Categories
ଆଞ୍ଚଳିକ

ବାଲୁଗାଁ: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ବାଲୁଗାଁ: ଆଜି ଅପରାହ୍ନରେ ୫ନଂ ଜାତୀୟ ରାଜପଥ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଇଂଜନପୁର ଛକ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ମିନିଛିନିପାଟଣା ଗ୍ରାମର ଅର୍ଜୁନ ବେହେରା (୩୮) ବ୍ୟବସାୟ ନିମନ୍ତେ ନିଜ ବାଇକ ଯୋଗେ ବାଲୁଗାଁ ମାଛ ଗୋଦାମକୁ ମାଛ କିଣିବାକୁ ଆସୁଥିବା ବେଳେ ଇଂଜନପୁର ଛକ ନିକଟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ବାକୁଟଗାଁର ପଙ୍କଜ ସାହୁ (୨୮) ବାଲୁଗାଁରୁ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ବାଇକ ଆରୋହିଙ୍କ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଅଚେତ ଅବସ୍ଥାରେ ପଡିରହିଥିଲେ।

ଖବର ପାଇ ଦୁର୍ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରୁ ପୋଲିସ ଦୁର୍ଘଟଣା ଗ୍ରସ୍ତ ଦୁଇଟି ବାଇକ ଜବତ କରିବାସହ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର: ୨୫୦ ଲିଟର ଚୋରା ଦେଶୀ ମହୁଲି ଜବତ, ଅଭିଯୁକ୍ତ ଗିରଫ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ପାଟ୍ରୋଲିଂ କରୁଥିବା ବେଳେ ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ଏକ ମୋଟର ସାଇକେଲ (ଗାଡି ନଂ ଓଡି ୦୨ ବିଜି ୬୩୧୦) ଦ୍ରୁତ ଗତିରେ ଯାଉଥିବା ଦେଖି ତାର ପିଛା କରିଥିଲେ। ନିକଟରେ ଥିବା ମେଘାମ୍ବରି ମନ୍ଦିର ଠାରେ ଅଟକାଇ ଥିବାବେଳେ ଗାଡି ପଛରେ ଏକ ବସ୍ତା ବନ୍ଧାଯାଇଥିବା ଦେଖି ତଲାସୀ ନେବାରୁ ସେଥିରୁ ୫୦୦ ପ୍ୟାକେଟ ମହୁଲି (୨୫୦ ଲିଟର) ମହୁଲି ସମେତ ମୋଟର ସାଇକେଲ ଜବତ କରାଯାଇଛି।

ଅଭିଯୁକ୍ତ ଜଣକ ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ ଭଗବାନ ଦାସ।ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ସଞ୍ଜୟ କୁମାର ସୁବୁଦ୍ଧି,କନେଷ୍ଟବଳ ତୁଷାରକାନ୍ତ ଚମ୍ପତି,ଆଶିଷ ପ୍ରଧାନ, ଚିନ୍ମୟୀ ଦାସ, କାଳୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ଲକ୍ଷାଧିକ ମୂଲ୍ୟର ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ

ବାଲୁଗାଁ: ବାଲୁଗାଁ ଆରପିଏଫ ଜଣେ ଗଞ୍ଜେଇ ବେପାରିଙ୍କୁ ରେଳ ଷ୍ଟେସନ ପରିସରରୁ ଗିରଫ କରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ବାଲୁଗାଁ ରେଳ ଷ୍ଟେସନ ପରିସରରେ ପାଟ୍ରୋଲିଂ ଜାରି ରହିଥିବା ବେଳେ ଏକ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ ଅପେକ୍ଷାରେ ଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅଞ୍ଚଳର ଶଙ୍କର୍ଷଣ ପ୍ରଧାନ (୪୦) ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଆରପିଏଫ। ତାଙ୍କ ନିକଟରୁ ଦୁଇ ଗୋଟି ଗଞ୍ଜେଇ ଭରା ବ୍ୟାଗ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତ ଓ ଜବତ ଗଞ୍ଜେଇ ଖୋର୍ଦ୍ଧା ରୋଡ ଜିଆରପି କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅତ୍ୟାଧୁନିକ ବିଳାସପୁର୍ଣ୍ଣ କ୍ରୁଜ ବୋଟ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲୁଗାଁ: ଓଡ଼ିଶା ପର୍ଯ୍ୟଟନ ଭାରତରେ ଏକ ପ୍ରମୁଖ ଇକୋ ଟ୍ୟୁରିଜିମ ହବ ପାଲଟିଥିବା ବେଳେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଚିଲିକା ପରିଚିତ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଚିଲିକା ଜଳରାଶିରେ ନୌବିହାର ନିମିତ୍ତ ବଡ଼କୁଳ ପାନ୍ଥନିବାସ ଠାରେ ବୋଟ ବ୍ୟବସ୍ଥା ସାଙ୍ଗକୁ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ମୋଟର ଚାଳିତ ଡଙ୍ଗା ଏବଂ ବାଲୁଗାଁ ଜେଟି ଠାରେ ଅନ୍ତର୍ଦେଶୀୟ ଜଳପଥ ପରିବହନ ପକ୍ଷରୁ ଲଞ୍ଚ ଓ ସ୍ଥାନୀୟ ବୋଟ ଆସୋସିଏସନ ପକ୍ଷରୁ ମୋଟର ଚାଳିତ ଡଙ୍ଗା ଉପଲବ୍ଧ ରହିଛି। ଏଥିସହିତ ଚିଲିକାରେ ବିଳାସପୂର୍ଣ୍ଣ ଯାତ୍ରା ନିମନ୍ତେ ୨୦୨୨ ଜୁନ ୯ ତାରିଖରେ ବିକାଶ ଇକୋ ରିସୋର୍ଟସ ପକ୍ଷରୁ ଦୁଇ ମହଲା, ୬ ଶୀତତାପ ନିୟନ୍ତ୍ରିତ କୋଠରୀ ବିଶିଷ୍ଟ ହାଉସ ବୋଟ ‘ଗରୁଡ଼’ ଯାତାୟାତ କରୁଥିଲା।

ଚିଲିକାରେ ନୌବିହାର ସାଙ୍ଗକୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଅହେତୁକ ଆଗମନ ସାଙ୍ଗକୁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ବଡ଼କୁଳ ପାନ୍ଥନିବାସ ଠାରେ ଦୁଇଟି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ,୪୦ ସିଟ ବିଶିଷ୍ଟ କ୍ରୁଜ ବୋଟ ପଦାର୍ପଣ କରିଛି। ଦୀର୍ଘ ଦିନ ଧରି ଏହି ଦୁଇଟି ବୋଟ ବଡ଼କୁଳ ପାନ୍ଥନିବାସ ଠାରେ ରଖାଯାଇଥିବା ବେଳେ ଶନିବାର ଅପରାହ୍ନରେ ଏହାର ଶୁଭାରମ୍ଭ କରାଯାଇଛି। ବଡ଼କୁଳ ପାତ୍ର ନିବାସଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହି ଏହାର ଶୁଭାରମ କରିଥିଲେ।

ଏହି ଅବସରରେ ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ସଚିବ ବାଳମୁକୁନ୍ଦ ଭୁୟାଁ, ଓଟିଡିସି ସାଧାରଣ ପରିଚାଳକ ଡାଃ ଲଲାଟେନ୍ଦୁ ସାହୁ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ସାଗରିକା ନାଥ, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ମୀରାବାଇ ବେହେରା, ସ୍ଥାନୀୟ ଜନପ୍ରତିନିଧି, ବନ୍ଦର ଓ ଅନ୍ତର୍ଦେଶୀୟ ନିର୍ଦ୍ଦେଶାଳୟ, ବଡ଼କୁଳ ଓଟିଡ଼ିସି କର୍ତ୍ୟୁପକ୍ଷ ସବ୍ୟସାଚୀ କର, ଚିଲିକା ଉତ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପର ପ୍ରଶଂସା ସାଙ୍ଗକୁ ସଫଳ ରୂପାୟନ କାମଳା କରିଥିଲେ। ୧୯୮୧ ମସିହାରେ ଚିଲିକାକୁ ରାମସାର ସମ୍ମିଳନୀ ଅଧୀନରେ ଅନ୍ତର୍ଜାତୀୟ ଭାରତୀୟ ଆଦ୍ରଭୂମି ମାନ୍ୟତା ମିଳିଥିଲା।

ବିଶ୍ୱସ୍ତରରେ ଚିଲିକା ଏହାର ବିବିଧ ଉପକୂଳ ଦୃଶ୍ୟ, ପ୍ରାଚୀନ ହ୍ରଦ ଏବଂ ଜୀବନ୍ତ ସାଂସ୍କୃତିକ ଇତିହାସ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଏଇତିହ୍ୟର ଉତ୍କୃଷ୍ଟ ମିଶ୍ରଣ। ଯାହାଫଳରେ ଚିଲିକାର ଭିତ୍ତିଭୂମି ଓ ସେବାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସ୍ବେଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଚିଲିକାର ବିକାଶ ନିମିତ୍ତ ୧.୮ କୋଟି ଟଙ୍କା ବ୍ୟୟରେ ଦୁଇଟି ବିଳସପୂର୍ଣ୍ଣ\ କ୍ରୁଜ ବୋଟ ପ୍ରଦାନ କରାଯାଇଛି। ଯାହାକି ଉକ୍ତ ବୋଟରେ ଉଚ୍ଚମାନର ପର୍ଯ୍ୟଟନ, ଆରାମଦାୟକ ଓ ସ୍ମରଣୀୟ ଯାତ୍ରା ଅନୁଭୂତି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି।

୪୦ ସିଟ ବିଶିଷ୍ଟ କ୍ରୁଜ ବୋଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଠାରୁ ଆରମ୍ଭ କରି ଅନ-ବୋର୍ଡ ଫୁଡ଼ ସର୍ଭିସ, ସର୍ବନିମ୍ନ ଶବ୍ଦ, ସ୍ୱଚ୍ଛ ଶୌଚାଳୟ ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ଏହି କ୍ରୁଜ ବୋଟରେ ଉପଲବ୍ଧ ରହିଛି। ଯାହାକି ପର୍ଯ୍ୟଟକ ମାନେ ଏହି ବୋଟରେ ସୁଲଭ ମୂଲ୍ୟରେ ଶାନ୍ତିପୂର୍ଣ୍ଣ ନୌଯାତ୍ରା ସାଙ୍ଗକୁ ପ୍ରାକୃତିକ କାଳିଜାଇ ଦ୍ବୀପ, ପକ୍ଷୀ ଅଭୟାରଣ୍ୟ ନଳବଣ ସମେତ ଚିଲିକା ପରିସରରେ ଅବସ୍ଥାପିତ ସମସ୍ତ ଅଞ୍ଚଳ ପରିଭ୍ରମଣ କରିବାସହ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା, ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଉକ୍ତ ବୋଟରେ କିଛି ସମୟ ନୌଯାତ୍ରା କରିଥିଲେ। ପୂର୍ବରୁ ବଡ଼କୁଳ ଓଟିଡିସି ଠାରେ ୮ ଟି ବୋଟ ରହିଥିବା ବେଳେ ଆଜି ଦୁଇଟି କ୍ରୁଜ ବୋଟ ଉଦଘାଟନୀ ପରେ ଯାତ୍ରୀଙ୍କୁ ନୌଯାତ୍ରା ନେଇ ବୋଟ ସଂଖ୍ୟା ୧୦ ରେ ପହଞ୍ଚିଛି। କିନ୍ତୁ ଉକ୍ତ କ୍ରୁଜ ବୋଟରେ ନୌଯାତ୍ରାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା ବୋଲି ଓଟିଡିସି ସାଧାରଣ ପରିଚାଳକ ଡାଃ. ଲଲାଟେନ୍ଦୁ ସାହୁ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ବୀର୍ ବାଲ୍ ଦିବସ ପାଳିତ

ବାଲୁଗାଁ: ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ “ବୀର୍ ବାଲ୍ ଦିବସ ଉତ୍ସବ” ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ସରକାରଙ୍କ ଓସେପା ଦ୍ୱାରା ତ୍ୱରାନ୍ୱିତ ନିର୍ଦ୍ଦେଶନାମା ଅନୁସାରେ ଏକ ସପ୍ତାହ ବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଖ୍ ସମ୍ପ୍ରଦାୟର ଦଶମ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ଦୁଇ କନିଷ୍ଠ ପୁତ୍ରଙ୍କ ଦେଶ ମାତୃକା ପାଇଁ ଯେଉଁ ତ୍ୟାଗପୂର୍ଣ୍ଣ ଆତ୍ମ ବଳିଦାନ ତାହାର ସ୍ମୃତି ସ୍ୱରୂପ ୨୬ ଡିସେମ୍ବରକୁ ରାଷ୍ଟ୍ରୀୟ ବୀର୍ ବାଲ୍ ଦିବସ ଭାବରେ ଦେଶ ବ୍ୟାପୀ ପାଳନ ହେଉଛି।

ଆମ ମହାବିଦ୍ୟାଳୟ ପ୍ରଜ୍ଞା ଭବନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ବରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ଯୁକ୍ତଦୁଇ ଅଧ୍ୟକ୍ଷ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡ଼. କୈଳାସ ଚନ୍ଦ୍ର ମହାରଣା, ଡ଼. ମୋନାଲିସା ମାନସିଂହ, ଅଧ୍ୟାପକ ପ୍ରବୀଣ କୁମାର ଜେନା ଯୋଗଦେଇ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ବିଜୟ ସ୍ମାରକ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଡ଼. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ସୁନିତା ନନ୍ଦ, ଅଧ୍ୟାପିକା କୀର୍ତ୍ତିମୟୀ ବାରିକ, ଅଧ୍ୟାପକ ବିମଳ କୁମାର ପଣ୍ଡା, ଅଧ୍ୟାପକ ମନୋଜ କୁମାର ନାୟକ, ଡେମୋନଷ୍ଟେଟର ବିଶ୍ଵଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷlକେନ୍ଦ୍ରର ଏକବିଂଶ ବାର୍ଷିକ ଉତ୍ସବ

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ ‘ଅନ୍ଵେଷା’ ଆଜି ଚେତନାଶକ୍ତି ନିଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।  ଶିକ୍ଷାକେନ୍ଦ୍ରର ସଭାପତି ଅଧ୍ୟାପକ ରମାକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ଶ୍ରୀଅରବିନ୍ଦ ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ଶିକ୍ଷାର୍ଥୀମାନଙ୍କର ଶାରୀରିକ, ମାନସିକ, ପ୍ରାଣିକ,ଚୈତ୍ତିକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇଥାଏ ତାହା ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ଉପସ୍ଥାପନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଉତ୍ତମ ପାଇକରାୟ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷା କିପରି ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରଭାବିତ କରିଛି, ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ଖୋର୍ଦ୍ଧାଜିଲ୍ଲା ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ ସଂଯୋଜକ ସୁରେନ୍ଦ୍ର ନାଥ ଜେନା ପୂର୍ଣ୍ଣାଙ୍ଗ ଶିକ୍ଷାର ନୂତନ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ ଅତିଥିମାନେ ଶିକ୍ଷାକେନ୍ଦ୍ରର ମାଟ୍ରିକ ପରୀକ୍ଷାର ଶ୍ରେଷ୍ଠ ଶିକ୍ଷାର୍ଥୀ ତଥା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର ବର୍ଦିକ ବିବରଣୀ ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ୨୬ କେଜି ଗଞ୍ଜେଇ ଜବତ, ତିନି ଗିରଫ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟିମ ପଇଁତରା ମାରୁଥିବା ବେଳେ ସରନଇ ବସ ଷ୍ଟପ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ତିନି ଜଣ ଠିଆ ହୋଇଥିବା ବେଳେ ତଲାସୀ ବେଳେ ସେମାନଙ୍କ ନିକଟରୁ ଦୁଇଟି ବସ୍ତାରୁ ୨୬ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲାର ଟୁନା ବେହେରା (୩୮) ଓ ଖତି ଦାସ (୨୬) ଏବଂ ମଧ୍ୟପ୍ରଦେଶର ସରିତା ଯାଦବ (୨୧)।ଉକ୍ତ ଗଞ୍ଜେଇ ବାହାରକୁ ଚାଲାଣ କରାଯାଉଥିବା ସନ୍ଦେହରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୦୮/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଏଏସଆଇ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଅଶେଷ କୁମାର ପ୍ରଧାନ, ଚିନ୍ମୟୀ ଦାଶ, ତୁଷାରକାନ୍ତ ଚମ୍ପତି, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକା ରାଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ବାଲୁଗାଁ: ଚିଲିକା ରାଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ବାଲୁଗାଁରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫ ଦିନ ଧରି ବିଦ୍ୟାଳୟରେ କ୍ରୀଡା ଉତ୍ସବ ପାଳିତ ହୋଇଛି।

ପ୍ରଥମ ଦିବସରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ କ୍ରୀଡା ଅଧ୍ୟାପକ ବୈରାଗୀ ଚରଣ ବଳ, ପରିଚାଳନା ସମିତିର ସଭାପତି କିରଣ କୁମାର ପାତ୍ର, ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରା, ଉପାଧ୍ୟକ୍ଷ ମନୋରଞ୍ଜନ ମିଶ୍ର ଓ କ୍ରୀଡା ଶିକ୍ଷକ ବିଭୁ ସାମନ୍ତରାୟ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ, ଶିଶୁ ମାନଙ୍କୁ କ୍ରୀଡାର ମହତ୍ ଉଦ୍ଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ।

ରବିନାରାୟଣ ପଣ୍ଡା, ଦେବାଶିଷ ମହାପାତ୍ର ଓ ସୁନୀତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। କବାଡି, ଭଲି, କ୍ରିକେଟ, ଖୋ ଖୋ, ଦୌଡ଼, ଚେସ,ବ୍ୟାଡମିଣ୍ଟନ ଓ ଲଂଗ ଜମ୍ପ୍, ଡିସ୍କସ ଥ୍ରୋ, ସଟ ପୁଟ ଇତ୍ୟାଦି କ୍ରୀଡା ପରିଯୋଗିତା ହୋଇଥିଲା। କ୍ରୀଡାରେ ସଞ୍ଜୟ କୁମାର ପଲାଇ, ଦୀପକ କୁମାର ସାହୁ, ଧିରେନ୍ କୁମାର ପ୍ରଧାନ, ସନ୍ତୋଷ ମଙ୍ଗରାଜ ଓ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ।

ଉଦଯାପନୀ ଦିବସରେ ବାଲୁଗାଁ ବାନ ଖଣ୍ଡ ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପାତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ୧୦୮ ଲିଟର ଚୋରା ମଦ ଜବତ, ତିନି ଗିରଫ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ ଓ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟାଙ୍ଗୀ ଅବକାରୀ ଅଧିକାରୀ ଅମରେନ୍ଦ୍ର ଶତପଥିଙ୍କ ନେତୃତ୍ୱରେ ବାଲୁଗାଁ, ବାଣପୁର, ନାଚୁଣି ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଗମ୍ଭାରୀମୁଣ୍ଡା ଗ୍ରାମର ସ୍ୱସ୍ତିକ ରଞ୍ଜନ ପ୍ରଧାନଙ୍କ(୪୩) ନିକଟରୁ ୭୫ ବୋତଲ ଆସ୍କା-୪୦ ଓ ୨୯ ବୋତଲ ବିଦେଶୀ ମଦ (୨୦.୨୨୦ ଲିଟର), ନାଚୁଣି ଥାନା ଅନ୍ତର୍ଗତ ଲୋକିପୁର ଗ୍ରାମର ରାମ ବେହେରାଙ୍କ (୬୦) ନିକଟରୁ ୨୮ ଲିଟର ଦେଶୀମଦ ଏବଂ କନ୍ଧଆମ୍ବଝର ଟାଙ୍ଗୀ ସାହିର ସୁକାନ୍ତ ମଲ୍ଲଙ୍କ (୫୩) ନିକଟରୁ ୬୦ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ସମସ୍ତ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଏଏସଆଇ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଅଶେଷ କୁମାର ପ୍ରଧାନ, ଚିନ୍ମୟୀ ଦାଶ, ତୁଷାରକାନ୍ତ ଚମ୍ପତି, ଗଣେଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ପ୍ରତ୍ନତତ୍ତ୍ୱ: ଏକ ଅନୁଶୀଳନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆୟୋଜନରେ ଆଜି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି। “ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା: ଏକ ଅନୁଶୀଳନ” ଶୀର୍ଷକ ଏହି ଜାତୀୟ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ।

ପ୍ରାରମ୍ଭରେ ବିଶ୍ୱର ମହାନ ସ୍ଥପତି ଜଗତରନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ନିମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଆଲୋଚନା ଚକ୍ରର ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସମ୍ପlନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ପ୍ରାଚୀନ ଓ ମଧ୍ୟଯୁଗୀୟ ସ୍ଥାପତ୍ୟ କଳା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ ଐତିହ୍ୟ ଓ ଭାସ୍କର୍ଯ୍ୟ କଳା ସମ୍ପର୍କରେ ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ କହିଲେଯେ ଆମ ଜାତିର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ହେଉଛି ଆମର ଅସଲ ପରିଚୟ। ଏହାର ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ଦାୟିତ୍ୱ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ୱ।

ଆମ ପ୍ରାଚୀନ କୀର୍ତ୍ତି କାଚ ଭଳି ସ୍ଵଛ, ଏହାକୁ ଅବହେଳା କଲେ ଆମ ଭବିଷ୍ୟତ ସଂକୀର୍ଣ୍ଣ ହୋଇଯିବ। ଏହାକୁ ପ୍ରସଙ୍ଗ କରି ପ୍ରଫେସର ଆଚାର୍ଯ୍ୟ ଓଡ଼ିଶାର ଶହ ଶହ ପ୍ରାଚୀନ ମନ୍ଦିର ସହ ଜଡିତ ସ୍ଥାପତ୍ୟ କଳାର ବୈଜ୍ଞାନିକ ଭିତ୍ତିଭୂମି ଓ ଧର୍ମୀୟ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ଆଲୋଚନାଚକ୍ରର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଜୀବନ କୁମାର ପଟ୍ଟନାୟକ ତାଙ୍କ ଉପସ୍ଥିତିରେ ଲଳିତଗିରି, ଧଉଳିଗିରି ଓ ରତ୍ନଗିରିରେ କରାଯାଇଥିବା ଭୂଖନନ ଓ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ଓ ରକ୍ଷଣାବେକ୍ଷଣର ଅନେକ ଅନାଲୋଚିତ ଦୃଶ୍ୟ ଶ୍ରାବ୍ୟ ତଥ୍ୟ ଉପସ୍ଥାପନକରିଥିଲେ।

ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ସଂଯୋଜକ ଡକ୍ଟର ଅନାମ ବେହେରା ଉତ୍କଳୀୟ ମନ୍ଦିର ସ୍ଥାପତ୍ୟ କିପରି ଭାରତ ବର୍ଷର ଅନ୍ୟ ମନ୍ଦିର ଗଠନ ଠାରୁ ସ୍ୱତନ୍ତ୍ର ସେସମ୍ପର୍କରେ ବିଷଦ ବିବରଣୀ ରଖିଥିଲେ। ସମ୍ମାନିତ ଅତିଥି ଡକ୍ଟର ଅକ୍ଷୟ କୁମାର ମିଶ୍ର ପ୍ରାଚୀନ ଓଡ଼ିଶାରେ ଜୈନ ସ୍ଥାପତ୍ୟ, ପରମ୍ପରା, ସଂସ୍କୃତି କିପରି ସମୃଦ୍ଧ ଥିଲା ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଆଲୋଚନାରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଗବେଷକମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ଶତପଥୀ, ରମାକାନ୍ତ ପ୍ରଧାନ, କଲ୍ୟାଣ କୁମାର ରାଉତ, ଅକ୍ଷୟ କୁମାର ପ୍ରଧାନ ଉପସ୍ଥିତ ରହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିଥିବାବେଳେ ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ସ୍ୱାତୀ ସ୍ଵାଗତିକା ସାହୁ, କୀର୍ତ୍ତିମୟୀ ବାରିକ ଓ ପ୍ରିୟମ୍ବଦା ମହାପାତ୍ର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ବାଲୁଗାଁ ପୋଲିସର ଚଢାଉ: ୭ ଜୁଆଡି ଗିରଫ, ୫ ବାଇକ ଜବତ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ବୁଚୁଡ଼ି ଗ୍ରାମ ପୋଖରୀ ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ସଦଳବଳେ ଅତର୍କିତ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଗୋଟିଏ ଧଳା ରଙ୍ଗର ପାଲ, ଗୋଟିଏ ତାସ ମୁଠା, ନଗଦ ୧୨୧୯୦ ଟଙ୍କା ସମେତ ୫ଟି ବାଇକ ଜବତ କରିଥିବା ବେଳେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ନାଭାଲ ଫାଣ୍ଡି ପୋଲିସ। ଏ ନେଇ କେଶ ନଂ ୩୯୦/୨୪ ରେ ଏକ ମାମଲା ରୁଜୁ ହୋଇଥିବା ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ଦେଶୀମଦ ଜବତ, ମହିଳାଙ୍କ ସମେତ ୩ ଗିରଫ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ, ବାଣପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୨୧୯ ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ତିନି ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଛକ ନିକଟସ୍ଥ ରାମଚନ୍ଦ୍ର ସାହୁଙ୍କ ନିକଟରୁ ୧୦୮ ଲିଟର, କୃଷ୍ଣ ମୋହନ ସାହୁଙ୍କ ନିକଟରୁ ୧୦୨ ଲିଟର ଓ ବାଣପୁର ଥାନା ଅନ୍ତର୍ଗତ ମମତା ପଲେଇଙ୍କ ନିକଟରୁ ୯ ଲିଟର ଦେଶୀ ମଦ ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୯୪,୧୯୫,୧୯୬/୨୪ ରେ ପୃଥକ ଭାବେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ଶ୍ରୀ ମୁଦୁଲିଙ୍କ ସମେତ ଉପ ଅଧିକାରୀ ସଞ୍ଜୟ କୁମାର ମୁଦୁଲି, କନେଷ୍ଟବଳ ଆଶୀଷ କୁମାର ପ୍ରଧାନ, ଚିନ୍ମୟୀ ଦାସ, ତୁଷାର ଚମ୍ପତି, କାଳୁ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ: ବେଆଇନ ଉଚ୍ଛେଦ ନେଇ ବାଲୁଗାଁରେ ତେଜିଲା ଜନ ଅସନ୍ତୋଷ

ବାଲୁଗାଁ: ୫ନଂ ଜାତୀୟ ରାଜପଥ ବାଲୁଗାଁ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ନେଇ ଉଭୟ ପାର୍ଶ୍ଵରେ ଥିବା ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ବିଂଜ୍ଞପ୍ତି ଜାରି ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ନିକଟରେ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜନ ସୁରକ୍ଷା ମଞ୍ଚ ସଭାପତି ଭୁବନ ସେଠୀଙ୍କ ସଭାପତିତ୍ୱରେ ଉପଦେଷ୍ଟା ଅକ୍ଷୟ କୁମାର ମହାପାତ୍ରଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସ୍ଥାୟୀ ବାସିନ୍ଦା ଉପସ୍ଥିତ ଥିଲେ।ଉକ୍ତ ସମ୍ମିଳନୀରେ ସରକାରୀ ମୁତାବକ ସମ୍ପୂର୍ଣ୍ଣ ରାସ୍ତାର ଓସାର ସମାନ ରହିବା ନେଇ ଦାବି ଜୋର ଧରିଥିଲା।

ଖବର ମୁତାବକ ବାଲୁଗାଁ ସହରର ମୁଖ୍ୟ ରାସ୍ତା ବାଲୁଗାଁ ଅନ୍ତର୍ଗତ ଗୋବର୍ଦ୍ଧନପୁର ଠାରୁ ଗବପଦର ମୌଜା ପର୍ଯ୍ୟନ୍ତ ଦୀର୍ଘ ୪ କିମି ରାସ୍ତା ୪ ଲେନ ବିଶିଷ୍ଟ ସମ୍ପ୍ରସାରଣ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ପାଇଁ ନିର୍ଦ୍ଦେଶ ରହିଥିଲା। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଚିହ୍ନଟ କରି ଅବରୋଧ କାରୀଙ୍କୁ ସୂଚିତ କରାଯିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଟୋବର ୪ରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ମାତ୍ର କିଛି ଅନିର୍ବାଯ୍ୟ କାରଣ ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିବା ବେଳେ ଆସନ୍ତା ୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ନେଇ ତହସିଲ ପକ୍ଷରୁ କୁହାଯାଇଥିଲା। ହେଲେ ଅଞ୍ଚଳବାସୀଙ୍କ କହିବା ମୁତାବକ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଳିତ ସେପ୍ଟେମ୍ବର ଠାରୁ ତିନି ତିନି ଥର ବିଭିନ୍ନ ସ୍ଥାନରେ ଜାଗା ଚିହ୍ନଟ କରାଯାଇଥିବା ବେଳେ ପ୍ରକୃତରେ କେତେ ଜାଗା ଉଚ୍ଛେଦ ହେବ ତାହା ଅଦ୍ୟାବଧି ସେମାନେ ଜାଣି ନାହାଁନ୍ତି। ଏନେଇ ସ୍ଥାନୀୟ ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ନଥିବା ଅଭିଯୋଗ କରିଛନ୍ତି।

ଏହି ପ୍ରକଳ୍ପରେ ୭୨ ଫୁଟ ଓସାର ରାସ୍ତା ନିର୍ମାଣ ପ୍ରବନ୍ଧନ ରହିଥିବା ବେଳେ କେଉଁଠି ୮୦ ଫୁଟ ତ କେଉଁଠି ୮୫ ଫୁଟ ଓସାରରେ ଚିହ୍ନଟ କରାଯାଇଛି। ଏପରିକି ବ୍ୟସ୍ତବହୁଳ ଗାନ୍ଧୀ ଛକ ଠାରୁ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ କେତେ ଜାଗା ଉଚ୍ଛେଦ କରାଯିବ ତାହା ଅସ୍ପଷ୍ଟ ରହିଥିବା ଜନ ସୁରକ୍ଷା ମଞ୍ଚ ପକ୍ଷରୁ କହିଛନ୍ତି।

ଏପରିକି ଜନଗହଳି ପୂର୍ଣ୍ଣ ରାସ୍ତାକୁ ଗୁରୁତ୍ୱ ନଦେଇ ଅନ୍ୟ ରାସ୍ତା ସମ୍ପ୍ରସାରଣ ବାହାନାରେ ଉଚ୍ଛେଦ କରିବା ନାଁ କିଛି ମୁଷ୍ଟିମେୟ ଲୋକଙ୍କ କଥାରେ ପଡି ମନଇଚ୍ଛା ଜାଗା ଚିହ୍ନଟ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସମ୍ପୁର୍ଣ୍ଣ ଚାରି କିମି ରାସ୍ତା ଚାରି ଲେନ ବିଶିଷ୍ଟ ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। ଯାହାକୁ ନେଇ ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି।

Categories
ଆଞ୍ଚଳିକ

ବାଲୁଗାଁରେ ଆୟୁର୍ବେଦ ସ୍ଵର୍ଣକଳ୍ପ ଔଷଧର ଉପଯୋଗୀତା ନେଇ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ର ସଭା କକ୍ଷରେ ଝାଂଣ୍ଡୁ ଇଣ୍ଡିଆ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ପୁରାତନ ସ୍ୱାସ୍ଥ୍ୟ ସମସ୍ୟା ରେ ଆୟୁର୍ବେଦିକ ସ୍ଵର୍ଣ ଘଟିତ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା

ଆଲୋଚନା ଚକ୍ର ଆରମ୍ଭରେ ଆୟୁର୍ବେଦ ପ୍ରବର୍ତ୍ତକ ଭଗବାନ ଧନ୍ଵନ୍ତରୀଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଏଥିରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ସ୍ୱପ୍ନା ରାଣୀ ପଟ୍ଟନାୟକ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ବସନ୍ତ ସିଂ,ଡା ନର୍ମଦା ବିଶ୍ୱାଳ, ଡା ବିଦ୍ୟା ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ସାମ୍ପ୍ରତିକ ଶୀତ ଋତୁ ରେ ହେଉଥିବା ବିଭିନ୍ନ ଦୁରାରୋଗ୍ୟ ,ସନ୍ଧି ଗତ ବାତ ରୋଗ, ସ୍ତ୍ରୀଲୋକଙ୍କ ମେନପଜ ସମସ୍ୟା,ଆଦି ରେ ଆୟୁର୍ବେଦ ସ୍ଵର୍ଣ ଘଟିତ ଔଷଧ ର ଉପଯୋଗୀତା କିଭଳି ରସାୟନ ତୁଲ୍ୟ କାର୍ଯ୍ୟ କରିଥାନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ଝାଂଣ୍ଡୁ ଇଣ୍ଡିଆ ପକ୍ଷ ରୁ ମାନପତ୍ର, ଉପଢୌକନ ଓ ଗୋନି ମିଟର(ଅସ୍ଥି ଭାଙ୍ଗି ଯାଇଥିବା ଜାଗାରେ ପରୀକ୍ଷା ପାଇଁ) ପ୍ରଦାନ କରି ଉପସ୍ଥିତ ଡାକ୍ତର ଙ୍କୁ ସଂମାନିତ କରାଯାଇଥିଲା। ଆୟୁର୍ବେଦ ଔଷଧ ର ମହନୀୟତା,ସ୍ଵର୍ଣ କଳ୍ପ, ସ୍ଵର୍ଣ ପୋଷଣ ବଟି ପ୍ରସ୍ତୁତି ପ୍ରଣାଳୀ, ଉପଯୋଗୀତା ନେଇ ଏକ ଡ଼କୁମେଟାରୀ ପ୍ରଦର୍ଶିତ ହୋଇଥିଲା।ଶେଷରେ ଝାଂଣ୍ଡୁ ଇଣ୍ଡିଆ ପକ୍ଷ ରୁ ସନ୍ତୋଷ କୁମାର ସାହୁ ଉପସ୍ଥିତ ଡାକ୍ତର ମାନଙ୍କୁ ସେମାନଙ୍କ ବହୁମୁଲ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବିଂଶତମ ବିଜ୍ଞାନ ପ୍ରଦର୍ଶନୀ

ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଆଜି ଶ୍ରୀ ଅରବିନ୍ଦଙ୍କ ପବିତ୍ର ସିଦ୍ଧି ଦିବସ ଅବସରରେ ବିଂଶତମ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପଭିତ୍ତିକ ସାହିତ୍ୟ, ଇତିହାସ, ଚିତ୍ରକଳା ତଥା ସର୍ଜନାତ୍ମକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରମାକାନ୍ତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚିଲିକା ବ୍ଲକର ସହ ଶିକ୍ଷାଧିକାରୀ ନୀଳାଦ୍ରି ଭୂଷଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ।

ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାଶ ବିଭିନ୍ନ ମହାପୁରୁଷଙ୍କ ଦୃଷ୍ଟିରେ ଶିକ୍ଷାର ଉଦ୍ଦେଶ୍ୟ ସହିତ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରାସଙ୍ଗିକତା ଓ ଶିକ୍ଷାର୍ଥୀମାନଙ୍କର ବୈଜ୍ଞାନିକ ମନୋବୃତ୍ତି ଓ ସର୍ଜନଶୀଳତାର ପରିସ୍ପୁଟନ ନିମିତ୍ତ ବାର୍ଷିକ ପ୍ରଦର୍ଶନୀରେ ଅଧିକରୁ ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟ ଅତିଥି ପ୍ରଫେସର ନନ୍ଦ ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କର ବୈଜ୍ଞାନିକ ଜିଜ୍ଞାସା ବିକଶିତ କରିବାର ମୌଳିକ ଅଧିକାର ସମ୍ପର୍କରେ ବକ୍ତବ୍ୟ ଦେବା ସହ ଦୈନନ୍ଦିନ ଜୀବନରେ ପ୍ରତିଟି କ୍ଷେତ୍ରରେ କିପରି ବିଜ୍ଞାନ ଆମକୁ ସଠିକ ଜ୍ଞାନ ପ୍ରଦାନ କରୁଛି ଓ ପରିଚାଳିତ କରୁଛି ସେ ସମ୍ପର୍କରେ ଉଭୟ ପିତାମାତା ଓ ଶିକ୍ଷକ ମାନେ ପିଲାମାନଙ୍କୁ ଦିଗଦର୍ଶନ ଦେବାପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଜିଲ୍ଲା ପାଠଚକ୍ର ସଂଯୋଜକ ସୁରେନ୍ଦ୍ର ଜେନା, ପ୍ରକାଶ କୁମାର ମହାପାତ୍ର ଓ ବାଣପୁର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ସଞ୍ଜୟ କୁମାର ଦାଶ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ରମାକାନ୍ତ ନନ୍ଦ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିବା ବେଳେ କୈଳାଶ ଚନ୍ଦ୍ର ମହାରଣା ସଂଯୋଜନା କରିଥିଲେ। ପ୍ରଦର୍ଶିତ ହୋଇଥିବା ଦୁଇଶହରୁ ଉର୍ଦ୍ଧ୍ଵ ବିଜ୍ଞାନ ପ୍ରକଳ୍ପକୁ ଶିକ୍ଷାକେନ୍ଦ୍ରର ବରିଷ୍ଠ ଶିକ୍ଷକ ସର୍ବେଶ୍ୱର ମହାରଣା, ଦିବ୍ୟକାନ୍ତ ସ୍ୱାଇଁ,ପଦ୍ମାଳୟା ଜେନା, ଅଞ୍ଜୁଶ୍ରୀ ନାୟକ, ମଞ୍ଜୁବାଳା ମହାପାତ୍ର, ସଂଗୀତା ମହାପାତ୍ର,ରାମଚନ୍ଦ୍ର ଜେନା ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଅପଚୟ ହେଉଛି ହଜାର ହଜାର ଲିଟର ପାନୀୟ ଜଳ, ନିଦ୍ରାରେ ଜନ ସ୍ୱାସ୍ଥ୍ୟ ବିଭାଗ

ବାଣପୁର: ବାଣପୁର ଏନଏସି ବଜାର ସାହିସ୍ଥିତ ପୋଷ୍ଟ ଅଫିସ ସମ୍ମୁଖରେ ଦୀର୍ଘ ଦିନ ହେବ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଛାଯାଇଥିବା ପାନୀୟ ପାଇପ ଫାଟି ପ୍ରତିଦିନ ହଜାର ହଜାର ଲିଟର ପାନୀୟ ଜଳ ନଷ୍ଟ ହେଉଥିବାର ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତାକୁ ଖୋଳି ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ପାଇପ ବିଛାଇଥିବା ବେଳେ ଯାଗା ଯାଗା ରେ ଉକ୍ତ ପାନୀୟ ପାଇପ ଫାଟି ପାନୀୟ ଜଳ ନଷ୍ଟ ହେଉଛି।

ତେବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମରାମତି କରୁନାହିଁ ଜନସ୍ୱାସ୍ଥ୍ୟ ବିଭାଗ। ଏପରି ଦୃଶ୍ୟ ସମ୍ପୂର୍ଣ୍ଣ ବାଣପୁର ଏନଏସିରେ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ପାନୀୟ ପାଇପ ଫାଟି ଜଳ ନଷ୍ଟ ହେଉଛି। କିନ୍ତୁ ସମ୍ପୃକ୍ତ ବିଭାଗର ଉଦାସୀନତା ଲାଗି ପାନୀୟ ଜଳ ଅପଚୟ ହେଉଛି ଯାହାକୁ ଅଞ୍ଚଳବାସୀଙ୍କୁ ଗଭୀର ଆଘାତ ଦେଉଛି।

ତେବେ ଏ ନେଇ ବାଲୁଗାଁ ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ। ଯଥାଶୀଘ୍ର ପୋଷ୍ଟ ଅଫିସ ନିକଟରେ ପାନୀୟ ପାଇପ ମରାମତି ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭାଷା ଓ ସାହିତ୍ୟ ଶିକ୍ଷାରେ ଡିଜିଟାଲ ଏକ ଆକର୍ଷଣୀୟ ପଦ୍ଧତି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଆଜି ଆୟୋଜିତ ଜାତୀୟ ସମ୍ପାନରେ ଇଂରାଜୀ ଭାଷାର ବିଶିଷ୍ଟ ଭାଷା ବିଶାରଦମାନେ ଯୋଗ ଦେଇ ସାମ୍ପ୍ରତିକ ଡିଜିଟାଲ ଯୁଗରେ ଭାଷା ସାହିତ୍ୟର ନୂତନ ଧାରା ଓ ଶୈକ୍ଷିକ ପଦ୍ଧତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ଆଲୋଚନା ଚକ୍ରରେ ପଶ୍ଚିମବଙ୍ଗର ବିଶିଷ୍ଟ ଭାଷାବିତ ପ୍ରଫେସର ସୈରିନ୍ଧୀ ସେନ ମୁଖ୍ୟ ଅତିଥି, ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ଇଂରାଜୀ ପ୍ରଫେସର ରବୀନ୍ଦ୍ର କୁମାର ପ୍ରଧାନ, ମୁଖ୍ୟବକ୍ତା ଓ ଆନ୍ଧ୍ରପ୍ରଦେଶସ୍ଥିତ ଆଦିତ୍ୟ ଯାନ୍ତ୍ରିକ ଓ ବୈଷୟିକ ପ୍ରତିଷ୍ଠାନର ପ୍ରଫେସର ଏମ ପାପୀନାଇଡୁ, କେ ପ୍ରକାଶମ ଏବଂ ଭୁବନେଶ୍ୱରସ୍ଥିତ ଟ୍ରାଇଡେଣ୍ଟ ଏକାଡେମୀର ଡକ୍ଟର ନମିତା ମହାନ୍ତି, ବାଲୁଗାଁ କଲେଜର ଡକ୍ଟର କୈଳାସ ଚନ୍ଦ୍ର ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଭାଷା ସାହିତ୍ୟ ଶିକ୍ଷା ଡିଜିଟାଲ ମାଧ୍ୟମରେ କିପରି ଅଧିକ ଆକର୍ଷଣୀୟ, ସ୍ଥାୟୀ ଓ ଗ୍ରହଣଯୋଗ୍ୟ ହୋଇପାରୁଛି, ସେ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ହୋଇଥିବା ବିଭିନ୍ନ ଗବେଷଣାର ନିର୍ଯାସ ସମ୍ପର୍କରେ ବକ୍ତା ମାନେ କହିଲେ ଯେ ଇଂରାଜୀ ଭାଷାର ଦକ୍ଷତା ଓ କୌଶଳ ଗୁଡିକୁ ଆପଣାଇବାକୁ ହେଲେ ବିଭିନ୍ନ ଡିଜିଟାଲ ପଦ୍ଧତି ସବୁଠୁଁ ସହଜ ମାର୍ଗ। ସମ୍ପ୍ରତି ଛୋଟ ଛୋଟ ଶିଶୁମାନେ ଡିଜିଟାଲ ମାଧ୍ୟମରେ ଖୁଵ କମ ସମୟରେ ବିଭିନ୍ନ ଭାଷାର ଶ୍ରବଣ,କଥନ, ଲିଖନ ଓ ପଠନ ଦକ୍ଷତା ହାସଲ କରି ପିତାମାତାଙ୍କୁ ସହାୟତା ପ୍ରଦାନ କରିପାରୁଛନ୍ତି। ଯେ କୌଣସି ଅନ ଲାଇନ ଡିଗ୍ରୀ ହାସଲ କରିବାର ଏହା ଏକ ସହଜ ପଦ୍ଧତି। ଭାଷା ଦକ୍ଷତା ହାସଲ କରି ଅର୍ଥ ମଧ୍ୟ ରୋଜଗାର କରିପାରୁଛନ୍ତି।

ଏହି ଜାତୀୟ ଆଲୋଚନାଚକ୍ରର ଆବାହିକା ତଥା ଇଂରାଜୀ ବିଭାଗ ମୁଖ୍ୟ ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ କରିଥିବା ବେଳେ ଇଂରାଜୀ ବିଭାଗ ସେମିନାର ସଂଯୋଜକ ଅଧ୍ୟାପକ ପତିତପାବନ ପଣ୍ଡା ଥିମ ପେପର ଉପସ୍ଥାପନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ।

ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଓ ଭାଷାବିତ ଯୋଗଦେଇ ନିବନ୍ଧ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପକ ହିମାଂଶୁ କୁମାର ଦାଶ, ସ୍ୱାତୀ ସ୍ଵାଗତିକା ସାହୁ, ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ଓ ବିଭାଗର ଛାତ୍ର ଛାତ୍ରୀ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଦାବିପତ୍ର

ଖୋର୍ଦ୍ଧା: ପର୍ଯ୍ୟଟନ ୠତୁ ଚାଲିଛି। ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ବିହାର, ନୌବିହାର, ମା କାଳିଜାଇଙ୍କ ଦର୍ଶନ ପାଇଁ ଦୈନନ୍ଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବାଲୁଗାଁ ତଥା ବଡ଼କୁଳ ପାନ୍ଥନିବସ ଅନ୍ତର୍ଗତ ବିଭିନ୍ନ ମୋଟର ବୋଟ ଆସୋସିଏସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଏପରିକି ପର୍ଯ୍ୟଟକଙ୍କ ଆତିଥେୟ, ସୁରକ୍ଷା, ନୌବିହାର ଓ ଗାଇଡ଼ ଉପରେ ଆସୋସିଏସନ ଓ ନୌଚାଳକ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି।

ମାତ୍ର ପର୍ଯ୍ୟଟନ ସ୍ଥଳୀରେ ଅନେକ ସମୟରେ ପର୍ଯ୍ୟଟକ,ମସ୍ୟଜୀବୀ,ନୌଚାଳକ ତଥା ସ୍ଥାନୀୟ ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏ ନେଇ କାଳିଜାଇ ମୋଟର ବୋଟ ଆସୋସିଏସନ ପକ୍ଷରୁ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ସଚିବ ଏବଂ ଜିଲ୍ଲା ପ୍ରଶାସନକୁ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଯାହାକି ଚିଲିକା କୁଳ ଜେଟି ଓ ମା କାଳିଜାଇ ମନ୍ଦିର ନିକଟରେ ଯାତ୍ରୀ ପ୍ରତିକ୍ଷାଳୟ, ଶୌଚାଳୟ, ପାନୀୟଜଳ, ଆଲୋକୀକରଣ, ୱାଟର ଆମ୍ବୁଲାନ୍ସ, ଜେଟି ଠାରେ ପୁଲିସ ସହାୟତା କେନ୍ଦ୍ର, ପାର୍କ, ପାର୍କିଂ ସ୍ଥଳୀ, ଚିଲିକା କୁଳ, ଚଢେଇଗୁହା, କାଳିଜାଇ ମନ୍ଦିର ନିକଟରେ ଫ୍ଲୋଟିଙ୍ଗ ଜେଟି ନିର୍ମାଣ, ବୋଟ ଗୁଡିକୁ ଫାଇବାର କରିବାକୁ ସରକାରୀ ସହାୟତା ସାଙ୍ଗକୁ ପ୍ରଶିକ୍ଷଣ ଏବଂ ଚିଲିକା କୂଳକୁ ସଂଯୋଗ କରୁଥିବା ରାସ୍ତାଘାଟର ଉରଣତିକରଣ ଉପରେ ଗୁରୁତ୍ୱ ଦେବାକୁ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

ବାଲୁଗାଁ: ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଇଂଜନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି।

ଭାରତୀୟ ନୌସେନାରେ କାର୍ଯ୍ୟରତ କମାଣ୍ଡିଙ୍ଗ ଅଫିସର ତପନ କୁମାର ସାହୁ ନିଜ ପିତାଙ୍କ ସ୍ମୃତିକୁ ବଜାୟ ରଖି ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ନିବିଡ଼ ସମ୍ପର୍କକୁ ଚିରସ୍ଥାୟୀ ସହିତ ପ୍ରତିଯୋଗିତା ମୂଳକ ପାଠ୍ୟକ୍ରମରେ ଉନ୍ନତି ପାଇଁ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ବୃତ୍ତି ପ୍ରଦାନ କରିଆସୁଛନ୍ତି।

ବୃତ୍ତି ବାବଦକୁ ପ୍ରଥମ ମେଧାବୀଙ୍କୁ ୧୦୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି, ଦ୍ଵିତୀୟ  ମେଧାବିଙ୍କୁ ୮୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି ଏବଂ ତୃତୀୟ  ମେଧାବିଙ୍କୁ ୭୦୦ ଟଙ୍କା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସିମରନ ସାମନ୍ତରାୟ, ଦ୍ୱିତୀୟ ମେଧାବୀ ଛାତ୍ରୀ ଭାବେ ବର୍ଷାରାଣୀ ବେହେରା ଓ ତୃତୀୟ ମେଧାବୀ ଛାତ୍ରୀ ଭାବେ ଯସ୍ମୀନ ମହାରଣାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ଗୁରୁବନ୍ଦନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ବେହେରା ଆନୁଷ୍ଠାନିକ ଭାବେ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ କମିଟି ଅଧ୍ୟକ୍ଷା ମାନସୀ ମହାପାତ୍ର, କମିଟି ସଦସ୍ୟ ରବୀନ୍ଦ୍ରନାଥ ବାରିକ, ସମାଜସେବୀ ପ୍ରକାଶ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ବିଦ୍ୟାଳୟରେ ପ୍ରତିବର୍ଷ ଏପରି ମହାନ କାର୍ଯ୍ୟ ଜାରି ରହିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ବେଳେ କମାଣ୍ଡର ଶ୍ରୀ ସାହୁଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଭୂୟାଁସି ପ୍ରଶଂସା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ: ବାଲୁଗାଁର ସୌମ୍ୟରଞ୍ଜନଙ୍କୁ ୨ଟି ସ୍ଵର୍ଣ୍ଣ ପଦକ

ବାଲୁଗାଁ: ଉଜବେକିସ୍ଥାନରେ ଆୟୋଜିତ ଆନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଲୁଗାଁର ସୌମ୍ୟରଞ୍ଜନ ନାୟକ ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଉଜବେକିସ୍ଥାନରେ ଆୟୋଜିତ ଆନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଭାରତରୁ ୨୩ ଜଣ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସ୍କୋଏ ମାର୍ଶାଲ ଆର୍ଟ ତରଫରୁ ବାଳକ ବିଭାଗରେ ଖୋର୍ଦ୍ଧା ବାଲୁଗାଁରୁ ସୌମ୍ୟରଞ୍ଜନ ନାୟକ ଓ ବାଳିକା ବିଭାଗରେ ନୟାଗଡ଼ରୁ ମିନତୀ ସାହୁ ମନୋନୀତ ହୋଇଥିଲେ।

ତେବେ ଅକ୍ଲାନ୍ତ ପରିଶ୍ରମ, ପ୍ରଚେଷ୍ଟା ତଥା ଆତ୍ମବିଶ୍ୱାସ ବଳରେ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ସୌମ୍ୟରଞ୍ଜନ କହିଛନ୍ତି। ବାଲୁଗାଁ ରାଜୀବ ନଗରର କୃପାସିନ୍ଧୁ ନାୟକ ଓ ସ୍ବର୍ଗତ ଝୁନୁ ନାୟକଙ୍କ କନିଷ୍ଠ ପୁଅ ସୌମ୍ୟରଞ୍ଜନଙ୍କ ସଫଳତା ତଥା ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ନେଇ ସାଙ୍ଗସାଥି, ବନ୍ଧୁ, ଆତ୍ମୀୟ ପରିଜନ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି।

ସେ ଦୀର୍ଘ ୭ ବର୍ଷ ଧରି ଶେଖ ସଲ୍ଲାଉଦ୍ଦିନଙ୍କ ସଂସ୍ପର୍ଶରେ ଆସି ଜିଲ୍ଲା, ରାଜ୍ୟ, ଜାତୀୟ ସ୍ତରରେ ସ୍କୋଏ ମାର୍ଶାଲ ଆର୍ଟରେ ଅଂଶଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ପ୍ରଥମ ଥର ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟରେ ଦେଶ ପାଇଁ କୃତିତ୍ୱ ହାସଲ କରିଥିବା ସୌମ୍ୟରଞ୍ଜନଙ୍କୁ ବାଲୁଗାଁ ବାପୁଜି କ୍ଲବ ସଭାପତି ହରେକୃଷ୍ଣ ନାୟକଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଏକ ଶୋଭାଯାତ୍ରାରେ ବାଲୁଗାଁ ସହର ପରିକ୍ରମା କରାଯାଇଥିଲା।

ଉକ୍ତ ଶୋଭାଯାତ୍ରାରେ ମାର୍ଶାଲ ଆର୍ଟ ପ୍ରଶିକ୍ଷାର୍ଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ, ୨ ଚୋରି ମୋବାଇଲ ଜବତ

ବାଲୁଗାଁ: ବୁଧବାର ପୂର୍ବାହ୍ନରେ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି ବାଲୁଗାଁ ଆରପିଏଫ। ଖବର ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଯାତ୍ରୀ ସୁରକ୍ଷା ଅଭିଯାନରେ ଏକ ଟିମ ରେଳ ଷ୍ଟେସନ ପରିସରରେ ତଦାରଖ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ବ୍ୟକ୍ତି ଚଳପ୍ରଚଳ ହେଉଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ପଚରାଉଚରା କରିବାରେ ସନ୍ଦେହ ଘନୀଭୂତ ହୋଇଥିଲା।

ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରାଜାପୁର ଗ୍ରାମର ଦୀପକ କୁମାର ସାହୁ ଓରଫ ଦିପୁ (୨୪) ବୋଲି ଜଣାପଡ଼ିଥିଲା। ଦିପୁଙ୍କ ତଲାସି ନେବାରେ ତା’ ନିକଟରୁ ୨ ଟି ଚୋରା ମୋବାଇଲ ଓ ଗୋଟିଏ ଇଅର ବଡ଼ ଜବତ ହୋଇଥିଲା। ଏଥିସହିତ ଏହି ଦୁଇଟି ମୋବାଇଲ ସେ ରେଳ ଯାତ୍ରୀ ମୋବାଇଲ ଚାର୍ଜ କରୁଥିବା ସମୟରେ ଚୋରି କରିଥିବା ସ୍ୱୀକାର କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଜିଆରପି ଷ୍ଟେସନରେ କେଶ ନଂ ୧୪୮/୨୪ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।