Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଆଠମଲ୍ଲିକ ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ସେଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଛନ୍ତି। ଏଥି ସହିତ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ସେଥିରେ ଆଠମଲ୍ଲିକଠାରେ ବହୁପ୍ରତିକ୍ଷିତ ପ୍ରେକ୍ଷାଳୟର ଶିଳାନ୍ୟାସ ଅନ୍ତର୍ଭୁକ୍ତ।

ଏହା ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ। ବହୁଦିନରୁ ଏଥି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିଲେ। ତା’ପରେ ମଞ୍ଜୋରଠାରେ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ମଞ୍ଜୋର ଇକୋ-ପାର୍କର ଶିଳାନ୍ୟାସ କରାଯାଇଥିଲା।

ଏହି ଅବସରରେ ସେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଏହି ଇକୋ-ପାର୍କର ସ୍ଥାନୀୟ ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ଆଗାମୀ ଦିନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରିବ ବୋଲି କହିଥିଲେ। ଏହା ସ୍ଥାନୀୟ ଲୋକଙ୍କୁ ନୂଆ ଜୀବିକା ସୃଷ୍ଟିର ସୁଯୋଗ ପ୍ରଦାନ କରିବ।

ଏହାପରେ ଶ୍ରୀ ତ୍ରିପାଠୀ ମଞ୍ଜୋରସ୍ଥିର ମଧ୍ୟମ ଜଳସେଚନ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଅନୁଗୋଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣଙ୍କ ଗହଣରେ ବୁଲି ଦେଖିଥିଲେ। ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଅର୍ଥରେ ନିର୍ମିତ କିଶୋର ନଗର ଯୁକ୍ତ-୩ ଡିଗ୍ରୀ ମହାବିଦ୍ୟାଳୟର ନବନିର୍ମିତ ଉପରମହଲା ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ଆଠମଲ୍ଲିକ ଉପଖଣ୍ଡର ୩ଟି ମହାବିଦ୍ୟାଳୟ ଏବଂ ୧୩ଟି ଉଚ୍ଚବିଦ୍ୟାଳୟ ନାମରେ ପ୍ରସ୍ତୁତ ଜମିପଟ୍ଟା ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିଲା।

ଏହି ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଦୁଃଶାସନ ରାଉଳ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଜିତ କୁମାର ମିଶ୍ର, ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ ।