Categories
ଆଞ୍ଚଳିକ

ବାଣପୁର: ପ୍ରାଥମିକ ଶିକ୍ଷକମାନଙ୍କ ଧାରଣା ସ୍ଥଳରେ ପହଞ୍ଚିଲେ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଛୁଟିରେ ଅଛନ୍ତି। ସ୍କୁଲ ଗୁଡିକରେ ତାଲା ଝୁଲୁଛି। ସମସ୍ତ ୧୨୭ ଟି ସ୍କୁଲର ଶିକ୍ଷକ ଗତ ୮ ତାରିଖରୁ ବ୍ଲକ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି।

ପ୍ରାଥମିକ ଶିକ୍ଷା ବର୍ଗରେ ଠିକା ନିଯୁକ୍ତି ଉଚ୍ଛେଦ ସହ ବିଭନ୍ନ ଦାବୀ ନେଇ ଆନ୍ଦୋଳନ ରାଜ୍ୟ ବ୍ୟାପି ଚାଲିଥିବା ବେଳେ ବାଣପୁର ବ୍ଲକର ସଭାପତି ବିଭୁତି ଭୂଷଣ ସ୍ୱାଇଁ ଓ ସମ୍ପାଦକ ବିଭୁତି ଭୂଷଣ ଦାସଙ୍କ ନେତୃତ୍ୱରେ ୧୦୮ ଟି ସ୍କୁଲର ୪୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ନାଥ ଭୋଳ, ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳଙ୍କ ସମେତ ବହୁ ବିଜେପି ନେତୃତ୍ୱ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଥିଲେ। ପୃଥ୍ୱୀରାଜ ହରିଚନ୍ଦନ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିକୁ ନା ପସନ୍ଦ କରିବା ସହ ସରକାର ଯଥାଶୀଘ୍ର ଶିକ୍ଷକମାନଙ୍କର ଦାବିଗୁଡ଼ିକୁ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

ବିଜେପି ଆପଣମାନଙ୍କ ଆନ୍ଦୋଳନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପଥର ଭଳି ଛିଡା ହୋଇଥିବାର ମତ ରଖିଥିଲେ ଶ୍ରୀ ହରିଚନ୍ଦନ। ତେଣୁ ଶିକ୍ଷକ ମାନଙ୍କର ଆନ୍ଦୋଳନ ଦ୍ୱାରା ପିଲା ମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ଆନ୍ଦୋଳନକୁ ଚିଲକା ବିଜେପି ସମର୍ଥନ କରିଥିବାରୁ ସଭାପତି ଶ୍ରୀ ସ୍ୱାଇଁ ଓ ସମ୍ପାଦକ ଶ୍ରୀ ଦାସ ଶିକ୍ଷକମାନଙ୍କ ତରଫରୁ ଶ୍ରୀ ହରିଚନ୍ଦନଙ୍କୁ ଧନ୍ୟବାଦ ଦେଇଥିଲେ।

ପରିଶେଷରେ ଶ୍ରୀ ହରିଚନ୍ଦନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ।