Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ କରୋନା ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ

କଟକ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଅନ୍ୟ ସରକାରୀଙ୍କ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚିକିତ୍ସା କରୁଥିବା ସରକାରୀ ଓ ଘରୋଇ ମେଡ଼ିକାଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଚିକିତ୍ସା ପାଇଁ ଯାଉଥିବା ବ୍ୟକ୍ତି ଯେପରି ସେବାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ସାମଗ୍ରୀ ଦିଆଯାଇନଥିଲେ, ତାହା ତୁରନ୍ତ ଯୋଗାଇ ଦିଆଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ସେହିପରି କରୋନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।  ସର୍ବୋପରି ମହାମାରୀ କରୋନା ସହିତ ଦୃଢ ଭାବରେ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Categories
ଆଜିର ଖବର ଜାତୀୟ ଖବର

ଏନଆରସି, ସିଏଏ ପରି ପ୍ରସଙ୍ଗକୁ ଏଡାଇବା ପାଇଁ କରୋନା ସାଜିଛି ବାହାନା : ରମାକାନ୍ତ ଯାଦବ

ଉତ୍ତରପ୍ରଦେଶ: ଭାରତରେ କରୋନା ଭାଇରସ୍‌ର ସଂକଟ ବଢିଚାଲିଥିବାବେଳେ ଏଥିରେ 5ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ବିଦେଶୀ ନାଗରିକ ରହିଛନ୍ତି । କରୋନାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁପ୍ରକାରର ଉଦ୍ୟମ ଜାରି ରଖିଛନ୍ତି । ବେଶ୍‌ ସତର୍କତା ଓ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କ ଅଜବ ବୟାନ ଏବେ ଚର୍ଚ୍ଚାକୁ ଆସିଛି ।

ୟୁପିର ଆଜମଗଡର ପୂର୍ବତନ ସାଂସଦ ତଥା ସପା ର ନେତା ରମାକାନ୍ତ ଯାଦବ କହିଛନ୍ତି ଯେ, କରୋନା ଏକ ବାହାନା ଅଟେ । ଏହା ଜରିଆରେ ଏନ୍‌ଆରସି, ସିଏଏ ଓ ମହଙ୍ଗା ପରି ପ୍ରସଙ୍ଗକୁ ଏଡାଇ ଦିଆଯାଉଛି । ରମାକାନ୍ତ ଯାଦବ କହିଛନ୍ତି ଯେ, ଦୁନିଆରେ କରୋନା ହୋଇପାରେ, କିନ୍ତୁ ଭାରତରେ ଏହା ହେବ ନାହିଁ । କାରଣ ସେ କରୋନା ସଂକ୍ରମିତ ବ୍ୟକ୍ତିକୁ କୁଣ୍ଡାଇବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ଅପରପକ୍ଷରେ କରୋନାକୁ ମୁକାବିଲା କରିବା ପାଇଁ ନରେନ୍ଦ୍ର ମୋଦି ଆସନ୍ତା 22 ତାରିଖରେ ଜନତା କର୍ଫ୍ୟୁ ପାଇଁ ଆହ୍ବାନ ଜଣାଇଛନ୍ତି । ଆସନ୍ତା କାଲି ସକାଳ 7ଟାରୁ ରାତ୍ର 9ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରିବା ପାଇଁ କହିଛନ୍ତି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 270ରେ ପହଞ୍ଚିଲାଣି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରି ଚିଠି ଲେଖିଛନ୍ତି ନବୀନ। ଏପ୍ରିଲ୍‌ 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା କାର୍ଯ୍ୟକ୍ରମ ରହିଛି । କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ କରିବା ପାଇଁ  ନିବେଦନ କରିଛନ୍ତି ନବୀନ। ଏବେ କୋରୋନା ମୁକାବିଲା ପାଇଁ କର୍ମଚାରୀ ମୁତୟନ ରହିଛନ୍ତି, ଏ ସମୟରେ ଜନଗଣନା ହେଲେ କୋରୋନା ମୁକାବିଲା ବାଧାପ୍ରାପ୍ତ ହେବ । ସେହିପରି କ୍ଷେତ୍ର ପରିଦର୍ଶନ ବେଳେ ମଧ୍ୟ ଫିଲ୍ଡ ଓ୍ବାର୍କରମାନଙ୍କ ପ୍ରତି ସଂକ୍ରମଣର ଆଶଙ୍କା ରହିଛି। ଏହି ଜନଗଣନାରେ ଗୃହ ତାଲିକା, ଗଣନା,ଜନସଂଖ୍ୟା ପଞ୍ଜିକା ଅପଡେଟ୍‌ ହୋଇଥାନ୍ତା। ତେବେ କରେନାକୁ ଦୃଷ୍ଟିରେ ରଖି ଜନଗଣନାକୁ ସ୍ଥଗିତ ରଖାଯାଉ ବୋଲି ଚିଠିରେ ନିବେଦନ କରିଛନ୍ତି ନବୀନ ପଟ୍ଟନାୟକ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନା ପାଇଁ କିପରି ସତର୍କ ରହିଛି ଚିଲିକା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ, କ’ଣ ରହିଛି ପ୍ରଶାସନିକ ପଦକ୍ଷେପ

ସୀତାରାମ ଅଗ୍ରଓ୍ବାଲ 

ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। ଏଥରୁ ବାଦ୍‌ ପଡିନାହିଁ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକ ଏବଂ ବାଣପୁର ଓ ବାଲୁଗାଁ ଏନ୍‌ଏସି ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆସନ୍ତୁ ଜାଣିବା ବାଣପୁର ବ୍ଲକ ଓ ଏନ୍‌ସି ତରଫରୁ ଏନେଇ କ’ଣ କ’ଣ ସତର୍କତା କରାଯାଉଛି। କରୋନା ପାଇଁ କିପରି ସତର୍କ ରହିଛନ୍ତି ବାଣପୁର ବ୍ଲକ ଓ ଏନ୍‌ଏସି। ଆମ ସମୀକ୍ଷା ରିପୋର୍ଟର ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ ନିଆଲ୍‌, ବାଣପୁର ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର, ଚିଲିକା ବିଡିଓ ସୁଷମା ବାରିକ୍‌, ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକଙ୍କ ସହ ଭେଟି କରୋନା ପାଇଁ ବ୍ଲକ ଓ ଏନ୍‌ଏସି ତରଫରୁ କରାଯାଉଥିବା ସତର୍କତା ସମ୍ପର୍କରେ ଆଲୋଚନା କରିଥିଲେ।

କରୋନା ସତର୍କ ପାଇଁ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ କହିଛନ୍ତି ଯେ, ବ୍ଲକ ତରଫରୁ କରୋନା ସଚେତନତା ପାଇଁ କ୍ୟାମ୍ପେନ୍‌ ରଥ ସବୁ ପଞ୍ଚାୟତରେ ଗଡାଯାଇଛି। କରୋନା ସତର୍କ ନେଇ ବ୍ୟାନର୍‌ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି। ହାତକୁ ଭଲ ଭାବରେ ଧୋଇବା ତଥା ଥଣ୍ଡା ସଂକ୍ରମଣରୁ ଦୂରେଇ ରଖିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି। ବାଣପୁର ବ୍ଲକ ତରଫରୁ ଏକ ହେଲପ୍ ଲାଇନ ନମ୍ବରର ଜାରି କରାଯାଇଛି। ଜାରି ହୋଇଥିବା ହେଲପ୍ ଲାଇନ ନମ୍ବର ଟି ହେଉଛି ୦୬୭୫୬-୨୫୩୩୭୯ ଏବଂ ୧୦୪। ସେହିପରି ପ୍ରତି ପଞ୍ଚାୟତରେ ଦୁଇ ଦୁଇଟି ଆଇସୋଲେସନ୍‌ ସେଣ୍ଟର କରାଯାଇଛି ବୋଲି କହିଛନ୍ତି ବାଣପୁର ବ୍ଲକ ବିଡିଓ।

ସେହିପରି ବାଣପୁର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ କହିଛନ୍ତି ଯେ, ମାଇକ୍‌ ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି। ଏନ୍‌ଏସିରେ ଦୁଇଟି ଆଇସୋଲେସନ୍‌ ସେଣ୍ଟର ଖୋଲାଯାଇଛି। ଗୋଦାବରୀଶ ବିଦ୍ୟାପୀଠ, ଏନଏସି କଲ୍ୟାଣ ମଣ୍ଡପକୁ ଆଇସୋଲେସନ୍‌ ସେଣ୍ଟର କରାଯାଇଛି। ଏତଦ୍‌ବ୍ୟତୀତ ଓ୍ବାର୍ଡ ମେମ୍ବର ଓ ସ୍ବଚ୍ଛ ସାଥୀମାନଙ୍କ ଦ୍ଵାରା ଘର ଘର ବୁଲି ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିବରଣୀ ସଂଗ୍ରହ କରାଯାଉଛି। ସେହିପରି ବାଣପୁର ପଞ୍ଚୁଦୋଳ ପାଇଁ ଆସିଥିବା ଉଠା ଦୋକାନୀଙ୍କୁ ହଟାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାର କହିଛନ୍ତି ବାଣପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ।

ବାଣପୁରକୁ ରାଜ୍ୟ ବାହାରରୁ ୧୦୦ରୁ ଅଧିକ ବ୍ୟକ୍ତି ଆସିଥିବାବେଳେ ବାଣପୁର ଏନ୍‌ଏସି ତରଫରୁ ବ୍ୟାପକ ସଚେତନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ଧୂର୍ଜଟି ମହାପାତ୍ର। ଯଦିଓ ଅଞ୍ଚଳରେ କେହି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି, ତେବେ ସନ୍ଦିଗ୍ଧଙ୍କ ପ୍ରତି ବିଶେଷ ଦୃଷ୍ଟି ରଖିଛି ବାଣପୁର ମେଡିକାଲ। କରୋନା ସନ୍ଦିଗ୍ଧ ବାଣପୁର ମେଡ଼ିକାଲ ଆସିଥିବାବେଳେ ତାଙ୍କ ଅବସ୍ଥା ସୁସ୍ଥ ରହିଛି ବୋଲି କହିଥିଲେ ବାଣପୁର ମେଡ଼ିକାଲ ଅଧିକାରୀ ଧୂର୍ଜଟି ମହାପାତ୍ର। ସେହିପରି ଅଞ୍ଚଳକୁ ଆସିଥିବା ରାଜ୍ୟ ବାହାରର ବ୍ୟକ୍ତି ତଥା ବିଦେଶରୁ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ଚିଲିକା ବ୍ଲକର ବିଡିଓ ସୁଷମା ବାରିକ  କହିଛନ୍ତି ଯେ, ଚିଲିକା ବ୍ଲକ୍‌ ଅଧୀନରେ ରହିଥିବା ୧୭ଟି ପଞ୍ଚାୟତରେ ମାଇକ୍‌ ଦ୍ବାରା କରୋନା ସଚେତନତା କରାଯାଉଛି। ପ୍ରତି ପଞ୍ଚାୟତରେ ଆଇସୋଲେସନ୍‌ ସେଣ୍ଟରକୁ ଚିହ୍ନଟ କରାଯାଇଛି। ପଞ୍ଚାୟତ ସମିତି ବୈଠକ ଡାକି ସଦସ୍ୟମାନଙ୍କୁ ଏନେଇ ସତର୍କ କରାଯିବ ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। ଚିଲିକା ବ୍ଲକ୍‌ କରୋନାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଚିଲିକା ବିଡିଓ ସୁଷମା ବାରିକ। ନିଃଶୁଳ୍କ ହେଲପ୍ ଲାଇନ ନମ୍ବର ୧୦୪ରେ ରେଜିଷ୍ଟ୍ରେସନ କରିବା ପାଇଁ  ବିଡିଓ’ଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି।

ବାଲୁଗାଁ ମୁଖ୍ୟ ଚିକିତ୍ସାଧିକାରୀ ସୌମ୍ୟକାନ୍ତ ଦାସ ପଟ୍ଟନାୟକ କହିଛନ୍ତି ଯେ, କରୋନା ପାଇଁ ବାଲୁଗାଁ ମେଡ଼ିକାଲ ତରଫରୁ ଅଲଗା ୱାର୍ଡର ବ୍ୟବସ୍ଥା କରାଯାଇଛି। ବ୍ଲକ୍‌ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଏନେଇ ବୈଠକ କରାଯାଉଛି। ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଓ୍ବାର୍ଡ ମେମ୍ବରଙ୍କଠୁ ସୂଚନା ପ୍ରାପ୍ତ କରାଯାଉଛି। ନିକଟରେ ଦୁଇଜଣ ବିଦେଶରୁ ଫେରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟକୁ ପରୀକ୍ଷା କରାଯାଇଛି ଏବଂ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ବୋଲି କହିଛନ୍ତି ବାଲୁଗାଁ ମେଡ଼ିକାଲ ଅଧିକାରୀ।

ସେହିପରି ବାଲୁଗାଁ ପୋଲିସ୍‌ ତରଫରୁ କରୋନା ପାଇଁ  ମଧ୍ୟ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଉଛି ବୋଲି କହିଛନ୍ତି ବାଲୁଗାଁ ଆଇଆଇସି ରମାକାନ୍ତ ମହାଲିକ।

ଚିଲିକା ନିର୍ବାଚନ ମଣ୍ଡଳୀ ସମସ୍ତ ପ୍ରଶାସନିକ ଅଧିକାରୀ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ସ୍ଥାନୀୟ ଲୋକଙ୍କୁ ସତର୍କ ଓ ସଚେତନ କରିବାରେ ଲାଗିପଡିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସାରା ବିଶ୍ବରେ କରୋନାର କର୍ଫ୍ୟୁ : 6000 ପାର୍‌ କଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଚୀନ୍‌ର ବୁହାନ ସହରରୁ କରୋନା ଭାଇରସ୍‌ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ 157 ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ ମୋଟ 6,515ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 1,69,524ଜଣ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ପରେ ୟୁରୋପଠାରେ ସବୁଠୁ ଅଧିକ କରୋନା ବ୍ୟାପିଛି। ସ୍ପେନ୍‌ରେ 105 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୟୁରୋପରେ ମୋଟ 1,907ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଛି । ଇଟାଲୀରେ  ରବିବାର ଦିନ 368ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତକଙ୍କ ସଂଖ୍ୟା1809ରେ ପହଞ୍ଚିଛି। ସେହିପରି କରୋନା ଆକ୍ରମଣରେ 24 ହଜାର 747ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଚୀନ୍‌ ପରେ କରୋନା ଭାଇରସ୍‌ ଯୋଗୁଁ ଇଟାଲୀରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ହୋଇଥିବାର ସୂଚନା ରହିଛି।

ଇରାନ୍‌ରେ କରୋନା ଯୋଗୁଁ 24 ଘଣ୍ଟାରେ 113 ଜଣ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା 724ରେ ପହଞ୍ଚିଛି। ସେହିପରି ଏଥିରେ ଆକ୍ରାନ୍ତ ସଂଖ୍ୟା 13,938ରେ ପହଞ୍ଚିଛି। ସେହିପରି ସ୍ପେନ୍‌ରେ 24 ଘଣ୍ଟା ମଧ୍ୟରେ 113 ଜଣ ମୃତ୍ୟୁବରଣ କରିଥିବାବେଳେ ମୋଟ 292ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଖ୍ୟା 7,845ରେ ପହଞ୍ଚିଛି ।

ଭାରତରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା 110 ହୋଇଥିବାବେଳେ ମହାରାଷ୍ଟ୍ରରେ ସର୍ବାଧିକ 32ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ଭାରତରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।