Categories
ବିଶେଷ ଖବର ବ୍ୟବସାୟ

ଏଥର ଘରେ ବସି ମଗାନ୍ତୁ କୋରାପୁଟ କଫି, ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କୋରାପୁଟ ଜିଲ୍ଲାର କଫି ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଆଜି ଅନ୍ତର୍ଜାତୀୟ କଫି ଦିବସରେ ଇ-ବାଣିଜ୍ୟ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହି ୱେବସାଇଟ୍ ହେଉଛି www.koraputcoffee.org

ୱେବସାଇଟ୍ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋରାପୁଟ କଫିରେ ଉଚ୍ଚ ଗୁଣ ରହିଛି ଏବଂ ଏହା ଦେଶ ତଥା ବାହାରେ ଏକ ପ୍ରସିଦ୍ଧ ବ୍ରାଣ୍ଡ ଭାବରେ ବିକଶିତ ହୋଇପାରିବ। ଏ କ୍ଷେତ୍ରରେ ପଦକ୍ଷେପ ନେଇଥିବାରୁ ସେ କଫି ଉତ୍ପାଦକ ଏବଂ ଆଦିବାସୀ ବିକାଶ ନିଗମକୁ ପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇ ବର୍ଷ ମଧ୍ୟରେ କୋରାପୁଟ କଫି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛି। ଆଦିବାସୀଙ୍କ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାର କୋରାପୁଟ କଫିର ପ୍ରୋତ୍ସାହନ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। TDCCOL ଦ୍ୱାରା କୋରାପୁଟ କଫି ମାର୍କେଟିଂ ବ୍ୟତୀତ, ଚଳିତ ବର୍ଷ କୋରାପୁଟରେ କଫି ଡେଭଲପମେଣ୍ଟ ଟ୍ରଷ୍ଟ 300 ହେକ୍ଟର ପରିମିତ ଜମିରେ କଫି ଚାଷ କରିଛି।

ମୁଖ୍ୟମନ୍ତ୍ରୀ ଦୁଇଟି କଫି ଆଉଟଲେଟ୍ ଘୋଷଣା ମଧ୍ୟ କରିଛନ୍ତି, ଯାହାର ନାମ ରହିଛି କୋରାପୁଟ କାଫେ। ଗୋଟିଏ କୋରାପୁଟ ଜିଲ୍ଲାରେ ଏବଂ ଅନ୍ୟଟି ପୁରୀର ନିଳାଦ୍ରୀ ସମୁଦ୍ର କୂଳରେ ପ୍ରତିଷ୍ଠା କରାଯାଇଛି।

କଫି ଚାଷ ଓଡିଶାର କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜୀବନକୁ ପରିବର୍ତ୍ତନ କରୁଛି। କୋରାପୁଟ, ଯାହା ସମୁଦ୍ର ପତ୍ତନଠାରୁ 3000 ଫୁଟ ଉଚ୍ଚରେ ଅବସ୍ଥିତ, ଏହାର ଶୀତଳ ଜଳବାୟୁ ଏବଂ ବର୍ଷା ହେତୁ କଫି ଚାଷ ପାଇଁ ଉପଯୁକ୍ତ ଅଟେ| ଏହି  କଫି ହେଉଛି ଏକ ଶତପ୍ରତିଶତ ଆରବିକା କଫି ଯାହା ନିକଟ ଭବିଷ୍ୟତରେ ସ୍ୱତନ୍ତ୍ର କଫି ବଜାର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ।

ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ପ୍ରମୁଖ ଶାସନ ସଚିବ ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତି ବିକାଶ ବିଭାଗ ଶ୍ରୀମତୀ ରଂଜନ ଚୋପ୍ରା, ପରିଚାଳନା ନିର୍ଦ୍ଦେଶକ ଆଦିବାସୀ ବିକାଶ ମାନସୀ ନିମ୍ବାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରର ଅଧିକାରୀ ଏବଂ କଫି ଉତ୍ପାଦକମାନଙ୍କ ସହିତ କଲେକ୍ଟର କୋରାପୁଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଦେଶବିଦେଶକୁ ଯିବ ‘କୋରାପୁଟ କଫି’ ବିକ୍ରି ପାଇଁ ‘ଟାଟା କଫି’ର ସହମତି

ଭୁବନେଶ୍ୱର: ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ।”

“କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।