Categories
ଅପରାଧ ଆଞ୍ଚଳିକ

ବାଣପୁରରେ ମାତିଛନ୍ତି ବାଇକ ଲୁଟେରା: ଚୋରା ବାଇକ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ମାସ ହେବ ନିରନ୍ତର ଭାବେ ବାଣପୁର ଏନଏସି ଅଞ୍ଚଳରୁ ବାଇକ ଚୋରି ହେବାରେ ଲାଗିଛି। ତେବେ ଦୁର୍ବୁତ୍ତ ମାନେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ବାଇକ ଚୋରି କରିବାକୁ ପଛାଉନାହାନ୍ତି। ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବାଇକ ଚୋରି କରିନେଇଥିବା ଦୁଇ ଅଭିଯୁକ୍ତଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ମୁତାବକ ଭେଷରୀ ଗ୍ରାମର ନୀଳମଣି ରାଉତ ଏକ ପାରିବାରିକ ପୂଜାରେ ଯୋଗ ଦେବା ନିମନ୍ତେ ସକାଳେ ଘଣ୍ଟଶିଳା ପାହାଡ଼ ନିକଟ ମନ୍ଦିରକୁ ନିଜର ଏକ ନାଲି ରଙ୍ଗର ବାଇକ ଯୋଗେ ଯାଇଥିଲେ। ହେଲେ ଅପରାହ୍ନରେ ପୂଜା ସରିବା ପରେ ଘରକୁ ଫେରିବା ପାଇଁ ନୀଳମଣି ଉଦ୍ୟତ ହେବା ସମୟରେ ତାଙ୍କ ବାଇକକୁ ଉକ୍ତ ସ୍ଥାନରେ ପାଇନଥିଲେ।  ତେବେ ବହୁ ଖୋଜାଖୋଜି ପରେ ଉକ୍ତ ବାଇକଟି ଭେଷରୀ ଗ୍ରାମର କୈଳାସ ଖୁଣ୍ଟିଆ ନେଇ ପଳାଇଥିବାର ନୀଳମଣି ଜାଣିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ନୀଳମଣି ଏବଂ କିଛି ଗ୍ରାମବାସୀ କୈଳାଶଙ୍କ ଘରକୁ ଯାଇ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଇକ ଉପରେ ଗଛ ଡାଳ ଓ ପତ୍ର ପକାଇ ଲୁଚାଇ ରଖାଯାଇଛି। ଅଧିକ ତଦନ୍ତ କରିବାରୁ ଉକ୍ତ ବାଇକ ଚୋରିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଗୌତମ ପ୍ରଧାନ ନାମକ ଯୁବକ ମଧ୍ୟ ସାମିଲ ଥିବାର କୈଳାସ ଗ୍ରାମବାସୀଙ୍କୁ କହିଥିଲେ। ଏହାପରେ ଗ୍ରାମବାସୀ ଚୋରି ହୋଇଥିବା ବାଇକ ସମେତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ।

ଏ ନେଇ ବାଣପୁର ପୋଲିସ କେଶ ନମ୍ବର ୨୬୮/୨୨ ରେ ଏକ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ତେବେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢୁଥିବା ବେଳେ ଜନସାଧାରଣ ମାନେ ସେମାନଙ୍କ ବାଇକକୁ ଆଉ ଘର ଭିତରେ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଏ ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବା ସହ ନାଇଟ ପେଟ୍ରୋଲିଂକୁ ଜୋରଦାର କରିବା ଏବଂ ଉଭୟ ସହରରେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି।