Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଶ୍ରମିକଙ୍କ କ୍ୟାମ୍ପ ଉପରକୁ ଚଢିଲା ବାଲି ବୋଝେଇ ହାଇୱା, ଦୁଇ ମୃତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶ୍ରମିକଙ୍କ କ୍ୟାମ୍ପ ଉପରକୁ ବାଲି ବୋଝେଇ ହାଇୱା ଚଢିଯାଇଛି। ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶ୍ରମିକ ଆହତ ହୋଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ ନିକଟରେ ଏଭଳି ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଠିକା ସଂସ୍ଥାର ଶ୍ରମିକମାନେ କ୍ୟାମ୍ପରେ ଥିବା ବେଳେ ବାଲି ବୋଝେଇ ହାଇୱାଟି ନିୟନ୍ତ୍ରଣ ହରାଇ କ୍ୟାମ୍ପ ଉପରକୁ ଚଢାଇ ଦେଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର କରାଯାଇଥିଲା।

ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇ ଦେଇଛି। ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିଚୟ ମିଳିଛି। ମୃତକ ଦ୍ୱୟ ପଶ୍ଚିମବଙ୍ଗର ମୃତକ ବାଦଲ ପାହାଣ ଓ କନକ ପାହାଣ ବୋଲି ଜଣାପଡିଛି। ସେହିଭଳି ଆହତ ଶ୍ରମିକ ଦ୍ୱୟ ହେଲେ ପଶ୍ଚିମବଙ୍ଗ ମସିହାନୋଟାର ସାଗର ମଣ୍ଡଳ ଓ ଅସିମ ସରକାର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ୧୦ ଚୋରା ମଟରସାଇକେଲ ଉଦ୍ଧାର, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଆଜି ଏକ ମଟରସାଇକେଲ ଚୋରକୁ ଗିରଫ କରିବା ସହ ୧୦ ଚୋରା ମଟରସାଇକେଲ ଉଦ୍ଧାର କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ। ସୂଚନା ମୁତାବକ ଚଳିତ ମାସ ୨୫ ତାରିଖ ସଂନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଜୟୀ ରାଜଗୁରୁ ପାର୍କ ପରିସରରୁ ଜନୈକ ବ୍ୟକ୍ତିଙ୍କ ବାଇକ କୌଣସି ଦୁର୍ବୁତ୍ତ ଚୋରି କରିନେଇଥିଲେ। ଏହି ପରିପ୍ରେକ୍ଷୀରେ ଟାଉନ ଥାନାରେ କେଶ ନମ୍ବର ୨୯୮/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉରେ ପୋଲିସ ଉକ୍ତ ବାଇକ ଚୋରକୁ ଗିରଫ କରିବା ସହ ତାଙ୍କ ନିକଟରୁ ସମୁଦାୟ ୧୦ ଗୋଟି ଚୋରା ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ଲେଙ୍କା (୩୦)। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ଏଏସଆଇ ଅକ୍ଷୟ କୁମାର ସେଠି, ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମୀମାନେ ସାମିଲ ଥିଲେ।

Categories
ଆଜିର ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ନୂତନ ବ୍ରାଉନ ସୁଗାର ହବ ପାଲଟିଥିବା ବେଳେ ପ୍ରତିଦିନ ପୋଲିସ, ଅବକାରୀ, ଏସଟିଏଫ ବିଭିନ୍ନ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ କରୁଛି। ଆଜି ପୁଣି ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଟାଉନ ଥାନା ଅନ୍ତର୍ଗତ ବରୁଣେଇ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୪୨ ଗ୍ରାମ ବ୍ରାଉନ ସୁଗାର ଓ ଗୋଟାଏ ବାଇକ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଜଟଣୀ ଥାନା ରଥିପୁର ଗ୍ରାମର ଶେଖ ମୁମତାଜ (୨୨)।  ଜବତ ବ୍ରାଉନ ସୁଗାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ଏନଡ଼ିପିଏସ ଧାରା ୨୧ (ଖ) ଅଧିନିୟମ ଅନୁଯାୟୀ ପିଆର ନମ୍ବର ୨୨/୨୦୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର, ବେଗୁନିଆ ଅବକାରୀ ଅଧିକାରୀ, ଖୋର୍ଦ୍ଧା ଅବକାରି ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଏକ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଦଧିମାଛଗାଡ଼ିଆ ଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧.୨୮ ଗ୍ରାମ ବ୍ରାଉନ ସୁଗାର ଓ ଗୋଟେ ବାଇକ ଜବତ କରିଛି।

ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପୁରି ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମର ରୋହିତ କୁମାର ବେହେରା (୩୨) ଏବଂ ଖୋର୍ଦ୍ଧା ସଦର ଥାନା ଦଧିମାଛ ଗାଡ଼ିଆ ଗ୍ରାମର ବିଶ୍ୱନାଥ ବେହେରା (୨୧)।  ଏହି ପରିପ୍ରେକ୍ଷୀରେ ସଦର ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧୪/୨୨ ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ପୂର୍ବାହ୍ନ ୯ ଘଟିକାରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଠାରୁ ନୂତନ ଜିଲ୍ଲାପାଳ ଦାଇତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଏହାପରେ ନୂତନ ଜିଲ୍ଲାପାଳ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳ ବିଜେବି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପୁଣି କାର୍ଯ୍ୟାଳୟକୁ ଫେରିଥିଲେ।

୨୦୧୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ ଶ୍ରୀ ଚକ୍ରବର୍ତ୍ତୀ ପୁର୍ବରୁ ବାଲେଶ୍ଵର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେଠାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସମୟରେ ସେ ଜିଲ୍ଲାରେ କୋଭିଡ ମ୍ୟାନେଜମେଣ୍ଟକୁ ବେସ୍ ସୁଚାରୁରୂପେ ପରିଚାଳନା କରିପାରିଥିଲେ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ।

ସୂଚନା ଥାଉକି ଗତ ସପ୍ତାହରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଖୋର୍ଦ୍ଧାରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଯୁବତୀଙ୍କ ସମେତ ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ରଜ ପରିପ୍ରେକ୍ଷୀରେ ଯେଉଁଠି ସାଧାରଣ ଜନତା ଘରେ ରହି ଏହାକୁ ପାଳନ କରୁଛନ୍ତି। ଅନ୍ୟ ପକ୍ଷରେ ବ୍ରାଉନ ସୁଗାର ବେପାରିଙ୍କ ପାଇଁ ସତେ ଯେମିତି ଏହା ଏକ ମଉକା ଧଳା ଜହର ବିକ୍ରି କରିବାର। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଗୁରୁଜଙ୍ଗ ଗ୍ରାମ ନନ୍ଦ ସାହିରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।

ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୨୧ ଗ୍ରାମ ବ୍ରାଉନ ସୁଗାର, ନକଦ ୨୫ ହଜାର ୫୨୦ ଟଙ୍କା ଓ ଏକ ସ୍କୁଟି ଜବତ କରିବା ସହ ଅଭିଯୁକ୍ତ ଦ୍ବୟ ନୃସିଂହ ସିଂହ (୨୫) ଏବଂ ଆକାଂକ୍ଷା ଓରଫ ଲିପ୍ସା ମହାପାତ୍ର (୨୦) ଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଖ)/୨୯ ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୨୮୩/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ସସ୍ମିତା ବେହେରା, ପଦ୍ମଲୋଚନ ବେହେରା ଏବଂ ଅନ୍ୟ ପୋଲିସ କର୍ମୀ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର କର୍ମଚାରୀମାନେ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ, ୭ ହଜାରରୁ ଉର୍ଦ୍ଧ୍ଵ ଲିଟର ପୋଚ ଜବତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରି ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ବରପଡ଼ା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ସମୟରେ ବେଆଇନ ମଦ ଭାଟି ଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ବେଳେ ୭ ହଜାର ୨୦୦ ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ତେବେ ଜଙ୍ଗଲର ସୁଯୋଗ ନେଇ ବେପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ଜଟଣୀ ଅବକାରୀ ଅଧିକାରୀଣି ଗୀତାଞ୍ଜଳି ବେହେରା, ବେଗୁନିଆ ଅବକାରୀ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଖୋର୍ଦ୍ଧାରୁ ଜବତ ହେଲା ବ୍ରାଉନ ସୁଗାର: ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଥମିବାର ନାଁ ଧରୁନି। ଆଜି ଟାଉନ ଥାନା ପୋଲିସ ପୁଣି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ସ୍ଵପ୍ନେଶ୍ଵର ସାହି ଜବରଦସ୍ତିପୁର ଗ୍ରାମରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆଙ୍କୁ କୌଣସି ଏକ ସୂତ୍ରରୁ ଖବର ମିଳିଥିଲା। ବିଳମ୍ବ ନକରି ଟାଉନ ଥାନା ପୋଲିସକୁ ଏସପି ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।

ଚଢ଼ାଉ ସମୟରେ ପୋଲିସ ଉକ୍ତ ସ୍ଥାନରୁ ୧୦ ଗ୍ରାମ ବ୍ରାଉନ ସୁଗାର ଓ ନକଦ ୨୮ ହଜାର ୫୪୦ ଟଙ୍କା ଜବତ କରିବା ସହ ଅଭିଯୁକ୍ତ କୃଷ୍ଣ ଧଳ (୪୦)ଙ୍କୁ ଗିରଫ କରିଥିଲା। ଜବତ ବ୍ରାଉନସୁଗାର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଖ) ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୨୬୪/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଏସଆଇ ସସ୍ମିତା ବେହେରା,ପିଏସଆଇ ଦୀପଲସିହା ନାୟକ,ଏଏସଆଇ ଅକ୍ଷୟ ସେଠି ଏବଂ ଅନ୍ୟ ପୋଲିସ କର୍ମୀମାନେ ଆଦି ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ତମାଖୁ ବର୍ଜନ ଦିବସ: ଖୋର୍ଦ୍ଧାକୁ ମିଳିଲା ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଖୋର୍ଦ୍ଧା: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଶା ଡିଜିପି ସୁନୀଲ ବଂଶଲଙ୍କ ଠାରୁ ଉକ୍ତ ପୁରସ୍କାର ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଗ୍ରହଣ କରିଛନ୍ତି।

ସୂଚନା ଥାଉକି ‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାକୁ ପୁରସ୍କୃତ କରାଯାଇଛି ଏବଂ ଜିଲ୍ଲା ସିଡ଼ିଏମଓ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା: ଇତିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଇତିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଇତିପୁର ପଞ୍ଚାୟତର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଆଦି ଉପସ୍ଥିତ ଥିଲେ।

ଉକ୍ତ ଶିବିରରୁ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ତେବେ ଉକ୍ତ ମେଗା ରକ୍ତଦାନ ଶିବିରକୁ ଇତିପୁର ଗ୍ରାମ ପଞ୍ଚାୟତ ଆୟୋଜନ କରିଥିବା ବେଳେ ଏଥିରେ ଇତିପୁର ଗାଁ କଲ୍ୟାଣ ସମିତି ସହଯୋଗ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ତମାଖୁ ବର୍ଜନ ଦିବସରେ ଖୋର୍ଦ୍ଧାକୁ ମିଳିବ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର

ଭୁବନେଶ୍ବର: ଆଗାମୀ ୩୧ ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହେବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ମିଳିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ ହେବକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପୁରସ୍କାର ଖୋର୍ଦ୍ଧା ଜିଲ୍ଲା ସିଡ଼ିଏମଓ ଗ୍ରହଣ କରିବେ ବୋଲି ଜଣାପଡିଛି।

‘ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ'(ଏନଟିସିପି) କୁ ସଫଳତାର ସହ ଭାବେ ଲାଗୁ କରି ସାରା ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଗଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତଦିନ ଶ୍ରେଷ୍ଠ ଜିଲ୍ଲା ଭାବେ ଖୋର୍ଦ୍ଧାକୁ ମୁଖ୍ୟ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ପୁରସ୍କୃତ କରିବେ ବୋଲି ଜଣାପଡିଛି। ତେବେ ଉକ୍ତ ସଫଳତା ନିମନ୍ତେ ସିଡ଼ିଏମଓ ଜିଲ୍ଲା ମୁଖିଆ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଏସଟିଏଫ

ଖୋର୍ଦ୍ଧା: ଆଜି ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଠାରେ ବ୍ରାଉନ ସୁଗାର କାରବାର ପାଇଁ ଏକ ବଡ଼ ଡ଼ିଲ ହେଉଥିବାର ଖବର ପାଇଥିଲା ଏସ ଟିଏଫ। ବିଳମ୍ବ ନକରି ଉକ୍ତ ସ୍ଥାନରେ ଏସଟିଏଫ ସଙ୍ଗେସଙ୍ଗେ ଚଢ଼ାଉ କରି ୧ କେଜି ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି।

ତତସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ଅଭିଯୁକ୍ତ ମାନେ ହେଲେ ବେଗୁନିଆ ଥାନା ଅଞ୍ଚଳର ରଞ୍ଜନ କୁମାର ପାଟ୍ଟଶାଣି, ରାଉତପଡ଼ା ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ ଏବଂ ବାଙ୍କୀ ଥାନା ହରିରାଜପୁର ଗ୍ରାମର ଅମରେନ୍ଦ୍ର ମହାପାତ୍ର।

ଅଭିଯୁକ୍ତଙ୍କ ବିରୋଧରେ ଏସଟିଏଫ ୨୧(ଗ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧/୨୨ ରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ବେଳେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ସଦର ଥାନା ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ କରୁଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସଦର ଥାନା ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଚାଲାଣ ବଢୁଥିବା ଅଭିଯୋଗ ହେଉଥିବା ବେଳେ ଆଜି ସକାଳେ ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଏକ ଟିମ ଧଉଳିମୁହଁ ନିକଟସ୍ଥ ଏକ ବେଆଇନ ଖଣିରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏକ ଜେସିବି ମେସିନ ଏବଂ ଦୁଇ ଗୋଟି ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ସଦର ଥାନା ଅନ୍ତର୍ଗତ ସର୍ବେଶ୍ୱର ସାମନ୍ତରାୟ (୨୫) ଏବଂ ଅଶୋକ କୁମାର ନାୟକ (୨୪)। ଉଭୟଙ୍କ ବିରୋଧରେ କେଶ ନମ୍ବର ୭୩/୨୨ ରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା: ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ

ଖୋର୍ଦ୍ଧା: ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ “ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ, ଖୋର୍ଦ୍ଧା ଜିଲ୍ଲା”ର ବୈଠକ ଆଜି ମା’ ବରୁଣେଈଙ୍କ ପୀଠରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଉପସଭାପତି ରୌପ୍ୟରଞ୍ଜନ ସାମନ୍ତରାୟଙ୍କ ଉପସ୍ଥିତିରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ, ଉପସଭାପତି ଦେବାଶିଷ ପତି, ସମ୍ପାଦିକା ଶୁଭ୍ରାଙ୍ଗୀ ପ୍ରିୟବାଦିନୀ, ସଂଯୋଜକ ବିଶ୍ବବିଜୟୀ ଦାଶ, ସହ ସଂଯୋଜକ ସୁଶିଲ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ଆଇଟି ସେଲ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ମନୋନୀତ କରାଗଲା।

ଜିଲ୍ଲାର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀମାନେ ସଂଘର ସଦସ୍ୟତା ଗ୍ରହଣ କରିଥିଲେ।RPWD ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଓ ବିଦ୍ୟାଳୟ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଗିରଫକୁ ଉକ୍ତଳ ସାମ୍ବାଦିକ ସଙ୍ଘର ତୀବ୍ର ନିନ୍ଦା

ଖୋର୍ଦ୍ଧା: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଆଇଆଇସିଙ୍କ ଜଣେ କାର୍ଯ୍ୟରତ ‘ସମ୍ବାଦ’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ଅମାନୁଷିକ ବ୍ୟବହାର ତଥା ବର୍ବରୋଚିତ କାଣ୍ଡକୁ ତୀବ୍ର ନିନ୍ଦାକରିଛି ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ। ଯଥା ଶୀଘ୍ର ଏପରି ଗଣତନ୍ତ୍ରକୁ ହତ୍ୟା କରିଥିବା ସମ୍ପୃକ୍ତ ଅଧିକାରୀଣିଙ୍କୁ ତାଙ୍କ କାର୍ଯ୍ୟରୁ ବହିଷ୍କାର କରିବା ପାଇଁ ସଂଘ ଦୃଢ଼ ଦାବିକରିଛି।

ପ୍ରକାଶ ଥାଉକି ନୀଳଗିରି ଥାନା ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାର ବୃଦ୍ଧି ପାଇବା ଘଟଣା ତଥା ବିଭିନ୍ନ ବେଆଇନ କାର୍ଯ୍ୟରେ ପୋଲିସର ସମ୍ପୃକ୍ତି ଥିବାର ଘଟଣାକୁ ସାମ୍ବାଦିକ ଶ୍ରୀ ଦଳେଇ ‘ସମ୍ବାଦ’ ଖବରକାଗଜରେ ପ୍ରକାଶ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଥାନା ଅଧିକାରୀଣି ଏବଂ ତାଙ୍କ ସହଯୋଗୀ ଏକ ମିଥ୍ୟା ଅଭିଯୋଗରେ ଶ୍ରୀ ଦଳେଇଙ୍କୁ ଧକା ମାରିବା ସହ ଗିରଫ କରି ଡାକ୍ତରଖାନାରେ ଚିକିତ୍ସିତ ସମୟରେ ତାଙ୍କ ଗୋଡ଼ରେ ବେଡି ପକାଇବା କେତେଦୂର ସମୀଚିନ। ରାଜ୍ୟରେ ଏହାଠାରୁ ଅନେକ ଜଘନ୍ୟ କାଣ୍ଡ ଘଟିଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ବେଡି ପକାଯାଇ ନଥିବାବେଳେ ସାମ୍ବାଦିକଙ୍କ ପ୍ରତି ଏପ୍ରକାର ଅମାନୁଷିକ ବ୍ୟବହାର କାହିଁକି ଯାହା ଆଜି ସମାଜରେ ଆଲୋଚନାର ବିଷୟ ପାଲଟିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଶାସନପ୍ରତି ଆଙ୍ଗୁଳି ଉଠାଇଛି।

ସରକାର ଯଥାଶୀଘ୍ର ଘଟଣାରେ ସଂପୃକ୍ତ ଆଇଆଇସି ଏବଂ ତାଙ୍କ ସହଯୋଗୀଙ୍କୁ ସେମାନଙ୍କ ପଦରୁ ବହିଷ୍କୃତ କରିବା ପାଇଁ ସଂଘ ଦୃଢ଼ ଦାବି କରିବା ସହ ଆଜି ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ ମିଶ୍ରଙ୍କ ନେତୃତ୍ୱରେ ସଙ୍ଘର ସମ୍ପାଦକ ସତ୍ୟ ପାଇକରାୟ, ଯୁଗ୍ମ ସମ୍ପାଦକ ପ୍ରଦୀପ ବେହେରା, କୋଷାଧ୍ୟକ୍ଷ ଶରତ ବାରିକ, ଉପଦେଷ୍ଟା ଶୁଭ୍ରରଞ୍ଜନ ଦାସ, ମୁଖ୍ୟ ଉପଦେଷ୍ଟା ଉମାଶାଙ୍କର ପ୍ରସାଦ, କାଳନ୍ଦୀ ବ୍ରହ୍ମା, ଯୋଗେଶ ରାଉତ, ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କ ସମେତ ବହୁ ସାମ୍ବାଦିକ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଚୋରୀ ସାମଗ୍ରୀ ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ କରିଛି। ଏ ନେଇ ଆଜି ଅପରାହ୍ନରେ ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତ ମାସ ୧୭ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳର ଛବି ପ୍ରଧାନ ଏକ ପିକଅପ ଗାଡ଼ିରେ ଫୋଟୋ ଏବଂ ଗିଫ୍ଟ ଜିନିଷ ନେଇ ପୁରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ନିରାକାରପୁର ଥାନା ଅନ୍ତର୍ଗତ ରଟାମାଟି ଛକରେ ହଠାତ ୭ ଜଣ ଦୁର୍ବୁତ୍ତ ଛବିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ। ଏବଂ ତାଙ୍କଠାରୁ ମୋବଇଲ ଓ ପିକଅପ ଭ୍ୟାନ ଲୁଟିନେଇଥିଲେ। ଏ ସଂକ୍ରାନ୍ତରେ ନିରାକାରପୁର ଥାନାରେ କେଶ ନମ୍ବର ୫୩/୨୨ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ସେହିପରି ଭାବେ ଗତ ମାସ ୨୩ ତାରିଖ ରାତିରେ ଚାନ୍ଦପୁର ଥାନା ଅଞ୍ଚଳର ରାଇପଡ଼ା ଛକରୁ ସଂଯୁକ୍ତା ମାଝୀଙ୍କ କ୍ରସର ପରିସରରୁ ଏକ ନାଲି ରଙ୍ଗର ବୋଲେରୋ ଗାଡ଼ିକୁ ୬ ଜଣ ଦୁର୍ବୁତ୍ତ ଚୋରି କରି ନେଇଥିବାର ଅଭିଯୋଗ ହୋଇଥିଲା। ପୋଲିସ କେଶ ନମ୍ବର ୩୭/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ସେହିପରି ଭାବେ ଗତମାସ ୨୫ ଏବଂ ୨୬ ତାରିଖ ରାତିରେ ବେଗୁନିଆ ଥାନା ଅଞ୍ଚଳର ତିନି ଜଣ ଅଭିଯୋଗକାରୀଙ୍କ ଘରୁ ୬ ଜଣ ଦୁର୍ବୁତ୍ତ ୧୪ ଗୋଟି ଛେଳି, ୧୦ ଗୋଟି ମେଣ୍ଢା ଓ ଗୋଟେ ମୋବାଇଲ ଫୋନ ଲୁଟ କରିଥିଲେ। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ କେଶ ନମ୍ବର ୭୭, ୭୮ ଓ ୭୯ ରେ ତିନି ଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା।

ଗତମାସ ୨୯ ତାରିଖ ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଏମ ସତ୍ୟନାରାୟଣ ନାମକ ଜଣେ ଅଭିଯୋଗକାରି ଏକ ପିକ ଅପ ଭ୍ୟାନରେ ୩ ଟନ ଉଚ୍ଚ କ୍ଷମତା ସମ୍ପନ୍ନ ତାର ନେଇ ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ସଦର ଥାନା ଅନ୍ତର୍ଗତ ଓସିସି ଛକରେ ନାଲି ରଙ୍ଗ ବୋଲେରୋ ଗାଡ଼ିରେ ୭ ଜଣ ଦୁର୍ବୁତ୍ତ ସତ୍ୟଙ୍କୁ ଅଟକାଇ ଖଣ୍ଡା ଦେଖାଇ ତାଙ୍କ ତାର ବୋଝେଇ ପିକଅପ ଭ୍ୟାନ ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ସଦର ଥାନାରେ କେଶ ନମ୍ବର ୫୦/୨୨ ରେ ମାମଲା ରୁଜୁ କରାଯାଇଥିଲା।

ତେବେ ମାତ୍ର ୧୨ ଦିନ ବ୍ୟବଧାନରେ ସମାନ ଧରଣର ଏକାଧିକ ଲୁଟ ଖୋର୍ଦ୍ଧା ଜିଲ୍ଲା ପୋଲିସର ନିଦ ହଜାଇଦେଇଥିଲା। ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାର୍ଡ ସମେତ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ଗଠିତ ହୋଇଥିଲା। ଉକ୍ତ ଟିମ ଜିଲ୍ଲାର ଏକାଧିକ ଅଞ୍ଚଳରେ ଚଢ଼ାଉ ଜାରିରଖିଥିବା ବେଳେ ଆଜି ସମସ୍ତ ଲୁଟ ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଜିଲ୍ଲା ପୋଲିସ ଉକ୍ତ ଲୁଟରେ ସମୁଦାୟ ୫ ଜଣ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଅଞ୍ଚଳର ଅମଜାଦ ଖାନ, ଶେଖ ଜୁମା, ମୋହମଦ ଅଖତାର, ବେଗୁନିଆ ଥାନା ଗଡ଼ମାଣିତ୍ରି ଅଞ୍ଚଳର ପୁରୁଷୋତ୍ତମ ବାରିକ ଏବଂ ଜଣେ ନାବାଳକ। ତେବେ ଗିରଫ ଅମଜାଦ ଖାନଙ୍କ ବିରୋଧରେ ଏକାଧିକ ଥାନାରେ ପୂର୍ବରୁ ୧୫ ଗୋଟି ମାମଲା ଥିବା ବେଳେ ଶେଖ ଜୁମାଙ୍କ ବିରୋଧରେ ୭ ଗୋଟି ମାମଲା ରହିଥିବାର ପୋଲିସ କହିଛି।

ଉକ୍ତ ଚଢ଼ାଉରେ ପୋଲିସ ପାଖାପାଖି ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ହୋଇଥିବା ଜିନିଷ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଉକ୍ତ ଚଢ଼ାଉରେ ଜଙ୍କିଆ ଆଇଆଇସି ଦିଗବିଜୟ ବିଶ୍ୱାଳ, ସଦର ଆଇଆଇସି ଅନିତା ସାହୁ, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ, ବେଗୁନିଆ ଆଇଆଇସି ଲକ୍ଷ୍ମୀନାରାୟଣ ଶତପଥୀ, ଏସଆଇ ରଶ୍ମିରଞ୍ଜନ ଦାସ, ଏସଆଇ ପିଏମ ପ୍ରଧାନ, ଏଏସଆଇ ତପନ ପ୍ରଧାନ, ଏଏସଆଇ ରାମ ଚନ୍ଦ୍ର ମିଶ୍ର, ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଦୁଇଟି କାର ସମେତ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ୬ ଗିରଫ

ଖୋର୍ଦ୍ଧା: ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ରୋକ ଲଗାଇବାରେ ସଫଳ ହୋଇଛି ଖୋର୍ଦ୍ଧା ଅବକାରୀ ବିଭାଗ। ଗୋଡିପଡା ଟୋଲ ଗେଟ ନିକଟରେ ଚଢ଼ାଉ କରି ଦୁଇ ଗୋଟି କାରକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଉକ୍ତ ଦୁଇ କାରରୁ ସମୁଦାୟ ୧୮୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ।  ଯାହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ କାର ଦ୍ବୟ ଗଜପତିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାର ଅବକାରୀ ବିଭାଗ ସୂଚନା ଦେଇଛି।

ପୁର୍ବରୁ ଉକ୍ତ ଖବର ପାଇ ଗୋଡିପଡ଼ା ଟୋଲଗେଟ ନିକଟରେ ସାଧା ପୋଷାକରେ ଅବକାରୀ ବିଭାଗ ଜଗି ରହିଥିଲା। ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ସସ୍ମିତା ହୋତା, ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଖୋର୍ଦ୍ଧା ଅବକାରୀ ଥାନା ଅଧିକାରୀ ମନୋଜ ବାରିକ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଶରଧାପୁରର ବେଆଇନ ଖଣି ଉପରେ ପୋଲିସର ଚଢ଼ାଉ: ୮ ଗାଡି ଜବତ, ୨ ଗିରଫ

ଖୋର୍ଦ୍ଧା: ଆଜି ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଅଞ୍ଚଳର ବେଆଇନ ଖଣି ଉପରେ ପୋଲିସ ଚଢ଼ାଉ କରିଛି। ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଟାଉନ ଥାନା ଅନ୍ତର୍ଗତ ଶରଧାପୁର ଅଞ୍ଚଳରେ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ମାଙ୍କଡ଼ା ପଥର ବୋଝେଇ ଦୁଇ ଗୋଟି ହାଇୱା, ଦୁଇ ଗୋଟି ୪୦୭, ଦୁଇ ଗୋଟି ଟ୍ରକ ଓ ଦୁଇ ଗୋଟି ଟ୍ରାକ୍ଟରକୁ ମିଶାଇ ସମୁଦାୟ ୮ ଗୋଟି ଗାଡ଼ି ଜବତ କରିଛି। ଅନୁରୂପ ଭାବେ ଉକ୍ତ ବେଆଇନ ଖଣିରୁ ପୋଲିସ ସଦର ଥାନାର ଦୁଇ ଜଣ ଅଭିଯୁକ୍ତ ସତ୍ୟ ରଞ୍ଜନ ବରାଳ (୧୯) ଓ ସୁକାନ୍ତ ନାୟକ (୨୧) ଙ୍କୁ ଗିରଫ କରିଛି।

ତେବେ ଅନ୍ୟ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଟାଉନ ଥାନା ପୋଲିସ କେଶ ନମ୍ବର ୧୬୧/୨୨ ରେ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତମାନଙ୍କୁ ଖୋଜିବାରେ ଲାଗିପଡ଼ିଛି।

Categories
ଆଞ୍ଚଳିକ

ଉତ୍କଳ ଦିବସ: ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ

ଖୋର୍ଦ୍ଧା: ଉତ୍କଳ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଛି। ଖୋର୍ଦ୍ଧା କୋର୍ଟ ପରିସରସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂ, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀଙ୍କ ସମେତ ଖୋର୍ଦ୍ଧା ଓକିଲ ସଂଘର କର୍ମକର୍ତ୍ତା, ବୁଦ୍ଧିଜିବୀମାନେ ପୁଷ୍ପମାଲ୍ୟାର୍ପଣ କରିଥିଲେ।

ପରେ ବିଜେବି ହାଇସ୍କୁଲ ପରିସର ବକ୍ସି ଜଗବନ୍ଧୁ, ସମବାୟ ବ୍ୟାଙ୍କ ଛକ ପ୍ରାଣନାଥ ପଟ୍ଟନାୟକ ଏବଂ ପଞ୍ଚ ପାଇକ ଛକ ସ୍ଥିତ ପଞ୍ଚ ପାଇକଙ୍କ ପୀଠରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏଥିସହିତ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଟାଉନହଲରେ ସଭା ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ପ୍ରତିଷ୍ଠା ଦିବସରେ ପୋଲିସ ସେବା ପାଇଁ ପାଞ୍ଚ କର୍ମଚାରୀଙ୍କୁ ସମ୍ମାନିତ କଲେ ଏସପି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଆଜି ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଏସପି ପହି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ। ନିଜ ଅଭିଭାଷଣରେ ଏସପି କହିଥିଲେ କି, ପୋଲିସ କେବଳ ଜନତାର ବନ୍ଧୁ କହିଲେ ହେବନି, ବାସ୍ତବରେ ଏହାକୁ ପ୍ରତିପାଦନ କର। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କର। ସେବା ଓ ସମର୍ପଣ ଭାବ ନେଇ କାର୍ଯ୍ୟ କର। ନାଗରିକଙ୍କ ସହ ଉତ୍ତମ ବ୍ୟବହାର ଏବଂ ବନ୍ଧୁତ୍ଵପୂର୍ଣ୍ଣ ବାତାବରଣ ରହିଲେ ହୃଦୟ ଜିଣିପାରିବ ବୋଲି ଏସପି କହିଥିଲେ।

ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସଦର ଥାନା ଏଏସଆଇ ଦିଲ୍ଲୀପ କୁମାର ବିଶ୍ୱାଳ, ଜଙ୍କିଆ ଥାନା କନଷ୍ଟେବଳ ପ୍ରିତୀମୟୀ ବଡ଼ଜେନା, କନଷ୍ଟେବଳ ସୁଦାମ ବଳିୟାରସିଂହ ଏବଂ ଟ୍ରାଫିକ କନଷ୍ଟେବଳ ପ୍ରବୋଧ କୁମାର ସାହୁ ଆଦି ୫ଜଣ ପୋଲିସ କର୍ମଚାରୀଙ୍କୁ ଏସପି ପୁରସ୍କୃତ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତିରିକ୍ତ ଏସପି ସୁରେଶ କୁମାର ଦାଶ, ସୁରେନ୍ଦ୍ର ନାଥ ମୁର୍ମୁଙ୍କ ସମେତ ଖୋର୍ଦ୍ଧା ଏସଡିପିଓ ସୁଶିଲ କୁମାର ମିଶ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ସମସ୍ତ ଥାନାଧିକାରୀ, ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଓ ସେନାଧିକାରୀମାନେ ମଧ୍ୟ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୋପୀନାଥ ମହାରଣା

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଉପାଧ୍ୟକ୍ଷ ପାଇଁ ନିର୍ବାଚନ କରାଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୩୦ ଟି ଜୋନର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ଏହି ନିର୍ବାଚନ କରାଯାଇଛି। ମୋଟ ୩୦ ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେଡ଼ି ଦଳର ୨୮ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ମାତ୍ର ୨ ଟି ଜୋନରେ ବିଜେପି ଜିତିପାରିଥିଲା।

ତେବେ ଆଜିର ଏହି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜେପିର ଉଭୟ ଜିଲ୍ଲାପରିଷଦ ସଭ୍ୟ ଅଂଶ ଗ୍ରହଣ କରିନଥିଲେ। କିନ୍ତୁ ବିଜେଡ଼ି ପକ୍ଷରୁ ସମସ୍ତ ୨୮ ଜିଲ୍ଲାପରିଷଦ ସଭ୍ୟ ଏଥିରେ ଭାଗ ନେଇଥିଲେ। ଏହି ୨୮ ଜଣଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବାଣପୁର ବ୍ଲକ ଅନ୍ତର୍ଗତ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ଉପାଧ୍ୟକ୍ଷ ପାଇଁ ମନୋନୀତ କରାଯାଇଥିଲା। ଗୋପୀନାଥଙ୍କ ନାମକୁ ବିଜେଡ଼ିର ଜିଲ୍ଲା ପଲିଟିକାଲ ଏଜେଣ୍ଟ ବିଭୁତି ଭୂଷଣ ବଳବନ୍ତରାୟ ଉପସ୍ଥାପନା କରିବା ପରେ ଗୋପୀନାଥ ଉକ୍ତ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ତେବେ ଗୋପୀନାଥଙ୍କୁ ଦଳର ବାକି ୨୭ ଜଣ ସଦସ୍ୟ ସମର୍ଥନ ଦେଇଥିଲେ। ଯାହାଫଳରେ ଗୋପୀନାଥ ନିର୍ଦ୍ଵନ୍ଦ୍ଵରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ଘୋଷଣା ହେବା ପରେ ଚିଲିକା ବିଜେଡ଼ି ପକ୍ଷରୁ ଆନନ୍ଦର ଲହରୀ ଖେଳିଯାଇଛି। ଏହା ସହିତ କମ ବୟସରେ ଗୋପୀନାଥ ରାଜନୀତି କ୍ଷେତ୍ରରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଥିବାରୁ ସମର୍ଥକମାନେ ତାଙ୍କୁ ଅଭିବାଦନ ଜଣାଇଛନ୍ତି।