିତ ରୋଗ ଏବଂ ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିପାରେ ବୋଲି ପ୍ରଫେସର ଜେନା କହିଥିଲେ। ୨୦୧୭ ପର ଠାରୁ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍ ଟ୍ୟୁବରକ୍ୟୁଲୋସିସ୍ ଇରାଡିକେସନ୍ ପ୍ରୋଗ୍ରାମ୍ ଆରମ୍ଭ କରିଥିବା ବେଳେ ୨୦୨୫ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ତେବେ ସାରା ବିଶ୍ୱର ୨୭ ପ୍ରତିଶତ ଯକ୍ଷ୍ମା ରୋଗୀ କେବଳ ଭାରତରେ ଥିବା ବେଳେ ଔଷଧ କାମ କରୁନଥିବା ରୋଗୀଙ୍କ କ୍ଷେତ୍ରରେ ଭାରତ ଚୀନ ତଳକୁ ରହିଛି। ତେଣୁ ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ପ୍ରଫେସର ଜେନା କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା ରାଲି

ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଏକ ସଚେତନତା ର‌୍ୟାଲି ଆୟୋଜିତ ହୋଇଯାଇଛି।

ଯକ୍ଷ୍ମାର କାରଣ, ନିରାକରଣ ଓ ଚିକିତ୍ସା ପଦ୍ଧତି ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ସମ୍ ହସ୍ପିଟାଲ୍ ପକ୍ଷରୁ ଏହି ର‌୍ୟାଲିର ଆୟୋଜନ କରାଯାଇଥିଲା। ବିଶ୍ୱରେ ଯକ୍ଷ୍ମା ରୋଗ କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାରୁ ଏହାର ନିରାକରଣ ନିତାନ୍ତ ଜରୁରୀ। ସେହିପରି ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା “ୟେସ୍ ୱି କ୍ୟାନ୍ ଏଣ୍ଡ ଟିବି” (“ହଁ ଆମେ ଯକ୍ଷ୍ମାକୁ ସମାପ୍ତ କରିପାରିବା”)। ଏହି ସ୍ଲୋଗାନ୍ ନେଇ ସମ୍ ହସ୍ପିଟାଲ୍‌ର କର୍ତ୍ତୁପକ୍ଷ, ଡାକ୍ତର ଓ ଛାତ୍ରଛାତ୍ରୀମାନେ ସଚେତନତା ର‌୍ୟାଲିରେ ସାମିଲ ହୋଇଥିଲେ।

ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ନିକଟରୁ ଆରମ୍ଭ ହୋଇଥିବା ଏହି ର‌୍ୟାଲିରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ପଲ୍‌ମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା, ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ଡାକ୍ତର ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଯକ୍ଷ୍ମା ନିରାକରଣ ସମ୍ପର୍କିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ସର୍ଜନ୍‌ ଙ୍କ ସଫଳତା: ୪ ବର୍ଷର ଶିଶୁର ହେଲା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍‌ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନ୍। ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ ନାଶାରନ୍ଧ୍ରରେ ପ୍ରବେଶ କରିଥିଲା।

ଏହା ଫଳରେ ଶିଶୁଟି କେବଳ ବାମ ନାକ ବା ପାଟିରେ ନିଶ୍ୱାସ ନେଉଥିଲା ଏବଂ ବାରମ୍ବାର ବାନ୍ତି ହେବା ସହ ଗନ୍ଧ ମଧ୍ୟ ବାରି ପାରୁନଥିଲା। ଏହି ସବୁ ସମସ୍ୟା ନେଇ ଶିଶୁଟିର ପରିବାର ତାକୁ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ରହିଥିଲା ଓ ମସ୍ତିଷ୍କର କିଛି ଅଂଶ ତଳକୁ ଚାଲିଆସି ବାହାରକୁ ଦେଖାଯାଉଥିଲା ବୋଲି ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଭାବେ କାର୍ଯ୍ୟରତ ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି।

ଏଭଳି ସମସ୍ୟା ଖୁବ୍ ବିରଳ ଓ ପ୍ରାୟ ୩ ଲକ୍ଷରେ ଜଣେ ଶିଶୁଙ୍କ ଠାରେ ଏହି ଜନ୍ମଗତ ସମସ୍ୟା ଦେଖାଦେଇଥାଏ। ଗତ ୫୨ ବର୍ଷ ମଧ୍ୟରେ ଏମ୍‌ସ ନୂଆଦିଲ୍ଲୀରେ ଏଭଳି ପ୍ରାୟ ୧୪୦ଟି ସର୍ଜରୀ କରାଯାଇଥିବା ସେ କହିଛନ୍ତି।

ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ଚଳିତ ସପ୍ତାହରେ ଶିଶୁଟିର ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା। ଯେଉଁ ଅସ୍ତ୍ରୋପଚାର କରିବାକୁ ୧୯୬୦ ଓ ୧୯୭୦ ଦଶକରେ ୧୦ ରୁ ୧୨ ଘଂଟା ସମୟ ଲାଗୁଥିଲା ବର୍ତମାନ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ତାହା ମାତ୍ର ସାଢ଼େ ତିନିଘଂଟାରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ଶିଶୁ ଓ ତା’ର ବାପା ଉପସ୍ଥିତ ଥିଲେ। ମସ୍ତିଷ୍କରୁ ବାହାରି ନାକ ମଧ୍ୟକୁ ପଶିଆସିଥିବା ଅଂଶ ଅଦରକାରୀ ହୋଇଥିବାରୁ ତାହାକୁ ବାହାର କରି ଅସ୍ତ୍ରୋପଚାର ଦ୍ୱାରା ସୃଷ୍ଟି ହୋଇଥିବା ଛିଦ୍ରଟିକୁ ବନ୍ଦ କରି ଦିଆଯାଇଥିଲା। ଶିଶୁଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସମ୍‌ରେ ଗୋଟିଏ ଛାତ ତଳେ ପରୀକ୍ଷା, ଚିକିତ୍ସା, ଅସ୍ତ୍ରୋପଚାର ଏବଂ ଯତ୍ନ ସମ୍ଭବ ହୋଇପାରୁଛି ଏବଂ ଏଭଳି ସର୍ଜରୀରେ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଇଏନ୍‌ଟି ଏବଂ ଆନେସଥେସିଆ ବିଭାଗ ମିଳିତ ଭାବେ କାର୍ଯ୍ୟ କରିଥାନ୍ତି।

ଶିଶୁଟିର ଚିକିତ୍ସା ଏବଂ ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସାହାଯ୍ୟରେ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଛି ବୋଲି ସେ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ରଞ୍ଜନ ଦାସ, ନ୍ୟୁରୋସର୍ଜରୀ ବିଭାଗର ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ ଓ ଡାକ୍ତର ରାମଚନ୍ଦ୍ର ଦେଓ, ଆସୋସିଏଟ ପ୍ରଫେସର ଡାକ୍ତର ସତ୍ୟଭୂଷଣ ସେନାପତି ଏବଂ ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଜୀବ ଲୋଚନ ସାମଲ୍ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ- ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।

ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉଦ୍‌ଘାଟନ କରିଥିଲେ।

ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଫ୍ୟାକଲ୍ଟିମାନେ ଅଧିକ ପ୍ରଶିକ୍ଷିତ ହେଲେ ସେମାନେ କିଭଳି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ ଓ ଗୁଣବତା ଭିତିକ ଡାକ୍ତର ହେବାରେ ସହାୟକ ହୋଇପାରିବେ ଏବଂ ସମାଜର ଆବଶ୍ୟକତା ଅନୁଯାୟୀ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଆୟୋଜିତ ଏହି କର୍ମଶାଳାରେ ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ଅବ୍‌ଜରଭର୍ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମେଡିକାଲ୍ ଏଜୁକେସନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଏବଂ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଫ୍ୟାକଲ୍ଟି ଏହି କର୍ମଶାଳାରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

ଭୁବନେଶ୍ୱର: କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି। କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ ଆସିପାରେ। କିନ୍ତୁ ଏଭଳି ଆହ୍ୱାନର ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର (ଡକ୍ଟର) ଇ. ଭେଙ୍କଟ ରାଓ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ଦିବସୀୟ କର୍ମଶାଳାର ଉଦ୍‌୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାଓ।

ପ୍ରଫେସର ରାଓ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୋଭିଡ୍ ଭାକ୍ସିନ୍ “କୋଭାକ୍ସିନ୍‌” ଏବଂ ନାଜାଲ୍ କୋଭିଡ୍ ଭାକ୍ସିନ୍‌ର ମାନବୀୟ ପରୀକ୍ଷଣରେ ପ୍ରମୁଖ ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ।

ଏହି କର୍ମଶାଳାଟି ସୋଆ -ଡିବିଟି-ବିଲ୍ଡର ଜାତୀୟ ଗବେଷଣାଗାର ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା। ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି ସହାୟତାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଏହି ଡିବିଟି-ବିଲ୍ଡର ଗବେଷଣାଗାର ସ୍ଥାପନ କରାଯାଉଛି। ଏସ୍‌ପିଏସ୍‌ରେ ମଧ୍ୟ ଏହି ଗବେଷଣାଗାର ସ୍ଥାପିତ ହୋଇଛି।

ଯୁବ ଗବେଷକମାନଙ୍କ ନିମନ୍ତେ ଏହି ସ୍କିମ୍ ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ରାଓ କହିଥିଲେ ଯେ, ପ୍ରତ୍ୟେକ ମଣିଷ ଜନ୍ମରୁ ହିଁ ଗବେଷକ ହୋଇଥାଏ। ତେବେ ପ୍ରଶ୍ନ କରିବାର କ୍ଷମତା ମଣିଷ ଭିତରେ କ୍ରମେ ଲୁପ୍ତ ହୋଇଯାଏ। ତେଣୁ ଡିବିଟି-ବିଲ୍ଡର ଭଳି ପଦକ୍ଷେପ ଯୁବ ଗବେଷକଙ୍କୁ ଖୋଜି ବାହାର କରିବାରେ ସହାୟକ ହେବ।
ଗବେଷଣା ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ରାଓ କହିଥିଲେ ଯେ ଏକୁଟିଆ କାର୍ଯ୍ୟ କଲେ କୌଣସି ଲାଭ ହୁଏ ନାହିଁ କିମ୍ବା ସମସ୍ୟାର ସମାଧାନ ହୁଏ ନାହିଁ।

ଏସ୍‌ପିଏସ୍ ଡିନ୍ ପ୍ରଫେସର ଏସି.ସି ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ “ଫ୍ଲୋ ସାଇଟୋମିଟର: ୱାର୍କିଂ ପ୍ରିନ୍ସିପଲ୍ ଆଣ୍ଡ ଆପ୍ଲିକେସନ୍‌ସ” ଶୀର୍ଷକ ଆଲୋଚନା କରାଯାଇଥିବା ବେଳେ ପରେ ଏହାର କାର୍ଯ୍ୟକାରିତା ଉପରେ ତାଲିମ ଦିଆଯାଇଥିଲା।
ଏହି କର୍ମଶାଳାର ସଂଯୋଜ ପ୍ରଫେସର ଗୌତମ ରଥ ଓ ମୋଡେରେଟର ପ୍ରଫେସର ବି.ବି. ସୁବୁଦ୍ଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ରୋଗୀ ସେବା ନିମନ୍ତେ ଏହି ୭ଟି ମେସିନ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଛି।

ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍ ସର୍ବଦା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି। କୋଭିଡ ସମୟରେ ମଧ୍ୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଏହି ଅନୁଷ୍ଠାନ ଅନେକ ସହଯୋଗ କରିଥିଲେ ବୋଲି ପ୍ରଫେସର ନାୟକ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଅଧିକାଂଶ ସମୟରେ ନେଫ୍ରୋଲୋଜି ବିଭାଗ ଅଧିନରେ ପ୍ରାୟ ୧୬୦୦ ରୋଗୀ ଡାଏଲିସିସ୍ ଆବଶ୍ୟକ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦୦ରୁଊର୍ଦ୍ଧ୍ୱ ବିଏସ୍‌କେୱାଇ ଯୋଜନା ଅନ୍ତର୍ଭୁକ୍ତ ରୋଗୀ। ତେଣୁ ଏହି ଉନ୍ନତ ଧରଣର ୭ଟି ଡାଏଲିସିସ୍ ମେସିନ୍ ଯାହାକି ଆଇସିଆଇସିଆଇ ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଗଲା ତାହା ଦ୍ଵାରା ରୋଗୀ ମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ସେହିପରି ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ହସ୍ପିଟାଲ୍‌ରେ ପ୍ରତ୍ୟେକ ଦିନ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ରୋଗୀଙ୍କର ଡାଏଲିସିସ୍ କରାଯାଉଛି। ତେଣୁ ଆଇସିଆଇସିଆଇ ଫାଊଣ୍ଡେସନ ର ସାହାଯ୍ୟ ଦ୍ୱାରା ରୋଗୀ ସେବା ଆହୁରି ତ୍ୱାରାନ୍ୱିତ ହେବ।

ଆଇସିଆଇସିଆଇ ବ୍ୟାଙ୍କର ଟ୍ରାଇସିଟିର ବିଜ୍‌ନେସ୍ ହେଡ୍ ପ୍ରଦୋଷ କୁମାର ରାଉତ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ଓଡ଼ିଶା ସେଂଟର ହେଡ୍ ସଂଯୁକ୍ତା ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ସୋଆର ଚାଟାର୍ଡ ଆକାଉନ୍‌ଟାଂଟ ସରୋଜକାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ପ୍ରହଲ୍ଲାଦ ମହାନ୍ତି, ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବପ୍ରସାଦ କର, ଡାକ୍ତର ବିଶ୍ୱଜିତ ମିଶ୍ର ଓ ଡାକ୍ତର ଅମୃତା ଦେଓ, କର୍ପୋରେଟ୍ କମ୍ୟୁନିକେସନ୍‌ସ ବିଭାଗର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ଡିଜିଏମ୍ ଅପରେସନ୍ ପୁଷ୍ପାଞ୍ଜଳୀ ରାଉତ, ବାୟୋମେଡିକାଲ୍ ଇଞ୍ଜିନିୟର୍ ମନୋରମା ପରିଡା ଏବଂ ଜୁନିୟର ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର ସରୋଜ ସେନାପତି, ସୌମ୍ୟ ରଞ୍ଜନ ମୁଦୁଲି ଏବଂ କୁମାରୀ ତମନ୍ନା ରଥ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେଲିଓଡୋସିସ୍‌ର ନାମ ଶୁଣିଛନ୍ତି କି? ଏହି ରୋଗରେ ମୃତ୍ୟୁର ହାର ଖୁବ୍ ଅଧିକ

ଭୁବନେଶ୍ୱର: କେବେ ମେଲିଓଡୋସିସ୍‌ର ନାମ ଶୁଣିଛନ୍ତି କି? ଏହା ଏଭଳି ଏକ ମାରାତ୍ମକ ରୋଗ ଯାହାକି ଏକ ସାପ୍ରୋଫାଇଟ୍ (ବ୍ୟାକ୍ଟେରିଆ) ଦ୍ୱାରା ସୃଷ୍ଟି ହୋଇଥାଏ ଏବଂ ଏହି ରୋଗରେ ମୃତ୍ୟୁର ହାର ଖୁବ୍ ଅଧିକ।

ଏହି ବ୍ୟାକ୍ଟେରିଆ କୌଣସି ଉଦ୍ଭିଦ ବା ଫଙ୍ଗସ୍ ଦ୍ୱାରା ହୋଇଥାଏ ଯାହା ମୃତ ବା ପଡିଯାଇଥିବା ପଦାର୍ଥ ଉପରେ ନିର୍ଭର କରି ବଂଚେ। ଏହାକୁ ବୁର୍ଖୋଲଡେରିଆପସିଉଡୋମାଲି ନାମକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି।

ବିଶ୍ୱରେ ଏଥି ନିମନ୍ତେ ମୃତ୍ୟୁ ହାର ଅଧିକ ଥିବା ବେଳେ ଏ ତଥ୍ୟ ବିଶେଷ ଭାବେ ସାମ୍ନାକୁ ଆସି ନାହିଁ କିମ୍ବା ସ୍ୱାସ୍ଥ୍ୟ ସେବା ସଂଘଗୁଡ଼ିକ ପକ୍ଷରୁ ଏ ନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଇନାହିଁ ବୋଲି କହିଛନ୍ତି ଲଣ୍ଡନ୍ ସ୍କୁଲ୍ ଅଫ୍ ହାଇଜିନ୍‌ର ପ୍ରଫେସର (ଡାକ୍ତର) ଡାଭିଡ ଡାନ୍ସ।

ଗତ ସପ୍ତାହରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ଚୁଆଲୀ ଆୟୋଜିତ ଏକ ସିଏମ୍‌ଇରେ ପ୍ରଫେସର ଡାନ୍ସ ଏହା କହିଛନ୍ତି।

ଏହି ରୋଗର ଲକ୍ଷଣ ଟିବି, ଟାଇଫଏଡ୍‌, ମ୍ୟାଲେରିଆ, ସ୍କ୍ରବ୍ ଟିପସ୍‌, ଲେପ୍ଟୋସ୍ପିରୋସିସ୍ ଏବଂ ଡେଙ୍ଗି ଭଳି ହୋଇଥିବାରୁ ଏହାକୁ ‘ଗ୍ରେଟ୍ ମିମିକର୍‌’ ବୋଲି କୁହାଯାଇଥାଏ।

ଏହି ସିଏମ୍‌ଇରେ ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍ (ମାହେ)ର ପ୍ରଫେସର (ଡକ୍ଟର) ଚିରଞ୍ଜୟ ମୁଖୋପାଧ୍ୟାୟ ମଧ୍ୟ ଯୋଗ ଦେଇଥିଲେ। ଯୋଗ ଦେଇଥିବା ବିଶେଷଜ୍ଞମାନେ ଭାରତ ସମେତ ସାରା ବିଶ୍ୱରେ ଏହି ମାରାତ୍ମକ ରୋଗର ପରିସ୍ଥିତି, ଉପଲବ୍ଧ ପରୀକ୍ଷଣ ବ୍ୟବସ୍ଥା ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସିଏମ୍‌ଇକୁ ଆଇଏମ୍‌ଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଉଦ୍‌ଘାଟନ କରିବା ସହ ରୋଗକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଏବଂ ଏ ଦିଗରେ ଅଧିକ ଗବେଷଣା କରିବାକୁ ସିଏମ୍‌ଇରେ ସାମିଲ ହୋଇଥିବା ବିଶେଷଜ୍ଞମାନଙ୍କୁ ଅନୁରୋଧ କରିଥିଲେ। ଦେଶର ବିଭିନ୍ନ ମେଡିକାଲ୍ କଲେଜରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଏହି ସିଏମ୍‌ଇରେ ସାମିଲ୍ ହୋଇଥିଲେ। ଏହି ସିଏମ୍‌ଇକୁ ଡାକ୍ତର ପ୍ରଜ୍ଞା ପାରମିତା ଜେନା ପରିଚାଳନା କରିଥିବା ବେଳେ ମାଇକ୍ରୋ ବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) କୁନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ପ୍ରଥମ: ସମ୍ ହସ୍ପିଟାଲ୍‌ରେ ହେଲା ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି। ରୋବୋଟିକ୍ ପ୍ରକ୍ରିୟାରେ ଏଭଳି ଅସ୍ତ୍ରୋପଚାର ଖୁବ୍ ଉନ୍ନତମାନର ହୋଇଥିବା ବେଳେ ଅଧିକ ସଫଳତା ଦେଉଛି ଏବଂ ଭବିଷ୍ୟତରେ ଏହା ଆଣ୍ଠୁ ପ୍ରତ୍ୟାରୋପଣର ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଭାରତର ପ୍ରତିଷ୍ଠିତ ଆଣ୍ଠୁ ପ୍ରତ୍ୟାରୋପଣ ବିଶେଷଜ୍ଞ ଡାକ୍ତର ଶେଖର ଶ୍ରୀବାସ୍ତବଙ୍କ ତତ୍ୱାବଧାନରେ ସମ୍‌ରେ ଏହି ଅସ୍ତ୍ରୋପଚାର କରାଯାଇଛି।

ନୂଆଦିଲ୍ଲୀ ସ୍ଥିତ ସନ୍ଥ ପରମାନନ୍ଦ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି ଯେ କୌଣସି ଅସ୍ତ୍ରୋପଚାରରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରକ୍ରିୟା ସଠିକ୍ ହେବା ଦରକାର ଏବଂ ରୋଗୀ ପାଇଁ ଆରାମଦାୟକ ହେବା ଆବଶ୍ୟକ।

ଆଣ୍ଠୁ ପ୍ରତ୍ୟାରୋପଣ ସର୍ଜରୀରେ ସଠିକତା ଓ ଆଣ୍ଠୁ ଚାରିପଟେ ଥିବା ସୂକ୍ଷ୍ମ କୋଷିକାଗୁଡ଼ିକର ଭାରସାମ୍ୟ ରଖିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରୋବୋଟିକ୍ ସର୍ଜରୀରେ ଏହା ସମ୍ଭବ ହୋଇପାରୁଛି ବୋଲି ସମ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଶ୍ରୀବାସ୍ତବ କହିଛନ୍ତି।

ପାରମ୍ପରିକ ପ୍ରକ୍ରିୟାରେ ହେଉଥିବା ଅସ୍ତ୍ରୋପଚାର ସଫଳ ହୋଇଥାଏ କିନ୍ତୁ ସବୁ ରୋଗୀ ଏଥିରେ ଖୁସି ହୋଇନଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ରୋବୋଟିକ୍ ଅସ୍ତ୍ରୋପଚାର ମାଧ୍ୟମରେ ବିଶେଷଜ୍ଞମାନେ ସଠିକ୍‌, ଭାରସାମ୍ୟ ରକ୍ଷା କରି ଉତ୍କୃଷ୍ଟ ଧରଣର ଅସ୍ତ୍ରୋପଚାର କରିବାରେ ସଫଳ ହୋଇପାରୁଛନ୍ତି। ଏହି ପ୍ରକ୍ରିୟାରେ ସୂକ୍ଷ୍ମ କୋଷିକା ନଷ୍ଟ ହେବାର ସମ୍ଭାବନା ଖୁବ୍ କମ୍ ଏବଂ ଅସ୍ତ୍ରୋପଚାର ପରେ ରୋଗୀଟି ଖୁବ୍ ଶୀଘ୍ର ନିଜର ଦୈନନ୍ଦିନ ଜୀବନକୁ ଫେରିଯାଇପାରେ। ଏହା ଦ୍ୱାରା ପ୍ରକ୍ରିୟାଟି ଠିକ୍ ଭାବରେ ହୋଇଥାଏ, ରୋଗୀକୁ କମ୍ କଷ୍ଟ ହୋଇଥାଏ ଏବଂ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ। ପୂର୍ବ ତୁଳନାରେ ବର୍ତମାନ ଯୁବବର୍ଗଙ୍କର ଅଧିକ ମାତ୍ରାରେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ ହେଉଛି ବୋଲି ଡାକ୍ତର ଶ୍ରୀବାସ୍ତବ କହିଛନ୍ତି।

ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ ପାରମ୍ପରିକ ଅସ୍ତ୍ରୋପଚାର ଠାରୁ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ ନିମନ୍ତେ ଖର୍ଚ୍ଚ ମାତ୍ର ୧୦ ରୁ ୧୫ ପ୍ରତିଶତ ଅଧିକ ହୋଇଥାଏ।
ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ହେଉଥିବା ଅସ୍ତ୍ରୋପଚାରରେ ମନୁଷ୍ୟକୃତ ଭୁଲର ମାତ୍ରା କମିଯିବ।

ସମ୍ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାସ କହିଛନ୍ତି ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଇଥିବା ରୋଗୀଟି ୩ ରୁ ୪ ବର୍ଷ ହେବ କଷ୍ଟ ଅନୁଭବ କରୁଥିଲେ। ଅଧିକାଂଶ ଲୋକ କଷ୍ଟ ପାଉଥିବା ସତ୍ୱେ ଅସ୍ତ୍ରୋପଚାର ଅପେକ୍ଷା ଔଷଧ ଉପରେ ଅଧିକ ନିର୍ଭର କରିଥାନ୍ତି। ତେବେ ଯେତେବେଳେ ଔଷଧ କାମ କରେ ନାହିଁ ଏଭଳି କ୍ଷେତ୍ରରେ ଚିକିତ୍ସା କଷ୍ଟକର ହୋଇ ପଡିଥାଏ।

ଆଣ୍ଠୁ ସମସ୍ୟା ଏବଂ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ଏହି ପ୍ରକ୍ରିୟା ଏବଂ ଏହାର ସୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ଦାସ କହିଥିଲେ।

ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ପ୍ରଫେସର (ଡାକ୍ତର) ସତ୍ୟ ନାୟକ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଏକ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଭୁବନେଶ୍ୱରରେ ଶୁକ୍ରବାର ଠାରୁ ୩ ଦିନିଆ ଆଇଏପି ଇନ୍‌ଟେନ୍‌ସିଭ୍ କେୟାର ଚାପ୍ଟର (ପେଡିକ୍ରିଟିକନ୍ ୨୦୨୨) ର ୨୪ତମ ଜାତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ “ପଏଂଟ ଅଫ୍ କେୟାର ଅଲ୍‌ଟ୍ରାସାଉଣ୍ଡ” ଓ “ଏବିଜି ଫ୍ଲୁଇଡ୍ ଇଲେକ୍ଟ୍ରୋଲାଇଟ୍‌” ଶୀର୍ଷକ ଦୁଇଟି ସମ୍ମିଳନୀ ପୂବ କର୍ମଶାଳା ଆୟୋଜିତ ହୋଇଥିଲା।

ଏହି କର୍ମଶାଳାରେ ଦେଶ ବିଦେଶରୁ ପ୍ରାୟ ୮୦ ଜଣ ପ୍ରତିନିଧି ଭାଗ ନେଇଥିଲେ। “ଅଲ୍‌ଟ୍ରାସାଉଣ୍ଡର ” ଶୀର୍ଷକ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଧୀରେନ୍ ଗୁପ୍ତା, ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଂଟରର ପ୍ରତିଷ୍ଠିତ କ୍ରିଟିକାଲ୍ କେୟାର ସ୍ପେଶାଲିଷ୍ଟ ଡାକ୍ତର ଶେଖ୍ ଅହମ୍ମଦ ମିନାଜ୍ ଓ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କର୍ମଶାଳାରେ ମାଲେସିଆର ଡାକ୍ତର ଗ୍ୟାନ୍ ଚିଙ୍ଗ ସେନ୍‌, ଇଣ୍ଡୋନେସିଆର ଡାକ୍ତର ରିରି ପାକ୍‌ରିନା ମାଲିସି, ଥାଇଲାଣ୍ଡର ଡାକ୍ତର ରୁଜିପାଟ ଏବଂ ୟୁଏଇର ଡାକ୍ତର ବିଜୟ ୱିଲିୟମ୍‌୍‌ସ ପ୍ରମୁଖ ଉପସ୍ଥିତ ଥିଲେ।

କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର ମୃତ୍ୟୁଞ୍ଜୟ ଦାଶ, ପ୍ରଫେସର ଦେବସ୍ମିତା ରଥ ଓ ଡାକ୍ତର ଜେ. ବିକ୍ରାନ୍ତ ପୃଷ୍ଟି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରଚିତା ଷଢ଼ଙ୍ଗୀ, ପ୍ରଫେସର ଅରକ୍ଷିତ ସ୍ୱାଇଁ, ପ୍ରଫେସର ଯଶଶ୍ରୀ ଚୌଧୁରୀ, ଡାକ୍ତର ବ୍ରଜ କିଶୋର ବେହେରା, ଡାକ୍ତର ସାଗର, ଡାକ୍ତର ନିତିଶ, ଡାକ୍ତର ମୃଣ୍ମୟ ଏବଂ ଡାକ୍ତର ସୁଚିସ୍ମିତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ ରେ ନୂତନ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ୍ ସେରିମନି

ଭୁବନେଶ୍ୱର: ଚଳିତ ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନୂତନ ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନେ ହିପୋକ୍ରାଟିକ୍ ଶପଥ ନେବା ସହ ସେମାନଙ୍କ ନିମନ୍ତେ ହ୍ୱାଇଟ୍ କୋଟ୍ ସେରିମନି ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ହିପୋକ୍ରାଟିକ୍ ଓଥ୍ ନେବା ସହ ସେବା ଓ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶାଶ୍ୱତୀ ଦାସ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ ଡାକ୍ତର ଓ ଭଲ ମଣିଷ ହେବା ନିମନ୍ତେ ଆହ୍ବାନ ଜଣାଇଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

ସୋଆର କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇ ସେମାନଙ୍କ ଜୀବନରେ ନୈତିକତାକୁ ପାଥେୟ କରି ଭଲ ଡାକ୍ତର ଓ ଭଲ ନାଗରିକ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ଡାକ୍ତରୀ ବୃତିରେ ଡାକ୍ତରମାନଙ୍କର ଆଚାର ଓ ବ୍ୟବହାର ବହୁ ଗୁରୁତ୍ୱପୂର୍ଣ୍ଣ।

ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ରକ୍ତଦାନ ଶିବିର: ୧୦୦ ୟୁନିଟ୍ ର ବ୍ଲଡ୍ ସଂଗ୍ରହ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ସୋଆ କ୍ୟାମ୍ପସ୍‌- ୨ରେ ଅନୁଷ୍ଠିତ ହୋଇଯାଇଛି।

ଓଡିଶା ବ୍ଲଡ୍ ବ୍ୟାଙ୍କ ଏବଂ ସମ୍ ହସ୍ପିଟାଲ୍ ର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା।

ଏହି ରକ୍ତଦାନ ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ପ୍ରଫେସର ବସନ୍ତ କୁମାର ପତି ଏବଂ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉଦ୍‌ଘାଟନ କରିଥିଲେ।

ଏଚ୍‌ଡିଏଫ୍ ସି ବ୍ୟାଙ୍କ ପକ୍ଷରୁ ପ୍ରବନ୍ଧକ ଆର୍‌. ନିଗମ ମିଶ୍ର, ଚିନ୍ମୟ ପ୍ରଧାନ, ପ୍ରିୟବ୍ରତ ସ୍ୱାଇଁ, ଉପ- ପ୍ରବନ୍ଧକ ସଂଘମିତ୍ରା ମହାରଣା, କାର୍ଯ୍ୟକାରୀ କମିଟିର ସହ ସଭାପତି ଅକ୍ଷୟ ମିଶ୍ର ଓ ସମ୍ବିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୋଆର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଠାରୁ ପ୍ରାୟ ୧୦୦ ୟୁନିଟ୍ ର ବ୍ଲଡ୍ ସଂଗ୍ରହ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ଫାର୍ମାସିଷ୍ଟଙ୍କ ଭୂମିକା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରବିବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି।

ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଟିଳ ଭୂମିକା ତୁଲାଇଥାନ୍ତି ଏବଂ ସାରା ବିଶ୍ୱରେ କୋଭିଡ ମହାମାରୀର କରାଳଛାୟା ରହିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତି ଶାଶ୍ୱତୀ ଦାସ।

ଏକ ସୁସ୍ଥ ବିଶ୍ୱ ଗଢ଼ିବା ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ବୋଲି କହିବା ସହ ମହାମାରୀ ଯୁଦ୍ଧ ବିରୁଦ୍ଧରେ ସେମାନଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ଶ୍ରୀମତି ଦାସ ପ୍ରଶଂସା କରିଥିଲେ।

ସେପ୍ଟେମ୍ବର ୨୫ ରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍‌ର ପ୍ରତିଷ୍ଠା ହୋଇଥିବାରୁ ଏହାକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଏ। ୨୦୧୯ରେ ତୁର୍କୀର ଇସ୍ତାନବୁଲ ସହରରେ ୱାର୍ଲ୍ଡ କଂଗ୍ରେସ୍ ଅଫ୍ ଫାର୍ମାସୀ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ନିଷ୍ପତି ଅନୁଯାୟୀ ଏହି ଦିବସ ପାଳନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଫାର୍ମାସିଷ୍ଟମାନଙ୍କୁ ଏକ ସ୍ତମ୍ଭ ବୋଲି ଦର୍ଶାଇଥିଲେ।

ସେହିପରି ବେଦକୁ ସର୍ବପୁରାତନ ବିଜ୍ଞାନ ବୋଲି ଦର୍ଶାଇ ସେ କହିଥିଲେ ଯେ ଆର‌୍ୟୁବେଦ ହେଉଛି ଅଥର୍ବ ବେଦର ଏକ ଅଂଗ ଏବଂ ଏହା ଖ୍ରୀଷ୍ଟପୂର୍ବ ୨୮୦୦ରେ ରଚନା କରାଯାଇଥିଲା। ତେବେ ବର୍ତମାନ ବିଶ୍ୱରେ ନୂଆ ନୂଆ ରୋଗର ପ୍ରତିଷେଧକ ନିମନ୍ତେ ନୂତନ ଔଷଧ ଆବିଷ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ବିଶ୍ୱର ତିନି ଚତୁର୍ଥାଂଶ ଯକ୍ଷ୍ମା ରୋଗୀ କେବଳ ଭାରତରେ ଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ଡ୍ରଗ୍ ରେଜିଷ୍ଟାଂଟ ଯକ୍ଷ୍ମା ରୋଗରେ ପୀଡ଼ିତ। ତେଣୁ ଏମାନଙ୍କ ପାଇଁ ନୂତନ ଔଷଧ ଆବିଷ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ଡିନ୍ ପ୍ରଫେସର ସୁଦାମ ଚରଣ ସି ନିଜ ବକ୍ତବ୍ୟରେ ଚଳିତବର୍ଷ ୱାର୍ଲ୍ଡ ଫାର୍ମାସିଷ୍ଟ ଡେ’ର ପ୍ରସଙ୍ଗ “ ୟୁନାଇଟେଡ୍ ଇନ୍ ଆକ୍ସନ୍ ଫର୍ ଏ ହେଲ୍‌ଦିୟର ୱାର୍ଲ୍ଡ” ସମ୍ପର୍କରେ ତଥ୍ୟ ରଖିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଫାର୍ମାସୀକୁ ଏକ ୨୪ ଘଂଟିଆ ଜରୁରୀକାଳୀନ ସେବା ବୋଲି ଦର୍ଶାଇ ଜଟିଳ ଚିକିତ୍ସା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ପ୍ରଶଂସା କରିଥିଲେ।

ହସ୍ପିଟାଲ୍‌ର ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଯସ୍ମୀନ୍ ପଣ୍ଡା ଫାର୍ମାସିଷ୍ଟମାନଙ୍କୁ ଫାର୍ମାସୀ ଶପଥ ପାଠ କରାଇଥବା ବେଲେ ୮ ଜଣ ଫାର୍ମାସିଷ୍ଟମାନଙ୍କୁ ୨୦୨୧-୨୨ ପାଇଁ ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମଟି ସୋଆ ଫାର୍ମାସୀ ଏବଂ ସମ୍ ଫାର୍ମାସୀ ଦ୍ୱାରା ଆୟୋଜିତ ହୋଇଥିଲା।

ପୂର୍ବରୁ ରଂଗୋଲୀ, ମେହେନ୍ଦୀ, ପ୍ରବନ୍ଧ ପ୍ରତିଯୋଗିତା ସମେତ କ୍ରିକେଟ ମ୍ୟାଚ୍‌ର ଆୟୋଜନ କରାଯାଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ସୁସ୍ଥ ହେଲା ଗୁରୁତର ଭାବେ ପୋଡି ହୋଇଯାଇଥିବା ଶିଶୁ

ଭୁବନେଶ୍ୱର: ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି। ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ ଫେରିଛି।

ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ନାମକ ଏହି ଶିଶୁ କନ୍ୟାଟିର ଏକ ଦୁର୍ଘଟଣାରେ ମୁହଁ, ବେକ ଓ ଶରୀରର ଉପର ଭାଗର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ବେଳେ ତାଙ୍କ ମା’ଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଯାଇଥିଲା। ତେବେ ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ସମସ୍ତ ଚିକିତ୍ସା ଓ ଉଦ୍ୟମ ସତ୍ୱେ ଶିଶୁଟିର ମା’ ବଂଚିପାରି ନଥିଲେ।

ତେବେ ଶିଶୁଟିକୁ ଆଇସିୟୁରେ ରଖାଯାଇ ସମସ୍ତ ପ୍ରକାର ଉନ୍ନତ ଧରଣର ଚିକିତ୍ସା ଆରମ୍ଭ କରାଯାଇଥିଲା। ସବୁଦିନ ଡ୍ରେସିଂ ସହିତ ଆବଶ୍ୟକୀୟ ମାତ୍ରାର ଆଂଟିବାୟୋଟିକ ଏବଂ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଉଥିଲା। ତା’ର ଶରୀରରେ ଦୁଇଟି ଅସ୍ତ୍ରୋପଚାର କରାଯିବା ସହ ଶିଶୁଟିର ବାପାଙ୍କ ଶରୀରରୁ ଚର୍ମ ଅଣାଯାଇ ଶିଶୁଟିର କ୍ଷତ ସ୍ଥାନରେ ପ୍ରତ୍ୟାରୋପଣ କରାଯାଇଥିଲା।

ପ୍ରାୟ ୪୦ ଦିନର ଚିକିତ୍ସା ପରେ ଶିଶୁଟି ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛି। ସେ ଏବେ ସୁସ୍ଥ ଅଛି ଏବଂ ଆଗାମୀ ଦିନରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।

ଶିଶୁଟି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରାଜେଶ ଗନ୍ତାୟତଙ୍କ ଅଧୀନରେ ଚିକିତ୍ସିତ ହୋଇଥିବା ବେଳେ ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ ମିଶ୍ର, ଆସୋସିଏଟ୍ ପ୍ରଫେସର ବିନାୟକ ମିଶ୍ର ଏବଂ ଡାକ୍ତର ଏମ୍ ଲୋପାମୁଦ୍ରା ମିଳିତ ଭାବେ ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ

ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ ମେ’ ମାସ ଶେଷ ସପ୍ତାହରେ ରକ୍ତହୀନତା ଏବଂ ରକ୍ତସ୍ରାବ ସମସ୍ୟା ନେଇ ସମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଦୀର୍ଘ ଏକ ମାସ ଧରି ତାଙ୍କ ଶରୀରକୁ ରକ୍ତ ପ୍ରଦାନ ଏବଂ ପ୍ଲେଟ୍‌ଲେଟ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଥିଲା। ରକ୍ତ କୋଷିକା ସୃଷ୍ଟି କରୁଥିବା ବୋନ୍ ମ୍ୟାରୋର ବାୟୋପ୍ସି ଟେଷ୍ଟ କରାଯାଇ ରୋଗୀଙ୍କର ରୋଗ ନିରୂପଣ କରାଯାଇଥିଲା।

ଏହି ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା ଜଣକ ଗୁରୁତର ଆପ୍ଲାଷ୍ଟିକ ଏନିମିଆ, ଯାହାକି ଏକ ବିରଳ ରକ୍ତଜନିତ ସମସ୍ୟା ଏବଂ ଏଭଳି ରୋଗରେ ବୋନମ୍ୟାରୋ ନୂତନ ରକ୍ତ କୋଷିକା ସୃଷ୍ଟି କରିବାକୁ ଅକ୍ଷମ ହୋଇଥାଏ ବୋଲି ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଛନ୍ତି।

ଏଭଳି ରୋଗୀଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ୍ କମ୍ ଥିବା ବେଳେ ଟୋଟାଲ୍ ହ୍ୱାଇଟ୍ ବ୍ଲଡ କାଉଂଟ ଏବଂ ପ୍ଲେଟଲେଟ୍ କାଉଂଟ କମ୍‌ ହୋଇଥାଏ। ଏହି ରୋଗୀମାନେ ଖୁବ୍ ଦୁର୍ବଳ ଅନୁଭବ କରିବା ସହ ସେମାନଙ୍କ ଶରୀରରୁ ରକ୍ତସ୍ରାବ ହୋଇଥାଏ।

ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେବା ସହ ଏହା ବନ୍ଦ ହୋଇ ନଥାଏ ଏବଂ ଏଥି ନିମନ୍ତେ ଟ୍ରାନ୍ସଫ୍ୟୁଜନ୍‌ର ଆବଶ୍ୟକ ହୋଇଥାଏ।

ଏଭଳି ରୋଗୀମାନେ ବାରମ୍ବାର ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥାନ୍ତି ଓ ସେମାନଙ୍କୁ ଇନ୍‌ଟ୍ରା-ଭେନସ୍ ଆଂଟିବାୟୋଟିକ୍‌ ଦିଆଯାଇଥାଏ। ଅନେକ କ୍ଷେତ୍ରରେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ଡାକ୍ତର ସାମଲ କହିଛନ୍ତି।

ସେ କହିଛନ୍ତି ଯେ ଆପ୍ଲାଷ୍ଟିକ ଏନିମିଆର ଶିକାର ହୋଇଥିବା ଗୁରୁତର ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ ଏବଂ ମାତ୍ର କିଛି ମାସ ସେମାନେ ବଂଚିଥାନ୍ତି। ପାଶ୍ଚାତ୍ୟ ଦେଶ ଅପେକ୍ଷା ଏସିଆ ମହାଦେଶରେ ଏହି ରୋଗ ଅଧିକ ଦେଖାଯାଏ ଏବଂ କେବଳ ଷ୍ଟେମ୍‌ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ଦ୍ୱାରା ହିଁ ରୋଗୀ ସୁସ୍ଥ ହୋଇଥାଏ ବୋଲି ସେ କହିଛନ୍ତି।

ଜୁଲାଇ ୫ ତାରିଖ ଦିନ ମହିଳାଙ୍କ ଶରୀରରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଏହି ଷ୍ଟେମ୍ ସେଲକୁ ତାଙ୍କର ୨୮ ବର୍ଷିୟ ଭାଇ ଦାନ କରିଥିଲେ। ଯଦିଓ ସେମାନଙ୍କ ମଧ୍ୟରେ ବ୍ଲଡଗ୍ରୁପ୍‌ର ଗୁରୁତର ସମସ୍ୟା ଥିଲା ତଥାପି ଏହାକୁ ଯତ୍ନର ସହ ପ୍ରତ୍ୟାରୋପଣ
କରାଯାଇଥିଲା। ୪ରୁ ୬ ସପ୍ତାହ ମଧ୍ୟରେ ଡୋନରଙ୍କ ଶରୀରରୁ କଢ଼ାଯାଇଥିବା ଷ୍ଟେମ୍ ସେଲ୍ ପୁଣି ସୃଷ୍ଟି ହୋଇଥାଏ ଏବଂ କୌଣସି ସମସ୍ୟା ଉପୁଜି ନଥାଏ।

ଏହି ଷ୍ଟେମ୍ ସେଲ୍‌ଗୁଡ଼ିକ ବୋନ୍‌ମ୍ୟାରୋରୁ ରକ୍ତ କୋଷିକା ସୃଷ୍ଟି କରି ରକ୍ତ ପ୍ରବାହ ମଧ୍ୟରେ ସମ୍ମିଳିତ ହେବା ନିମନ୍ତେ ୪ ରୁ ୫ ଦିନ ସମୟ ଲାଗିଥାଏ। ଏହା ପରେ ରୋଗୀଙ୍କୁ ହାଇଡୋଜ୍ କେମୋଥେରାପି ଦିଆଯିବା ପରେ ଶରୀରରେ ସାଧାରଣ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ପ୍ରକ୍ରିୟା ଭଳି ଡୋନରଙ୍କ ଷ୍ଟେମ୍ ସେଲ୍ ଶରୀରକୁ ଛଡା ଯାଇଥିଲା।

ଏହି ମହିଳା ଜଣକ ଯେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ସେତେବେଳେ ସେ ମାତ୍ର କିଛି ମାସ ବଂଚିବେ ବୋଲି ଆଶଙ୍କା କରାଯାଉଥିଲା କିନ୍ତୁ ସେ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁଲାଇ ୨୩ ତାରିଖ ଦିନ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଏବଂ ତାଙ୍କ ଶରୀରରେ ରକ୍ତଜନିତ ସମସ୍ୟା ଦୂର ହୋଇଛି ବୋଲି ଡାକ୍ତର ସାମଲ କହିଛନ୍ତି।

ବର୍ତ୍ତମାନ ରୋଗୀଜଣକ ଏହି ଚିକିତ୍ସା ପରେ ଏକ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ଜଟିଳ ପ୍ରକ୍ରିୟାକୁ ପରିଚାଳନା କରିବା ନିମନ୍ତେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ଡାକ୍ତର ସାମଲ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ରାଜେଶ ଲେଙ୍କା, ଟ୍ରାନ୍‌ସଫ୍ୟୁଜନ୍‌
ମେଡିସିନ୍ ବିଭାଗ, ଲାବୋରାଟୋରୀ ଏବଂ ରେଡିଓଲୋଜି ଟିମ୍ ଏବଂ ନର୍ସିଂ ଷ୍ଟାଫ୍‌ଙ୍କୁ ଆନ୍ତରିକ କୃତଞ୍ଜତା ଓ ଧନ୍ୟବାଦ ଜଣାଇଛନ୍ତି।