Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରୁ ଡକାୟତି ମାମଲା: ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ, ଗିରଫ ସଂଖ୍ୟା ୭କୁ ବୃଦ୍ଧି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ।

ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି।

ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି।  ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।