Categories
ବିଶେଷ ଖବର

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଏହି ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଉଦଘାଟନୀ ବକ୍ତବ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି। ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି। କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି। ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ କଳ୍ପନା ସୁଦ୍ଧା କରିପାରିନଥିଲି।

ଆବେ ସାନ ଏବଂ ତାଙ୍କ ସହ ଆପଣ ମଧ୍ୟ ବିଦେଶ ମନ୍ତ୍ରୀ ଭାବେ ଭାରତ ଏବଂ ଜାପାନ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇ ଯାଇଛନ୍ତି । ଅନେକ କ୍ଷେତ୍ରରେ ଏହି ସମ୍ପର୍କକୁ ଅଧିକ ବିସ୍ତାରିତ କରିଛନ୍ତି। ଆମର ବନ୍ଧୁତା, ଭାରତ- ଜାପାନ ମୈତ୍ରୀ ବିଶ୍ବସ୍ତରରେ ଏକ ପ୍ରଭାବ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି। ଆଉ ଏ ସବୁ ପାଇଁ ଆଜି ଭାରତର ଜନସାଧାରଣ ଆବେ ସାନଙ୍କୁ ଖୁବ୍‌ ମନେ ପକାଉଛନ୍ତି, ଜାପାନକୁ ମନେ ପକାଉଛନ୍ତି। ଭାରତ ସବୁବେଳେ ଏକ ପ୍ରକାରରେ ତାଙ୍କର ଅନୁପସ୍ଥିତି ଜନିତ ଶୂନ୍ୟସ୍ଥାନକୁ ଅନୁଭବ କରୁଛି।

କିନ୍ତୁ ମୋର ବିଶ୍ବାସ ରହିଛି ଯେ ଆପଣଙ୍କ ନେତୃତ୍ବରେ ଭାରତ- ଜାପାନ ସମ୍ପର୍କ ଆହୁରି ଅଧିକ ନିବିଡ଼ ହେବ, ଆହୁରି ଅଧିକ ଉଚ୍ଚତା ଛୁଇଁବ। ଆମେ ବିଶ୍ବର ସମସ୍ୟା ସମାଧାନ କରିବାରେ ଏକ ଉପଯୁକ୍ତ ଭୂମିକା ନିର୍ବାହ କରିବା ଲାଗି ସକ୍ଷମ ହୋଇପାରିବୁ, ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।