Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନରେ ‘ଚିତା” ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍ଟିସିଏ

ନୂଆଦିଲ୍ଲୀ: ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବିୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି ଅଭୟାରଣ୍ୟରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ଏହି କୋଡିଏ ଚିତାଙ୍କ ମଧ୍ୟରୁ ଏ ଯାଏ ପୂର୍ଣ୍ଣବୟସ୍କ ୫ଟି ଚିତାଙ୍କର ଏହି ଜାତୀୟ ଉଦ୍ୟାନରେ ମୃତ୍ୟୁ ଘଟିଲାଣି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ପ୍ରାଥମିକ ବିଶ୍ଳେଷଣ ଅନୁସାରେ ଏହି ପାଂଚଟି ଯାକ ‘ଚିତା’ ପ୍ରାକୃତିକ କାରଣରୁ ମରିଛନ୍ତି। ଦେଶରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଏନ୍ଟିସିଏ ସର୍ବୋଚ୍ଚ ସଂସ୍ଥା। ଏହା ମଧ୍ୟ ଚିତା ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କୁନୋରେ ଚିତାଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି। ରେଡିଓ କୋଲାର ବେକରେ ବନ୍ଧାଯାଇଥିବା କାରଣଠାରୁ ଆରମ୍ଭ କରି ଆହୁରି ଅନେକ କଥାକୁ ଏହି ବାଘ ମୃତ୍ୟୁ ସହିତ ଯୋଡାଯାଇଛି। ଗଣମାଧ୍ୟମର ଏହି ରିପୋର୍ଟ ଅନୁମାନ ସର୍ବସ୍ୱ ଓ କପୋଳକଳ୍ପିତ । ଏହା ଗୁଜବ ଓ ଅସତ୍ୟ। ଏଭଳି ଖବର ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ ବୋଲି ଏନ୍ଟିସିଏ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

‘ପ୍ରୋଜେକ୍ଟ ଚିତା’ କାର୍ଯ୍ୟକ୍ରମକୁ ଏକ ବର୍ଷ ମଧ୍ୟ ହୋଇନାହିଁ। ଅତଏବ ଏତେ କମ୍ ସମୟରେ ଏହି ପ୍ରୋଜେକ୍ଟର ଫଳାଫଳକୁ ସଫଳତା ଓ ବିଫଳତା ଦୃଷ୍ଟିରୁ ବିିିଚାର କରି ଏକ ନିଷ୍ପତ୍ତିରେ ପହଂଚିବାର ସମୟ ଆସିନାହିଁ। ଚିତାକୁ ଭାରତ ଭଳି ଏକ ନୂଆ ପରିବେଶରେ ପୁନଃ ପ୍ରବେଶ କରାଇ ସେମାନଙ୍କୁ ବଂଚାଇ ରଖିବା ଓ ବଂଶବୃଦ୍ଧି କରାଇବା ଏକ ଦୀର୍ଘମିଆଦି କାମ। ବିଗତ ୧୦ମାସ ମଧ୍ୟରେ ଏହି ପ୍ରକଳ୍ପ ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ଚିତା-ରକ୍ଷଣାବେକ୍ଷଣ ଓ ପରିଚାଳନାରେ ମୂଲ୍ୟବାନ ଅଭିଜ୍ଞତା ଅର୍ଜନ କରିଛନ୍ତି। ସେମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି କିପରି ଅଧିକ ହେବ ସେ ବାବଦରେ ଅନେକ ଅଭିଜ୍ଞତା ମିଳିଛି। ଏଥିରୁ ଜଣାପଡୁଛି ଯେ ଏହି ପ୍ରୋଜେକ୍ଟ ନିଶ୍ଚିତ ସଫଳ ହେବ। ଏଭଳି ସମୟରେ ଚିତା ମୃତ୍ୟୁକୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନା ପ୍ରସୂତ କାହାଣୀ ପ୍ରକାଶ କରିବା ଠିକ୍ ନୁହେଁ ବୋଲି ସଂସ୍ଥାପକ୍ଷରୁ କୁହାଯାଇଛି।

ପୁନଃ ସଂସ୍ଥାପିିତ ଚିତାମାନଙ୍କୁ ସୁରକ୍ଷିତଭାବେ ରଖି ସେମାନଙ୍କ ବଂଶ ବୃଦ୍ଧି ପାଇଁ ଉଦ୍ୟମ ଚାଲିଛି ବୋଲି ଏହି ସ୍ପଷ୍ଟୀକରଣରେ ଏନ୍ଟିସିଏ କହିଛି। ଚିତାମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ଆନ୍ତର୍ଜାତିକ ଚିତା ବିଶେଷଜ୍ଞ, ଦକ୍ଷିଣ ଆଫ୍ରିକାର ଓ ନାମିବିୟାର ପ୍ରାଣୀ ଚିକିତ୍ସକଙ୍କ ସହିତ ନିୟମିତ ପରାମର୍ଶ କରାଯାଉଛି। ଏହାଛଡା ଆମ ଦେଶର ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱାଧୀନ ଭାବେ କୁନୋ ଜାତୀୟ ଉଦ୍ୟାନରେ ଚିତା ପ୍ରକଳ୍ପର ତଦାରଖ ବ୍ୟବସ୍ଥା, ସୁରକ୍ଷା ନୀତି, ପରିଚାଳନା ବ୍ୟବସ୍ଥା, ତାଲିମ, ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି। ଚିତା ପ୍ରକଳ୍ପ ଷ୍ଟିଅରିଂ କମିଟି ମଧ୍ୟ ଏହି ଘଟଣାକୁ ନିବିଡଭାବେ ପର୍ଯ୍ୟବେକ୍ଷଣ କରି ପରିଚାଳନା ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିଛି।

ଚିତାଙ୍କ ସଂରକ୍ଷଣ ଓ ସୁରକ୍ଷାକୁକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାର ଆବଶ୍ୟକ ମୌଳିକ ସୁବିଧା ସୁଯୋଗ କୁନୋ ଜାତୀୟ ଉଦ୍ୟାନରେ ସୃଷ୍ଟି କରାଯାଇଛି। ଏହା ସହିତ କୁନୋ ଜାତୀୟ ଉଦ୍ୟାନରେ ପ୍ରାକୃତିକ ପରିବେଶକୁ ଆହୁରି ଏହି ବାଘଙ୍କ ଅନୁକୂଳ କରି ଅତିରିକ୍ତ ଜଙ୍ଗଲାଞ୍ଚଳକୁ ଏଥିରେ ମିଶାଯାଇଛି। ଏହାଛଡା ସମ୍ମୁଖ ଧାଡିର କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ସେଥିମଧ୍ୟରେ ଏକ ସ୍ୱତନ୍ତ୍ର ଚିତା ସୁରକ୍ଷା ବାହିନୀ ଅନ୍ତର୍ଭୁକ୍ତ। ଏହାଛଡା ଚିତାଙ୍କ ପାଇଁ ମଧ୍ୟପ୍ରଦେଶର ଗାନ୍ଧିସାଗର ବନ୍ୟାପ୍ରାଣୀ ଅଭୟାରଣ୍ୟରେ ଏକ ଦ୍ୱିତୀୟ ଆବାସସ୍ଥଳ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି।

ପ୍ରାକୃତିକ ଆବାସରୁ ନୂଆ ଜାଗାକୁ ଚିତାଙ୍କୁ ନେଇ ଥଇଥାନ କରିବାରେ ବୈଶ୍ୱିକ ଅଭିଜ୍ଞତା
ଭାରତ ସରକାର ଦେଶରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ନୀତି ପ୍ରଣୟନ କରି ତାହାକୁ ନିଷ୍ଠାର ସହ ପାଳନ କରୁଛନ୍ତି। ଭାରତକୁ ଚିତା ବଂଶ ଲୋପ ପାଇବାର ସାତ ଦଶନ୍ଧି ପରେ ଏକ ପ୍ରକଳ୍ପ ହାତକୁ ନିଆଯାଇ ଆଫ୍ରିକାରୁ ଚିତା ଆଣି ଥଇଥାନ କରିବାର ଉଦ୍ୟମ ହୋଇଛି। ତେଣୁ ଏହି ପ୍ରକଳ୍ପର ଉତ୍ଥାନ ପତନ ଓ ସମସ୍ୟା ନିଶ୍ଚିତ ରହିବ। ଏହି ଚିତା ଟ୍ରାନ୍ସଲୋକେସନ ବା ସ୍ଥାନାନ୍ତରଣ ପ୍ରୟାସର ବୈଶ୍ୱିକ ଅଭିଜ୍ଞତା ମଧ୍ୟ ଏଯାଏ ଶତ ପ୍ରତିଶତ ସଫଳ ହୋଇନାହିଁ। ଦକ୍ଷିଣ ଆଫ୍ରିକାର ତଥ୍ୟ କହୁଛି ଯେ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଚିତାଙ୍କ୍ୁ ଛାଡି ସେମାନଙ୍କ ବଂଶ ବୃଦ୍ଧି କରିବାରେ ଯେଉଁ ଉଦ୍ୟମ ହୋଇଥିଲା ସେଥିରେ ଚିତା ମୃତ୍ୟୁ ସଂଖ୍ୟା ୫୦ ଶତାଂଶରୁ ଅଧିକ ଥିଲା। ଏହି ମୃତ୍ୟୁର ଅନେକ କାରଣ ରହିଛି। ଆନ୍ତଃ ପ୍ରଜାତି ଲଢେଇ, ବିଭିନ୍ନ ପ୍ରକାର ରୋଗ, ଜଙ୍ଗଲରେ ସେମାନଙ୍କୁ ଛାଡିବା ପୂର୍ବ ଓ ପରବର୍ତ୍ତୀ ଦୁର୍ଘଟଣା ସେଥିମଧ୍ୟରୁ ଅନ୍ୟତମ। ଆହୁରି ମଧ୍ୟ ଶିକାରବେଳେ ଚିତା ଆହତ ହୋଇ ମୃତ୍ୟୁ ମୁଖରେ ପଡିଥାଆନ୍ତି ସେମାନଙ୍କୁମ ଦ୍ୟ ମଣିଷ ବେଳେବେଳେ ଶିକାର କରିଥାଏ। ତେଣୁ ସବିଶେଷ କାରଣ ଜଣା ନ ପଡିବା ପୂର୍ବରୁ ଚିତା ମୃତ୍ୟୁକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରିବା ଠିକ୍ ନୁହେଁ।

ପୃଷ୍ଠଭୂମି

ଭାରତ ସରକାର ଦେଶରେ ଚିତା ବଂଶ ପୁନର୍ବାର ବଢାଇବା ସହ ଏହି ପ୍ରଜାତିକୁ ଆମ ଜଙ୍ଗଲରେ ପୁନର୍ବାସ କରାଇବାକୁ ଉଚ୍ଚାଭିଳାଷୀ ଯୋଜନା ହାତକୁ ନେଇଛନ୍ତି । ପ୍ରୋଜେକ୍ଟ ଚିତା ନାମକ ଏହି ପ୍ରକଳ୍ପ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହି ପ୍ରାଧିକରଣ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏକ ବୈଧାନିକ ସଂସ୍ଥା । ଏହା ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗର ସହଯୋଗ କାର୍ଯ୍ୟ କରୁଛି । ଏହି ପ୍ରକଳ୍ପକୁ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ନାମିବିୟା ଓ ଦକ୍ଷିଣ ଆଫ୍ରିକାର ଚିତା ବିଶେଷଜ୍ଞମାନେ ପରାମର୍ଶ ଓ ସହଯୋଗ ଯୋଗାଉଛନ୍ତି । ଚିତା ବିଶେଷଜ୍ଞ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏହି ଷ୍ଟିୟରିଂ କମିଟିର ସୁପାରିସ ଅନୁସାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପୂର୍ବରୁ ସରିସ୍କା ଓ ପାନ୍ନା ଅଭୟାରଣ୍ୟରେ ମହାବଳ ବାଘମାନଙ୍କୁ ପୁନଃ ଥଇଥାନ କରିବାବେଳେ ଏଭଳି କମିଟି କରାଯାଇ ତାହାର ପରାମର୍ଶରେ କାମ ହୋଇଥିଲା । ସେହି ଦୁଇଟିଯାକ ପ୍ରକଳ୍ପ ସଫଳ ହୋଇଛି ।

‘ପ୍ରୋଜେକ୍ଟ ଚିତା’ ଯୋଜନାରେ ନାମିବିୟା ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ବାଘ ଅଣାଯାଇ ସେମାନଙ୍କ ବେକରେ ରେଡିଓ କୋଲାର ଲଗାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛଡାଯାଇଛି । ରେଡିଓ କୋଲାର ମାଧ୍ୟମରେ ସେମାନଙ୍କ ଗତିବିଧିକୁ ତଦାରଖ କରାଯାଉଛି । ନୂଆ ପରିବେଶ ସହିତ ସେମାନେ କିପରି ଖାପ ଖାଉଛନ୍ତି ତାହାକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି । ଏହି ୨୦ ଚିତାଙ୍କ ମଧ୍ୟରୁ ୧୦ଟିକୁ ଏବେ ଜଙ୍ଗଲରେ ମୁକ୍ତ ଭାବେ ଛଡାଯାଇଥିବାବେଳେ ଅବଶିଷ୍ଟ ଛ’ ଟିକୁ (ଗୋଟିଏ ନବଜାତକ) କ୍ୱାରେନଟାଇନ୍ ଖୁଆଡରେ ରଖାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

ଚିତାମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଗଠନ ହେଲା ଚିତା ଟାସ୍କ ଫୋର୍ସ

ନୂଆଦିଲ୍ଲୀ:  ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା ଟାସ୍କ ଫୋର୍ସର କାର‌୍ୟ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ। ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବକମିଟି ଗଠନ କରା ଯାଇପାରିବ।

ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ। ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ। ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ। ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ।

ଭାରତୀୟ ମୃଗ ଓ ସମ୍ବରଙ୍କ ମଧ୍ୟରେ ଦ୍ରୁତ ଗତି ଉପଯୋଜନ କରାଇବାରେ ଚିତା ବିବର୍ତ୍ତନୀୟ ପ୍ରାକୃତିକ ଚୟନ ଶକ୍ତି ଭାବେ କାମ କରିଥିଲା। ଚିତା ପୁନର୍ବାସନ ଦ୍ୱାରା ଆମେ କେବଳ ଏମାନଙ୍କ ଆଧାରକୁ ବଞ୍ଚାଇବାରେ ସକ୍ଷମ ହେବା ନାହିଁ ବରଂ ଚାରଣଭୂମି ବିଲୁପ୍ତ ପ୍ରାୟ ପ୍ରଜାତି ତଥା ଖୋଲା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଇ ପରିବା।

ଟାସ୍କ ଫୋର୍ସର କାର୍ଯ୍ୟ-

କ) ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା, ଅଗ୍ରଗତି ଓ ନୀରିକ୍ଷଣ ସହ ଏକାନ୍ତବାସ ଓ ସଫ୍ଟ ରିଲିଜ ଖୁଆଡର ରକ୍ଷଣାବେକ୍ଷଣ, ସମୁଦାୟ ଅଞ୍ଚଳର ସଂରକ୍ଷଣ ସ୍ଥିତି, ବନ୍ୟ ଓ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ ସୁନିଶ୍ଚିତ କରିବା ତଥା ଭାରତରେ ଚିତା ପୁନର୍ବାସନ ସମ୍ପର୍କରେ ଏନଟିସିଏ ଓ ମଧ୍ୟପ୍ରଦେଶ ବନ ବିଭାଗକୁ ଚିତାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ, ବ୍ୟବହାର ଓ ରକ୍ଷଣାବେକ୍ଷଣ ପରାମର୍ଶ ପ୍ରଦାନ କରିବା ପାଇଁ ।

ଖ) କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଶିକାର ଦକ୍ଷତା ଓ ଉପଯୋଜନ ସ୍ଥିତି ନୀରିକ୍ଷଣ

ଗ) ଚିତାଙ୍କୁ ଏକାନ୍ତବାସରୁ ସଫ୍ଟ ରିଲିଜ ଖୁଆଡ ଏବଂ ପରେ ଚାରଣ ଭୂମି ଓ ଖୋଲା ଜଙ୍ଗଲକୁ ଛାଡିବା ନୀରିକ୍ଷଣ କରିବ

ଘ) ପରିବେଶ ପର‌୍ୟ୍ୟଟନ ପାଇଁ ଚିତା ବାସସ୍ଥଳୀ ଖୋଲିବା ଓ ଏଥିପାଇଁ ଦିଶାନିର୍ଦ୍ଦେଶ ପରାମର୍ଶ ଦେବା

ଙ) କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ସଂରକ୍ଷିତ ଅଞ୍ଚଳର ସୀମାନ୍ତ କ୍ଷେତ୍ରରେ ପର‌୍ୟ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଉପଦେଶ ଓ ପରାମର୍ଶ

ଚ) ଚିତା ମିତ୍ର ଓ ସ୍ଥାନୀୟ ଲୋକଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ସଚେତନତା ବୃଦ୍ଧି ସହ ସେମାନଙ୍କୁ ଅଞ୍ଚଳ ସହ ଚିତା ସଂରକ୍ଷଣରେ ସାମିଲ କରିବା

ଟାସ୍କ ଫୋର୍ସର ସଦସ୍ୟମାନଙ୍କ ମଧ୍ୟରେ ସାମିଲ ଅଛନ୍ତି:

୧. ପ୍ରମୁଖ ସଚିବ (ବନ), ମଧ୍ୟପ୍ରଦେଶ

୨. ପ୍ରମୁଖ ସଚିବ (ପର‌୍ୟ୍ୟଟନ), ମଧ୍ୟପ୍ରଦେଶ

୩. ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ଶକ୍ତି ମୁଖ୍ୟ, ମଧ୍ୟପ୍ରଦେଶ

୪. ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ

୫. ଶ୍ରୀ ଆଲୋକ କୁମାର, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ

୬. ଡଃ ଅମିତ ମଲ୍ଲିକ, ମହାନୀରିକ୍ଷକ, ଏନଟିସିଏ, ନୂଆଦିଲ୍ଲୀ

୭. ଡଃ ବିଷ୍ଣୁ ପ୍ରିୟା, ବୈଜ୍ଞାନିକ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ଡେରାଡୁନ

୮. ଶ୍ରୀ ଅଭିଲାଷ ଖାଣ୍ଡେକର, ସଦସ୍ୟ, ଏମପି ଏସବିଡବ୍ଲୁଏଲ, ଭୋପାଳ

୯. ଶ୍ରୀ ଶୁଭୋରଞ୍ଜନ ସେନ, ଏପିସିସିଏଫ- ବନ୍ୟପ୍ରାଣୀ, ସଦସ୍ୟ ସଂଯୋଜକ

Categories
ଆଜିର ଖବର ଜାତୀୟ ଖବର

ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଯୋଜନା

ଦିଲ୍ଲୀ: ସ୍ୱାଧୀନ ଭାରତରେ ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତାର ପୁନରୁଦ୍ଧାର କରିବା ନିମନ୍ତେ ଭାରତ ଯୋଜନା କରିଛି।

ଏହି ପ୍ରୟାସ ନିମ୍ନଲିଖିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଗୁଡିକୁ ହାସଲ କରିବ:

ଲକ୍ଷ୍ୟ

ଭାରତରେ କାର୍ଯ୍ୟକ୍ଷମ ଚିତା ଭୂସ୍ଥାନିକ ସଂଖ୍ୟା ଗଣନା (ମେଟାପପୁଲେସନ୍‌) ପ୍ରତିଷ୍ଠା କରିବ ଯାହା ଚିତାକୁ ଏକ ଶୀର୍ଷ ସ୍ତରର ଶିକାରୀ ଜନ୍ତୁ ଭାବରେ ଏହାର କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପ୍ରଦାନ କରିଥାଏ ଏବଂ ଚିତାକୁ ଏହାର ଐତିହାସିକ ସୀମା ଭିତରେ ବିସ୍ତାର ପାଇଁ ସ୍ଥାନ ପ୍ରଦାନ କରିଥାଏ, ଯଦ୍ଦ୍ୱାରା ଏହାର ବିଶ୍ୱ ସ୍ତରୀୟ ସଂରକ୍ଷଣ ପ୍ରୟାସରେ ଅବଦାନ ରଖିଥାଏ ।

ପ୍ରକଳ୍ପର ଉଦ୍ଦେଶ୍ୟ ଗୁଡିକ ହେଉଛି-

୧. ଏହାର ଐତିହାସିକ ସୀମା ଭିତରେ ନିରାପଦ ବାସସ୍ଥାନରେ ପ୍ରଜନନ କରାଇ ଚିତାର ଜନସଂଖ୍ୟାକୁ ପ୍ରତିଷ୍ଠା କରାଇବା ଏବଂ ସେମାନଙ୍କୁ ଏକ ଭୂସ୍ଥାନିକ ସାଂଖ୍ୟିକ ଗଣନୀୟ (ମେଟାପପୁଲେସନ୍‌) ଜୀବ ଭାବରେ ପରିଚାଳନା କରିବା।

୨. ଖୋଲା ଜଙ୍ଗଲ ଏବଂ ସାଭାନା ପ୍ରଣାଳୀର ପୁନରୁଦ୍ଧାର ପାଇଁ ସମ୍ବଳ ସଂଗ୍ରହ କରିବା ନିମନ୍ତେ ଚିତାକୁ ଏକ ପ୍ରମୁଖ ଏବଂ ଛତା / ଛାମୁଆ (ଅମ୍ବ୍ରେଲା) ପ୍ରଜାତି ଭାବରେ ବ୍ୟବହାର କରିବା ଯାହା ଏହି ଜୈବ ବବିଧତା ଏବଂ ପାରିବେଶିକ ବ୍ୟବସ୍ଥା ପାଇଁ ଲାଭଦାୟକ ହେବ।

୩. ଚିତା ସଂରକ୍ଷଣ ଅଂଚଳ ଗୁଡ଼ିକରେ ପାରିବେଶିକ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟକଳାପ ଗୁଡ଼ିକ ଜରିଆରେ ଅଙ୍ଗାରକକୁ ପୃଥକ୍ କରିବା ନିମନ୍ତେ ଭାରତର ସାମର୍ଥ୍ୟ ବୃଦ୍ଧି କରିବା ଏବଂ ତଦ୍ଦ୍ୱାରା ବୈଶ୍ୱିକ ଜଳବାୟୁ ପରିବର୍ତନର ବିଲୋପ ସାଧନ ଜନିତ ଲକ୍ଷ୍ୟଗୁଡ଼ିକ ପ୍ରତି ଅବଦାନ ରଖିବା।

୪.  ସ୍ଥାନୀୟ ସମ୍ପ୍ରଦାୟ ମାନଙ୍କର ଜୀବିକାର୍ଜନକୁ ବୃଦ୍ଧି କରିବା ନିମନ୍ତେ ପାରିବେଶିକ-ବିକାଶ ଏବଂ ପାରିବେଶିକ- ପର୍ଯ୍ୟଟନ ପାଇଁ ଆସନ୍ନ ସୁଯୋଗର ବ୍ୟବହାର କରିବା।

୫. ଚିତା ସଂରକ୍ଷଣ ଅଂଚଳ ମଧ୍ୟରେ ଚିତା କିମ୍ବା ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟଙ୍କ ସହିତ ଯେ କୌଣସି ପ୍ରକାରର ଦ୍ୱନ୍ଦ୍ୱକୁ ପରିଚାଳନା କରିବା ପାଇଁ ତତ୍କାଳ ଭିତିରେ କ୍ଷତିପୂରଣ ପ୍ରଦାନ କରିବା, ସଚେତନତା ସୃଷ୍ଟି କରିବା ଏବଂ ସମ୍ପ୍ରଦାୟର ସହଯୋଗକୁ ହାସଲ କରିବା ପାଇଁ ପରିଚାଳନା କାର୍ଯ୍ୟ ମାଧ୍ୟମରେ ଏସବୁ କାର୍ଯ୍ୟ କରିବା।

ଚିତାର ପରିଚୟ କେବଳ ଏକ ପ୍ରଜାତିର ପୁନରୁଦ୍ଧାର କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ହଜି ଯାଇଥିବା ମୌଳିକ ଉପାଦାନ ସହିତ ପାରିବେଶିକ ବ୍ୟବସ୍ଥାକୁ ପୁନରୁଦ୍ଧାର ପାଇଁ ଏକ ପ୍ରୟାସ ଯାହା ସେମାନଙ୍କର ବିବର୍ତନ ଇତିହାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ପାରିବେଶିକ ବ୍ୟବସ୍ଥାକୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ସେବା ଯୋଗାଇବା ନିମନ୍ତେ ସୁଯୋଗ ପ୍ରଦାନ କରିଛି ଏବଂ ଚିତାକୁ ଏକ ଛାମୁଆ/ଛତା ପ୍ରଜାତି ଭାବରେ ତୃଣଭୂମି, ସାଭନା, ଖୋଲା ଜଙ୍ଗଲ ପ୍ରଣାଳୀର ଜୈବ ବିବିଧତା ସଂରକ୍ଷଣ ପାଇଁ ବ୍ୟବହାର କରିଥାଏ।

ଚିତା ଶବ୍ଦଟି ସଂସ୍କୃତ ଶବ୍ଦରୁ ଆସିଅଛି ଏବଂ ଚିତା ଶବ୍ଦ ସମ୍ପର୍କରେ ପ୍ରାଚୀନ ଗ୍ରନ୍ଥ ବେଦ ଏବଂ ପୁରାଣରେ ଉଲ୍ଲେଖ ରହିଛି। ଏହା ପ୍ରକୃତରେ ବିଡମ୍ବନାର ବିଷୟ ଯେ, ଏହି ପ୍ରଜାତି ଗୁଡିକ ବର୍ତମାନ ଭାରତରେ ବିଲୁପ୍ତ ହେବାରେ ଲାଗିଛନ୍ତି। ଚିତା ବିଲୁପ୍ତ ହେବାର ମୂଳ କାରଣକୁ ବନ୍ଦ କରି ଦିଆଯାଇଛି ଏବଂ ନୈତିକ, ପରିବେଶ ଏବଂ ଅର୍ଥନୈତିକ ବିଚାର ପାଇଁ ହଜି ଯାଇଥିବା ପ୍ରାକୃତିକ ଐତିହ୍ୟକୁ ଫେରାଇ ଆଣିବା ପାଇଁ ଭାରତର ବର୍ତମାନ ବୈଷୟିକ ଏବଂ ଆର୍ଥିକ କ୍ଷମତା ରହିଛି।

ସଫଳ ସଂରକ୍ଷଣ ପରିଚୟ ହେଉଛି ସର୍ବୋତମ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ସମାଜ ବିଜ୍ଞାନ ଦିଗ ଏବଂ ଆର୍ଥିକ ସମ୍ବଳର ପ୍ରତିବଦ୍ଧତାର ମିଶ୍ରଣ। ପୁନଃପ୍ରଚଳନ ଏବଂ ଅନ୍ୟାନ୍ୟ ସଂରକ୍ଷଣାତ୍ମକ ସ୍ଥାନାନ୍ତରଣ ପାଇଁ ଅତ୍ୟାଧୁନିକ ଆନ୍ତର୍ଜାତିକ ୟୁନିଅନ୍ ଫର୍ କଞ୍ଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍‌) ନିର୍ଦ୍ଦେଶାବଳୀ ଦ୍ୱାରା ସୁପାରିସ କରା ଯାଇଥିବା ଆଧୁନିକ ବୈଜ୍ଞାନିକ ଆଭିମୁଖ୍ୟ ଉପରେ ଆଧାର କରି ଏହି ଦିଗ ଗୁଡିକ ଏକତ୍ରିତ ହୋଇଛି, ଯାହା ଚମତ୍କାରୀ ଚିତାକୁ ଭାରତକୁ ଫେରେଇ ଆଣିବା ପାଇଁ ସଂରଚନା ପ୍ରଦାନ କରିବ।