Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ରାଜନୀତି: ଅଣ୍ଡାମାଡ ପରେ ଗସ୍ତକୁ ଜୋରଦାର କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ଭୁବନେଶ୍ବର: ଚିଲିକା ନିର୍ବାଚନ ମଣ୍ଡଳୀରେ ନିଜର ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ। କିଛିଦିନ ତଳେ ବାଣପୁର ବିଷରପାଟଣାରେ ଏକ ଚା’ଖଟିରେ ତାଙ୍କ ଉପରକୁ ଅଣ୍ଡାମାଡ ହୋଇଥିଲା। ଏହାପରେ ସେ ଚିଲିକାର ବିଭିନ୍ନ ସ୍ଥାନ ବୁଲିବା କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରିଛନ୍ତି।

ନିକଟରେ ସେ ବାଣପୁର କେଶପୁର ଗ୍ରାମରେ ଆୟୋଜିତ ଭାଗବତ ଜନ୍ମ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ସେ ଗମ୍ଭାରୀମୁଣ୍ଡା କୁଲେଇ ଗ୍ରାମର ଚା ଖଟିରେ ଯୋଗ ଦେଇଛନ୍ତି। ତାଙ୍କ ବିରୋଧୀ ଭାବି ଥିଲେ ଯେ, ରଘୁନାଥଙ୍କ ଉପରକୁ ଅଣ୍ଡାମାଡ ପରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ରୋକ ଲାଗିବ। ହେଲେ ତା ପରିବର୍ତ୍ତି ଏହା କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି ରଘୁନାଥ ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଅଣ୍ଡାମାଡ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରଘୁନାଥ ସାହୁଙ୍କୁ ଆଜି ସକାଳେ ଅଣ୍ଡାମାଡ ହୋଇଛି। ଆଜି ରଘୁନାଥ ବାଣପୁରର ବିଷରପାଟଣାରେ ଚା ଖଟିରେ ସାମିଲ ହୋଇଥିଲେ। ସେ ଲୋକଙ୍କ ସହିତ ଆଲୋଚନା କରିବା ବେଳେ କେହି ଆସି ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲା।

ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ବାଣପୁର ଥାନାରେ ଏକ ମାମଲା ଋଜୁ କରାଯାଇଛି। ଏହାକୁ ନେଇ ରଘୁନାଥଙ୍କ ସମର୍ଥକମାନେ ବେଶ୍ ଉତ୍ତେଜିତ ହୋଇପଡିଛନ୍ତି। ଏହା କେତେକ ଅସନ୍ତୁଷ୍ଠ ଗୋଷ୍ଠୀଙ୍କ କାର୍ଯ୍ୟ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ଏପରି ଅଣ୍ଡାମାଡ ସତ୍ବେ ରଘୁନାଥଙ୍କ ଚା ଖଟି ଜାରୀ ରହିବ ବୋଲି ତାଙ୍କ ସମର୍ଥକମାନେ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବଦଳିଲେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଚିଲିକା ପାଇଁ ନିଯୁକ୍ତ ହେଲେ ଚକ୍ରଧର ପାଢ଼ୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଭାବେ ବଦଳି ହୋଇଛି। ଶ୍ରୀ ବଡ଼ଜେନାଙ୍କ ନିଜ ଜିଲ୍ଲା ଖୋର୍ଦ୍ଧା ହୋଇଥିବାରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉକ୍ତ ବଦଳି ହୋଇଥିବା ଆଲୋଚନା ହେଉଛି।

ଶ୍ରୀ ବଡ଼ଜେନା ବାଣପୁରରେ ଏକ ବର୍ଷ ଦଶ ମାସ କାର୍ଯ୍ୟକାଳ ମଧ୍ୟରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଜନସାଧାରଣଙ୍କୁ ତହସିଲ ସେବା କିପରି ହାତ ପାହାନ୍ତାରେ ମିଳିପାରିବ ସେ ଦିଗରେ ଯଥେଷ୍ଟ କାର୍ଯ୍ୟ କରିଛନ୍ତି ଶ୍ରୀ ବଡ଼ଜେନା।

ଅନୁରୂପ ଭାବେ ୫-ଟି ଉପକ୍ରମରେ ବିଭିନ୍ନ ରାଜସ୍ବ ସେବା କିପରି ସରଳ ଭାବେ ଜନସାଧାରଣ ମାନେ ପାଇପାରିବେ ସେ ଦିଗରେ ଶ୍ରୀ ବଡ଼ଜେନା କାର୍ଯ୍ୟ କରିଛନ୍ତି।  ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକ ଦିଗରେ ମଧ୍ୟ ଶ୍ରୀ ବଡ଼ଜେନା ଏକାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାର ନଜିର ଅଛି।

ମୂଳତଃ ଶିକ୍ଷକରୁ ପ୍ରଶାସକ ହୋଇଥିବା ତହସିଲଦାର ଶ୍ରୀ ବଡ଼ଜେନା ନିଜର ବ୍ୟବହାର ଏବଂ ସରଳତା ପାଇଁ ସମସ୍ତଙ୍କ ନିକଟରେ ଆଦୃତ ହୋଇପାରିଛନ୍ତି। ତେବେ ବାଣପୁରକୁ ନୂତନ ତହସିଲଦାର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ।

ଅନୁରୂପ ଭାବେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ବଦଳି ହୋଇଥିବା ବେଳେ ତାଙ୍କ ବଦଳରେ ନୂତନ ତହସିଲଦାର ଭାବେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଚକ୍ରଧର ପାଢ଼ୀଙ୍କୁ ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏକକାଳୀନ ଭାବେ ମୋଟ ୨୯୫ ଜଣ ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି। ତନ୍ମଧ୍ୟରୁ ୧୦୬ ଜଣ ବିଡ଼ିଓ ଏବଂ ୧୮୯ ଜଣ ତହସିଲଦାର ଅଛନ୍ତି।

ଗତକାଲି ରାତିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉକ୍ତ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସକାଳେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣ ବଶତଃ ପଡି ଯାଇଥିଲେ। ରାତି ସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ବାସୁଦେବଙ୍କର କୌଣସି ସନ୍ଧାନ ମିଳିନଥିଲା। ସକାଳେ ସ୍ଥାନୀୟ ଲୋକମାନେ ପାଣିରେ ଏକ ଯୁବକଙ୍କ ଶବ ଭାସୁଥିବା ଦେଖି ନାଭାଲ ଫାଣ୍ଡିକୁ ଖବର ଦେଇଥିଲେ।

ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରିଛି। ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସିଏସପି ପ୍ଲସ ଯୋଜନାକୁ ବିରୋଧ କଲେ ସିଏସପି ପରିଚାଳକ, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ସରକାରଙ୍କ ଦ୍ଵାରା ପ୍ରଦତ ଜନହିତ କାର୍ଯ୍ୟପାଇଁ ଆସୁଥିବା ଅର୍ଥ ରାଶି ଗ୍ରାମାଞ୍ଚଳରେ ସାଧାରଣ ଜନତା CSP ମାଧ୍ୟମରେ ପାଇଥାନ୍ତି। ଏଥି ଲାଗି ପ୍ରତ୍ୟେକ ପଞ୍ଚାୟତରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ ) ଦ୍ଵାରା ନିଯୁକ୍ତ ହୋଇଥିବା ଗ୍ରାହକ ସେବା କେନ୍ଦ୍ର (ସିଏସପି) ଗୁଡିକ କାର୍ଯ୍ୟ କରୁଛନ୍ତି।

ତେବେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ୍ଷ ଭାବେ ପ୍ରତି ପଞ୍ଚାୟତରେ ସିଏସପି ପ୍ଲସ ଖୋଲିବା ପାଇଁ ସ୍ଥିର କରିଛନ୍ତି। ଯାହାକୁ ବିରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକର ସିଏସପି ପରିଚାଳକ ମାନେ।

ଦୀର୍ଘ ୧୦ ବର୍ଷ ହେଲା ସେମାନେ ଉଭୟ ବ୍ଲକର ଜନସାଧାରଣଙ୍କୁ ନିଜ ଖର୍ଚ୍ଚରେ ସେବା ଯୋଗାଇଆସୁଥିବା ବେଳେ ଉକ୍ତ ନୂତନ ଯୋଜନାରେ ସେମାନଙ୍କୁ ସାମିଲ ନକରି ତରବରିଆ ଭାବେ ନୂତନ ସିଏସପି ପ୍ଲସ ଖୋଲିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସିଏସପି ପରିଚାଳକ ମାନେ।

ଅନୁରୂପ ଭାବେ ଏହା ଦ୍ଵାରା ସିଏସପି ମାନଙ୍କ ଉପରେ ଘୋର ଆଘାତ ସୃଷ୍ଟି କରିବ। ଏବଂ ସେମାନଙ୍କର ବୟସ ଅତିକ୍ରାନ୍ତ ହୋଇଯିବା ସହିତ ଏହାକୁ ମୁଖ୍ୟ ଜୀବିକା ଭାବରେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକର ଏସବିଆଇ ଦ୍ୱାରା ନିଯୁକ୍ତ ହୋଇଥିବା ସମସ୍ତ ସିଏସପି ର ପରିଚାଳକ ମାନେ ସେମାନଙ୍କୁ ନୂତନ ସିଏସପି ପ୍ଲସ ଯୋଜନାରେ ସାମିଲ କରିବା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଣପୁର ବିଡ଼ିଓ, ତହସିଲଦାର ଏବଂ ଚିଲିକା ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବେ, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଖୋଲାସା କଲା ବିଜେଡି

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ଏକ ଖୋଲାସା କରିଛନ୍ତି। ତାହା ହେଲା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ବିଜେପିରେ ମିଶିବେ। ସେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଛି। ହେଲେ ସେହିପରି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଫୁଲମାଳ ଦେଇ କୋଳେଇ ନେବାକୁ ବସିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଭୁବନେଶ୍ବରରେ ବିରୋଧ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସକ କଳ ଏହାର ଷଢଯନ୍ତ୍ର କରିଛି ବୋଲି କହିଛନ୍ତି। ସେହିପରି ଉପନିର୍ବାଚନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କଳାପ ପରିଲକ୍ଷିତ ହେଉଛି। ଏହା ବିଜେଡିର ଗୋଟିଏ ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହାତାହା କରିବା ଗଣତନ୍ତ୍ରରେ ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହାର ଜବାବ ଦେବାକୁ ଯାଇ ସସ୍ମିତ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନଥିଲା। ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା।

ସସ୍ମିତ ପାତ୍ର ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର, ୨୦୨୧ ରେ ବାଲୁଗାଁ ଠାରେ ଆକ୍ରମଣ କରିଥିଲେ।

ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ କାରଣ ଶ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ।

ତେବେ ସେହି ଶ୍ରୀ ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି? ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସସ୍ମିତ ଆହୁରି କହିଛନ୍ତି ଯେ, ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକଦେଖାଣିଆ ବୋଲି ଓଡିଶାବାସୀ ଜାଣିଥିବା ଡକ୍ଟର ପାତ୍ର କହିଛନ୍ତି।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ସ୍ପଷ୍ଟ କରିଛି ଯେ, ଚିଲିକା ବିଧାୟକ ଖୁବ ଶିଘ୍ର ବିଜେପିରେ ମିଶୁଛନ୍ତି। ଏହି ଖବର ବିଜେଡି ପାଖରେ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଖୋଲାସା କରାଯାଇଛି। ସେଥିପାଇଁ ବିଜେଡି ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ନେତା ଓ କର୍ମିମାନଙ୍କୁ ଦୂରେଇ ଦେଇଛି। ପ୍ରଶାନ୍ତ ପୁଣି ଥରେ ବିଜେଡିକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବର୍ତ୍ତମାନ ଭଟ୍ଟା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଖନନ କାର୍ଯ୍ୟ ତଦାରଖ କଲେ ଭୂବନେଶ୍ୱର ସାସଂଦ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଆବଶ୍ୟକତା ଏବଂ ଅନୁରୋଧକ୍ରମେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୂଷଣ୍ଡପୁର, ମଗଂଳାଯୋଡି, ସୁନ୍ଦରପୁର ଅଞ୍ଚଳ ପରିଦର୍ଶନ କରି ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଝିଥିଲେ। ଏହା ପୂର୍ବରୁ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଭେପେନ୍ଦ୍ର ଯାଦବଙ୍କୁ ଚିଠି ଲେଖି ସାକ୍ଷତ କରିଥିଲେ।

ପରବର୍ତ୍ତୀ ସମୟରେ ଭୂବନେଶ୍ୱର ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଚିଲିକା ନାଳ ଖନନ କାର୍ଯ୍ୟ କିପରି ଚାଲିଛି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜେ ଓ ମତ୍ସ୍ୟଜୀବୀ ମାନଙ୍କୁ ସାଥିରେ ନେଇ ବାଲିପାଟପୁର ଜେଟି ଠାରୁ ଡଗାଂରେ ଯାଇ କାର୍ଯ୍ୟ ତଦାରଖ କରିଛନ୍ତି।

ଚିଲିକା ନାଳ ଖନନ ହେଲେ ୨୫ ହଜାରରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀ ପରିବାର ଅର୍ଥାତ ଏକଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ଉପକୃତ ହେବେ। ମତ୍ସ୍ୟଜୀବୀ ମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାସଂଦ ଅପରାଜିତା ଷଡ଼ଙ୍ଗୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ମତ୍ସ୍ୟଜୀବିମାନେ ଏକ ୭ ଜଣିଆ ତଦାରଖ କମିଟି ଗଠନ କରି ଚିଲିକା ଡେଭଲପମେଣ୍ଟ ଅଥରିଟି ସହିତ ଆଲୋଚନା କରି କିଭଳି ଭଲ କାମ ହୋଇପାରିବ ସେ ସଂମ୍ପର୍କରେ ଆଲୋଚନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମାଛ ଧରୁଥିବା ବେଳେ ଚିଲିକାରେ ବୁଡି ଯୁବକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ବାଲୁଗାଁ ଥାନା ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଛ ଧରିବା ପାଇଁ ଚିଲିକାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ମୁତାବକ ଚନ୍ଦ୍ରାପୁଟ ଗ୍ରାମର ଗୋଦାବରୀ ଦାସଙ୍କ ପୁଅ ପ୍ରମୋଦ ଦାସ (୩୪) ସବୁଦିନ ପରି ଆଜି ମଧ୍ୟ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ଅସାବଧାନତା ବଶତଃ ଚିଲିକା ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଅନ୍ୟ ଧୀବରଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲୁଗାଁ ପୋଲିସ ପହଞ୍ଚି କେଶ ନଂ ୧୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ, ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳି ଗସ୍ତରେ ଆସୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ତେବେ ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ ବହୁ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇଛି। ସେ କେବଳ ନାଚୁଣୀରେ ଏକ ଘଣ୍ଟା ପାଇଁ ଜନ ଅଭିଯୋଗ ସଭାରେ ଯୋଗ ଦେଇ ଫେରିଯିବେ।

ଏଥି ନିମନ୍ତେ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ପଡିଆରେ ନିର୍ମାଣ ଚାଲିଛି ବିରାଟ ଅସ୍ଥାୟୀ ମଞ୍ଚ। ପାଖାପାଖି 25 ହଜାର ଜନସମାଗମ ଲକ୍ଷ୍ୟ ରଖାଯାଇ ଚାଲିଛି ଏହି ପ୍ରସ୍ତୁତି। ଜିଲ୍ଲା ପ୍ରଶାସକ ତଥା ବିଜେଡି ପ୍ରତିନିଧିମାନେ ପ୍ରସ୍ତୁତି କାର୍ଯ୍ୟରେ ଅଛନ୍ତି।

ଆଜି ଅପରାହ୍ନରେ ନାଚୁଣୀ ହାଇସ୍କୁଲ ପଡିଆରେ ପହଞ୍ଚିଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ସଭାସ୍ଥଳରେ ବିଭିନ୍ନ ପ୍ରସ୍ତୁତି ବ୍ୟବସ୍ଥା ତଦାରଖ କରିଛନ୍ତି। ଆସନ୍ତାକାଲି ଯେପରି 5T ସଚିବଙ୍କ ଗସ୍ତରେ କୌଣସି ତ୍ରୁଟି ନ ହୁଏ ସେଥି ନିମନ୍ତେ ସେ ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି।

Categories
ଆଞ୍ଚଳିକ

୯ ଦଫା ଦାବି ନେଇ ଚିଲିକା ଓ ବାଣପୁର ବ୍ଲକ ଘେରାଉ କଲା କଂଗ୍ରେସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସାରା ରାଜ୍ୟରେ ୯ ଦଫା ଦାବି ନେଇ ୩୧୪ ଟି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି।ଉକ୍ତ ଦାବିପତ୍ରକୁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହିପରିପ୍ରେକ୍ଷୀରେ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ଉଗ୍ରସେନ ବିଶ୍ୱାଳ, ଚିଲିକା ବ୍ଲକ ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଚିଲିକା ଓ ବାଣପୁର ବ୍ଲକ ଘେରାଉ କରିବାସହ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉଭୟ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ଉକ୍ତ ଦାବୀଗୁଡିକ ମଧ୍ୟରେ ପିସି କାରବାର, ନାରୀ ନିର୍ଯ୍ୟାତନା, ଚାଷୀ ମାନଙ୍କୁ କଟନୀ ଛଟନୀ, ଟାଟା କମ୍ପାନୀର ବିଦ୍ୟୁତ ବିତରଣରେ ଖାଉଟି ମାରଣା ନୀତି ବନ୍ଦ କରିବା ସହ ଖାଲି ପଡିଥିବା ସରକାରୀ ପଦବୀ ପୂରଣ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହ୍ରାସ, ସରକାରୀ ଯୋଜନାରେ ଯୋଗ୍ୟ ବିବେଚିତ ଚୟନ ଆଦି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବା ନେଇ ଶ୍ରୀ ସ୍ୱାଇଁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଚିଲିକା ଅଞ୍ଚଳ, ନେତା ଅଫିସରଙ୍କ ଘନଘନ ବୈଠକ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୨ ରେ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିବେ ୫ଟି ସଚିବ ଭି କେ ପାଣ୍ଡିଆନ।ଏଥି ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। ପ୍ରତିଦିନ ତୁହାକୁ ତୁହା ଜିଲ୍ଲା ପ୍ରଶାସନର ଚିଲିକା ନିର୍ବାଚନମଣ୍ଡଳି ଗସ୍ତ ଜାରି ରହିଛି। ତେବେ ପୂର୍ବ ନିର୍ଦ୍ଧାରିତ ବାଣପୁର ପଲଟନ ପଡିଆ ବଦଳରେ ନାଚୁଣୀ ହାଇସ୍କୁଲ ପଡିଆରେ ୫ଟି ସଚିବଙ୍କ ଜନସଭା ହେବ ବୋଲି ସୂଚନା ମିଳିଛି।

ଏଥି ନିମନ୍ତେ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲିପ୍ୟାଡ଼ ଠୁ ନେଇ ଅସ୍ଥାୟୀ ମଞ୍ଚ ନିର୍ମାଣ ଜାରି ରହିଛି। ପାଖାପାଖି ୨୫ ହଜାର ଜନସମାଗମ ଲକ୍ଷ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ପ୍ରତ୍ୟେକ ଦିନ ଖୋର୍ଦ୍ଧା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏଥି ନିମନ୍ତେ ନାଚୁଣୀ ଗସ୍ତ ଜାରି ରଖିଛନ୍ତି। ଗମନାଗମନ ଠାରୁ ନେଇ ସଚିବଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି।

ତେବେ ଆଜି ବିଜେଡିର ତୁଙ୍ଗ ନେତାମାନେ ନାଚୁଣୀ ଗସ୍ତ କରିଛନ୍ତି। ୫ଟି ସଚିବ ଙ୍କ ଗସ୍ତ କିପରି ସଫଳ ହେବ ସେ ନେଇ ଅଣ୍ଟା ଭିଡିଛି ବିଜେଡି। ଆଜି ଅପରାହ୍ନରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ନିର୍ବାଚନମଣ୍ଡଳି ପଯ୍ୟବେକ୍ଷକ ରାଜା ଚକ୍ର, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଆଗ ଧାଡ଼ିର ବିଜେଡି ନେତାମାନେ ନାଚୁଣୀ ହାଇସ୍କୁଲ ପଡିଆ ତଦାରଖ କରିଛନ୍ତି।

ଏହାପରେ ସୁନାଖେଳା ଡାକବଙ୍ଗଳାରେ ଏକ ବୈଠକର ଆୟୋଜନ ହୋଇଥିଲା। ଅପରାହ୍ନରେ ବଡ଼କୂଳ ପାନ୍ଥନିବାସରେ ଏହି ପରିପ୍ରେକ୍ଷୀରେ ଏକ ବିସ୍ତୃତ ବୈଠକ ହେବ ବୋଲି ଜଣାପଡିଛି। ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଏଠାରେ ଦେଖିବାକୁ ମିଳି ନାହିଁ।

Categories
ଆଞ୍ଚଳିକ

ଚିଲିକା ସଂଗୀତ ନାଟକ ଏକାଡେ଼ମୀର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ଚିଲିକା ସଂଗୀତ ନାଟକ ଏକାଡେ଼ମୀ ବାଲୁଗାଁର ବାର୍ଷିକ ଉତ୍ସବ -୨୦୨୩ ବାଣପୁର ସ୍ଥିତ ଶୁଭ କଲ୍ୟାଣ ମଣ୍ଡପ ପରିସରରେ ସ୍ବାଧୀନତା ଦିବସ ଅବସରରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼ଃ ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ଭାବେ ବାଣପୁର ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ତଥା ବାଗ୍ମୀ ବାଳମୁକୁନ୍ଦ ଦାସ, ରବିନ୍ଦ୍ର ନାଥ ମାନସିଂହ ପ୍ରମୁଖ ଯୋଗ ଦେଇ ଓଡ଼ିଆ ନାଟକ, ଓଡିଶି ନୃତ୍ୟର ପ୍ରସାରରେ ଏହି ଅନୁଷ୍ଠାନର ଭୂମିକା ସଂପର୍କରେ ଉଦବୋଧନ ଦେଇଥିଲେ।

ଓଡିଶି ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରୀ ଅପୂର୍ଭା, ମାନ୍ୟମୟୀ ସାଇପ୍ରୀୟା, ପ୍ରତିକ୍ଷା, ସିତଲ, ଆରୂଷି, ଅନୁଲିପ୍ତା, ହଂସିନି, ବିଷ୍ଣୁପ୍ରିୟା, ସାଧନା, ରିତାଞ୍ଜଳି, ଆଲିଶାରାଣୀ, ଗାୟତ୍ରୀ, ମୋନାଲିସା ଚିତ୍ତାକର୍ଷକ ଓଡିଶି ନୃତ୍ୟ ପରିବେଷଣ କରିଥିଲେ।

ସଂଗୀତ ନିର୍ଦ୍ଦେଶକ ସରୋଜ କାନ୍ତ ସାସମଲଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ସଂଗୀତ ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଓ ଉଦଯାପନ ସଂଗୀତ ଗାନ କରିଥିଲେ।

ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ଓ ହିନ୍ଦୁସ୍ତାନୀ କଂଠ ଶିଳ୍ପୀ ଓ ଗୁରୁ ଉମା ମିଶ୍ର, ଅଜିତ ମିଶ୍ର, ସମାଜସେବୀ ଗୋଲଖ ବିହାରୀ ପରିଡ଼ା ଏବଂ ସଂଗୀତ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ମୁଦୁଲିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରାଯାଇଥିଲା।

ଶୁଭ କଲ୍ୟାଣ ମଣ୍ଡପର ତତ୍ତ୍ୱାବଧାରକ ଗୋଲଖ ବିହାରୀ ପରିଡ଼ା ଉତ୍ସବର ସାମଗ୍ରିକ ଆୟୋଜନ କରିଥିବା ବେଳେ ଏକାଡେମୀର ସଭାପତି ଭିକାରୀ ଚରଣ ପ୍ରଧାନ ଓ ସଂପାଦିକା ସୁନିତା ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ହ୍ରଦ ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୩ କୋଟି ଅନୁଦାନ

ଭୁବନେଶ୍ବର: ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ମଂଜୁର କରିଛନ୍ତି। ଏଥିରେ ମୋଟ ୨୩ କୋଟି ୫୦ ଲକ୍ଷ ମଂଜୁରୀ ହୋଇଥିବାର ଜଣାପଡିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ଅନୁଦାନ ପ୍ରଦାନ କରିଛି। ଏଥିରେ କେନ୍ଦ୍ର ୬୦ ଭାଗ ଏବଂ ରାଜ୍ୟ ସରକାର ୪୦ ଭାଗ ଅନୁଦାନ ପ୍ରଦାନ କରିବେ।

ବର୍ତ୍ତମାନ ଉପରମୁଣ୍ଡରୁ ମାଟି ଆସି ଚିଲିକା ସଂକୋଚିତ ହେବାରେ ଲାଗିଛି। ଏଥିସହିତ ଏହାର ଗଭୀରତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ଏହି ହ୍ରଦରୁ ମାଛ ଉତ୍ପାଦନ ମଧ୍ୟ କମିବାରେ ଲାଗିଛି। ସେଥିପାଇଁ ଭୁବନେଶ୍ବର ଏମପି ଅପରାଜିତା ଷଡଙ୍ଗୀ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହା ସଂରକ୍ଷଣ ଦାବୀ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ପ୍ରବେଶ କଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ପ୍ରାୟ ଏକ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ପ୍ରବେଶ କରିଛନ୍ତି। କୋର୍ଟ କଟକଣା ପାଇଁ ସେ ଏକ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରିପାରୁ ନ ଥିଲେ। ହେଲେ ସେ କଟକଣା ଉଠିବା ପରେ ସେ ପ୍ରଥମେ ଚିଲିକା ନିର୍ବାଚନ ମଣ୍ଡଳୀ ସୀମାରେ ପ୍ରବେଶ କରି କର୍ମିଙ୍କ ସହିତ ଆଲୋଚନା କରିଥିଲେ।

ଆଜି ବିଧାୟକ ତାଙ୍କ ଧର୍ମପତ୍ନୀଙ୍କ ସହ ବାଲୁଗାଁସ୍ଥିତ ଉମାମହେଶ୍ବର ମନ୍ଦିରକୁ ଯାଇଥିଲେ। ସେଠାରେ ଉଭୟ ମହାଦେବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଉନ୍ନୟନ ସଂପର୍କରେ ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହି ଗସ୍ତ ବେଳେ ଚିଲିକାର ପ୍ରମୁଖ ନେତାଙ୍କର ଦେଖା ମିଳି ନ ଥିଲା। କାରଣ ବିଜେଡିର ଦଳୀୟ କଟକଣା ପାଇଁ ତାଙ୍କୁ କୌଣସି ନେତା ଦେଖା କରି ନ ଥିଲେ।

ତେବେ ସେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ ବାରମ୍ବାର ଚିଲିକା ଗସ୍ତ କରିବେ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ପକ୍ଷରୁ ବାଲୁଗାଁ ମାଛ ଗୋଦାମରେ ଅଚାନକ ଚଢ଼ାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଲୁଣା ହ୍ରଦ ଚିଲିକା ତଟବର୍ତ୍ତୀ ବାଲୁଗାଁ ସହର ଚିଲିକା ମାଛ, ଚିଙ୍ଗୁଡି ଓ କଙ୍କଡା ପାଇଁ ପ୍ରସିଦ୍ଧି ଲାଭ କରିଛି। ମାତ୍ର ଦିନକୁଦିନ ବାଲୁଗାଁ ଅଞ୍ଚଳରେ ଚିଲିକା ମାଛ, ଚିଙ୍ଗୁଡି ହ୍ରାସ ପାଉଥିବା ବେଳେ ବାହାର ରାଜ୍ୟର ମାଛ, ଚିଙ୍ଗୁଡି ପ୍ରବଳ ମାତ୍ରାରେ କାରବାର ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଚିଲିକାରୁ ଆମଦାନୀ ମାଛ, ଚିଙ୍ଗୁଡି, କଙ୍କଡା ଉଚ୍ଚା ଦରରେ ବାହାର ରାଜ୍ୟକୁ ପଠାଯାଉଛି। ଯାହାକି ଚିଲିକାରୁ ହେଉ ଅବା ବାହାରୁ ଆସୁଥିବା ମାଛ, ଚିଙ୍ଗୁଡି ସପ୍ତାହେ ଧରି ସତେଜ କିପରି ରହୁଛି ଏବଂ ନିଶ୍ଚିତ ଭାବେ କୌଣସି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ନେଇ ଖାଉଟି ମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସମ୍ପୃକ୍ତ ବେପାରୀମାନେ ଏହାକୁ କର୍ଣ୍ଣପାତ ନକରି ଲାଭବାନ ଆଶାରେ ବେପାର କରିଆସୁଛନ୍ତି। ଯାହାଫଳରେ ମରଣକୁ ଆମନ୍ତ୍ରିତ କରାଯାଉଥିବା ଖାଉଟିମାନେ କହିଛନ୍ତି।

ଏହିପରିପ୍ରେକ୍ଷୀରେ ଆଜି ସକାଳୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁ ମାଛ ଗୋଦାମ ଅଞ୍ଚଳରେ ଅଚାନକ ଚଢ଼ାଉ ହେଇଛି। ଚଢ଼ାଉ ବେଳେ କେତେକ ମାଛ ଗୋଦାମରୁ ମାଛ ଜବତ କରି ପରୀକ୍ଷା ପାଇଁ ଲାବୋରଟାରୀକୁ ପଠାଯିବା ସହ ବେପାର କରୁଥିବା ମାଲିକଙ୍କ ଲାଇସେନ୍ସ ଏବଂ ଗ୍ରାହକଙ୍କୁ ସଚେତନତା କରିବା ନେଇ ତାଗିଦ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ସମେତ ଚାରି ଜଣିଆ ଟିମ ସାମିଲ ଥିଲେ। ଯଦି ମାଛ, ଚିଙ୍ଗୁଡିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ସୂଚନା ମିଳେ ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀ ବଳ କହିଛନ୍ତି।

Categories
ଆଞ୍ଚଳିକ

ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବିପଦ: ଚିଲିକାରେ ବଜ୍ରଘାତ ଯୋଗୁଁ ଆଉ ଜଣେ ଧୀବରଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକାରେ ମତ୍ସ୍ୟଜୀବୀଙ୍କ ବିପଦ ପିଛା ଛାଡୁନି। ମାଛ ମାରୁଥିବା ବେଳେ ଚିଲିକାରେ ବଜ୍ରଘାତ ଯୋଗୁଁ ଜଣେ ଧୀବରଙ୍କ ମୃତ୍ୟୁ ହୋଇଛି। ସୌଭାଗ୍ୟବଶତଃ ନିକଟରେ ଥିବା ଆଉ ୪ ଜଣ ଧୀବର ସୁରକ୍ଷିତ ଅଛନ୍ତି। ମୃତକଙ୍କ ନାମ ମାଗା ବେହେରା (୫୨ ବର୍ଷ)। ଟାଙ୍ଗୀ ଥାନା ବାଲି ପାଟପୁର ବଡ ବାହାଣିଆ ସାହିରେ ତାଙ୍କ ଘର ବୋଲି ଜଣାପଡିଛି।

ଆଜି ଭୋରରୁ ମାଛ ମାରିବା ପାଇଁ ଡଙ୍ଗାରେ ଚିଲିକାକୁ ଯାଇଥିଲେ। ବାଲି ପାଟପୁର ନଇ ନିକଟରେ ମାଛ ଧରୁଥିବା ବେଳେ ଏହି ଅଘଟଣ ଘଟିଛି।

ପ୍ରକାଶ ଥାଉ କି ଗତକାଲି ମଧ୍ୟ ବଜ୍ରଘାତରେ ବାପ ପୁଅଙ୍କର ମୃତ୍ୟୁ ହୋଇଥିଲା। ବାଲୁଗାଁ ଏନଏସି ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା, ଯାହାଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା।

Categories
ଆଞ୍ଚଳିକ

ଚିଲିକାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ: ବିଚାର ପାଇଁ ପଞ୍ଜିକରଣ ହେଲା ୭୬ ଟି ମାମଲା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ ଭାବେ ୬୯ ଟି, ସାମୁହିକ ଭାବେ ୩ଟି ଦରଖାସ୍ତ ଆସିଥିବା ବେଳେ ସମୁଦାୟ ୭୬ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା। ତତ୍କାଳୀନ ତିନୋଟି ଆବେଦନର ସମାଧାନ ହୋଇଥିଲା। ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ,ଯନ୍ତ୍ରୀ,ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ,ସିଡିପିଓ,ଚିଲିକା ଵ୍ଲକ ଅଧୀନ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷାପାଇଁ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ଜୟ ପ୍ରକାଶ ପରିଡା ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ମିଶନ ଶକ୍ତି କାଫେ କାର୍ଯ୍ୟକ୍ଷମ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଅଘଟଣ: ମାଛ ଧରିବା ବେଳେ ବଜ୍ରାଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ ପୁଅଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରୀରେ ବାଲୁଗାଁ ଏନଏସି ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା, ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ସକାଳେ ପରିବାରବର୍ଗ ଏହା ଜାଣିପାରି ଉଭୟଙ୍କ ଶବ ଚିଲିକାରୁ ଉଦ୍ଧାର କରି ବର୍ତ୍ତମାନ ଗ୍ରାମରେ ରଖିଛନ୍ତି। ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ଆଜି ଭୋଟ ହେଲେ କିଏ ଜିତିବ, କିଏ ବିଜେଡିକୁ ଦେଇ ପାରିବ ସଫଳତା !

ଭୁବନେଶ୍ବର: ଚିଲିକାର ବିଜେଡି ରାଜନୀତି ବର୍ତ୍ତମାନ ବଡ ବିଷମ ସମସ୍ୟା ଦେଇ ଗତି କରୁଛି। କାରଣ ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିବାଦୀୟ ପରିସ୍ଥିତିରେ ନିର୍ବାଚନ ମଣ୍ଡଳି ଗସ୍ତ କରିପାରୁ ନାହାଁନ୍ତି। ପୂର୍ବରୁ କୋର୍ଟ କଟକଣା ଥିଲା, ତାହା ହଟିଯିବା ପରେ ଏବେ ଦଳୀୟ କଟକଣା। ସେ ବିଜେଡିରେ ନ ଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ବିଜେଡି କଥା ମାନି କାମ କରୁଛନ୍ତି। ଫଳରେ ଏବେ ସେ ଦଳିୟ ନିର୍ଦ୍ଦେଶ ମାନି ଖୋଲମଖୁଲା ଚିିଲିକା ଯାଇପାରୁ ନାହାଁନ୍ତି।

ତାଙ୍କର ଏପରି ପରିସ୍ଥିତିରେ ବର୍ତ୍ତମାନ ଚିଲିକାର ବିଜେଡି ମଙ୍ଗ କିଏ ଧରିବ କିଏ ଟିକେଟ ପାଇବ, ତାହାକୁ ନେଇ ସସପେନସ୍ ଜାରୀ ରହିଛି। ଏପରି କ୍ଷେତ୍ରରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅନେକଙ୍କ ନାମ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ହେଲେ ସେମାନେ ବିଜେଡି ପାଇଁ କେତେ ଲାଭ ଦାୟକ ହେବେ ସେ ନେଇ ଚାଲିଛି ହିସାବ ନିକାଶ। ତେବେ ଯେଉଁମାନଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି ସେମାନଙ୍କ ରାଜନୈତିକ ସମୀକରଣ କଣ କହୁଛି ତାହାର ସମୀକ୍ଷା ହେବା ଆବଶ୍ୟକ।

ପ୍ରଶାନ୍ତ ଜଗଦ୍ଦେବ–  ଯଦି କୌଣସି ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଣିଥରେ ଦଳ ଟିକେଟ ଦିଏ ତେବେ ତାହା ଦଳ ପାଇଁ ଲାଭଦାୟକ ହେବ ନାହିଁ। କାରଣ ସେ ପ୍ରଥମତଃ ଚିଲିକା ଅଞ୍ଚଳର ନୁହଁନ୍ତି। ସେତେବେଳେ ପରିସ୍ଥିତିରେ ପଡି ସେ ଚିଲିକାରେ ଛିଡା ହୋଇଥିଲେ। ଆଉ ଶେଷ ମୂର୍ହୁର୍ତ୍ତରେ କର୍ମିମାନେ କିଛି ଉପାୟ ନ ପାଇ ତାଙ୍କୁ ସମର୍ଥନ କରି ଜିତାଇଥିଲେ। ହେଲେ ବର୍ତ୍ତମାନ ସେହି ପରିସ୍ଥିତି ଆଉ ନାହିଁ। ଅନ୍ୟପକ୍ଷରେ ସେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୂରେଇ ଯିବା ପରେ ତାଙ୍କର ବହୁ ବିରୋଧୀ ଇତିମଧ୍ୟରେ ବାହାରି ସାରିଲେଣି। ତେଣୁ ବର୍ତ୍ତମାନ ସେ ଚିଲିକାରେ ଛିଡା ହେଲେ ଜିତିବା କଷ୍ଟକର ହୋଇପଡିବ।

ରଘୁନାଥ ସାହୁ- ବିଜେଡିର ପୂର୍ବତନ ବିଧାୟକ ହେଉଛନ୍ତି ରଘୁନାଥ ସାହୁ। ସେ ହେଉଛନ୍ତି ଚିଲିକା ଅଞ୍ଚଳର ଏବଂ ତାଙ୍କର ମଧ୍ୟ ସଂଗଠନ ରହିଛି। ହେଲେ ସେ ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଯେପରି ଅର୍ନ୍ତଘାତିକ କାମ କଲେ ତାହା ପ୍ରତିଟି ବିଜେଡି କର୍ମି ମର୍ମେ ମର୍ମେ ଅନୁଭବ କରିଛନ୍ତି। ଏହି ଘଟଣା ପରେ ଚିଲିକାରେ ରଘୁନାଥଙ୍କ ସମର୍ଥକ ଯେତିକି ତାହାଠାରୁ ବେଶୀ ହେଉଛନ୍ତି ବିରୋଧୀ। ଯଦି ଦଳ କୌଣସି ପରିସ୍ଥିତିରେ ରଘୁନାଥଙ୍କୁ ଟିକେଟ ଦିଏ ତେବେ ସେ ଏପରି ପରିସ୍ଥିତିରେ ଜିତିବା କଷ୍ଟକର ବ୍ୟାପର ହୋଇପଡିବ।

ପୌର ଏବଂ ଜିଲ୍ଲା ପରିଷଦର ନିର୍ବାଚିତ ପ୍ରତିନିଧୀମାନେ- ବର୍ତ୍ତମାନ ଚିଲିକାରେ ପୌର ଏବଂ ଜିଲ୍ଲା ପରିଷଦ ନିର୍ବାଚନରେ ଜିତିଥିବା ନେତାମାନେ ମଧ୍ୟ ବିଧାୟକ ହେବାରେ ସ୍ବପ୍ନରେ ବିଭୋର ହୋଇ ସାରିଲେଣି। ବାଘ ନ ଥିଲେ ମିରିଗ ନାଟ ପରି ବିଧାୟକ ଜଗଦ୍ଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଭାବି ସେମାନେ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି। ସେମାନଙ୍କୁ ବିଧାୟକ ହେବା ନିଶା ପୁରା ଘାଇଲା କରି ସାରିଲାଣି।

ଏହି ଆଶାୟୀଙ୍କ ସଂଖ୍ୟା ପ୍ରାୟ ୮ରୁ ଅଧିକ ହେବ। ହେଲେ ଏମାନଙ୍କ ମଧ୍ୟରେ ବିଲକୁଲ୍ ତାଳମେଳ ନାହିଁ। ସମସ୍ତେ ଭିତରେ ଭିତରେ ପରସ୍ପରକୁ ବିରୋଧ କରନ୍ତି। ଯଦି ଦଳ ଏମାନଙ୍କୁ ଭିତରୁ ଜଣକୁ କାହାକୁ ପ୍ରାର୍ଥୀ କରି ଦିଏ, ତେବେ ତା ବିରୋଧରେ ଅନ୍ୟମାନ ଏକାଠି ହୋଇ ପଛରେ ଲାଗି ପଡିବେ। ଏପରିକି ଦଳିୟ ନିର୍ଦ୍ଦେଶକୁ ନ ମାନି ସେମାନେ ବିକଳ୍ପ ରାସ୍ତା ମଧ୍ୟ ଆବୋରି ନେବାର ସମ୍ଭାବନା ରହିଛି। ତେଣୁ ଏମାନଙ୍କ ମଧ୍ୟରୁ କାହାକୁ ଚିଲିକାର ବିଧାୟକ ପ୍ରାର୍ଥୀ କରିବା ଦଳ ପାଇଁ ବୁମେରାଂ ହୋଇପାରେ।

ସଂପୂର୍ଣ୍ଣ ନୂଆ ପ୍ରାର୍ଥୀ କେତେ ସମ୍ଭାବନା- ବିଭିନ୍ନ ସମୟରେ ମାଷ୍ଟର ଷ୍ଟ୍ରୋକ ମାରୁଥିବା ବିଜେଡି ହୁଏତ ଶେଷ ମୂହୁର୍ତ୍ତରେ କୌଣସି ନୂଆ ପ୍ରାର୍ଥୀକୁ ଛିଡା କରିପାରେ। ହେଲ ସେ ପ୍ରାର୍ଥୀଙ୍କର ଯଦି ନିଜସ୍ବ ପ୍ରତିଷ୍ଠା ନ ଥିବା ତେବେ ତାଙ୍କୁ ମଧ୍ୟ ଜିତିବା କଷ୍ଟକର ହେବ। ଯାହାକୁ ପାରେ ତାକୁ ଛିଡା କଲେ ସେ ନବୀନଙ୍କ ହାୱାରେ ଜିତିଯିବ ବୋଲି ଯଦି ଦଳ ଭାବୁଥାଏ ତେବେ ଚିଲିକା ପାଇଁ ତାହା ବଡ ଭୁଲ ହେବ।

ବର୍ତ୍ତମାନ ଚିଲିକାରେ ଯେପରି ଛକାପଞ୍ଚା ଚାଲିଛି ସେଥିରେ ଜଣେ ଅଜଣାଅଶୁଣା ଏବଂ ଆମଦାନୀ ବ୍ୟକ୍ତି ପ୍ରାର୍ଥୀ ହେଲେ କର୍ମିମାନେ ଏଥର ନିଶ୍ଚିତ ମୁହଁ ମୋଡି ଦେବେ। ଅନ୍ୟପକ୍ଷରେ ବର୍ତ୍ତମାନ ସେଠାକାର ଯେଉଁ ପରିସ୍ଥିତି ସେଥିରେ ଯଦି ନୂଆ ବ୍ୟକ୍ତିଙ୍କର କିଛି ପ୍ରତିଷ୍ଠା ନ ଥିବ ଏବଂ ସେ ସେହି ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ହୋଇ ନ ଥିବେ, ତେବେ ମଧ୍ୟ କଥା ସରିଲା। କର୍ମିମାନେ ଅଗା ଭଗା ଖଗାକୁ ସମର୍ଥନ କରିବା ଅପେକ୍ଷା ବିଜେପି ମୁହାଁ ହେବାର ସମ୍ଭାବନା ଅଧିକ ଦେଖା ଦେବ।

ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀରେ ଖଣ୍ଡାୟତ ଭୋଟ ପ୍ରତିଶତ ସର୍ବାଧିକ। ଏଥିସହିତ ଖଣ୍ଡାୟତ ବ୍ୟକ୍ତିଙ୍କର ବନ୍ଧୁବାନ୍ଧବମାନଙ୍କ ମଧ୍ୟରେ ସଂପର୍କ ବଡ ନିବିଡିତର, ଯାହା ଭୋଟରେ ପରିଣତ ହୋଇଥାଏ। ଏହି ଖଣ୍ଡାୟତ କାର୍ଡ ଖେଳି ଗତଥର ପ୍ରଶାନ୍ତ ଜଗଦ୍ଦେବ ବାହାରୀ ନେତା ହୋଇଥିଲେ ମଧ୍ୟ ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ। ତାଙ୍କର ବିଜୟ ପଛରେ ଯେଉଁ କେତୋଟି କାରଣ ଥିଲା ସେଥିରେ ଏହି ଜାତି କାର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେଥିପାଇଁ ବିଜେଡି ଯଦି ଏଥର ଚିଲିକାରେ ଭାବିଚିନ୍ତି ନିଷ୍ପତି ନ ନିଏ ତେବେ ବିଜେପି ଉପରେ ହୁଏତ ହାତୀ ଠନଠାନ୍ କରି ସୁନା କଳସ ଢାଳି ଦେବ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ରାଜନୀତି: ଶେଷରେ ମୁହଁ ଖୋଲିଲେ ରଘୁନାଥ ସାହୁ, ‘ସମୀକ୍ଷା’କୁ କହିଲେ ଏପରି କଥା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ନୀରବତା ପରେ ଏବେ ମୁହଁ ଖୋଲିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ‘ସମୀକ୍ଷା’ ସହିତ ଏକ ଦୀର୍ଘ ଆଲୋଚନା ପରେ କେତେକ ନୂଆ କଥା ପ୍ରକାଶ କରିଛନ୍ତି। ତେବେ ସଂଗଠନକୁ ନେଇ ସେ ଯାହା କହିଛନ୍ତି ତାହା ହେଲା ଯେ, ଆସନ୍ତା ସପ୍ତାହରେ ସେ ଚିଲିକାର ସମସ୍ତ ବିଜେଡି କର୍ମିଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବେ।

ମୋର ଆଖି ଅପରେସନ ହୋଇଥିଲା, ସେଥିପାଇଁ ମୁଁ ବାହାରକୁ କୁଆଡେ ବାହାରୁ ନ ଥିଲି। ବର୍ତ୍ତମାନ ଭଲ ହୋଇଗଲାଣି। ଖୁବ ଶିଘ୍ର ଚିଲିକାରେ ପୁଣି କାମ ଆରମ୍ଭ କରିବି ବୋଲି ସେ କହିଛନ୍ତି। ସମସ୍ତ ବିଜେଡି କର୍ମିଙ୍କ ସହିତ ବ୍ୟକ୍ତିଗତ ଭାବେ ମିଶିବି ବୋଲି ସେ କହିଛନ୍ତି। ଯେଉଁ କର୍ମିମାନେ ଅସନ୍ତୁଷ୍ଠ ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରି ବିଜେଡିକୁ ଆହୁରି ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି ରଘୁନାଥ।

ତେବେ ନିକଟରେ ଚିଲିକା ନିର୍ବାଚନ ମଣ୍ଡଳିକୁ ଜିଲ୍ଲା ସଭାପତି, ବେଗୁନିଆ ବିଧାୟକ ଏବଂ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆସିଥିଲେ। ହେଲେ ଆପଣ ସେଠାକୁ ଆସିଲେ ନାହିଁ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହି ଆଖି ପାଇଁ ଯୋଗ ଦେଇପାରି ନ ଥିଲି। ତେବେ ଆପଣଙ୍କୁ ଏଥର ଟିକେଟ ମିଳିବ କି ନାହିଁ ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଥିଲେ। କହିଥିଲେ ମୋର ନେତା ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ଆମେ ତାକୁ ସମର୍ଥନ କରିବୁ।

ସେହିପରି ନିକଟରେ ଶଙ୍ଖ ଭବନରେ ତାଙ୍କୁ ବୈଠକରୁ ବାହାରି ଯିବା ପାଇଁ କୁହାଯାଇଥିବା ଘଟଣାକୁ ରଘୁନାଥ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ମୁଁ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରିବା ପାଇଁ ସେଠାରେ ଦାବୀ କରିଥିଲି। ଏହାକୁ ନେଇ ସେଠାରେ ପ୍ରଶାନ୍ତ ଜଗଦ୍ଦେବ କର୍ମିମାନେ ମୋ ବିରୋଧରେ ହୋ ହାଲ୍ଲା କରିଥିଲେ। ପରିବେଶକୁ ଶାନ୍ତ କରିବା ପାଇଁ ଆମ ଦଳର ସାଂଗଠାନିକ ସଂପାଦକ ବବିବାବୁ ମୋତେ ବାହାରକୁ ଯିବା ପାଇଁ କହିଥିଲେ।

ଏବେ ମୁଁ ପ୍ରଣବ ପ୍ରକାଶ ଦାସଙ୍କ ସହିତ ତିନିଥର ଦେଖା ହୋଇ ଆସିଛି। ସେ ସଂଗଠନ କରିବାକୁ ମୋତେ କହିଛନ୍ତି। ବର୍ତ୍ତମାନ ଚିଲିକାକୁ ବିଭୂତି ବଳବନ୍ତରାୟ ଏବଂ ରାଜେନ୍ଦ୍ର ସାହୁ ଘନଘନ ଗସ୍ତରେ ଆସୁଛନ୍ତି। ସେମାନେ ବର୍ତ୍ତମାନ ବିଧାୟକଙ୍କଠାରୁ କିପରି କର୍ମିମାନଙ୍କୁ ଅଲଗା କରାଯିବ ସେ କାମ କରୁଛନ୍ତି। ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇ ଦଳ ଯେଉଁ ଭୁଲ କରିଛି ତାହା ଆଉ ଏଥର ହେବ ନାହିଁ ବୋଲି ରଘୁନାଥ କହିଛନ୍ତି।

ତେବେ ରଘୁନାଥଙ୍କ ସହିତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ସେ ଆଗାମୀ ଦିନରେ ଚିଲିକାରୁ ଟିକେଟ ପାଇବା ଆଶାରେ ଅଛନ୍ତି। ସେଥିପାଇଁ ତାଙ୍କ ପ୍ରତି ଅସନ୍ତୁଷ୍ଠ ଥିବା ବିଜେଡି କର୍ମିମାନଙ୍କୁ ସେ କିପରି ମନେଇବେ ସେ କାମ ଆରମ୍ଭ କରିବେ ବୋଲି ଜଣାପଡିଛି। ହେଲେ ପ୍ରଶ୍ନ ଉଠିଛି ଯେ, ଯେଉଁମାନେ ରଘୁନାଥଙ୍କୁ ତୀବ୍ର ବିରୋଧ କରି ଆସୁଛନ୍ତି ସେମାନେ ପୁଣି ଥରେ ପକାଇଲା ଛେପ କିପରି ଢୋକିବେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାହୁବଳୀ ରିଟର୍ଣ୍ଣସ: ଚିଲିକା ସୀମାରେ ପଶିଲେ ପ୍ରଶାନ୍ତ ଜଗଦ୍ଦେବ, ଆଉ ସମ୍ଭାଳି ପାରିଲେ ନାହିଁ

ସୀତାରାମ ଅଗ୍ରୱାଲ

ଚିଲିକା: ଆଉ ସମ୍ଭାଳି ପାରିଲେ ନାହିଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଦୀର୍ଘ ବର୍ଷେ ଧରି ନିଜ ନିର୍ବାଚନ ମଣ୍ଡଳୀକୁ ଦୂରେଇ ରହି ଥିଲେ। ଏବେ କୋର୍ଟ କଟକଣା ଉଠିବା ପରେ ନିଜ ଅଞ୍ଚଳର ଉନ୍ନତି ପାଇଁ ମନ ଉଚ୍ଛନ ହେଲା। ସେଥିପାଇଁ ସେ ଆଜି ପ୍ରଥମ ଥର ପାଇଁ ଚିଲିକା ସୀମାରେ ପଶିଛନ୍ତି। ଲୋକଙ୍କ ସହିତ ଅଞ୍ଚଳର ବିକାଶ କାର୍ଯ୍ୟ ଉପରେ ଆଲୋଚନା ମଧ୍ୟ କରିଛନ୍ତି।

ଆଜି ଅପରାହ୍ନରେ ବିଧାୟକ ଚିଲିକା ସୀମାରେ ଥିବା କାଳୁପଡା ଷ୍ଟେସନ ନିକଟରେ ଦଳୀୟ କର୍ମିଙ୍କ ସହିତ ଆଲୋଚନା କରିଛନ୍ତି। ଖଟିରେ ବସି ସମସ୍ତଙ୍କ ସହିତ ଚା ପିଇଛନ୍ତି। ଏହାପରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିବାଡି ଗ୍ରାମ ପଞ୍ଚାୟତ କୟଥପଲ୍ଲା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିଛନ୍ତି। ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଦାବୀ ଅନୁଯାୟୀ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ନିଜସ୍ବ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର କରୁଛନ୍ତି।

ପୂର୍ବରୁ ସେ ଏବେ ନୁହେଁ ପରେ ଚିଲିକା ଯିବେ ବୋଲି କହିଥିଲେ। ହେଲେ ଏତେଦିନ ଛାଡବାଡ ପରେ ମନ ବୁଝିଲା ନାହିଁ। ଫଳରେ ସେ ତୁରନ୍ତ ନିଜ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି। ତେବେ ଏଥିରେ ସେ ନା ଶୋଭାଯାତ୍ରା ନା ହୋ ହାଲ୍ଲା, କିଛି କରି ନାହାଁନ୍ତି। ଆଗକୁ ସେ ଚିଲିକାର ମୁଖ୍ୟ ପେଣ୍ଠସ୍ଥଳ ନାଚୁଣୀ, ବାଲୁଗାଁ, ବାଣପୁର ଗସ୍ତ କରିବେ ବୋଲି ଜଣାପଡିଛି। ଫଳରେ ବର୍ତ୍ତମାନ ଚିଲିକାରେ ‘ବାହୁବଳୀ ରିଟର୍ଣ୍ଣସ’ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।