Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା, ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସମୟରେ ସାଧାରଣ ଜନତାଙ୍କ ପ୍ରତି ସହାନୁଭୁତି, ଦୟା ଏବଂ ପରୋପକାର ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ମତପ୍ରକାଶ କରିଛନ୍ତି। ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ରାଜ୍ୟ ପୋଲିସ ପାଇଁ ସୁନାମ ଆଣିବାକୁ ଡିଜିପି ଶ୍ରୀ ବଂସଲ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ।

ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସଂବେଦନଶୀଳତା ଓ ନିରପେକ୍ଷତାର ସହ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ମାଓବାଦୀ ମୁକାବିଲାରେ ରାଜ୍ୟ ପୋଲିସର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି। ତଥାପି ଆଗାମୀ ଦିନରେ ନେତୃତ୍ଵ ନେଇ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ଆହ୍ଵାନ ଦେଇଥିଲେ।

ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତ୍ଯକ୍ଷ ଡିଏସପି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଛି ଏବଂ ଭବିଷ୍ୟତରେ ଏହି ଅଧିକାରୀମାନେ ପୋଲିସ ବିଭାଗର ନେତୃତ୍ଵର ଦାୟିତ୍ଵକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ଡିଜିପି ଶ୍ରୀ ବଂସଲ ଆଶାବ୍ୟକ୍ତ କରିଛନ୍ତି। ଏହି ଏକାଡେମୀରୁ ପାସ କରିଥିବା ପୂର୍ବ ବ୍ୟାଚର ଡିଏସପି ମାନେ ବୃତ୍ତିଗତ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଡିଜିପି କହିଥିଲେ। ରାଜ୍ୟ ସରକାର ପୋଲିସ ନିଯୁକ୍ତି ବୋର୍ଡ ଗଠନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ୨୦୨୩ ମସିହାରେ ୪୬୦୦ରୁ ଅଧିକ କନେଷ୍ଟବଳଙ୍କୁ ନିଯୁକ୍ତ ହୋଇଛନ୍ତି ଏବଂ ସେମାନଙ୍କ ତାଲିମ ଶେଷ ପରେ ପୋଲିସ ଫୋର୍ସରେ ଖୁବଶୀଘ୍ର ଯୋଗଦେବାକୁ ଯାଉଛନ୍ତି ବୋଲି ସେ କହିଥିଲେ। ସେହିପରି ୪୭୦ ସବ୍-ଇନ୍ସପେକ୍ଟରଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ଶ୍ରୀ ବଂସଲ ସୂଚନା ଦେଇଥିଲେ।

ସାରା ଭାରତ ବର୍ଷରେ ବିଜୁପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡ଼େମୀର ସ୍ଵତନ୍ତ୍ର ପରିଚୟ ସମ୍ପର୍କରେ ଡିଜିପି ଶ୍ରୀ ବଂସଲ ମତବ୍ୟକ୍ତ କରିବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହି ପୋଲିସ ଏକାଡେମୀ ଆଦର୍ଶ ପାଲଟିଛି ବୋଲି କହିଥିଲେ। ୨୦୨୦-୨୧ ମସିହାରେ ଶ୍ରେଷ୍ଠ ପୋଲିସ ତାଲିମକେନ୍ଦ୍ର ଭାବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏକ ସ୍ଵର୍ଣ୍ଣୀମ ଅଧ୍ୟାୟ ସୃଷ୍ଟି କରିଛି। ଏହି ଏକାଡ଼େମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ ଅଧିକାରୀ ମାନଙ୍କୁ ଆହୁରି ଦାୟିତ୍ଵବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶବ୍ୟକ୍ତ କରିଥିଲେ।

ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ଶ୍ରୀମତୀ ସାଇନି ଏସ୍ ଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଡିଏସପି (ପ୍ରୋବେସନର) ଏବଂ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଡିଏସପି (ପ୍ରୋବେସନର) ସୁଚିସ୍ମିତା ଦାସ, ଲରେନ ରାଉତରାୟ, ପ୍ରଦୋଷ ପ୍ରଧାନ, ପିପି ଶୁଭ୍ରଜିତ ବିଶ୍ଵାଳ, ମେରଶୀ ରାଣୀ ପୂର୍ତ୍ତି ଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଥିଲେ l ସେହିପରି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ସସ୍ମିତା ବେହେରା, କାଜଲ ବାଗ, ପ୍ରିୟଙ୍କା ସାହୁ, ସୂରଜ କଂସାରଲି, ପ୍ରିୟଦର୍ଶିନୀ ବରାଳ, ହେମାରାଣୀ ଶର୍ମା, ସୂଜିତ କୁମାର ମହାନ୍ତ, ଶୁଭକାନ୍ତ ସ୍ଵାଇଁ, ସମୀର ଶେଖର ଜୟସିଂ ଙ୍କୁ ଡିଜିପି ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଏମ୍ ଜମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ ସମାରୋହ’

ନୂଆଦିଲ୍ଲୀ: ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ବରଂ ଓ୍ୱେଲଥ୍ କ୍ରିଏଟର ହେବାକୁ ପଡିବ। ଅର୍ଥାତ୍ ଦେଶରେ ସମ୍ପନ୍ନତା ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ଶୁକ୍ରବାର ଆଇଆଇଏମ ଜାମ୍ମୁର ‘ଷଷ୍ଠ ବାର୍ଷିକ ଦୀକ୍ଷାନ୍ତ’ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଡିଗ୍ରୀ ଓ ମେଡାଲ ପାଇଥିବା ସମସ୍ତ ୨୨୫ ଜଣ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। ଆଗାମୀ ଦିନ ମାନଙ୍କରେ ଦେଶ ଓ ଦୁନିଆ ପ୍ରତି ତାଙ୍କର ଥିବା ଦାୟିତ୍ୱ ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି ଆମର ବିଶ୍ୱ ଏକ ଗାଁ, ଏକ ପରିବାର ହୋଇସାରିଛି। ଆମର ଯୁବକଙ୍କ ଉପରେ ଦେଶ ଏବଂ ଦୁନିଆର କଲ୍ୟାଣ କରିବାର ଦାୟିତ୍ୱ ନ୍ୟସ୍ତ ରହିଛି।

 

ପ୍ରଧାନମନ୍ତ୍ରୀ ମୋଦି ଲାଲକିଲାରୁ କହିଥିଲେ ଯେ ପ୍ରଥମେ ପାଠପଢା, ଭଲ ଚାକିରି ଏବଂ ଉତ୍ତମ ଜୀବନ ଶୈଳୀ ହେବା ଦରକାର। ତେବେ ଆମର ଯୁବବର୍ଗଙ୍କୁ ନିଯୁକ୍ତି ଅନ୍ୱେଷଣ କିମ୍ବା ନିଯୁକ୍ତି ଦାତା ନୁହେଁ ଓ୍ୱେଲ୍ଥ କ୍ରିଏଟର ହେବାକୁ ପଡିବ। ତେବେ ଯାଇଁ ଦେଶରେ ସମ୍ପନ୍ନତା ବଢିବ। ଜାତୀୟ ଶିକ୍ଷା ନୀତି ଆମର ବ୍ୟକ୍ତିଗତ ଜ୍ଞାନକୁ ବଢାଇବା ସହ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିବ। ଡିଜିଟାଲ ବିପ୍ଳବ ଏବଂ ଶିଳ୍ପ ବିଳ୍ପବ ୪.୦ ଭଳି ପରିବର୍ତ୍ତନ ନୂଆ ନୂଆ ସୁଯୋଗ ଓ ଚ୍ୟାଲେଞ୍ଜ୍ ତିଆରି କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମିରରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ଯୋଗଦେଇ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ। ଏହାବ୍ୟତିତ ଶ୍ରୀ ପ୍ରଧାନ ଆଇଆଇଟି ଜମ୍ମୁ, ଆଇଆଇଏମ ଜମ୍ମୁ, ଏନଆଇଟି ଶ୍ରୀନଗର, ସେଣ୍ଟରାଲ ୟୁନିଭର୍ସିଟି ଅଫ୍ କାଶ୍ମିର ଏବଂ ସେଣ୍ଟରାଲ୍ ୟୁନିଭର୍ସିଟି ଅଫ୍ ଜମ୍ମୁର ସାମଗ୍ରିକ ଭିତ୍ତିଭୂମି ଓ ଆଗାମୀ ଦିନର କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି କ୍ଷେତ୍ରରେ ଜମ୍ମୁ-କାଶ୍ମିରର ଯୁବକଙ୍କ ପାଇଁ ଥିବା ସୁଯୋଗ ଉପରେ ବୈଠକରେ ଆଲୋଚନା ହୋଇଥିଲା।