Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପୁଣି ଏକ ଘୋଷଣା, ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହଯୋଗୀ ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି।

ପାଚିକା ଓ ସେମାନଙ୍କ ସହଯୋଗୀମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏହା ସହିତ ପାଚିକା ଏବଂ ତ ସହାୟିକା ଯଦି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମଧ୍ୟ ପ୍ରଦାନ କରାଯିବ।

ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପଞ୍ଚାବନ ହଜାର ବିଦ୍ୟାଳୟରେ କାମ କରୁଥିବା ଏକ ଲକ୍ଷ ଦଶ ହାଜର ପାଚିକା ଓ ସହାୟିକା ଉପକୃତ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଳକ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଫିସି ସମ୍ମୁଖରେ ପାଚିକା ସହାୟିକାଙ୍କ ଗଣ ବିକ୍ଷୋଭ

ରଣପୁର: ଆଜି ସି.ଆଇ.ଟି.ୟୁ ନେତୃତ୍ୱରେ ଶତାଧିକ ପାଚିକା ଓ ସହାୟିକାଙ୍କ ଏକ ଶୋଭାଯାତ୍ରାରେ ରଣପୁର ପଞ୍ଚୁ ଦୋଳ ପଡ଼ିଆ ରଘୁଦିବାକର ଶହୀଦ ମଣ୍ଡପ ଠାରୁ  ବାହାରି ବିଭିନ୍ନ ନାରାବାଜି ଦେଇ ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ। ଶ୍ରମିକ ନେତା ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତା ମାନେ କେନ୍ଦ୍ରର ମୋଦୀ ସରକାର ଙ୍କ ଶ୍ରମିକ ମହାରଣା ନୀତି ଓ ଜନ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ପାଚିକା ଓ ସହାୟିକା ମାନେ ଯେତେବେଳେ ନିୟମିତ ହେବାକୁ ଦାବୀ କରୁଛନ୍ତି ଠିକ୍ ସେତିକି ବେଳେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ନବୀନ ସରକାର ଶ୍ରମିକ ବିରୋଧୀ ନିଷ୍ପତ୍ତିମାନ ଗ୍ରହଣ କରି ଚାଲିଛନ୍ତି। କେରଳ ସରକାର ଦୈନିକ ମଜୁରୀ ୬୫୦ ଟଙ୍କା ପାଚିକାଙ୍କୁ ଦେଲା ବେଳେ ଆମ ରାଜ୍ୟରେ ମାତ୍ର ୪୬ ଟଙ୍କା ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର କଥା।

ଏଥିପାଇଁ ପାଚିକା ପରିବାର ବହୁ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ଏକ ପ୍ରତିନିଧି ଦଳ ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରାଙ୍କୁ ଭେଟି ଏକ ୧୧ ଦଫା ସମ୍ବଳିତ ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବା ସହ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ।

ପାଚିକା ଓ ସହାୟିକାଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା, ମାସିକ ଦରମା ୨୬ ହଜାର ଟଙ୍କା,ମାସିକ ୧୦ହଜାର ଟଙ୍କା ପେନସନ, ସାମାଜିକ ସୁରକ୍ଷା, ବର୍ଷକୁ ୧୦ମାସ ନୁହେଁ ୧୨ ମାସର ଦରମା ପାଇଁ ସଂଗଠନ ତରଫରୁ ଦାବୀ କରିଥିଲେ। ନଚେତ୍ ଆଗାମୀ ୨୦୨୪ ନିର୍ବାଚନ ରେ ମୋଦୀ ଓ ନବୀନ ସରକାର କୁ ଉଚିତ ଜବାବ ଦିଆଯିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି। ଶିକ୍ଷା ଅଧିକାରୀଣି ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଏହି ଗଣବିକ୍ଷୋଭରେ ରାଜ୍ୟର ଶ୍ରମିକ ନେତା ସୁରେଶ ସ୍ବାଇଁ, ଭିକାରୀ ଚରଣ ସାହୁ, ପାଚିକା ସଂଘ ର ଜିଲ୍ଲା ସଭାପତି ସୁକାନ୍ତି ଜେନା, ସଂଯୁକ୍ତା ସେଠୀ, ପ୍ରଭାତି ବେହେରା, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା, ସୁଶୀଲ ମହାନ୍ତି, ସବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, କୁଳମଣି ପଲେଇ, ରଜତ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇ ଥିଲେ।

Categories
ବିଶେଷ ଖବର

ପାଚିକା -ସହାୟିକାମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ: ୧୧୭.୭୩ କୋଟିର ଆର୍ଥିକ ସହାୟତା ଓ  ଶାଢ଼ି ପାଇଁ ୫.୪୫ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ରାଜ୍ୟର ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା-ସହାୟିକା ମାନଙ୍କ ପାଇଁ  ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ଆର୍ଥିକ ସହାୟତା ଭାବେ ୧୧୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ସାଢି ପାଇଁ ୫୦୦ ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯାଇଛି। ରାଜ୍ୟର ଏକ ଲକ୍ଷ ନଅ ହଜାର ପାଚିକାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫.୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ତଥା ପୃଷ୍ଟି ନିରାପତ୍ତା ପାଇଁ ମଧ୍ୟାହ୍ନ ଭୋଜନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପାଚିକା ଓ ସହାୟିକାମାନେ ଏହି ଗୁରୁ ଦାୟିତ୍ୱ ବହନ କରୁଛନ୍ତି। ୫୦ ହଜାର ରୁ ଅଧିକ ସ୍କୁଲରେ ୪୫ ଲକ୍ଷରୁ ଅଧିକ ପିଲା ପଢୁଛନ୍ତି। ଆପଣମାନେ ମା ପରି ଏ ସବୁ ପିଲାମାନଙ୍କର ଖାଇବା ଦାୟିତ୍ୱ ନେଇଛନ୍ତି। ତେଣୁ ସାରା ସମାଜ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୪୭୩୦ ମିଶନ ଶକ୍ତି ଗୋଷ୍ଠୀଙ୍କ ଜରିଆରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅନ୍ୟାନ୍ୟ ସବୁ ଦାୟିତ୍ୱ ପରି ଏ ଦାୟିତ୍ୱ ମଧ୍ୟ ଆପଣମାନେ ଭଲ ଭାବରେ ପାଳନ କରୁଛନ୍ତି। ମିଶନ ଶକ୍ତିର ସୁନାମ ଦିନକୁ ଦିନ ବଢି ଚାଲିଛି ବୋଲି ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଜରିଆରେ ମା ମାନଙ୍କ ସଶକ୍ତିକରଣ ପାଇଁ ଉଦ୍ୟମ ଜାରି ରହିବ।
ପାଚିକା ଓ ସହାୟିକାମାନଙ୍କୁ ଖାଦ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ତାଲିମ ଦିଆଯାଇଛି ବୋଲି ପ୍ରକାଶ କରି ସେମାନେ ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି  ଅଭିଭାଷଣ ଦେଇ ରାଜ୍ୟରେ ଚାଲିଥିବା ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଗୁଡିକରେ ଉପସ୍ଥାପନ ଓ ପୃଷ୍ଟିହୀନତା ଦୂର କରିବାରେ  ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ୱଥି. ଏସ୍.  ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୫୦,୮୬୨ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୫.୫୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ୪୭୩୦ ମିଶନ ଶକ୍ତି ଗୋଷ୍ଠୀର ୧.୦୯ ଲକ୍ଷ ପାଚିକା ଓ ସହାୟିକାମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସାମିଲ ଅଛନ୍ତି । ପୂର୍ବରୁ ୨୦୧୭-୧୮ ମସିହାରେ ସେମାନଙ୍କ ପାଇଁ  ଶାଢ଼ି ଭତ୍ତା ବାବଦରେ ଜଣ ପିଛା ୨୫୦ ଟଙ୍କା ମଞ୍ଜୁର କରାଯାଇଥିଲା।