Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକୋତ୍ସବ

ଭୁବନେଶ୍ଵର: ଓଡିଶା ସିନେ ୱାର୍କର୍ସ ଆସୋସିଏସନ ର ବାର୍ଷିକୋତ୍ସବ ସ୍ଥାନୀୟ ଜୟଦେବ ଭବନ ଠରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ କଳା ଜଗତରେ ସାଧନା, କର୍ତ୍ତବ୍ୟ ପରାୟଣତା, ନିଷ୍ଠା, ନୈତିକତା ଓ ମାନବିକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ଏକ ସମ୍ମାନର ପର୍ବ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ କରିଥାଏ। ଚଳିତ ବର୍ଷ ମଧ୍ୟ ଏହି ପର୍ବ ଧୂମ୍ ଧାମ୍ ରେ ପାଳିତ ହୋଇଯାଇଛି। ସ୍କିଲ ଇଣ୍ଡିଆର, ମିଡାଆ ଓ ଏଣ୍ଟରଟେନମେଣ୍ଟ ଜନସଂପର୍କ ଅଧିକାରୀ ପୂଜା ଆରୋରା, ସିନେ ପ୍ରଯୋଜକ ଯତୀନ ନାୟକ, ଶୁଭ୍ରା ପଟ୍ଟନାୟକ, କାହାଣୀକାର ଦ୍ବାପାୟନ ପଟ୍ଟନାୟକ, ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିନେତା ଅମର ମହାପାତ୍ର ଏବଂ ଉପଦେଷ୍ଟା ପ୍ରଣୟ ଜେଠୀ ମଞ୍ଚ ଅଳଙ୍କୃତ କରିଥିଲେ। ଅନୁଷ୍ଠାନର ବାର୍ଷିକ ବିବରଣୀ ପୂର୍ଣ୍ଣଚନ୍ଦ୍ର ବେହେରା ପାଠ କରିଥିଲେ।

ସଭାରେ ଦୁଇଟି ଚଳଚ୍ଚିତ୍ର ଅପରେସନ ୧୨/୧୭ର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ ଓ ଟିମ୍ ର କଳାକାର ଙ୍କୁ ଏବଂ “ଆକାଶବାଣୀ” ର ପ୍ରଯୋଜକ, ଅଭିନେତା ରୋହନ ଗର୍ଗ, ପୂର୍ଣ୍ଣିମା ବରାଳ (ପୂଜା), କ୍ୟାମେରାମ୍ୟାନ ବୁବୁ ଙ୍କୁ ସମ୍ମାନିତ କରାଯାଇଥିଲା।

ଚଳଚ୍ଚିତ୍ରଜଗତ ର ଅନ୍ୟାନ୍ୟ କଳାକାର ତଥା ଟେକ୍ନିସିଆନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ତା ସହିତ କବିତା ପାଠ, ବନ୍ଧୁ ମିଳନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଵା ସହିତ ସମ୍ବର୍ଦ୍ଧନା ପର୍ବ ହୋଇଥିଲା ଯେଉଁଥିରେ ସବୁ କଳା କ୍ଷେତ୍ରରେ ସ୍ବନାମ ଅର୍ଜନ କରିଥିବା କଳାକାର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସମସ୍ତ ଟେକ୍ନିସିଆନଙ୍କୁ ସ୍କିଲ ଇଣ୍ଡିଆ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା କଥା ଦିଲ୍ଲୀ ରୁ ଆସିଥିବା ପୂଜା ଆରୋରା ଘୋଷଣା କରିଥିଲେ।

ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଦମ୍ୟ ଚେଷ୍ଟା ବଳ ରେ ଏହି ଅନୁଷ୍ଠାନ ର ଉତ୍ପତି ହୋଇଛି। ଛୋଟ ଠାରୁ ବଡ଼ ସମସ୍ତ କଳାକାର ଜଣେ ଜଣେ ନିଜ କଳା ପ୍ରତିଭା ପାଇଁ ସମ୍ମାନ ପାଉ ଏହି ଲକ୍ଷ୍ୟ ନେଇ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦ୍ଵିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ: ୫ ଜଣ ପାଇଲେ ଫଟୋ ବନ୍ଧୁ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ ବନ୍ଦନା ଶ୍ରୀଚନ୍ଦନ ଆୟୋଜକ ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ୫ ଜଣ ବ୍ୟକ୍ତି ବିଶେଷ ଯଥା ସୂର୍ଯ୍ୟ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ସମାଜସେବୀ ମାନସ ବସ୍ତିଆ, ଅଭିଳାଷ ପଣ୍ଡା, ରାଜ୍ୟସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଶୟଦ ୟାଶିର ନୱାଜ, ରାଜ୍ୟ ସଭାପତି ଛାତ୍ର କଂଗ୍ରେସ ଓ ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମୁଦୁଲି ପ୍ରମୁଖଙ୍କୁ ଫଟୋ ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି.ଗ୍ରାମ୍ୟ ଜୀବନ, ପ୍ରକୃତି ଓ ବନ୍ୟା ପ୍ରାଣୀ, ଭାବଭଙ୍ଗି ଉପରେ ଆଧାରିତ ହୋଇଥିବା ଏହି ଫଟୋ ପ୍ରଦର୍ଶନୀରେ ସାରା ରାଜ୍ୟ ୮୦ ଜଣ ପ୍ରତିଯୋଗୀଙ୍କର ୨୫୩ଟି ଫଟୋ ପ୍ରଦର୍ଶିତ ହୋଇଥିଲା।

ଉଚ୍ଚକୋଟିର ଫଟୋ ପାଇଁ ଶ୍ରେଷ୍ଠ ୩ ଜଣ ଫଟୋଗ୍ରାଫର ଅଜିତ ପାଢ଼ୀ, ବୈଦ୍ୟନାଥ ନାୟକ ଓ ସତ୍ୟଜିତ ଦାସଙ୍କୁ ସମ୍ମାନୀତ କରାଯାଇଛି ଏଥି ସହିତ ତିନିଜଣ ଫଟୋଗ୍ରାଫର ସନ୍ଦୀପ ପ୍ରିୟଦର୍ଶୀ, କଳ୍ପନା ରଥ ଓ ଆଶୁତୋଷ ପାଢ଼ୀଙ୍କୁ ଦୃଷ୍ଟି ଆକର୍ଷଣକାରୀ ଫଟୋ ପାଇଁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନୂଆ ଫଟୋଗ୍ରାଫରମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ସମୀକ୍ଷକ ସେବା ସଂଘର ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷକମାନଙ୍କର ନିଷ୍ଠା, ଆନ୍ତରିକତା ଓ ଦାୟିତ୍ୱବୋଧ ରାଜ୍ୟର ଆର୍ଥିକ ପରିଚାଳନାକୁ ଅଧିକ ସକି୍ରୟ ଓ ସ୍ୱଚ୍ଛ କରିବାରେ ସହାୟକ ହୋଇଛି ବୋଲି ବାର୍ଷିକ ସମ୍ମିଳନୀରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ଏହି ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କହିଥିଲେ ଯେ ରାଜ୍ୟ ବା ଦେଶର ଆର୍ଥିକ ଉନ୍ନତି ଓ ଅଭିବୃଦ୍ଧିରେ ବିତ୍ତୀୟ ଶୃଂଖଳା ଜରୁରୀ ହୋଇଥିବାବେଳେ ସମୀକ୍ଷକମାନେ ଏ ଦିଗରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟବରାଦ କରୁଥିବାରୁ ହିତାଧିକାରୀମାନେ ଏହାର ସୁଫଳ ପାଇବା ଅତ୍ୟନ୍ତ ଆବଶ୍ୟକ। ସମୀକ୍ଷକମାନଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଥିବା କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକ ଶୃଙ୍ଖଳିତ ହୋଇଥାଆନ୍ତି। ରାଜ୍ୟ ସରକାରଙ୍କର ଦୁଇ ଯୁଗାନ୍ତକାରୀ ମନ୍ତ୍ର ୫-‘ଟି’ ଓ ‘ମୋ-ସରକାର’କୁ ସରକାରୀ କାର୍ଯ୍ୟରେ ଉପଯୋଗ କରି ସମୀକ୍ଷକମାନେ କାର୍ଯ୍ୟରେ ଅଧିକ କ୍ରିୟାଶୀଳ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ସମ୍ପ୍ରତି ଓଡ଼ିଶା ଏକ ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବରେ ସମଗ୍ର ଦେଶରେ ପରିଚିତ। ଆର୍ଥିକ ଶୃଙ୍ଖଳା ରକ୍ଷା କରିବାରେ ସମୀକ୍ଷକମାନଙ୍କ ଗୁରୁଦାୟିତ୍ୱ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥର ଉପଯୁକ୍ତ ବିନିଯୋଗ ଦିଗରେ ସମୀକ୍ଷକମାନଙ୍କର ସଠିକ୍‌ କାର୍ଯ୍ୟ ଓ ଦାୟିତ୍ୱର ଆବଶ୍ୟକତା ରହିଛି ଏବଂ ସେ ଦିଗରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟବକ୍ତା ଭାବେ ମହାଲେଖାକାର ରାଜକୁମାର ସମୀକ୍ଷକମାନଙ୍କର ଭୂମିକା ଓ ଅର୍ଥନୈତିକ ପ୍ରଗତିରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି କହିଥିଲେ।

ସମ୍ମାନୀୟ ଅତିଥି ଭାବେ ଅର୍ଥ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ସଚିବ ଅଶୋକ କୁମାର ଯୋଶୀ ସମୀକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ଓ ଉଦ୍ୟମ ଯୋଗୁଁ ରାଜ୍ୟର ଉନ୍ନତି ତ୍ୱରାନ୍ୱିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ସାରଦା ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସାଧାରଣ ସମ୍ପାଦକ ଜୀବନ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଂଘର ଉପସଭାପତି ମନୋରଞ୍ଜନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ୱାରା ସଂଘର ମୁଖପତ୍ର ‘ସମୀକ୍ଷାୟନ’ ଉନ୍ମୋଚନ ହେବା ସହିତ ସଦସ୍ୟମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ପ୍ରଣତି ବସନ୍ତରାୟ, ବନଜା ସାହୁ, ରାଜଲକ୍ଷ୍ମୀ ମହାପାତ୍ର, ଆଶିଷ ଦଳାଇ, ପ୍ରକାଶ ସାହାଣୀ, ଉମାକାନ୍ତ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ଓ ଅନ୍ୟ ସଦସ୍ୟମାନେ ନୃତ୍ୟ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି’- ଜଷ୍ଟିସ୍‌ ଡି.ପି. ଚୌଧୁରୀ

ଭୁବନେଶ୍ୱର: ବିଜ୍ଞ ଓ ଜାଗ୍ରତ ଖାଉଟି ନିଜ ଅଧିକାର ସମ୍ବନ୍ଧରେ ପୂର୍ଣ୍ଣ ସଚେତନ। ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି ବୋଲି ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, ଓଡ଼ିଶା, କଟକର ଅଧ୍ୟକ୍ଷ ଜଷ୍ଟିସ୍‌ ଡି.ପି. ଚୌଧୁରୀ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‌ ଚୌଧୁରୀ କହିଲେ ଯେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଏହାର ୩୧ଟି ଜିଲ୍ଲାସ୍ତରୀୟ ଶାଖା ଉପଭୋକ୍ତାମାନଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ସୁଚାରୁ ରୂପେ ସମ୍ପାଦନ କରି ଆସୁଛି। ସଂପ୍ରତି ଅନ୍‌ଲାଇନରେ ଅଭିଯୋଗ ଦାଖଲ କଲେ ମଧ୍ୟ ଏହାର ତ୍ୱରିତ ସମାଧାନ କରାଯାଉଛି ଓ ଉପଭୋକ୍ତାମାନଙ୍କୁ ହଇରାଣ ହେବାକୁ ପଡ଼ୁନାହିଁ।

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଖାଉଟିମାନଙ୍କୁ ଯେଉଁସବୁ ସୁବିଧାସୁଯୋଗ ପ୍ରଦାନ କରାଯାଉଛି, ସେମାନେ ସେସବୁ ସୁବିଧା ହାସଲ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଖାଉଟି ବିବାଦ ପ୍ରତିକାର ଆୟୋଗଗୁଡ଼ିକ ପରିସରରେ ଥିବା ଉପଭୋକ୍ତା ପରାମର୍ଶ କେନ୍ଦ୍ରଗୁଡ଼ିକ ସହ ଖାଉଟିମାନେ ଯୋଗାଯୋଗ କରିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଚୌଧୁରୀ ପ୍ରକାଶ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପଭୋକ୍ତା ଉପଦେଷ୍ଟା ପ୍ରଫେସର ବେଜୋନ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ “ନିର୍ମଳ ଶକ୍ତି ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ର ବିଷୟବସ୍ତୁ। ଉପଭୋକ୍ତାଙ୍କୁ କ୍ଷମତାପନ୍ନ କରିବା ସମ୍ବନ୍ଧୀୟ ସଚେତନତା ବୃଦ୍ଧ ଆଦି ଜରୁରୀ ହୋଇପଡ଼ିଛି। ପାରମ୍ପରିକ ଶକ୍ତି ଉତ୍ସ ପ୍ରଦୂଷଣର ମୂଳ କାରଣ ହୋଇଥିବାରୁ ସେଥିରୁ କ୍ରମଶଃ ଦୂରେଇ ଯାଇ ନିର୍ମଳ ସବୁଜ ଶକ୍ତିକୁ ଆପଣେଇବା କ୍ଷେତ୍ରରେ ସଚେତନ ଉପଭୋକ୍ତାମାନଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ।

ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ଅତିରିକ୍ତ ସଚିବ ଶକୁନ୍ତଳା ବିନ୍ଧାଣୀ ଧନ୍ୟବାଦ ଦେଇଥିଲେ। ଖାଉଟି ସୁରକ୍ଷା ଓ କଲ୍ୟାଣ ଉପରେ ପର୍ଯ୍ୟବସିତ କ୍ଷୁଦ୍ର ନାଟକ ବିଭାଗର ସାଂସ୍କୃତିକ ସଂସଦ ଦ୍ୱାରା ପରିବେଷିତ ହୋଇ ଉପସ୍ଥିତ ଦର୍ଶକମାନଙ୍କ ମନକୁ ଛୁଇଁଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ବରର ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଓଡ଼ିଆ ଭାଷାରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ବାରା ପ୍ରକାଶିତ ଇଞ୍ଜିନିୟରିଂ ପୁସ୍ତକ କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ। ଏହାଛଡ଼ା ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗଙ୍କ ଦ୍ବାରା ବିକଶିତ ଓଡ଼ିଆ ଭାଷାରେ ବୈଷୟିକ ଶବ୍ଦକୋଷ ଏବଂ ଇ-କୁମ୍ଭ (ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଜ୍ଞାନ) ପୋର୍ଟାଲକୁ ମଧ୍ୟ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଉନ୍ମୋଚନ କରି ସେ ଆନନ୍ଦିତ। ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ଦିଗରେ ଭାରତ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ। ଇଂରାଜୀ ଭାଷାରେ ବୈଷୟିକ ଶିକ୍ଷାକୁ ବୁଝିବା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ଏହି କାରଣରୁ ଜାତୀୟ ଶିକ୍ଷା ନୀତି -୨୦୨୦ରେ ସରକାର ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହାଦ୍ବାରା ସମାନ ସୁଯୋଗ ମିଳିପାରିବ। ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେଉନଥିବାରୁ ପୂର୍ବରୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ କରିବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେଉଥିଲା। ଏହି ବାଧା ଦୂର କରିବା କ୍ଷେତ୍ରରେ ଏଆଇସିଟିଇର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ସଶକ୍ତିକରଣର ଏକ ମାଧ୍ୟମ। ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ ଆମେ ତାହା ସୁନିଶ୍ଚିତ କରିବା ଉଚିତ୍। ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଖରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବା ଉଚିତ୍‌। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କ୍ଷେତ୍ରରେ ଭାଷା ବାଧକ ନୁହେଁ ବରଂ ସହାୟକ ହେବା ଉଚିତ୍‌। ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଫଳରେ ଦୀର୍ଘସ୍ଥାୟୀ ଭିତ୍ତିରେ ଏକ ଶିକ୍ଷିତ, ସଚେତନ ଏବଂ ସକ୍ରିୟ ସମାଜ ଗଠନରେ ସହାୟତା ମିଳିପାରିବ।

ରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି। ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ। ସେ କହିଥିଲେ ଯେ, ସବୁ ଭାରତୀୟ ଭାଷାରେ ଅଳ୍ପବହୁତ ଏଭଳି ସମ୍ଭାବନା ରହିଛି। ଜାତୀୟ ଶିକ୍ଷା ନୀତି -୨୦୨୦ରେ ସବୁ ଭାରତୀୟ ଭାଷାକୁ ସମାନ ଗୁରୁତ୍ବ ଦିଆଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଭାଷା କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଆରମ୍ଭ କରିଛି।

ଏଥିପୂର୍ବରୁ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତପୋବନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହାପରେ, ସେ ପିଲାଦିନେ ପାଠ ପଢ଼ୁଥିବା ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍କୁଲରେ ପଢ଼ିବା ବେଳେ ରହୁଥିବା ୟୁନିଟ୍‌-୨ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରୀନିବାସକୁ ଯାଇଥିଲେ। ରାଷ୍ଟ୍ରପତି ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀନିବାସ ଅନ୍ତେବାସୀଙ୍କ ସହ ମତବିନିମୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମାନ କାମକୁ ସମାନ ଦରମା ଦାବି: ଆନ୍ଦାଳନକୁ ଓହ୍ଲ।ଇବା ଲାଗି ଚେତାବନୀ ଦେଲା ଓଡଶିା ଅମଲା ସଂଘ

ଭୁବନେଶ୍ବର: ଆଜି ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରସ୍ଥିତ ଜୟଦେବ ଭବନ ଠାରେ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷ ଅସିତ ବରଣ ସ୍ଵାଇଁ , କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ , ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ଜ୍ଞାନରଞ୍ଜନ ଦାଶ, ପ୍ରାକ୍ତନ ସଭାପତି ଶତୁଘ୍ନ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ସୁଦାମ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ନେତା ମଞ୍ଚାସୀନ ଥିଲେ। ଏଥିରେ ୩୦ ଟି ଜିଲ୍ଲାର ଅମଲା ସଂଘର ସଭାପତି , ସମ୍ପାଦକ ଏବଂ ୫୦୦ ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ସଭାରେ ପ୍ରଥମେ ସଂଘର ସଭାପତି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କୁ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟ ପକ୍ଷରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରି ସରକାର ଅବହେଳିତ କରିଛନ୍ତି ବୋଲି କଟାକ୍ଷ କରିଥିଲେ। ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରଦବଶିକ। ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ସେମାନଙ୍କୁ ୧୯୦୦ ଗ୍ରେଡ ପେ ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି, ଯାହାଫଳରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମନରେ ଘୋର ବୈରାଗ ଭାବ ସୃଷ୍ଟି ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ।

ଅମଲା ସଂଘର ସାଧାରଣ ସମ୍ପାଦକ ତାଙ୍କ ଭାଷଣ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରି ସରକାର ଅମଲାମ।ନଙ୍କ ବେତନ ସମୀକରଣ କରିବାରେ ଟାଳଟୁଳ ନୀତକିୁ ସମାଲୋଚନା କରିଥିଲେ। ବାରମ୍ବାର ଏ ବାବଦରେ ସରକାରଙ୍କ ସହିତ ଆଲୋଚନା କରି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଜାଣିଶୁଣି ନୀରବ ରହିବା ବାସ୍ତବିକ ଦୁଃଖଦାୟକ ବୋଲି ଅବିହିତ କରିଥିଲେ। +୨ ଯୋଗ୍ୟତା ଥାଇ ଅନ୍ୟ ବର୍ଗର କର୍ମଚାରୀମାନଙ୍କୁ ଅଧିକ ବେତନ ଦେଉଥିବାବେଳେ  ସ୍ନାତକ ଯୋଗ୍ୟତା ଥାଇ ଅମଲାମାନଙ୍କୁ ୧୯୦୦ ଗ୍ରେଡ ପେ ଦେବା ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲା ସ୍ତରର ଅମଲା ସରକାରଙ୍କର ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବାରେ ତୃଣମୂଳ ସ୍ତରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ଉପଲବ୍ଧି କରି ଜଲ୍ଲିାସ୍ତରୀୟ ଅମଲାମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ଗ୍ରେଡ ପେ ୪୨୦୦/- ପ୍ରଦାନ କରିବାକୁ ବହୁ ବିଧାୟକ ସରକାରଙ୍କୁ ସୁପାରିସ ପତ୍ର କରିଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ ଉଦାସୀନ ଅଛନ୍ତି ବୋଲି ବ୍ୟକ୍ତ କରିଥିଲେ।

ଏହି ସଭାରେ ମଞ୍ଚସ୍ଥ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏବଂ ୩୦ ଟି ଜିଲ୍ଲାରୁ ଆସିଥିବା ଓଡଶିା ଅମଲା ସଂଘର ସଭାପତି ଓ ସମ୍ପାଦକ ଆଲୋଚନାରେ ଅଂଶଗ୍ରହଣ କରି ସରକାର, ଯଦି ଜିଲ୍ଲାସ୍ତରୀୟ ଅମଲାମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ସମୀକରଣ ଶୀଘ୍ର ନ କରନ୍ତି କିମ୍ବା ସମାନ କାମକୁ ସମାନ ଦରମା ପ୍ରଦାନ ନ କରନ୍ତ, ତେବେ ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ୩୦,୦୦୦ ଅମଲା ରାଜଧାନୀଠାରେ ସମାବେଶ ହୋଇ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି,

ଏହାପୂର୍ବରୁ ସମସ୍ତ ଜିଲ୍ଲାର ଅମଲାମାନେ ସେମାନଙ୍କର ଜିଲ୍ଲାପାଳମାନଙ୍କ ଜରିଆରେ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପୂର୍ବକ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ। ତଥାପି ସରକାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ବିଧାନସଭା ସମ୍ମୁଖରେ ଅନଶନ ଏବଂ ଆମରଣ ଅନଶନ ଭଳି କଠୋର ଆନ୍ଦୋଳାନାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଆଜି ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ଉତ୍ସବରେ ମୋନାଲିସାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ କୁମାର ପୂଜାରୀ, ମୋ କଲେଜ ଅଭିଯାନର ରାଜ୍ୟ ସଂଯୋଜକ ତଥା ପ୍ରାକ୍ତନ ବିଧାୟକ ଆକାଶ ଦାସ ନାୟକ, ଜାତୀୟ ସେବା ଯୋଜନାର ରାଜ୍ୟ ସମନ୍ୱୟ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ପ୍ରମୁଖ ଉକ୍ତ ଉତ୍ସବରେ ଯୋଗ ଦେଇ ମୋନାଲିସା ରାଉତଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶ୍ରେଷ୍ଠ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା ପ୍ରତି ପ୍ରତିବଦ୍ଧ ହେବାପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ।

ରାଜ୍ୟ ପୁରସ୍କାର ପାଇବା ପୂର୍ବରୁ ମୋନାଲିସା ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସରସ୍ବତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ଲାଭ କରି ବାଲୁଗାଁ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଥିଲେ। ଏହି ରାଜ୍ୟ ସ୍ତରୀୟ ପୁରସ୍କାର ଲାଭ କରିଥିବାରୁ ମୋନାଲିସାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୂର୍ଚ୍ଛନାର ସଂଗୀତ ପ୍ରତିଯୋଗିତା

ଭୁବନେଶ୍ଵର: ଆଜି ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନାର ସଂଗୀତ ପ୍ରତିଯୋଗିତା ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। କୃତି ପ୍ରତିଯୋଗୀ ମାନଙ୍କୁ ମୂର୍ଚ୍ଛନାର ୧୮ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ଦିନ ସରେ ଜୟଦେବ ଭବନଠାରେ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯିବ।

ସଭାପତି ପ୍ରଦୋଷ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ସଂଗୀତ ପ୍ରତିଯୋଗୀତାକୁ ଉଦ୍‌ଘାଟନ କରିଥିଲେ। ମୂର୍ଚ୍ଛନାର କର୍ମକର୍ତ୍ତା ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା ଦେବେନ୍ଦ୍ର ସାହୁ, ହେମନ୍ତ ପରମଗୁରୁ, ପ୍ରଣୟ ଜେଠୀ, ଗୋଲକ ଚରଣ ମାର୍ଥା ଓ ତୁଷାର କାନ୍ତି ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗୀତ ପ୍ରତିଯୋଗୀତା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ଅନନ୍ୟା ମହାନ୍ତି ଓ ଦୀପୟିକା ମିଶ୍ର ସଂଚାଳନ କରିଥିଲେ।

Categories
ଆଜିର ଖବର ମନୋରଂଜନ ସଂସ୍କୃତି

ଆସନ୍ତାକାଲି ଠାରୁ ଗୁରୁଦକ୍ଷିଣା ଉତ୍ସବ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ‘କଳାଶ୍ରମ’ ପକ୍ଷରୁ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ୧୬ତମ ‘ଗୁରୁଦକ୍ଷିଣା ଉତ୍ସବ-୨୦୨୧’ ସ୍ଥାନୀୟ ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ। ଓଡ଼ିଶାର ଗୁରୁ-ଶିଷ୍ୟର ପରମ୍ପରାକୁ ଉଜ୍ଜିବୀତ ରଖିବା ସହିତ ଦିବ୍ୟାଙ୍ଗ କଳାକାରମାନଙ୍କୁ କଳାର ମୁଖ୍ୟସ୍ରୋତକୁ ଆଣି ଏକପାଦରୁ ପାଞ୍ଚପାଦରେ ପହଞ୍ଚାଇବା ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ ତିଆରି କରିବା, କଳା-ସଂସ୍କୃତି-ପରମ୍ପରାର ସୁମହାନତାକୁ ବଜାୟ ରଖିବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି କଳାଶ୍ରମର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି।

ଏହି ଉତ୍ସବରେ କଳାର ବିଭନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପଣ୍ଡିତ ରବିଶଙ୍କର ଉପାଧ୍ୟାୟଙ୍କୁ ‘ଗୁରୁଦକ୍ଷିଣା ସମ୍ମାନ-୨୦୨୧’ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି। ସେହିପରି ସଙ୍ଗୀତ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା, ତବଲା ବାଦକ ଶରତ ପାଣି, ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଦୀପ କୁମାର ଦାସଙ୍କୁ ସୃଜନଶୀଳ ପ୍ରତିଭା ସମ୍ପନ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Categories
ଫଟୋ ଖବର

ଉତ୍କଳ ଦିବସ ଉପଲକ୍ଷେ ସଜେଇ ହୋଇଛି ଭୁବନେଶ୍ବରର ଜୟଦେବ ଭବନ

ଉତ୍କଳ ଦିବସ ଉପଲକ୍ଷେ ସଜେଇ ହୋଇଛି ଭୁବନେଶ୍ବରର ଜୟଦେବ ଭବନ