Categories
ବିଶେଷ ଖବର ରାଜ୍ୟ ଖବର

ଛଅ ହଜାର ଶିକ୍ଷକଙ୍କୁ ନବୀନ ପଟ୍ଟନାୟକ ଦେବେ ନିଯୁକ୍ତି, କଳିଙ୍ଗ ଷ୍ଟାଣ୍ଡିୟମରେ ଚାଲିଛି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଓଡିଶାରେ ଏକାଥରେ ନିଯୁକ୍ତି ପାଇବେ ଛଅ ହଜାର ଶିକ୍ଷକ। ସେଥିପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମର ହକି ଗ୍ୟାଲେରୀରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏହି ପ୍ରସ୍ତୁତି କରାଯାଇଛି। ଏହି ସମାରୋହରେ ସମସ୍ତ ନିଯୁକ୍ତି ହେବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବେ। ଆସନ୍ତା ୧୬ ତାରିଖରେ ଏହି ବିଶାଳ କାଯ୍ୟକ୍ରମ କରିବା ପାଇଁ ବିଭାଗ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଉଛି।

ବିଭାଗ ଅନୁସାରେ ରାଜ୍ୟରେ ମୋଟ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେମାନଙ୍କୁ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ଥିବା ବେଳେ, ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାରୁ ୩୯୧ ଜଣ ଲେଖାଏଁ, ମୟରଭଂଜ ଜିଲ୍ଲାରୁ ୩୮୨ ଜଣ, କେଉଁଝରରୁ ୩୬୫ ଜଣ ଅଛନ୍ତି। ସବୁଠାରୁ କମ ଶିକ୍ଷକ ନିଯୁକ୍ତ ହେବ ଦେବଗଡ ଜିଲ୍ଲାରୁ। ଏହି ଜିଲ୍ଲାରୁ ମୋଟ ୩୨ ଜଣ ଶିକ୍ଷକ ନିଯୁକ୍ତ ହେବେ।

ଏହି ନବନିଯୁକ୍ତ ଶିକ୍ଷକଙ୍କୁ କଳିଙ୍ଗ ଷ୍ଟାଡିୟମ ଆଣିବା ପାଇଁ ୧୨୦ଟି ବସର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସଂପୃକ୍ତ ଜିଲ୍ଲା ପ୍ରଶାସନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହି ବସ୍ ଗୁଡିକ ନିର୍ଦ୍ଧାରିତ ସମୟ ପୂର୍ବରୁ ଜିଲ୍ଲା ଛାଡିବା ପାଇଁ କୁହାଯାଇଛି। ଏଥିସହିତ ଏହି ବସ୍ ରେ ସ୍ବତନ୍ତ୍ର ବ୍ୟାନର ଲଗାଯିବ ବୋଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶିକ୍ଷକମାନେ ୧୫ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଁଞ୍ଚିବେ। ସେଥିପାଇଁ କଳିଙ୍ଗ ଷ୍ଟାଡିୟମରେ ରହିବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ସେହି ଦିନ ସେମାନେ ଅପରାହ୍ନ ୩ ଟାରେ ମଞ୍ଚ ନିକଟକୁ ଆସି କେମିତି କିଏ କେଉଁଠି ବସିବେ ତାହା ପ୍ରସ୍ତୁତ କରାଯିବ। ଏଥିସହିତ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ୧୬ ତାରିଖରେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ। କୋଭିଡ କଟକଣା ମଧ୍ୟରେ ଏହି ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ରାଜ୍ୟ ସରକାର ମୋଟ ୧୧ ହଜାର ୪୦୦ ସ୍କୁଲ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ହେଲେ ସେଥି ମଧ୍ୟରେ କଟଅପ ମାର୍କ ଅନୁସାରେ ୬ ହଜାର ୧୩୧ ଜଣ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି। ଏହି ଶିକ୍ଷକମାନେ 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଖାଲିଥିବା ସ୍କୁଲଗୁଡିକରେ ନିଯୁକ୍ତି ପାଇବେ।

ରାଜ୍ୟ ସରକାର ଚଳିତ ଡିସେମ୍ବର ସୁଦ୍ଧା ୧୬ ହଜାର ଶିକ୍ଷକ ନିଯୁକ୍ତି କରିବେ ବୋଲି ଯୋଜନା କରିଥିଲେ। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୪୦୦ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଆସନ୍ତା ବର୍ଷ ଏହିସବୁ ନିଯୁକ୍ତି କରାଯିବ ବୋଲି ବିଭାଗ ତରଫୁ ନିଷ୍ପତି କରାଯାଇଛି।