Categories
ଆଜିର ଖବର ଜାତୀୟ ଖବର

ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ପ୍ରଧାନମନ୍ତ୍ରୀ  କୃଷି ସିଞ୍ଚାଇ ଯୋଜନା – ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ପିଏମକେଏସୱାଇ – ଏଆଇବିପି) ଅଧୀନରେ ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛି।

ମାର୍ଚ୍ଚ ୨୦୨୮ ସୁଦ୍ଧା ୨,୫୮୪.୧୦ କୋଟି ଟଙ୍କା ବ୍ୟୟ ଅଟକଳର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସିସିଇଏ ଉତ୍ତରାଖଣ୍ଡକୁ ୧,୫୫୭.୧୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ରାମ ଗଙ୍ଗା ନଦୀର ଉପନଦୀ ଗୋଲା ନଦୀ ଉପରେ ଜାମରାଣୀ ଗ୍ରାମ ନିକଟରେ ଏକ ଡ୍ୟାମ୍ ନିର୍ମାଣ କରାଯିବ । ୧୯୮୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ୪୦.୫ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଓ ୨୪୪ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଜରିଆରେ ଏହି ଡ୍ୟାମ୍ ବର୍ତ୍ତମାନର ଗୋଲା ବ୍ୟାରେଜକୁ ଜଳ ଯୋଗାଣ କରିବ ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଓ ଉଧମ ସିଂହ ନଗର ଜିଲ୍ଲା ଏବଂ ଉତ୍ତରପ୍ରଦେଶର ରାମପୁର ଓ ବରେଲି ଜିଲ୍ଲାରେ ୫୭,୦୬୫ ହେକ୍ଟର (ଉତ୍ତରାଖଣ୍ଡରେ ୯,୪୫୮ ହେକ୍ଟର  ଏବଂ  ଉତ୍ତରପ୍ରଦେଶରେ ୪୭,୬୦୭ ହେକ୍ଟର) ଅତିରିକ୍ତ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଅଧୀନରେ ଦୁଇଟି ନୂଆ ଫିଡର କେନାଲ ନିର୍ମାଣ ସହ ପୂର୍ବରୁ ରହିଥିବା ୨୦୭ କିଲୋମିଟର କେନାଲର ପୁନରୁଦ୍ଧାର କରାଯିବା ସହ ୨୭୮ କିଲୋମିଟର ପକ୍କା ପଡ଼ିଆ କେନାଲ ନିର୍ମାଣ କରାଯିବ । ଏହା ବ୍ୟତୀତ ଏହି ପ୍ରକଳ୍ପରେ ୧୪ ମେଗାୱାଟ ଜଳ ବିଦ୍ୟୁତ  ଉତ୍ପାଦନ ସହ ୧୦.୬୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଥିବା ହଲଦ୍ୱାନୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ୪୨.୭୦ ନିୟୁତ ଘନ ମିଟର (ଏମ୍‌ସିଏମ୍‌) ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରକଳ୍ପର ଜଳସେଚନ ସୁବିଧାର ଯଥେଷ୍ଟ ଅଂଶ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶକୁ ପ୍ରବାହିତ ହେବ ଏବଂ ୨୦୧୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଦୁଇ ରାଜ୍ୟ ମଧ୍ୟରେ ଖର୍ଚ୍ଚ / ଲାଭ ବଣ୍ଟନ କରାଯିବ । ତେବେ ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ସମ୍ପୂର୍ଣ୍ଣ ଭାବେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଉପଲବ୍ଧ ହେବ ।

ପୃଷ୍ଠଭୂମି :

୨୦୧୫ -୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଆରମ୍ଭ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଚାଷ ଜମିରେ ଜଳର ଭୌତିକ ଉପଲବ୍ଧତା ବୃଦ୍ଧି କରିବା ଏବଂ ନିଶ୍ଚିତ ଜଳସେଚନ ଅଧୀନରେ ଚାଷ ଯୋଗ୍ୟ ଅଞ୍ଚଳର ସମ୍ପ୍ରସାରଣ କରିବା, କୃଷି କ୍ଷେତ୍ରରେ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା, ସ୍ଥାୟୀ ଜଳ ସଂରକ୍ଷଣ ପଦ୍ଧତି ପ୍ରଚଳନ ଇତ୍ୟାଦି । ଭାରତ ସରକାର ୨୦୨୧ – ୨୬ ରେ ୯୩,୦୬୮.୫୬ କୋଟି ଟଙ୍କା (୩୭,୪୫୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା) ବ୍ୟୟ ବରାଦ ସହିତ ପିଏମକେଏସୱାଇ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି । ପିଏମ୍‌କେଏସ୍‌ୱାଇର ତ୍ୱରାନ୍ୱିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ର ଉଦ୍ଦେଶ୍ୟ ହେଉଛି ବୃହତ୍ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବା । ପିଏମକେଏସୱାଇ – ଏଆଇବିପି ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୫.୧୪ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି । ୨୦୨୧ – ୨୨ ରୁ ପିଏମକେଏସୱାଇ ୨.୦ର ଏଆଇବିପି ଉପାଦାନ ପରେ ୬ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଛି । ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପ ହେଉଛି ସପ୍ତମ ପ୍ରକଳ୍ପ ଯାହା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।