Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁରଗସ୍ତ: ପ୍ରଧାନ ଶିକ୍ଷକଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅଚାନକ ବାଣପୁର ପହଞ୍ଚି ବ୍ଲକ ଏବଂ ଏନଏସି ର ୫-ଟି ରେ ସାମିଲ ହୋଇଥିବା ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।  ସେଠାରେ ୫-ଟି ଅନ୍ତର୍ଗତ ନିର୍ମାଣଧୀନ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।

ଏନଏସି ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ବ୍ଲକ ର ମାଣିକପୁର ସ୍ଥିତ ଶାଳିଆ ବିଦ୍ୟା ନିକେତନ, ଅଲାଇଡିହ ସ୍ଥିତ ପଦ୍ମଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣତ ସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ସିରେଇପୁର ସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଙ୍କିଆପଲ୍ଲିସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ପରିଦର୍ଶନ କରିବା ସହ ୫-ଟି ନିମିତ୍ତ ଆସିଥିବା ଅନୁଦାନରେ ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ ଗୁଡିକର ତଦାରଖ କରିଥିଲେ। ସମସ୍ତ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଜିଲ୍ଲାପାଳ ବାଣପୁର ଏନଏସି ରେ ଡ୍ରେନେଜ ନିର୍ମାଣ, ବାଇପାସରୁ ନନ୍ଦପୁର ପର୍ଯ୍ୟନ୍ତ ନୂତନ ଷ୍ଟ୍ରିଟ ଲାଇଟ ସ୍ଥାପନ ଏବଂ ପୂର୍ତ୍ତବିଭାଗ ଅଧୀନରେ ଥିବା ରୋଡ ମରାମତି ବିଷୟରେ ଗୁରୁତ୍ୱ ଦେଇଥିଲେ।

ସୂଚନା ମୁତାବକ ଖଣତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ପ୍ରପର ୟୁନିଫର୍ମ ପରିଧାନ କରିନଥୁବାରୁ ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ଆଦି ଉପସ୍ଥିତ ଥିଲେ।

ଶିବିରରେ ସମୁଦାୟ ୭୯୨ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ୭୮୭ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ଗୋଷ୍ଠୀ ଅଭିଯୋଗ ଅଟେ। ୪ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିବା ବେଳେ ଦୁଇ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୮ ହଜାର ୪ ଶହ ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଛନ୍ତି ଏବଂ ଜଣେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହୁଇଲଚେୟାର ପ୍ରଦାନ କରିଥିବା ଜଣାପଡିଛି।

ଉକ୍ତ ଶିବିରରେ ବାଣପୁର ବିଡ଼ିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ହିତାଧିକାରୀଙ୍କୁ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ତତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲା ‘ଶାଳିଆ ପ୍ରେସ କ୍ଲବ ‘

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ର ଏକ ପ୍ରତିନିଧି ମଣ୍ଡଳି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀଙ୍କୁ ସାକ୍ଷାତ କରି ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବାଣପୁର ସ୍ଥିତ ଶାଳିଆ ଡ୍ୟାମ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ସ୍ଥଳେ ଏହାକୁ ସଂଯୋଗ କରୁଥିବା ପ୍ରତାପ ଗ୍ରାମ ପର୍ଯ୍ୟନ୍ତ ଉପର ରୋଡ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଯାହାଫଳରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରୋଡ ଉପରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ବେଳେ ବିଭାଗୀୟ ଅବହେଳା ପାଇଁ ଏହାର ମରାମତି କାର୍ଯ୍ୟ ହୋଇପାରୁନାହିଁ।

ସେହିପରି ଭାବେ ଆଉ କେଇ ମାସ ପରେ ବର୍ଷା ଦିନ ଆସୁଥିବା ବେଳେ ବାଣପୁର ଏନଏସି ରେ ଡ୍ରେନଜ ନିର୍ମାଣ ଅଦ୍ୟାବଧି ନହେବା ଜନସାଧାରଣଙ୍କୁ ମର୍ମାହତ କରିଛି। ଏହା କିପରି ଯୁଦ୍ଧକାଳୀନ ଭାବେ ନିର୍ମାଣ କରାଯିବ ସେ ନେଇ ମଧ୍ୟ ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନୁରୂପ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ମଧ୍ୟ ପ୍ରେସ କ୍ଲବର ସଦସ୍ୟ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ କୁ ଅନୁରୋଧ କରିଥିଲେ। ଉଭୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ‘ଶାଳିଆ ପ୍ରେସ କ୍ଲବ ‘ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଗୁଡିକର ନିରପେକ୍ଷ ତଦନ୍ତ ଏବଂ ଅବଗତ କରାଯାଇଥିବା ସମସ୍ୟା ଗୁଡିକର ଆଶୁ ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ବରିତ ପଦକ୍ଷେପ, ଗୋଟିଏ ଫୋନ ପରେ କଲେ ଡାକ୍ତର ନିଯୁକ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏଠାରେ ଡାକ୍ତରଙ୍କ ଅଭାବ ବର୍ଷତମାମ ଲାଗି ରହିଥାଏ। କିଛି ମାସ ପୂର୍ବେ ଗଣମାଧ୍ୟମରେ ଖବର ପ୍ରସାରଣ କରାଯିବାରୁ ମେଣ୍ଢାଶାଳ ରୁ ଡେପୁଟେସନ ରେ ଦୁଇ ଜଣ ଡାକ୍ତରଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସିଡ଼ିଏମଓ।

ତେବେ ବର୍ତ୍ତମାନ ପୁଣି ସେଇ ଅବସ୍ଥା। ସମ୍ପ୍ରତି ବାଣପୁରରେ ମାତ୍ର ୩ ଜଣ ସ୍ଥାୟୀ ଡାକ୍ତର ଅଛନ୍ତି। ଡେପୁଟେସନରେ ଆସିଥିବା ଦୁଇ ଡାକ୍ତର ନିଜ ପୂର୍ବସ୍ଥାନକୁ ଫେରିଯାଇଥିବା ବେଳେ ଆଉ ଜଣେ ସ୍ଥାୟୀ ଡାକ୍ତର ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ପଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏତେ ବଡ ମେଡିକାଲକୁ ମାତ୍ର ୩ ଜଣ ସ୍ଥାୟୀ ଡାକ୍ତର ଚଳାଇବା କଷ୍ଟକର।

ପ୍ରତିଦିନ ରୋଗୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ତେଣୁ ଏ ନେଇ ଆଜି ଅପରାହ୍ନରେ ଜଣେ ସ୍ଥାନୀୟ ସମାଜସେବୀ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୂତନ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ଜିଲ୍ଲାପାଳ ଏହାକୁ ଗୁରୁତ୍ୱ ଦେବାସହ ସଙ୍ଗେସଙ୍ଗେ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାର ଏକ ଘଣ୍ଟା ମଧ୍ୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ଜଣ ନୂତନ ଡାକ୍ତରଙ୍କର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଖୁବ ଶୀଘ୍ର ଉକ୍ତ ଡାକ୍ତରମାନେ ବାଣପୁର ମେଡିକାଲରେ ଯୋଗଦେବେ ବୋଲି ଜଣାପଡିଛି। ତେବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉକ୍ତ ତ୍ୱରିତ ପଦକ୍ଷେପ ଏବଂ ସିଡ଼ିଏମଓ ଙ୍କ ତତ୍ପରତାକୁ ବାଣପୁରବାସି ଉଚ୍ଚ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଲୁଗାଁ ଗସ୍ତ, ପରଖିଲେ ଆହାର କେନ୍ଦ୍ର ଖାଦ୍ୟର ମାନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅପରାହ୍ନରେ  ଅଚାନକ ବାଲୁଗାଁ ଗସ୍ତରେ ଆସି ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ବାଲୁଗାଁ ଏନଏସି ଆହାର କେନ୍ଦ୍ରକୁ ଯାଇ ସେଠାରେ ଖାଦ୍ୟର ମାନ ପରଖିଥିଲେ।  ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ବିଭିନ୍ନ ବିଭାଗ ବୁଲିବା ସହ ରୋଗୀଙ୍କୁ ଯୋଗାଯାଉଥିବା ସେବା ବିଷୟରେ ଅନୁଧ୍ୟାନ କରିଥିଲେ ଏବଂ କିଛି ରୋଗୀଙ୍କ ସହ ବାର୍ତାଳାପ ମଧ୍ୟ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଜେଟିକୁ ଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଦେଖିବା ସହ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ ପାଇଁ ଡ଼ଙ୍ଗା ଚାଳକଙ୍କୁ ତାଗିଦ କରିଥିଲେ। ପରିଶେଷରେ ଗଙ୍ଗାଧରପୁର ନିକଟରେ ଚିଲିକା ବ୍ଲକ ପାଇଁ ପ୍ରସ୍ତାବିତ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କରି ଖୋର୍ଦ୍ଧା ଫେରିଯାଇଥିଲେ ଜିଲ୍ଲାପାଳ।

ଉକ୍ତ ଗସ୍ତରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଏଡିଏମ୍ ମନୋଜ ପାଢ଼ୀ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୩୭୧ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ ଟି ପଞ୍ଚାୟତ ର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପ୍ରଶ୍ନର ଉତ୍ତର ଦେଇଥିଲେ। ଜଣେ ହିତାଧିକାରୀଙ୍କୁ ରେଡ କ୍ରସ ପାଣ୍ଠିରୁ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣ ଦିବ୍ୟାଙ୍ଗକୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆଜି ଦିନସାରା ଚିଲିକା ବ୍ଲକ ପରିସରରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରାଙ୍କ ସମେତ ବହୁ ସବ ଇନ୍ସପେକ୍ଟର ମାନେ ନିୟୋଜିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପର ପ୍ରଥମ ସମୀକ୍ଷା ବୈଠକ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ମନ୍ଦିର ଶୁଭେଚ୍ଛୁ କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ବାଣପୁର ଏନଏସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିକଟରେ ୫ଟି ସଚିବଙ୍କ ଗସ୍ତ ସମୟରେ ମା’ ଭଗବତୀ ମନ୍ଦିର ଉନ୍ନତି ନିମନ୍ତେ ଦିଆଯାଇଥିବା ପ୍ରକଳ୍ପ ଉପରେ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ କମିଟିର ସଦସ୍ୟମାନଙ୍କଠୁ ଜିଲ୍ଲାପାଳ ବିଭିନ୍ନ ମତାମତ ଏବଂ ଅଭିଯୋଗ ଗ୍ରହଣ କରିଥିଲେ। ଆଲୋଚନା ହୋଇଥିବା ପ୍ରମୁଖ ବିଷୟଗୁଡିକ ହେଲା ମନ୍ଦିର ଗର୍ଭଗୃହ ପ୍ରଶସ୍ତିକରଣ, ମନ୍ଦିର ପ୍ରାଚୀର ସମ୍ପ୍ରସାରଣ, ମନ୍ଦିର ଆଧୁନିକିକରଣ, ସରକାରୀ ଓ ଦେବୋତ୍ତର ସ୍ଥାନ ଚିହ୍ନଟ ଓ ଜବରଦଖଲ ଉଚ୍ଛେଦ, ବାଣପୁର ବାଇପାସ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ, ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ, ଟ୍ରାଫିକ କମାଇବା ନିମନ୍ତେ ମେଘାମ୍ବରୀ କେନାଲ ରୋଡରୁ ମନ୍ଦିର ପର୍ଯ୍ୟନ୍ତ ବାଇପାସ ନିର୍ମାଣ ଏବଂ ବାଣପୁର ବାଇପାସ ଠାରୁ ଶକ୍ତି ହଲ ପର୍ଯ୍ୟନ୍ତ ଆଲୋକୀକରଣ।

ଏହି ପରିପ୍ରେକ୍ଷୀରେ ଓବିସିସି, ତହସିଲ ଏବଂ ପୂର୍ତ୍ତବିଭାଗକୁ ଉପରୋକ୍ତ ପ୍ରକଳ୍ପ ପାଇଁ ଯୋଜନା ଅଟକଳ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକ ପରେ ଜିଲ୍ଲାପାଳ ଓ ଟିମ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଯାଇ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା, ଆଇଆଇସି ଜୟପ୍ରକାଶ ପରିଡ଼ା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଏବଂ ଶୁଭେଚ୍ଛୁ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବ୍ୟକ୍ତିଗତ ସହାୟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜିଲ୍ଲାପାଳଙ୍କ ପିଏ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ। ଏ ନେଇ ସବିତା ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଜାତିଆଣ ଆକ୍ଷେପ, ମାନସିକ ଯନ୍ତ୍ରଣା, ସରକାରୀ କାର୍ଯ୍ୟ ପରିବର୍ତ୍ତେ ବାସଭବନରେ କାର୍ଯ୍ୟ କରାଉଥିବା ନେଇ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସବିତା ନାୟକ। ତେବେ ଦୀର୍ଘଦିନ ଧରି ଏପରି ନିର୍ଯାତନା ଜିଲ୍ଲାପାଳ ସ୍ୱାମୀ ହେମନ୍ତଙ୍କୁ ଦେଇ ଆସୁଥିବା କହିଛନ୍ତି ସବିତା। ତେବେ ଟାଉନ ଥାନା ପକ୍ଷରୁ ଏ ସମ୍ପର୍କରେ କୌଣସି ମାମଲା ଏଯାବତ ରୁଜୁ ହୋଇନଥିବା ଜଣାପଡିଛି। ତେବେ ଘଟଣାରେ ସତ୍ୟତା ଅଛି ନା ଜାଣିଶୁଣି ଜିଲ୍ଲାପାଳଙ୍କୁ ବଦନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ, ତାହା ତଦନ୍ତ ପରେ ଜଣାପଡିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଲ୍ଲାସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି: ଡିସେମ୍ବର ୩୦ରୁ ଖୋର୍ଦ୍ଧାରେ ଆରମ୍ଭ ହେବ ଧାନ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୪ଟି ଉପକେନ୍ଦ୍ର ମୋଟ ୧୫୩ଟି ସ୍ଥାନରେ କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ।

ସେହିଭଳି ଧାନ ବିକ୍ରୟ ନିମନ୍ତେ ଚଳିତ ବର୍ଷ ୪୮ ହଜାର ୪୦୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୮୧୩ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ହଜାର ୧୪୭ ଜଣଙ୍କ ପଞ୍ଜିକରଣ ବୈଧ ରହିଛି। ଚଳିତ ଖରିଫ ଋତୁ ନିମନ୍ତେ ୭୮ ହଜାର ୫୯୦ ମେଟ୍ରିକ ଟନ ଚାଉଳ ଅଥବା ଏକ ଲକ୍ଷ ୧୫ ହଜାର ୫୭୩ ମେଟିକ୍ ଟନ ଧାନ ସଂଗ୍ରହ କରାଯିବା ଲକ୍ଷଧାର୍ଯ୍ୟ କରାଯାଇଛି। ସାଧାରଣ କିସମ ଧାନ ପାଇଁ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ ‘ଏ’ ଧାନ ପାଇଁ ୨୦୬୦ ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରୁ ୧୭ ଜଣ ମିଲର ଏଥିରେ ଭାଗ ନେବେ।

ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ସଂପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ କହିଛନ୍ତି। ପ୍ରତ୍ୟେକ ଧାନ ମଣ୍ତିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ। ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ।

ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି ପରାମର୍ଶ ଦେଇଛନ୍ତି। ସମସ୍ତ ମଣ୍ତିରେ ଆବଶ୍ୟକୀୟ ପଲିଥିନ ବ୍ୟବସ୍ଥା କରିବାକୁ ସେ ଅଧିକାରୀ ମାନଙ୍କୁ କହିଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ କେ ମୁର୍ମୁ, ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା, ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ସାହୁ, ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ ବିଶ୍ବାଳ, ସମବାୟ ସମିତି ସମୂହ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସଂପାଦକ, ମିଲର, ଚାଷୀ ପ୍ରତିନିଧି ପମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ବ୍ୟବସାୟ

ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେଲା ବାଲୁଗାଁ ଏଚଡିଏଫସି ବ୍ୟାଙ୍କ: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଦିଗନ୍ତିକା ହୋଟେଲ ମହଲାରେ ପୁର୍ବରୁ ଅବସ୍ଥିତ ଥିବା ଏଚଡିଏଫସି ବ୍ୟାଙ୍କ ଟି ନିକଟସ୍ଥ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ଆଜି ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଉଦଘାଟନ କରିଥିଲେ।

ଅନ୍ୟ ପ୍ରମୁଖ ଅତିଥି ଭାବେ ଜୋନାଲ ମୁଖ୍ୟ ଦୀପକ ସିଂ, କ୍ଲଷ୍ଟର ମୁଖ୍ୟ ଅନିଷ ବିଶ୍ୱାଳ, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, ସହ-ପରିଚାଳକ ଅମୂଲ୍ୟ ନାୟକଙ୍କ ସମେତ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଫାଇନାନ୍ସ କମ୍ପାନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦିଗରେ ବିଶେଷ ଦୃଷ୍ଟି ସହ ଏହି ଶାଖାକୁ ବାଲୁଗାଁ ସହରରେ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।

ସୂଚନା ଥାଉକି ବାଲୁଗାଁ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଦୃଷ୍ଟିରୁ ସହରରେ ଅନେକ ସରକାରୀ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ଥିବାବେଳେ ଏଚଡିଏଫସି ବ୍ୟାଙ୍କର ଏକ ଶାଖା ୨୦୧୩ ମସିହାରୁ ଦିଗନ୍ତିକା ହୋଟେଲ ମହଲାରେ ଥିଲା। ମାତ୍ର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ଋଣ ତଥା ସ୍ୱାବଲମ୍ବୀ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ, ଗାଡିମୋଟର ଋଣ, ଗୃହ ଋଣ, ସୁନା ବନ୍ଧକ ଋଣ ଆଦି କ୍ଷେତ୍ରକୁ ନଜରରେ ରଖି ଉନ୍ନତ ମାନର ସେବା ଯୋଗାଇ ଦେବା ନିମନ୍ତେ ଉକ୍ତ ଶାଖାକୁ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ସ୍ଥାନାନ୍ତରିତ କରାଯାଇଛି। ଯାହାକି ଉଦଘାଟନୀ ଦିବସରେ ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ ପ୍ରଦାନ କରାଯିବା ସହ ଲଘୁ ଉଦ୍ୟୋଗରେ ସ୍ଥାନୀୟ ଜଣେ ବ୍ୟକ୍ତିକୁ ୮୦ ଲକ୍ଷ ଋଣ, ଦୁଇଟି ବାଇକ ଏବଂ ଗୋଟିଏ ଚାରି ଚକିଆ ଗାଡି ଋଣ ଦିଆଯାଇଥିବା ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା ବ୍ଲକ ଅଫିସ ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ଗୁରୁବାର ଦିନ ଚିଲିକା ବ୍ଲକ ପରିଦର୍ଶନ କରିଛନ୍ତି। ସେ ଦୀର୍ଘ ସମୟ ଧରି ବ୍ଲକ ଅଫିସରେ ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଚିଲିକା ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ନିର୍ଦ୍ଦିଷ୍ଠ ସମୟ ମଧ୍ୟରେ ବିଭିନ୍ନ କାର୍ଯ୍ୟ ଶେଷ କରିବାକୁ ସେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କେ ସୁଦର୍ଶନ ଚକ୍ରବର୍ତ୍ତି ଗତ ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଯୋଗଦେବା ପରେ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଉନ୍ନୟନ କାମର ତଦାରଖ କରୁଛନ୍ତି। ନିକଟରେ ସେ ଚିଲିକା ବ୍ଲକର ବିରିବାଡି ସ୍କୁଲ ପରିଦର୍ଶନ ମଧ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଭୂଷଣ୍ଡପୁର ମା’ ଉଗ୍ରତାରା ମନ୍ଦିର ଗସ୍ତ

ଭୂଷଣ୍ଡପୁର: ଚାଲିଛି ମା’ଙ୍କ ପୀଠରେ ଶାରଦୀୟ ପୂଜା। ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତି ପୀଠ। ଭକ୍ତମାନେ ଦର୍ଶନ ପାଇଁ ମା’ଙ୍କ ପୀଠକୁ ଦୌଡି ଆସୁଛନ୍ତି। ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ମା’ ଉଗ୍ରତାରା ଦେବୀଙ୍କ ପୀଠରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି। ବହୁ ଦୂର ଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ମା’ଙ୍କ ଦର୍ଶନ ନିମନ୍ତେ।

ଆଜି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆସି ପହଞ୍ଚିଥିଲେ ମା’ ଉଗ୍ରତାରାଙ୍କ ପୀଠରେ। ସେଠାରେ ପହଂଚି ମା’ଙ୍କୁ ଦର୍ଶନ କରିଛନ୍ତି ଜିଲ୍ଲାପାଳ। ଏହା ସହ ମା’ଙ୍କ ପୀଠରେ ଥିବା ପୁଷ୍କରୀଣୀ, ପାର୍କ, ରାସ୍ତା ଘାଟ, ବିଦ୍ୟୁତ୍ କରଣ, ଶୌଚାଳୟ ଆଦି ବୁଲି ଦେଖିଛନ୍ତି ଜିଲ୍ଲାପାଳ। ମା’ଙ୍କ ପୀଠର କିଭଳି ଉନ୍ନୟନକରଣ କରାଯାଇ ପାରିବ ସେ ନେଇ ମନ୍ଦିର ପୂଜକ ମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।

ଏହି ପୀଠ ଏକ ତନ୍ତ୍ର ପୀଠ ହୋଇଥିବାରୁ ସଦା ସର୍ବଦା ଏଠାରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଥାଏ। ତେଣୁ ଉଗ୍ରତାରାଙ୍କ ପୀଠର କିଭଳି ପାରିପାର୍ଶିକ ଉନ୍ନତି ହୋଇ ପାରିବ ସେ ନେଇ ଜିଲ୍ଲାପାଳ। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି। ଏହା ସହ ଏଠାରେ ଏକ ପୋଲିସ ସହାୟତା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Categories
DurgaPujaNews ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ, ଡ୍ରେନେଜ ବ୍ୟବସ୍ଥାକୁ ଦେଲେ ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ।

ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଏତଦବ୍ୟତୀତ ବାଣପୁର ଏନଏସିରେ ଡ୍ରେନେଜ ନିର୍ମାଣ ବିଷୟରେ ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ, ସେଥି ନିମନ୍ତେ ଜିଲ୍ଲାପାଳ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇସାରିଥିବା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ପ୍ରସ୍ତାବିତ ୫ଟି ବିଦ୍ୟାଳୟକୁ ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଚିଲିକା ବ୍ଲକର ପ୍ରସ୍ତାବିତ ୫ଟି ବିଦ୍ୟାପୀଠ ପରିଦର୍ଶନ କରିଛନ୍ତି। ତୃତୀୟ ଫେଜରେ ଚିଲିକା ବ୍ଲକ ର ତିନି ଗୋଟି ବିଦ୍ୟାଳୟକୁ ୫ଟି ରେ ସାମିଲ କରିବା ପାଇଁ ପ୍ରସ୍ତାବ ପଠାଯାଇଥିବା ବେଳେ ତନ୍ମଧ୍ୟରୁ ଦୁଇ ଗୋଟି ବିଦ୍ୟାଳୟକୁ ଆଜି ଜିଲ୍ଲାପାଳ ପରିଦର୍ଶନରେ ଆସି ଭିତ୍ତିଭୂମି ପରଖିଥିଲେ।

ଚଣ୍ଡେଶ୍ୱର ପଞ୍ଚାୟତ ଅଁଳାଡିହ ଗ୍ରାମର ଡ଼ିପି ଉଚ୍ଚ ବିଦ୍ୟାଳୟ ଏବଂ ବିରିବାଡ଼ି ପଞ୍ଚାୟତ ବିରିବାଡ଼ି ଗ୍ରାମର ଏସଏଲଡ଼ିଏମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନକୁ ଯାଇ ୫ଟି ପ୍ରସ୍ତାବ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ।

ଏହାପରେ ଜିଲ୍ଲାପାଳ ଚିଲିକା ବ୍ଲକ କାର୍ଯ୍ୟାଳୟ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଚିଲିକା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ଶୁଭାରମ୍ଭ: ଉପଲବ୍ଧ ହେବ ଓଡିଆ ଖାଦ୍ୟ 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ଶୁଭାରମ୍ଭ ହୋଇଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବ୍ଲକ ସ୍ତରୀୟ ମହାସଂଘ ଅନ୍ତର୍ଗତ ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ବାରା ଏହା ପରିଚାଳିତ ହେବ।

ଏଠାରେ ପାରମ୍ପରିକ ଓଡିଆ ଖାଦ୍ୟ ସହ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ଉପଲବ୍ଧ ହେବ। ଆରିଷା, ମିଠା, ଆଚାର, ପାପଡ, ବଡି, ମାଣ୍ତିଆ ଚୂନା, ମସଲା ଗୁଣ୍ତ, ସେଓ,ଗାଣ୍ଠିଆ, ମୁଢି, ଚୁଡା ମୁଆଁ ଆଦି ଖାଦ୍ୟ ସାମଗ୍ରୀ ମଧ୍ୟ ମିଳିବ। ଶୁଦ୍ଧ ଓ ପରିଷ୍କାର ପରିଚ୍ଛନ୍ନ ପରିବେଶ ମଧ୍ୟରେ ସମସ୍ତ ଖାଦ୍ୟ ସାମଗ୍ରୀ ସୁଲଭ ଦରରେ ଉପଲବ୍ଧ ହେବ। ସେହିଭଳି ଖୋର୍ଦ୍ଧା ବ୍ଲକ ପରିସରରେ ମଧ୍ୟ ଆଉ ଗୋଟିଏ ମିଶନ ଶକ୍ତି କାଫେ କାର୍ଯ୍ୟକ୍ଷମ ହୋଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ଡିପିଏମ୍ ବିବେକ ରଞ୍ଜନ ବେହୁରିଆ, ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ବିପିସି ସ୍ବପ୍ନା ପାତ୍ର, ସୁକାନ୍ତି ସାହୁ, ଅଞ୍ଜୁମାନ ଆରା, ସିଡିପିଓ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏଡିଏମ୍ ମନୋଜ ପାଢ଼ୀ, ଚିଲିକା ବ୍ଲକ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଡ଼ିଏସପି ଓମ ପ୍ରକାଶ ପାତ୍ର, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ବାଲୁଗାଁ ଏନଏସି ର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୧୫୭୫ ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ ଟି ପଞ୍ଚାୟତ ର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପ୍ରଶ୍ନର ଉତ୍ତର ଦେଇଥିଲେ। ଦୁଇ ଜଣ ହିତାଧିକାରୀଙ୍କୁ ରେଡ କ୍ରସ ପାଣ୍ଠିରୁ ୮୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣ ଦିବ୍ୟାଙ୍ଗକୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଆଜି ଦିନସାରା ଚିଲିକା ବ୍ଲକ ପରିସରରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ, ବାଣପୁର, ଟାଙ୍ଗୀ ଆଇଆଇସି ଏବଂ କୁହୁଡି ଓ ନାଚୁଣୀ ଫାଣ୍ଡି ଅଧିକାରୀଙ୍କ ସମେତ ବହୁ ସବ ଇନ୍ସପେକ୍ଟର ମାନେ ନିୟୋଜିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆଜି ସୁଦ୍ଧା ଦେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାରେ ବନ୍ୟା ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବନ୍ୟାଞ୍ଚଳରେ ପାନୀୟ ଜଳ,ସ୍ବାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏଭଳି ଅଭିଯୋଗ ଆସିବା ପରେ ଯାଞ୍ଚ କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆଜି ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ଏବଂ ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକାଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଆକଳନ ନିମନ୍ତେ ପ୍ରତି ବ୍ଲକସ୍ତରରେ ଟିମ ମାନ ଗଠନ କରାଯାଇ ଉକ୍ତଟିମରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ରଖିବା ନିମନ୍ତେ ପୂର୍ବ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।

ଉକ୍ତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ୍ତ ସାହୁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମହାରଣା, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ଚଢ଼ାଉ, ୬ ହଜାର ଲିଟର ପୋଚ ନଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ପ୍ରଧାନ ସାହି ଅଞ୍ଚଳର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଅବକାରୀ ବିଭାଗ ୫ ହଜାର ୬ ଶହ ଲିଟର ପୋଚ ଏବଂ ୫୪୦ ଲିଟର ଦେଶୀ ମଦ ଉକ୍ତ ସ୍ଥାନରୁ ଜବତ କରି ନଷ୍ଟ କରିଦେଇଛି।

ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଛନ୍ତି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

ଅନୁରୂପ ଭାବେ ବାଲୁଗାଁ ଥାନା ବଡ଼କୁଳ ଅଞ୍ଚଳରୁ ଜଣେ ମଦ ବେପାରିକୁ ୨୦ ଲିଟର ଦେଶୀ ମଦ ସହ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ସେହିଭଳି ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ନୂତନ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଚନ୍ଦନ ଦାସ ରାଣୀପଡ଼ା ଗ୍ରାମ ବିଦ୍ୟାଳୟ ନିକଟରେ ଚଢ଼ାଉ କରି ଜଣେ ଦେଶୀ ମଦ ବେପାରିଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୋଚିରାମ ଦାସ। ତାଙ୍କ ନିକଟରୁ ୬୦ ରୁ ଉର୍ଦ୍ଧ୍ଵ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏ ସଂକ୍ରାନ୍ତରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୧୯ ଟି ବିଦ୍ୟାଳୟକୁ ମିଳିଲା ସ୍ଥାୟୀ ପଟ୍ଟା

ସୀତାରାମ ଅଗ୍ରୱାଲ

ଚିଲିକା: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚିଲିକା ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିର ସମୁଦାୟ ୩୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୩୫ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୩୯୧ ଗୋଟି ଅଭିଯୋଗ ମଧ୍ୟରୁ ୩୮୧ ଟି ବ୍ୟକ୍ତିଗତ ଏବଂ ୧୦ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ଦୁଇ ଜଣ ଭିନ୍ନକ୍ଷମଙ୍କୁ ଗୋଟାଏ ଲେଖାଏଁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୯ ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତକୁ ୧୭ ଟି ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣି: ୨୬ ଟି ଅଭିଯୋଗର ତୁରନ୍ତ କଲେ ସମାଧାନ

ସୀତାରାମ ଅଗ୍ରୱାଲ

ବାଣପୁର: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୪୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୨୬ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୪୯୧ ଗୋଟି ଅଭିଯୋଗ ମଧ୍ୟରୁ ୪୮୧ ଗୋଟି ବ୍ୟକ୍ତିଗତ ଏବଂ ୧୦ ଗୋଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୧୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୮୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ୬ ଜଣ ଭିନ୍ନକ୍ଷମଙ୍କୁ ୫ ଗୋଟି ଟ୍ରାଇ ସାଇକେଲ ଏବଂ ଗୋଟେ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୨ ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଆଇ ଗୌରବ ଶିବାଜି, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡିଓ ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଉପାଧ୍ୟକ୍ଷା ରୀନା ଦେଇ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ଟିକି ଶବର, ରୋଜିତା ପ୍ରଧାନ ଏବଂ ଅନ୍ୟ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୂଷଣ୍ଡପୁର ମା’ ଉଗ୍ରତାର ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଶକ୍ତି ପିଠ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକର ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ଥିବା ପାର୍କର ଉନ୍ନତିକରଣ, ଆରଡବ୍ଲୁଏସଏସ ପକ୍ଷରୁ ନୂଆ ବୋରିଙ୍ଗ ନିର୍ମାଣ, ସଂପୂର୍ଣ୍ଣ ମନ୍ଦିର ରଙ୍ଗ, ମନ୍ଦିର ପାର୍ଶ୍ୱରେ ଥିବା ବିଭିନ୍ନ ଦୋକାନ ଏବ ରାସ୍ତାର ନବୀକରଣ, ଭକ୍ତଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ, ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣଧୀନ ଭୋଗ ମଣ୍ଡପ ଓ ଆନନ୍ଦ ବଜାର, ଖରାରୁ ରକ୍ଷାପାଇବା ପାଇଁ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ନିମନ୍ତେ ବିଶ୍ରାମ କକ୍ଷ ନିର୍ମାଣ ଏବଂ ମନ୍ଦିର ପରିସରରେ ବୃକ୍ଷରୋପଣ ଆଦି କାର୍ଯ୍ୟଗୁଡିକୁ ଜିଲ୍ଲାପାଳ ତଦାରଖ କରିଛନ୍ତି।

ତେବେ ସମସ୍ତ କାର୍ଯ୍ୟାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଟାଙ୍ଗୀ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତେବେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କେବେ ଆରମ୍ଭ ହେବ ବୋଲି ଆମ ପ୍ରତିନିଧି ପଚାରିବାରୁ ଉକ୍ତ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ତତସହିତ ପ୍ରତି ପନ୍ଦର ଦିନ ବ୍ୟବଧାନରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ମା’ ଭଗବତୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଜାରି ରଖିଥିବାର କହିଛନ୍ତି।