Categories
ଅପରାଧ ଆଞ୍ଚଳିକ

ବାଣପୁରରେ ମାତିଛନ୍ତି ବାଇକ ଲୁଟେରା: ଚୋରା ବାଇକ ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ମାସ ହେବ ନିରନ୍ତର ଭାବେ ବାଣପୁର ଏନଏସି ଅଞ୍ଚଳରୁ ବାଇକ ଚୋରି ହେବାରେ ଲାଗିଛି। ତେବେ ଦୁର୍ବୁତ୍ତ ମାନେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ବାଇକ ଚୋରି କରିବାକୁ ପଛାଉନାହାନ୍ତି। ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବାଇକ ଚୋରି କରିନେଇଥିବା ଦୁଇ ଅଭିଯୁକ୍ତଙ୍କୁ ଗ୍ରାମବାସି ପୋଲିସ ଜିମା ଦେଇଛନ୍ତି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

ଅଭିଯୋଗ ମୁତାବକ ଭେଷରୀ ଗ୍ରାମର ନୀଳମଣି ରାଉତ ଏକ ପାରିବାରିକ ପୂଜାରେ ଯୋଗ ଦେବା ନିମନ୍ତେ ସକାଳେ ଘଣ୍ଟଶିଳା ପାହାଡ଼ ନିକଟ ମନ୍ଦିରକୁ ନିଜର ଏକ ନାଲି ରଙ୍ଗର ବାଇକ ଯୋଗେ ଯାଇଥିଲେ। ହେଲେ ଅପରାହ୍ନରେ ପୂଜା ସରିବା ପରେ ଘରକୁ ଫେରିବା ପାଇଁ ନୀଳମଣି ଉଦ୍ୟତ ହେବା ସମୟରେ ତାଙ୍କ ବାଇକକୁ ଉକ୍ତ ସ୍ଥାନରେ ପାଇନଥିଲେ।  ତେବେ ବହୁ ଖୋଜାଖୋଜି ପରେ ଉକ୍ତ ବାଇକଟି ଭେଷରୀ ଗ୍ରାମର କୈଳାସ ଖୁଣ୍ଟିଆ ନେଇ ପଳାଇଥିବାର ନୀଳମଣି ଜାଣିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ନୀଳମଣି ଏବଂ କିଛି ଗ୍ରାମବାସୀ କୈଳାଶଙ୍କ ଘରକୁ ଯାଇ ଦେଖିବାକୁ ପାଇଥିଲେ ଯେ, ତାଙ୍କ ବାଇକ ଉପରେ ଗଛ ଡାଳ ଓ ପତ୍ର ପକାଇ ଲୁଚାଇ ରଖାଯାଇଛି। ଅଧିକ ତଦନ୍ତ କରିବାରୁ ଉକ୍ତ ବାଇକ ଚୋରିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଗୌତମ ପ୍ରଧାନ ନାମକ ଯୁବକ ମଧ୍ୟ ସାମିଲ ଥିବାର କୈଳାସ ଗ୍ରାମବାସୀଙ୍କୁ କହିଥିଲେ। ଏହାପରେ ଗ୍ରାମବାସୀ ଚୋରି ହୋଇଥିବା ବାଇକ ସମେତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଥିଲେ।

ଏ ନେଇ ବାଣପୁର ପୋଲିସ କେଶ ନମ୍ବର ୨୬୮/୨୨ ରେ ଏକ ମାମଲା ରୁଜୁ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ତେବେ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବାଇକ ଚୋରି ଦିନକୁ ଦିନ ବଢୁଥିବା ବେଳେ ଜନସାଧାରଣ ମାନେ ସେମାନଙ୍କ ବାଇକକୁ ଆଉ ଘର ଭିତରେ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଏ ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବା ସହ ନାଇଟ ପେଟ୍ରୋଲିଂକୁ ଜୋରଦାର କରିବା ଏବଂ ଉଭୟ ସହରରେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଛାତ୍ରୀ: ବାଣପୁରରେ ଶ୍ରେଷ୍ଠ ୧୦ ମଧ୍ୟରେ ୭ ବାଳିକା, ପଢନ୍ତୁ ଚିଲିକାର ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ଫଳାଫଳ ପ୍ରକାଶ ପରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ସଫଳତା ପାଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ବାଣପୁର ବିଇଓଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ୭ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ କେବଳ ୩ ଜଣ ଛାତ୍ର ଏଥିରେ ସାମିଲ ହୋଇପାରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଜଣଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। କାରଣ ତୃତୀୟ ସ୍ଥାନରେ ଥିବା ସଂଗୀତା ପଲେଇ ଜଣେ ବାପ ଛେଉଣ୍ଡ ବାଳିକା। ତଥାପି ବହୁ ବାଧାବିଘ୍ନ ମଧ୍ୟରେ ସଂଗୀତା ପାଠ ପଢିବା ଜାରି ରଖିଥିବା ବେଳେ ଚଳିତ ପରୀକ୍ଷାରେ ସେ ଭଲ ନମ୍ବର ରଖିଛନ୍ତି। ତାଙ୍କର ଏଭଳି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।

ସେହିଭଳି ଯଦି ଆମେ ବିଦ୍ୟାଳୟ ବିଷୟରେ ଆଲୋଚନା କରିବା, ତେବେ ଶ୍ରେଷ୍ଠ ୧୦ ତାଲିକା ଅନୁଯାୟୀ ବାଣପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ନାଚୁଣୀ ସ୍ଥିତ ଗୋଦାବରୀଶ ବିଦ୍ୟାପୀଠ ଭଲ ପ୍ରଦର୍ଶନ କରିଛନ୍ତି। ଉଭୟ ସ୍କୁଲ ମୋଟ ୧୦ ଟି ସ୍ଥାନରୁ ୩ ଟି ଲେଖାଏଁ ସ୍ଥାନ ଦଖଲ କରିଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ:

୧- ପ୍ରଲିପ୍ତା ସାହୁ- ୫୭୪ ମାର୍କ- ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର,ନାଚୁଣୀ

୨- ପିୟୁଷ କୁମାର ଦାସ- ୫୭୦- ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବାଣପୁର

୩- ସଙ୍ଗୀତା ପଲେଇ- ୫୬୫- ଭେଟିନାଥ ଦେବ ବିଦ୍ୟାପୀଠ, ଭେଟେଶ୍ଵର

୪- ସ୍ଵାଗତ ସେନାପତି- ୫୬୫- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁର

୫- ସୋନାଲି ପଲେଇ- ୫୬୩- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୬- ଭାଗ୍ୟଶ୍ରୀ ସାହୁ- ୫୬୧- ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ବାଣପୁର

୭- ତୃପ୍ତି ପ୍ରଧାନ- ୫୫୯- ପତିତପାବନ ଉଚ୍ଚବିଦ୍ୟାଳୟ, ଗମ୍ଭାରିମୁଣ୍ଡା

୮- ପ୍ରତୀକ ଦାସ- ୫୫୮- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୯- ଏ ରୁପାଲୀ ଡୋରା- ୫୫୮- ଗୋଦାବରୀଶ ବିଦ୍ୟାପୀଠ, ନାଚୁଣୀ

୧୦- ସୋନାଲୀ ଚମ୍ପତ୍ତିରାୟ- ୫୫୪- ଖାରବେଳ ଉଚ୍ଚବିଦ୍ୟାଳୟ, ତୋରସିଂହ

ତେବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ସର୍ବମୋଟ ଛାତ୍ରୀମାନେ ଭଲ ସଫଳତା ପାଇଥିବା ବେଳେ ଶ୍ରେଷ୍ଠ ୧୦ ତାଲିକାରେ ଛାତ୍ରମାନେ ଛାତ୍ରୀମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେଷ୍ଠ ୧୦ ତାଲିକାରେ ପୁଅଙ୍କ ସଂଖ୍ୟା ୭ ଥିବା ବେଳେ ବାଳିକାଙ୍କ ସଂଖ୍ୟା ୩ ରହିଛି।

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀ:

୧- ଅମ୍ଳାନ ଶତପଥି- ୫୮୩ ମାର୍କ- ପି.ଏସ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି

୨- ସ୍ୱରୂପ ଶେଖର ଜେନା- ୫୭୭- ହରିପୁର ଉଚ୍ଚ ବିଦ୍ୟାଳୟ, ହରିପୁର

୩- ଆଦିତ୍ୟ କୁମାର ବେହେରା- ୫୬୭- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୪- ଲଲିତ ପରିମାଣିକ- ୫୬୦- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୫- ମଧୁସ୍ମିତା ମହାରଣା- ୫୫୯- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୬- ଶୁଭଶ୍ରୀ ଦାଶ- ୫୫୭- ପି.ଏସ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି

୭- ଅର୍ଚ୍ଚନା ଗଜେନ୍ଦ୍ର- ୫୪୮- ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ

୮- ପରେଶ ପାଇକରାୟ- ୫୪୬- ଏସ.ଏଲ.ଡି.ଏମ ବିଦ୍ୟାପୀଠ, ହାଟବରଡିହ

୯- ସଞ୍ଜୟ ଜେନା- ୫୪୫- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

୧୦- ସ୍ଵୟଂ ସାତ୍ତ୍ଵିକ ପରିଡା- ଶ୍ରୀମା ଅରବିନ୍ଦ ସ୍କୁଲ, କାଳୁପଡା ଘାଟ

ତେବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ କାଳୁପଡା ଘାଟ ସ୍ଥିତ ଶ୍ରୀମା ଅରବିନ୍ଦ ସ୍କୁଲ ଭଲ ପ୍ରଦର୍ଶନ କରିଛି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ୫ ଛାତ୍ରଛାତ୍ରୀ ଏହି ତାଲିକାରେ ସ୍ଥାନିତ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲିପଦର ଗ୍ରାମ ମୁହଁରେ ଥିବା ବିଲ ଭିତରୁ ଜଣେ ମୃତ ଶରୀରକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁକାନ୍ତ ପଲାଇଙ୍କ ପୁତ୍ର କାଶୀନାଥ ପଲାଇ। ତାଙ୍କ ଶ୍ୱଶୁର ଘର ବାଲିପଦର ଗ୍ରାମ ତାରିଣୀ ସାହି ହୋଇଥିବା ବେଳେ ଉକ୍ତ ଗ୍ରାମ ସମ୍ମୁଖରୁ ମୃତ ଦେହ ଉଦ୍ଧାର ହେବା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି। ତାଙ୍କର ଏକମାତ୍ର ପୁତ୍ର ଥିବା ଜଣାପଡିଛି।

ତେବେ ମୃତ ଶରୀର ନିକଟରେ ସ୍କୁଲ ଖାତାପତ୍ର ଭର୍ତ୍ତି ଏକ ବ୍ୟାଗ ମଧ୍ୟ ପଡିଥିବାର ଦେଖାଯାଇଛି। ବାଣପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲା ପରେ ବର୍ତ୍ତମାନ ପୋଲିସ ମୃତ ଶରୀରକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ମାଟ୍ରିକ ପରୀକ୍ଷା ଫଳ: ବାଣପୁରରେ ପ୍ରଲିପ୍ତା ଓ ଚିଲିକାରେ ଅମ୍ଲାନ ଟପର

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୪ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୮.୫୮ ପ୍ରତିଶତ ରହିଛି।

ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୨୦ ଜଣ, ଏ-୨ ଗ୍ରେଡ଼ରେ ୨୨୮ ଜଣ, ବି-୧ ଗ୍ରେଡ଼ରେ ୪୩୧ ଜଣ ଏବଂ ବି-୨ ଗ୍ରେଡ଼ରେ ୪୬୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୧୪ ଜଣ, ଏ-୨ ଗ୍ରେଡ଼ରେ ୯୧ ଜଣ, ବି-୧ ଗ୍ରେଡ଼ରେ ୨୭୮ ଜଣ ଏବଂ ବି-୨ ଗ୍ରେଡ଼ରେ ୪୭୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସିରେ ନାଚୁଣୀ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଅଫ ଇଣ୍ଟେଗ୍ରାଲ ଏଜୁକେସନର ପ୍ରଲିପ୍ତା ସାହୁ ସର୍ବାଧିକ ୫୭୪ ମାର୍କ ରଖି ଟପର ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆଙ୍କୁଲାଚଟି ସ୍ଥିତ ପଞ୍ଚୁପଲି ସୋମନାଥ ଉଚ୍ଚ ବିଦ୍ୟାଳୟର ଅମ୍ଲାନ ଶତପଥି ସର୍ବାଧିକ ୫୮୩ ମାର୍କ ରଖି ଟପର ହୋଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ନନ୍ଦିଘୋଷ ଚକ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ଗୁଣ୍ଡିଚା ଯାତ୍ରାର ଷଷ୍ଠି ତିଥିରେ ଆଡପ ମଣ୍ଡପଠାରେ ହେରାପଞ୍ଚମୀ ନୀତିକାନ୍ତି ଆନନ୍ଦ ଉଲ୍ଲାସର ସହିତ ସମାହିତ ହୋଇଛି। ପ୍ରଭାତରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ଅବକାଶ ଏବଂ ଗୋପାଳବଲ୍ଲଭ ନିତି ଅନୁଷ୍ଠିତ ହୋଇଥିଲା। ତାପରେ ବେଶ କରାଯାଇ ସର୍ବ ସାଧାରଣ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା।

ମଧ୍ୟାହ୍ନ ଧୂପ ବଢିବା ପରେ ଦିବା ପହୁଡ ହୋଇ ଅପରାହ୍ନରେ ଠାକୁରଙ୍କୁ ଶୃଙ୍ଗାର ବେଶରେ ସଜେଇ ଦିଆଯାଇଥିଲା। ଏଣେ ମନ୍ଦିରରେ ମା’ ମହା ଲକ୍ଷ୍ମୀ ଏକାକୀ ବଗଡ଼ା ଚାଉଳ, କଖାରୁ କଳମ ଶାଗର ପଡ଼ିଖାଇ ମହାପ୍ରଭୁଙ୍କ ଉପରେ ଖପା। ନିଜର ପ୍ରାଣ ପ୍ରିୟାଙ୍କୁ ସାଥିରେ ନ ନେଇ ଭଉଣୀ ସୁଭଦ୍ରାଙ୍କୁ ଘୋଷଯାତ୍ରାରେ ନେଇଯାଇଛନ୍ତି ଯେ ଫେରିବାର ନା ନାହିଁ। କାହାକୁ ବା ଏ ଅନ୍ତରର ଦୁଃଖ କହିବେ।

ଶେଷରେ ମା’ ଭଗବତୀଙ୍କୁ ଏକଥା କହିବାରେ ମା’ଉପାୟ ବତେଇଲେ। ମହାଲକ୍ଷ୍ମୀଙ୍କୁ ମା’ ଭଗବତୀ ମନ୍ତରା ଧୁଳି ନେଇ କାଳିଆ ସାଆନ୍ତଙ୍କ ଉପରେ ପକେଇଲେ ସେ ନିଶ୍ଚୟ ଫେରି ଆସିବେ ବୋଲି କହିବାରୁ ମା’ ବାହାରିଲେ ଗୁଣ୍ଡିଚା ବାଡ଼ି। ତାଙ୍କ ବିନା କେମିତି ଅଛନ୍ତି ପ୍ରଭୁ ଦେଖିବା ପାଇଁ ଛତ୍ର ତରାଶ କାହାଳୀ ମଶାଲ ସାଥିରେ ନେଇ ସଂଧ୍ୟାରେ ବାହାରିଲେ ମା ମହାମାୟୀ। ପାଟପତନୀ ସୁବାଷିତ କୁଷୁମରେ ସଜେଇ ସେବାୟତମାନେ ବିମାନରେ ବସେଇ ମା’ଙ୍କୁ ନେଇଗଲା ପରେ ପ୍ରଭୁଙ୍କର ସଂଧ୍ୟା ଆଳତୀ ଚାଲିଥିଲା।

ଜଗମୋହନରେ ପହଞ୍ଚିବା ମାତ୍ରେ ପ୍ରଭୁ ମା’ ମହାମାୟୀଙ୍କୁ ଦେଖି ଦଶମୀ ତିଥିରେ ଫେରିବେ ବୋଲି ଆଜ୍ଞାମାଳ ଦେଇ ରତ୍ନକବାଟ ବନ୍ଦ କରିଦେବାରୁ ମା ମହାମାୟୀ ରାଗ ଜରଜର ହୋଇ ଫେରିବା ବାଟରେ ନନ୍ଦି ଘୋଷ ଚକଭାଙ୍ଗି ମନ୍ଦିରକୁ ଫେରିଆସିଥିଲେ।ମନ୍ଦିର ବେଢାରେ ମା’ଙ୍କୁ ଶୀତଳ ପନ୍ତିଭୋଗରେ ଆପ୍ୟାୟିତ କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ଘୋଷଯାତ୍ରାର ଦୁର୍ଲଭ ଏହି ହେରା ପଞ୍ଚମୀ ନୀତି ଦର୍ଶନ କରିବା ପାଇଁ ବହୁଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଝିପିଝିପି ବର୍ଷା ସତ୍ତ୍ଵେ ସ୍ଥାନୀୟ ମା’ ମହାଲକ୍ଷ୍ମୀ ମହିଳା ସମିତିର ସମସ୍ତ ସଭ୍ୟା ଏବଂ ମନ୍ଦିର ପରିଚାଳନା କମିଟି ତରଫରୁ ମିଳିତ ଭାବରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗମ୍ଭାରୀମୁଣ୍ଡାରୁ ଜବତ ହେଲା ମଦ ବୋଝେଇ କାର, ଚାଳକ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଘାଷେଡିହ ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏକ ମଦ ବୋଝେଇ କାରକୁ ଜବତ କରିଛି। ଖବର ମୁତାବକ ଗତକାଲି ରାତିରେ ଘାଷେଡିହ ଅଞ୍ଚଳରୁ ଏକ ମଦ ବୋଝେଇ କାର ଆସୁଥିବାର ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ହାଡିବନ୍ଧୁ ନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ସଙ୍ଗେସଙ୍ଗେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଶ୍ରୀ ନାୟକ ଏକ ଟିମ ଗଠନ କରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଏକ ବାଇଗଣୀ ରଙ୍ଗର କାରରେ (ଓଆର-୦୫-ଏଆର-୭୦୫୫) ମଦ ବୋଝେଇ ହୋଇ ଯାଉଥିବାର ଦେଖିବାକୁ ପାଇଥିଲା ପୋଲିସ। ତେବେ କାରକୁ ପିଛା କରିବାରୁ କିଛି ବାଟ ପରେ କାର ଚାଳକ କାର ଚାବିକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପରେ କାରକୁ ପୋଲିସ ଜବତ କରିଥିଲା।

ଉକ୍ତ କାରରୁ ୩୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେଶ ନମ୍ବର ୨୬୨/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର: କାୟାତୋଟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କାୟାତୋଟା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ବିଶ୍ୱମ୍ଭର ନାୟକ କ୍ଷିପ୍ର ଗତିରେ ନିଜ ଗ୍ରାମ ଗୁଆଲଡିହରୁ ବାଇକ ଯୋଗେ କଲେଜ ଯାଉଥିବା ବେଳେ କାୟାତୋଟା ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଗଞ୍ଜାମ ଜିଲ୍ଲା କୁମାରୀପାରି ଅଞ୍ଚଳର ମାଛ ବେପାରି ଶିବ ବେହେରାଙ୍କ ମୋପେଟକୁ ଧକ୍କା ଦେଇ ପୁନଶ୍ଚ ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଉଭୟ ଗାଡ଼ି ଚାଳକ ଛିଟିକରି ତଳେ ପଡିଯାଇଥିଲେ।  ସଙ୍ଗେସଙ୍ଗେ ଉଭୟଙ୍କୁ ସ୍ଥାନୀୟ ଲୋକେ ବାଣପୁର ମେଡିକାଲ ନେଇଥିବା ବେଳେ ବିଶ୍ୱମ୍ଭରଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି। ତାଙ୍କୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ଚଢ଼ାଉ, ୬ ହଜାର ଲିଟର ପୋଚ ନଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ପ୍ରଧାନ ସାହି ଅଞ୍ଚଳର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଅବକାରୀ ବିଭାଗ ୫ ହଜାର ୬ ଶହ ଲିଟର ପୋଚ ଏବଂ ୫୪୦ ଲିଟର ଦେଶୀ ମଦ ଉକ୍ତ ସ୍ଥାନରୁ ଜବତ କରି ନଷ୍ଟ କରିଦେଇଛି।

ତେବେ ଜଙ୍ଗଲର ସୁଯୋଗ ନେଇ ମଦ ବେପାରି ମାନେ ଘଟଣାସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଛନ୍ତି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଅଧିକାରୀ ବି. ମନୋଜ କୁମାର, ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

ଅନୁରୂପ ଭାବେ ବାଲୁଗାଁ ଥାନା ବଡ଼କୁଳ ଅଞ୍ଚଳରୁ ଜଣେ ମଦ ବେପାରିକୁ ୨୦ ଲିଟର ଦେଶୀ ମଦ ସହ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ସେହିଭଳି ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ନୂତନ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଚନ୍ଦନ ଦାସ ରାଣୀପଡ଼ା ଗ୍ରାମ ବିଦ୍ୟାଳୟ ନିକଟରେ ଚଢ଼ାଉ କରି ଜଣେ ଦେଶୀ ମଦ ବେପାରିଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୋଚିରାମ ଦାସ। ତାଙ୍କ ନିକଟରୁ ୬୦ ରୁ ଉର୍ଦ୍ଧ୍ଵ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏ ସଂକ୍ରାନ୍ତରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: କବାଟ ଭାଙ୍ଗି ୧୨ ସୁନା ମୁଦି ସହ ନକଦ ୩ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଶୋଇଥିବା ଅବସ୍ଥାରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନକଦ ଟଙ୍କା। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି।

ଅଭିଯୋଗ ମୁତାବକ ଗତକାଲି ଚିଆଁଙ୍କ ସାହି ସ୍ଥିତ ଅଜୟ କୁମାର ପଣ୍ଡାଙ୍କ ପୁତ୍ରଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମ ସଂନ୍ଧ୍ୟାରେ ସରିଥିବା ବେଳେ ବନ୍ଦାଣ ରେ ମିଳିଥିବା ୧୨ ଗୋଟି ସୁନା ମୁଦି ଏବଂ ପାଖାପାଖି ୩ ଲକ୍ଷ ଟଙ୍କା ସମେତ ଗୋଟେ ମୋବାଇଲକୁ ଏକ ବ୍ୟାଗରେ ରଖି ଅଜୟ ଏବଂ ପରିବାରବର୍ଗ ରାତି ୧୧ ଘଟିକାରେ ଶୋଇପଡ଼ିଥିଲେ।

ତେବେ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଅଜୟଙ୍କ ଘର ପଛପଟ ତାଲା ଭାଙ୍ଗି ଉକ୍ତ ବ୍ୟାଗର  ସମସ୍ତ ସୁନା ମୁଦି, ଟଙ୍କା ଏବଂ ମୋବାଇଲ ଲୁଟି ଫେରାର ହୋଇଯାଇଛି। ଏ ନେଇ ଅଜୟ ଜାଣିଲା ପରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଣପୁର ଏବଂ ବାଲୁଗାଁ ଥାନା ପାଇଁ ନିଯୁକ୍ତି ହେଲେ ଦୁଇ ଇନ୍ସପେକ୍ଟର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନା ପାଇଁ ନୂଆ ଇନ୍ସପେକ୍ଟରମାନଙ୍କୁ ଏସପି ସିଦ୍ଧାର୍ଥ କାଟାରିଆ ନିଯୁକ୍ତି ଦେଇଛନ୍ତି। ନିକଟରେ ବାଣପୁର ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କ ବଦଳି ହୋଇଛି ଏବଂ ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକଙ୍କ ଖୁବଶୀଘ୍ର ନୂଆ ସ୍ଥାନକୁ ପୋଷ୍ଟିଙ୍ଗ ହେବ।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ଉଭୟ ଥାନାକୁ ନିଯୁକ୍ତି ଦିଆଯାଇଛି। ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସଙ୍କୁ ବାଣପୁର ଥାନାର ନୂତନ ଆଇଆଇସି ଏବଂ ଇନ୍ସପେକ୍ଟର ଜୟ ପ୍ରକାଶ ପରିଡ଼ାଙ୍କୁ ବାଲୁଗାଁ ଥାନାର ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।

ତେବେ ବାଲୁଗାଁ ଥାନା ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକଙ୍କ ନୂତନ ପୋଷ୍ଟିଙ୍ଗ ହେବା ପରେ ଅତିରିକ୍ତ ଆଇଆଇସି ଜୟ ପ୍ରକାଶ ପରିଡ଼ା ତାଙ୍କଠାରୁ ବାଲୁଗାଁ ଆଇଆଇସି ଦାୟିତ୍ଵ ନେବେ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ଓକିଲଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାର ସମସ୍ତ ଓକିଲ ସଂଘ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ତେଜୁଛି ଓକିଲଙ୍କୁ ଆକ୍ରମଣକାରୀଙ୍କ ଗିରଫ ଦାବି। ସମର୍ଥନ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓକିଲ ସଂଘ। ଚଳିତ ମାସ ୧୭ ତାରିଖ ଦିନ ବାଣପୁର କୋର୍ଟ ପରିସରରେ ବାଣପୁର ଓକିଲ ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକଙ୍କୁ ସ୍ଥାନୀୟ ଗାଲୁଆ ପଞ୍ଚାୟତ ସରପଞ୍ଚ କୋର୍ଟ ପରିସରରେ ମାଡ଼ ମାରିବା ସହ ସମୂହ ଓକିଲ ସଂଘକୁ ଗାଳିଗୁଲଜ କରିଥିବାର ବାଣପୁର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅନୁରୂପ ଭାବେ ସରପଞ୍ଚଙ୍କ ସମର୍ଥକଙ୍କ ପକ୍ଷରୁ ମଧ୍ୟ ଏକାଧିକ ଓକିଲଙ୍କ ବିରୋଧରେ ଏକ ପାଲଟା ଅଭିଯୋଗ କରାଯାଇଥିଲା।

ତେବେ ପୋଲିସ ଉଭୟ କେଶ ରୁଜୁ କରିଥିବା ବେଳେ ଓକିଲମାନେ ସୋମବାର ଠାରୁ ବାଣପୁର କୋର୍ଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ବାଣପୁରର ଉଭୟ କୋର୍ଟ କାର୍ଯ୍ୟ ଆଜିକୁ ମିଶାଇ ଚାରି ଦିନ ହେଲା ଅଚଳ ଅଛି। ଓକିଲଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଗିରଫଦାରୀ ଦାବି ନେଇ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ସେହିଭଳି ଆଜି ବାଣପୁର ଓକିଲ ସଂଘର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳି ଭୁବନେଶ୍ୱର ଜିଲ୍ଲା ଜଜ ଓ ଖୋର୍ଦ୍ଧା ଏସପିଙ୍କୁ ଭେଟି ଉକ୍ତ ବିଷୟରେ ଅବଗତ କରାଇବା ସହ ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ ଏବଂ କୋର୍ଟ ପରିସରରେ ଓକିଲମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ଜିଲ୍ଲା ଜଜ ଓକିଲମାନଙ୍କ ସୁରକ୍ଷା ପାଇଁ କୋର୍ଟ ପରିସରରେ ଦୁଇ ଜଣ ପୋଲିସ କର୍ମୀ ମୁତୟନ ହେବେ ବୋଲି କହିଥିବା ବେଳେ ଅତିରିକ୍ତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ଏସପି କହିଛନ୍ତି।

ତେବେ ବାଣପୁର ଓକିଲ ସଂଘର ଉକ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ସମସ୍ତ ଓକିଲ ସଂଘ। ଆଜିଠାରୁ ଚିଲିକା ଓକିଲ ସଂଘ ସ୍ଥାନୀୟ କୋର୍ଟକୁ ତିନି ଦିନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଗକୁ ଟାଙ୍ଗୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ସେମାନଙ୍କ ସ୍ଥାନୀୟ କୋର୍ଟକୁ ବନ୍ଦ ରଖିବେ ବୋଲି ସମସ୍ତ ବାର ଆସୋସିଏସନର କର୍ମକର୍ତ୍ତା କହିଛନ୍ତି।

ତତସହିତ କୋର୍ଟ ପରିସରରେ ଓକିଲଙ୍କୁ ଆକ୍ରମଣ ଏବଂ ଗାଳିଗୁଲଜ କରିବା ଏକ ସାଙ୍ଘାତିକ ଅପରାଧ ଏବଂ ଏହାକୁ ଜିଲ୍ଲାର ସମସ୍ତ ବାର ଦୃଢ଼ଭାବେ ନିନ୍ଦା କରିବା ସହ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବାଣପୁର ଓକିଲ ସଂଘ ସଭାପତି ପ୍ରଭାତ ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ନାବାଳିକାଙ୍କ ଅପହୃତ ମାମଲା: ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ବିଫଳ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ଜନୈକ ନାବାଳିକା ଗତ ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି।  କିନ୍ତୁ ଏଯାବତ ପୋଲିସ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନାବାଳିକାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି।

ଏ ନେଇ ନାବାଳିକଙ୍କ ପରିବାର ପକ୍ଷରୁ ମାର୍ଚ୍ଚ ୩୦ ତାରିଖ ଦିନ ବାଣପୁର ଥାନାରେ ଏକ ଏତଲା ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବାଲୁଗାଁ ଏସଡିପିଓଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ କିଛି ସୁଫଳ ନମିଳିବାରୁ ପରିବାର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ମାନବାଧିକାର କମିଶନଙ୍କ ନିକଟକୁ ଅଭିଯୋଗ କରାଯାଇଥିଲା।

ମଇ ୨ ତାରିଖରେ ମାନବାଧିକାର କମିଶନ କେଶ ନମ୍ବର ୫୮୪/୨୨ ରେ ଏକ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଏସପିଙ୍କୁ ଉକ୍ତ ଘଟଣାର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଥାପି ପୋଲିସ ଜନୈକ ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ପରିବାର ପକ୍ଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ବାବଦରେ ସିଆରଏଲପି କେଶ ନମ୍ବର ୬୫୪/୨୨ ରେ ଏକ ମାମଲା ରୁଜୁ କରିଥିଲେ।

ଗତ ମଇ ୨୦ ତାରିଖ ଦିନ ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାକୁ ୨୮ ଦିନ ଭିତରେ ସମାଧାନ କରିବାକୁ ଖୋର୍ଦ୍ଧା ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଅଦ୍ୟାବଧି ପୋଲିସ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିଶୃତି ମିଳିପାରିନାହିଁ।

ଏହି ପରିପ୍ରେକ୍ଷୀରେ ନାବାଳିକାଙ୍କ ପରିବାରବର୍ଗ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଗଣମାଧ୍ୟମ ଜରିଆରେ ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ଅନୁରୂପ ଭାବେ ଏ ନେଇ ବାଲୁଗାଁ ଏସଡିପି ମାନସ ରଞ୍ଜନ ବାରିକଙ୍କ ପ୍ରତିକ୍ରିୟା ନେବାରୁ ମାମଲାର ତଦନ୍ତ କ୍ଷିପ୍ରଗତିରେ ଚାଲିଛି ଏବଂ ଖୁବ ଶୀଘ୍ର ଉକ୍ତ ମାମଲାର ସମାଧାନ ହେବ ବୋଲି କହିଛନ୍ତି।

Categories
ଅପରାଧ ଆଞ୍ଚଳିକ

ଚିଲିକାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ତିନି ମହିଳାଙ୍କ ସମେତ ୪ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ୩ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରୁ ଦୁଇ ମହିଳା, ଜଣେ ପୁରୁଷ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ପାଇକକୋଷଡିହ ଗ୍ରାମରୁ ଜଣେ ମହିଳା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୫୫ ଲିଟର ଦେଶୀ ମଦ ଏବଂ ୧୦.୪୦୦ ଲିଟର ବିଅର ଜବତ ହୋଇଛି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଅବକାରୀ ବିଭାଗ ପିଆର ନମ୍ବର ୩୭, ୩୮, ୩୯, ୪୦/୨୨-୨୩ ରେ ଚାରି ଗୋଟି ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ ଅନୁଷ୍ଠିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ ଭଗବତୀଙ୍କ ମନ୍ଦିର

ସୀତାରାମ ଅଗ୍ରୱାଲ

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ଙ୍କ ମନ୍ଦିର ବେଢ଼ା। ମା ଭଗବତୀ ରଜ ମହୋତ୍ସବର ପ୍ରଥମସଂଧ୍ୟାରେ ଭୁବନେଶ୍ଵରର ମମତା ଶତପଥି ଓ ସାଥିଙ୍କ ଗଣେଶ ବନ୍ଦନା, ମଙ୍ଗଳାଚରଣ, ଦଶମହାବିଦ୍ୟା, ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ରଜ ଦୋଳି ଓ ଛୋଟ ମୋର ଗାଁଟି ପରି ପଲ୍ଲୀ ନୃତ୍ୟ ପରିବେଶଣରେ ବିଭୋର ଦର୍ଶକଙ୍କ ମନ ମୋହିଲା ପହିଲି ରଜ।

ପହିଲି ରଜରେ ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ହଳଦୀ ଚୁଆ ଚନ୍ଦନ କର୍ପୁର ଅଗରୁ ଅତର ମିଶ୍ରିତ ସୁବାସିତ ଜଳରେ ଅଙ୍ଗରାଗ ପରେ ବାରରଂଗୀ ପାଟ ପତନୀ ପିନ୍ଦି, ନାନାଦି ଅଳଙ୍କାରରେ ରଜସଜ ହୋଇ ରଜପାଳିଲେ ମା’ ଭଗବତୀ। ଶେଷ ରଜଯାଏ ଅଗାଧୁଆ ଏକ ବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ପରେ ବସୁମତି ସ୍ନାନରେ ପୁଣି ଗାଧୋଇ ରାଜରାଜେଶ୍ଵରୀ ବେଶରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’।

ଏହି ତିନିଦିନ ମହିଳାମାନେ ମା’ଙ୍କ ପାଖକୁ ଯିବା ମନା। ଏଣ୍ଡୁରି, କାକରା, ଖଜା, ସରପୁଳି, ମାଠ ପୁଳି, ଛେନପଣାର ବାସ୍ନାରେ ଫାଟି ପଡୁଥିଲା ମନ୍ଦିର ବେଢା। ସକାଳେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର କୁଞ୍ଜ ବିହାରୀ ବଡ ଜେନା ମା’ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ମା’ଙ୍କ ଆଜ୍ଞାମାଳ ଆଣି ଫଟୋଚିତ୍ରକୁ ବେତ ଦୋଳିରେ ରଖି ପୂଜା ଅର୍ଚ୍ଚନା ପରେ ମା’ଙ୍କ ମୁଖ୍ୟ ପୂଜକ ପରିଛା ସାମନ୍ତଙ୍କ ପରିବାରର ଝିଅମାନେ ହୁଳହୁଳି ଦେଇ ମା’ଙ୍କୁ ଝୁଲାଇବାର ଦୃଶ୍ୟ ଅତ୍ୟନ୍ତ ଆବେଗମୟ ଥିଲା।

କାରଣ ମା’ ଭଗବତୀ ପରିଛା ଘରର ଝିଅ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି। ପରେ ପରେ କୁନିକୁନି ଝିଅ ମାନଙ୍କ ରଜ ଦୋଳି ଖେଳ ପରିବେଶକୁ ଉତ୍ସବମୁଖର କରି ରଖିଥିଲା।

ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସେବକ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ମାନସ ମଙ୍ଗରାଜଙ୍କ ବାଣପୁର ଗସ୍ତ: ବିଭିନ୍ନ ସମସ୍ୟାଭିତ୍ତିକ କାର୍ଯ୍ୟ ବିଷୟରେ କଲେ ଆଲୋଚନା

ସୀତାରାମ ଅଗ୍ରୱାଲ

ବାଣପୁର: ନବନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଆଜି ସଂଧ୍ୟାବେଳେ ଜନ୍ମମାଟି ବାଣପୁର ଆସି ମା’ ଭଗବତୀଙ୍କ ଆଶୀର୍ବାଦ ଭିକ୍ଷା କାମନା କରିଥିଲେ। ଶ୍ରୀ ମଙ୍ଗରାଜ ମା’ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ସମୟରେ ମନ୍ଦିର ସେବାୟତମାନେ ମା’ ଭଗବତୀ ମନ୍ଦିରକୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଂସଦ ଶ୍ରୀ ମଙ୍ଗରାଜଙ୍କ ନିକଟରେ ଦାବି କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ବାଣପୁର ସହରର ଡ୍ରେନେଜ ବ୍ୟବସ୍ଥା ଓ ବଜାର ଉନ୍ନତିକରଣ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ମଙ୍ଗରାଜ ଖୁବ ଶୀଘ୍ର ୫ଟି ସଚିବ ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସିବେ ଏବଂ ମନ୍ଦିରର ନିଶ୍ଚିତ ବିକାଶ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ସହରର ଡ୍ରେନେଜ ଓ ବଜାର ଉନ୍ନତିକରଣ କାର୍ଯ୍ୟ ପାଇଁ ସାଂସଦ ନିଜ ପାଣ୍ଠିରୁ ଖୁବଶୀଘ୍ର ବ୍ୟୟବରାଦ କରିବେ ବୋଲି କହିଥିଲେ।

ମନ୍ଦିର ଦର୍ଶନ ସାରି ଫେରିଲା ପରେ ବାଣପୁରକୁ ସବ ଡିଭିଜନ ମାନ୍ୟତା, ଗୋଦାବରୀଶ ମହାବିଦ୍ୟାଳୟକୁ ଅଟୋନୋମସ ମାନ୍ୟତା ଆଦି ମିଳିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ଉକ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ସହ ଉକ୍ତ ଦୁଇ ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି। ସାଂସଦଙ୍କ ଗସ୍ତ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମା’ ଭଗବତୀ ମନ୍ଦିର ପ୍ରତି ୫-ଟି ସଚିବଙ୍କ ଶୁଭ ଦୃଷ୍ଟି ପଡ଼ିବ କେବେ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ଓଡ଼ିଶାର ଅନନ୍ୟ ପ୍ରମୁଖ ଶକ୍ତିପିଠ ଅଟେ। କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ମନ୍ଦିର ଉପରେ ପଡୁନି। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଏଠି ଶହ ଶହ ଭକ୍ତ ଆସୁଥିଲେ ସୁଦ୍ଧା ଏଠାକାର ସ୍ଥିତି ପୁର୍ବରୁ ଯେମିତି ଏବେବି ସେମିତି। ଗତବର୍ଷ ମନ୍ଦିରକୁ ୨.୫ କୋଟି ଅନୁଦାନ ମିଳିଥିଲେ ସୁଦ୍ଧା ଅଦ୍ୟାବଧି ଉକ୍ତ ଅନୁଦାନର ବିନିଯୋଗ ହୋଇପାରିନାହିଁ।

ଏପରିକି କିଛି ମାସ ତଳେ କେଉଁ ଆବାହନ କାଳରୁ ଥିବା ପତିତପାବନ ମଣ୍ଡପକୁ ମଧ୍ୟ ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଟଙ୍କାଟିଏର ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ଉକ୍ତ ମନ୍ଦିର ବହୁ ସମସ୍ୟା ଦେଇ ଗତିକରୁଥିବା ବେଳେ ପର୍ଯ୍ୟଟକଙ୍କ ନିମନ୍ତେ ମୌଳିକ ସୁବିଧାର ଘୋର ଅଭାବ ଏଠାରେ ଦେଖାଦେଇଛି।

ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ମନ୍ଦିର ପଛପଟେ ଏକ ଜନସୁବିଧା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ତାହା ଏବେ ଜଙ୍ଗଲ। ନିୟମିତ ଭାବେ ରାଜ୍ୟ ସରକାରଙ୍କ ୫-ଟି ସଚିବ ରାଜ୍ୟର ବିଭିନ୍ନ ମନ୍ଦିର ବୁଲି ତାହାର ରୂପାନ୍ତିକରଣ ଯୋଜନା ହାତକୁ ନେଉଥିବା ବେଳେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିର ପ୍ରତି ଦୃଷ୍ଟି ନଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

ଏଠାକାର ସେବାୟତ ଏବଂ ବୁଦ୍ଧିଜୀବୀ ମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ ମା’ ଭଗବତୀ ମନ୍ଦିରର ରୂପାନ୍ତିକରଣ କରି ଏହାକୁ ବିଶ୍ଵସ୍ତରୀୟ ପର୍ଯ୍ୟଟନସ୍ଥଳିର ରୁପ ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବାଣପୁର ମାଟିରୁ ବହୁ ସୁଯୋଗ୍ୟ ସନ୍ତାନ ରାଜ୍ୟ ତଥା ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବତୀର୍ଣ୍ଣ ହୋଇଥିଲେ ସୁଦ୍ଧା ନିଜ ମାଟିର ଗର୍ବ ଓ ଗୌରବ ତଥା ପରିଚୟ ମା’ ଭଗବତୀ ମନ୍ଦିରର ଉନ୍ନତିପାଇଁ ଚିନ୍ତା ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଓ ପୁରି ସାଂସଦ ଉଭୟଙ୍କ ଘର ବାଣପୁର ହୋଇଥିଲେ ସୁଦ୍ଧା ମା’ ଭଗବତୀ ମନ୍ଦିରର ଉନ୍ନତି ନିମନ୍ତେ ଉଭୟଙ୍କ ଉଦାସୀନତା ମନୋଭାବ ସାରା ବାଣପୁରବାସୀଙ୍କୁ ଆଘାତ ଦେଇଛି। ତେବେ ଦେଖିବାକୁ ବାକି ରହିଲା କେବେ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନକୁ ଆସିବେ ଏବଂ ଏହାର ବିକାଶ ଦାଇତ୍ୱ ନିଜ ହାତକୁ ନେବେ।

Categories
ଆଞ୍ଚଳିକ

ଏଣିକି ଚୋରା ମଦ ବେପାରୀଙ୍କୁ ନିସ୍ତାର ନାହିଁ: ବାଣପୁରରେ ନିୟମିତ ଜାରି ରହିବ ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ନେଇ ନିକଟରେ ‘ସମୀକ୍ଷା’ ରେ ଖବର ପ୍ରକାଶ ପାଇଥିଲା। ତେବେ ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲା ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ପୃଥକ ଭାବେ ଚଢାଉ କରିଥିଲେ। ବାଣପୁର ଥାନା ଅନ୍ତର୍ଗତ ସରନଇ ଏବଂ ଗମ୍ଭାରୀମୁଣ୍ଡା ବଜାରରେ ଚଢ଼ାଉ କରିଥିଲେ।

ସରନଇ ଗ୍ରାମରୁ ୨୭ ଲିଟର ଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ଇନ୍ସପେକ୍ଟର ଆଲୋକ ପ୍ରଧାନ ଗିରଫ କରିଥିବା ବେଳେ ଗମ୍ଭାରୀମୁଣ୍ଡା ବଜାରରୁ ୧୬ ଲିଟର ବିଦେଶୀ ମଦ ଏବଂ ୧୭ ଲିଟର ବିଅର ସମେତ ଅଭିଯୁକ୍ତଙ୍କୁ ଏଏସଆଇ ରଞ୍ଜନ ଦାସ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ତେବେ ଏହିପରି ଚଢ଼ାଉ ଅବକାରୀ ବିଭାଗ ଦ୍ୱାରା ଆଗକୁ ମଧ୍ୟ ବାଣପୁର ବାଲୁଗାଁ ଅଞ୍ଚଳରେ ନିୟମିତ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣି: ୨୬ ଟି ଅଭିଯୋଗର ତୁରନ୍ତ କଲେ ସମାଧାନ

ସୀତାରାମ ଅଗ୍ରୱାଲ

ବାଣପୁର: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୪୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୨୬ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୪୯୧ ଗୋଟି ଅଭିଯୋଗ ମଧ୍ୟରୁ ୪୮୧ ଗୋଟି ବ୍ୟକ୍ତିଗତ ଏବଂ ୧୦ ଗୋଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୧୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୮୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ୬ ଜଣ ଭିନ୍ନକ୍ଷମଙ୍କୁ ୫ ଗୋଟି ଟ୍ରାଇ ସାଇକେଲ ଏବଂ ଗୋଟେ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୨ ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଆଇ ଗୌରବ ଶିବାଜି, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡିଓ ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଉପାଧ୍ୟକ୍ଷା ରୀନା ଦେଇ, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲା ପରିଷଦ ସଭ୍ୟା ଟିକି ଶବର, ରୋଜିତା ପ୍ରଧାନ ଏବଂ ଅନ୍ୟ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ଅଭିଯୋଗ ଶୁଣିବାରେ ବିଫଳ ବାଣପୁର ଓ ଚିଲିକା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ସୋସିଆଲ୍ ମିଡିଆ ତାର କାୟାବିସ୍ତାର କରିବାରେ ଲାଗିଛି। ଯାହାଫଳରେ ସାଧାରଣ ଜନତା ସୋସିଆଲ ମିଡିଆକୁ ପ୍ରାଧାନ୍ୟ ଦେଉଛନ୍ତି। ଟ୍ଵିଟର, ଫେସବୁକ ଅବା ହ୍ଵାଟ୍ସଆପ ଜରିଆରେ କୋଣ ଅନୁକୋଣରୁ ସମସ୍ତ ସୂଚନା ସାଙ୍ଗକୁ ଦୁନିଆର ଖବର କ୍ଷଣିକ ମଧ୍ୟରେ ଏବେ ପ୍ରତିଟି ଲୋକ ପାଖରେ ପହଞ୍ଚି ପାରୁଛି।

ଗତବର୍ଷ ଅକ୍ଟୋବର ମାସରେ ଖୋର୍ଦ୍ଧା ଜିଲ୍ଲାରେ ନୂତନ କରି ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ, ସରକାରଙ୍କ ୫-ଟି ନିୟମକୁ ପ୍ରଥମେ ପ୍ରାଧାନ୍ୟ ଦେଇଥିଲେ ଏବଂ ଅକ୍ଟୋବର ୨୩ ତାରିଖରେ ସୋସିଆଲ୍ ମିଡିଆ ଟୁଇଟର ସହ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌରାଞ୍ଚଳ ଏବଂ ଅନ୍ୟ ଗୁରୁତ୍ୱ ବିଭାଗକୁ ମିଶାଇ ସମୁଦାୟ ୩୭ ଗୋଟି ନୂତନ ଆକାଉଣ୍ଟକୁ ଯୋଡ଼ିଥିଲେ।

ଉଦ୍ଦେଶ୍ୟ ଥିଲା ଟ୍ୱିଟର ଜରିଆରେ ଜନସାଧାରଣଙ୍କ ଅଭିଯୋଗକୁ ଗ୍ରହଣ ଏବଂ ସମାଧାନ ଦିଗରେ ସମସ୍ତ ବିଭାଗ କାର୍ଯ୍ୟ କରିବେ। ତତ ସହିତ ସମସ୍ତ ସରକାରୀ ତଥା ଜନହିତକର କାର୍ଯ୍ୟକ୍ରମ ଗୁଡିକର ସୂଚନା ଉକ୍ତ ଆକାଉଣ୍ଟରେ ପୋଷ୍ଟ ହେବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ଜିଲ୍ଲାପାଳ। ଯାହାଫଳରେ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢି ଉଠିବା ସହିତ ସରକାରୀ କର୍ମଚାରୀ ମାନେ ନିଜର କାର୍ଯ୍ୟକୁ ତ୍ଵରିତ କରିପାରିବେ।

କିନ୍ତୁ ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ହେଉଥିବାର ଦେଖିବାକୁ ମିଳୁଛି। ବାଣପୁର ବ୍ଲକ, ଚିଲିକା ବ୍ଲକ, ବାଣପୁର ଏନଏସି, ବାଲୁଗାଁ ଏନଏସି, ଚିଲିକା ତହସିଲ ଓ ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଛି।

ପ୍ରଶାସନ ତରଫରୁ ଟୁଇଟର ଆକାଉଣ୍ଟରେ କୌଣସି ତଥ୍ୟ ବା ପ୍ରସ୍ତାବ ଅପଡେଟ୍ କରାଯାଉ ନାହିଁ, ଯାହା ଫଳରେ ଫଲୋଅରଙ୍କ ସଂଖ୍ୟା ବଢୁନାହିଁ। ଏହା ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜ ନିଜ ବିଭାଗର ଟୁଇଟର ଆକାଉଣ୍ଟରେ କୌଣସି ପ୍ରକାର ସୂଚନା ପୋଷ୍ଟ କରୁନାହାଁନ୍ତି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏପରିକି ଜନସାଧାରଣ ଟୁଇଟରରେ ବାରମ୍ବାର ବିଭିନ୍ନ ବିଷୟରେ ଅଭିଯୋଗ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଗୋଟେ ପକ୍ଷରେ ଜିଲ୍ଲାପାଳ ଖୋଦ ଟୁଇଟରରେ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ତାହାକୁ ସମାଧାନ କରିବା ପାଇଁ ଧ୍ୟାନ ଦେଉଥିବା ବେଳେ ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଉଛି। ଯାହାଫଳରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟକାରୀ କରିଥିବା ‘ ଓସ୍ୱାସ’ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିଛି।

ସୂଚନା ଥାଉକି ବାଣପୁର ତହସିଲର ଟ୍ୱିଟର ଆକାଉଣ୍ଟରେ ଶେଷ ଅପଡେଟ ଏପ୍ରିଲ ୩ ରେ ହୋଇଥିବା ବେଳେ ଚିଲିକା ତହସିଲର ଗତବର୍ଷ ଡ଼ିସେମ୍ବର ୩ ରେ ହୋଇଥିଲା। ସେହିପରି ଭାବେ ବାଣପୁର ବ୍ଲକର ଗତବର୍ଷ ଡ଼ିସେମ୍ବର ୧୮ ତାରିଖ, ଚିଲିକା ବ୍ଲକର ମଇ ୬ ତାରିଖ, ବାଣପୁର ଏନଏସି ର ମଇ ୫ ତାରିଖ ଏବଂ ବାଲୁଗାଁ ଏନଏସି ର ମାର୍ଚ୍ଚ ୧୮ ତାରିଖରେ ଶେଷ ଟ୍ୱିଟର ଅପଡେଟ କରାଯାଇଥିଲା।

ଅନୁରୂପ ଭାବେ ବାଣପୁର ତହସିଲ ଟ୍ୱିଟର ଆକାଉଣ୍ଟରୁ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ମାର୍ଚ୍ଚ ୧୩ ତାରିଖରେ ଏବଂ ଚିଲିକା ତହସିଲ ଟ୍ୱିଟର ଆକାଉଣ୍ଟରୁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ଦିଆଯାଇଥଲା।

ସେହିପରି ଭାବେ ବାଣପୁର ବ୍ଲକର ମାର୍ଚ୍ଚ ୫ ତାରିଖ, ବାଣପୁର ଏନଏସି ର ଗତବର୍ଷ ଡ଼ିସେମ୍ବର ୧୦ ତାରିଖ, ବାଲୁଗାଁ ଏନଏସି ର ଗତବର୍ଷ ଫେବୃଆରୀ ୭ ତାରିଖରେ ଶେଷ ଥର ପାଇଁ ଜନସାଧାରଣଙ୍କ ଅଭିଯୋଗର ଉତ୍ତର ଦିଆଯାଇଥିବା ବେଳେ ଚିଲିକା ବିଡ଼ିଓଙ୍କ ଆକାଉଣ୍ଟରୁ ଜମାବି ଉତ୍ତର ଦିଆଯାଇନାହିଁ।

Categories
ଆଞ୍ଚଳିକ

ନାଚୁଣୀ: ବଜ୍ରାଘାତରେ ମତ୍ସ୍ୟଜୀବୀଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ନାରାୟଣ ବେହେରା (୫୮)। ଘର ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ନଈରୀ ଗ୍ରାମରେ।

ନାରାୟଣ ବେହେରା ନିଜ ଗ୍ରାମରେ ବସିଥିଵା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ନଈକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ପ୍ରାଣହାନୀ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନଈରେ ଶୌଚ ପାଇଁ ଯାଇଥିବା ବେଳେ ଜେଜେମା ଓ ନାତୁଣୀ ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଶ୍ରୀନିବାସପୁର ଗ୍ରାମର ସ୍ବର୍ଗତ ତ୍ରିନାଥ ନାୟକଙ୍କ ପତ୍ନୀ କମା ନାୟକ (୫୫) ଏବଂ ତାଙ୍କ ନାତୁଣୀ ବେବି ନାୟକ (୫) ଆଜି ସଂନ୍ଧ୍ୟାରେ ଶୌଚ ପାଇଁ ସ୍ଥାନୀୟ ଶାଳିଆ ନଈକୁ ଯାଇଥିଲେ। ତେବେ କିଛି ସମୟ ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ନଦୀ ହୁଡ଼ାରେ ଅଚେତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ।

ସଙ୍ଗେ ସଙ୍ଗେ ଗ୍ରାମର ଜଣେ ବ୍ୟକ୍ତି ନଦୀକୁ ଯିବା ସମୟରେ ତାଙ୍କୁ ପାଣିରେ କରେଣ୍ଟ ମାରିଥିବାର କହିଥିଲେ। ତେବେ ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ଡାକ୍ତର ବାଣପୁର ପୋଲିସକୁ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି।