Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଓଡିଶା ଆସିଲେ ନାଇଜେରିଆ ପ୍ରତିନିଧି

ଭୁବନେଶ୍ବର: ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶାରେ ପ୍ରସ୍ତୁତ କରାଯାଉଥିବା ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ୍ ) ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ରାଜ୍ୟର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ଓଡ଼ିଶା ଆସିଛନ୍ତି। ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ଖାଦ୍ୟ ନିୟାମକ ସଂସ୍ଥା ମନ୍ତ୍ରାଳୟ ତଥା ବିଭାଗ ଏବଂ ଘରୋଇ କ୍ଷେତ୍ରର ସରକାରୀ ଅଧିକାରୀମାନଙ୍କ ସହିତ ଆସିଥିବା ଏହି ୧୩ ଜଣିଆ ଟିମ୍ ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର‌୍ୟ୍ୟକ୍ରମ (ଡବ୍ଲ୍ୟୁଏଫପି) ସହାୟତାରେ ଆସିଛନ୍ତି।

ନାଇଜେରିଆ ସରକାର ଖାଦ୍ୟକୁ ଅଣୁ ପୁଷ୍ଟିସାରଯୁକ୍ତ କରିବା ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ରଣନୀତି ଅନୁଯାୟୀ ସରକାର ଜାତୀୟ ଫର୍ଟିଫିକେସନ୍ କାର‌୍ୟ୍ୟକ୍ରମର ଏକ ଅଂଶ ଭାବରେ ସେ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ (ଫର୍ଟିଫିକେସନ) କରିବାକୁ ଅନୁମତି ଦେଇଛନ୍ତି।

ଭାରତର ଚାଉଳ ଫର୍ଟିଫିକେସନ୍ ପ୍ରକ୍ରିୟା କାର‌୍ୟ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ହୋଇଛି। ବିଶେଷକରି ଦେଶରେ ଫର୍ଟିଫାଇଡ୍ ଚାଉଳ ପ୍ରସ୍ତୁତି ପାଇଁ ଦେଶରେ ଉତ୍ତମ ପରିବେଶ ସୃଷ୍ଟି ହୋଇଛି। ଭାରତର ଆଭିମୁଖ୍ୟରେ ଦୃଢ଼ ସରକାରୀ ନେତୃତ୍ୱ ଅନ୍ତର୍ଭୁକ୍ତ ଯାହା ଲକ୍ଷ୍ୟଧାର‌୍ୟ୍ୟ ଅନୁସାରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପରି ସାର୍ବଜନୀନ ବିତରଣ ବ୍ୟବସ୍ଥାକୁ ସମର୍ଥନ କରୁଛି।

ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଜନ୍ ଉରୁଆକ୍ପା କହିଛନ୍ତି, ଏହି ଶିକ୍ଷଣ ଗସ୍ତର ଉଦ୍ଦେଶ୍ୟ ହେଉଛି ଅଂଶୀଦାରମାନଙ୍କୁ ପ୍ରାଥମିକ ଅଭିଜ୍ଞତା ଏବଂ ଜ୍ଞାନ ପ୍ରଦାନ କରିବା, ସ୍କୁଲ ଫିଡିଂ ପ୍ରୋଗ୍ରାମକୁ ଏକ ବିତରଣ ବ୍ୟବସ୍ଥା ଭାବରେ ବ୍ୟବହାର କରି ତାଙ୍କ ଦେଶର “କେବି” ରାଜ୍ୟରେ ଏକ ଚାଉଳ ଫୋର୍ଟିଫିକେସନ୍ ପାଇଲଟ୍ ପ୍ରୋଜେକ୍ଟକୁ ଦକ୍ଷତାର ସହ ଆରମ୍ଭ କରିବାକୁ ସକ୍ଷମ ହେବା।

ଓଡ଼ିଶାରେ ପହଞ୍ଚିବା ପରେ ଏହି ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ଓଡ଼ିଶାର ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଭେଟିଥିଲେ। ଲୋକସେବା ଭବନରେ ଏହି ପରିପ୍ରେକ୍ଷୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତି ଅନୁ ଗର୍ଗ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମୟ ସୀମାର ଏକ ବର୍ଷ ପୂର୍ବରୁ ଓଡ଼ିଶା ସମସ୍ତ ଖାଦ୍ୟଭିତ୍ତିକ ଯୋଜନାରେ ରାଜ୍ୟବ୍ୟାପୀ ଫର୍ଟିଫାଇଡ୍ ଚାଉଳର ସମ୍ପୂର୍ଣ୍ଣ ପ୍ରଚଳନ କରିଛି।

୨୦୧୨ ମସିହାରେ ଗଜପତି ଜିଲ୍ଲାରେ ଓଡ଼ିଶା ଦେଶରେ ପ୍ରଥମ କରି ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ ପ୍ରସ୍ତୁତି(ଫର୍ଟିଫିକେସନ) ନିମନ୍ତେ ପଦକ୍ଷେପ ନେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ବିଶେଷକରି କୁପୋଷଣର ମୁକାବିଲା ଓ ଖାଦ୍ୟ ନିରାପତ୍ତା ସୃଷ୍ଟି ଦିଗରେ ରାଜ୍ୟ ସରକାର ନିଜର ଅଭିଜ୍ଞତା ଓ ଶିକ୍ଷା ବାଣ୍ଟିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଉନ୍ନୟନ କମିଶନର ପ୍ରକାଶ କରିଥିଲେ।

ନାଇଜେରିଆରେ ଚାଉଳ ଫର୍ଟିଫିକେସନ କୁ ପ୍ରୋତ୍ସାହନ ନିମନ୍ତେ ‘ଦକ୍ଷିଣ-ଦକ୍ଷିଣ’ ଶିକ୍ଷଣ ପରିପ୍ରେକ୍ଷୀରେ ଭାରତ ଆସି ଆମେ ବେଶ୍ ଉତ୍ସାହିତ। ଏ କ୍ଷେତ୍ରରେ ଭାରତର କାର‌୍ୟ୍ୟକାରିତା ଯାତ୍ରାର ସଫଳତା, ଆହ୍ୱାନ ଏବଂ ଶିକ୍ଷାରୁ ଶିଖିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହା ବ୍ୟତୀତ ନାଇଜେରିଆ ପରିପ୍ରେକ୍ଷୀରେ ଏହି ଶିକ୍ଷାଗୁଡ଼ିକୁ କିପରି ଆଦୃତ ଏବଂ କାର‌୍ୟ୍ୟକାରୀ କରାଯାଇପାରିବ ତାହା ଚିହ୍ନଟ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ଭାରତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ଶ୍ରୀମତୀ ଏଲିଜାବେଥ ଫାଉରେ କହିଛନ୍ତି।

ଏହି ଦଳ ଚାଉଳ ଫର୍ଟିଫିକେସନ ସ୍ଥାନ ପରିଦର୍ଶନ କରି ଏଥିପାଇଁ ବ୍ୟବହୃତ ଯନ୍ତ୍ରପାତି, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ନିରାପତ୍ତାମାନକ ପ୍ରକ୍ରିୟା ସଂପର୍କରେ ବୁଝିବେ। ସଦସ୍ୟମାନେ ନିୟାମକ ଦିଗ ଏବଂ ଅନୁପାଳନ ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ଖାଦ୍ୟ ନିୟନ୍ତ୍ରଣ ଅଧିକାରୀଙ୍କ ସହ ବୈଠକ କରିବେ। ସେମାନେ ଚାଉଳ ଫର୍ଟିଫିକେସନ୍ କାର‌୍ୟ୍ୟକ୍ରମର ପ୍ରସ୍ତୁତି ପ୍ରଣାଳୀ ଏବଂ କାଯ୍ୟକାରୀ କରାଯାଉଥିବା ନୀତି ନିର୍ଧାରକମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୋଲା ବଜାର ବିକ୍ରି ଯୋଜନା ମାଧ୍ୟମରେ ଗହମ ଏବଂ ଚାଉଳ ବିକ୍ରି କଲେ କେନ୍ଦ୍ର ସରକାର: ଜାଣନ୍ତୁ ପରିମାଣ

ନୂଆଦିଲ୍ଲୀ: ଚାଉଳ, ଗହମ ଏବଂ ଅଟାର ଖୁଚୁରା ମୂଲ୍ୟକୁ ନିର୍ଦ୍ଧାରିତ କରିବାର ବଜାର ଉପାୟ ଭାବରେ ଭାରତ ସରକାରଙ୍କ ପଦକ୍ଷେପ ଅନ୍ତର୍ଗତ ଗହମ ଓ ଚାଉଳ ଉଭୟର ସାପ୍ତାହିକ ଇ-ନିଲାମ ଆୟୋଜନ କରାଯାଇଛି। ବର୍ଷ 2023-24 ର 11ଶ ଇ-ନିଲାମ 06.09.2023 ତାରିଖରେ ଆୟୋଜିତ କରାଯାଇଛି। ସମଗ୍ର ଦେଶରେ 500 ଡିପୋ ରୁ 2 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ 337 ଡିପୋରୁ 4.89 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବିକ୍ରିର ଉପସ୍ଥାପନ କରାଯାଇଛି। 

ଇ-ନିଲାମିରେ 1.66 ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ 0.17 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବିକ୍ରି କରାଯାଇଛି। ଏଫଏକ୍ୟୁ ଗହମ ପାଇଁ ହାରାହାରି ବିକ୍ରୟ ମୂଲ୍ୟ 2169.65 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା ଯେତେବେଳେ କି ଏହାର ସମଗ୍ର ଦେଶରେ ସଂରକ୍ଷିତ ମୂଲ୍ୟ 2150 ଟଙ୍କା ପ୍ରତି କ୍ବିଣ୍ଟାଲ୍ ରହିଥଲା। ୟୁଆରଏସ ଗହମର ହାରାହାରି ବିକ୍ରି ମୂଲ୍ୟ 2150.86 ରହିଛି ଯେତେବେଳେ କି ଏହାର ସଂରକ୍ଷିତ ମୂଲ୍ୟ 2125 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା।

ଚାଉଳର ହାରାହାରି ବିକ୍ରୟ ମୂଲ୍ୟ 2956.19 ଟଙ୍କା ପ୍ରତି କ୍ବିଣ୍ଟାଲ୍ ଥିଲା, ଯେତେବେଳେକି ସାରା ଦେଶରେ ଏହାର ସଂରକ୍ଷିତ ମୂଲ୍ୟ 2952.27 ଟଙ୍କା ପ୍ରତି କ୍ବିଣ୍ଟାଲ୍ ରହିଛି।

ଇ-ନିଲାମର ବର୍ତ୍ତମାନର କିସ୍ତିରେ, ଗହମ ପାଇଁ କ୍ରେତା ପାଇଁ ସର୍ବାଧିକ 100 ଟନ୍ ଏବଂ ଚାଉଳ ପାଇଁ 1000 ଟନ୍ ପର୍ଯ୍ୟନ୍ତ ରିଟେଲ ମୂଲ୍ୟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଛୋଟ ଏବଂ ମାର୍ଜିନାଲ ଉପଭୋକ୍ତାଙ୍କୁ ଉତ୍ସାହିତ କରିବା ଏବଂ ଅଧିକ ଅଂଶଗ୍ରହଣକାରୀ ଆଗକୁ ଆସି ସେମାନଙ୍କ ପସନ୍ଦ ଡିପୋରୁ ପରିମାଣ ପାଇଁ ବିଡ୍ କରିପାରିବେ ବୋଲି ନିଶ୍ଚିତ କରିବା ଅଟେ।

ଷ୍ଟକ୍ ବ୍ୟବସାୟୀମାନଙ୍କୁ ଓଏମଏସଏସ (ଡି) ଅଧୀନରେ ଗହମ ବିକ୍ରୟରୁ ଦୂରେଇ ରଖାଯାଇଥିଲା ଏବଂ ଓଏମଏସଏସ (ଡି) ଅଧୀନରେ ଗହମ କିଣିଥିବା ପ୍ରୋସେସରର ଫ୍ଲୋ ମିଲ୍ସରେ ନିୟମିତ ଯାଞ୍ଚ / ନିରୀକ୍ଷଣ କରାଯାଉଛି । 05.09.23 ପର୍ଯ୍ୟନ୍ତ ସମଗ୍ର ଦେଶରେ 898 ଯାଞ୍ଚ କରାଯାଇଛି।

Categories
ରାଜ୍ୟ ଖବର

ଗରିବଙ୍କ ଚାଉଳ କାଟିନେବା ଅଭିଯୋଗରେ ବିଜେପି ବିରୋଧରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ରାଜ୍ୟର ୩.୨୫ କୋଟି ଲୋକେ ପ୍ରତି ମାସରେ ପାଉଥିବା ୫ କିଲୋଗ୍ରାମ ଚାଉଳକୁ ଓଡ଼ିଶା ବିଜେପି କିପରି ଛଡ଼ାଇ ନେଇଛି ବିଜେଡି ତାହାର ପର୍ଦ୍ଦାଫାସ କରିବ ବୋଲି କହଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରି ଓଡିଶା ବିଜେପି ରାଜ୍ୟର ୩.୨୫ କୋଟି ଗରିବ ଲୋକଙ୍କୁ ମିଳୁଥିବା ୫ କିଲୋ ଚାଉଳକୁ ଛଡାଇ ନେଇଛି ।

ଏ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଓଡିଶା ବିଜେପି ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ କରିବ ଏବଂ ଓଡିଶାର ଗରିବ ଲୋକଙ୍କ ଠାରୁ ଛଡାଇ ନିଆଯାଇଥିବା ୫ କେଜି ମାଗଣା ଚାଉଳ ଯେଭଳି ପୁଣି ଥରେ ସେମାନଙ୍କୁ ମିଳିବ ସେ ଦିଗରେ ଉଦ୍ୟମ ଜାରି ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଚାଉଳ ଏବଂ ରୋଟି ମଧ୍ୟରୁ ପ୍ରଥମେ କ’ଣ ଖାଇବା ଲାଭଦାୟକ, ଜାଣନ୍ତୁ ସଠିକ୍ ଉପାୟ

ସ୍ୱାସ୍ଥ୍ୟ ଟିପ୍ସ: ଶରୀରକୁ ସୁସ୍ଥ ରଖିବା ପାଇଁ ଠିକ୍ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସମସ୍ତଙ୍କୁ ଜାଣିବା ଉଚିତ୍ ଯେ, କଣ ଖାଇବା ଏବଂ କେଉଁ ଉପାୟରେ ଖାଇବା ଆବଶ୍ୟକ? ଥାଳିରେ ପରଷା ଯାଇଥିବା ଚାଉଳ ଏବଂ ରୋଟିକୁ ଲୋକମାନେ ପ୍ରଥମେ କ’ଣ ଖାଇବେ, ଦ୍ୱନ୍ଦ୍ୱରେ ଥାନ୍ତି। ଲୋକମାନେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନରେ ଏକତ୍ର ରୋଟି ଏବଂ ଚାଉଳ ଖାଆନ୍ତି, ଯାହା ଭୁଲ୍। ଏହି ଦୁଇଟିକୁ ଖାଦ୍ୟରେ ଏକାଠି ଗ୍ରହଣ କରିବା ଉଚିତ୍ ନୁହେଁ। କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏବଂ ଡାକ୍ତରମାନେ ମଧ୍ୟ ଏହି ଜିନିଷକୁ ବାରଣ କରନ୍ତି। ଏଥିରେ ମୋଟାପଣ ହେବାର ସମ୍ଭାବନା ବଢାଇଥାଏ।

ଏହା ଖାଇବା ପାଇଁ ଉପଯୁକ୍ତ ନିୟମ:

– ଯଦି ଆପଣ ଗୋଟିଏ ଥରରେ କେବଳ ଗୋଟିଏ ଜିନିଷ ଖାଆନ୍ତି, ଯେପରିକି ଆପଣ ରୋଟି ଖାଉଛନ୍ତି, ତେବେ ଚାଉଳ ନିଅନ୍ତୁ ନାହିଁ। ତେବେ ଯଦି ଆପଣ ଏହା ସହିତ ଚାଉଳ ଖାଉଛନ୍ତି, ତେବେ ରୋଟି ଖାଆନ୍ତୁ ନାହିଁ। ଏହିପରି ଆପଣଙ୍କ ଶରୀରର ଓଜନ ଠିକ ରହିବ।

– ଯଦି ଆପଣଙ୍କର ଉଭୟ ଖାଦ୍ୟକୁ ଏକାଠି ଖାଇବାକୁ ଅଭ୍ୟସ୍ତ। ତେବେ ଆପଣ ପ୍ରଥମେ ରୋଟି ଏବଂ ତା’ପରେ ଟିକେ ଚାଉଳ ଖାଇପାରିବେ, ଯାହାଫଳରେ ଶରୀରରେ ଅତ୍ୟଧିକ ଚର୍ବି ଜମା ହୋଇନଥାଏ ଏବଂ ଭୋକ ମଧ୍ୟ ଲୋପ ପାଇଯାଏ।

– ଏହି ଦୁଇଟିରେ କାର୍ବର ପରିମାଣ ମିଳିଥାଏ, ଯେଉଁ କାରଣରୁ ଶରୀରରେ ଚର୍ବି ଜମା ହେବା ଆରମ୍ଭ କରେ। ଏହି କାରଣରୁ ଶରୀରର ଆକୃତି ମଧ୍ୟ ଖରାପ ହୋଇଯାଏ।

– ରାତ୍ରୀ ଭୋଜନରେ, ସବୁବେଳେ ହାଲୁକା କିଛି ଖାଇବାକୁ ଚେଷ୍ଟା କରିବା ଉଚିତ୍। ଯାହା ଦ୍ଵାରା ଏହା ସହଜରେ ହଜମ ହୋଇପାରିବ। ଯଦି ଆପଣ ରାତ୍ରି ଭୋଜନରେ ରୋଟି ଖାଆନ୍ତି, ତେବେ ଏହା ଭଲ ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ଚାଉଳ,ଗହମ,ଆଖୁ ଆଦିରୁ ଉତ୍ପାଦନ ହେବ ପେଟ୍ରୋଲରେ ମିଶିବାକୁ ଥିବା ଇଥାନଲ ଇନ୍ଧନ

ନୂଆଦିଲ୍ଲୀ, ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। କାରଣ ବର୍ତ୍ତମାନ ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ। ଏ ନେଇ କ୍ୟାବିନେଟର ମଂଜୁରୀ ମିଳିଛି। ଫଳରେ ଏହା ଚାଷୀଙ୍କ ଆୟ ବଢାଇବାରେ ବେଶ୍ ସସହାୟକ ହେବ ବୋଲି ଆଶା କରାଯାଉଛି।

୨୦୨୨ ସୁଦ୍ଧା ପେଟ୍ରୋଲରେ ୧୦ ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ମିଶାଇବାକୁ ସରକାର ଲକ୍ଷ୍ୟଧାର‌୍ୟ୍ୟ କରିଛନ୍ତି । ସେହିଭଳି ଏହି ଅନୁପାତକୁ ୨୦୨୬ ସୁଦ୍ଧା ୧୫ ଶତାଂଶ ଏବଂ ୨୦୩୦ ସୁଦ୍ଧା ୨୦ ଶତାଂଶକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଚିନିଶିଳ୍ପକୁ ସମର୍ଥନ ଦେବା ସହ ଆଖୁଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ମଧ୍ୟ ଗୁଡ, ଦୋରୁଅ, ପାଣିଆଗୁଡ ଏବଂ ଚିନିରୁ ଇଥାନଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହିସବୁ ଉତ୍ପାଦିତ ଇଥାନଲର ଲାଭଜନକ ବିକ୍ରୟ ମୂଲ୍ୟ ମଧ୍ୟ ସରକାର ଧାର‌୍ୟ୍ୟ କରିଛନ୍ତି । ଇଥାନଲ ଯୋଗାଣ ପାଇଁ ମଧ୍ୟ ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି।

ଚଳିତ ଋତୁରେ ଇଥାନଲର ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି। ଉତ୍ତମ ଇନ୍ଧନ ମାନର ଅଧିକ ଇଥାନଲ ଉତ୍ପାଦନ ପାଇଁ ସରକାର ବିଭିନ୍ନ ଡିଷ୍ଟିଲାରୀକୁ ଏଫ୍‍ସିଆଇରେ ବଳକା ଥିବା ମକା ଓ ଚାଉଳକୁ ନେଇ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ମଧ୍ୟ ଇଥାନଲର ଲାଭଜନକ ମୂଲ୍ୟ ଘୋଷଣା କରାଯାଇଛି । ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦ ଶତାଂଶ ଇଥାନଲ ମିଶାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ୫ ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛନ୍ତି।

ତେବେ ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶରେ ଯଥେଷ୍ଟ ଇଥାନଲ ଦକ୍ଷତା ନାହିଁ । ଏହି ଉତ୍ପାଦନ ଦକ୍ଷତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି। ସେହିଭଳି ଉତ୍ପାଦିତ ଇଥାନଲକୁ ଦେଶର ବିଭିନ୍ନ ତୈଳ କଂପାନୀ ସରକାରୀ ନୀତିନିୟମରେ ଉତ୍ପାଦକଙ୍କଠାରୁ କିଣୁଛନ୍ତି ।

କେବଳ ଅଧିକ ଇଥାନଲ ଉତ୍ପାଦନ କରିଦେଲେ ଯଥେଷ୍ଟ ନୁହେଁ । ପେଟ୍ରୋଲରେ ମିଶିବା ପାଇଁ ଯେଉଁ ମାନର ଇଥାନଲ ଦରକାର ତାହାର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆଖୁରୁ କେବଳ ଏହା ସମ୍ଭବ ନୁହେଁ । ଏଥିପାଇଁ ପ୍ରଥମ ପିଢି ବା ୧ଜି ଇଥାନଲର ଆବଶ୍ୟକତା ରହିଛି । କନ୍ଦମୂଳ ଜାତୀୟ ପଦାର୍ଥ, ବିଭିନ୍ନ ପ୍ରକାର ଶସ୍ୟରୁ ମଧ୍ୟ ଏହା ଉତ୍ପାଦିତ ହୋଇପାରିବ । ତାହାକୁ ଦୃଷ୍ଟିରେ ରଖି ଧାନଚାଉଳ, ଗହମ, ଜବ, ବିଭିନ୍ନ ପ୍ରକାର ଶସ୍ୟ ଓ ବାଜରା ଜୱାର ଆଦି ସହିତ ଆଖୁ ଓ କନ୍ଦମୂଳ ଜାତୀୟ ଫସଲ ଉତ୍ପାଦନକୁ ବଢାଇବାକୁ ହେବ ।

ଏଥିପାଇଁ ସରକାର ଯେଉଁ ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି ତାହା ହେଲା

(୧) ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସରକାର ନିମ୍ନଲିଖିତ ବର୍ଗ ଓ ଶ୍ରେଣୀକୁ ସୁଧ ରିଆତି ପ୍ରଦାନ କରିବାକୁ ସଂଶୋଧିତ ବ୍ୟବସ୍ଥାରେ ସୁବିଧା ଯୋଗାଇ ଦେଇଛନ୍ତି ।

(କ) ଶସ୍ୟଭିତ୍ତିକ ଡିଷ୍ଟିଲାରୀ ସ୍ଥାପନ ଓ ଏହିଭଳି ସୁରାସାର ଉତ୍ପାଦନ କାରଖାନାର ସଂପ୍ରସାରଣ ପାଇଁ ଋଣ ଉପରେ ସୁଧ ରିଆତି ମିଳିବ। ତେବେ ଯେଉଁ ଡିଷ୍ଟିଲାରୀଗୁଡିକ ଡ୍ରାଏ ମିଲିଂ ପ୍ରକ୍ରିୟାରେ ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ କେବଳ ଏହି ସୁଧ ରିଆତି ସୁବିଧା ପାଇବେ।

(ଖ) ମୋଲାସେସଭିତ୍ତିକ ନୂଆ ଡିଷ୍ଟିଲାରୀ ସ୍ଥାପନ ବା ପୁରୁଣା ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ଏହି ଋଣଛାଡ ସୁବିଧା ମିଳିବ । କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡର ନୀତିନିୟମ ଭିତ୍ତିରେ ଯେଉଁସବୁ ଉଦ୍ୟୋଗ ଏହି ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ।

(ଗ) ନୂଆ ଡୁଆଲଫିଡ୍‍ ଡିଷ୍ଟିଲାରୀ ସ୍ଥାପନ ବା ଏଭଳି ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ସୁବିଧା ମିଳିବ ।

(ଘ) ବର୍ତ୍ତମାନର ମୋଲାସେସ୍‍ ଭିତ୍ତିକ ଡିଷ୍ଟିଲାରୀର ପରିବର୍ତ୍ତନ କରି ଏହାକୁ ଡୁଆଲ ଫିଡ୍‍ରେ ପରିଣତ କରିବା ପାଇଁ ମଧ୍ୟ ଏହି ସରକାରୀ ସୁବିଧା ଯୋଗାଣ ପ୍ରଯୁଜ୍ୟ ହେବ। ଡୁଆଲ ଫିଡ୍‍ର ଅର୍ଥ ହେଲା ଉଭୟ ମୋଲାସେସ ଓ ଶସ୍ୟକୁ ବ୍ୟବହାର କରି ସେଥିରୁ ଇଥାନଲ ଉତ୍ପାଦନ କରିବା ।

(ଙ) ଜୱାର, ବାଜରା, ସୁଗାରବିଟ୍‍ ଓ ଅନ୍ୟାନ୍ୟ ଶସ୍ୟକୁ ବ୍ୟବହାର କରି ନୂଆ ଡିଷ୍ଟିଲାରୀ ସ୍ଥାପନ ପାଇଁ ମଧ୍ୟ ଏହି ରିଆତି ବ୍ୟବସ୍ଥା ମିଳିବ। ଏହାଛଡା ଯେଉଁ ଡିଷ୍ଟିଲାରୀ ଏମ୍‍ଏସ୍‍ଡିଏଚ୍‍ ବ୍ୟବହାର କରି ରେକ୍ଟିଫାଏଡ ସ୍ପିରିଟକୁ ଇଥାନଲରେ ପରିବର୍ତ୍ତନ କରିବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସୁଧଛାଡ ମିଳିବ।

(୨) ସରକାର ଏ କ୍ଷେତ୍ରରେ ଋଣଛାଡ ଜନିତ ଖର୍ଚ୍ଚ ୫ବର୍ଷ ପର‌୍ୟ୍ୟନ୍ତ ବହନ କରିବେ । ସେହିଭଳି ଋଣଗ୍ରହୀତାଙ୍କ ପାଇଁ ୧ ବର୍ଷର ସ୍ଥଗନାଦେଶ ସୁବିଧା ରହିଛି; ଯଦ୍ଦ୍ୱାରା ସେମାନଙ୍କୁ ତତ୍କାଳ ଋଣ ଶୁଝିବାକୁ ପଡିବ ନାହିଁ।

(୩) ଯେଉଁସବୁ ଉଦ୍ୟୋଗ ବା ସଂସ୍ଥା ଅତିରିକ୍ତ ଡିଷ୍ଟିଲେସନ ଦକ୍ଷତାର ଉପଯୋଗ କରି ୭୫ ଶତାଂଶ ଇଥାନଲ ଉତ୍ପାଦନ କରୁଥିବେ କେବଳ ସେହି ସଂସ୍ଥାମାନେ ଋଣଛାଡ ସୁବିଧା ପାଇବେ।

ସରକାରଙ୍କ ଏହିସବୁ ପ୍ରୋତ୍ସାହନ ଫଳରେ ଦେଶରେ ୧ଜି ଇଥାନଲ ଉତ୍ପାଦନ ପରିମାଣ ବଢିବ ଏବଂ ସରକାର ଧାର‌୍ୟ୍ୟମତେ ପେଟ୍ରୋଲରେ ଇଥାନଲ ମିଶ୍ରଣ କାର‌୍ୟ୍ୟ ସୁରୁଖୁରୁରେ ସଂପନ୍ନ କରିପାରିବେ। ଏହାଦ୍ୱାରା ମଧ୍ୟ ଦେଶରେ ନିଜସ୍ୱ ଉତ୍ସରୁ ଇଥାନଲ ସଂଗୃହୀତ ହୋଇପାରିବ; ଯାହା ଏକ ଇନ୍ଧନ ହିସାବରେ ପ୍ରଦୂଷଣମୁକ୍ତ ଏବଂ ବାସ୍ତବରେ ଅସରନ୍ତି। ଏହାଦ୍ୱାରା ଆମ ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସର୍ବୋପରି ଦେଶ ତୈଳ ଆମଦାନୀ ନିମନ୍ତେ ଯେଉଁ ବିପୁଳ ଅର୍ଥ ବ୍ୟୟ କରୁଛି ତାହା ହ୍ରାସ ପାଇବ। ଆହୁରି ମଧ୍ୟ ଏହାଦ୍ୱାରା ଚାଷୀମାନେ ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇବେ।

୬ ବର୍ଷ ମଧ୍ୟରେ ଡିଷ୍ଟିଲେସନ କ୍ଷମତା ବୃଦ୍ଧି ଓ ବ୍ଳେଣ୍ଡିଂରେ ସରକାରଙ୍କ ଉପଲବ୍‍ଧି

୨୦୨୨ ସୁଦ୍ଧା ସରକାର ମୋଟର ଇନ୍ଧନରେ ୧୦ ଶତାଂଶ ଇଥାନଲ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୩୦ ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରହିଛି । ୨୦୧୪ ପର‌୍ୟ୍ୟନ୍ତ ଦେଶରେ ମୋଲାସେସଭିତ୍ତିକ ଇଥାନଲ ଡିଷ୍ଟିଲେସନ କ୍ଷମତା ୨୦୦ କୋଟି ଲିଟରରୁ କମ୍‍ ଥିଲା। ତେବେ ଗତ ୬ ବର୍ଷ ମଧ୍ୟରେ ଏହିସବୁ ଡିଷ୍ଟିଲେସନର କ୍ଷମତା ଦ୍ୱିଗୁଣିତ ହୋଇ ବାର୍ଷିକ ୪୨୬ କୋଟି ଲିଟରରେ ପହଞ୍ଚିଛି। ୨୦୨୪ ସୁଦ୍ଧା ଦେଶରେ ଡିଷ୍ଟିଲେସନ ଦକ୍ଷତାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ସମ୍ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି।

୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ଦେଶର ତୈଳ ବିପଣନକାରୀ କଂପାନୀଗୁଡିକୁ ୪୦ କୋଟି ଲିଟରରୁ କମ୍‍ ଇଥାନଲ ଯୋଗାଇ ଦିଆଯାଇଥିଲା। ଏହି ଇଥାନଲକୁ ୧.୫୩ ଶତାଂଶ ହାରରେ ପେଟ୍ରୋଲ ସହ ମିଶାଯାଉଥିଲା। ତେବେ ସେ ଯାହାହେଉ, କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟମ ଫଳରେ ଦେଶରେ ଉତ୍ତମ ଇନ୍ଧନମାନର ଇଥାନଲ ବୃଦ୍ଧି ପାଇଛି ଏବଂ ତୈଳ କଂପାନୀଗୁଡିକୁ ଏହାର ଯୋଗାଣ ଗତ ୬ ବର୍ଷ ମଧ୍ୟରେ ୪ ଗୁଣ ବଢିଛି। ୨୦୧୮-୧୯ ଯୋଗାଣ ବର୍ଷରେ ୧୮୯ କୋଟି ଲିଟର ଇଥାନଲ ଯୋଗାଇ ଦିଆଯାଇ ୫ ଶତାଂଶ ବ୍ଳେଣ୍ଡିଂ କରାଯାଇଥିଲା।