ଚିଲିକା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

Published: Mar 13, 2023, 8:07 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୧୫୯ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ ଟି ପଞ୍ଚାୟତ ର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ଅବସରରେ ଆଜି ଦିନସାରା ଚିଲିକା ବ୍ଲକ ପରିସରରେ ପ୍ରବଳ ଜନଗହଳି ଲାଗି ରହିଥିଲା। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ସମେତ ବହୁ ସବ ଇନ୍ସପେକ୍ଟର ମାନେ ନିୟୋଜିତ ହୋଇଥିଲେ।

Related posts