‘ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି’- ଜଷ୍ଟିସ୍‌ ଡି.ପି. ଚୌଧୁରୀ

Published: Mar 15, 2023, 11:33 pm IST

ଭୁବନେଶ୍ୱର: ବିଜ୍ଞ ଓ ଜାଗ୍ରତ ଖାଉଟି ନିଜ ଅଧିକାର ସମ୍ବନ୍ଧରେ ପୂର୍ଣ୍ଣ ସଚେତନ। ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି ବୋଲି ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, ଓଡ଼ିଶା, କଟକର ଅଧ୍ୟକ୍ଷ ଜଷ୍ଟିସ୍‌ ଡି.ପି. ଚୌଧୁରୀ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ବିଶ୍ୱ ଖାଉଟି ଅଧିକାର ଦିବସର ରାଜ୍ୟସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍‌ ଚୌଧୁରୀ କହିଲେ ଯେ ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ ଓ ଏହାର ୩୧ଟି ଜିଲ୍ଲାସ୍ତରୀୟ ଶାଖା ଉପଭୋକ୍ତାମାନଙ୍କ ଅଧିକାର ସୁରକ୍ଷା ଏବଂ ସେମାନଙ୍କ ବିଭିନ୍ନ ସମସ୍ୟାର ପ୍ରତିକାର ସୁଚାରୁ ରୂପେ ସମ୍ପାଦନ କରି ଆସୁଛି। ସଂପ୍ରତି ଅନ୍‌ଲାଇନରେ ଅଭିଯୋଗ ଦାଖଲ କଲେ ମଧ୍ୟ ଏହାର ତ୍ୱରିତ ସମାଧାନ କରାଯାଉଛି ଓ ଉପଭୋକ୍ତାମାନଙ୍କୁ ହଇରାଣ ହେବାକୁ ପଡ଼ୁନାହିଁ।

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଜରିଆରେ ଖାଉଟିମାନଙ୍କୁ ଯେଉଁସବୁ ସୁବିଧାସୁଯୋଗ ପ୍ରଦାନ କରାଯାଉଛି, ସେମାନେ ସେସବୁ ସୁବିଧା ହାସଲ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଖାଉଟି ବିବାଦ ପ୍ରତିକାର ଆୟୋଗଗୁଡ଼ିକ ପରିସରରେ ଥିବା ଉପଭୋକ୍ତା ପରାମର୍ଶ କେନ୍ଦ୍ରଗୁଡ଼ିକ ସହ ଖାଉଟିମାନେ ଯୋଗାଯୋଗ କରିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଚୌଧୁରୀ ପ୍ରକାଶ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଉପଭୋକ୍ତା ଉପଦେଷ୍ଟା ପ୍ରଫେସର ବେଜୋନ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ “ନିର୍ମଳ ଶକ୍ତି ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୩ର ବିଷୟବସ୍ତୁ। ଉପଭୋକ୍ତାଙ୍କୁ କ୍ଷମତାପନ୍ନ କରିବା ସମ୍ବନ୍ଧୀୟ ସଚେତନତା ବୃଦ୍ଧ ଆଦି ଜରୁରୀ ହୋଇପଡ଼ିଛି। ପାରମ୍ପରିକ ଶକ୍ତି ଉତ୍ସ ପ୍ରଦୂଷଣର ମୂଳ କାରଣ ହୋଇଥିବାରୁ ସେଥିରୁ କ୍ରମଶଃ ଦୂରେଇ ଯାଇ ନିର୍ମଳ ସବୁଜ ଶକ୍ତିକୁ ଆପଣେଇବା କ୍ଷେତ୍ରରେ ସଚେତନ ଉପଭୋକ୍ତାମାନଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ।

ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ବିଭାଗର ଅତିରିକ୍ତ ଶାସନ ସଚିବ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ଅତିରିକ୍ତ ସଚିବ ଶକୁନ୍ତଳା ବିନ୍ଧାଣୀ ଧନ୍ୟବାଦ ଦେଇଥିଲେ। ଖାଉଟି ସୁରକ୍ଷା ଓ କଲ୍ୟାଣ ଉପରେ ପର୍ଯ୍ୟବସିତ କ୍ଷୁଦ୍ର ନାଟକ ବିଭାଗର ସାଂସ୍କୃତିକ ସଂସଦ ଦ୍ୱାରା ପରିବେଷିତ ହୋଇ ଉପସ୍ଥିତ ଦର୍ଶକମାନଙ୍କ ମନକୁ ଛୁଇଁଥିଲା।

Related posts