Categories
ବିଶେଷ ଖବର ସ୍ବାସ୍ଥ୍ୟ

ଅମରନାଥ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଏଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀଙ୍କ ସହ ଅମରନାଥ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ତଥା ପର୍ଯ୍ୟାପ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନର ସମୀକ୍ଷା କରିଛନ୍ତି।

ବେସ୍ କ୍ୟାମ୍ପରେ ଏବଂ ଯାତ୍ରା ପଥରେ ଦିଆଯାଉଥିବା ଚିକିତ୍ସା ସେବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା। ଜାମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯାତ୍ରୀମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ତଥା ଚିକିତ୍ସା ସେବା ଯୋଗାଇ ଦିଆଯାଉ ଯାହା ଦ୍ୱାରା କଠିନ ଯାତ୍ରା ସମୟରେ ସେମାନେ ଶାରୀରିକ ଭାବେ ସୁସ୍ଥ ରହିପାରିବେ। ମନ୍ତ୍ରୀ କହିଛନ୍ତି ଯେ ଯାତ୍ରା ସମୟରେ ଭକ୍ତମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ଭୌଗୋଳିକ ଆହ୍ୱାନ, ବିଶେଷକରି ଉଚ୍ଚତା ପ୍ରସଙ୍ଗରେ ଅମରନାଥ ଯାତ୍ରା ବ୍ୟତିକ୍ରମ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବଢାଇବା ଏବଂ ପୂର୍ବାନୁମାନ କରିବା ସହିତ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଲାଗି ସହାୟତା କରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବେସ୍ କ୍ୟାମ୍ପରେ ଚିକିତ୍ସା ସୁବିଧା ସ୍ଥାପନ କରାଯାଇଛି ଏବଂ ଆବଶ୍ୟକ ଭିତ୍ତିଭୂମି ସହିତ ସଂଯୁକ୍ତ କରାଯାଇଛି।

ବାଲଟାଲ ଏବଂ ଚନ୍ଦନୱାରୀରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦୁଇଟି ଅକ୍ଷ ମାର୍ଗ ବାଲଟାଲ ଏବଂ ଚନ୍ଦନୱାରୀରେ ଡିଆରଡିଓ ଦ୍ୱାରା କାର୍ଯ୍ୟକ୍ଷମ ହୋଇଆସୁଥିବା ଦୁଇଟି ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ଏବଂ ସହାୟତା କରିଛି। ଏହି ଡାକ୍ତରଖାନାଗୁଡ଼ିକରେ ଯାତ୍ରୀଙ୍କ ପାଇଁ ନିୟୋଜିତ କର୍ମଚାରୀଙ୍କ ରହିବା ସୁବିଧା ଅନ୍ତର୍ଭୁକ୍ତ ହେବ । ଏହି ଡାକ୍ତରଖାନାଗୁଡ଼ିକରେ ପରୀକ୍ଷାଗାର ସୁବିଧା, ରେଡିଓ ଡାଏଗ୍ନୋସିସ୍‍, ସ୍ତ୍ରୀ ରୋଗ, ଆଇସିୟୁ, ହାଇପରବାରିକ୍ ଅମ୍ଳଜାନ ଚାମ୍ବର ସହିତ ନିରାକରଣ ଏବଂ ଚିକିତ୍ସା ପାଇଁ ସମସ୍ତ ସୁବିଧା ରହିବ।

ଏହି ଡାକ୍ତରଖାନାଗୁଡ଼ିକ ୨୪ଘଣ୍ଟିଆ କାର୍ଯ୍ୟ କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରମା ୟୁନିଟ୍ ସହିତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ।

ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଡେପୁଟେସନ

ଡିଜିଏଚଏସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) ମଧ୍ୟ ୧୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରୀ ଡାକ୍ତରଖାନାରୁ ନାମାଙ୍କନ ମାଗି ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଡେପୁଟେସନ ଆରମ୍ଭ କରିଛି। ଏହି ଦଳଗୁଡିକ ୪ ଟି ବ୍ୟାଚ୍ / ସିଫ୍ଟରେ ମୁତୟନ ହେବେ। ଡେପୁଟେସନ୍ ପାଇଁ ମନୋନୀତ ଡାକ୍ତର / ପାରାମେଡିକ୍ସର ଦକ୍ଷତା ବଢାଇବା ସହିତ ଉଚ୍ଚ ସ୍ଥାନରେ ରୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ କିଭଳି ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ୱୟ ରକ୍ଷା କରାଯାଉଛି। ଡିଟିଇଜିଏଚ୍‍ଏସର ଜରୁରୀକାଳୀନ ମେଡିକାଲ ରିଲିଫ ଡିଭିଜନର ଏକ ଟିମ୍‍ ଚଳିତବର୍ଷର ଯାତ୍ରା ପ୍ରସ୍ତୁତିର ସମୀକ୍ଷା ପାଇଁ ଉପଲବ୍ଧ ସ୍ଥାନୀୟ ଚିକିତ୍ସା ଭିତ୍ତିଭୂମି / ସୁବିଧା ଏବଂ ଅସ୍ଥାୟୀ ଡାକ୍ତରଖାନାର ମୂଲ୍ୟାଙ୍କନ କରୁଛି।

ୱେବ୍ ପୋର୍ଟାଲ୍ / ଆଇଟି ଆପ୍ଲିକେଶନ

ଉତ୍ତମ ଜରୁରୀକାଳୀନ ପ୍ରସ୍ତୁତି, ରୋଗର କାରଣକୁ ବୁଝିବା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ତଦାରଖ ପାଇଁ ଏକ କଷ୍ଟୋମାଇଜ୍ ହୋଇଥିବା ୱେବ୍‌-ଆଧାରିତ ରିଅଲ୍‌-ଟାଇମ୍ ତଥ୍ୟ ସଂଗ୍ରହ ମଡ୍ୟୁଲ୍ ଇଣ୍ଟିଗ୍ରେଟେଡ୍ ଡିଜିଜ୍‍ ସର୍ଭିଲାନ୍ସ ପ୍ରୋଗ୍ରାମ୍ (ଆଇଡିଏସପି) ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ  (ଆଇଏଚଆଇପି) ନେସନାଲ ସେଣ୍ଟର ଫର ଡିଜିଜ୍‍ କଣ୍ଟ୍ରୋଲ (ଏନସିଡିସି)ର ପୋର୍ଟାଲ ଦ୍ୱାରା ବିକଶିତ କରାଯାଉଛି।

ସଚେତନତା ପରାମର୍ଶ

ତୀର୍ଥଯାତ୍ରୀମାନଙ୍କ ସଚେତନତା ବୃଦ୍ଧି ପାଇଁ କ’ଣ କରାଯିବ ଏବଂ କ’ଣ କରାନଯିବ ସେଥିନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ଉଚ୍ଚ ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିର ଚିକିତ୍ସା ପରିଚାଳନା ପାଇଁ ଏସଓପି ଗୁଡିକ ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୧ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଏପ୍ରିଲ ୧୭ ରୁ ପଞ୍ଜୀକରଣ

ନୂଆଦିଲ୍ଲୀ: ସରକାର ଅମରନାଥ ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏହି ଯାତ୍ରା ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୬୨ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହେବ।

ପ୍ରକାଶ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ଜମ୍ମୁ କାଶ୍ମୀର ସମ୍ବନ୍ଧୀୟ ସୁରକ୍ଷା ସମୀକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା, ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକର ଗୋଟିଏ ଦିନ ପରେ ଏହି ଯାତ୍ରା ଘୋଷଣା କରାଯାଇଛି।

ଉପ-ରାଜ୍ୟପାଳ କ’ଣ କହିଲେ?:

ପବିତ୍ର ତୀର୍ଥଯାତ୍ରା ଏବଂ ପଞ୍ଜୀକରଣ ତାରିଖ ଘୋଷଣା କରି ଉପ-ରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିନ କହିଛନ୍ତି ଯେ, ସୁଗମ ତଥା ସମସ୍ୟାମୁକ୍ତ ତୀର୍ଥଯାତ୍ରା ନିଶ୍ଚିତ କରିବାକୁ ପ୍ରଶାସନ ପ୍ରତିବଦ୍ଧ।

ସେ କହିଛନ୍ତି ଯେ, ସମସ୍ତ ଶ୍ରଦ୍ଧାଳୁ ଏବଂ ସେବା ପ୍ରଦାନକାରୀଙ୍କୁ ପ୍ରଶାସନ ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବ। ତୀର୍ଥଯାତ୍ରା ଆରମ୍ଭ ପୂର୍ବରୁ ଟେଲିକମ୍ ସେବା କାର୍ଯ୍ୟକ୍ଷମ ହେବ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ଅମରନାଥ ଯାତ୍ରା, କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜିଠାରୁ ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ପ୍ରାୟ ୧୦ ହଜାର ତୀର୍ଥଯାତ୍ରୀ ପହଲଗାମ ବେସ କ୍ୟାମ୍ପରେ ପହଞ୍ଚିଛନ୍ତି। ଦୁଇ ବର୍ଷ ପରେ ଅମରନାଥ ଯାତ୍ରା ବିଷୟରେ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଅମରନାଥ ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ। ଆଜିଠାରୁ ଆରମ୍ଭ ହୋଇଥିବା ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ। ୭-୮ ଲକ୍ଷ ଭକ୍ତ ଦର୍ଶନ କରିବେ ବୋଲି ଆଶା କରାଯାଉଛି।

ପ୍ରତିଦିନ ୧୦-୧୦ ହଜାର ଭକ୍ତ ପହଲଗାମ ଏବଂ ବାଲଟାଲ ବେସ କ୍ୟାମ୍ପରୁ ବାବା ବରଫାନିଙ୍କୁ ଦେଖିବାକୁ ଯିବେ। ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ଅଧିକାରୀ କହିଛନ୍ତି ଯେ ପବିତ୍ର ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗର ଦର୍ଶନ ପାଇଁ ଶ୍ରୀ ଅମରନାଥ ଶ୍ରୀମନ୍ଦିର ବୋର୍ଡ (SASB) ସମସ୍ତ ପ୍ରସ୍ତୁତି କରିଛି।

ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଦିନ ଜମ୍ମୁ ବେସ୍ କ୍ୟାମ୍ପରୁ ତୀର୍ଥଯାତ୍ରୀମାନଙ୍କୁ ପତାକା ଦେଖାଇଛନ୍ତି। ୪ ହଜାର ୮୯୦ ତୀର୍ଥଯାତ୍ରୀଙ୍କୁ ନେଇ ପ୍ରଥମ ବ୍ୟାଚ୍ ବୁଧବାର ଦିନ ୪ ଟା ସମୟରେ ୧୭୬ ଟି ଗାଡିରେ ଭଗବତୀ ନଗର ବେସ୍ କ୍ୟାମ୍ପରୁ କାଶ୍ମୀର ଉପତ୍ୟକାକୁ ଗଲା।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଜମ୍ମୁ କାଶ୍ମୀରକୁ ସରକାର ସ୍ଵତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ରଦ୍ଦକୁ ଦୃଷ୍ଟିରେ ରଖି ଏହି ଯାତ୍ରା ମଧ୍ୟଭାଗରେ ସ୍ଥଗିତ ରଖାଯାଇଥିଲା। ଏଥି ସହିତ ୨୦୨୦ଏବଂ ୨୦୨୧ ମସିହାରେ କୋଭିଡ ମହାମାରୀ ହେତୁ ଏହି ଯାତ୍ରା ଆୟୋଜିତ ହୋଇନଥିଲା।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଜୁନ୍ ୩୦ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଚମତ୍କାର ଏହି ପବିତ୍ର ଗୁମ୍ଫାର ରହସ୍ୟ

ନୂଆଦିଲ୍ଲୀ: ଅମରନାଥ ଧାମ ହିମାଳୟର ଅପହଞ୍ଚ ପାର୍ବତ୍ୟ ସୀମା ମଧ୍ୟରେ ଅବସ୍ଥିତ। ଭାରତୀୟ ସଂସ୍କୃତିର ଜଣାଶୁଣା ତୀର୍ଥଯାତ୍ରାରେ ବାବା ଅମରନାଥଙ୍କ ତୀର୍ଥସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ବିଶ୍ୱାସ କରାଯାଏ ଯେ, ଭକ୍ତ ଯିଏ ପ୍ରକୃତ ହୃଦୟରେ ଗୁମ୍ଫାରେ ତିଆରି ଶିବଲିଙ୍ଗକୁ ଦେଖନ୍ତି, ସେ ଜନ୍ମ ଓ ମୃତ୍ୟୁ ବନ୍ଧନରୁ ମୁକ୍ତି ପାଆନ୍ତି। ଭଗବାନ ଶିବ ଏହି ଗୁମ୍ଫାରେ ମାତା ପାର୍ବତୀଙ୍କୁ ଅମରତାର ରହସ୍ୟ କହିଥିଲେ, ତେଣୁ ଏହି ଗୁମ୍ଫାକୁ ଅମରନାଥ ଗୁମ୍ଫା କୁହାଯାଏ।

ବରଫରୁ ଶିବଲିଙ୍ଗ ଗଠନ ହେତୁ ଏହାକୁ ‘ବାବା ବରଫାନି’ ମଧ୍ୟ କୁହାଯାଏ। ଏହି ବର୍ଷ ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖ ଠାରୁ ଆରମ୍ଭ ହେଉଛି, ଯାହାକି ଅଗଷ୍ଟ ୧ ତାରିଖ ୨୦୨୨ ଅର୍ଥାତ୍ ରକ୍ଷାବନ୍ଧନରେ (୪୩ ଦିନ) ଶେଷ ହେବ। ଆସନ୍ତୁ ଜାଣିବା ଅମରନାଥ ଧାମର ଇତିହାସ ଏବଂ ଏହାର ଚମକପ୍ରଦ ରହସ୍ୟ।

ଅମରନାଥ ଧାମର ରହସ୍ୟ:

ଏହା ହେଉଛି ଦୁନିଆର ଏକମାତ୍ର ଶିବଲିଙ୍ଗ ଯାହା ଚନ୍ଦ୍ରର ଆଲୋକ ଉପରେ ନିର୍ଭର କରି ବଢିଥାଆନ୍ତି ଏବଂ ସଂକୁଚିତ ହୋଇଥାନ୍ତି। ପ୍ରତିବର୍ଷ ଶ୍ରାବଣ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ଶିବଲିଙ୍ଗ ଏଠାରେ ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହା ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ଆକାରରେ ଯଥେଷ୍ଟ କମିଯାନ୍ତି।

ପ୍ରତିବର୍ଷ ଏହି ଗୁମ୍ଫାରେ ବରଫ ଶିବଲିଙ୍ଗ୍ ସ୍ଵାଭାବିକ ଭାବରେ ସୃଷ୍ଟି ହୁଅନ୍ତି। ଗୁମ୍ଫାର ଛାତରେ ଥିବା ଏକ ଫାଟରୁ ପାଣି ବୁନ୍ଦା ପଡିବା ଦ୍ୱାରା ବରଫ ଶିବଲିଙ୍ଗ ସୃଷ୍ଟି ହୁଅନ୍ତି। ଅତ୍ୟଧିକ ଥଣ୍ଡା ହେତୁ ଜଳ ଜମା ହୋଇ ଏକ ବରଫ ଶିବଲିଙ୍ଗର ରୂପ ନେଇଥାଏ।

ବରଫ ଶିବଲିଙ୍ଗର ବାମ ପାର୍ଶ୍ୱରେ ଦୁଇଟି ଛୋଟ ବରଫ ଶିବଲିଙ୍ଗ ମଧ୍ୟ ସୃଷ୍ଟି ହୋଇଥାନ୍ତି। କୁହାଯାଏ ଯେ, ଏହା ହେଉଛନ୍ତି ମାତା ପାର୍ବତୀ ଏବଂ ଭଗବାନ ଗଣେଶଙ୍କର ପ୍ରତୀକ।

ଅମରନାଥରେ ଭଗବାନ ଶିବଙ୍କ ଚମତ୍କାର ହିମଲିଙ୍ଗ ଦର୍ଶନ ସହିତ ମାତା ସତୀଙ୍କ ଶକ୍ତି ଏକ ବିରଳ ଘଟଣା। ୫୧ ଟି ଶକ୍ତପୀଠ ମଧ୍ୟରୁ ମହାମୟୀ ଶକ୍ତି ଏହି ଗୁମ୍ଫାରେ ଅବସ୍ଥିତ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେବୀ ସତୀଙ୍କ ଗଳା ଏଠାରେ ପଡ଼ିଯାଇଥିଲା।

ବିଶ୍ୱାସ କରାଯାଏ ଯେ ଶିବ-ପାର୍ବତୀଙ୍କ ଅମର କାହାଣୀ ଶୁଣିବା ପରେ ପାରା ଯୋଡି ଅମର ହୋଇଯାଇଥିଲେ, ଯାହାଙ୍କୁ ଏବେ ମଧ୍ୟ ଦେଖିବାକୁ ମିଳୁଛି।

କିଏ ଗୁମ୍ଫା ଆବିଷ୍କାର କରିଥିଲେ?:

ବିଶ୍ୱାସ ଅନୁଯାୟୀ, ଅମରନାଥ ଗୁମ୍ଫା ପ୍ରଥମେ ସାଧୁ ଭ୍ରିଗୁଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ଯେତେବେଳେ କାଶ୍ମୀର ଉପତ୍ୟକା ଥରେ ପାଣିରେ ବୁଡିଯିବା ପରେ ଋଷି କଶ୍ୟପ ନଦୀ ଓ ଝରଣା ଦେଇ ପାଣି ବାହାର କରିଥିଲେ। ତା’ପରେ ଋଷି ଭ୍ରିଗୁ ବାବା ତପସ୍ୟା ପାଇଁ ଏକାନ୍ତବାସର ଖୋଜୁଥିଲେ, ସେତେବେଳେ ସେ ଅମରନାଥଙ୍କ ପବିତ୍ର ଗୁମ୍ଫାକୁ ଦର୍ଶନ କରିଥିଲେ।

ଅନ୍ୟ ଏକ ମତ ମଧ୍ୟ ଅଛି ଯେ, ୧୮୫୦ ମସିହାରେ ବୁଟା ମଲିକ ନାମକ ଜଣେ ମୁସଲମାନ ମେଷପାଳକ ଅମରନାଥ ଗୁମ୍ଫା ଆବିଷ୍କାର କରିଥିଲେ।

Categories
ଅପରାଧ ବିଶେଷ ଖବର

ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ସଂଗଠନର ଧମକପୂର୍ଣ୍ଣ ଚିଠି: ଆରଏସଏସ ଏବଂ କେନ୍ଦ୍ର ସରକାରଙ୍କୁ କଲା ଟାର୍ଗେଟ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି। ଆତଙ୍କବାଦୀ ସଂଗଠନ ଟିଆରଏଫର ଧମକପୂର୍ଣ୍ଣ ଚିଠି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଟିଆରଏଫ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ଜାରି କରି ଏଥର ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି।

ଆତଙ୍କବାଦୀ ସଂଗଠନ ଟିଆରଏଫ ଅମରନାଥ ଯାତ୍ରା ସମ୍ପର୍କରେ ଏକ ଧମକ ପତ୍ର ଜାରି କରିଛି। ଏହି ଚିଠିରେ ଆତଙ୍କବାଦୀ ସଂଗଠନ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) କୁ ଟାର୍ଗେଟ କରିଛି। ସଂଗଠନ କହିଛି ଯେ, ସେମାନେ ଏହି ଯାତ୍ରା ବିରୁଦ୍ଧରେ ନାହାଁନ୍ତି। କିନ୍ତୁ ତୀର୍ଥଯାତ୍ରୀମାନେ ସେପର୍ଯ୍ୟନ୍ତ ସୁରକ୍ଷିତ ଅଛନ୍ତି, ଯେପର୍ଯ୍ୟନ୍ତ ସେମାନେ କାଶ୍ମୀର ପ୍ରସଙ୍ଗରେ ଯୋଗ ନ ଦିଅନ୍ତି।

ଅନ୍ୟପକ୍ଷରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର / ଟିଆରଏଫର ୨ ଟି ସ୍ଥାନୀୟ ହାଇବ୍ରିଡ ଆତଙ୍କବାଦୀଙ୍କୁ ଶ୍ରୀନଗର ପୋଲିସ ଗିରଫ କରିଛି। ଆଇଜି କାଶ୍ମୀର କହିଛନ୍ତି ଯେ, ୧୫ ଟି ପିସ୍ତଲ, ୩୦ ଟି ମାଗାଜିନ, ୩୦୦ ରାଉଣ୍ଡ ଏବଂ ୧ ଟି ସାଇଲେନ୍ସର ସହିତ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି। ପୋଲିସ ଏହାକୁ ନିଜ ପାଇଁ ଏକ ବଡ଼ ସଫଳତା ବୋଲି ବିଚାର କରୁଛି।

ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ସହ ଜଡିତ ସମସ୍ତ କାର୍ଯ୍ୟ ଶେଷ କରିବାର ସମୟ ସୀମା ଧାର୍ଯ୍ୟ କରିଛନ୍ତି ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ସର୍ବୋତ୍ତମ ସୁବିଧା ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା: ସୁରକ୍ଷା ଏବଂ ଯାତ୍ରୀମାନଙ୍କର ଆବଶ୍ୟକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା

ଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ, ଜମ୍ମୁ – କାଶ୍ମୀର ମୁଖ୍ୟ ସଚିବ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକର ବରିଷ୍ଠ ଅଧିକାରୀ ସମୂହ ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଏବଂ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ଆବଶ୍ୟକ ସୁବିଧାଗୁଡିକ ଉପରେ ମଧ୍ୟ ଦୀର୍ଘ ସମୟ ପାଇଁ ବୈଠକ କରିଥିଲେ। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍‌, ଜାମ୍ମୁ – କାଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାଧ୍ୟକ୍ଷ, କେନ୍ଦ୍ର ଗୃହ ସଚିବ, ଇଂଟେଲିଜେନ୍ସ  ବ୍ୟୁରୋର ନିର୍ଦ୍ଦେଶକ, ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ ଏବଂ ସୁରକ୍ଷା ଏଜେନ୍ସି ଗୁଡିକର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ୍ ହୋଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଅମରନାଥ ଯାତ୍ରାରେ ସାମିଲ୍ ହେବାକୁ ଯାଉଥିବା ତୀର୍ଥଯାତ୍ରୀମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ଏବଂ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡେ ଏହା ମୋଦୀ ସରକାରଙ୍କର ପ୍ରାଥମିକତା ଅଟେ। ଅମିତ ଶାହ ଅମରନାଥ ଯାତ୍ରୀମାନଙ୍କ ପାଇଁ ଯାତାୟତର ସୁବିଧା, ରହିବାର ସୁବିଧା, ବିଦ୍ୟୁତ୍‌, ଜଳ, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ସମେତ ସମସ୍ତ ଆବଶ୍ୟକ ସୁବିଧା ଗୁଡିକର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ୍  – ୧୯ ମହାମାରୀ ପରେ ଏହା ପ୍ରଥମ ଯାତ୍ରା ଅଟେ ଏବଂ ଅତ୍ୟଧିକ ଉଚ୍ଚତା କାରଣରୁ ଯଦି ଲୋକମାନଙ୍କୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦିଏ, ତେବେ ସେଥିପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ପଡିବ। ଗୃହ ମନ୍ତ୍ରୀ ଯାତ୍ରା ପଥରେ ଊତମ ଯୋଗାଯୋଗ ଏବଂ ସୂଚନା ପ୍ରଦାନ କରିବା ନିମନ୍ତେ ମୋବାଇଲ୍ ଟାୱାର ସଂଖ୍ୟ ବୃଦ୍ଧି କରାଯିବା ପାଇଁ, ଏହା ସହିତ ଭୂସ୍ଖଳନ ହେବା ସ୍ଥିତିରେ ମାର୍ଗକୁ ତୁରନ୍ତ ଖୋଲିବା ନିମନ୍ତେ ମେସିନ୍‌କୁ ନିୟୋଜନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରିବା ସହିତ ୬୦୦୦ ଫୁଟରୁ ଅଧିକ ଉଚ୍ଚତା ଉପରେ ପର୍ଯ୍ୟାପ୍ତ ଚିକିତ୍ସା ଶଯ୍ୟା ଏବଂ କୌଣସି ପ୍ରକାରର ଆପାତକାଳୀନ ଚିକିତ୍ସାର ସ୍ଥିତି ଉପୁଜିଲେ ସେଥରୁ ଉଦ୍ଧାର ପାଇବା ପାଇଁ ଆମ୍ବୁଲାନ୍ସ ତଥା ହେଲିକପ୍ଟର ନିୟୋଜନ କରିବା ପାଇଁ ମଧ୍ୟ ଶ୍ରୀ ଅମିତ ଶାହ କହିଥିଲେ। ସେ କହିଥିଲେ ଯେ, ଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ଅମରନାଥ ଯାତ୍ରା ସମୟରେ ସବୁ ପ୍ରକାରର ପରିବହନ ସେବାକୁ ବୃଦ୍ଧି କରାଯିବା ଉଚିତ୍।

ବୈଠକରେ ଜାମ୍ମୁ – କାଶ୍ମୀରର ମୁଖ୍ୟ ସଚିବ କହିଥିଲେ ଯେ, ପ୍ରଥମ ଥର ପାଇଁ ପ୍ରତ୍ୟେକ ଅମରନାଥ ଯାତ୍ରୀ ମାନଙ୍କୁ ଏକ ଆର୍‌ଏଫ୍‌ଆଇଡି କାର୍ଡ ପ୍ରଦାନ କରାଯିବ ଏବଂ ପାଂଚ ଲକ୍ଷ ଟଙ୍କାର ବୀମା କରାଯିବ। ଯାତ୍ରା ନିମନ୍ତେ ଟେଂଟ ସିଟି, ଯାତ୍ରା ପଥରେ ୱାଇ – ଫାଇ ହଟ୍‌ସ୍ପଟ୍ ଏବଂ ସମ୍ପୂର୍ଣ୍ଣ ଆଲୋକର ବ୍ୟବସ୍ଥା କରାଯିବ। ଏହା ସହିତ ବାବା ବର୍ଫାନୀଙ୍କର ଅନ୍‌ଲାଇନ୍ ଲାଇଭ୍ ଦର୍ଶନ, ପବିତ୍ର ଅମରନାଥ ଗୁମ୍ଫାରେ ସକାଳ ଏବଂ ସନ୍ଧ୍ୟା ସମୟର ଆରତୀର ସିଧା ପ୍ରସାରଣ ଏବଂ ବେସ୍ କ୍ୟାମ୍ପରେ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କରାଯିବ।

Categories
ଧର୍ମ ବିଶେଷ ଖବର

ଏହି ତାରିଖରୁ ଆରମ୍ଭ ହେଉଛି ଅମରନାଥ ଯାତ୍ରାର ପଞ୍ଜୀକରଣ, ଜାଣନ୍ତୁ ଆବେଦନ କରିବାର ସହଜ ଉପାୟ

ନୂଆଦିଲ୍ଲୀ: ଦୁଇ ବର୍ଷର ବ୍ୟବଧାନ ପରେ ଅମରନାଥ ଯାତ୍ରା ବାବା ବରଫାନୀଙ୍କ ଦର୍ଶନ ଏବେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଏହି ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ହେତୁ ଏହି ଯାତ୍ରା ବାତିଲ ହୋଇଯାଇଥିଲା। କିନ୍ତୁ ୨୦୨୨ ମସିହାରେ ଏହି ଯାତ୍ରା ପୁଣି ଆରମ୍ଭ ହୋଇଛି। ୨୦୨୨ର ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷର ଅମରନାଥ ଯାତ୍ରା ବିଷୟରେ ସୂଚନା ଦେଇ ଶ୍ରୀ ଅମରନାଥଜୀ ଶ୍ରୀକ୍ଷେତ୍ର ବୋର୍ଡର ସିଇଓ ନୀତୀଶର କୁମାର କହିଛନ୍ତି ଯେ, ଚଳିତ ବର୍ଷର ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରୁ ଆରମ୍ଭ ହେବ ଏବଂ ମୋଟ ୪୩ ଦିନ ଚାଲିବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ କରିବାକୁ ଭକ୍ତମାନେ ଅଫିସିଆଲ୍ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ବ୍ୟବହାର କରିପାରିବେ।

ଅମରନାଥ ଯାତ୍ରାର ପଞ୍ଜୀକରଣ ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ:

– ଆବେଦନ ଫର୍ମ ସଂପୂର୍ଣ୍ଣ ଭରିବା ଉଚିତ୍।

– ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ପ୍ରମାଣପତ୍ର।

– ଚାରୋଟି ପାସପୋର୍ଟ ଆକାରର ଫଟୋଗ୍ରାଫ୍।

ପଞ୍ଜୀକରଣ ପାଇଁ ଯୋଗ୍ୟତା:

ଅମରନାଥ ଯାତ୍ରା ୨୦୨୨ ପାଇଁ ଆବେଦନ କରିବାକୁ, ଆପଣଙ୍କର ବୟସ ୧୩ ବର୍ଷରୁ ୭୫ ବର୍ଷ ମଧ୍ୟରେ ହେବା ଉଚିତ୍। ଏହା ସହିତ, ଯଦି ଜଣେ ମହିଳା ୬ ମାସରୁ ଅଧିକ ଗର୍ଭବତୀ ଅଛନ୍ତି, ତେବେ ସେ ଏହି ଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ।

କିପରି ପଞ୍ଜିକରଣ କରିବେ:

ଯଦି ଆପଣ ମଧ୍ୟ ଏହି ବର୍ଷ ଆୟୋଜିତ ହେବାକୁ ଥିବା ଅମରନାଥ ଯାତ୍ରାର ଏକ ଅଂଶ ହେବାକୁ ଚାହାଁନ୍ତି, ତେବେ ଏହାର ପଞ୍ଜୀକରଣ ପାଇଁ, ଆପଣ https://jksasb.nic.in/register.aspx ଉପରେ କ୍ଲିକ୍ କରିପାରିବେ। ଏଠାରେ ଆପଣଙ୍କର ସମସ୍ତ ବିବରଣୀ ନିଆଯିବ। ଏହା ସହିତ ଯାତ୍ରୀଙ୍କ ନାମ, ଠିକଣା ଏବଂ ଚିକିତ୍ସା ଇତିହାସ ବିଷୟରେ ସୂଚନା ମଧ୍ୟ ନିଆଯିବ। ଏହା ସହିତ, ଆପଣଙ୍କୁ ଉପରୋକ୍ତ ଦଲିଲଗୁଡ଼ିକୁ ମଧ୍ୟ ଅପଲୋଡ୍ କରିବାକୁ ପଡିବ।