Categories
ଆଞ୍ଚଳିକ

ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାର୍ଯ୍ୟ ପାଇଁ ନୂତନ ବିଧାୟକ ପ୍ରତିନିଧି ଚୟନ

ସମୀକ୍ଷା ବ୍ୟୁରୋ

ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ମନୋନୀତ ହୋଇଥିବା ଅଜୟ କୁମାର ଦାସ ପୂର୍ବରୁ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସଫଳତାର ସହ ଏହି ଦାୟିତ୍ବ ନିର୍ବାହ କରିଥିବାବେଳେ ଏହି ନୂତନ କାର୍ଯ୍ୟକୁ ବେଶ୍‌ ସୂଚାରୁରୂପେ ସମ୍ପନ୍ନ କରିବେ ବୋଲି ଆଶା କରାଯାଉଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ଅରାଙ୍ଗ ନାରାୟଣୀ ବିଦ୍ୟାପୀଠ ପରିସରରେ ‘ବିଶ୍ବ ଏଡସ୍‌ ଦିବସ’ ପାଳିତ

ସମୀକ୍ଷା ବ୍ୟୁରୋ

ବାଣପୁର, ୧/୧୨: ଡିସେମ୍ବର ୧ ତାରିଖ ବିଶ୍ବ ଏଡସ୍‌ ଦିବସ ଅବସରରେ ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ବିଦ୍ୟାଳୟ ପରିସରେ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଲେବଲ୍‌ ସର୍ଭିସ୍‌ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବଜଜ୍‌ ତଥା ଆସିଷ୍ଟାଣ୍ଟ୍‌ ସେସନ୍‌ ଜଜ୍‌ ଦିଲ୍ଲୀପ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ତାଲୁକ୍‌ ଲେବଲ୍‌ର ସର୍ଭିସ୍‌ କମିଟିର ପାରାଲେବଲ୍‌ ଭଲେଣ୍ଟିଆର୍‌ ରାଜକିଶୋର ରଥ, ଗୋଦାବରୀଶ ସାହୁ, ଏସ୍‌ ମଇନୁଉଲ୍ଲ ହକ୍‌, ଲିଗାଲ୍‌ ସେଲ୍‌ର ସଦସ୍ୟ ଜଗଦୀଶ ପଟ୍ଟନାୟକ, ଏକତା ପରିଷଦର ମ୍ୟାନେଜିଂ ଟ୍ରଷ୍ଟ ତଥା ଲିଗାଲ୍‌ ସେଲ୍‌ ସଦସ୍ୟା ସନ୍ଧ୍ୟାରାଣୀ ଦେବୀ, ଅରଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ପାଣିଗ୍ରାହୀ, ସହକାରୀ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ଅରାଙ୍ଗ ପଞ୍ଚାୟତର ସରପଞ୍ଚ ଆଶାମଣି ସାହୁ, ଅରାଙ୍ଗ ଅଙ୍ଗନଓ୍ବାର୍ଡି କର୍ମୀ, ଧୂଆଁନଳି ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାହୁ, ବିଦ୍ୟାଳୟ ମ୍ୟାନେଜିଂ କମିଟିର ସଭାପତି ସାଗର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଅରାଙ୍ଗ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଏଡ୍‌ସ୍‌ ରୋଗର ଭୟାବହତା ତଥା ସଚେତନତା ସମ୍ପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ରବି ନାରାୟଣ ସାହୁ, ସୌଭାଗ୍ୟ ଜାନି ଅଞ୍ଚଳର ମହିଳା ସ୍ବୟଂସହାୟକ ଗୋଷ୍ଠୀ ସମେତ ବହୁ ବୁଦ୍ଧିଜୀବୀ ତଥା ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ।

Categories
ଆଞ୍ଚଳିକ

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାରରୁ ଚୋରି: ପୋଲିସ୍‌କୁ ସିଧା ଚ୍ୟାଲେଞ୍ଜ

ସମୀକ୍ଷା ବ୍ୟୁରୋ

ବାଣପୁର, ୧/୧୨: ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଧୀନ ନାଚୁଣୀ ବଜାରରୁ ଶନିବାର ଦିନ ଦ୍ବିପ୍ରହରରେ ଚୋରି ହୋଇଛି। ନାଚୁଣୀ ବଜାର ମଧ୍ୟସ୍ଥଳରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଆଲମାରୀ ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାରମାନ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାଚୁଣୀ ବଜାରରେ ରହୁଥିବା ଗୋତପଲ୍ଲୀ ଗ୍ରାମର ଭାଗିରଥୀ ରାଉତରରାୟ ନାମକ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଛି। ଶନିବାର ଦିନ ଦ୍ବିପ୍ରହରରେ ଭାଗିରଥୀ ତାଙ୍କ ପତ୍ନୀଙ୍କ ସହିତ ପାଣ୍ଡବାଶୁଣୀ ମନ୍ଦିରରେ ମାନସିକ ଭୋଜିରେ ବ୍ୟସ୍ତ ଥିବାବେଳେ ତାଙ୍କ ଘର ମୁଖ୍ୟ ଦରଜା ଓ ଆଲମାରୀ ଖୋଲାଥିବା ସମ୍ପର୍କରେ ତାଙ୍କ ନାବାଳକ ପୁତ୍ର ମା’ ବାପାଙ୍କୁ ସୂଚନା ଦେଇଥିଲେ। ସଙ୍ଗେ ସଙ୍ଗେ ଭାଗିରଥୀ ଓ ତାଙ୍କ ସ୍ତ୍ରୀ ଘରକୁ ଆସି ଦେଖିବା ପରେ ତାଙ୍କ ଘର ତାଲା ଭଙ୍ଗାଯାଇଥିଲା ଓ ଆଲମାରିରୁ ନଗଦ ଟଙ୍କା ଏବଂ ସୁନାଅଳଙ୍କାର ଲୁଟ୍‌ ହୋଇଥିବାର ଜାଣିଥିଲେ। ଏବଂ ଏ ସମ୍ପର୍କରେ ସେ ତୁରନ୍ତ ନାଚୁଣୀ ଫାଣ୍ଡିରେ ଅଭିଯୋଗ କରିଥିଲେ।

ଦିନ ଦ୍ବିପ୍ରହରରେ ନାଚୁଣୀ ବଜାର ମଧ୍ୟରେ ଏଭଳି ଘଟଣା ଘଟିଥିବାରୁ ଏହା ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ସମ୍ପୃକ୍ତ ଅଭିଯୋଗକାରୀଙ୍କ ଘରେ ନଅଟି ପରିବାରକୁ ଭଡ଼ା ଦିଆଯାଇଥିବାବେଳେ ଦିନବେଳେ ଏପରି ବଡଧରଣର ଲୁଟ୍‌କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏହି ଘଟଣାର ବାଣପୁର ଥାନା ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ଵରେ ନାଚୁଣୀ ଫାଣ୍ଡି ପୁଲିସ୍‌ ଅଧିକାରୀ ଉମାକାନ୍ତ ସାହୁ ତଦନ୍ତ କରୁଛନ୍ତି। ଏପର୍ଯ୍ୟନ୍ତ ଲୁଟେରା କିମ୍ବା ଲୁଟ୍‌ ଦ୍ରବ୍ୟ ଉଦ୍ଧାର ହୋଇପାରିନାହିଁ।

Categories
ଆଞ୍ଚଳିକ

ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ନେଇ ଏବିଭିପିର ସାଇକେଲ ଶୋଭାଯାତ୍ରା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମୀକ୍ଷା ବ୍ୟୁରୋ

ବାଣପୁର,୨୮/୧୧ : ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବାଣପୁର-ବାଲୁଗାଁ ନଗର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ପୁରୀ ସାଂସଦ, ଚିଲିକା ବିଧାୟକ, ସ୍ବାସ୍ଥ୍ୟ ସଚିବ, ୫ଟି ସଚିବ, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏବଂ ବାଣପୁର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନିକଟକୁ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ସମ୍ବଳିତ ଏକ ଦାବିପତ୍ର ପଠାଯାଇଛି। ଏହା ସହିତ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବାର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ ରହିଛି। ୧୮୬୪ ମସିହା ବ୍ରିଟିଶ୍‌ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା। କିନ୍ତୁ ବାଣପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦେଉଥିବାବେଳେ ସରକାରୀ ଆଢୁଆଳରେ ରହିଛି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସରକାରଙ୍କ ୫ଟି ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଅର୍ଥ ବିନିଯୋଗ ହେଉଥିବାବେଳେ ବାଣପୁରରେ ଏହା ଫଳଶୂନ୍ୟ।

ଏବିଭିପିର ରାଜ୍ୟ ଏସ୍‌ଏଫଡ଼ି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରଓ୍ବାଲ ଏବଂ ନଗର ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିକାଶ କୁମାର ସେଠୀଙ୍କ ନେତୃତ୍ବରେ ଶତାଧିକ ଛାତ୍ର ଏହି ସାଇକେଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ବ୍ୟତୀତ ବାଣପୁରର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ରାଧାକ୍ରିଷ୍ଣ ରାମ ଏବଂ ସହଦେବ ନାୟକ, ଡାକ୍ତର ସୁଧାଂଶୁ ମିଶ୍ର, ୧୩ ନଂ ଜୋନ୍‌ ଜିଲ୍ଲାପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ, ବାଣପୁର ବାର ଆସୋସିଏସନ୍‌ ସଭାପତି ବୃନ୍ଦାବନ ପ୍ରଧାନ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଡାକ୍ତରଖାନାରେ ରହିଥିବା ପ୍ରମୁଖ ସମସ୍ୟା :

ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି।

୧୦ ବର୍ଷର ଉର୍ଦ୍ଧ୍ବ ହେବ ଏକ୍ସରେ ବିଭାଗ ଅଚଳ ହୋଇପଡିଛି।

ଏଠାରେ ୯ଟି ବିଭାଗର ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ଦୁଇଜଣ ଠିକା ଡାକ୍ତର ରହିଛନ୍ତି।

ଏଠାରେ କେବଳ ସ୍ତ୍ରୀରୋଗ ବିଶେଷଜ୍ଞରେ ଠିକା ଡାକ୍ତର ରୂପେ ଡ. ମହାରଣା ରହିଥିବାବେଳେ ଅନ୍ୟ ୮ଟି ବିଶେଷଜ୍ଞ ପଦବୀ ଖାଲି ରହିଛି।

ସେହିପରି ଏଠାରେ ୧୨ ଜଣ ଷ୍ଟାଫ ନର୍ସ ରହିଥିବାର ନିୟମ ଥିବାବେଳେ ମାତ୍ର ୨ ଜଣ ନର୍ସ ରହିଛନ୍ତି।

ସ୍ବଚ୍ଛତା ଓ ସୁରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ପାଚେରୀ ଭଙ୍ଗାଯାଇଥିବା କାରଣରୁ ଅବାଧରେ ପଶୁ ଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯା’ଆସ କରୁଛନ୍ତି।

ପ୍ରତି ଓ୍ବାର୍ଡରେ ମଶା ମାଛିଙ୍କ ଉପଦ୍ରବ ହେଉଥିବାବେଳେ ଏହାର ମୁଖ୍ୟଫାଟକ ଅଧାଦିନ ବନ୍ଦ ରହୁଛି। ଯାହାଫଳରେ ରୋଗୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯିବା ପାଇଁ ବୁଲି ବୁଲି ଯାଉଛନ୍ତି।

ଏଠାରେ ଷ୍ଟାଫ୍‌ ନର୍ସ ଓ ଡାକ୍ତରଙ୍କ ପାଇଁ ଷ୍ଟାପ୍‌ କ୍ବାର୍ଟସ୍‌ ନାହିଁ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

ବାଣପୁର, ୨୬/୧୧: (ସମୀକ୍ଷା ବ୍ୟୁରୋ) : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ୬ ବାଟାଲିଅନ ଓଡିଶା, ପୁରୀ ଅଧୀନରେ ଥିବା ଉକ୍ତ ଏନ.ସି.ସି କେନ୍ଦ୍ରର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲେଫ୍ଟନାଣ୍ଟ ଗୁରୁ କିଶୋର ନାୟକ ଯୋଗ ଦେଇଥିବାବେଳେ ସିନିଅର ଅଣ୍ଡର ଅଫିସର ମନୋଜ ମଲିକ, ଜୁନିଅର ଅଣ୍ଡର ଅଫିସର ସମୀର ସ୍ୱାଇଁ ଓ ସମୁଦାୟ ଷାଠିଏ ଜଣ କାଡେଟ ଏହି ସମାରୋହର ଯୋଗଦାନ କରିଥିଲେ। ଏକତା ଓ ଅନୁଶାସନ ସଫଳତାର ଚାବିକାଠି ଓ ଜଣେ ସାଧାରଣ ବିଦ୍ୟାର୍ଥୀକୁ ଏହା ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ କରିପାରେ ବୋଲି ମୁଖ୍ୟ ଅତିଥି ମନ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ପ୍ରତ୍ୟେକ କାଡେଟର ମୂଳ ଲକ୍ଷ୍ୟ ଦେଶ ସେବା ତଥା ସମାଜର ଉନ୍ନତି ନିମନ୍ତେ ନିଜକୁ ବ୍ରତୀ କରିବା ଦରକାର ବୋଲି କହିଥିଲେ। ପରିଶେଷରେ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ବାଣପୁର ସହରାଞ୍ଚଳରେ ‘ବେଟି ବଚାଓ ବେଟି ପଢ଼ାଓ’ ସଚେତନତା ଅଭିଯାନ କରାଯାଇଥିଲା, ଯାହା ଅଞ୍ଚଳବାସୀଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା।

Categories
ଆଞ୍ଚଳିକ

ଅବେହଳିତ ଅବସ୍ଥାରେ ଓଡ଼ିଶାର ଅନ୍ୟତମ ପୁରାତନ ବିଦ୍ୟାଳୟ; ବାଣପୁରର ଗୋଦାବରୀଶ ବିଦ୍ୟାପୀଠ

ସମୀକ୍ଷା ବ୍ୟୁରୋ

ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟ ଆଜି ବିିଭିନ୍ନ ସମସ୍ୟାଘେରରେ। ୧୯୩୦ ମସିହା ବ୍ରିଟିଶ୍‌ ଅମଳରେ ଓଡ଼ିଶାର ବାଣପୁରଠାରେ ସ୍ଥାପିତ ହୋଇଥିବା ଗୋଦାବରୀଶ ବିଦ୍ୟାପୀଠ ହେଉଛି ଓଡ଼ିଶାର ପ୍ରଥମ ବିଦ୍ୟାଳୟ। ୮୯ବର୍ଷର ଏହି ସର୍ବପୁରାତନ ବିଦ୍ୟାଳୟଟି ଆଜି ଅବହେଳିତ ଅବସ୍ଥାରେ। ଏହି ବିଦ୍ୟାଳୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପାଠ ପଢି ଭାରତର ବିଶିଷ୍ଟ ପଦ ପଦବୀରେ ଅବସ୍ଥାପିତ ହୋଇ ଆମ ଜାତିର ଟେକ ରଖିଥିବାବେଳେ ସେହି ବିଦ୍ୟାଳୟ ଆଜି ସମସ୍ୟାଘେରରେ। ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର, ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଦୀପକ ମିଶ୍ର,  ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିଦ୍ୟାଳୟରେ ପାଠ ପଢିଥିବାବେଳେ ଅନେକ ଆଇଏଏସ୍‌ ଓ ଓଏଏସ୍‌ ଏହି ବିଦ୍ୟାଳୟରୁ ପାଠ ପଢିଛନ୍ତି। ଶିକ୍ଷାଦାନର ଅନନ୍ୟ ନିଦର୍ଶନ ସ୍ବରୂପ ଏହି ବିଦ୍ୟାଳୟଟି ମଣିଷ ତିଆରି କାରଖାନା ରୂପେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା, ମାତ୍ର ସରକାରୀ ଉଦାସୀନତା କାରଣରୁ ଏହି ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।

ବିଦ୍ୟାଳୟର ପ୍ରମୁଖ ସମସ୍ୟା

– ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାବେଳେ ତାଙ୍କ ସ୍ଥାନରେ ବିଜ୍ଞାନ ଶିକ୍ଷକ ଭଞ୍ଜ କିଶୋର ସାହୁ ଅନ୍ତରୀଣ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି।

– ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକଙ୍କ ପଦବୀ ଖାଲି ରହିଛି। ୯ ବର୍ଷ ଧରି ହିନ୍ଦୀ ଶିକ୍ଷକ ପଦବୀ ଖାଲି ରହିଥିବାବେଳେ ତିନି ବର୍ଷ ଧରି ସଂସ୍କୃତ ଶିକ୍ଷକ ପଦବୀ, ୧୧ ବର୍ଷ ଧରି ଖେଳ ଶିକ୍ଷକ ପଦବୀ ଖାଲି ରହିଛି। କେବଳ ଶିକ୍ଷକ ପଦବୀ ନୁହେଁ ବିଦ୍ୟାଳୟରେ ମୁଖ୍ୟ ସ୍ଥାୟୀ କିରାଣୀ ପଦବୀ ମଧ୍ୟ ୫ ବର୍ଷ ଧରି ଖାଲି ପଡ଼ିଛି। ଆସନ୍ତା ୩ ମାସ ମଧ୍ୟରେ ବିଦ୍ୟାଳୟରେ ରହିଥିବା ତିନୋଟି ପିଅନ ମଧ୍ୟରୁ ଗୋଟିଏ ପିଅନ ପଦବୀ ଖାଲି ହୋଇଯିବ।

– ସେହିପରି ବିଦ୍ୟାଳୟରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ।

– କମ୍ପ୍ୟୁଟର ଶିକ୍ଷକଙ୍କ ପଦବୀ ଖାଲି ରହିଛି ।

-ସହରର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ହେବା ପରେ ବିଦ୍ୟାଳୟ ଖେଳ ପଡ଼ିଆଟି ବିପର୍ଯ୍ୟସ୍ତ ହୋଇପଡିବାରୁ, ଖେଳ ପଡ଼ିଆଟି ଆଉ ବିଦ୍ୟାଳୟପଯୋଗୀ ହୋଇପାରୁନାହିଁ।

ସରକାର ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ବେଶ୍‌ ଉନ୍ନତିମୂଳକ ପଦକ୍ଷେପ ନେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଏହି ବିଦ୍ୟାଳୟକୁ ଅଣଦେଖା କରିବା ଅତ୍ୟନ୍ତ ନିନ୍ଦନୀୟ। ଗତବର୍ଷ ପୂର୍ବତନ ଉଚ୍ଚ ନ୍ୟାୟାଳୟର ବିଚାରପତି ଦୀପକ ମିଶ୍ର ସ୍କୁଲ ପରିଦର୍ଶନରେ ଆସି କିଛି ସାହାଯ୍ୟ କରିଥିଲେ, ଯାହା ସମୁଦ୍ରକୁ ଶଙ୍ଖେ ପରି। ତେବେ ରାଜ୍ୟସରକାର ଓଡ଼ିଶାର ସର୍ବପୁରାତନ ବିଦ୍ୟାଳୟର ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କରିବା ଦିଗରେ ହାତ ବଢାଇବା ଆଜିର ଦିନରେ ଆବଶ୍ୟକ ହୋଇପଡିଛି। ସରକାର ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି। ଏହି ସର୍ବପୁରାତନ ଶିକ୍ଷାନୁଷ୍ଠାନକୁ ସରକାରୀ ସାହାଯ୍ୟ ମିଳିବା ଲାଗି ସାଧାରଣରେ ଦାବି ହେଉଛି ।