Categories
ଆଜିର ଖବର ରାଜ୍ୟ ଖବର

ସାମନ୍ତବାଦ ଓ ରୁଢିବାଦ ବିରୋଧୀ ସଂଘର୍ଷର ପ୍ରତୀକ ପ୍ରଜାତନ୍ତ୍ର: ଅନୁରାଗ ସିଂ ଠାକୁର

ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା ପ୍ରଜାତନ୍ତ୍ର ଭାବେ ଦେଖିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି। ସେହିପରି ପ୍ରଜାତନ୍ତ୍ର ସାମନ୍ତବାଦ ଓ ରୁଢିବାଦ ବିରୋଧରେ ସଂଘର୍ଷର ଏକ ପ୍ରତୀକ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ସଭ୍ୟତାରେ ସମାଜ ଜାଗ୍ରତ ହୋଇ ସଚେତନତା ସୃଷ୍ଟି କରିବା ସହ ସମ୍ବେଦନଶୀଳ ହୋଇ ନିଜକୁ ସବୁବେଳେ ସମ୍ଭାଳିବାର ଶକ୍ତି ରଖେ । ପ୍ରଜାତନ୍ତ୍ର ସେଭଳି ଏକ ଆନ୍ଦୋଳନ । ଏହି ସମ୍ବାଦପତ୍ର କେବଳ ଜନତାଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନୁହେଁ ବରଂ ଗାଁ ମଜଲିସ ମାଧ୍ୟମରେ ସାମ୍ବାଦିକ ଭାଷାକୁ ରୂପ ଦେବା ସହ ଓଡ଼ିଶାରେ ସାହିତ୍ୟକୁ ଆଗକୁ ନେବା ପାଇଁ ଯଥେଷ୍ଟ ପ୍ରୟାସ କରିଛି । ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜଲିସ’ ସମାଜରେ ପରିବର୍ତ୍ତନ ଆଣିବାର ଏକ ମାଧ୍ୟମ ଥିଲା । ଏକବିଂଶ ଶତାବ୍ଦୀରେ ଏହି ସମ୍ବାଦପତ୍ର ସମୀକ୍ଷା ସହ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚୁ । ଓଡ଼ିଶାର ପୁଞ୍ଜି ବୌଦ୍ଧିକ ସ୍ପଷ୍ଟତା । ତେଣୁ କଟକର ଚିନ୍ତା କରିଥିବା ବାଇମୁଣ୍ଡିଙ୍କ ପରି ରାଜ୍ୟର ବାଇମୁଣ୍ଡି ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରାଜ୍ୟରେ ଦାୟିତ୍ୱ ନେଉଥିବା ଲୋକଙ୍କୁ ଉଜାଗର କରିବାକୁ ହେବ ।

ପ୍ରଜାତନ୍ତ୍ର ପରିବାରର ପ୍ରତ୍ୟେକ ସଦସ୍ୟ ଏକ ଶତାବ୍ଦୀ ଧରି ଖବରକାଗଜର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ଚିନ୍ତାଧାରାକୁ ଓଡ଼ିଶାବାସୀଙ୍କ ମଧ୍ୟରେ ବଞ୍ଚାଇ ରଖିଛନ୍ତି । ଏହି ଶୁଭ ଅବସରରେ ‘ପ୍ରଜାତନ୍ତ୍ର’ ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । କଟକରୁ ଆରମ୍ଭ ହୋଇଥିବା ‘ପ୍ରଜାତନ୍ତ୍ର’ ତତ୍କାଳୀନ ସମୟର ପରିଚୟ ଓ ଓଡ଼ିଆ ଜନତାଙ୍କର ଅଭିବ୍ୟକ୍ତି ଥିଲା । ଆଜି ପ୍ରଜାତନ୍ତ୍ର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ଦେଖିବା ବେଳେ ମନରେ ଅନୁଭବ ହେଲା ଯେ, ସେ ସମୟର ପ୍ରଜାତନ୍ତ୍ର ଓଡ଼ିଆ ଭାଷା, ଜାତି, ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନ ଥିଲା । ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ବହୁତ ଭଲରେ ଓଡ଼ିଆଙ୍କ ସ୍ପନ୍ଦନକୁ ବୁଝିପାରିଥିଲେ । ଏହି ଅବସରରେ ସେହି ଯୁଗଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ପ୍ରଜାତନ୍ତ୍ର ଏକ ବହୁତ ବଡ ଦାୟିତ୍ୱ ତୁଲାଇଥିଲା । ଉତ୍କଳକେଶରୀ ହରେକୃଷ୍ଣ ମହତାବ ଓଡ଼ିଶା ସମେତ ଜାତୀୟ ସ୍ତରରେ ନିଜ ଜୀବନରେ ଅନେକ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି । ଯେଉଁଠି ଲୋକତନ୍ତ୍ରକୁ କିଛି ଲୋକ ଲୁଟତନ୍ତ୍ର ବନାଇ ଦେଇଛନ୍ତି ଏବଂ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର ବନାଇ ଦେଇଛନ୍ତି, ସେଭଳି ସମୟରେ ପ୍ରଜାତନ୍ତ୍ର ଭଳି ପତ୍ରିକା ମାଧ୍ୟମରେ ଦେଶକୁ ପୁଣି ଥରେ ବଞ୍ଚାଇବା ଜରୁରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ପୂର୍ବରୁ ଗୋଟଏ ଲଢେଇ ଥିଲା, ଆଉ ଏବେ ଗୋଟିଏ ଲଢେଇ ଅଛି । ସେତେବେଳେ ଇଂରେଜଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲଢେଇ ଥିଲା ଆଉ ଏବେ ବ୍ରିଟିଶ ଆଭିମୁଖ୍ୟ ରଖୁଥିବା ଲୋକଙ୍କ ଠାରୁ କେମିତି ମୁକ୍ତି ପାଇବା, ସେଥିପାଇଁ ଲଢେଇ ଚାଲିଛି । ଆଜିର ସମୟରେ ଯେତେବେଳେ କିଛି ସାମ୍ବାଦିକ ଓ ଗଣମାଧ୍ୟମ ସତ୍ୟ ଖବର ସଂଗ୍ରହ କରିବା ପାଇଁ ପରିଶ୍ରମ କରୁଛନ୍ତି ସେ ସମୟରେ କିଛି ଲୋକ ନ୍ୟୁଜ୍ ନାଁରେ ଫେକ୍ ନ୍ୟୁଜ୍ ପ୍ରଚାର କରୁଛନ୍ତି । ଏହା ଦ୍ୱାରା ବ୍ୟକ୍ତି, ସମାଜ, ସରକାର ଓ ଦେଶର କ୍ଷତି ହେଉଛି । ଏହି ଫେକ୍ ନ୍ୟୁଜକୁ ଯାଞ୍ଚ କରିବା ପାଇଁ ଭାରତ ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ବନାଯାଇଛି ବୋଲି ସେ କହିଛନ୍ତି ।

ଉଭୟ କେନ୍ଦ୍ରମନ୍ତ୍ରୀ ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହ ଅବସରରେ  ସାଂସଦ ତଥା ‘ପ୍ରଜାତନ୍ତ୍ର’ ର ସମ୍ପାଦକ ଭର୍ତ୍ତୃହରି ମହତାବ ଓ ସମ୍ବାଦପତ୍ର ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।