Categories
ଆଜିର ଖବର ରାଜ୍ୟ ଖବର

ଭୂଷଣ୍ଡପୁର ମା’ ଉଗ୍ରତାର ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଶକ୍ତି ପିଠ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକର ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ମନ୍ଦିର ସମ୍ମୁଖରେ ଥିବା ପାର୍କର ଉନ୍ନତିକରଣ, ଆରଡବ୍ଲୁଏସଏସ ପକ୍ଷରୁ ନୂଆ ବୋରିଙ୍ଗ ନିର୍ମାଣ, ସଂପୂର୍ଣ୍ଣ ମନ୍ଦିର ରଙ୍ଗ, ମନ୍ଦିର ପାର୍ଶ୍ୱରେ ଥିବା ବିଭିନ୍ନ ଦୋକାନ ଏବ ରାସ୍ତାର ନବୀକରଣ, ଭକ୍ତଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ, ପୂର୍ତ୍ତବିଭାଗ ଦ୍ୱାରା ନିର୍ମାଣଧୀନ ଭୋଗ ମଣ୍ଡପ ଓ ଆନନ୍ଦ ବଜାର, ଖରାରୁ ରକ୍ଷାପାଇବା ପାଇଁ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ନିମନ୍ତେ ବିଶ୍ରାମ କକ୍ଷ ନିର୍ମାଣ ଏବଂ ମନ୍ଦିର ପରିସରରେ ବୃକ୍ଷରୋପଣ ଆଦି କାର୍ଯ୍ୟଗୁଡିକୁ ଜିଲ୍ଲାପାଳ ତଦାରଖ କରିଛନ୍ତି।

ତେବେ ସମସ୍ତ କାର୍ଯ୍ୟାଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଟାଙ୍ଗୀ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତେବେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ବାଣପୁର ମା’ ଭଗବତୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କେବେ ଆରମ୍ଭ ହେବ ବୋଲି ଆମ ପ୍ରତିନିଧି ପଚାରିବାରୁ ଉକ୍ତ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ତତସହିତ ପ୍ରତି ପନ୍ଦର ଦିନ ବ୍ୟବଧାନରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ମା’ ଭଗବତୀ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ଜାରି ରଖିଥିବାର କହିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିର ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ବର: ଆସନ୍ତାକାଲି ହେଉଛି ମହାଶିବରାତ୍ରୀ। ଭୁବନେଶ୍ବରର ପ୍ରସିଦ୍ଧ ଶୈବପିଠ ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ପ୍ରସ୍ତୁତି ପର୍ବ ତଦାରଖ କରିଥିଲେ। ସେ ମନ୍ଦିରର ବିଭିନ୍ନ ସ୍ଥାନ ପରିଦର୍ଶନ ପରି ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିଥିଲେ।

ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର ୧୦ ଟାରେ ମହାଦୀପ ଉଠିବ ବୋଲି ନିଷ୍ପତି ହୋଇଛି। ଭକ୍ତମାନେ ଧାଡିରେ ଯାଇ ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି ମନ୍ଦିରରୁ ପ୍ରସ୍ଥାନ କରିବେ ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଶାନ୍ତିଶୃଙ୍ଖଳାରେ ସରିଲା ପଞ୍ଚାୟତ ନିର୍ବାଚନ: ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ଆଜି ରାଜ୍ୟରେ ଶେଷ ହେଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ। କାଁଭା କିଛି ସ୍ଥାନକୁ ଛାଡିଦେଲେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଶାନ୍ତିଶୃଙ୍ଖଳାରେ ଭୋଟ ଗ୍ରହଣ ସମାପ୍ତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ନିର୍ବାଚନକୁ ନେଇ ଖୁସିବ୍ୟକ୍ତ କରିବା ସହ ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହିତ ନିର୍ବାଚନରେ ସାମିଲ ଥିବା ପୋଲିଂ ଅଧିକାରୀ, ପ୍ରଶାସନିକ ଅଧିକାରୀ, ପୋଲିସ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କ ସହଯୋଗ ଯୋଗୁଁ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହେବା ସହିତ ଜିଲ୍ଲା ଏକ ଉଲ୍ଲେଖନୀୟ ସଫଳତା ପାଇଥିବା  ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ସମସ୍ତ ପାଞ୍ଚୋଟି ପର୍ଯ୍ୟାୟ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଥିବାରୁ ଏହା ଆମ ଜିଲ୍ଲା ପାଇଁ ନିର୍ବାଚନ ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ ମାମଲା: ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ଦାବିପତ୍ର

ଖୋର୍ଦ୍ଧା: ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ବେଳେ ଆଜି କା ଦିନରେ କାର୍ଯ୍ୟରତ ସାମ୍ବାଦିକ ମାନେ ବହୁ ଆକ୍ରୋଶର ଶିକାର ହେଉଛନ୍ତି। ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ଗଣମାଧ୍ୟମର ପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କିଛି କରୁନାହାନ୍ତି। ଗଣମାଧ୍ୟମର ପ୍ରତିନିଧି ବେଳକୁ ବେଳ ଅସମାଜିକ ବ୍ୟକ୍ତିମାନଙ୍କ ଦ୍ଵାରା ଆକ୍ରୋଶର ଶିକାର ହେଉଛନ୍ତି।

ବିଞ୍ଝରାପୁର, ନୟାଗଡ଼ ଓ ଚାନ୍ଦବାଲିରେ ଯେଉଁ ଘଟଣା ମାନ ଘଟିଛି ତାକୁ ଭିତ୍ତି କରି ଉତ୍କଳ ସାମ୍ବାଦିକ ସଙ୍ଘ (ଖୋର୍ଦ୍ଧା)ର ସଭାପତି ପ୍ରଭାତ କୁମାର ମିଶ୍ରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଅନ୍ୟ ସାମ୍ବାଦିକମାନଙ୍କ ମଧ୍ୟରେ ଉମାଶଙ୍କର ପ୍ରସାଦ ରାମ, ଶରତ ବାରିକ, ରବି ନାରାୟଣ ସାହୁ, ସତ୍ୟ ନାରାୟଣ ପାଇକରାୟ, ଜିତୁ ସାହୂ, ଅଭିଭକ୍ତ ହରି ହର ଖାଡଙ୍ଗା, ସତ୍ୟ ନାରାୟଣ ଦାସ, ରଣଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୁଥ ପରିଦର୍ଶନ କରି ଭୋଟ ଗ୍ରହଣ ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ଆଜି ବିଭିନ୍ନ ସ୍ଥାନରେ ଚାଲିଛି ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ପକ୍ରିୟା ତଦାରଖ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମାହାପାତ୍ର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି। ସେ ଆଜି ସକାଳେ ବେଗୁନିଆ ବ୍ଲକର ବଡବେରନା, ପୋଡାଡିହ, ସିମୋର ବୁଥ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ସ୍ଥାନୀୟ ତହସିଲଦାର, ବିଡିଓ ଏବଂ ଇନସ୍ପେକ୍ଟର ମଧ୍ୟ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ଭୋଟ ଗ୍ରହଣ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ଵରିତ ପଦକ୍ଷେପ: ଚିଲିକାର ଗରିବ ରୋଗିଙ୍କୁ ବଢାଇଲେ ସହାୟତାର ହାତ

ସୀତାରାମ ଅଗ୍ରୱାଲ

ଚିଲିକା: ଗରିବ ରୋଗିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସହାୟ ହୋଇଛନ୍ତି। ଉକ୍ତ ରୋଗୀଙ୍କୁ ଆର୍ଥିକ ସହାୟତା ଯୋଗାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ‘ସମୀକ୍ଷା’ ରେ ‘ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ’ ଶୀର୍ଷକରେ ଏକ ଖବର ପ୍ରସାରଣ କରାଯାଇଥିଲା। ଯେଉଁଥିରେ କି ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟିଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କ ଗରିବ ପୁଅ ଚିକିତ୍ସାପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ କରିଥିଲେ।

ତେବେ ଖବରକୁ ଗୁରୁତର ସହ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଅପରାହ୍ନରେ ପ୍ରଫୁଲୀଙ୍କ ଚିକିତ୍ସା ନିମନ୍ତେ ଓସୱାସ ଜରିଆରେ ରେଡ଼କ୍ରସ ପାଣ୍ଠିରୁ ତୁରନ୍ତ ୧୦ ହଜାର ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି ଜିଲ୍ଲାପାଳ। ଏ ନେଇ ଜିଲ୍ଲାପାଳ ଆମ ଚିଲିକା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଅର୍ଥରାଶି ଆସନ୍ତାକାଲି ରୋଗୀଙ୍କ ନିକଟକୁ ପହଂଚିବ ବୋଲି ଜଣାପଡିଛି।

ସେହିପରି ଭାବେ ରୋଗିଙ୍କୁ ଚିକିତ୍ସା ପାଇଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ଯୋଜନାରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଆବେଦନ ପରେ ଜିଲ୍ଲାପାଳ ରୋଗୀଙ୍କ ଚିକିତ୍ସାପାଇଁ ଯଥାସମ୍ଭବ ଅନୁଦାନ ଅନୁମୋଦନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ତେବେ ଜିଲ୍ଲାପାଳଙ୍କ ଉକ୍ତ ତ୍ଵରିତ ପଦକ୍ଷେପକୁ ସମସ୍ତ ଚିଲିକାବାସି ଭୂୟସୀ ପ୍ରଶଂସା କରିଛନ୍ତି। ଅନୁରୂପ ଭାବେ ରୋଗୀଙ୍କ ପରିବାର ପକ୍ଷରୁ ‘ସମୀକ୍ଷା’ ମାଧ୍ୟମରେ ଜିଲ୍ଲାପାଳଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରାଯାଇଛି।

Categories
ଆଞ୍ଚଳିକ

ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନ ମଜୁରିଆ ଉପରେ ପରିବାର ଭାର ସତେ ଯେମିତି ବୋଝ ଉପରେ ନଳିତା ବିଡା ସଦୃଶ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟିଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି। ପୁଅ, ବୋହୂ,୨ ନାତୁଣୀ ଓ ଗୋଟିଏ ନାତିଙ୍କୁ ନେଇ ପରିବାରରେ ୬ ଜଣ ସଦସ୍ୟ। ପୁରା ପରିବାର ଭରସା କରୁଛି ଏକ ମାତ୍ର ରୋଜ ଗାରିଆ ପୁଅ ଉପରେ। ବାପ ଛେଉଣ୍ଡ ପୁଅ ପେସାରେ ଜଣେ ଫେରି ବେପାରୀ। କେତେବେଳେ ଦୈନିକ ୧୦୦ ଟଙ୍କା ବିକନ୍ତି ତ ଆଉ କେତେବେଳେ ୨୦୦ ଟଙ୍କା। ମାତ୍ର ଚିକିତ୍ସା ପାଇଁ ଘର ଖଣ୍ଡିକ ମଧ୍ୟ କେଇଟା ଟଙ୍କା ପାଇଁ ଦାଣ୍ଡରେ ବନ୍ଧା ପଡିଛି।

ତଥାପି ନିଜର ଉଦ୍ୟମ ବଳରେ ପରିବାରବର୍ଗଙ୍କ ଭରଣ ପୋଷଣ କରିବା ସହ ଯାହା ଅର୍ଥ ବଳକା ହୁଏ ମା’ ର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି। କିନ୍ତୁ ଆଜିର ମହାଙ୍ଗା ଦୁନିଆରେ ଏସବୁ ସମ୍ଭବପର ନ ହେବାରୁ ବହୁ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏ ଖବର ସୋସିଆଲ ମିଡିଆରେ ଭାଇରଲ ହେବା ପରେ ‘ଦ ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ସଭାପତି ରଞ୍ଜନ ମହାପାତ୍ର, ନୟାଗଡ଼ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ସାହୁ, ସମାଜ ସେବୀ ପ୍ରମୋଦ କୁମାର୍ ସ୍ବାଇଁ, ସୁରେଶ ଦାସ, ଶାଳିଆ ପ୍ରେସ କ୍ଲବର ସଦସ୍ୟ ବୃନ୍ଦ ପ୍ରମୁଖ ପହଞ୍ଚି ବୃଦ୍ଧ ମା’ ଙ୍କୁ ଆଶ୍ଵାସନା ଦେବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଏଥି ସହିତ ବୃଦ୍ଧ ମା’ ଙ୍କ ଚିକିତ୍ସା କରାଇବାର ପ୍ରତିଶୃତି ମଧ୍ୟ ଦେଇଥିଲେ।

ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ସହିତ ସମାଜସେବୀ ଭାଇ ଭଉଣୀ ମାନଙ୍କୁ କିଛି କିଛି ସହଯୋଗର ହାତ ବଢ଼ାଇବାପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାକି ପ୍ରଫୁଲୀ ପୃଷ୍ଟିଙ୍କ ପୁଅ ଦୀପ ରଞ୍ଜନ ପୃଷ୍ଟି କିଛି ସରକାରୀ ସାହାର୍ଯ୍ୟ ମିଳିଲେ ମୁଁ ମୋର ବୋଉଙ୍କ ଚିକିତ୍ସା କରାଇପାଇବି ବୋଲି କୋହଭରା କଣ୍ଠରେ କହିଛନ୍ତି।

ତେବେ ନୂତନ ସହୃଦୟ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ଏହିପରି ଏକାଧିକ ରୋଗୀଙ୍କ ସରକାରୀ ଚିକିତ୍ସା କରାଇଥିବାର ଖବର ପାଇ ପୁଅ ଦୀପ ରଞ୍ଜନ ମଧ୍ୟ ତାଙ୍କ ଗରିବ ମା’ ର ଚିକିତ୍ସା ଜିଲ୍ଲାପାଳ କରାଇବେ ବୋଲି ଅଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆମ୍ରି ହସ୍ପିଟାଲ ପରିଦର୍ଶନ: ବିଜୁ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସିତ ରୋଗୀଙ୍କୁ ଭେଟି ବୁଝିଲେ ସ୍ବାସ୍ଥ୍ୟବସ୍ଥା

ଖୋର୍ଦ୍ଧା: ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ସାମିଲ ହୋଇଥିବା ପୁରୁଷ ହିତାଧିକାରୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଓ ମହିଳା ହିତାଧିକାରୀଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଉଥିବା ବେଳେ ଅନେକ ଘରୋଇ ହସ୍ପିଟାଲରେ ଏହି କାର୍ଡକୁ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଆମ୍ରି ହସ୍ପିଟାଲ ପରିଦର୍ଶନ କରିଥିଲେ ଏଆବ୍ମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇ ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିରେ ଚିକିତ୍ସାଧୀନ ହେଉଥିବା ରୋଗୀମାନେ ଉତ୍ତମ ଚିକିତ୍ସା ସୁବିଧା ପାଉଥିବାରୁ ସେମାନେ ଖୁସିରେ ଅଛନ୍ତି ଓ ଆନନ୍ଦ ପ୍ରକାଶ କରିଥିଲେ।

ଏହି ସମୟରେ ଚିକିତ୍ସାଧୀନ ହରସ ବରାଡ଼, ଧୂରେନ୍ଦ୍ର ଲାଲ ସିଂଦେଓ, ନରସିଂହ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖୋର୍ଦ୍ଧା ଜିଲ୍ଲାପାଳ ପଚାରି ବୁଝିଥଲେ। ଏବଂ ହସ୍ପିଟାଲ ପକ୍ଷରୁ ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ମ୍ୟାଲେରିଆ ନିରାକରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ମ୍ୟାଲେରିଆ ନିରାକରଣ ଓ ଖୋର୍ଦ୍ଧା ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ମ୍ୟାଲେରିଆ ନିରାକରଣ ପାଇଁ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାର ବାଣପୁର ବ୍ଲକ ମ୍ୟାଲେରିଆ ପ୍ରବଣ ହୋଇଥିବାରୁ ସେଠାରେ ୯ ହଜାର ୨୦୦ କୀଟନାଶକ ଔଷଧଯୁକ୍ତ ମଶାରୀ ବଣ୍ଟନ କରାଯାଇଥିଲା ଏବଂ ଲୋକମାନଙ୍କୁ ସଚେତନ କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲାକୁ ୨୦୨୭ ମସିହା ସୁଦ୍ଧା ମ୍ୟାଲେରିଆ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।  ମ୍ୟାଲେରିଆ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମ କରାଯିବ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ମ୍ୟାଲେରିଆ ପଜିଟିଭ ରୋଗୀ ସଂଖ୍ୟା କ୍ରମଶଃ କମୁଛି। ୨୦୧୬ ରେ ୭୫୮ ଜଣ ମ୍ୟାଲେରିଆ ପଜିଟିଭ ରୋଗୀ ଚି଼ହ୍ନଟ ହୋଇଥିବା ବେଳେ ୨୦୨୦ ରେ ୬୫ ଜଣ ଏବଂ ୨୦୨୧ ନଭେମ୍ବର ସୁଦ୍ଧା ୫୩ ଜଣ ମ୍ୟାଲେରିଆ ପଜିଟିଭ ଚି଼ହ୍ନଟ ହୋଇଥିବା ଜଣାଯାଇଛି।

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରଘୁନାଥ ନାୟକ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡ଼ା. ନନ୍ଦିତା ଗୁପ୍ତା ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରୁ ୪ ଲକ୍ଷର ସେବା ପାଇଲେ ରୋଗୀ

ଖୋର୍ଦ୍ଧା: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରୁ ସମାନ ଅଭିଯୋଗର ଏକ ମାମଲା ଆସିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଉକ୍ତ କାର୍ଡ ଜରିଆରେ ଜଣେ ରୋଗୀ ୪ ଲକ୍ଷ ଟଙ୍କା ଚିକିତ୍ସା ସେବା ପାଇଥିବା ଜଣାପଡିଛି।

ସୂଚନା ମୁତାବକ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଗ୍ରାମର ସୁବାସ ମହାପାତ୍ର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ଏକ ମାସ ଧରି ଚିକିତ୍ସିତ ହେଉଥିଲେ। ସମସ୍ତ ଚିକିତ୍ସା ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ରୋଗୀ ଜଣଙ୍କ ହସ୍ପିଟାଲକୁ ୪ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଆଉ ବକେୟା ୪ ଲକ୍ଷ ଟଙ୍କା ନଦେଲେ ରୋଗୀଙ୍କୁ ଘରକୁ ଛାଡ଼ିବେନି ବୋଲି ଉକ୍ତ ହସ୍ପିଟାଲର କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଉପାୟଶୂନ୍ୟ ହୋଇ ଶେଷରେ ସୁବାସଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ମହାପାତ୍ର ଗତକାଲି ରାତି ୯ ଘଟିକାରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଭେଟି ତାଙ୍କ ଦୁଃଖ ଜଣାଇଥିଲେ। ଏବଂ ସୁବାସଙ୍କୁ ସମ୍ପୃକ୍ତ ଘରୋଇ ହସ୍ପିଟାଲରୁ ନିଜ ଘରକୁ ଆଣିବା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନେହୁରା ହୋଇଥିଲେ।

ଏହାଶୁଣି ସଙ୍ଗେସଙ୍ଗେ ଜିଲ୍ଲାପାଳ ସମ୍ପୃକ୍ତ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ସୁବାସଙ୍କ ହେଲଥ କାର୍ଡ ମାଧ୍ୟମରେ ବକେୟା ୪ ଲକ୍ଷ ଟଙ୍କା ପଇଠ କରାଯାଇଥିଲା ଏବଂ ସଙ୍ଗେସଙ୍ଗେ ରୋଗୀଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯାଇଥିଲା। ତେଣୁ ଜିଲ୍ଲାପାଳଙ୍କ ଏଭଳି ତ୍ୱରିତ ପଦକ୍ଷେପ ତଥା ମହନୀୟତାକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସେହିପରି ଭାବେ ଉକ୍ତ ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ଅଦ୍ୟାବଧି ୨୦୦ ରୁ ଉର୍ଦ୍ଧ୍ଵ ରୋଗୀ ଉପକୃତ ହୋଇଥିବାର ଆମ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ସବୁଦିନ କର୍ମଦିନ। ରବିବାର ବି କାମ ହେବ। ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଆଜି ରବିବାର ଛୁଟିଦିନରେ ଅଚାନକ ବାଣପୁର ଗସ୍ତକୁ ଆସି ଏକାଧିକ କାର୍ଯ୍ୟର ସମୀକ୍ଷା କରିବା ସହ ବହୁତ ଦିନରୁ ପଡିରହିଥିବା ବ୍ଲକ ଓ ତହସିଲର ଏକାଧିକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି।

ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ବାଣପୁର ପହଞ୍ଚି ପ୍ରଥମେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ଥିବା ସରକାରୀ ଜାଗାକୁ ସ୍ଥାନୀୟ ଅଞ୍ଚଳବାସୀ ମାଡି ବସିଥିବାର ଦେଖିବାକୁ ପାଇଥିଲେ ଜିଲ୍ଲାପାଳ ଏବଂ ସଙ୍ଗେସଙ୍ଗେ ଅବରୋଧ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଭଗବତୀ ମନ୍ଦିରର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ପୂର୍ବରୁ ଅନୁମୋଦନ ହୋଇଥିବା ୫୦ ଲକ୍ଷ ଟଙ୍କାକୁ ଯଥାଶୀଘ୍ର ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏହାପରେ ଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ତହସିଲରେ ଅଦ୍ୟାବଧି ଏକ ହଜାର ମ୍ୟୁଟେସନ ମାମଲା ପଡିରହିଥିବାର ଜାଣିବାକୁ ପାଇଥିଲେ ଜିଲ୍ଲପାଳ। ଉକ୍ତ ମାମଲାଗୁଡିକୁ ଆଗାମୀ ୧୦ ଦିନ ମଧ୍ୟରେ ରଫାଦଫା କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ସେହିପରି ଜିଲ୍ଲାପାଳ ବାଣପୁର ବ୍ଲକ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗତ ସପ୍ତାହରେ ଜିଲ୍ଲା ପ୍ରଶାସନ ଦ୍ୱାରା ୪୩୦ ବାର୍ଦ୍ଧକ୍ୟ ଭତ୍ତା ଅନୁମୋଦନ ହୋଇଥିବା ବେଳେ ସେଗୁଡିକୁ ଆସନ୍ତା ସାତ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଦେବାପାଇଁ ଜିଲ୍ଲପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ଆଉ ୧୩୦ ଟି ଭତ୍ତା ବାଣପୁର ବ୍ଲକ ପାଇଁ ଅନୁମୋଦନ ହୋଇଥିବାବେଳେ ତୁରନ୍ତ ସେଥିପାଇଁ ହିତାଧିକାରୀଙ୍କୁ ଚି଼ହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲପାଳ।

ସେହିପରି ଭାବେ ଚଳିତ ମାସ ଶେଷସୁଧା ବାଣପୁର ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଥିବା ନଅ ଗୋଟି ମିଶନ ଶକ୍ତି ଗୃହ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।  ବିଶେଷ କରି ପେପର ଲେସ କାର୍ଯ୍ୟଉପରେ ଗୁରୁତ୍ୱ ଦେଇ ସବୁ ଅଧିକାରୀମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସକ୍ରିୟ ରହିବା ସହ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଆସିବା ଖବର ଶୁଣି ବହୁ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଭିଯୋଗପତ୍ର ଦେଇଥିବାବେଳେ କେତେକ ଅଭିଯୋଗଗୁଡିକୁ ଜିଲ୍ଲାପାଳ ସଙ୍ଗେସଙ୍ଗେ ସମାଧାନ କରିବା ସହ ବାକି ଅଭିଯୋଗକୁ ତୁରନ୍ତ ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ନର୍ଦ୍ଦେଶ ଦେଇଥିଲେ। କେତେକ ହିତାଧିକାରୀଙ୍କ ରାସନ କାର୍ଡରେ ଆଧାର ସଂଯୋଗ ହୋଇନଥିବାରୁ ରାସନ ପାଇପାରୁନଥିବା ଅଭିଯୋଗ ପାଇଥିଲେ ଜିଲ୍ଲାପାଳ। ଏଯାବତ ବାଣପୁର ବ୍ଲକରେ ଆଧାର ସଂଯୋଗୀକରଣ ୮୩ ପ୍ରତିଶତ ହୋଇଥିବାବେଳେ ତାକୁ ଯଥାଶୀଘ୍ର ଶତ ପ୍ରତିଶତ କରିବା ପାଇଁ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ବାଣପୁର ଏନଏସି ଅଞ୍ଚଳରେ ସାନିଟେସନ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ ଜିଲ୍ଲାପାଳ। ଯଥାଶୀଘ୍ର ସହରରେ ସାନିଟେସନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବାଣପୁର ଏନଏସି ରେ ଡ୍ରେନେଜ ସମସ୍ୟାକୁ ହୃଦୟଙ୍ଗମ କରି ଆଗାମୀ ଦିନରେ କିପରି ସହରରେ ଡ୍ରେନେଜ ନିର୍ମାଣ ହୋଇପାରିବ, ସେ ଲାଗି ବିହିତ ପଦକ୍ଷେପ ଆଜିଠାରୁ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଜିଲ୍ଲପାଳ।

ଆସନ୍ତାଦିନରେ ମା’ ଭଗବତୀ ମନ୍ଦିର ନିକଟରେ ଏକ ବସ ଷ୍ଟାଣ୍ଡ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥି ନିମନ୍ତେ ସେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବାର କହିଛନ୍ତି ଏବଂ ଆସନ୍ତା ସପ୍ତାହରେ ଯନ୍ତ୍ରୀ ଉକ୍ତ ଅଞ୍ଚଳ ପରିଦର୍ଶନକୁ ଆସିବେ ବୋଲି ସୂଚନା ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ଟ୍ୱିଟର ଦ୍ୱାରା ଜିଲ୍ଲାପାଳ ବାଣପୁର ଅଞ୍ଚଳର ଏକାଧିକ ଜନସାଧାରଣଙ୍କ ସମସ୍ୟାଗୁଡିକୁ ସମାଧାନ କରିଥିବାରୁ ବହୁ ନାଗରିକ ମାନେ ଜିଲ୍ଲପାଳଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ଏଥି ନିମନ୍ତେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟର ଏକ ନମ୍ବର ଜିଲ୍ଲା ଯେଉଁଥିରେ ରାଜଧାନୀ ସାମିଲ ଅଛି, ଏହାର ବିକାଶ ପାଇଁ ଜିଲ୍ଲପାଳଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ବାଣପୁରବାସି ଭୂୟସୀ ପ୍ରଶଂସା କରିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଗୁରୁତର ରୋଗରେ ପୀଡିତ ଥିବା ଗୁରୁଙ୍କୁ ସହାୟ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ଦିନ ଧରି ପରିତ୍ୟକ୍ତ ଘରେ ପଡିରହିଥିବା ଜଣେ ଗୁରୁତର ରୋଗୀର ଦୁଃଖ ବୁଝିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଅସହାୟ ଅବସ୍ଥାରେ ପଡିଥିବା ରୋଗୀଙ୍କୁ ଜିଲ୍ଲାପାଳ ତୁରନ୍ତ ଚିକିତ୍ସା ଯୋଗାଇଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନରେ ଥିବା ପରିତ୍ୟକ୍ତ ଗୃହରେ ୨ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟକୁ ଖବର ପହଁଚିଥିଲା। ଜିଲ୍ଲାପାଳ ଖବର ପାଇ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଚିଲିକା ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ ଚିଲିକା ତହସିଲଦାର ପୁନମ ମହାପାତ୍ର ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ୱଳ୍ପ ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଏହାପରେ ଚିଲିକା ବିଡ଼ିଓଙ୍କ ନିର୍ଦ୍ଦେଶରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ଜି. ସାଗର ଅର୍ଜୁନ ପାତ୍ର, ବାଲୁଗାଁ ମେଡିକାଲ ଅଫିସର ସୈମ୍ୟକାନ୍ତ ଦାସପଟ୍ଟନାୟକଙ୍କ ତତ୍ବାବଧାନରେ ଜରିପଡା ମେଡିକାଲ ହେଲଥ ସୁପରଭାଇଜ ସୁଶାନ୍ତ କୁମାର ରାଉତରାୟ, ଜରିପଡା ଅତିରିକ୍ତ ରାଜସ୍ବ ନିରକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତୁରନ୍ତ ଗୁରୁ ବେହେରାଙ୍କ ନିକଟରେ ପହଂଚି ଉନ୍ନତ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ। କିନ୍ତୁ ବର୍ତ୍ତମାନ ସମ୍ପୃକ୍ତ ରୋଗୀ ଜଣକ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଏଭଳି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଥା ରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ: ଏଣିକି ଘରେ ବସି ଅଭିଯୋଗ ଦାଖଲ କରିପାରିବେ ଲୋକେ

ଖୋର୍ଦ୍ଧା: କଥା ରଖିଲେ ନୂତନ ଜିଲ୍ଲାପାଳ। ଖୋର୍ଦ୍ଧାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ। ଜିଲ୍ଲାପାଳ ଗତକାଲି କାର୍ଯ୍ୟଭାର ସମ୍ଭାଳିଥିବାବେଳେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର ଟ୍ୱିଟର ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଜନସାଧାରଣ ମାନେ ସିଧାସଳଖ ଘରେ ବସି ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ଯୋଡି ହୋଇ ପାରିବେ ଏବଂ ନିଜର ଅଭିଯୋଗ ଦାଖଲ କରିବା ସହ ବିଭିନ୍ନ ଆବଶ୍ୟକୀୟ ସୂଚନା ମଧ୍ୟ ପାଇପାରିବେ।

ତେବେ ଚବିଶ ଘଣ୍ଟା ମଧ୍ୟରେ ଜିଲ୍ଲାର ୩୭ ଗୋଟି ସରକାରୀ କାର୍ଯ୍ୟାଳୟର ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ସେଥିମଧ୍ୟରେ ଜିଲ୍ଲାର ଦଶ ଗୋଟି ବ୍ଲକ, ଦଶ ଗୋଟି ତହସିଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ , ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଦୁଇ ଗୋଟି ଏନଏସି, ଦୁଇ ଗୋଟି ମ୍ୟୁନିସିପାଲିଟି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି, ଆପତକାଳିନ ବିଭାଗ, ଖୋର୍ଦ୍ଧା ଏସପି କାର୍ଯ୍ୟାଳୟ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସାମଯିକ ସୁରକ୍ଷା ଅଧିକାରୀ, ଦୁଇ ଗୋଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୂର୍ତ୍ତବିଭାଗ ନିର୍ବାହୀ ଅଧିକାରୀ ଏବଂ ଟିପିସିଓଡ଼ିଏଲ ଆଦି ସାମିଲ ଅଛି।

Image

ରାଜ୍ୟ ସରକାରଙ୍କ ଫାଇଭ-ଟି ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ପଦକ୍ଷେପ ଅନୁଯାୟୀ ଉକ୍ତ କାର୍ଯ୍ୟାଳୟ ଗୁଡିକର ଟ୍ୱିଟର ଆକାଉଣ୍ଟ ଖୋଲାଯାଇଛି। ତେବେ ଜିଲ୍ଲାବାସୀ ଏଥର ଉକ୍ତ ଆକାଉଣ୍ଟ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିବା ସହ ବିଭିନ୍ନ ସମସ୍ୟାଗୁଡିକର ସମାଧନ କରାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ନୂତନ ଭାବେ ଦାୟିତ୍ଵ ନେବେ ସଂଗ୍ରାମ କେଶରୀ ମହାପାତ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଆଜି ବଦଳି ହୋଇଛି। ସଂଗ୍ରାମ କେଶରୀ ମହାପାତ୍ର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ଜଗତସିଂହପୁର ଜିଲ୍ଲାରେ କୋଭିଡ ସଂକ୍ରମଣଙ୍କୁ ରୋକିବାରେ ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଟିଇ ଏବଂ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ପୂର୍ତ୍ତ ବିଭାଗ ଡେପୁଟି ସେକ୍ରେଟାରୀ ଆଇଏଏସ ଅଧିକାରୀ ପାରୁଲ ପଟୱାରୀ ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ।

Categories
ଆଞ୍ଚଳିକ

ସରପଞ୍ଚଙ୍କ କାର୍ଯ୍ୟରେ ବାଧା!: ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୋରଣ ପଞ୍ଚାୟତ ଗସ୍ତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସୋରଣ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବାର ଲିଖିତ ଅଭିଯୋଗ ବାରମ୍ବାର ସରପଞ୍ଚ ସୁଜାତା ବିଶ୍ୱାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ସୋରଣ ଗ୍ରାମର କିଛି ମୁଷ୍ଟିମେୟ ଖଳ ପ୍ରକୃତିର ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାର ଅଭିଯୋଗ କରିଛନ୍ତି ସରପଞ୍ଚ। ବିରୋଧୀ ଦଳ ସମର୍ଥିତ ସରପଞ୍ଚ ହୋଇଥିବାରୁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବାର ସରପଞ୍ଚ ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ଅନେକ ଅଭିଯୋଗ ପରେ ଆଜି ସୋରଣ ଗ୍ରାମପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ ସ୍ଥିତିର ସମୀକ୍ଷା କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେହିଭଳି ପଂଚାୟତର ବିଭିନ୍ନ ସମସ୍ୟା ସରପଞ୍ଚ ଜଣାଇବା ପରେ ତାହାର ସମାଧାନ କିପରି ଭାବେ ହୋଇପାରିବ ତାହା ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ। ଚିଲିକା ତହସିଲଦାର ପୁନମ୍ ମହାପାତ୍ର, ସୋରଣ ସରପଞ୍ଚ ସୁଜାତା ବିଶ୍ଵାଳ, ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ କୁମାର୍ ଲେଙ୍କା, ପିଇଓ ପ୍ରକାଶ ବେହେରାଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ।

ପଞ୍ଚାୟତର ସମସ୍ୟାଗୁଡିକ ଯଥା ଏନ୍.ଆର୍.ଜି.ଏସ ର ଲକ୍ଷାଧିକ ଟଙ୍କା ହଡପ, ଓଏପି/ଭତ୍ତାର ବଳକା ଟଙ୍କାକୁ ବ୍ଲକ୍ କର୍ମଚାରୀ ନିଜ ପାଖରେ ରଖିବା, ପଞ୍ଚାୟତର ଜାଗାକୁ ଜବରଦଖଲ କରିବା, ବସ୍ତି ପାଇଁ ରହିଥିବା ଜାଗାକୁ ନେଇ ଟାୱାର ବସାଇ ଟଙ୍କା ଆଦାୟ କରିବା ଓ ପଞ୍ଚାୟତର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ସମସ୍ତ ସମସ୍ୟାକୁ ଖୁବଶୀଘ୍ର ଦୁରୀକରଣ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର୍ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଭାବେ ସୋରଣ ଗ୍ରାମର ଜନସାଧାରଣଙ୍କ ଅନେକ ସାଧାରଣ ସମସ୍ୟା ଥିବାରୁ ଆଜି ଜିଲ୍ଲାପାଳଙ୍କୁ ଦେଖି ଅନେକ ଜନସାଧାରଣ ବହୁ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି। ତେବେ ଆଜି ଜିଲ୍ଲାପାଳଙ୍କ ଗସ୍ତ ପରେ ସରପଞ୍ଚ ଆଶାବାଦୀ ଅଛନ୍ତି ଯେ, ଆଗକୁ ସବୁ ସମସ୍ୟା ଦୂର ହେବ। ତେବେ ଯଦି ଏକ ମାସ ମଧ୍ୟରେ ଏ ସବୁ ଦୂର ନହୁଏ ତେବେ ସରପଞ୍ଚ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେବୋଲି କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସାମ୍ଭାବ୍ୟ ବାତ୍ୟା ଓ କୋଭିଡ ସ୍ଥିତିର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଣପୁର ବ୍ଲକ, ଏନଏସି, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ସାମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହ ରେଡ ଜୋନରେ ବସବାସ କରୁଥିବା ଜନସାଧାରଣଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ନେବାପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।

ତେବେ ଚିଲିକାରେ କୋଭିଡ କେସ ପୂର୍ବପେକ୍ଷା ଗତ ଦୁଇ ଦିନ ହେଲା ସ୍ୱଳ୍ପ କମୁଥିବାରୁ ଜିଲ୍ଲପାଳ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଚିଲିକା ନିର୍ବାଚନମଣ୍ଡଳୀରେ ‘ଜିରୋ’ କୋଭିଡ଼ କେସ ଲକ୍ଷ୍ୟକୁ ନେଇ କାମ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୱାର୍ଡ, କିମ୍ବା ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଭିଡ଼ କେସ ବାହାରିନାହିଁ ସେ ଅଞ୍ଚଳକୁ କିପରି ଆଗକୁ ମଧ୍ୟ ସେହିପ୍ରକାର ଭାବେ କୋଭିଡ଼ ମୁକ୍ତ ରଖିବାକୁ ହେବ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତତସହିତ ଯେଉଁ ଅଞ୍ଚଳରେ ଗୋଟେ କିମ୍ବା ଦୁଇ ଗୋଟି କୋଭିଡ କେସ ଚି଼ହ୍ନଟ ହେଉଛି ସେଠାରୁ ଆକ୍ରାନ୍ତମାନଙ୍କୁ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହାଫଳରେ ଉକ୍ତ ଅଞ୍ଚଳରେ କୋଭିଡ ଆଉ ବ୍ୟାପିପାରିବନି। ବୟସ୍କ, ଗର୍ଭବତୀ ଏବଂ ଶିଶୁ ମାନଙ୍କ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ସେମାନେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଏବଂ ଅମ୍ଳଜାନର ଅଭାବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଅପରପକ୍ଷରେ କୋଭିଡ ରେଡ ଜୋନ ଗୁଡିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଟେଷ୍ଟିଙ୍ଗ ବଢ଼ାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳରେ ପୂର୍ବତନ କାଉଁସିଲର ଏବଂ ଗ୍ରାମାଞ୍ଚଳରେ ମିଶନ ଶକ୍ତି, ଜନ ପ୍ରତିନିଧି, ସ୍ଵେଚ୍ଛାସେବୀମାନଙ୍କୁ ପ୍ରବାସୀ ଫେରନ୍ତାଙ୍କ ତଥ୍ୟ ପ୍ରଶାସନକୁ ଦେବାସହ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଆବାହାନ କରିଥିଲେ।

ସର୍ବଶେଷରେ ବୃଦ୍ଧ ତଥା ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ମୋବାଇଲ ଟେଷ୍ଟିଙ୍ଗ ବ୍ୟବସ୍ଥାର ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ା ସୁରଜ ମେହେର, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ବାଣପୁର ସିଡ଼ିପିଓ ବିଦ୍ୟୁତପ୍ରଭା ରଥ ଏବଂ ଚିଲିକା ସିଡ଼ିପିଓ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ସଂକ୍ରମଣକୁ ଦେଖି ଆଇଏନ୍‌ଏସ୍ ଚିଲିକାରେ ଖୋଲିଲା କୋଭିଡ୍ ସେଣ୍ଟର

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷରେ ପହଞ୍ଚିଛି। ଏହାସହିତ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍‌ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି।

କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ କରାଯାଇଛି। ଜିଲ୍ଲା ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ସୁବିଧାରେ ୨୪ ଘଣ୍ଟିଆ କାମ କରିବ।

ରୋଗୀମାନେ ସମସ୍ତ ସତର୍କତା ବୁଝିବା ପାଇଁ ଲିଫ୍‌ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି। ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ।

ପୁନଶ୍ଚ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ପାଇଁ ୟୁନିଟ୍ ଦ୍ୱାରା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୃଦ୍ଧି କରାଯାଇଛି। ଆଡମିସନ ଚାହୁଁଥିବା ରୋଗୀମାନଙ୍କ ପାଇଁ ଯୋଗଯୋଗର ଏକ ବିନ୍ଦୁ ହେଉଛି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ବାଲୁଗାଁ। ଷ୍ଟେସନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୀତି ଅନୁଯାୟୀ ସମସ୍ତ ସତର୍କତା ଏବଂ ପଦକ୍ଷେପ, ଷ୍ଟେସନ ସମ୍ପ୍ରଦାୟକ ପାଇଁ ବିଚ୍ଛିନ୍ନତା ଏବଂ ସଙ୍ଗରୋଧର ସମସ୍ତ ବ୍ୟବସ୍ଥା ଯଥାସ୍ଥାନରେ କରାଯାଇଛି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: କଲେ କୋଭିଡ଼ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି  କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ।

ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକରେ ଗୋଟାଏ ଲେଖାଏଁ ଟିଏମସି କେନ୍ଦ୍ର ଖୋଲିବାକୁ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବାଣପୁରକୁ ଯେଉଁ ପ୍ରବାସୀମାନେ ଆସୁଛନ୍ତି ପୂର୍ବରୁ ସେମାନେ ନିଜ ଗୃହରେ ସଂଗରୋଧ ଭାବେ ରହୁଥୁବା ବେଳେ ବର୍ତ୍ତମାନ ଉକ୍ତ ଟିଏମସିରେ ସଙ୍ଗରୋଧରେ ରହିବେ। ତତ ସହିତ ପ୍ରବାସୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଗସ୍ତ ସୂଚୀର ସମସ୍ତ ତଥ୍ୟ ବିବରଣୀ ରଖିବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭାବେ ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏନ୍ଫୋର୍ସମେଣ୍ଟକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।  ଖାସକରି ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ ଦେଇଥିଲେ।

ତେବେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏନ୍ଫୋର୍ସମେଣ୍ଟ କିପରି ଭାବେ କଡ଼ାକଡ଼ି ହେବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏବିଷୟରେ ଅବଗତ ଥିବା କହିବା ସହ ଏସପିଙ୍କ ସହ ମଧ୍ୟ ଏବାବଦରେ କଥା ହୋଇଥିବାର ସୂଚନା ଦେଇଛନ୍ତି। ସ୍ଥାନୀୟ ତହସିଲଦାର ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ଏସପି ସଙ୍ଗେସଙ୍ଗେ ଅତରିକ୍ତ ଫୋର୍ସ ଯୋଗାଇଦେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବ୍ଲକ ଅତିରିକ୍ତ ବିଡ଼ିଓ ସୀମାଦ୍ରୀ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର, ସବଜେଲ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଏବଂ ବାଣପୁର ପୋଲିସ ଏସଆଇ ବିଜୟ ମଲ୍ଲିକ ଓ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କରୋନା ସମୟରେ ଜମିର ବର୍ଦ୍ଧିତ ବେଞ୍ଚମାର୍କ ମୂଲ୍ୟ ପ୍ରତ୍ୟାହାର ଦାବି ଜଣାଇଲେ ଓକିଲ ସଂଘ

ଭୁବନେଶ୍ୱର: ରାଜ୍ୟରେ ଜମିର ଦର ନିର୍ଦ୍ଧାରଣ ପାଇଁ ଦୁଇ ବର୍ଷରେ ଥରେ ଗଠିତ ହୋଇଥିବା କମିଟି ନିଷ୍ପତ୍ତି ନେବାର ନିୟମ ରହିଛି। ସେହି ଅନୁସାରେ ଗତ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ଜମିର ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ନେଇ ନିଷ୍ପତ୍ତି ନେଇଥିଲେ। ହେଲେ କରୋନା ମହାମାରୀ କାରଣରୁ ଲୋକଙ୍କ ଆର୍ଥିକ ଅସୁବିଧା ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବେଞ୍ଚମାର୍କ ମୂଲ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ପୁରୁଣା ଦର ଅନୁସାରେ ଜମିର କିଣାବିକା ଚାଲିଥିଲା।

ହେଲେ ହଠାତ ପୁଣି ଥରେ ରାଜସ୍ୱ ବିଭାଗ ଗତ ମାର୍ଚ୍ଚ ୩୧ ତାରିଖରେ ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱର ଲୟର୍ସ ଗୃପ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ ନିଷ୍ପତ୍ତି ପ୍ରତ୍ୟାହାର ନେଇ ଭୁବନେଶ୍ୱର ସବରେଜିଷ୍ଟ୍ରାରଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ଆଇଆଇଟିରେ ସଂକ୍ରମିତ ହେଲେ ୧୦ ଜଣ ଛାତ୍ର

ଭୁବନେଶ୍ବର: ଖୋର୍ଦ୍ଧା ସ୍ଥିତ ଆଇଆଇଟି ଭୁବନେଶ୍ଵରରେ ୧୦ ଜଣ ଛାତ୍ର କରୋନାରେ ସଂକ୍ରମଣ ହୋଇଛନ୍ତି। ପୂର୍ବରୁ ୮ଜଣ ସଂକ୍ରମଣ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଛାତ୍ର ଆକ୍ରାନ୍ତ ଅଛନ୍ତି। ୪୦ ଟି ଆରଟିପିସିଆର ପରୀକ୍ଷା ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଛାତ୍ରମାନେ ସ୍ଵତନ୍ତ୍ର ଆଇସୋଲେସନରେ ରଖାଯାଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।