Categories
ଆଜିର ଖବର ଆଞ୍ଚଳିକ

ଅକ୍ଟୋବର ଶେଷ ସୁଦ୍ଧା ବାଣପୁର ଏବଂ ଚିଲିକାକୁ କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବାକୁ ଲକ୍ଷ୍ୟ: ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଧୀରେ ଧୀରେ କରୋନା ଆୟତ୍ତକୁ ଆସିଲାଣି ଏବଂ ଯଦି ଏ ସବୁ ନିୟମ କଡାକଡି ଭାବେ ପାଳନ କରାଯାଏ ତାହାଲେ ଆଗାମୀ ଦିନରେ ଚିଲିକାରେ ଜ଼ିରୋ କୋଭିଡ କେସ ଲକ୍ଷ ପୂରଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ବାଣପୁର ବ୍ଲକ କୁ ଅକ୍ଟୋବର ୨୦ ଏବଂ ଚିଲିକା ବ୍ଲକକୁ ଅକ୍ଟୋବର ୩୧ ସୁଦ୍ଧା କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏଥିଲାଗି ଆଉ କିଛି ଦିନ ଉଭୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧି ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ।

ପରିଶେଷରେ ଜିଲ୍ଲାପାଳ ପ୍ରତି ଗ୍ରାମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, କଡା ଆଇସୋଲେସନ ବ୍ୟବସ୍ଥା କରିବା ଏବଂ କୋଭିଡରୁ ସୁସ୍ଥ ହୋଇଥିବା ୧୮-୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ନେଇ ଉତ୍ସହିତ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ। ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ବାଣପୁର ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଉକ୍ତ ବୈଠକକୁ ପରିଚାଳନା କରିଥିଲେ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି

ସୀତାରାମ ଅଗ୍ରୱାଲ 

ଖୋର୍ଦ୍ଧା: ଆଜି ଦାୟିତ୍ଵ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। କାର୍ଯ୍ଯାଭାର ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ୧୪୫ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ରକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ଵାଇଁ ଏବଂ ଅନ୍ୟ ଅଧିକାରୀମାନେ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରିଥିଲେ। ଏହା ସହିତ ଜିଲ୍ଲାପାଳ କାର୍ଯ୍ଯାଳୟରେ ନୂତନ ଜିଲ୍ଲାପାଳଙ୍କୁ ଅଧିକାରୀମାନେ ସ୍ଵାଗତ ଦେବା ସହିତ ପୂର୍ବତନ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ କୁମାର ଦାସ ପଟ୍ଟନାୟକ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ଵାଇଁ, ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ। ଏହା ସହିତ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି। ଗଞ୍ଜାମ ଜିଲ୍ଲା ପରେ ଖୋର୍ଦ୍ଧାଜିଲ୍ଲା ରାଜ୍ୟରେ ଦ୍ଵିତୀୟ କରୋନା ହଟସ୍ପଟ ଜିଲ୍ଲା।

ଜିଲ୍ଲା ଭିତରେ ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଞ୍ଚଳମାନଙ୍କରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କ’ଣ ସବୁ ପଦକ୍ଷେପ ନେବେ ବୋଲି ଏକ ପ୍ରଶ୍ନରେ, କରୋନା ସଂକ୍ରମଣକୁ ରୋକିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବି ବୋଲି ଆମ ଚିଲିକା ପ୍ରତିନିଧିଙ୍କୁ ଟେଲିଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି।

ଗତ କିଛି ଦିନ ତଳେ ଟାଙ୍ଗୀ ତହସିଲଦାରଙ୍କୁ ମାଙ୍କଡା ପଥର ଖଣି ମାଫିଆଙ୍କ ଦ୍ଵାରା ଆକ୍ରମଣ ଘଟଣାର ପ୍ରଶ୍ନରେ ଜିଲ୍ଲାପାଳ ଉତ୍ତର ରଖି କହିଥିଲେ ଯେ, ଏନେଇ ସେ ଅପରାଧୀଙ୍କ ବିରୋଧରେ କଡା ପଦକ୍ଷେପ ନେବା ସହିତ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଜିଲ୍ଲାପାଳ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଭିଡ୍‌ ନିୟମ ଉଲ୍ଲଂଘନ: ଦୋକାନ ସିଲ କରିବା ସହ ଜରିମାନା ଆଦାୟ କଲେ ବାଣପୁର ପ୍ରଶାସନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଭିଡିଓ କନଫେରେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ଦିଷ୍ଟ ସମୟ ଯାଏଁ ସର୍ତ୍ତମୂଳକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମ ଗୁଡିକରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଥିବାସ୍ଥଳେ ଦୋକାନ ଓ ଗ୍ରାହକ ମଧ୍ୟରେ ୬ଫୁଟ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ମଧ୍ୟ ବାଧ୍ୟତାମୂଳକ କରାଯାଇଅଛି। ଯଦି କୌଣସି ଦୋକାନରେ ଏହାର ବ୍ୟତିକ୍ରମ ଘଟେ ତାହାଲେ ସମ୍ପୃକ୍ତ ଦୋକାନ ଉପରେ ଜରିମାନା ଏବଂ ଦରକାର ପଡିଲେ ସିଲ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଆଜି ତତ୍ପର ହୋଇଉଠିଛି ବାଣପୁର ପ୍ରଶାସନ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ସକାଳେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ବଜାରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲେ। ଖାସ କରି ସହରର ବିଭିନ୍ନ ମିଠା ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ ନିୟମ ଉଲଂଘନରେ ସହରର ଏକ ପ୍ରମୁଖ ମିଠା ଦୋକାନୀ ରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରିବା ସହ ବାଣପୁର ପୋଲିସ ସହଯୋଗ ରେ ଉକ୍ତ ଦୋକାନକୁ ସିଲ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଅନୁରୂପ ଭାବେ ପଲଟନ ପଡ଼ିଆର ଦୁଇ ଗୋଟି ମିଠା ଦୋକାନଠୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ ଏବଂ ଏନ.ଏ.ସି କର୍ମଚାରୀ ସାମିଲ ଥିଲେ।

ଲୋକଙ୍କୁ ଦୋକାନୀମାନେ କଟକଣାକୁ ମାନିବାକୁ ଅନୁରୋଧ କରୁଥିଲେ ମଧ୍ୟ ଜୋରଜବରଦସ୍ତି ଦୋକାନ ଭିତରେ ଗ୍ରାହକମାନେ ପସି ମିଠା କିଣୁଥିବା ସମୟରେ ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ଫଳରେ ଅମାନିଆ ଗ୍ରାହକଙ୍କ କାରଣରୁ ଦୋକାନୀଙ୍କ ସମସ୍ୟା ସୃଷ୍ଟି ହେଉଛି।

ଅନୁରୂପ ଭାବେ ଆଜି ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା ତହସିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ନାଚୁଣୀ ଫାଣ୍ଡି କର୍ମଚାରୀଙ୍କ ସହଯୋଗରେ ନାଚୁଣୀ ବଜାରର ଗାଙ୍ଗୁରାମ ମିଠା ଦୋକାନକୁ ସାତ ଦିନ ପାଇଁ ସିଲ କରିବା ସହିତ ୫୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଉକ୍ତ ଦୋକାନରେ କୋଭିଡ ଗାଇଡ଼ଲାଇନର ଖୋଲାଖୋଲି ଉଲଂଘନ ହୋଇଥିବାର ଦେଖିବାକୁ ପାଇଥିଲେ ତହସିଲଦାର।  ଆଗାମୀ ଦିନରେ ଏହି କଟକଣା କୁ ଅଧିକ କଡାକଡି କରାଯିବା ସହ ପାଟ୍ରୋଲିଂ ଜୋରଦାର କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଏନଏସି କାର୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଜ କଟକଣା ଜାରି କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ
ବାଣପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ରଜ ପର୍ବ ପାଳନ ଉପରେ କଟକଣା ଜରି କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଉଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଶୁଂ କୁମାର ରାଉତ ଏକ ବିଜ୍ଞପ୍ତି ଜରିଆରେ ରଜ କଟକଣା ଜାରି କରିଛନ୍ତି । ଦିନକୁ ଦିନ ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ରଜ ସମୟରେ ସାମାଜିକ ଏକତ୍ରୀକରଣ ଦ୍ବାରା ଏହି ଭାଇରସ୍‌ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।

ଭାଇରସ୍‌ ବ୍ୟାପିବାର ଆଶଙ୍କାକୁ ପ୍ରତିହତ କରିବା ପାଇଁ ସମସ୍ତ ସାଂସ୍କୃତିକ ପର୍ବ ପାଳନ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ଏକତ୍ର ହୋଇ ତାସ୍‌ ଖେଳିବା, ରଜ ଦୋଳି ଏବଂ ଅନ୍ୟାନ୍ୟ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତ 14 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି ନିୟମର ଉଲ୍ଲଂଘନ କରାଗଲେ ଆଇପିସିର ଧାରା 188 ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ, କେନ୍ଦୁଝର, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏନେଇ କଡା କଟକଣା ଜାରି କରାଯାଇଛି ।