Categories
ଆଜିର ଖବର ରାଜ୍ୟ ଖବର

‘କାଳିଆ ଯୋଜନା’ର ତୃତୀୟ କିସ୍ତି: ଆଜି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘କାଳିଆ ଯୋଜନା’ର ତୃତୀୟ କିସ୍ତି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଓଡ଼ିଶା ସରକାର ୫୩ ଲକ୍ଷ ଚାଷୀଙ୍କୁ ଡିବିଟି ଜରିଆରେ ୧୨ ଶହ କୋଟି ଟଙ୍କା ବାଣ୍ଟିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ। ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ ୯ ହଜାର ୪୦୨ ଜଣ ଭୂମିହୀନ ଚାଷୀଙ୍କୁ ଆଉ ୫ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା।

ତେବେ ୨୦୧୯ ଜୁନ୍ ପରଠାରୁ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ମିଳି ନଥିଲା। ଏହାକୁ ନେଇ ସରକାରଙ୍କ ସମାଲୋଚନା କରୁଥିଲେ ବିରୋଧୀ।