Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା, ଘଣ୍ଟାକୁ 11 କିଲୋମିଟର ବେଗରେ ମାଡି ଆସୁଛି ତାଉତେ

ନୂଆଦିଲ୍ଲୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବାତ୍ୟା ତାଉତେ ଆହୁରି ତୀବ୍ର ହେବ ଏବଂ ସୋମବାର ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷିଟ ହୋଇଥିବା ଏହି ବାତ୍ୟା ଘଣ୍ଟାକୁ 11 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ମଙ୍ଗଳବାର ସକାଳେ ଗୁଜୁରାଟର ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ପାଣିପାଗ ବିଭାଗ ଅନୁଯାୟୀ, ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳର ଉପରେ ଏକ ଭୟଙ୍କର ବାତ୍ୟା ତାଉତେ ସୃଷ୍ଟି ହୋଇଛି।  ଆଜି ସକାଳେ ଗୋଆ ପାନଜୀରୁ ପ୍ରାୟ 130 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଏବଂ ମୁମ୍ବାଇରୁ 450 କିଲୋମିଟର ଦକ୍ଷିଣରେ ଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଯାଇ ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ସକାଳେ ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଗୁଜୁରାଟ ଉପକୂଳ ପାର ହେବାର ସମ୍ଭାବନା ରହିଛି।

ଗୁଜୁରାଟର ବିଭିନ୍ନ ସ୍ଥାନରେ ଏହି ବାତ୍ୟାର ପ୍ରଭାବରେ ଅତି ପ୍ରବଳ ବର୍ଷା ସହ ସୋମବାର ସକାଳ ଠାରୁ ଘଣ୍ଟା ପ୍ରତି 179 କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ଏବଂ 18 ମେ ସୁଦ୍ଧା ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗୁଜୁରାଟ ସରକାରଙ୍କ ପ୍ରଶାସନ ତିବ୍ରତର  ବାତ୍ୟାକୁ ମୁକାବିଲା କରିବା ପାଇଁ ଗୁଜୁରାଟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ, ଗୃହମନ୍ତ୍ରୀ ଅମିତ ଶାହା ସାମ୍ଭବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଆନୁଷଙ୍ଗିକ ଏଜେନ୍ସିଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଗୁଜୁରାଟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଦାମନ, ଡିୟୁ ଏବଂ ଦାଦ୍ରା ନାଗର ହାଭେଲି ପ୍ରଶାସକଙ୍କ ସହ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଗୃହମନ୍ତ୍ରୀ ସମସ୍ତ ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ସମସ୍ତ କୋଭିଡ ଡାକ୍ତରଖାନା, ଲାବୋରେଟୋରୀ, ଟିକା ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା, ବିଶେଷ କରି ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହେବାର ଅଞ୍ଚଳରେ ସେମାନେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଥିଲେ।

ଗୃହ ମନ୍ତ୍ରଣାଳୟ ଏହି ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ ଅଗ୍ରୀମ କିସ୍ତି ପ୍ରଦାନ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ- NDRFର 6ଟି ରାଜ୍ୟରେ ଡଙ୍ଗା, ଗଛ କଟର ଏବଂ ଟେଲିକମ୍ ଉପକରଣ ସହିତ ସଜ୍ଜିତ 42 ଟି ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିପରି 26 ଟି ଦଳ ରିଜର୍ଭ ଭାବରେ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଆସୁଛି ବାତ୍ୟା: ଲୋକଙ୍କୁ ନିରପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତାଉତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଜିର ସମୀକ୍ଷା ବୈଠକରେ କରାଯାଇଥିବା ଆଲୋଚନା ଅନୁସାରେ କ୍ୟାବିନେଟ୍ ସଚିବ ଘୂର୍ଣ୍ଣିବାତ୍ୟା ସଂପର୍କରେ ସମସ୍ତ ତଟୀୟ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ଏଜେନ୍ସିମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉତେ” ସମ୍ପର୍କରେ ୨୪*୭ ସମୀକ୍ଷା କରାଯାଉଛି ଏବଂ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ସରକାର ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଉଛି ।

ଜାତୀୟ ବିପର‌୍ୟ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି ଏବଂ ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ଅତିରିକ୍ତ ଭାବେ ଜାଗତିଆର ରଖାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର‌୍ୟ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର‌୍ୟ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟରଗୁଡି଼କ ଅହୋରାତ୍ର ପହରା ଦେଉଛନ୍ତି ।

ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର‌୍ୟ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍ (ଏମଟି)ଙ୍କୁ ଅହୋରାତ୍ର ପ୍ରସ୍ତୁତ ରଖାଯାଇଛି। ଶକ୍ତି ମନ୍ତ୍ରଣାଳୟ ମଧ୍ୟ ନିଜର ଆପାତକାଳୀନ କାର‌୍ୟ୍ୟବ୍ୟବସ୍ଥାକୁ ସକ୍ରିୟ କରିଛି ଓ ଟ୍ରାନ୍ସଫର୍ମର, ଡିଜି ସେଟ୍ ଓ ଅନ୍ୟାନ୍ୟ ଉପକରଣମାନ ମହଜୁଦ ରଖିଛି ଯାହାଦ୍ୱାରା ଘୂର୍ଣ୍ଣିବାତ୍ୟାରେ ବିଜୁଳି ଲାଇନ କ୍ଷୟକ୍ଷତି ହେଲେ ତାହାକୁ ତୁରନ୍ତ ମରାମତି କରାଯାଇପାରିବ।

ଅପର ପକ୍ଷରେ ଟେଲିକମ୍ ବିଭାଗ ମଧ୍ୟ ଟେଲିକମ୍ ଟାୱାର ଓ ଏକ୍ସଚେଞ୍ଜଗୁଡ଼ିକ ଉପରେ ନିରବଚ୍ଛିନ୍ନ ଭାବେ ନିଘା ରଖିଛନ୍ତି ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ତୁରନ୍ତ ସଜାଡ଼ିବା ନିମନ୍ତେ ଜାଗତିଆର ରହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କୁ ଯେଉଁମାନେ କି ଏହି ଘୂର୍ଣ୍ଣିବାତ୍ୟାଯେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଆଡଭାଇଜରୀ ଜାରି କରାଯାଇଛି ଓ ସେଥିରେ ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ତଥା କୋଭିଡ଼ ଉପଦ୍ରୁତ କ୍ଷେତ୍ରରେ ଚିକିତ୍ସା ଓ ଅନ୍ୟାନ୍ୟ କାର‌୍ୟ୍ୟ ଯଥାରୀତି ସମ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ୧୦ଟି କୁଇକ୍ ରେସପନ୍ସ ମେଡ଼ିକାଲ ଟିମ୍ ଏବଂ ୫ଟି ସ୍ୱାସ୍ଥ୍ୟ ସେସପନ୍ସ ଟିମକୁ ପ୍ରସ୍ତୁତ ରଖାଯାଇଛି ଯେଉଁମାନେ ଜରୁରି ପରିସ୍ଥିତିରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ । ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକର ସୁରକ୍ଷା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ବନ୍ଦରମାନଙ୍କରେ ଜରୁରି ତରୀମାନ ଜାଗତିଆର ରଖାଯାଇଛି ।

ଏନଡ଼ିଆରଏଫ ବିପର୍ଯ୍ୟୟ ପ୍ରସ୍ତୁତି କାର‌୍ୟ୍ୟରେ ରାଜ୍ୟ ଏଜେନ୍ସିମାନଙ୍କୁ ସହାୟତା ଯୋଗାଇଦେଉଛି ଏବଂ ଘୂର୍ଣ୍ଣବାତ୍ୟା ପରେ ଉପଦ୍ରୁତ ଲୋକମାନଙ୍କ କିଭଳି ଭାବେ କ୍ଷତିଗ୍ରସ୍ତ ସ୍ଥାନମାନଙ୍କରୁ ଉଦ୍ଧାର ଓ ସ୍ଥାନାନ୍ତର କରାଯିବ ସେଥି ନିମନ୍ତେ ସହାୟତା ପରାମର୍ଶ ଦିଆଯାଉଛି।ଏହା ବ୍ୟତୀତ ସମ୍ଭାବ୍ୟ ଘୂର୍ଣ୍ଣବାତ୍ୟାର ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ଜନସାଧାରଣଙ୍କୁ ଲଗାତାର ଭାବେ ପ୍ରଚାର ଅଭିଯାନ ମାଧ୍ୟମରେ ସଚେତନ କରାଯାଉଛି ।

ଏହି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଲୋକମାନଙ୍କ ନିରାପତ୍ତା ନିମନ୍ତେ ସକଳ ପ୍ରକାର ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରନ୍ତୁ ଏବଂ କିଭଳି ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ସେ ସଂପର୍କରେ ରାଜ୍ୟ ସରକାରମାନଙ୍କ ସହିତ ଯୋଗାଯୋଗରେ ରହନ୍ତୁ ।

ବିଜୁଳି, ଟେଲିଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି ଭଳି ଅନ୍ୟାବଶ୍ୟକ ସେବା ଜାରି ରଖିବା କିଭଳି ସୁନିଶ୍ଚିତ କରାଯିବ ସେଥିଘେନି ମଧ୍ୟ ପଦକ୍ଷେପ ଗ୍ରହଣ କରନ୍ତୁ । ବାତ୍ୟା ପରେ ସେସବୁ କିଭଳି ତୁରନ୍ତ ବହାଲ କରାଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ, ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ୱରାଷ୍ଟ୍ର, ବେସାମରିକ ବିମାନ ଚଳାଚଳ, ଶକ୍ତି, ଟେଲିକମ୍, ଜାହାଜ ଚଳାଚଳ, ମତ୍ସ୍ୟଚାଷ ଆଦି ମନ୍ତ୍ରଣାଳୟର ସଚିବ, ଏନଡ଼ିଏମଏର ସଦସ୍ୟଗଣ ତଥା ସଦସ୍ୟ ସଚିବ, ରେଳବାଇ ବୋର୍ଡ଼ର ଅଧ୍ୟକ୍ଷ, ଏନଡ଼ିଆରଏଫ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।