Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶକୁ ନେଇ ଫଳପ୍ରଦ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଙ୍ଗାପୁର ଗସ୍ତର ତୃତୀୟ ତଥା ଶେଷ ଦିନରେ ସିଙ୍ଗାପୁରର ଶିକ୍ଷାମନ୍ତ୍ରୀ ଚାନ ଚୁନ୍ ସିଙ୍ଗଙ୍କ ସହ ଫଳପ୍ରଦ ସାକ୍ଷାତ ଆଲୋଚନା ହୋଇଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆହୁରି ଦୃଢ ହେବ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶା ବ୍ୟକ୍ତ କରିଛନ୍ତି।

ଭାରତରେ ବିଦ୍ୟାଳୟ ଶିକ୍ଷା ସ୍ତରରୁ ସିଙ୍ଗାପୁରର ସହାୟତା ଓ ସହଯୋଗ ମାଧ୍ୟମରେ କିପରି ଆମ ଦେଶର ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶକୁ ଆହୁରି ଦୃଢ କରାଯାଇ ପାରିବ ସେଥିପାଇଁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱାରୋପ କରିଛନ୍ତି।

ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ସହଯୋଗକୁ କିପରି ଢାଞ୍ଚାଗତ ରୂପ ଦିଆଯାଇ ପାରିବ ସେଥିପାଇଁ ଦୁଇ ଦେଶର ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ବିଶେଷ ଭାବରେ ଭାରତରେ ଶିକ୍ଷକ ମାନଙ୍କର କାର୍ଯ୍ୟଦକ୍ଷତା, ଭବିଷ୍ୟତର ନୂଆ ନୂଆ ରୋଜଗାର ସୁଯୋଗ ସମେତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ ଉଭୟ ଦେଶ ମଧ୍ୟରେ ଢାଞ୍ଚାଗତ ସହଯୋଗ ବୃଦ୍ଧି ନେଇ ବିଶେଷ ଆଲୋଚନା ହୋଇଛି ।

ତାଙ୍କର ତିନିଦିନିଆ ଗସ୍ତ ସମୟରେ ସିଙ୍ଗାପୁରର ଜୀବନବ୍ୟାପୀ ଶିକ୍ଷାଗ୍ରହଣର ଆଗ୍ରହର ପୃଷ୍ଠଭୂମି ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଭାରତର ନୂତନ ଶିକ୍ଷାନୀତିରେ ନିରନ୍ତର ଶିକ୍ଷା ଏବଂ ଜୀବନ ବ୍ୟାପୀ ଶିଖିବାର ମୂଳନୀତି ସହ ସିଙ୍ଗାପୁରର ବ୍ୟବସ୍ଥାରୁ ନେଇଥିବା ଅନୁଭବ ଓ ଅନୁଭୂତି ଦେଶର ସ୍କିଲ-ଇକୋସିଷ୍ଟମକୁ ମଜଭୂତ କରିବା ସହ ଦେଶର ଯୁବଶକ୍ତିର ଉପଯୁକ୍ତ ଦକ୍ଷତା ବୃଦ୍ଧି ମାଧ୍ୟମରେ ଦେଶ ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି । ବିଶ୍ୱ କଲ୍ୟାଣ ପାଇଁ ସିଙ୍ଗାପୁର ଓ ଭାରତ ମିଳିତ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ଗସ୍ତ କାଳରେ ଇନଷ୍ଟିଚ୍ୟୁଟ୍ ଅପ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ୍ ଏଜୁକେସନାଲ ସର୍ଭିସେସ (ଆଇଟିଇଇଏସ), ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ଡିଜାଇନ(ଏସୟୁଟିଡି) ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ଏହାସହ ସିଙ୍ଗାପୁର ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ଦ୍ୱାରା ପରିଚାଳିତ ନୋଡାଲ ଏଜେନ୍ସି ସ୍କିଲ୍ ଫ୍ୟୁଚର ଅଫ୍ ସିଙ୍ଗାପୁର(ଏସଏସଜି) ସହ ବିଚାରବିମର୍ଶ କରିଥିଲେ । ଏହାବ୍ୟତିତ ଆଇଆଇଟି ଓ ଆଇଆଇଏମର ପୁରାତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇ ୨୯ ରୁ ମଇ ୩୧ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଅଛନ୍ତି । ଏହି ଗସ୍ତପ ପ୍ରଥମ ଓ ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ସିଙ୍ଗାପୁର ସରକାରଙ୍କ ପ୍ରମୁଖ ମନ୍ତ୍ରୀ ତଥା ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଥରମନ୍ ଶନମୁଗରତ୍ନମ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା. ଭିଭିଆନ ବାଲକ୍ରୀଷ୍ଣନ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍ ୟୋଙ୍ଗଙ୍କ ସହ ଯୋଗଦେଇଥିଲେ।

 

ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଥିଲା ଏହାସହ ଶ୍ରୀ ପ୍ରଧାନ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲେ । ଏହି ଦିନ ଶ୍ରୀ ପ୍ରଧାନଙ୍କୁ ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଭାରତୀୟ ଓ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା ମଧ୍ୟକରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ରାଜ୍ୟର ୧୯୩ ଜଣ କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ଆଜି ଉଦ୍‌ଘାଟିତ ହୋଇଯାଇଛି। ଓସେପାର ଷ୍ଟାରସ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ତାଲିମର ମୂଳ ଉଦ୍ଦେଶ୍ୟ ହେଉଛି ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ରାଜ୍ୟରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ପୁନର୍ବିନ୍ୟାସ କରିବା।

ଶିବିରକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ ଏହି ଯୁଗାନ୍ତକାରୀ ପ୍ରୟାସରେ କାର୍ଯ୍ୟରତ ଧନ୍ଦାମୂଳକ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ରହିଛି। ସେମାନଙ୍କର ଦକ୍ଷତା ବିକାଶ ହେଲେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ। ଜାତୀୟ ଶିକ୍ଷାନୀତିରେ ତଥା ରାଜ୍ୟ ସରକାର ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରାଧାନ୍ୟ ଦେଉଛନ୍ତି। ଧନ୍ଦାମୂଳକ ଶିକ୍ଷକମାନେ ନିଜ ନିଜ ଅଞ୍ଚଳର ଚାହିଦା ଅନୁଯାୟୀ ଶିକ୍ଷାଦାନ ପାଇଁ ବିଷୟ ଚୟନ କରି ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ଶାସନ ସଚିବ ଅଶ୍ୱଥି ଏସ ସମ୍ପ୍ରତି ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଧନ୍ଦାମୂଳକ ଶିକ୍ଷାପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ ହେବାଭଳି ବାତାବରଣ ଓ ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତି ପାଇଁ ଶିକ୍ଷକମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ସେମାନଙ୍କର ବଳିଷ୍ଠ ମତାମତ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିପାରିବ ବୋଲି ସେ ମତ ରଖିଥିଲେ।

ଆର.ଆଇ.ଇ ର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗରୱାଲ ଏହି ତାଲିମ ସୁପରିଚାଳନା ପାଇଁ ସମସ୍ତ ସୁବିଧା ଯୋଗାଇବା ସଂଗେ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ।
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର ଯୋଗଦେଇ ଧନ୍ଦାମୂଳକ ଶିକ୍ଷା ପୁନର୍ବିନ୍ୟାସ ଅନ୍ତର୍ଗତ ଯୋଜନା ବିଷୟରେ ସୂଚନା ଦେଇଥିଲେ।

ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ରାଜ୍ୟରେ ଧନ୍ଦାମୂଳକ ଶିକ୍ଷାର ପୃଷ୍ଠଭୂମି, ପ୍ରସ୍ତାବିତ ରୂପରେଖ ଓ ଭୋପାଳଠାରେ ଏନସିଇଆରଟିର ଏକ ଶାଖା ଭାବେ ଅବସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ଧନ୍ଦାମୂଳକ କେନ୍ଦ୍ରୀୟ ପ୍ରତିଷ୍ଠାନର ତାଲିମଦାତା ମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ଏହି ପାଞ୍ଚଦିନିଆ ତାଲିମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ।

ଏହି ତାଲିମ ସମୟରେ ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେବା ସହ ପ୍ରତ୍ୟହ ପ୍ରତୁ୍ୟଷରୁ ଯୋଗ ଶିକ୍ଷା, ୱାର୍ଲଡ ସ୍କିଲ ସେଣ୍ଟର, ସେଣ୍ଟ୍ରାଲ ଟୁଲ ରୁମ ଓ ତାଲିମ କେନ୍ଦ୍ର, ଚନ୍ଦକା ଆଦି କେତେକ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ହାସଲ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ପ୍ରତି ରାଜ୍ୟରେ ଥିବା ଧନ୍ଦା ୨୩୧ ଗୋଟି ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଛଅ ଗୋଟି ବିଷୟରେ ଯଥା କୃଷି, ସ୍ୱାସ୍ଥ୍ୟ ଓ ପାରାମେଡିକାଲ ସାଇନ୍ସ, ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି, ବ୍ୟବସାୟ ଓ ବାଣିଜ୍ୟ, ଗୃହ ବିଜ୍ଞାନ ଓ ହ୍ୟୁମାନୀଟିଜରେ ୧୯ଗୋଟି ଟ୍ରେଡରେ କଳା, ବାଣିଜ୍ୟ ଓ ବିଜ୍ଞାନ ଆଦିରେ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି।

ଏହି ବିଷୟଗୁଡ଼ିକରେ ଉନ୍ନତ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ଉପରେ ଧାରଣା ଦିଆଯିବା ସଂଗେ ସଂଗେ ଯୁବପିଢ଼ି କିପରି ଆତ୍ମର୍ନିଭରଶୀଳ ହୋଇ ପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ।

ପରିଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରଫେସର ତିଲୋତ୍ତମା ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ। ଡ. ବିଜୟା କୁମାରୀ ପାତ୍ର ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବାବେଳେ ଆର.ଆଇ.ଇ ର ଆସୋସିଏଟ ପ୍ରଫେସର ରଶ୍ମିରେଖା ସେଠୀ ତାଲିମ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଏହି ଅବସରରେ ତାଲିମଦାତା ପ୍ୟାସିଭି ଭୋପାଳର ପ୍ରଫେସର ବି.ଏସ. ମେହେରୋତ୍ରା, ପ୍ରଫେସର ଅଭିଜିତ ନାୟକ ଓ ଡ଼. ଜୟଶ୍ରୀ ମହାପାତ୍ରଙ୍କୁ ମଞ୍ଚରେ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ସମ୍ବ୍‌ର୍ଦ୍ଧିତ କରିଥିଲେ।

Categories
ଆଞ୍ଚଳିକ

ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌-୨୦୨୩ ରେ ଭାଗନେଲେ କୋଣାର୍କ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ କୋଣାର୍କରେ ୨୦୧୯ ମସିହା ଠାରୁ ଧନ୍ଦାମୂଳକ ଶିକ୍ଷା ତୃତୀୟ ଭାଷା ଭାବରେ ଶିକ୍ଷା ପ୍ରଦାନ କରାଯାଉଅଛି। ଧନ୍ଦାମୂଳକ ଶିକ୍ଷା ଦକ୍ଷତା ବିକାଶ କ୍ଷେତ୍ରରେ ପ୍ରଥମ ସୋପାନ ଭାବରେ ବିଦ୍ୟାଳୟମାନଙ୍କରେ ଶିକ୍ଷା ଦାନ କରାଯାଉଛି।

ଧନ୍ଦାମୂଳକ ଶିକ୍ଷା ପିଲାମାନଙ୍କୁ ସ୍ୱାବଲମ୍ବୀ, ଆତ୍ମନିର୍ଭରଶୀଳ ଏବଂ ସ୍ୱରୋଜଗାରକ୍ଷମ ପାଇଁ ଏକ ପ୍ରମୁଖ ଭୂମିକା ନେଇଛି। ବିଶ୍ୱ ଦକ୍ଷତା କ୍ଷେତ୍ରରେ ଓଡିଶା ଏକ ପ୍ରମୁଖ ରାଜ୍ୟ ଏବଂ ମାର୍ଚ୍ଚ -୨୦୨୧ ରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରେ ୱାର୍ଲ୍ଡ ସ୍କିଲ୍ଡ ସେଣ୍ଟର ପ୍ରତିଷ୍ଠା କରାଯାଇଛି।

ଓଡିଶା ସ୍କିଲ୍ କନ୍‌କ୍ଲେଭ୍‌-୨୦୨୩ ପ୍ରଥମଥର ପାଇଁ ଓଡିଶା କଳିଙ୍ଗ ଷ୍ଟାଡିଅମ ଠାରେ ଏପ୍ରିଲ ୨୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବିଦ୍ୟାଳୟ, କୋଣାର୍କର ଧନ୍ଦାମୂଳକ ଶିକ୍ଷାରେ ଅଧ୍ୟୟନ କରୁଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ତଥା ଧନ୍ଦାମୂଳକ ପ୍ରଶିକ୍ଷକ ଭାଗିରଥି ପାଇକରାୟ ଯୋଗଦେଇ ଦକ୍ଷତା ବିକାଶ ଦିଗରେ ଏକ ବିସ୍ତୃତ ଶିକ୍ଷା ଗ୍ରହଣ କରିଥିଲେ।

ଧନ୍ଦାମୂଳକ ଶିକ୍ଷା ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେବା ସହ ଅନ୍ତର୍ଜାତୀୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଶ୍ରୀ ପାଇକରାୟ କହିବା ସହ ପିଲାମାନେ ନିକଟ ଭବିଷ୍ୟତରେ ସ୍ୱରୋଜାଗର ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି କହିଛନ୍ତି।

ତେବେ ଏହି କାର୍ଯ୍ୟକ୍ରମ ପାଇଁ ପିଲାମାନଙ୍କ ରହିବା ଏବଂ ଖାଇବା ବ୍ୟବସ୍ଥା ଠାରୁ ଯିବା ଆସିବା ପର୍ଯ୍ୟନ୍ତ ସମସ୍ତ ଦାଇତ୍ୱ ଏକ ସ୍ୱତନ୍ତ୍ର ଥିଲା। ଓଏସଆରଟିସି ବସ ମାଧ୍ୟମରେ ସ୍କୁଲରୁ ଛାତ୍ରଛାତ୍ରୀମାନଙ୍କୁ ନେବା ଆଣିବାର ବ୍ୟବସ୍ଥା ସହ ସ୍ୱସ୍ତି ଆଉ ମେଫେୟାର ଭଳି ହୋଟେଲରେ ପିଲାମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଓ ଶିକ୍ଷକ ଭାଗୀରଥୀ ପାଇକରାୟ ସନ୍ତୋଷ ବ୍ୟକ୍ତ କରିବା ସହ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ବିଶେଷ ଖବର

୨୦୨୫ ସୁଦ୍ଧା ଭାରତର ୫୦% ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଆମର ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ଏବଂ ସ୍କୁଲ, ଦକ୍ଷତା ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ (ଏନସିଏଫ୍) ବିକଶିତ କରାଯାଇଛି ବୋଲି ଶୁକ୍ରବାର “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେତେବେଳେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଛି, ସେହି ସମୟରେ “ଭଏସ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ” ନୂଆ ଆଇଡିଆ ଏବଂ ଗ୍ଲୋବାଲ ସାଉଥ ଦେଶ ଗୁଡିକର ବାର୍ତ୍ତାକୁ ଜି-୨୦ ମଞ୍ଚରେ ଉପସ୍ଥାପନା କରିପାରିବାର ଏକ ଭଲ ପ୍ଲାଟଫର୍ମ। ଜି-୨୦ ସମ୍ମିଳନୀର କଥାବସ୍ତୁ ରହିଛି ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’, ଯାହା ଭାରତୀୟ ବିଚାର ଏବଂ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଉପରେ ଆଧାରିତ। ଜି୨୦ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପରେ ପୌଢ ଶିକ୍ଷା, ଗଣନା, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ଆହରଣ, ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଜୀବନବ୍ୟାପୀ ଶିକ୍ଷା ଆରହଣ, ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଉଦ୍ଭାବନ ଓ ଗବେଷଣା ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି, ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ବଳ, ଧନ୍ଦାମୂଳକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଂଶଗ୍ରହଣ କରୁଥିବା ଦେଶ ଗୁଡିକର ପ୍ରଚଳିତ ସର୍ବୋତ୍ତମ ଯୋଜନା ଗୁଡିକ ଉପରେ ଆଲୋଚନା କରାଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇ କହିଛନ୍ତି ଯେ ଯେ ଗ୍ଲୋବାଲ ସାଉଥର ଦେଶ ଭାବରେ ବିଭିନ୍ନ ରାଷ୍ଟ୍ର ଗୁଡିକ ସାମ୍ନା କରୁଥିବା ଆହ୍ୱାନର ସମାଧାନର ସୂତ୍ର ବାହାର କରିବା ସହ ମାନବ କ୍ଷମତା ଗଠନ ଉପରେ ହିଁ ସମାଧାନର ରାସ୍ତା ବାହାର କରିବା। ସମ୍ପୂର୍ଣ୍ଣ ମାନବ ସାମର୍ଥ୍ୟ ହାସଲ କରିବା ହିଁ ଶିକ୍ଷାର ମୂଳ ଆଧାର। ଏକବିଂଶ ଶତାବ୍ଦୀରେ ଆବଶ୍ୟକ ଜ୍ଞାନ ଏବଂ ସାମର୍ଥ୍ୟ ମାଧ୍ୟମରେ ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମ ଜନସାଧାରଣଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଶ୍ୱର ସବୁଠୁ ଅଧିକ ଯୁବବର୍ଗ ଭାରତରେ ଅଛନ୍ତି। ୧୫ ଲକ୍ଷରୁ ଉର୍ଦ୍ଧ୍ୱ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା ରହିଛି। ଡେମୋଗ୍ରାଫିକ ଡିଭିଡେଣ୍ଡର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ବହୁ ଆକାଂକ୍ଷୀତ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରାଯାଉଛି , ଯାହା ଦ୍ୱାରା ଆମ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛି।

ଗ୍ଲୋବାଲ ସାଉଥ ଦେଶରେ ଥିବା ଶିକ୍ଷା ବ୍ୟବସ୍ଥା ପରାଧୀନ ମାନସିକତା ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି କ୍ଷତି ସହୁଥିଲା। ସମୟ ଆସିଛି, ଏହାକୁ ପରିବର୍ତ୍ତନ କରି ଆମ ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବା। ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଏବଂ ଉତ୍ତରଦାୟିତ୍ୱ ଭଳି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଜାତୀୟ ଶିକ୍ଷା ନୀତି ଭାରତୀୟ ଚରିତ୍ର ସହ ଜଡିତ ଏବଂ ୨୦୩୦ ସାମଗ୍ରିକ ବିକାଶ ସହ ସମ୍ମେଳିତ। ଏହା ଆମ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ, ଯାହା ଦ୍ୱାରା ସେମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିପାରିବେ।

ସ୍କୁଲ ଶିକ୍ଷା ସ୍ତରରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ପ୍ରାଥମିକତା ଦିଆଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାକ୍ଷର ଏବଂ ସଂଖ୍ୟାକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଦିବ୍ୟାଙ୍ଗ ଶିଶୁଙ୍କୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବା ସହ ଶିକ୍ଷକଙ୍କ କାପାସିଟି ବିଲଡିଂ ଏବଂ ଟ୍ରେନିଂ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି। ସ୍କୁଲ ଯାଉଥିବା ବାଳିକାଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ଉନ୍ନତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ପାଠ୍ୟକ୍ରମକୁ ପୁନଃ ଡିଜାଇନ କରାଯାଇ ଏହାକୁ ଛାତ୍ରଛାତ୍ରୀ କେନ୍ଦ୍ରୀତ କରିବା ସହ ମାତୃଭାଷାରେ ଶିକ୍ଷା ଆହରଣ ଓ ଶିକ୍ଷାଦାନକୁ ବିଶେଷ ମହତ୍ୱ ଦିଆଯାଇଛି। ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ଉଚ୍ଚ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସଂସ୍କାର ଅଣାଯାଇଛି। ପରିବର୍ତ୍ତିତ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଲଟି ଏଣ୍ଟ୍ରି – ଏକଜିଟ୍ ସହ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା ସୁନିଶ୍ଚିତ କରାଯାଇଛି। ସ୍କୁଲ, ଦକ୍ଷତା ବିକାଶ ଓ ଉଚ୍ଚ ଶିକ୍ଷାର ଏକୀକରଣ କରିବା ପାଇଁ ଟେକ୍ଲୋଲୋଜି ଭିତ୍ତିଭୂମି ଯଥା ନ୍ୟାସନାଲ ଲେବଲ ଷ୍ଟୁଡେଣ୍ଟ ରେଜିଷ୍ଟ୍ରି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଆଣ୍ଡ ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ପ୍ରସ୍ତୁତ କରାଯାଉଛି।

ସ୍କିଲ୍ ଲ୍ୟାବ୍ ଏବଂ ଶିଳ୍ପ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗୀକରଣ କରାଯାଇ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ସହ ଯୋଡାଯାଉଛି। ନିଯୁକ୍ତି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଶିଳ୍ପ କ୍ଷେତ୍ରରେ ଇଣ୍ଟର୍ଣ୍ଣସିପ୍ ଏବଂ ଆପ୍ରେଣ୍ଟିସିପ୍ ପ୍ରଦାନ କରାଯାଇ ଛାତ୍ରଛାତ୍ରୀଙ୍କୁ ଅଭିଜ୍ଞତା ପ୍ରଦାନ କରିବା ଦିଗରେ ପ୍ରାଧାନ୍ୟ ଦିଆଯାଇଛି। ପିଏମ ଇବିଦ୍ୟା ପଦକ୍ଷେପସ୍ୱରୂପ ଦୀକ୍ଷା, ଇ-ପାଠଶାଳା, ସ୍ୱୟଂ ପ୍ରଭା ଟିଭି ଏବଂ ୨୬୦ରୁ ଅଧିକ ଟିଭି ଚ୍ୟାନେଲର ବ୍ୟବସ୍ଥା କରାଯାଇଛି। ଜାତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି, ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ।

ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ। ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି, ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଗୁଣାତ୍ମକ ଶିକ୍ଷାର ଲାଭ ଛାତ୍ରଛାତ୍ରୀମାନେ ପାଇପାରିବେ। ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ  ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆଇଆଇଟି ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକ ବିଦେଶରେ ନିଜ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଯାଉଛନ୍ତି। ଏହାବ୍ୟତିତ ଭାରତରେ ବୈଦେଶିକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ଲୋବାଲ ସାଉଥ ଦେଶର ସହଭାଗୀତାରେ ଭାରତ ଏକବିଂଶ ଶତାବ୍ଦୀରେ ନିଜ ଦେଶ ଗୁଡିକରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

“ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟ”ରେ ବାର୍ବାଡୋସ, କୋଷ୍ଟା ରିକା, କମନ ଓ୍ୱେଲଥ୍ ଅଫ୍ ଦି ବାହାମାସ, କ୍ୟୁବା, ଗାମ୍ବିୟା, ହନ୍ଦୁରାସ, ଲାଓ ପିପୁଲ୍ସ ଡେମୋକ୍ରାଟିକ ରିପ୍ଲବିକ, ଫେଡେରେଟେଡ୍ ଷ୍ଟେଟ୍ ଅଫ୍ ମାଇକ୍ରୋନେସିଆ, ରିପବ୍ଲିକ ଅଫ୍ ନାଉରୁ, ସେଣ୍ଟ୍ ଲୁସିଆ, ସେଣ୍ଟ୍ ଭିନସେଣ୍ଟ ଏବଂ ଦ ଗ୍ରନାଡାଇନ୍ସ, ସୋଲୋମନ ଆଇଲ୍ୟାଣ୍ଡ୍,  ତୁର୍କମେନିସ୍ତାନ,  ଉରୁଗୁଏ, ୟେମେନ୍ ସମୂହ ଦେଶ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର

ଏନସିଆରଏଫ ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ସ୍କିଲିଂ ପାଇଁ ନ୍ୟାସନାଲ କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ (ଏନସିଆରଏଫ) ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ଅନ୍ତର୍ଗତ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ଏକ ବହୁମୁଖୀ ଉପକରଣ ବୋଲି ସେ କହିଛନ୍ତି।

ଜନଭାଗିଦାରୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରମୁଖ ସ୍ତମ୍ଭ। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଜନଭାଗିଦାରୀରେ ପରିଣତ କରିବା ପାଇଁ ମଧ୍ୟ ମୋଦି ସରକାରଙ୍କ ପ୍ରଚେଷ୍ଟା ରହିଛି। ଜନସାଧାରଣଙ୍କ ସ୍ୱୀକୃତି ଅନୁସାରେ ପଲିସି ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କକୁ ସର୍ବୋତ୍ତମ କରିବା ପାଇଁ ଆସନ୍ତା ୪୦ ଦିନ ପର୍ଯ୍ୟନ୍ତ ଏହି ଜନପରାମର୍ଶ ଲୋଡାଯାଇଛି। ଶ୍ରୀ ପ୍ରଧାନ ଦେଶର ସବୁ ଶିକ୍ଷାନୁଷ୍ଠାନ, ସ୍କୁଲ, ଆଇଟିଆଇ, ବୈଷୟିକ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନିଜ ଓ୍ୱେବସାଇଟରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ପାଇଁ ନାଗରିକଙ୍କ ଠାରୁ ମତାମତ ନେବା ପାଇଁ ଅପିଲ୍ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ହେଉଛି ଆଗାମୀ ଭବିଷ୍ୟତ ପାଇଁ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏହା ହେଉଛି ଏକ ବହୁମୁଖୀ ଉପକରଣ। ଭାରତ ସରକାର ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ୍ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱାର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହି କ୍ରେଡିଟ୍ ଫ୍ରେମୱାର୍କ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରେଡିଟ୍ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ବିକାଶ, ସ୍କୁଲ, ଉଚ୍ଚ  ଶିକ୍ଷାନୁଷ୍ଠାନ ସହ ଧନ୍ଦାମୂଳକ  ଶିକ୍ଷା ଏବଂ ଅଭିଜ୍ଞତା ଆଧାରିତ ପାଠପଢ଼ା ମଧ୍ୟରେ ଏକତ୍ରିକରଣ କରାଯାଇ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାକୁ ମୁଖ୍ୟ ସ୍ରୋତକୁ ଆଣିବାରେ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ଗେମ୍ ଚେଞ୍ଜର ହେବ।

ଅଧାରୁ ପାଠପଢା ଛାଡି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ସହ ଯୋଡ଼ିବାରେ ସାହାଯ୍ୟ କରିବ। ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ ଅନୁଷ୍ଠାନ ଏବଂ କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସ୍କିଲି, ରି-ସ୍କିଲିଂ, ଅପ ସ୍କିଲିଂ, ସ୍ୱୀକୃତି ଏବଂ ମୂଲ୍ୟାଙ୍କନରେ ଅନ୍ତର୍ଭୃକ୍ତ କରିବା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ସହାୟକ ହେବ। ପୂର୍ବରୁ ଏ ନେଇ ରାଜ୍ୟ ସରକାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହ ପୂର୍ବରୁ ଅନେକ ଥର ଚର୍ଚ୍ଚା ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ ଏବଂ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍କାର ଆଣିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ସଚିବ ଓ ଦକ୍ଷତା ବିକାଶ, ଉଦ୍ୟମିତା ବିଭାଗର ସଚିବ ଉପସ୍ଥିତ ଥିଲେ।