ବାଣପୁରରେ ଅବକାରୀ ଚଢ଼ାଉ, ୬ ହଜାର ଲିଟର ପୋଚ ନଷ୍ଟ

Published: Jul 3, 2022, 8:24 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ପ୍ରଧାନ ସାହି ଅଞ୍ଚଳର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଅବକାରୀ ବିଭାଗ ୫ ହଜାର ୬ ଶହ ଲିଟର ପୋଚ ଏବଂ ୫୪୦ ଲିଟର ଦେଶୀ ମଦ ଉକ୍ତ ସ୍ଥାନରୁ ଜବତ କରି ନଷ୍ଟ କରିଦେଇଛି।

ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଛନ୍ତି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

ଅନୁରୂପ ଭାବେ ବାଲୁଗାଁ ଥାନା ବଡ଼କୁଳ ଅଞ୍ଚଳରୁ ଜଣେ ମଦ ବେପାରିକୁ ୨୦ ଲିଟର ଦେଶୀ ମଦ ସହ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ସେହିଭଳି ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ନୂତନ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଚନ୍ଦନ ଦାସ ରାଣୀପଡ଼ା ଗ୍ରାମ ବିଦ୍ୟାଳୟ ନିକଟରେ ଚଢ଼ାଉ କରି ଜଣେ ଦେଶୀ ମଦ ବେପାରିଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୋଚିରାମ ଦାସ। ତାଙ୍କ ନିକଟରୁ ୬୦ ରୁ ଉର୍ଦ୍ଧ୍ଵ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏ ସଂକ୍ରାନ୍ତରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Related posts