Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ଓ ୨୦ ପ୍ରତିଶତ ଚିନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଝୋଟ ବର୍ଷ ୨୦୨୩-୨୪ (ଜୁଲାଇ ୧, ୨୦୨୩ରୁ ୩୦ ଜୁନ୍, ୨୦୨୪) ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ପାଇଁ ସଂରକ୍ଷଣ ନିୟମକୁ ଅନୁମୋଦନ କରିଛି। ଝୋଟ ବର୍ଷ ୨୦୨୩-୨୪ ପାଇଁ ଅନୁମୋଦିତ ହୋଇଥିବା ବାଧ୍ୟତାମୂଳକ ପ୍ୟାକେଜିଂ ନିୟମ ଅନୁଯାୟୀ ଖାଦ୍ୟଶସ୍ୟର ଶତ ପ୍ରତିଶତ ସଂରକ୍ଷଣ ଏବଂ ୨୦ ପ୍ରତିଶତ ଚିନିକୁ ବାଧ୍ୟତାମୂଳକ ଭାବେ ଝୋଟ ବ୍ୟାଗରେ ପ୍ୟାକିଂ କରାଯିବ।

ବର୍ତ୍ତମାନର ପ୍ରସ୍ତାବରେ ସଂରକ୍ଷଣ ନିୟମ ଭାରତରେ କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନର ହିତକୁ ଆହୁରି ସୁରକ୍ଷିତ କରିବ, ଯାହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଅନୁରୂପ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ। ଝୋଟ ପ୍ୟାକେଜିଂ ସାମଗ୍ରୀରେ ପ୍ୟାକେଜିଂ ପାଇଁ ସଂରକ୍ଷଣ ଦେଶରେ ଉତ୍ପାଦିତ କଞ୍ଚା ଝୋଟର ପ୍ରାୟ ୬୫% (୨୦୨୨-୨୩ରେ) ବ୍ୟବହାର କରାଯାଏ । ଜେପିଏମ୍ ଆଇନର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ସରକାର ଝୋଟ ମିଲ୍ ଓ ଆନୁସଙ୍ଗିକ ୟୁନିଟ୍‌ରେ ନିୟୋଜିତ ୪ ଲକ୍ଷ ଶ୍ରମିକଙ୍କୁ ଆଶ୍ୱସ୍ତି ଦେବା ସହ ପ୍ରାୟ ୪୦ ଲକ୍ଷ କୃଷକ ପରିବାରର ଜୀବିକା ନିର୍ବାହରେ ସହାୟକ ହେବେ। ଏହାବ୍ୟତୀତ ଏହା ପରିବେଶ ସୁରକ୍ଷାରେ ସହାୟକ ହେବ କାରଣ ଝୋଟ ପ୍ରାକୃତିକ, ଜୈବ-ଅବକ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାରଯୋଗ୍ୟ ଫାଇବର ଏବଂ ତେଣୁ ଏହା ସମସ୍ତ ସ୍ଥାୟିତା ମାନଦଣ୍ଡ ପୂରଣ କରେ।

ଝୋଟ ଶିଳ୍ପ ସାଧାରଣତଃ ଭାରତର ଜାତୀୟ ଅର୍ଥବ୍ୟବସ୍ଥା ଏବଂ ବିଶେଷ କରି ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ପୂର୍ବାଞ୍ଚଳ, ବିଶେଷ କରି ପଶ୍ଚିମବଙ୍ଗରେ ଏହା ଅନ୍ୟତମ ପ୍ରମୁଖ ଶିଳ୍ପ ।

ଜେପିଏମ୍ ଆଇନ ଅଧୀନରେ ସଂରକ୍ଷଣ ନିୟମ ଅନୁଯାୟୀ ଝୋଟ କ୍ଷେତ୍ରରେ ୪ ଲକ୍ଷ ଶ୍ରମିକ ଏବଂ ୪୦ ଲକ୍ଷ କୃଷକଙ୍କୁ ସିଧାସଳଖ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଜେପିଏମ୍ ଆଇନ ୧୯୮୭ ଝୋଟ କୃଷକ, ଶ୍ରମିକ ଏବଂ ଝୋଟ ସାମଗ୍ରୀ ଉତ୍ପାଦନରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିଥାଏ। ଝୋଟ ଶିଳ୍ପର ମୋଟ ଉତ୍ପାଦନର ୭୫% ହେଉଛି ଝୋଟ ବସ୍ତା, ଯେଉଁଥିରୁ ୮୫% ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏ)କୁ ଯୋଗାଣ କରାଯାଏ ଏବଂ ଅବଶିଷ୍ଟ ସିଧାସଳଖ ରପ୍ତାନି/ବିକ୍ରୟ କରାଯାଏ।

ଭାରତ ସରକାର ପ୍ରତିବର୍ଷ ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ପ୍ରାୟ ୧୨,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣନ୍ତି, ଯାହା ଫଳରେ ଝୋଟ କୃଷକ ଏବଂ ଶ୍ରମିକଙ୍କ ଉତ୍ପାଦ ପାଇଁ ନିଶ୍ଚିତ ବଜାର ସୁନିଶ୍ଚିତ ହୋଇଥାଏ।

ଝୋଟ ବସ୍ତାର ହାରାହାରୀ ଉତ୍ପାଦନ ପ୍ରାୟ ୩୦ ଲକ୍ଷ ବେଲ୍ସ (୯ ଲକ୍ଷ ମେଟ୍ରିକ୍ ଟନ୍) ଏବଂ ଝୋଟ କୃଷକ, ଶ୍ରମିକ ଓ ଝୋଟ ଶିଳ୍ପରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଝୋଟ ବସ୍ତାର ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ଜାତୀୟ ଖବର

ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗର ପ୍ରଧାନମନ୍ତ୍ରୀ  କୃଷି ସିଞ୍ଚାଇ ଯୋଜନା – ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ପିଏମକେଏସୱାଇ – ଏଆଇବିପି) ଅଧୀନରେ ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛି।

ମାର୍ଚ୍ଚ ୨୦୨୮ ସୁଦ୍ଧା ୨,୫୮୪.୧୦ କୋଟି ଟଙ୍କା ବ୍ୟୟ ଅଟକଳର ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସିସିଇଏ ଉତ୍ତରାଖଣ୍ଡକୁ ୧,୫୫୭.୧୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲାରେ ରାମ ଗଙ୍ଗା ନଦୀର ଉପନଦୀ ଗୋଲା ନଦୀ ଉପରେ ଜାମରାଣୀ ଗ୍ରାମ ନିକଟରେ ଏକ ଡ୍ୟାମ୍ ନିର୍ମାଣ କରାଯିବ । ୧୯୮୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ୪୦.୫ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଓ ୨୪୪ କିଲୋମିଟର ଦୀର୍ଘ କେନାଲ ବ୍ୟବସ୍ଥା ଜରିଆରେ ଏହି ଡ୍ୟାମ୍ ବର୍ତ୍ତମାନର ଗୋଲା ବ୍ୟାରେଜକୁ ଜଳ ଯୋଗାଣ କରିବ ।

ଏହି ପ୍ରକଳ୍ପରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଓ ଉଧମ ସିଂହ ନଗର ଜିଲ୍ଲା ଏବଂ ଉତ୍ତରପ୍ରଦେଶର ରାମପୁର ଓ ବରେଲି ଜିଲ୍ଲାରେ ୫୭,୦୬୫ ହେକ୍ଟର (ଉତ୍ତରାଖଣ୍ଡରେ ୯,୪୫୮ ହେକ୍ଟର  ଏବଂ  ଉତ୍ତରପ୍ରଦେଶରେ ୪୭,୬୦୭ ହେକ୍ଟର) ଅତିରିକ୍ତ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଅଧୀନରେ ଦୁଇଟି ନୂଆ ଫିଡର କେନାଲ ନିର୍ମାଣ ସହ ପୂର୍ବରୁ ରହିଥିବା ୨୦୭ କିଲୋମିଟର କେନାଲର ପୁନରୁଦ୍ଧାର କରାଯିବା ସହ ୨୭୮ କିଲୋମିଟର ପକ୍କା ପଡ଼ିଆ କେନାଲ ନିର୍ମାଣ କରାଯିବ । ଏହା ବ୍ୟତୀତ ଏହି ପ୍ରକଳ୍ପରେ ୧୪ ମେଗାୱାଟ ଜଳ ବିଦ୍ୟୁତ  ଉତ୍ପାଦନ ସହ ୧୦.୬୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଥିବା ହଲଦ୍ୱାନୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ୪୨.୭୦ ନିୟୁତ ଘନ ମିଟର (ଏମ୍‌ସିଏମ୍‌) ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରକଳ୍ପର ଜଳସେଚନ ସୁବିଧାର ଯଥେଷ୍ଟ ଅଂଶ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶକୁ ପ୍ରବାହିତ ହେବ ଏବଂ ୨୦୧୭ରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଦୁଇ ରାଜ୍ୟ ମଧ୍ୟରେ ଖର୍ଚ୍ଚ / ଲାଭ ବଣ୍ଟନ କରାଯିବ । ତେବେ ପାନୀୟ ଜଳ ଏବଂ ବିଦ୍ୟୁତ୍ ସୁବିଧା ସମ୍ପୂର୍ଣ୍ଣ ଭାବେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଉପଲବ୍ଧ ହେବ ।

ପୃଷ୍ଠଭୂମି :

୨୦୧୫ -୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଆରମ୍ଭ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ଚାଷ ଜମିରେ ଜଳର ଭୌତିକ ଉପଲବ୍ଧତା ବୃଦ୍ଧି କରିବା ଏବଂ ନିଶ୍ଚିତ ଜଳସେଚନ ଅଧୀନରେ ଚାଷ ଯୋଗ୍ୟ ଅଞ୍ଚଳର ସମ୍ପ୍ରସାରଣ କରିବା, କୃଷି କ୍ଷେତ୍ରରେ ଜଳ ବ୍ୟବହାର ଦକ୍ଷତାରେ ଉନ୍ନତି ଆଣିବା, ସ୍ଥାୟୀ ଜଳ ସଂରକ୍ଷଣ ପଦ୍ଧତି ପ୍ରଚଳନ ଇତ୍ୟାଦି । ଭାରତ ସରକାର ୨୦୨୧ – ୨୬ ରେ ୯୩,୦୬୮.୫୬ କୋଟି ଟଙ୍କା (୩୭,୪୫୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା) ବ୍ୟୟ ବରାଦ ସହିତ ପିଏମକେଏସୱାଇ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛନ୍ତି । ପିଏମ୍‌କେଏସ୍‌ୱାଇର ତ୍ୱରାନ୍ୱିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ର ଉଦ୍ଦେଶ୍ୟ ହେଉଛି ବୃହତ୍ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ସୃଷ୍ଟି କରିବା । ପିଏମକେଏସୱାଇ – ଏଆଇବିପି ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୫.୧୪ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି । ୨୦୨୧ – ୨୨ ରୁ ପିଏମକେଏସୱାଇ ୨.୦ର ଏଆଇବିପି ଉପାଦାନ ପରେ ୬ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଛି । ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପ ହେଉଛି ସପ୍ତମ ପ୍ରକଳ୍ପ ଯାହା ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ରେଳବାଇର ୭ଟି ରେଳ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୩୨,୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ୭ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବେ। ମଲ୍ଟି ଟ୍ରାକିଂ ବା ରେଳଧାରଣାର ସଂଖ୍ୟା ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବଗୁଡିକ ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଅତି ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରି ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ।

ଉତ୍ତରପ୍ରଦେଶ, ବିହାର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କକୁ ୨୩୩୯ କିଲୋମିଟର ବୃଦ୍ଧି କରିବ । ରାଜ୍ୟବାସୀଙ୍କୁ ୭.୦୬ କୋଟି ମାନବ ଦିବସର ନିଯୁକ୍ତି ପ୍ରଦାନ କରିବ।

ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

କ୍ରଂସଂ ପ୍ରକଳ୍ପର ନାମ ପ୍ରକଳ୍ପର ପ୍ରକୃତି

1- ଗୋରଖପୁର-କ୍ୟାଣ୍ଟ-ବାଲ୍ମିକୀ ନଗର ବର୍ତ୍ତମାନର ଲାଇନର ଦୋହରୀକରଣ

2- ସୋନ ନଗର-ଅଣ୍ଡାଲ ମଲ୍ଟି ଟ୍ରାକିଂ ପ୍ରକଳ୍ପ ରେଳଧାରଣାର ସଂଖ୍ୟା ବୃଦ୍ଧି

3- ନିର୍ଗୁଣ୍ଡି-ବାରଙ୍ଗ ଓ ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ୩ ଲାଇନ ବିଶିଷ୍ଟ କରିବା

4- ମୁଦଖେଡ଼-ମେଦଚାଲ ଏବଂ ମହବୁବନଗର-ଧୋନେ ବର୍ତ୍ତମାନର ଲାଇନର ଦୋହରୀକରଣ

5- ଗୁଣ୍ଟୁର-ବିବିନଗର ବର୍ତ୍ତମାନର ଲାଇନର ଦୋହରୀକରଣ

6- ଚୋପାନ-ଚୁନୁର ବର୍ତ୍ତମାନର ଲାଇନର ଦୋହରୀକରଣ

7- ସମାଖିଆଲି-ଗାନ୍ଧୀଧାମ ଚାରି ଲାଇନ୍‌ ନିର୍ମାଣ

ଖାଦ୍ୟଶସ୍ୟ, ସାର, କୋଇଲା, ସିମେଣ୍ଟ, ଫ୍ଲାଇ-ଆଶ, ଲୁହା ଓ ପ୍ରସ୍ତୁତ ଇସ୍ପାତ, କ୍ଲିଙ୍କର, ଅଶୋଧିତ ତୈଳ, ଚୁନା ପଥର, ଖାଇବା ତେଲ ଇତ୍ୟାଦି ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ୨୦୦ ଏମଟିପିଏ (ବାର୍ଷିକ ନିୟୁତ ଟନ୍) ପରିମାଣର ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ଦକ୍ଷ ପରିବହନ ମାଧ୍ୟମ ହୋଇଥିବାରୁ ଏହା ଉଭୟ ଜଳବାୟୁ ଲକ୍ଷ୍ୟ ହାସଲ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତର ସଂକଳ୍ପ ଅନୁଯାୟୀ ଯାହା ଏହି ଅଞ୍ଚଳରେ ବହୁମୁଖୀ କାର୍ଯ୍ୟ କରୁଥିବା ଶ୍ରମଶକ୍ତି ସୃଷ୍ଟି କରି ଏହି ଅଞ୍ଚଳର ଲୋକଙ୍କୁ “ଆତ୍ମନିର୍ଭରଶୀଳ” କରିବ ଏବଂ ସେମାନଙ୍କ ନିଯୁକ୍ତି/ ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ।

ଏହି ପ୍ରକଳ୍ପଗୁଡ଼ିକ ପିଏମ-ଗତିଶକ୍ତି ବହୁମୁଖୀ ସଂଯୋଗ ପାଇଁ ଜାତୀୟ ମାଷ୍ଟର ପ୍ଲାନର ଫଳାଫଳ ଯାହା ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ ହୋଇଛି ଏବଂ ଲୋକ, ଦ୍ରବ୍ୟ ଏବଂ ସେବାଗୁଡିକର ପରିବହନ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ପିଏମ୍ ବିଶ୍ୱକର୍ମା’କୁ ଅନୁମୋଦନ କଲେ କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଜି ପାଞ୍ଚ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ ଠାରୁ ୨୦୨୭-୨୮ ଆର୍ଥିକ ବର୍ଷ) ପାଇଁ ୧୩ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା “ପିଏମ୍ ବିଶ୍ୱକର୍ମା”କୁ ଅନୁମୋଦନ କରାଯାଇଛି। ନିଜର ହାତ ଓ ପାରମ୍ପରିକ ଉପକରଣରେ କାର୍ଯ୍ୟ କରୁଥିବା କାରିଗର ଏବଂ ଶିଳ୍ପକାରଙ୍କୁ ଗୁରୁ-ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କାରିଗର ଏବଂ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟପତ୍ର ପ୍ରଦାନ ଦିଆଯାଇ ମାନ୍ୟତା ଦିଆଯିବ। ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ ପର୍ଯ୍ୟାୟ) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ ପର୍ଯ୍ୟାୟ) ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଦକ୍ଷତା ଉନ୍ନତି, ଉପକରଣ ପାଇଁ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ। ଏହି ବେଉସା ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ରନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତିକାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି/ମସିଣା/ଝାଡ଼ୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର (ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା।

Categories
ବିଶେଷ ଖବର

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ କୁ ମଞ୍ଜୁର କଲା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୁଧବାର ଦିନ ୩,୭୦,୧୨୮.୭ କୋଟି ଟଙ୍କାର ମୋଟ୍‌ ବ୍ୟୟବରାଦ ସହିତ ଚାଷୀଙ୍କ ପାଇଁ ନୂଆ ଯୋଜନାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁର କରିଛନ୍ତି। ଯୋଜନାରେ ସମୂହ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ସହିତ ଚାଷୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଆର୍ଥିକ ଉନ୍ନତି ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏହି ପଦକ୍ଷେପ ଚାଷୀଙ୍କ ଆୟ ବୃଦ୍ଧି କରିବା ସହିତ ପ୍ରାକୃତିକ ଓ ଜୈବିକ କୃଷିକୁ ମଜବୁତ କରିବ ଏବଂ ମାଟିର ଉତ୍ପାଦକତାକୁ ପୁନର୍ଜୀବିତ କରିବ; ଏଥିସହିତ ଖାଦ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବ।

ଟିକସ ଏବଂ ନିମ୍ବ କୋଟିଂ ଶୁଳ୍କ ଛାଡ଼ି ଚାଷୀମାନଙ୍କ ପାଇଁ ୪୫ କିଲୋଗ୍ରାମ ବସ୍ତା ପିଛା ୨୪୨ ଟଙ୍କା ସମାନ ମୂଲ୍ୟରେ ୟୁରିଆର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ୟୁରିଆ ସବସିଡି ଯୋଜନାକୁ ଜାରି ରଖିବା ପାଇଁ ସିସିଇଏ ମଞ୍ଜୁରି ଦେଇଛି। ପ୍ୟାକେଜରେ ତିନି ବର୍ଷ ପାଇଁ (୨୦୨୨-୨୩ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ) ୟୁରିଆ ସବସିଡିକୁ ନେଇ ୩,୬୮,୬୭୬.୭ କୋଟି ଟଙ୍କା ଆବଣ୍ଟନ କରିବା ଲାଗି ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି। ଏହି ପ୍ୟାକେଜ୍‌ ନିକଟରେ ଅନୁମୋଦିତ ୨୦୨୩-୨୪ର ଖରିଫ ଋତୁ ପାଇଁ ୩୮,୦୦୦ କୋଟି ଟଙ୍କାର ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ)ର ଅତିରିକ୍ତ ଅଟେ। ଚାଷୀମାନଙ୍କୁ ୟୁରିଆ କ୍ରୟ ଲାଗି ଅତିରିକ୍ତ ଖର୍ଚ୍ଚ କରିବାର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଏହାଦ୍ୱାରା ସେମାନଙ୍କର ଇନପୁଟ ଖର୍ଚ୍ଚକୁ କମ କରିବାରେ ସହାୟତା ମିଳିବ। ବର୍ତ୍ତମାନ ୪୫ କିଲୋଗ୍ରାମ ୟୁରିଆ ବସ୍ତା ପିଛା ଏମଆରପି (ନିମ୍ବ କୋଟିଂ ଶୁଳ୍କ ଏବଂ ଲାଗୁ ଟିକସକୁ ଛାଡ଼ି) ୨୪୨ ଟଙ୍କା ରହିଥିବା ବେଳେ ବସ୍ତାର ବାସ୍ତବ ଦର ପ୍ରାୟ ୨୨୦୦ ଟଙ୍କ । ଏହି ଯୋଜନା ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଦ୍ୱାରା ବଜେଟ୍‌ ସହାୟତା ମାଧ୍ୟମରେ  ପାଣ୍ଠି ଯୋଗାଇ ଦିଆଯାଉଛି। ୟୁରିଆ ସବସିଡି ଯୋଜନାକୁ ଜାରି ରଖିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ମଧ୍ୟ ସର୍ବାଧିକ ହୋଇପାରିବ।

କ୍ରମାଗତ ଭାବେ ବଦଳୁଥିବା ଭୂ-ରାଜନୈତିକ ସ୍ଥିତି ଏବଂ କଞ୍ଚାମାଲ ଦରରେ ବୃଦ୍ଧି କାରଣରୁ, ବିଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ସାର ମୂଲ୍ୟ ଅନେକ ଗୁଣା ବୃଦ୍ଧି ପାଇଛି । କିନ୍ତୁ ଭାରତ ସରକାର ସାର ସବସିଡି ବଢ଼ାଇ ଦେଶର ଚାଷୀମାନଙ୍କୁ ଦରବୃଦ୍ଧି ଠାରୁ ସୁରକ୍ଷା ଦେଇଛନ୍ତି । ଚାଷୀଙ୍କୁ ସୁରକ୍ଷା ଦେବା ଲାଗି ନିଜର ପ୍ରୟାସରେ ଭାରତ ସରକାର ସାର ସବସିଡିକୁ ୨୦୧୪-୧୫ରେ ୭୩,୦୬୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୨-୨୩ରେ ୨,୫୪,୭୯୯ କୋଟି ଟଙ୍କା କରି ଦିଆଯାଇଛି ।

ନାନୋ ୟୁରିଆ ଇକୋସିଷ୍ଟମର ସୁଦୃଢ଼ୀକରଣ

୨୦୨୫-୨୬ ସୁଦ୍ଧା, ୧୯୫ ଲକ୍ଷ ମେଟ୍ରିକ ଟନ୍‌ ପାରମ୍ପରିକ ୟୁରିଆ ସମାନ ୪୪ କୋଟି ବୋତଲର ଉତ୍ପାଦନ କ୍ଷମତା ଥିବା ଆଠଟି ନାନୋ ୟୁରିଆ ପ୍ଲାଣ୍ଟ କାର୍ଯ୍ୟକ୍ରମ ହେବ । ନାନୋ ସାର ପୋଷକତତ୍ତ୍ୱକୁ ନିୟନ୍ତ୍ରିତ ଢଙ୍ଗରେ ଜାରି କରିଥାଏ, ଯାହା ପୋଷକ ତତ୍ତ୍ୱର ଉପଯୋଗ ଦକ୍ଷତାକୁ ବଢ଼ାଇଥାଏ ଏବଂ ଚାଷୀଙ୍କ ଖର୍ଚ୍ଚକୁ ହ୍ରାସ କରିଥାଏ। ନାନୋ ୟୁରିଆ ଉପଯୋଗ ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଇଛି ।

ଦେଶ ୨୦୨୫-୨୬ ସୁଦ୍ଧା ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ମାର୍ଗରେ ଅଗ୍ରସର ହେଉଛି

୨୦୧୮ ଠାରୁ ୬ଟି ୟୁରିଆ ଉତ୍ପାଦନ ୟୁନିଟ୍‌, ଚମ୍ବଲ ଫର୍ଟିଲାଇଜର ଲିମିଟେଡ୍‌, କୋଟା ରାଜସ୍ଥାନ, ମ୍ୟାଟିକ୍ସ ଲିମିଟେଡ୍‌ ପାନାଗଢ଼, ପଶ୍ଚିମବଙ୍ଗ, ରାମାଗୁଣ୍ଡମ-ତେଲଙ୍ଗାନା, ଗୋରଖପୁର-ଉତ୍ତର ପ୍ରଦେଶ, ସିନ୍ଦରୀ-ଝାଡ଼ଖଣ୍ଡ ଏବଂ ବରୌନୀ-ବିହାରରେ ପ୍ରତିଷ୍ଠା ଓ ପୁନରୁଦ୍ଧାର ସହିତ ଦେଶକୁ ୟୁରିଆ ଉତ୍ପାଦନ ଏବଂ ଉପଲବ୍ଧତା କ୍ଷେତ୍ରରେ ଆତ୍ମନିର୍ଭର ହେବା କ୍ଷେତ୍ରରେ ସହାୟତା ମିଳିଛି । ୟୁରିଆର ସ୍ୱଦେଶୀ ଉତ୍ପାଦନ ୨୦୧୪-୧୫ରେ ୨୨୫ ଏଲଏମଟି ସ୍ତରରୁ ବୃଦ୍ଧି ପାଇ ୨୦୧-୨୨ରେ ୨୫୦ ଏଲଏମଟିରେ ପହଞ୍ଚିଛି । ୨୦୨୨-୨୩ରେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ ୨୮୪ ଏଲଏମଟି ହୋଇଯାଇଛି । ନାନୋ ୟୁରିଆ ପ୍ଲାଣ୍ଟ ସହିତ ମିଶି ଏସବୁ ୟୁନିଟ୍‌ ୟୁରିଆରେ ଆମର ବର୍ତ୍ତମାନର ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବ ଏବଂ ୨୦୨୫-୨୬ ସୁଦ୍ଧା ଆମେ ଆତ୍ମନିର୍ଭରଶୀଳ ହୋଇପାରିବା ।

ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର, ସଚେତନତା, ପୋଷଣ ଓ ସୁଧାର ନିମନ୍ତେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ (ପିଏମପ୍ରଣାମ)

ଧରିତ୍ରୀ ମାତା ସବୁବେଳେ ମାନବ ଜାତିକୁ ପ୍ରଚୁର ମାତ୍ରରେ ଜୀବିକା ଉତ୍ସ ପ୍ରଦାନ କରିଛି । ଅଧିକ ପ୍ରାକୃତିକ କୃଷି ପଦ୍ଧତି ଏବଂ ରାସାୟନିକ ସାରର ସନ୍ତୁଳିତ/ଦୀର୍ଘସ୍ଥାୟୀ ଉପଯୋଗକୁ ପ୍ରୋତ୍ସାହନ ଦେବା ବର୍ତ୍ତମାନ ସମୟର ଆବଶ୍ୟକତା। ପ୍ରାକୃତିକ/ଜୈବିକ କୃଷି, ବିକଳ୍ପ ସାର, ନାନୋ ସାର ଏବଂ ଜୈବିକ ସାରକୁ ପ୍ରୋତ୍ସାହନ ଦେବା ଦ୍ୱାରା ଆମ ଧରିତ୍ରୀ ମାତାର ଉର୍ବରତା ପୁନରୁଦ୍ଧାର କରିବାରେ ସହାୟତା ମିଳିପାରିବ । ଏହି କ୍ରମରେ, ବିକଳ୍ପ ସାର ଏବଂ ରାସାୟନିକ ସାରର ସନ୍ତୁଳିତ ଉପଯୋଗକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଧରିତ୍ରୀ ମାତାର ଉର୍ବରତାର ପୁନରୁଦ୍ଧାର, ସଚେତନତା, ପୋଷଣ ଓ ସୁଧାର ନିମନ୍ତେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ (ପିଏମ-ପ୍ରଣାମ) ଆରମ୍ଭ କରାଯିବାକୁ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଥିଲା ।

ଗୋବରଧନ ପ୍ଲାଣ୍ଟରୁ ଜୈବିକ ସାରକୁ ପ୍ରୋତ୍ସାହନ ଦେବା ଲାଗି ବଜାର ବିକାଶ ସହାୟତା (ଏମଡିଏ) ପାଇଁ ୧୪୫୧.୮୪ କୋଟି ଟଙ୍କାର ମଞ୍ଜୁର କରାଯାଇଛି । ଆଜି ଅନୁମୋଦନ ଲାଭ କରିଥିବା ପ୍ୟାକେଜରେ ଧରିତ୍ରୀ ମାତାର ଉର୍ବରତା ପୁନରୁଦ୍ଧାର, ପୋଷଣ ଏବଂ ଉନ୍ନତିକରଣର ନୂତନ ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି । ଗୋବରଧନ ପ୍ରୟାସ ଅଧୀନରେ ପ୍ରତିଷ୍ଠା କରାଯାଇଥିବା ବାୟୋଗ୍ୟାସ ପ୍ଲାଣ୍ଟ/କମ୍ପ୍ରେସଡ୍‌ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟରୁ ଉପ ଉତ୍ପାଦ ରୂପରେ ଉତ୍ପାଦିତ ଜୈବିକ ଉର୍ବରକ ଅର୍ଥାତ୍‌ ଫର୍ମେଣ୍ଟେଡ୍‌ ଜୈବିକ ଖତ (ଏଫଓଏମ)/ତରଳ ଏଫଓଏମ/ଫସଫେଟ୍‌ ଯୁକ୍ତ ଜୈବିକ ଖତ (ପିଆରଓଏମ) ବିପଣନର ସମର୍ଥନ କରିବା ଲାଗି ପ୍ରତି ମେଟ୍ରିକ ଟନ୍‌ ୧୫୦୦ ଟଙ୍କା ଆକାରରେ ଏମଡିଏ ଯୋଜନା ସାମିଲ ରହିଛି ।

ଏପରି ଜୈବିକ ସାରକୁ ଭାରତୀୟ ବ୍ରାଣ୍ଡ ଏଫଓଏମ, ଏଲଏଫଓଏମ ଏବଂ ପିଆରଓଏମ ନାମରେ ବ୍ରାଣ୍ଡ କରାଯିବ । ଏହା ଗୋଟିଏ ପଟେ ଫସଲ ପରବର୍ତ୍ତୀ ବଳକା ଅବଶେଷ ପରିଚାଳନା କରିବା ଏବଂ ନଡ଼ା ଜାଳିବା ସମସ୍ୟାର ସମାଧାନ କରିବାରେ ସୁବିଧା ପ୍ରଦାନ କରିବ। ପରିବେଶକୁ ସ୍ୱଚ୍ଛ ଏବଂ ସୁରକ୍ଷିତ ରଖିବାରେ ସହାୟକ ହେବ । ଏଥିସହିତ ଚାଷୀମାନଙ୍କୁ ଏକ ଅତିରିକ୍ତ ଆୟ ଉତ୍ସ ପ୍ରଦାନ କରିବ । ଏହି ଜୈବିକ ସାର ଚାଷୀମାନଙ୍କୁ ଶସ୍ତା ଦରରେ ମିଳିବ ।

ସରକାରଙ୍କର ଏହି ପଦକ୍ଷେପ ଏସବୁ ବାୟୋଗ୍ୟାସ/ସିବିଜି ପ୍ଲାଣ୍ଟର ସାଧନଯୋଗ୍ୟତା ବଢ଼ାଇ ଚକ୍ରାକାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାକୁ ଗୋବରଧନ ଯୋଜନା ଅଧୀନରେ ୫୦୦ ନୂଆ ବର୍ଜ୍ୟବସ୍ତୁରୁ ସମ୍ପଦ ପ୍ଲାଣ୍ଟ ପ୍ରତିଷ୍ଠା କରିବା ନିମନ୍ତେ ବଜେଟ୍‌ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ସୁବିଧା ପ୍ରଦାନ କରିବ ।

ଦୀର୍ଘସ୍ଥାୟୀ କୃଷି ପଦ୍ଧତି ରୂପରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଫଳରେ ମୃତ୍ତିକାର ଉର୍ବରତାର ପୁନରୁଦ୍ଧାର ହେଉଛି ଏବଂ ଚାଷୀଙ୍କ ପାଇଁ ଇନପୁଟ୍‌ ଖର୍ଚ୍ଚ କମ୍‌ ହେଉଛି । ୪୨୫ କୃଷି ବିଜ୍ଞାନ କେନ୍ଦ୍ର (କେବିକେ) ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରଦର୍ଶନ କରିଛନ୍ତି ଏବଂ ୬.୮୦ ଲକ୍ଷ ଚାଷୀଙ୍କୁ ସାମିଲ କରି ୬,୭୭୭ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛି । ଜୁଲାଇ-ଅଗଷ୍ଟ ୨୦୨୩ର ଶିକ୍ଷାବର୍ଷ ଠାରୁ ବିଏସସି ଓ ଏମଏସସିରେ ପ୍ରାକୃତିକ କୃଷି ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

ମୃତ୍ତିକାରେ ସଲଫର୍‌ ଅଭାବକୁ ଦୂର କରିବା ଏବଂ ଚାଷୀଙ୍କ ଇନପୁଟ ଖର୍ଚ୍ଚକୁ କମ୍‌ କରିବା ଲାଗି ସଲଫର କୋଟେଡ୍‌ ୟୁରିଆ (ୟୁରିଆ ଗୋଲ୍ଡ)ର ଶୁଭାରମ୍ଭ କରାଯାଇଛି ।

ପ୍ୟାକେଜ୍‌ର ଆଉ ଏକ ଯୋଜନା ହେଉଛି ଯେ ଦେଶରେ ପ୍ରଥମ ଥର ପାଇଁ ସଲଫର କୋଟେଡ୍‌ ୟୁରିଆ (ୟୁରିଆ ଗୋଲ୍ଡ)ର ଆରମ୍ଭ କରାଯାଇଛି । ଏହା ବର୍ତ୍ତମାନ ଉପଯୋଗ ହେଉଥିବା ନିମ୍ବ କୋଟେଡ୍‌ ୟୁରିଆ ଠାରୁ ଶସ୍ତା ଏବଂ ଭଲ । ଏହା ଦେଶରେ ମାଟିରେ ସଲଫର ଅଭାବକୁ ଦୂର କରିବ । ଏହା ଚାଷୀଙ୍କ ଇନପୁଟ୍‌ ଖର୍ଚ୍ଚ ମଧ୍ୟ ବଞ୍ଚାଇବ ଏବଂ ଉତ୍ପାଦନ ଓ ଉତ୍ପାଦକରେ ବୃଦ୍ଧି ସହିତ ଚାଷୀଙ୍କ ଆୟ ମଧ୍ୟ ବଢ଼ାଇବ ।

ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ସଂଖ୍ୟା ମଧ୍ୟ ଏକ ଲକ୍ଷ ହେଲା

ଦେଶରେ ପାଖାପାଖି ଏକ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ପୂର୍ବରୁ କାର୍ଯ୍ୟକ୍ଷମ ରହିଛନ୍ତି । ଚାଷୀଙ୍କ ସବୁ ଆବଶ୍ୟକତା ପାଇଁ ଗୋଟିଏ ସ୍ଥାନରେ ସେମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଆକାରରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ।

ଲାଭ

ଆଜିର ଅନୁମୋଦିତ ଯୋଜନା ରାସାୟନିକ ସାରର ସଠିକ ଉପଯୋଗ କରିବାରେ ସହାୟତା କରିବ, ଯାହାଫଳରେ ଚାଷୀଙ୍କ ପାଇଁ କୃଷି ଖର୍ଚ୍ଚ ହ୍ରାସ ପାଇବ । ପ୍ରାକୃତିକ/ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ନାନୋ ସାର ଏବଂ ଜୈବିକ ସାର ଦ୍ୱାରା ଆମ ପୃଥିବୀ ମାତାର ଉର୍ବରତାର ପୁନରୁଦ୍ଧାର କରିବାରେ ସହାୟତା ମିଳିବ ।

୧) ଉନ୍ନତ ମୃତ୍ତିକା ସ୍ୱାସ୍ଥ୍ୟ ଦ୍ୱାରା ପୋଷକତତ୍ତ୍ୱର ଦକ୍ଷତା ବଢ଼ିଥାଏ ଏବଂ ମୃତ୍ତିକା ଓ ଜଳ ପ୍ରଦୂଷଣରେ ଅଭାବ କାରଣରୁ ପରିବେଶ ମଧ୍ୟ ସୁରକ୍ଷିତ ହୋଇଥାଏ। ସୁରକ୍ଷିତ ଏବଂ ସ୍ୱଚ୍ଛ ପରିବେଶ ଦ୍ୱାରା ମାନବ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସହାୟତା ମିଳିଥାଏ।

୨) ନଡ଼ା ଭଳି ଫସଲ ଅବଶେଷ ଜଳାଇବା ଯୋଗୁ ହେଉଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ହେବ ଏବଂ ସ୍ୱଚ୍ଛତାରେ ସୁଧାର ଆସିବ । ପରିବେଶ ସୁରକ୍ଷା ହୋଇପାରିବ ଏବଂ ବର୍ଜ୍ୟରୁ ସମ୍ପଦ ସୃଷ୍ଟିରେ ମଧ୍ୟ ସହାୟତା ମିଳିବ ।

୩) ଚାଷୀଙ୍କୁ ଅଧିକ ଲାଭ ମିଳିବ – ୟୁରିଆ ପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଅର୍ଥ ପରିଶୋଧ କରିବାକୁ ପଡ଼ିବ ନାହିଁ କାରଣ ଶସ୍ତା ଦରରେ ଏହା ଉପଲବ୍ଧ ହେବ । ଜୈବିକ ସାର (ଏଫଓଏମ/ପିଆରଓଏମ) ମଧ୍ୟ ଶସ୍ତା ଦରରେ ଉପଲବ୍ଧ ହେବ । କମ ମୂଲ୍ୟରେ ନାନୋ ୟୁରିଆ ଏବଂ ରାସାୟନିକ ସାରର କମ୍‌ ପ୍ରୟୋଗ ତଥା ଜୈବିକ ସାରର ଅଧିକ ଉପଯୋଗ ଦ୍ୱାରା ଚାଷୀଙ୍କ ପାଇଁ ଇନପୁଟ୍‌ ଖର୍ଚ୍ଚ କମିବ । କମ୍‌ ଇନପୁଟ୍‌ ଖର୍ଚ୍ଚ ସହିତ ସୁସ୍ଥ ମୃତ୍ତିକା ତଥା ପାଣିରୁ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବ । ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉନ୍ନତ ଲାଭ ମିଳିବ ।

Categories
ଆଜିର ଖବର ଜାତୀୟ ଖବର

ଅଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟିର ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨) ଅଧୀନରେ ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ସଡ଼କ ସଂଯୋଗ କାର୍ଯ୍ୟ ନିମିତ୍ତ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ପ୍ରଦାନ କରିଛି। ଏ ବାବଦରେ ୨ଠ୨୧-୨୨ରୁ ୨ଠ୨୪-୨୫ ଅବଧି ମଧ୍ୟରେ ୧,୧୨,୪୧୯ କୋଟି ଟଙ୍କା ରାଜ୍ୟର ଅଂଶ ସହିତ ଏହି ଯୋଜନାରେ ବିନିଯୋଗ କରାଯାଇ ଚାଲିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ। ୯ଟି ରାଜ୍ୟର ୪୪ଟି ଜିଲ୍ଲାରେ ରହିଥିବା ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଅଞ୍ଚଳରେ ୨ଠ୧୬ ମସିହା ଠାରୁ ଏପର୍ଯ୍ୟନ୍ତ ୧ଠ୫ଟି ପୋଲ ସହିତ ୪୪୯ଠ କିଲୋମିଟର ସଡ଼କ ନିର୍ମାଣ ଶେଷ ହେଲାଣି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ଆଜି ବାମପନ୍ଥୀ ଉଗ୍ରବାଦ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୧) ଏବଂ (୨)କୁ  ୨ଠ୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ କରିବା ଏବଂ ସଡ଼କ ନିର୍ମାଣ କାର୍ଯ୍ୟ ସରି ନଥିବା ପ୍ରକଳ୍ପଗୁଡ଼ିକୁ ୨ଠ୨୩ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନା (୧) ଅଧୀନରେ ସମତଳ ଅଞ୍ଚଳର ୫ଠଠରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମ ଏବଂ ଉତ୍ତର-ପୂର୍ବାଞ୍ଚଳ ତଥା ହିମାଳୟ ଅଞ୍ଚଳରେ ୨୫ଠ ଏବଂ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କରାଯାଉଛି।

ସେହିପରି ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ଅଞ୍ଚଳରେ ୧ଠଠରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ କରାଯାଉଛି। ଏହି ଯୋଜନା ଅଧିନରେ ୧,୮୮,୪୪୪ଟି ଗ୍ରାମକୁ ୭୫୨୩ଟି ପୋଲ ସହିତ ୬୪୪୫୬୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି। ଏ ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆଉ ମାତ୍ର ୧୯୭୪ଟି ପୋଲ ଏବଂ ୨ଠ,୯୫ଠ କିଲୋମିଟର ରାସ୍ତା ବାକି ରହିଛି।

ଏହି ଯୋଜନା (୨) ଅଧୀନରେ ୫ଠ ହଜାର କିଲୋମିଟର ସଡ଼କ ନିର୍ମାଣ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିବା ବେଳେ ୪୯,୮୮୫ କିଲୋମିଟର ରାସ୍ତା ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୨୪ଠ କିଲୋମିଟର ସଡ଼କ ଏବଂ ୨୫୪ଟି ପୋଲ କାମ ଅଳ୍ପଦିନ ମଧ୍ୟରେ ଶେଷ ହେଲେ ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। କରୋନା ସଂକ୍ରମଣ, ଅତିବୃଷ୍ଟି, ପ୍ରବଳ ଥଣ୍ଡା ଏବଂ ପାର୍ବତ୍ୟ ଅଞ୍ଚଳରେ ଜଙ୍ଗଲରେ ସଡ଼କ ନିର୍ମାଣଜନିତ ଅସୁବିଧାଗୁଡ଼ିକ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିଲା। ୨ଠ୨୨ ମସିହା ସେପ୍ଟେମ୍ବର ସୁଦ୍ଧା ଏହିସବୁ ନିର୍ମାଣ କାର୍ଯ୍ୟ ଶେଷ ହେବ। ୯ଟି ରାଜ୍ୟର ବାମପନ୍ଥୀ ଉଗ୍ରବାଦୀ ଅଧ୍ୟୁଷିତ ୪୪ଟି ଜିଲ୍ଲାରେ ୨ଠ୧୬ ମସିହାରେ ୫୭୧୪ କିଲୋମିଟର ସଡ଼କ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଆଉ ୧୮୮୭ କିଲୋମିଟର ସଡ଼କ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଗଲା। ଏବେ ୩୯୮ଟି ପୋଲ ସମେତ ସମୁଦାୟ ୭୬ଠ୧ କିଲୋମିଟର ସଡ଼କ ନିର୍ମାଣ ୨ଠ୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ଯୋଜନା ଅଧିନରେ ସଡ଼କ ନିର୍ମାଣ ପାଇଁ ସବୁଜ ବୈଷୟିକ କୌଶଳ ପ୍ରୟୋଗ କରାଯାଉଛି। ଏଥିରେ ସ୍ଥାନୀୟ ଭାବେ ମିଳୁଥିବା ସମାଗ୍ରୀ ବ୍ୟବହାର କରାଯାଇ ୧ ଲକ୍ଷ କିଲୋମିଟର ଦୀର୍ଘ ସଡ଼କପଥ ନିର୍ମାଣ କରାଯିବ। ଏଥିମଧ୍ୟରୁ ୬୧ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ ହେଲାଣି । ଏହି ଯୋଜନା ଅଧିନରେ କାର୍ଯ୍ୟର ମାନର ସୁନିଶ୍ଚିତତା ପାଇଁ ତିନୋଟି ସ୍ତର ନିର୍ଦ୍ଧାରଣ କରାଯାଇଛି। ଏହା ଫଳରେ ଉଚ୍ଚମାନର ସଡ଼କ ନିର୍ମିତ ହୋଇପାରୁଛି।

୨ଠ୧୯ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (୨) କାର୍ଯ୍ୟକାରୀ କରାଗଲା। ୨ଠ୨୫ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ ୧ ଲକ୍ଷ ୨୫ ହଜାର କିଲୋମିଟର ସଡ଼କ ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ଦ୍ରୁତ ଗତିରେ କାମ ଆଗେଇ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବା ପାଇଁ ରାଜ୍ୟ ଅଂଶକୁ ମିଶାଇ ୧,୧୨,୪୧୯ କୋଟି ଟଙ୍କା ବିନିଯୋଗ କରାଯାଉଛି।