Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ନଈକୁ ଶୌଚ ପାଇଁ ଯାଇଥିବା ଜେଜେମା ଓ ନାତୁଣୀଙ୍କ ପ୍ରାଣହାନୀ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନଈରେ ଶୌଚ ପାଇଁ ଯାଇଥିବା ବେଳେ ଜେଜେମା ଓ ନାତୁଣୀ ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଶ୍ରୀନିବାସପୁର ଗ୍ରାମର ସ୍ବର୍ଗତ ତ୍ରିନାଥ ନାୟକଙ୍କ ପତ୍ନୀ କମା ନାୟକ (୫୫) ଏବଂ ତାଙ୍କ ନାତୁଣୀ ବେବି ନାୟକ (୫) ଆଜି ସଂନ୍ଧ୍ୟାରେ ଶୌଚ ପାଇଁ ସ୍ଥାନୀୟ ଶାଳିଆ ନଈକୁ ଯାଇଥିଲେ। ତେବେ କିଛି ସମୟ ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ନଦୀ ହୁଡ଼ାରେ ଅଚେତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ।

ସଙ୍ଗେ ସଙ୍ଗେ ଗ୍ରାମର ଜଣେ ବ୍ୟକ୍ତି ନଦୀକୁ ଯିବା ସମୟରେ ତାଙ୍କୁ ପାଣିରେ କରେଣ୍ଟ ମାରିଥିବାର କହିଥିଲେ। ତେବେ ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବର୍ତ୍ତମାନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ଡାକ୍ତର ବାଣପୁର ପୋଲିସକୁ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଅବକାରୀ ଚଢ଼ାଉ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ବାଣପୁର ଥାନା ଅଧିନସ୍ଥ ଘାଷେଡିହ, ଗୋଡ଼ିଝର ଏବଂ ଭବାନୀପୁର ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ସମୁଦାୟ ୭୫ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଶେଖ କୁରବାନ ଓ ଦାମ ବରାଳ। ଉଭୟଙ୍କ ବିରୋଧରେ ଦୁଇ ଗୋଟି ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଗୁରୁତର ଯୁବକଙ୍କୁ କ୍ଷତିପୂରଣ ଦାବିରେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ବିଦ୍ୟୁତ କର୍ମଚାରୀଙ୍କୁ ଗ୍ରାମବାସୀ ଦୀର୍ଘ ସମୟ ଧରି ଅଟକ ରଖିଛନ୍ତି ଏବଂ ପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ତାଙ୍କୁ ଅଟକମୁକ୍ତ କରିଥବାର ଜଣାପଡିଛି।

ସୂଚନା ମୁତାବକ ଗତ ୧୪ ତାରିଖରେ ଉକ୍ତ ଗ୍ରାମର ଗୋଲଖ ବେହେରା ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବକ ବିଦ୍ୟୁତ ଟ୍ରାନ୍ସଫର୍ମରରେ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ ଯେଉଁଥିରେ ତାଙ୍କ ବାମ ହାତ ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଡାହାଣ ହାତର ମଧ୍ୟ ଅନେକ ଅଂଶ ନଷ୍ଟ ହୋଇଯାଇଛି।

ଟେବେ ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱରେ ସୁରକ୍ଷା ପାଚେରି ନଥିବା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱ ଦେଇ ଆଜି ସକାଳେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱରେ ତାର ପକାଇବା ପାଇଁ ଯାଇଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ।

ଆହତ ଗୋଲଖଙ୍କୁ କ୍ଷତିପୂରଣ ଦାବିରେ ତାଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀ ମାନେ ବିଦ୍ୟୁତ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଖବର ପାଇ ବାଣପୁର ଅତିରିକ୍ତ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସିଙ୍କୁ ବୁଝାସୁଝା କରିବା ପରେ ସେମାନେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକମୁକ୍ତ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଓ ଆରଟିଓ ର ମିଳିତ ଚଢ଼ାଉ, ୯ ଡ଼ିଏଲ ବାତିଲ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେପରୁଆ ଗାଡ଼ିଚାଳନା ବୃଦ୍ଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ଏକାଧିକ ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଛି। ଯେଉଁଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ହେଉ କିମ୍ବା ଲାଇସେନ୍ସ ନଥିବା ଅନଭିଜ୍ଞ ଗାଡ଼ିଚାଳକଙ୍କ ଲାଗି ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ଚଢ଼ାଉ ହେଉନଥିବାର ଅଭିଯୋଗ ହୋଇଆସୁଥିଲା। ଏପରିକି ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରସାରଣ ହେବା ସହ ବିଭାଗୀୟ ଅଧିକାରୀଙ୍କ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ତେବେ ଏହାକୁ ଆରଟିଓ ଗୁରୁତର ସହ ନେଇଛି। ଆଜି ବାଣପୁରର ଏକାଧିକ ସ୍ଥାନରେ ଆରଟିଓ ଏବଂ ପୋଲିସର ମିଳିତ ଚେକିଂ ଅନୁଷ୍ଠିତ ହୋଇଥିଲା। ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ମୋଟରଯାନ ନିରୀକ୍ଷକ ଅମିତ ରଣାଙ୍କ ନେତୃତ୍ୱରେ ଉକ୍ତ ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବହୁ ଗାଡ଼ି ଚାଳକଙ୍କ କାଗଜପତ୍ର, ଲାଇସେନ୍ସ, ହେଲମେଟ, ପିୟୁସି ଆଦି ଯାଞ୍ଚ କରାଯାଇଥିଲା।

ଉକ୍ତ ଅଭିଯାନ ଅନ୍ତର୍ଗତ ୯ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ୩୫ ଜଣଙ୍କ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ମୋଟରଯାନ ନିରୀକ୍ଷକ ଶ୍ରୀ ରଣା। ତେବେ ଆଗକୁ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଉଭୟ ପୋଲିସ ଓ ଆରଟିଓ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ, ଭାଙ୍ଗିଦେଲେ ଏକାଧିକ ଘର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରକୁ ମୁହାଇଁଛନ୍ତି ଜଙ୍ଗଲୀ ହାତୀ। ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଆତଙ୍କରାଜ। ଖବର ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଜଙ୍ଗଲୀ ହାତୀ ପଲ ଅରାଙ୍ଗ ଗ୍ରାମର ୩ ଗୋଟି ଘର ଭାଙ୍ଗିବା ସହ ଘରର ସମସ୍ତ ଆସବାବପତ୍ର ନଷ୍ଟ କରିଦେଇଛନ୍ତି।

ତେବେ ଗତ କିଛି ଦିନ ହେବ ଟାଙ୍ଗୀରୁ ବାଣପୁର ଆଡକୁ ମୁହାଁଉଛନ୍ତି ଜଙ୍ଗଲୀ ହାତୀ ପଲ। ସାଧାରଣ ଗରିବ ଲୋକଙ୍କ ଧନଜୀବନ ହାନି ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ଏକାନ୍ତ ଜରୁରୀ ହୋଇଉଠିଛି। ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ, ହାତୀ ପଲ ୩ ଗୋଟି ଘର ଭାଙ୍ଗିଥିବା ସେ କହିଛନ୍ତି।

ସେହିପରି ଭାବେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ବନବିଭାଗ ପହଞ୍ଚିଛି। ଏବଂ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ନିକଟକୁ କାଗଜପତ୍ର ପଠାଇଦେଇଥିବାର କହିଛନ୍ତି ଶ୍ରୀ ମହାନ୍ତି। ତେବେ ହାତୀଙ୍କୁ ଘଉଡ଼ାଇବା ନିମନ୍ତେ ବନବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ୨୪ ଘଣ୍ଟିଆ ପାଟ୍ରୋଲିଂରେ ନିୟୋଜିତ କରାଯାଇଥିବା ବେଳେ ଜଙ୍ଗଲୀ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବାର କହିଛନ୍ତି ବାଲୁଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ, ତିନି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରୋଗୀ ନେଇ ଯାଉଥିବା କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟୁମର ଅପରେସନ ରୋଗୀଙ୍କୁ ଭୁବନେଶ୍ୱର ଏମସ୍ ହସ୍ପିଟାଲ ନେଉଥିବା କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ରୋଗୀଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନର୍ଗତ ବାଲି କଣିଆ ଗ୍ରାମର ଗୁରୁ ଶବର (୬୦ ବର୍ଷ) ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛି ଦିନ ତଳେ ସେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଅସ୍ତ୍ରୋପଚାର କରିଥିଲେ। ଆଜି ସେ ଷ୍ଟିଚ୍ ଖୋଲିବା ପାଇଁ କାର ଯୋଗେ ଏମ୍ସ ହସ୍ପିଟାଲ ଯାଉଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କାରଟିର ଟାଙ୍ଗୀ ଥାନା କୋଚିଲା ଛକରେ ବ୍ରେକ ଫେଲ ହୋଇଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ୍ ପଛରେ ପିଟି ହୋଇଥିଲା। ଏଥିରେ ରୋଗୀଙ୍କ ସମେତ ୩ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ଗୁରୁତର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେହି ଗ୍ରାମର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ରତନପୁର ଗ୍ରାମର ଶ୍ରୀକୃଷ୍ଣ ବେହେରାଙ୍କ ପୁଅ ଗୋଲଖ ବେହେରା (୩୦) ଆଜି ୧୧ ଘଟିକା ସମୟରେ କୌଣସି କାମ ପାଇଁ ବଜାରକୁ ଯାଉଥିଲେ। ହେଲେ ଗତକାଲି ହୋଇଥିବା ବର୍ଷା ଯୋଗୁଁ ନିଜ ଘର ବାହାରେ ପାଣି ଜମି ରହିଥିଲା। ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା। ଏବଂ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସେ ସଂସ୍ପର୍ଶରେ ଆସିଯାଇଥିଲେ।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଦ୍ୟୁତ ଆଘାତରେ ତାଙ୍କର ବାମ ହାତଟି ଜଳି ଯାଇ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା କୁହାଯାଉଛି।

ସଙ୍ଗେ ସଙ୍ଗେ ତାଙ୍କୁ ବାଣପୁର ମେଡିକାଲ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ଟ୍ରାନ୍ସଫର୍ମରର ଚତୁର୍ପାର୍ଶ୍ୱରେ ସୁରକ୍ଷା ପାଚେରି ନଥିବା ଯୋଗୁଁ ଏଭଳି ଏକ ଘଟଣା ଘଟିଲା ବୋଲି ଗ୍ରାମବାସୀ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଗ୍ରାମବାସୀ ପାଚେରୀ ନିମନ୍ତେ ଦରଖାସ୍ତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଧଡ଼କ ଚାଲିଛି ନକଲି ସିମ କାର୍ଡ କାରବାର, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ନକଲି ସିମ କାର୍ଡ କାରବାର ଜୋରସୋରରେ ଚାଲିଥିବାର ଅଭିଯୋଗ ହେଉଛି। କେତେକ ଅସାଧୁ ଦୋକାନୀ ପୁର୍ବରୁ ସିମ କାର୍ଡ ଗୁଡିକୁ ଆକ୍ଟିଭେଟ କରି ରଖୁଥିବାର ଅଭିଯୋଗ ହେଉଛି। ଯାହଦ୍ୱାରା ନିରୀହ ନାଗରିକମାନେ ଅକଳରେ ପଡୁଛନ୍ତି।

ଅଜାଣତରେ ଠକାମି ତଥା ସାଇବର ଅପରାଧ ଜାଲରେ ସାଧାରଣ ନାଗରିକ ଫସି ଯାଉଛନ୍ତି। ଯଦି ଜଣେ ଗ୍ରାହକ ସିମ ନେବାକୁ ରିଟେଲର ପାଖକୁ ଯାଉଛି ତେବେ କେତେକ ଦୋକାନୀ ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ପରିଚୟପତ୍ରର ନକଲ ରଖି ଏବଂ ଟିପ ଚି଼ହ୍ନ ନେଇ ଏକାଧିକ ସିମ ତାଙ୍କ ନାମରେ ଆକ୍ଟିଭେଟ କରୁଥିବାର ଅଭିଯୋଗ ହେଉଛି। ଏବଂ ପରବର୍ତ୍ତୀ ସମୟରେ ଉକ୍ତ ସିମ ଗୁଡିକୁ ବେଆଇନ କାର୍ଯ୍ୟରେ ବିନିଯୋଗ କରୁଥିବାର ଅଭିଯୋଗ ହେଉଛି।

ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ନକଲି ତଥା ପ୍ରିଆକ୍ଟିଭେଟ ସିମ ରଖୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ ହେବା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଠକ ଗିରଫ ହୋଇଛନ୍ତି। ତେବେ ଏହାର ଲିଙ୍କ ବାଣପୁରରେ ମଧ୍ୟ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ବାଣପୁରରେ ପୁର୍ବରୁ ମଧ୍ୟ ଏକାଧିକ ଥର ସିମ କାର୍ଡ ଜାଲିଆତି ହୋଇଛି। କିନ୍ତୁ ପୋଲିସ ପକ୍ଷରୁ ଏଯାବତ କୌଣସି ସିମ କାର୍ଡ ଦୋକାନ ଯାଞ୍ଚ ନହେବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ବାଣପୁର ପୋଲିସ ତଥା ବାଲୁଗାଁ ଏସଡିପିଓ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର: ସ୍ବାସ୍ଥ୍ୟ ମେଳାର ଲାଭ ନେଲେ ୮୨୩ ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ହେଲଥ ମେଳା ଅନୁଷ୍ଠିତ ହୋଇଯାଇଛି। ନରେନ୍ଦ୍ରପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳି ପରିସରରେ ଉକ୍ତ ମେଳା ଅନୁଷ୍ଠିତ ହୋଇଛି। ଏହାକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ସାଂସଦ ପ୍ରତିନିଧି ମାନସ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ଼ା ରଘୁନାଥ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି, ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ, ନରେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସବିତା ଦାସ, ସମିତି ସଭ୍ୟ କନ୍ଦର୍ପ ଜେନା ଏବଂ ସିଡ଼ିପିଓ ସରୋଜବାଳା ଆଚାର୍ଯ୍ୟ ମିଳିତ ଭାବେ ଉଦଘାଟନ କରିଥିଲେ।

ଉକ୍ତ ହେଲଥ ମେଳାରେ ଭେଷଜ ବିଶେଷଜ୍ଞ ଡ଼ା ଧୁର୍ଯଟି ପ୍ରସାଦ ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ା ରାକେଶ ମହାରଣା, ଦନ୍ତ ବିଶେଷଜ୍ଞ ଡ଼ା ମୋନାଲିସା ମହାପାତ୍ର, ଡ଼ା ଲୁଇସ ସୋଲମାନ, ଶିଶୁରୋଗ ବିଶେଷଜ୍ଞ ଡ଼ା ଅବିନାଶ ରାଉତରାୟ, ସର୍ଜରୀ ବିଭାଗର ବିଶେଷଜ୍ଞ ଡ଼ା ଲିଙ୍ଗରାଜ ଖଣ୍ଡାଇତରାୟ ଏବଂ ଡ଼ା ସ୍ୱାଧୀନ ପାଇକରାୟ ଆଦି ଯୋଗ ଦେଇଥିବା ବେଳେ ୮୨୩ ଜଣ ହିତାଧିକାରୀ ଏହାର ଲାଭ ଉଠାଇଥିଲେ।

ଉକ୍ତ ଶିବିରରେ ସମସ୍ତଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ନିଃଶୁଳ୍କ ମେଡ଼ିସିନ ମଧ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ ହେଲଥ ମେଳାରେ ରକ୍ତଚାପ, ମ୍ୟାଲେରିଆ,ମଧୁମେହ, ହେମୋଗ୍ଲୋବିନ, ଆଖି , ଯକ୍ଷ୍ମା ଏବଂ କୋଭିଡ ଆଦି ରୋଗ ର ପରୀକ୍ଷା କରାଯାଇଥିବା ବେଳେ ଲୋକନୃତ୍ୟ ସାହାଯ୍ୟରେ ବିଭିନ୍ନ ରୋଗର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ପୋଷଣ ଜନିତ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ହେଲଥ ମେଳାରେ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ପାତ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ପ୍ରସାଦ ସୁନ୍ଦରାୟ, ଫାର୍ମାସିଷ୍ଟ ପ୍ରମୋଦ କୁମାର ଦେହୁରୀ, ସମସ୍ତ ଆଶା, ଅଙ୍ଗନବାଡି କର୍ମୀ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତି ଥିଲେ।

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀ ଉପଲକ୍ଷେ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ତେବେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁ ବାସି। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହର ଟ୍ରାଫିକ ଏକରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହସଂଯୋଜକ ଆକାଶ ନାୟକ, ଦେବି ପ୍ରସାଦ ମହାନ୍ତି, ମହେଶ୍ୱର ପଣ୍ଡା, ଦ୍ଵିତୀ ରାଉତ, ଚନ୍ଦନ ନାୟକ, ହରେକୃଷ୍ଣ ନାୟକ ଏବଂ ଅନୁରାଗ ମହାନ୍ତି ଆଦି ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୁଣି ବନ୍ଧୁକ ମୁନରେ ଲୁଟ୍, ମିଟର ରିଡର କର୍ମଚାରୀଙ୍କ ଠାରୁ ଗାଡି, ଟଙ୍କା ଲୁଟିଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଖବର ହସ୍ତଗତ ହୋଇଛି। ଟଙ୍କା ଓ ବାଇକ ଲୁଟିନେଇ ଫେରାର ହୋଇଛନ୍ତି ଲୁଟେରା। ଅରାଙ୍ଗ ଗ୍ରାମ ନିକଟସ୍ଥ କଦଳୀବାରି ଅଞ୍ଚଳରେ ଘଟଣା ଘଟିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ବିଦ୍ୟୁତ ମିଟର ପଇସା କଲେକ୍ସନ ପାଇଁ ଚୁକ୍ତିନାମା କରିଥିବା ସଂସ୍ଥା ଷ୍ଟେର୍ଲିଙ୍ଗର ମିଟର ରିଡର କର୍ମଚାରୀ ପ୍ରଶାନ୍ତ ବେହେରା ଏବଂ ଟ୍ରେନିଙ୍ଗ କର୍ମଚାରୀ ରାକେଶ କୁମାର ଦାସ ଏକ ସ୍କୁଟି ଓ ଆପାଚି ବାଇକ ଯୋଗେ ଅରାଙ୍ଗ ଗ୍ରାମରୁ କଲେକ୍ସନ ପାଇଁ ଯାଇଥିଲେ। ତେବେ ଅପରାହ୍ନରେ କଲେକ୍ସନ ସାରି ଫେରୁଥିବା ବେଳେ କଦଳୀବାରି ନିକଟରେ ହଠାତ ମୁଖା ପିନ୍ଧି ତିନି ଜଣ ଦୁର୍ବୁତ୍ତ ଏକ କଳା ପଲସର ବାଇକରେ ଆସି ଉଭୟଙ୍କ ଉପରେ ଲଙ୍କା ଗୁଣ୍ଡ ଫୋପାଡ଼ିଥିଲେ।

ଏଥିରେ ପ୍ରଶାନ୍ତ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରାକେଶଙ୍କ ଉପରେ ଲଙ୍କା ଗୁଣ୍ଡ ପଡ଼ିନଥିଲା। ଏହାପରେ ଦୁର୍ବୁତ୍ତମାନେ ଉଭୟଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଧମକାଇ ପ୍ରଶାନ୍ତଙ୍କ ନିକଟରୁ କଲେକ୍ସନ ଏବଂ ବ୍ୟକ୍ତିଗତ ପଇସା ସମୁଦାୟ ୧୩ ହଜାର୨ ଶହ ଟଙ୍କା, ମୋବାଇଲ ଓ ରାକେଶଙ୍କ ଆପାଚି ବାଇକ ନେଇ ବାଣପୁର ଆଡେ ଫେରାର ହୋଇଯାଇଥିଲେ।

ତେବେ ଆକ୍ରମଣ ସମୟରେ ପ୍ରଶାନ୍ତ ନିଜ ସ୍କୁଟି ଚାବିକୁ ବୁଦା ଆଡକୁ ଫୋପାଡ଼ିଦେବାରୁ ଦୁର୍ବୁତ୍ତ ମାନେ ସ୍କୁଟି ନେଇପାରିନଥିଲେ। ବର୍ତ୍ତମାନ ଉକ୍ତ ଠିକା କମ୍ପାନୀର ଉପରିସ୍ଥ ଅଧିକାରୀ ଏବଂ ଲୁଟର ଶିକାର ହୋଇଥିବା କର୍ମଚାରୀ ବାଣପୁର ଥାନାରେ ପହଞ୍ଚି ଏତଲା ଦେଉଥିବାର ଜଣାପଡିଛି।

ତେବେ ଗତ ୨୦ ଦିନ ମଧ୍ୟରେ ବାଣପୁର ଥାନା ଅଞ୍ଚଳରେ ଏହା ବନ୍ଧୁକ ମୁନରେ ତୃତୀୟ ଲୁଟ ହୋଇଥିବା ବେଳେ ଲୁଟେରାଙ୍କୁ ପୋଲିସ ଏଯାବତ ଠାବ କରିବାରେ ବିଫଳ ହୋଇଛି।  ଯଥାଶୀଘ୍ର ସମସ୍ତ ଲୁଟେରାଙ୍କୁ ଗିରଫ ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରରେ ଆରମ୍ଭ ହେଲା ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକରେ ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ବ୍ଲକ ସିଡ଼ିପିଓ ସରୋଜ ବାଳା ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ପ୍ରତି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଛି ଉକ୍ତ ଅଭିଯାନ। ଗତକାଲି ବାଣପୁର ବ୍ଲକର ଦୁଇ ଗୋଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଆଜି ଭେଟେଶ୍ୱର, ଗମ୍ଭାରୀମୁଣ୍ଡା, ଓଡ଼ଗାଁ ଏବଂ ନାଚୁଣୀ ପଞ୍ଚାୟତରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସମସ୍ତ ପଞ୍ଚାୟତରେ ନିଜ ନିଜ ପଞ୍ଚାୟତର ଅଙ୍ଗନବାଡି, ଆଶା କର୍ମୀ ଏବଂ ସୁପରଭାଇଜର ଓ ସ୍ଥାନୀୟ ବିଦ୍ୟାର୍ଥୀମାନେ ସଚେତନତା ରାଲିରେ ଭାଗ ନେଇ ବାଲ୍ୟ ବିବାହ ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ଗ୍ରାମବାସି ଙ୍କୁ ବୁଝାଇଥିଲେ। ଯଦି କେହି ଏହାକୁ ଖିଲାପ କରି ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଚାଇଲଡଲାଇନ ବିଭାଗ, ସିଡ଼ିପିଓ କିମ୍ବା ସ୍ଥାନୀୟ ପୋଲିସକୁ ଜଣାଇବା ପାଇଁ ଉକ୍ତ ରାଲିରେ ନିବେଦନ କରାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ଅବଶିଷ୍ଟ ପଞ୍ଚାୟତ ଗୁଡ଼ିକରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସିଡ଼ିପିଓ ଶ୍ରୀମତୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇ ବାଇକ୍ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାତିମୁଣ୍ଡା ଓ ତୁମୁରାପୁଟ ଗ୍ରାମ ମଧ୍ୟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ଦୁର୍ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ତୁମୁରାପୁଟ ପଞ୍ଚାୟତ ମୁକ୍ତାଦେଇପୁର ଗ୍ରାମ କେଦାର ସାହୁଙ୍କ ପୁଅ ମିଥୁନ ସାହୁ (୨୨) ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ମିଥୁନ ୩ ଦିନ ପୂର୍ବେ ବିଦେଶରୁ ଫେରିଥିଲେ। ଗତକାଲୀ ବିଳମ୍ବିତ ରାତିରେ ନିଜ ଆପାଚୀ ବାଇକ ଯୋଗେ ବାଣପୁରରୁ ଗ୍ରାମକୁ ଫେରୁଥିଲେ। କିନ୍ତୁ କାୟାତୋଟା ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବିଦ୍ୟୁତ ଖୁଣ୍ଟ ୩ ଖଣ୍ଡ ହୋଇ ତାଙ୍କ ଉପରେ ପଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଏ ନେଇ ସ୍ଥାନୀୟ ଜନସାଧାରଣ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ଉଭୟ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପୋଲିସ ତଦନ୍ତ ଜାରିରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଳମ୍ବିତ ରାତ୍ରିରେ ଘର ପୋଡ଼ିଦେବା ଅଭିଯୋଗରେ ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଜନୈକ ମହିଳାଙ୍କ ଘରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ ବଖରା ଘର ପୋଡ଼ି ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଣପୁର ଥାନାରେ ଉକ୍ତ ଗ୍ରାମର ଝୁମୁରି ନାୟକ ଏଭଳି ଅଭିଯୋଗ କରିଛନ୍ତି।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଉକ୍ତ ଅଗ୍ନିକାଣ୍ଡରେ ଜଗମୋହନ ନାୟକ ନାମକ ଯୁବକ ଜଡ଼ିତ ଥିବା ଝୁମୁରି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ପରିପ୍ରେକ୍ଷୀରେ ପୋଲିସ ଜଗମୋହନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ବାଣପୁର ସବ ଜେଲରେ ଥିବା ବେଳେ ଆଜି ତାଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ବିଧାୟକଙ୍କୁ ଏକ ପୂର୍ବତନ ମାମଲାରେ ଜାମିନ ମିଳିଛି। ବିଧାୟକଙ୍କୁ ବାଣପୁର ସହକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜିଆର କେଶ ନମ୍ବର ୭୨/୨୨ ତଥା ବାଣପୁର ଥାନା କେଶ ନମ୍ବର ୮୧/୨୨ ରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି।

ସୂଚନା ଥାଉକି ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ଦିନ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କୁ ଦୁର୍ବୁତ୍ତ ମାନେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଭାଙ୍ଗିଦେଇଥିଲେ। ଏଥି ନିମନ୍ତେ ଜିତେନ୍ଦ୍ରଙ୍କ ଭାଇ ପ୍ରଦୀପ ଭୋଳ ଉକ୍ତଦିନ ରାତିରେ ବାଣପୁର ଥାନାରେ ଏତଲା ଦେବା ପାଇଁ ଯାଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଥାନା ପରିସରରେ ତାଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ପୋଲିସ କେଶ ନମ୍ବର ୮୧/୨୨ ରେ ମାମଲା ରୁଜୁ କରାଯାଇଥିଲା, ଯେଉଁଥିରେ ୧୫ ନମ୍ବର ଅଭିଯୁକ୍ତ ଭାବେ ଚିଲିକା ବିଧାୟକ ଥିଲେ।

ବିଧାୟକଙ୍କ ଓକିଲ ପକ୍ଷରୁ ଉକ୍ତ କେଶରେ ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ବିଚାରପତି ତାହାକୁ ଖାରଜ କରିଦେଇଥିଲେ। ଏହାପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ହୋଇଥିଲା। ବିଧାୟକଙ୍କ ପକ୍ଷରୁ ଉକ୍ତ ମାମଲାକୁ ଆଇନଜୀବୀ ସୁଧୀର ପ୍ରଧାନ, ଜଗନ୍ନାଥ ଭୋଳ ଏବଂ ରଞ୍ଜନ ବେଦମତ୍ତା ପରିଚାଳନା କରୁଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଗଡିଲା ଶିକ୍ଷା ସଚେତନତା ରଥ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଜି ଶିକ୍ଷା ସଚେତନତା ରଥ ଗଡିଛି। ଉକ୍ତ ରଥକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବାଣପୁର ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉକ୍ତ ରଥଟି ବାହାରି ଏନଏସି, ଭୀମପୁର ଏବଂ ପଦନପୁର ଆଦି ତିନି ଗୋଟି କ୍ଲଷ୍ଟର ଅତିକ୍ରମ କରିଛି।

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଣି ବିଦ୍ୟାଳୟ ମୁହାଁ କରିବା ପାଇଁ ସଚେତନତାର ବାର୍ତ୍ତା ନେଇ ଉକ୍ତ ରଥ ପରିକ୍ରମା କରୁଛି। କରୋନା ସମୟରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ବନ୍ଦ ଥିବାରୁ ମୁଖ୍ୟତଃ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏକରକମର ବିଦ୍ୟାଳୟରୁ ମୁହଁ ଫେରାଇଦେଇଥିବାରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ଲକରେ ଏପରି ପଦକ୍ଷେପ ହାତକୁ ନିଆଯାଇଛି।

ତେବେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ଏହି ରଥ ବାଣପୁର ବ୍ଲକର ସମସ୍ତ ୧୨ ଗୋଟି କ୍ଲଷ୍ଟର ପରିକ୍ରମା କରିବ ବୋଲି ବିଇଓ ସନାତନ ଜାଲି କହିଛନ୍ତି। ତତସହିତ ଉକ୍ତ ଅଭିଯାନ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ନିଜ ପିଲାମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ପଠାଇବା ପାଇଁ ଅନୁରୋଧ କରାଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଇଓ ସନାତନ ଜାଲି, ବ୍ଲକର ସମସ୍ତ ବିଆରସିସି, ସିଆରସିସି, ଏବିଇଓ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ବାଣପୁରରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ: ବନ୍ଧୁକ ଦେଖାଇ ଦୁଇ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଇ ଲୁଟ କରାଯାଉଛି। ତେବେ ବିଗତ ଦିନରେ ମଧ୍ୟ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ଏକାଧିକ ଲୁଟ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତଦନ୍ତ ପରେ କେତେକ ମାମଲା ଖୋଦ କର୍ମଚାରୀଙ୍କ ଦ୍ୱାରା ପୂର୍ବ ପ୍ରାୟୋଜିତ ବୋଲି ଜଣାପଡିଥିଲା। ଏଥି ନିମନ୍ତେ ଏପରି ଧରଣର ଲୁଟ ଅଭିଯୋଗକୁ ପୋଲିସ ସହଜରେ ଭରଷାକୁ ନେଉନାହିଁ।

ନିକଟରେ ବାଲୁଗାଁ ଏବଂ ବାଣପୁରରେ ଏହିପରି ଦୁଇ ଦୁଇଟି ଲୁଟ ହୋଇଥିବା ବେଳେ ଅଦ୍ୟାବଧି ପୋଲିସ ତାହାର ନିଷ୍କର୍ଷକୁ ପହଂଚିପାରିନି। ତେବେ ଆଜି ଏକ ଘରୋଇ ଅର୍ଥଲଗାଣ କାରି ସଂସ୍ଥାର କର୍ମଚାରୀଙ୍କ ନିକଟରୁ ବନ୍ଧୁକ ମୁନରେ ସମାନ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବାଣପୁର ଥାନା କୋଷରଡ଼ା ଗ୍ରାମରେ ଏହି ଲୁଟ ହୋଇଛି।

ଖବର ମୁତାବକ ବାଲୁଗାଁ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀ ଆନନ୍ଦ ଜେନା ଏବଂ ମାମା ସାହୁ ଏକ ସ୍କୁଟି ଦ୍ୱାରା ଆଜି ପୂର୍ବାହ୍ନରେ କୋଷରଡ଼ା ଗ୍ରାମକୁ ଟଙ୍କା ଆଦାୟ ପାଇଁ ଯାଇଥିଲେ। କିନ୍ତୁ ମିଟିଙ୍ଗ ସାରି ୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରି ଅପରାହ୍ନ ୩ ଘଟିକାରେ ଭବାନୀପୁର ପଞ୍ଚାୟତ ମିଟିଙ୍ଗ ପାଇଁ ଯାଉଥିବା ବେଳେ କୋଷରଡ଼ା ଗ୍ରାମରୁ ୨୦୦ ମିଟର ଆଗରେ ଚାରି ଜଣ ଯୁବକ ପୁର୍ବରୁ ରୋଡ଼ର ଉଭୟ ପାର୍ଶ୍ୱରେ ସାଧାରଣ ଲୋକଙ୍କ ପରି ବାଇକ ସାଇଡ କରି ଠିଆ ହୋଇଥିଲେ।

ହଠାତ ସେମାନେ ଉଭୟ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ଥିବା ବ୍ୟାଗ ଏବଂ ମହିଳା କର୍ମଚାରୀଙ୍କ ମୋବାଇଲ ଲୁଟି କୋଷରଡ଼ା ଗ୍ରାମ ଅଭିମୁଖେ ବାଇକରେ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଉକ୍ତ ଖବର ପାଇ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କ ଟେର ପାଇନଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଭାରତ ଫାଇନାନ୍ସ ମ୍ୟାନେଜର ପହଞ୍ଚିଥିବା ବେଳେ ପୋଲିସ ଏଯାବତ ପହଞ୍ଚି ନଥିବା ଜଣାପଡିଛି। ତେବେ ବାରମ୍ବାର ବାଣପୁର ବାଲୁଗାଁ ଅଞ୍ଚଳରେ ଏପରି ଲୁଟ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଘରୋଇ ଅର୍ଥଲଗାଣକାରି ସଂସ୍ଥା ଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ଅଟକ ରଖିଥିବାର ଦେଖିବାକୁ ମିଳିଛି।

ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଆଜି ଅପରାହ୍ନରେ କୁଲେଇ ପଞ୍ଚାୟତର ଜନୈକ ନାବାଳିକା ଗମ୍ଭାରୀମୁଣ୍ଡା ଅଞ୍ଚଳକୁ ଟ୍ୟୁସନ କରିବାକୁ ଯାଉଥିଲେ। ହେଲେ ରାସ୍ତାରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଜୋରଜବରଦସ୍ତ ଉଠାଇ ନେଇଯାଇଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଗ୍ରାମବାସୀ ଏକାଠି ହୋଇ ନାବାଳିକାକୁ ଉଦ୍ଧାର କରିଥିଲେ ଏବଂ ସମ୍ପୃକ୍ତ ଯୁବକଙ୍କୁ ଗ୍ରାମ ମଝି ଖୁଣ୍ଟରେ ବାନ୍ଧି ଅଟକ ରଖି ବହେ ଛେଚିଥିଲେ।

ତେବେ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଓ ଗମ୍ଭାରିମୁଣ୍ଡା ବିଟ ହାଉସ ଅଧିକାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Categories
ଆଞ୍ଚଳିକ

ବାଣପୁର: ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଉଦ୍‌ଘାଟନ ଉତ୍ସବରେ ବରିଷ୍ଠ ଅଧ୍ୟାପକ ସର୍ବେଶ୍ୱର ଷଡଙ୍ଗୀ, ମନୋଜ କୁମାର ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ଦାସ, କଲ୍ୟାଣୀ ବୈରୀଗଞ୍ଜନ, ରୋଜାଲିନ ଦାସ ପ୍ରମୁଖ ଯୋଗ ଦେଇ ଆତ୍ମ ରକ୍ଷା କୌଶଳ ସମ୍ପର୍କ ରେ ଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।

ଶାରୀରିକ କ୍ରୀଡା ଶିକ୍ଷକ ବିଭୂଧେନ୍ଦୁ ମାନସିଂହଙ୍କ ତତ୍ୱାବଧାନରେ ଉକ୍ତ ଆତ୍ମରକ୍ଷା କୌଶଳ ଶିବିର ଦୀର୍ଘ ଆଠ ଦିନ ଧରି ଚାଲିବ ବୋଲି ମହାବିଦ୍ୟାଳୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।

ଏହି ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଉକ୍ତ ପ୍ରଶିକ୍ଷଣ ନିମନ୍ତେ ପ୍ରକାଶିତ ପୁସ୍ତକ ‘ରିଆକ୍ଟ’ ଛାତ୍ରୀମାନକୁ ବଣ୍ଟନ କରାଯାଇଥିଲା। ପରିଶେଷରେ ଶାରୀରିକ କ୍ରୀଡା ଶିକ୍ଷକ ଶ୍ରୀ ମାନସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ‘ଆହାର’ କେନ୍ଦ୍ର ପରିଦର୍ଶନ କଲେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ଯୁଗାନ୍ତକାରି ଯୋଜନା ‘ଆହାର’ ର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ‘ଆହାର’ କେନ୍ଦ୍ର ପରିଦର୍ଶନ କରିଛନ୍ତି ଅଧ୍ୟକ୍ଷ ମିଟୁ ନାୟକ। ଶ୍ରୀ ନାୟକ ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କୁ ଭୋଜନ ପରିବେଷଣ କରିଥିଲେ ଏବଂ ସେମାନଙ୍କ ସହ ବସି ଭୋଜନ ମଧ୍ୟ କରିଥିଲେ।

ଖାଦ୍ୟର ମାନ ଯାଞ୍ଚ କଲା ପରେ ଏଥିରେ ସନ୍ତୁଷ୍ଟ ହେବା ସହ ଆହାର କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ୱଳ୍ପ କାଉନସିଲର, ବିଜେଡି କର୍ମୀ ଏବଂ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅଧ୍ୟକ୍ଷ କେକ୍ କାଟି ଆହାର କେନ୍ଦ୍ରର ସପ୍ତମ ବର୍ଷ ପୂର୍ତ୍ତି ଦିବସ ମଧ୍ୟ ପାଳନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।  ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଞ୍ଚଳର ୧୨ ଜଣ ଯାତ୍ରୀଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ଗତକାଲି ପୁରି ଯାଇଥିବାବେଳେ ଆଜି ଭୋରରୁ ଗଞ୍ଜାମ ଫେରୁଥିଲା।  ତେବେ ବେଲପଡ଼ା ଛକ ନିକଟରେ ଟ୍ରାଭେରାଟି ପୁର୍ବରୁ ଛିଡା ହୋଇଥିବା ଏକ ଆଇଚର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରାଭେରାର ସମ୍ମୁଖ ପାର୍ଶ୍ୱ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଥାନା ଡେଙ୍ଗାପଦର ଗ୍ରାମର ଶିଶିର ଡାକୁଆ (୬୨)। ଗାଡ଼ିରେ ୪ ଜଣ ମହିଳା, ୩ ପୁରୁଷ, ଚାରି ଜଣ ବାଳକ ବାଳିକା ଏବଂ ଜଣେ ୧୦ ମାସର ଶିଶୁ ଥିବା ଜଣାପଡିଛି।

ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ବାଲୁଗାଁ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ବେଳେ ଦୁର୍ଘଟଣାରେ ଜଡ଼ିତ ଥିବା ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ଉଭୟ ଗାଡ଼ି ଓ ଶବ ଜବତ କରି ତଦନ୍ତ ଜାରି ରଖିଛି।