Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ମଞ୍ଜୁର କଲା କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୩ ଋତୁ ପାଇଁ ଶୁଖିଲା ନଡ଼ିଆ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। ଏହି ମଞ୍ଜୁରି କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗର ସୁପାରିଶ ଏବଂ ପ୍ରମୁଖ ନଡ଼ିଆ ଉତ୍ପାଦନକାରୀ ରାଜ୍ୟଗୁଡ଼ିକର ମତାମତ ଉପରେ ଆଧାରିତ।

୨୦୨୩ ଋତୁ ପାଇଁ ମିଲିଂ ଶୁଖିଲା ନଡ଼ିଆର ଫେୟାର ଆଭରେଜ୍ କ୍ବାଲିଟି ପାଇଁ ଏମଏସପି କ୍ୱିଣ୍ଟାଲ ପିଛା ୧୦୮୬୦/- ଟଙ୍କା ଏବଂ ବଲ୍ ଶୁଖିଲା ନଡ଼ିଆର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୧୭୫୦/- ଟଙ୍କା ସ୍ଥିର କରାଯାଇଛି।  ପୂର୍ବ ଋତୁ ତୁଳନାରେ ମିଲିଂ ଶୁଖିଲା ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା ୨୭୦/- ଟଙ୍କା ଏବଂ ବଲ୍ ଶୁଖିଲା ନଡ଼ିଆ ପାଇଁ କ୍ୱିଣ୍ଟାଲ ପିଛା ୭୫୦/- ଟଙ୍କାର ବୃଦ୍ଧି କରାଯାଇଛି। ଏହା ସମଗ୍ର ଭାରତର ହାରାହାରି ଉତ୍ପାଦନ ମୂଲ୍ୟ ଉପରେ ମିଲିଂ ଶୁଖିଲା ନଡ଼ିଆ ପାଇଁ ୫୧.୮୨ ପ୍ରତିଶତ ଏବଂ ବଲ୍ ନଡ଼ିଆ ପାଇଁ ୬୪.୨୬ ପ୍ରତିଶତ ମାର୍ଜିନ୍ ସୁନିଶ୍ଚିତ କରିବ। ୨୦୨୩ ଋତୁ ପାଇଁ ଶୁଖିଲା ନଡ଼ିଆର ଘୋଷିତ ଏମଏସପି ୨୦୧୮-୧୯ ବଜେଟରେ ସରକାରଙ୍କ ଘୋଷଣା ଅନୁଯାୟୀ ସମଗ୍ର ଭାରତର ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ଏମଏସପି ସ୍ଥିର କରିବାର ନୀତି ସହିତ ସମନ୍ବୟ କରାଯାଇଛି।

ଶୁଖିଲା ନଡ଼ିଆ ଉତ୍ପାଦକମାନଙ୍କୁ ଉନ୍ନତ ରିଟର୍ଣ୍ଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ କଲ୍ୟାଣରେ ବିକାଶ ସୁନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ।

ପ୍ରାଇସ୍ ସପୋର୍ଟ ସ୍କିମ୍ (ପିଏସଏସ୍ ) ଅଧୀନରେ ଶୁଖିଲା ନଡ଼ିଆ ଏବଂ ଡି-ହସ୍କଡ୍‌ ନଡ଼ିଆ କ୍ରୟ ପାଇଁ ନ୍ୟାସନାଲ୍‌ ଏଗ୍ରିକଲ୍‌ଚରାଲ୍‌ କୋପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏନଏଫଇଡି) ଏବଂ ନ୍ୟାସନାଲ୍‌ କୋପରେଟିଭ୍ କଞ୍ଜୁମର୍ସ ଫେଡେରେସନ୍ (ଏନସିସିଏଫ୍ ) ସେଣ୍ଟ୍ରାଲ୍‌ ନୋଡାଲ୍ ଏଜେନ୍ସି (ସିଏନଏ) ଭାବେ କାର୍ଯ୍ୟ କରିବେ।

Categories
ବିଶେଷ ଖବର ବ୍ୟବସାୟ

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ୬ ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ମଞ୍ଜୁରି ମିଳିଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସରକାର ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି। ମସୁରର କୁଇଣ୍ଟାଲ ପ୍ରତି ଏମଏସପି ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ରେପସିଡ ଏବଂ ସୋରିଷର କୁଇଣ୍ଟାଲ ପ୍ରତି ଏମଏସପି ୪୦୦ ଟଙ୍କା ବଢ଼ିଛି। କୁସୁମର କୁଇଣ୍ଟାଲ ପ୍ରତି ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ଗହମ, ଚଣା ଏବଂ ଯଅର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୧୦, ୧୦୫ ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢ଼ଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି। ଚାଷୀମାନଙ୍କୁ ଉଚିତ୍‌ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ। ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ।

୨୦୧୪-୧୫ ବର୍ଷ ଠାରୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଆସୁଛି। ଏହାର ସୁଫଳ ଦେଶରେ ଦେଖିବାକୁ ମିଳିଛି। ୨୦୧୪-୧୫ରେ ତୈଳ ବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ୍‌ ଥିବା ବେଳେ ଏହା ୨୦୨୧-୨୨ରେ ୩୭.୭୦ ନିୟୁତ ଟନ (ଚତୁର୍ଥ ଅଗ୍ରୀମ ଆକଳନ)କୁ ବୃଦ୍ଧି ପାଇଛି। ଡାଲିଜାତୀୟ ଫସଲ ଉତ୍ପାଦନ ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ବିହନ ମିନିକିଟ୍ସ କାର୍ଯ୍ୟକ୍ରମ ଚାଷୀଙ୍କ କ୍ଷେତରେ ନୂଆ କିସମର ବିହନ ବୁଣିବା କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହୋଇଛି।

ଡାଲି ଜାତୀୟ ଫସଲ ଓ ତୈଳବୀଜ ଉତ୍ପାଦନ ୨୦୧୪-୧୫ ଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୪-୧୪ରେ ହେକ୍ଟର ପ୍ରତି ୭୨୮ କିଲୋଗ୍ରାମ ଡାଲି ଉତ୍ପାଦନ ହେଉଥିଲା। ଏହା ତୁଳନାରେ ୨୦୨୧-୨୨ ଚତୁର୍ଥ ଆକଳନ ଅନୁଯାୟୀ ହେକ୍ଟର ପିଛା ୮୯୨ କିଲୋଗ୍ରାମ ଡାଲି ଉତ୍ପାଦିତ ହେଉଛି। ସେହିପରି ତୈଳବୀଜ ଫସଲ ଉତ୍ପାଦନ ୨୦୧୪-୧୫ରେ ହେକ୍ଟର ପିଛା ୧୦୭୫ କିଲୋଗ୍ରାମ ଥିବା ବେଳେ ଏହା ୨୦୨୧-୨୨ ଚତୁର୍ଥ ଅଗ୍ରୀମ ଆକଳନ ଅନୁଯାୟୀ ହେକ୍ଟର ପିଛା ୧୨୯୨ କିଲୋଗ୍ରାମକୁ ବୃଦ୍ଧି ପାଇଛି।

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି। କୃଷି କ୍ଷେତ୍ର ସମ୍ପ୍ରସାରଣ, ଉଚ୍ଚ ଅମଳ କିସମ, ଏମଏସପି ସହାୟତା ଏବଂ କ୍ରୟ ଆଦି ଜରିଆରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି।

ଦେଶର କୃଷି କ୍ଷେତ୍ରରେ ପ୍ରଯୁକ୍ତି ଏବଂ ନବୋନ୍ମେଷର ଉପଯୋଗ ଜରିଆରେ ସରକାର ସ୍ମାର୍ଟ କୃତି ପଦ୍ଧତି ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାର ଏକ ଡିଜିଟାଲ କୃଷି ମିଶନ (ଡିଏଏମ) କାର୍ଯ୍ୟକାରୀ କରୁଛନ୍ତି, ଏଥିରେ ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଅଫ ଏଗ୍ରିକଲଚର (ଆଇଡିଇଏ), ଚାଷୀ ଡାଟାବେସ, ଏକୀକୃତ ଚାଷୀ ସେବା ଇଣ୍ଟରଫେସ (ୟୁଏଫଏସଆଇ) ନୂଆ ପ୍ରଯୁକ୍ତି ଉପରେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ (ଏନଇଜିପିଏ), ମାହାଲନବିସ ଜାତୀୟ ଫସଲ ଆକଳନ କେନ୍ଦ୍ର (ଏମଏସସିଏଫସି)ର ପୁନରୁଦ୍ଧାର, ମୃତ୍ତିକା ସ୍ବାସ୍ଥ୍ୟ, ଉର୍ବରତା ଏବଂ ପ୍ରୋଫାଇଲ ମ୍ୟାପିଂ ଆଦି ସାମିଲ ରହିଛି। ଏନଇଜିପିଏ କାର୍ଯ୍ୟକ୍ରମ ଅଧୀନରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନ ଲର୍ଣ୍ଣିଂ (ଏଆଇ/ଏମଏଲ), ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌ (ଆଇଓଟି), ବ୍ଲକ୍‌ ଚେନ୍‌ ଆଦି ଭଳି ପ୍ରଗତିଶୀଳ ପ୍ରଯୁକ୍ତି ଉପଯୋଗ କରାଯାଇ ଡିଜିଟାଲ କୃଷି ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି। ଡ୍ରୋନ ପ୍ରଯୁକ୍ତିକୁ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯାଉଛି। ସ୍ମାର୍ଟ କୃଷି ପ୍ରୋତ୍ସାହନ ଦେବା ଲାଗି, ସରକାର କୃଷି କ୍ଷେତ୍ରରେ ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବା ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି।

Categories
ବିଶେଷ ଖବର

ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଗତକାଲି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ୨୦୨୧-୨୨ ରୁ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ସାଧାରଣ ଧାନର ଦର ୨୦୨୨-୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହୋଇଛି। ଧାନର ଏଭଳି ନଗଣ୍ୟ ଦରବୃଦ୍ଧି ଓଡିଶା ଚାଷୀକୂଳ ପ୍ରତି ଉପହାସ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର।

ଧାନର ମୂଲବୃଦ୍ଧି ଉପରେ ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱାମୀନାଥନ୍ କମିଶନ ଧାନର ଏମ୍‍ଏସ୍‍ପିକୁ ଉତ୍ପାଦନ ମୂଲ୍ୟର ସି୨ ହାରରେ ୧.୫ ଗୁଣ ବୃଦ୍ଧି କରିବାକୁ ଯେଉଁ ସୁପାରିଶ କରିଥିଲେ ତାହା କେନ୍ଦ୍ର କରିନାହିଁ। ୨୫ ମାର୍ଚ୍ଚ, ୨୦୧୭ ରେ, ଓଡ଼ିଶା ବିଧାନସଭା ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ସାଧାରଣ ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ବିଜେପି, କଂଗ୍ରେସ ଏବଂ ବିଜେଡିର ସମସ୍ତ ବିଧାୟକ ଏହାକୁ ସର୍ବସମ୍ମତି କ୍ରମେ ସମର୍ଥନ କରିଛନ୍ତି। କିନ୍ତୁ ଏହି ସଂକଳ୍ପ ପାରିତ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ବିଜେଡି ସାଂସଦଙ୍କ ସଂସଦ ତଥା ଓଡ଼ିଶା ବିଧାନସଭାରେ ରଖାଯାଇଥିବା ଅନେକ ଦାବି ପରେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରି ନାହିଁ।

ଧାନର ଏମଏସ୍‍ପି କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପ୍ରସଙ୍ଗ ବ୍ୟତିତ କେନ୍ଦ୍ର ମଧ୍ୟ ଓଡିଶାରୁ ଅତିରିକ୍ତ ଉଷୁନା ଚାଉଳ ଉଠାଇବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଓଡିଶାରେ ଉତ୍ପାଦିତ ଅଧିକାଂଶ ଚାଉଳ ହେଉଛି ଉଷୁନା ଚାଉଳ ଏବଂ ଦେଶର ପିଡିଏସ୍‍ ଚାଉଳରେ ଅବଦାନ ପାଇଁ ଏହା ଏକ ଅଗ୍ରଣୀ ରାଜ୍ୟ ଅଟେ। ବଳକା ଉଷୁନା ଚାଉଳ ଉଠାଇବା ବନ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ପଶ୍ଚିମ ଓଡିଶାରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇବ।

୨୦୨୧-୨୨ ଖରିଫ ମାର୍କେଟିଂ ସିଜିନ (କେଏମଏସ୍‍)ରେ ୫୨ ଲକ୍ଷ ଟନ୍ ଚାଉଳ ସଂଗ୍ରହ ମଧ୍ୟରୁ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ରାଜ୍ୟର ବ୍ୟବହାର ପ୍ରାୟ ୩୯ ଲକ୍ଷ ଟନ୍ ହେବ। ରାଜ୍ୟରେ ୧୩ ଲକ୍ଷ ଟନ୍ ଚାଉଳ ବଳକା ହେବାର ସମ୍ଭାବନା ଅଛି ଯାହାକୁ ତୁରନ୍ତ ଉଠାଇବା ଉଚିତ୍‍। କିନ୍ତୁ କେନ୍ଦ୍ର ଏହି ପ୍ରସଙ୍ଗରେ ନିରବ ରହିଛି।

ଏଥିସହ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧିନରେ ଥିବା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଦ୍ୱାରା ଦିଆଯାଇଥିବା ଲକ୍ଷ୍ୟ ଅନୁଯାୟୀ ପାଞ୍ଚ ଲକ୍ଷ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳକୁ ଏଫସିଆଇରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ୨୦୨୧-୨୨ କେଏମଏସ୍‍ ସମୟରେ ଅଧିକ ପରିମାଣର ଭିଟାମିନଯୁକ୍ତ ଉଷୁନା ଚାଉଳ ବିତରଣ କରିବା ସ୍ଥିତିରେ ରାଜ୍ୟ ଅଛି ଏବଂ ଡିଏଫପିଡି କୁ ଭିଟାମିନଯୁକ୍ତ ଚାଉଳର ଅତିରିକ୍ତ ଲକ୍ଷ୍ୟ ଦେବାକୁ ଅନୁରୋଧ କରାଯାଇଛି। କିନ୍ତୁ ଅଧିକ ପରିମାଣର ଲକ୍ଷ୍ୟ ପାଇଁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟକୁ ସୂଚିତ କରାଯାଇନାହିଁ।

ଓଡିଶା ସରକାର ୧୦,୩୩୩ କୋଟି ଟଙ୍କା ଖାଦ୍ୟ ସବସିଡି ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ। ରାଜ୍ୟରେ ଧାନ ସଂଗ୍ରହ କରୁଥିବା ସଂସ୍ଥାକୁ ଆର୍ଥିକ ଚାପରୁ ମୁକୁଳାଇବା ପାଇଁ କେନ୍ଦ୍ର ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ଦାବି କରୁଥିବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ପାଇଁ ଧାନ ଖରିଦ ସକାଶେ ନିଯୁକ୍ତ ସଂସ୍ଥା ଓଡିଶା ରାଜ୍ୟ ଯୋଗାଣ ନିଗମର ୨୦୨୨ ଏପ୍ରିଲ୍‍ ଶେଷ ସୁଦ୍ଧା ୭୯୩୧.୯୦ କୋଟି ଟଙ୍କାର ଅସ୍ଥାୟୀ ସବସିଡି ଏବଂ ୨୪୦୨.୧୯ କୋଟି ଟଙ୍କାର ଅଗ୍ରୀମ ସବସିଡି ଏହିଭଳି ମୋଟ୍‍ ୧୦,୩୩୪ କୋଟି ଟଙ୍କା ହୋଇଗଲାଣି। ଆହୁରି ମଧ୍ୟ ଅତିରିକ୍ତ ସୁଧ ପ୍ରଦାନରେ ବିଳମ୍ବ ଏବଂ ସବସିଡିର ସ୍ୱଳ୍ପ ମଞ୍ଜୁର ହେତୁ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ପ୍ରାୟ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ବୋଝ ହୋଇଛି ଯାହା ଭରଣା କରାଯାଇ ପାରୁନାହିଁ। କେନ୍ଦ୍ର ସୁଧ ବାବଦ ଦେୟ ପ୍ରଦାନ କରିବା ଉଚିତ୍‍, ଏହା ନହେଲେ ରାଜ୍ୟ ଅତିରିକ୍ତ ବୋଝ ବହନ କରିବ। କିନ୍ତୁ କେନ୍ଦ୍ର ଏ ବାବଦରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ବିଶେଷ ଖବର

କେନ୍ଦ୍ର କ୍ୟାବିନେଟ ମଞ୍ଜୁରି: ୨୦୨୨-୨୩ ବିପଣନ ଋତୁ ପାଇଁ ବଢ଼ିଲା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ବିପଣନ ଋତୁ ପାଇଁ ସମସ୍ତ ଅଧିସୂଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସରକାର ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ଏବଂ ଚାଷୀମାନଙ୍କୁ ସେମାନଙ୍କ ଫସଲ ପାଇଁ ଲାଭକାରୀ ମୂଲ୍ୟ ଯୋଗାଇ ଦେବା ନିମନ୍ତେ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି, ଯାହାର ତାଲିକା ନିମ୍ନରେ ଦିଆଗଲା।

୨୦୨୨-୨୩ ବିପଣନ ଋତୁ ପାଇଁ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପ୍ରତି ଟଙ୍କା)

ଫସଲ  ଏମଏସପି 2014-15  ଏମଏସପି 2021-22    ଏମଏସପି 2022-23 ଉତ୍ପାଦନ ଖର୍ଚ୍ଚ* 2022-23 ଏମଏସପିରେ ବୃଦ୍ଧି

(ସମ୍ପୂର୍ଣ୍ଣ)

ଉତ୍ପାଦନ ଖର୍ଚ୍ଚ ଉପରେ ଲାଭ

(ପ୍ରତିଶତରେ)

ଧାନ (ସାଧାରଣ) 1360 1940   2040 1360 100 50
ଧାନ (ଗ୍ରେଡ୍‌ ଏ)^ 1400 1960   2060 100
ଯଅ (ହାଇବ୍ରିଡ୍‌) 1530 2738   2970 1977 232 50
ଯଅ (ମାଲଦାଣ୍ଡି) ^ 1550 2758   2990 232
ବାଜରା 1250 2250   2350 1268 100 85
ମାଣ୍ଡିଆ 1550 3377   3578 2385 201 50
ମକା 1310 1870   1962 1308 92 50
ହରଡ଼ 4350 6300   6600 4131 300 60
ମୁଗ 4600 7275   7755 5167 480 50
ବିରି 4350 6300   6600 4155 300 59
ଚିନାବାଦାମ 4000 5550   5850 3873 300 51
ସୂର୍ଯ୍ୟମୁଖୀ ମଞ୍ଜି 3750 6015   6400 4113 385 56
ସୋୟାବିନ (ହଳଦିଆ) 2560 3950   4300 2805 350 53
ରାଶି 4600 7307   7830 5220 523 50
କଳାରାଶି 3600 6930   7287 4858 357 50
କପା (ମଧ୍ୟମ ଷ୍ଟେପଲ) 3750 5726   6080 4053 354 50
କପା (ସାଧାରଣ ଷ୍ଟେପଲ)^ 4050 6025   6380 355

* ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରି, ବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚ, ଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚ, ଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚ, ଡିଜେଲ/ବିଦ୍ୟୁତ, ବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି ।

^ ଧାନ (ଗ୍ରେଡ୍‌ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ରେଶା) ପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା। ଏହି ଘୋଷଣା ଅନୁରୂପ ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି। ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାଜରା, ହରଡ଼, ବିରି, ସୂର୍ଯ୍ୟମୁଖି ମଞ୍ଜି, ସୋୟାବିନ ଏବଂ ଚିନାବାଦାମର ଏମଏସପି ଉପରେ ଲାଭ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ୫୦ ପ୍ରତିଶତ ଅଧିକ ନିର୍ଦ୍ଧାରଣ କରାଯାଇଛି ଯାହାକି ଯଥାକ୍ରମେ : ୮୫%, ୬୦%, ୫୯%, ୫୬%, ୫୩% ଏବଂ ୫୧% ରଖାଯାଇଛି।

ବିଗତ କିଛି ବର୍ଷ ମଧ୍ୟରେ ଏମଏସପିକୁ ତୈଳବୀଜ, ଡାଲି ଏବଂ ମୋଟା ଶସ୍ୟ କ୍ଷେତ୍ରରେ ପୁନଃସଂଗଠିତ କରିବା ଲାଗି ଦୃଢ଼ ପ୍ରୟାସ କରାଯାଇଛି । ଏହି ଫସଲ ଅମଳ ପାଇଁ ଚାଷୀମାନଙ୍କୁ ବିସ୍ତୃତ କ୍ଷେତ୍ରକୁ ନେଇଯିବା ଏବଂ ଉତ୍କୃଷ୍ଟ ଜ୍ଞାନକୌଶଳ ଓ କୃଷି ପଦ୍ଧତି ଆପଣାଇବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ଚାହିଦା-ଯୋଗାଣ ମଧ୍ୟରେ ରହିଥିବା ଅସନ୍ତୁଳନକୁ ଦୂର କରିବା ଲାଗି ଉଦ୍ୟମ କରାଯାଇଛି ।

୨୦୨୧-୨୨ ଆର୍ଥିକ ବର୍ଷର ଅଗ୍ରୀମ ଆକଳନ ଅନୁସାରେ, ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୪.୫୧ ନିୟୁତ ଟନ୍‌ ହେବା ନେଇ ପୂର୍ବାନୁମାନ କରାଯାଇଛି ଯାହାକି ୨୦୨୦-୨୧ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୩.୭୭ ନିୟୁତ ଟନ୍‌ ଠାରୁ ଅଧିକ। ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ, ବିଗତ ୫ ବର୍ଷ (୨୦୧୬-୧୭ ଠାରୁ ୨୦୨୦-୨୧)ର ହାରାହାରୀ ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୩.୮୦ ନିୟୁତ ଟନ୍‌ ଅଧିକ।

Categories
ଜାତୀୟ ଖବର ବିଶେଷ ଖବର

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ଉଚ୍ଚ ହାରାହାରୀ ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି। ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ। ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି।

କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଦୁଗ୍ଧ ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୫୦ ଟଙ୍କା କରିବାକୁ ଦାବି: ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର: ଓମ୍‌ଫେଡ଼ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ଅଲଟ୍ରା ମଡ଼ର୍ଣ୍ଣ ମେଗା ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାର ଅରିଲୋ ଗ୍ରାମରେ ଉଦ୍‌ଘାଟିତ କରିଛନ୍ତି। ନିଜର ଉଦ୍‌ଘାଟନୀ ଭାଷଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁଗ୍ଧଚାଷୀମାନଙ୍କର କଲ୍ୟାଣ ପାଇଁ ଟିରୋଟ ସମୟରେ ଦୁଗ୍ଧଚାଷୀମାନେ ଯେଭଳି ଅଭାବୀ ବ୍ରିକ୍ରିର ଶିକାର ନହୁଅନ୍ତି, ଏହି ଦୁଗ୍‌ଧ ପ୍ରକ୍ରିୟାକରଣ କାରଖାନା ସେ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ହେବ। ଓମ୍‌ଫେଡ ଅନୁବନ୍ଧିତ ୩ଲକ୍ଷ ଦୁଗ୍ଧଚାଷୀ ଏହା ଦ୍ୱାରା ଉପକୃତ ହେବେ। ଓଡ଼ିଶାରେ ଏହିଭଳି ଏକ ଦୁଗ୍ଧ କାରଖାନା ହେବା ନିଶ୍ଚିତଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

ଏହା ସହିତ ଶ୍ରୀ ବେହେରା କହିଛନ୍ତି ଯେ, ଦୁଗ୍ଧଚାଷୀମାନେ କରୋନା ପରେ ବହୁବିଧ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା ପୂର୍ବରୁ ଚୁନି, ଚୋକଡ, କୁଣ୍ଡା ଓ ପିଡ଼ିଆ ଆଦି ଗୋଖାଦ୍ୟର ମୂଲ୍ୟ ଯାହା ଥିଲା ତାହା କରୋନା ସଂକ୍ରମଣ ପରେ ଦ୍ୱିଗୁଣିତ ହୋଇଯାଇଛି। ୯/୧୦ ଟଙ୍କାରେ ମିଳୁଥିବା ଚୁନି, ଚୋକଡ଼ କିଲୋପିଛା ଦାମ ଆଜି ୧୬ ଟଙ୍କାରୁ ୧୮ ଟଙ୍କାରେ ପହଞ୍ôଚଛି। କିନ୍ତୁ ଦୁଃଖର କଥା ସେହି ଅନୁପାତରେ ଦୁଗ୍ଧର ସହାୟକ ମୂଲ୍ୟ ବୃଦ୍ଧି ହୋଇନାହିଁ। ୨୦୧୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ରାଜ୍ୟ ସରକାର ଦୁଗ୍ଧର ଲିଟରପିଛା ମୂଲ୍ୟ ୪ ଟଙ୍କା ବୃଦ୍ଧି କରିଥିଲେ ଯାହା ଭିତରୁ ୨ଟଙ୍କା ଦୁଗ୍ଧ ଚାଷୀଙ୍କ ପାଖକୁ ଯାଇଥିଲା।

କିନ୍ତୁ ବର୍ତ୍ତମାନର ମହଙ୍ଗା ଯୁଗରେ ଏହି ମୂଲ୍ୟ ବୃଦ୍ଧି ବିଶେଷ କିଛି ନୁହେଁ । ଆଜି ଯେତେବେଳେ ଗୋଟିଏ ଲିଟର ପାଣିର ଦାମ ୫୦ ଟଙ୍କାରେ ବିକ୍ରି ହେଉଛି ଏବଂ ୨୦ ଟଙ୍କାରେ ବିକ୍ରି ହେଉଥିବା ପାଣି ବୋତଲର ଦାମ ତାରକା ହୋଟେଲ ମାନଙ୍କରେ ୧୫୦ରୁ ୨୫୦ ଟଙ୍କା ଥିଲାବେଳେ ସେହି ସମୟରେ ଗୋଟିଏ ଲିଟର ଦୁଗ୍ଧର ଦାମ ୨୮ ଟଙ୍କାରୁ ୩୨ ଟଙ୍କା ଯାହାକି ଦୁଗ୍ଧଚାଷୀମାନଙ୍କ ପାଇଁ ଆଦୌ ଅର୍ଥନୈତିକ ଭାବରେ ଗ୍ରହଣୀୟ ହୋଇପାରୁ ନାହିଁ।

ଆମ ରାଜ୍ୟରେ ହାରାହାରି ୧୧ ଲକ୍ଷ ପରିବାର ଦୁଗ୍ଧ ଉତ୍ପାଦନ ଉପରେ ନିର୍ଭର କରି ନିଜର ପରିବାର ଚଳାଇଥାନ୍ତି। ତେଣୁ ସେମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଦୁଗ୍ଧର ସର୍ବନିମ୍ନ ସହାୟକ ମଲ୍ୟ ଲିଟର ପିଛା ୫୦ ଟଙ୍କା କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ଏହା ଫଳରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭର ହୋଇଥିବା ବେକାର ଯୁବକ ଓ ଗ୍ରାମ୍ୟ ମହିଳାମାନେ ବିଶେଷ ଉପକୃତ ହୋଇପାରିବେ ଓ କରୋନା ସଂକ୍ରମଣରେ କ୍ଷତିଗ୍ରସ୍ତ ଗ୍ରାମ୍ୟ ଅର୍ଥନୀତି ଚଳଚଞ୍ଚଳ ହୋଇପାରିବ ବୋଲି ଶ୍ରୀ ବେହେରା ଆଶାପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ସୁନିଶ୍ଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ସରକାର ୨୦୨୨-୨୩ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷ ତୁଳନାରେ କେତେକ ନିର୍ଦ୍ଦିଷ୍ଟ ଫସଲରେ ସର୍ବୋଚ୍ଚ ଏମଏସପି ବୃଦ୍ଧି ପାଇଁ ସୁପାରିସ କରାଯାଇଛି।

ଏହି ଫସଲଗୁଡ଼ିକ ମଧ୍ୟରେ ରହିଛି ମସୁର, ତୈଳ ବୀଜ ଓ ସୋରିଷ। ଏହି ତିନୋଟି ଫସଲରେ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା ଲେଖାଏଁ ଏମଏସପି ବୃଦ୍ଧି କରାଯାଇଛି। ସେହିପରି ଚଣାରେ କୁଇଣ୍ଟାଲ ପ୍ରତି ଏମଏସପି ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବବର୍ଷ ତୁଳନାରେ କୁସୁମ ଉପରେ କୁଇଣ୍ଟାଲ ପ୍ରତି ୧୧୪ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି। ଫସଲ ବିବିଧକରଣକୁ ପ୍ରୋତ୍ସାହନ ଲକ୍ଷ୍ୟ ନେଇ ଫସଲର ଏଭଳି ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

ଏଥିରେ ପରିଶୋଧ କରାଯାଇଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛି, ଅର୍ଥାତ ଶ୍ରମିକମାନଙ୍କୁ ମଜୁରି, ବଳଦ କିମ୍ବା ମେସିନ ସାହାଯ୍ୟରେ ହଳ ଏବଂ ଅନ୍ୟ କାମ, ଭାଗରେ ଦିଆଯାଇଥିବା ଜମିର ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କ୍ଷେତ ପ୍ରସ୍ତୁତିରେ ହେଉଥିବା ଖର୍ଚ୍ଚ, ଗତିଶୀଳ ପୁଞ୍ଜି ଉପରେ ସୁଧ, ପମ୍ପ ସେଟ ଆଦି ଚାଲିବା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଏଥିରେ ସାମିଲ ରହିଛି। ଏହାବ୍ୟତୀତ ଅନ୍ୟ ଖର୍ଚ୍ଚ ଏବଂ ପରିବାର ଦ୍ବାରା କରାଯାଉଥିବା ଶ୍ରମର ମୂଲ୍ୟ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ।

ଗତ କିଛି ବର୍ଷ ଧରି କେତେକ ତୈଳବୀଜ, ଡାଲି, ମୋଟା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ବ୍ୟବସ୍ଥିତ କରିବା ଲାଗି ମିଳିତ ଭାବେ ପ୍ରୟାସ କରାଯାଇ ଆସୁଛି। ଯାହାଫଳରେ ଚାଷୀମାନେ ଅଧିକ ଜମିରେ ଏସବୁ ଫସଲ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ ହେବେ। ଏଥିପାଇଁ ସେମାନେ ଉନ୍ନତ ଜ୍ଞାନକୌଶଳ ଏବଂ ଚାଷ ପଦ୍ଧତି ଆପଣାଇବେ, ଏହାଦ୍ବାରା ଚାହିଦା ଓ ଯୋଗାଣରେ ସନ୍ତୁଳନ ସୃଷ୍ଟି ହୋଇପାରିବ।

ନିକଟରେ ସରକାର କେନ୍ଦ୍ର ପ୍ରୟୋଜିତ ଯୋଜନା ଜାତୀୟ ଖାଦ୍ୟ ତେଲ-ଅଏଲ ପାମ (ଏନଏମଇଓ-ଓପି) ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନା ଫଳରେ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମିବ। ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କା ଖର୍ଚ ଅଟକଳ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ମିଳିଲେ ଚାଷୀମାନେ କେବଳ ଅଧିକ ଜମିରେ ଅଧିକ ପରିମାଣର ଫସଲ ଉତ୍ପାଦନ କରିବେ ନାହିଁ ବରଂ ସେମାନଙ୍କ ଲାଭ ଓ ରୋଜଗାର ମଧ୍ୟ ବଢ଼ାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି କେନ୍ଦ୍ରକୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଚିଠି ଲେଖିଛନ୍ତି। ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ବୃଦ୍ଧି କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ମାମୁଲି ଅଟେ। ତେଣୁ ଧାନ କ୍ଵିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅରୁଣ ଦାବି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୯ ତାରିଖରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ୨୦୧୯-୨୦୨୦ ମସିହାରେ ଥିବା ଧାନର ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ କେନ୍ଦ୍ର ସରକାର ୧୯୪୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

କିନ୍ତୁ ଏହି ବୃଦ୍ଧିରେ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ ଖୁସି ଖବର: ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖୁସି ଖବର ଦେଇଛି। କେନ୍ଦ୍ର କ୍ୟାବିନେଟରେ ଆଜି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି। ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିଛି। ଏହା ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଥିଲା।

ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୃଦ୍ଧି ପାଇଲା ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ କ୍ବିଣ୍ଟାଲ ପିଛା ହେଲା କେତେ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ମଂଜୁରୀ ୨୦୨୧ ଋତୁ ପାଇଁ ଉଦ୍ଦିଷ୍ଠ। ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ) ଥିବା ନଡିଆ ଶସର ଏମଏସପିର ୩୭୫ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ୯୯୬୦ ଟଙ୍କାରୁ ବୃଦ୍ଧି ପାଇ ୧୦୩୩୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି।

ଗୋଲ ନଡିଆ ଶସର ଏମଏସପିରେ ମଧ୍ୟ କ୍ବିଣ୍ଟାଲ ପ୍ରତି ୩୦୦ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ଦର ୧୦୩୦୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୧ ଋତୁ ପାଇଁ ୧୦୬୦୦ ଟଙ୍କାରେ ପହଞ୍ଚିଛି। ଏହି ନୂତନ ଏମଏସପି ନିର୍ଦ୍ଧାରଣ କରାଯିବା ଫଳରେ ସର୍ବ ଭାରତୀୟ ସ୍ତରରେ ମିଲିଂ ପାଇ ଉପଯୁକ୍ତ ନଡିଆ ଶସ ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ଏମଏସପି ମୂଲ୍ୟ ୫୧.୮୭ ପ୍ରତିଶତ ଅଧିକ ହୋଇଛି। ସେହିପରି ଗୋଲ ନଡିଆ ଶସ କ୍ଷେତ୍ରରେ ଉତ୍ପାଦନ ବ୍ୟୟଠାରୁ ୫୫.୭୬ ପ୍ରତିଶତ ଅଧିକ ମୂଲ୍ୟପ୍ରାପ୍ତି ସୁନିଶ୍ଚିତ କରାଯାଇଛି। ଏହି ମଞ୍ଜୁରି, କୃଷି ବ୍ୟୟ ଏବଂ ମୂଲ୍ୟ (ସିଏସିପି) ଆୟୋଗର ସୁପାରିସ ଉପରେ ଆଧାରିତ।

ଏମଏସପିକୁ ଉତ୍ପାଦନ ବ୍ୟୟର ଦେଢ଼ଗୁଣା କରିବା ଲାଗି ସରକାର ୨୦୧୮-୧୯ ବଜେଟରେ ଘୋଷଣା କରିଥିଲେ। ଏହାକୁ ଆଧାର କରି ୨୦୨୧ ଋତୁ ପାଇଁ କୋପ୍ରାର ଏମଏସପିରେ ଏହି ବୃଦ୍ଧି କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ। ନଡ଼ିଆ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଭାରତୀୟ ଜାତୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ (ନାଫେଡ) ଏବଂ ଭାରତୀୟ ଜାତୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ) କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ଏମଏସପି କାର‌୍ୟ୍ୟକାରୀ
କରିଥାଏ।