Categories
ଆଞ୍ଚଳିକ

ବାଣପୁର: ସ୍ୱାଧୀନତା ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁରର ଶେଷ ସ୍ୱାଧୀନତା ସଂଗ୍ରାମୀ ରାଧାକାନ୍ତ ନାୟକଙ୍କ ଦ୍ଵାଦଶ କ୍ରିୟାରେ ଆଜି ସନ୍ଧ୍ୟାରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରକାଶ ଥାଉକି ରାଧାକାନ୍ତ ନାୟକ ୧୯୨୧ ମସିହାରେ ଐତିହାସିକ ପାଲଟଣ ପଡିଆ ନିକଟ ସାନହନ୍ତୁଆଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦେଶ ପରାଧୀନ ଥିବାବେଳେ ଯୁବକ ଅବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବାଣପୁର ଅଞ୍ଚଳର ତତ୍କାଳୀନ ସମୟରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ପର୍ଶୁରାମ ହରିଚନ୍ଦନ ଓ ପୂର୍ବତନ ବିଧ୍ୟାୟକ ରାମଚନ୍ଦ୍ର ପ୍ରହରାଜଙ୍କ ପ୍ରରୋଚନାରେ ସ୍ୱାଧୀନତା ଆନ୍ଦୋଳନରେ ରାଧାକାନ୍ତ ସାମିଲ ହୋଇଥିଲେ।

ତେବେ ଗତ ଫେବୃଆରୀ ୧୯ ତାରିଖ ରବିବାର ଦିନ ରାଧାକାନ୍ତ ତାଙ୍କ ପରିବାରବର୍ଗଙ୍କୁ ଛାଡି ଇହଲୀଳା ସମ୍ବରଣ କରିଥିଲେ। ଆଜି ତାଙ୍କର ଦ୍ୱାଦଶ କାର୍ଯ୍ୟରେ ଚିଲିକାର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ପ୍ରମୁଖ ଯୋଗ ଦେଇ ରାଧାନାଥଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।