ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା: ଆରମ୍ଭ ହେଲା ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା

Published: Feb 7, 2024, 7:20 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା। ସହରରେ ଡ୍ରେନେଜ ନିର୍ମାଣ ନେଇ ଆଶା ଉଜ୍ଜୀବିତ ହୋଇଛି। ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ତହସିଲ ଓ ଏନଏସି ପକ୍ଷରୁ ମୁଖ୍ୟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଥମ ଦିନରେ ବାଣପୁର ରଘୁନାଥ ସାହି ଦୋଳବେଦୀ ଛକଠାରୁ ନେହେରୁ ସେବା ସଂଘ ପର୍ଯ୍ୟନ୍ତ ସରକାରୀ ସ୍ଥାନ ଚି଼ହ୍ନଟ ହୋଇଥିବା ଜଣାପଡିଛି। ଆସନ୍ତାକାଲି ପୁନଶ୍ଚ ଅବଶିଷ୍ଟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ କରାଯିବ। ଚି଼ହ୍ନଟ ପରେ ଡ୍ରେନ ନିର୍ମାଣ ପାଇଁ ଜବରଦଖଲ ସ୍ଥାନ ମୁକ୍ତ କରାଯିବ ଏବଂ ଡ୍ରେନ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।

ତେବେ ଡ୍ରେନକୁ ମିଶାଇ ୯ ମିଟର ପର୍ଯ୍ୟନ୍ତ ସରକାରୀ ରୋଡକୁ ଜବରଦଖଲ ମୁକ୍ତ କରାଯିବ ବୋଲି ତହସିଲଦାର ଶ୍ରୀ ଦୋରା କହିଛନ୍ତି। ସୂଚନା ଥାଉକି ବାଣପୁର ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଜଳମଗ୍ନ ହୋଇଉଠୁଛି ସମ୍ପୂର୍ଣ୍ଣ ସହର। ଫଳରେ ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ଯାହାଦ୍ୱାରା ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନୁରୂପଭାବେ ବାଣପୁର ଏନଏସି ୧୦ ନମ୍ବର ୱାର୍ଡରେ ବିନା ଡ୍ରେନେଜ ବ୍ୟବସ୍ଥାରେ ରୋଡ ନିର୍ମାଣକୁ ବିରୋଧ କରି ନିକଟରେ ଉଚ୍ଚ ନ୍ୟାୟାଳୟରେ ଜନୈକ ଆଇନଜୀବୀ ଏକ ରିଟ ପିଟିସନ ମଧ୍ୟ ଦାୟର କରିଥିଲେ। ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ବାଣପୁର ଗସ୍ତ ସମୟରେ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇଥିଲେ ଏବଂ ଡ୍ରେନେଜ ନିର୍ମାଣ ପାଇଁ ତୁରନ୍ତ ସରକାରୀ ସ୍ଥାନ ଜବରଦଖଲ ମୁକ୍ତ କରିବା ପାଇଁ ସ୍ଥାନୀୟ ତହସିଲ ଏବଂ ଏନଏସି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Related posts