Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରର ଏହି ବିଦ୍ୟାଳୟରେ ପହଞ୍ଚିଲା କରୋନା, ସଂକ୍ରମିତ ହେଲେ ୧୦ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା। ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୬୬୯ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ତୃତୀୟ ଲହର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

ସୂଚନା ମୁତାବକ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ର, ୪ ଜଣ ଛାତ୍ରୀ ଏବଂ ଜଣେ ବିଦ୍ୟାଳୟ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି। ତେବେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ପରଖିବା ସହ ବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଜିଟିଭମାନଙ୍କୁ ହୋମ ଆଇସୋଲେସନରେ ବର୍ତ୍ତମାନ ରଖାଯାଇଥିବାବେଳେ ମେଡିକାଲ ପକ୍ଷରୁ ଆରଆରଟି ଟିମ ପହଞ୍ଚି ସର୍ଭେ ଜାରି ରଖିଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣିର ୫୭ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ ଜାରି ରହିଥିବାର ତହସିଲଦାର ସୂଚନା ଦେଇଛନ୍ତି।