Categories
ଆଞ୍ଚଳିକ

ବାଣପୁର, ବାଲୁଗାଁ ପୌରାଞ୍ଚଳରେ ବଢୁଛି ନିର୍ବାଚନ ତାତି, ଆଶାୟୀଙ୍କ ସଂଖ୍ୟା ଦେଖି ଚିନ୍ତାରେ ଦଳୀୟ ନେତା

ସୀତାରାମ ଅଗ୍ରୱାଲ

ଚିଲିକା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଶାୟୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ପାଇଁ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତିନି ଦିନ ମଧ୍ୟରେ ଆଶାୟୀମାନେ ୪୯ ଟି ନାମାଙ୍କନ ଫର୍ମ ନେଇଥିବାର ସୂଚନା ମିଳିଛି। ୩ ଦିନ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୮ ଜଣ ଏବଂ କାଉନସିଲର ପଦବୀ ପାଇଁ ୧୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଅନୁରୂପ ଭାବେ ଗତ ୩ ଦିନ ମଧ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ଏବଂ କାଉନସିଲର ପଦବୀ ପାଇଁ ୨୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଛନ୍ତି।

ସେହିପରି ଭାବେ ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ଚଳିତ ବର୍ଷ ଭୋଟରମାନେ ସିଧାସଳଖ ଭୋଟ ଦେଇ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ମାନଙ୍କୁ ନିର୍ବାଚିତ କରିବେ। ଯାହାକି ସବୁ ଦଳରେ ଅଙ୍କକଷା ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦଳ ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ଜଣାପଡିଛି।

ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ଆଉ ମାତ୍ର ତିନି ଦିନ ଥିବାରୁ ଆଗକୁ ଏହି ନାମାଙ୍କନ ପତ୍ର ଦାଖଲ ସଂଖ୍ୟା ବୃଦ୍ଧି ପାଇବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବା ବେଳେ ସବୁ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବାରୁ ଦଳର ମୁଖିଆମାନଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି।

Categories
ଆଞ୍ଚଳିକ

ପୌର ନିର୍ବାଚନ: ପ୍ରକାଶ ପାଇଲା ବାଣପୁର ଏବଂ ବାଲୁଗାଁ ଏନଏସିର ଚୁଡାନ୍ତ ଭୋଟର ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ପୌର ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ମୂହୁର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସମସ୍ତ ପ୍ରସ୍ତୁତି ଶେଷ ହେବା ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୌର ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ନଗର ଉନ୍ନୟନ ବିଭାଗ ଅବଗତ କରିଛି। ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମରେ ନିର୍ବାଚନ ହେବ। କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ। ୪୮ ଟି ପୌର ପରିଷଦ ପାଇଁ ନିର୍ବାଚନ ହେବାକୁଥିବା ବେଳେ ୫୯ ଟି ବିଜ୍ଞାପିତ ଅଞ୍ଚଳ ଏବଂ ୩ ଟି ମହାନଗର ନିଗମ ପାଇଁ ମତଦାନ ହେବ।

ତେବେ ଆଜି ରାଜ୍ୟର ସମସ୍ତ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ମଧ୍ୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଥିବାର ଜଣାପଡିଛି। ତେବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୬ ଟି ବୁଥ ହୋଇଥିବାର ଜଣାପଡିଛି।

ସେହିପରି ଭାବେ ପନ୍ଦର ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ତେବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ସତର ଗୋଟି ବୁଥ ହୋଇଥିବାର ଜଣାପଡିଛି।

Categories
PanchayatElection ଅପରାଧ ଆଜିର ଖବର

ଚିଲିକାରେ ନିର୍ବାଚନୀ ହିଂସା: ଆଜିଠାରୁ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଥମ ଦିନରେ ୨୧ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ ହୋଇରହିଛି। ତେବେ ନିର୍ବାଚନ ପୁର୍ବରୁ ଏବଂ ପରେ ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଏକାଧିକ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି।

ଜିଲ୍ଲା ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳର ରାଜନୈତିକ ହିଂସାରେ ଜଡ଼ିତ ଥିବା ୨୧ ଜଣ ଉପଦ୍ରବିମାନଙ୍କୁ ଚି଼ହ୍ନଟ କରାଯାଇ ଗିରଫ କରାଯାଇଛି। ଆଜି ପ୍ରଥମ ଦିନରେ ବାଲୁଗାଁ ଥାନା ଅଞ୍ଚଳରୁ ୧୪ ଏବଂ ବାଣପୁର ଥାନା ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଏସପି ଶ୍ରୀ ପହି।

ନିକଟରେ ବାଲୁଗାଁ ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମ ଏବଂ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ଓ ଥାନା ପରିସରରେ ଘଟିଥିବା ହିଂସାରେ ଉକ୍ତ ଅଭିଯୁକ୍ତମାନେ ଜଡିତ ଥିବା ଜଣାପଡିଛି। ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଏସପି କହିଛନ୍ତି।

ତତସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏସପି ଜନସାଧାରଣଙ୍କୁ ଅପିଲ କରିଛନ୍ତି। ହିଂସାକୁ କଦାପି ବରଦାସ୍ତ କରାଯିବନାହିଁ ଏବଂ ଆଗକୁ ମଧ୍ୟ ଯିଏ ରାଜନୈତିକ ହିଂସା ସୃଷ୍ଟି କରିବ ତାକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଏସପି ଶ୍ରୀ ପହି କହିଛନ୍ତି।

ତେବେ ନିର୍ବାଚନ ପରେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଛି। ‘ତମେ ଭଦ୍ର ହେଲେ ଆମେ ନମ୍ର’ ଏବଂ ‘ତମେ ହିଂସ୍ର ହେଲେ ଆମେ ଉଗ୍ର’ ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି ପୋଲିସ। ତେବେ ଗିରଫ ଭୟରେ ଉକ୍ତ ରାଜନୈତିକ ହିଂସାରେ ଜଡ଼ିତ ଥିବା ବହୁ ନେତା ଓ କର୍ମୀମାନେ ବର୍ତ୍ତମାନ ଅଞ୍ଚଳ ଛାଡି ପାତାଳି ହେଉଥିବାର ଦେଖିବାକୁ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଦାଇତ୍ୱ ନେବା ପରେ ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନୂତନ ଏସପି ଭାବେ ଅଲେଖ ଚନ୍ଦ୍ର ପହି ଦାଇତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ବାଣପୁର ଏବଂ ବାଲୁଗାଁ ଥାନା ପରିଦର୍ଶନ କରିଥିଲେ। ଉଭୟ ଥାନା ଗସ୍ତ କରି ଶ୍ରୀ ପହି ଅଞ୍ଚଳର ଆଇନ ଶୃଙ୍ଖଳା ଏବଂ ଥାନାର ସମସ୍ତ ପ୍ରକାର ବନ୍ଦୋବସ୍ତର ତଦାରଖ କରିଥିଲେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ବେଳେ ତାହାକୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବାର ଏସପି ଆମ ଚିଲିକା ପ୍ରତିନିଧିଙ୍କୁ କହିଥିଲେ। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ଥାନାରେ ଅତିରିକ୍ତ ଗାଡ଼ି ପ୍ରଦାନ କରାଯିବ, ଯାହାଦ୍ୱାରା ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ପେଟ୍ରୋଲିଂକୁ ଆହୁରି ବ୍ୟାପକ କରାଯିବ।

ତେବେ ନିର୍ବାଚନ ପୂର୍ବରୁ ଚିଲିକା ଅଞ୍ଚଳରେ ବିଶୃଙ୍ଖଳା ଅବା ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ବହୁ ବ୍ୟକ୍ତିଙ୍କୁ ଆଗୁଆ ଚି଼ହ୍ନଟ କରାଯାଇଛି ଏବଂ ସେମାନଙ୍କୁ ୧୦୭  ଓ ୧୧୦ ରେ ନୋଟିସ ଦିଆଯାଇଥିବାର ଏସପି କହିଛନ୍ତି।

ଅନୁରୂପଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ସମୟରେ କିପରି ଶାନ୍ତିଶୃଙ୍ଖଳା ବଜାୟ ରହିବ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଏସପି ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଅଦ୍ୟାବଧି ନିର୍ବାଚନ ପରିଚାଳନା ଉପରେ ଏସପି ସନ୍ତୋଷ ପ୍ରକାଶ କରିବା ସହ ଚିଲିକାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ଅଶା କରିଛନ୍ତି।

ପରିଶେଷରେ ନୂତନ ଏସପି ମା’ ଭଗବତୀ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇ ଖୋର୍ଦ୍ଧା ଫେରିଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ”ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ଅଭିନବ ପ୍ରୟାସ, ଫୋନ ମାଧ୍ୟମରେ ମାଗଣାରେ ପରାମର୍ଶ ନେବେ ରୋଗୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସମସ୍ତଙ୍କର ଆନ୍ତରିକ ସହଯୋଗ ଏବଂ ଅତୁଟ ବିଶ୍ୱାସକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗାନ୍ଧୀଛକ ସ୍ଥିତ ”ସ୍ଵର୍ଣ୍ଣ ହୋମିଓ ହଲ୍” ଆଜି ତାର ପ୍ରଥମ ସ୍ଵନକ୍ଷତ୍ର ପୂର୍ଣ୍ଣ କରିଛି। ଗତ ଏକ ବର୍ଷ ମଧ୍ୟରେ ସ୍ଵର୍ଣ୍ଣ ହୋମିଓ ହଲ୍ ଅନେକ ରୋଗୀଙ୍କୁ ସଫଳତାର ସହ ସେବା ପ୍ରଦାନ କରିବା ସହ ୭୫ ବର୍ଷରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଶାରୀରିକ ବିକଳାଙ୍ଗ ରୋଗୀଙ୍କୁ ମାଗଣାରେ ପରାମର୍ଶ ତଥା ଔଷଧ ପ୍ରଦାନ କରିଚାଲିଛି।

ଆଜି ପ୍ରଥମ ସ୍ଵନକ୍ଷତ୍ର ଅବସରରେ ସ୍ଵର୍ଣ୍ଣ ହୋମିଓ ହଲ୍ ରୋଗୀଙ୍କୁ କିପରି ଭାବରେ ଶୀଘ୍ର, ସହଜ ଏବଂ କମ୍ ଖର୍ଚ୍ଚରେ ଆରୋଗ୍ୟ କରିବାର ଉଦ୍ଦେଶ୍ୟ ନେଇ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛି। ଏଣିକି କେହି ଅସୁସ୍ଥ ଅନୁଭବ କଲେ ତତକ୍ଷଣାତ ଘରେ ରହି ନିଜ ଫୋନ ମାଧ୍ୟମରେ ସ୍ଵର୍ଣ୍ଣ ହୋମିଓ ହଲ୍ ର ଅଭିଜ୍ଞ ହୋମିଓପାଥି ଡାକ୍ତର ମାନଙ୍କ ଠାରୁ ମାଗଣାରେ ପରାମର୍ଶ ନେଇପାରିବେ। ଏଥି ସହିତ ପ୍ରତ୍ୟେକ ପୀଡିତ କିପରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଶୀଘ୍ର ଏବଂ କମ୍ ଖର୍ଚ୍ଚରେ ପାଇପାରିବେ, ସେଥିପାଇଁ ସ୍ଵର୍ଣ୍ଣ ହୋମିଓ ହଲ୍ ପ୍ରାୟସ କରିବ।

ତେବେ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ ରୋଗୀଙ୍କୁ ଏଭଳି ସେବା ଯୋଗାଇଦେବା ପାଇଁ ଏକ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ମାଗଣାରେ ଚିକିତ୍ସା ସମ୍ବଦ୍ଧୀୟ ପରାମର୍ଶ ପାଇବା ପାଇଁ ୭୩୨୮୦୫୪୪୩୩ ନମ୍ବରରେ ଯୋଗାଯୋଗ କରିବାକୁ “ସ୍ଵର୍ଣ୍ଣ ହୋମିଓ ହଲ୍” ପକ୍ଷରୁ କୁହାଯାଇଛି।

ଏଥି ପାଇଁ ଅନେକ ଅଭିଜ୍ଞ ହୋମିଓ ବିଶେଷଜ୍ଞ ଯଥା:- ଡାକ୍ତର ପ୍ରେମଲତା ଦେବୀ (ସ୍ତ୍ରୀ ଏବଂ ଶିଶୁ ରୋଗ ବିଶେଷଜ୍ଞ), ଡାକ୍ତର ସି. ଧର ବି.ଏଚ.ଏମ.ଏସ (ଉତ୍କଳ) ଏମଡ଼ି (ହୋମିଓ) ଆଗ୍ରା, ଲେକଚର ଓଏମସିଏଚ ଏବଂ ଆର (ଶ୍ଵାସ ଏବଂ ବାତ ରୋଗ ବିଶେଷଜ୍ଞ), ଡାକ୍ତର ଜ୍ୟୋତି ପ୍ରକାଶ ପରିଡା ଡ଼ି.ଏଚ.ଏମ.ଏସ (ଉତ୍କଳ) (ପାରାଲିସିସ୍ ବିଶେଷଜ୍ଞ), ଡାକ୍ତର ଶୁଭଶ୍ରୀ ରାୟସିଂ, ଏଫ.ଏମ.ଇ.ଏଚ (ଏଫ.ବି.ଇ.ଏଚ) (ଗଳା, ନାସା ଏବଂ କର୍ଣ୍ଣ ବିଶେଷଜ୍ଞ), ଡାକ୍ତର ମିନାକ୍ଷୀ ବଳିୟାରସିଂହ, ବି.ଏଚ.ଏମ.ଏସ (ଉତ୍କଳ) (ସ୍ତ୍ରୀ ଏବଂ ଚର୍ମ ରୋଗ ବିଶେଷଜ୍ଞ)ଙ୍କ ପରି ଅନେକ ଅଭିଜ୍ଞ ଡାକ୍ତର ନିସ୍ୱାର୍ଥପର ଭାବରେ ତାଙ୍କର ସହଯୋଗ ଓ ସେବା ପ୍ରଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ ଫାଟୁଥୁବାର ଦେଖାଯାଇଛି।

ଆଖପାଖ ଅଞ୍ଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସି ଅଗ୍ନିଶମ ବିଭାଗକୁ ଖବର ଦେଇବାପରେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ସଂରକ୍ଷଣ ତାଲିକା: ବାଲୁଗାଁ ଓ ବାଣପୁର ଏନଏସିର କାଉନସିଲରଙ୍କ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏବେ ପୌରାଞ୍ଚଳ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କାଉନସିଲରଙ୍କ ନିମନ୍ତେ ରାଜ୍ୟ ସରକାର ତାଲିକା ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ସଂରକ୍ଷଣର ଚୂଡାନ୍ତ ଚିଠା ବିଜ୍ଞପ୍ତି ଜାରି ହୋଇଛି।

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ:

ୱାର୍ଡ ନମ୍ବର ୧- ଅଣସଂରକ୍ଷଣ

ୱାର୍ଡ ନମ୍ବର ୨- ଅନୁସୂଚିତ ଜାତି

ୱାର୍ଡ ନମ୍ବର ୩- ମହିଳା

ୱାର୍ଡ ନମ୍ବର ୪- ମହିଳା

ୱାର୍ଡ ନମ୍ବର ୫- ଅଣସଂରକ୍ଷଣ

ୱାର୍ଡ ନମ୍ବର ୬- ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୭- ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୮- ଅନୁସୂଚିତ ଜନଜାତି ମହିଳା

ୱାର୍ଡ ନମ୍ବର ୯- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୦- ମହିଳା

ୱାର୍ଡ ନମ୍ବର ୧୧- ଅଣସଂରକ୍ଷଣ

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ:

ୱାର୍ଡ ନମ୍ବର ୧- ଅଣସଂରକ୍ଷଣ

ୱାର୍ଡ ନମ୍ବର ୨- ଅଣସଂରକ୍ଷଣ

ୱାର୍ଡ ନମ୍ବର ୩- ଅଣସଂରକ୍ଷଣ

ୱାର୍ଡ ନମ୍ବର ୪- ମହିଳା

ୱାର୍ଡ ନମ୍ବର ୫- ଅଣସଂରକ୍ଷଣ

ୱାର୍ଡ ନମ୍ବର ୬- ଅଣସଂରକ୍ଷଣ

ୱାର୍ଡ ନମ୍ବର ୭- ମହିଳା

ୱାର୍ଡ ନମ୍ବର ୮- ମହିଳା

ୱାର୍ଡ ନମ୍ବର ୯- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୦- ଅଣସଂରକ୍ଷଣ

ୱାର୍ଡ ନମ୍ବର ୧୧- ମହିଳା

ୱାର୍ଡ ନମ୍ବର ୧୨- ଅନୁସୂଚିତ ଜନଜାତି ମହିଳା

ୱାର୍ଡ ନମ୍ବର ୧୩-ଅନୁସୂଚିତ ଜାତି ମହିଳା

ୱାର୍ଡ ନମ୍ବର ୧୪- ମହିଳା

ୱାର୍ଡ ନମ୍ବର ୧୫- ମହିଳା

Categories
StateBoard ଆଜିର ଖବର ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ରଙ୍କ ବାଲୁଗାଁରେ ବିକ୍ଷୋଭ ଓ ରାସ୍ତା ଅବରୋଧ

ସୀତାରାମ ଅଗ୍ରୱାଲ

ବାଲୁଗାଁ: କରୋନା ମହାମାରୀରେ ପରୀକ୍ଷା ବାତିଲ ଦାବିରେ ରାଜପଥ ଅବରୋଧ କରିଛନ୍ତି ଶତାଧିକ ଛାତ୍ର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି। ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶତାଧିକ ଛାତ୍ର ବାଲୁଗାଁ ଗାନ୍ଧୀ ଛକ ଅବରୋଧ କରିଛନ୍ତି। ଅଲ ଓଡିଶା ସ୍ଟୁଡେଣ୍ଟସ ୟୁନିଅନ ବ୍ୟାନରରେ ବାଣପୁର, ବାଲୁଗାଁ ତଥା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଯୁକ୍ତ ଦୁଇ ମହାବିଦ୍ୟାଳୟରୁ ଛାତ୍ରମାନେ ଏକାଠି ହୋଇ ଗାନ୍ଧୀଛକରେ ବିକ୍ଷୋଭ ଜାରି ରଖିଛନ୍ତି।

ସେମାନଙ୍କ ଦାବି ଯେ, କରୋନା କାଳରେ ମହାବିଦ୍ୟାଳୟରେ ପାଠପଢା ଠିକ ସେ ହୋଇପାରିନାହିଁ। ଅନୁରୂପ ଭାବେ ଅନଲାଇନ କ୍ଲାସର ବି ଅତାପତ୍ତା ନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ନେଇ ଘୋଷଣା କରନ୍ତୁ। ଅପରପକ୍ଷେ ଘଟଣାସ୍ଥଳରେ ବାଲୁଗାଁ ପୋଲିସ ଉପସ୍ଥିତି ଥାଇ ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା ଜାରି ରଖିଛି। ସୂଚନା ଥାଉ କି ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅବକାରୀ ଧରପଗଡ଼, ଦୁଇ ମହିଳା ସମେତ ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ମହତପଲା ଏବଂ ଜଗନ୍ନାଥପୁର ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ମହିଳା ସମେତ ତିନି ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି। ମହତପଲା ଗ୍ରାମରୁ ଦୁଇ ଜଣ ମହିଳା ମଦ ବେପାରି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୬୨ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।

ଅନୁରୂପ ଭାବେ ଜଗନ୍ନାଥପୁର ଗ୍ରାମରୁ ଗଙ୍ଗାଧର ଦଣ୍ଡସେଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ତିନି ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: କୂପରେ ପଡ଼ି ପ୍ରାଣ ହରାଇଲେ ବୟସ୍କ ବ୍ୟକ୍ତି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡ଼ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂପରେ ପଡ଼ି ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁବରଣ ହୋଇଥିବା ଖବର ମିଳିଛି।

ଖବର ମୁତାବକ ଚିଲିକା ରୋଡସ୍ଥିତ ପାତ୍ର ଲଜ ନିକଟରେ ବାସ କରୁଥିବା ପ୍ରଶାନ୍ତ ପାତ୍ର ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ଆଜି ଅପରାହ୍ନରେ ନିଜ ଘର କୂପ ନିକଟରେ ବସିଥିଲେ। ତେବେ କିଛି ସମୟ ପରେ ପ୍ରଶାନ୍ତଙ୍କ ପରିବାରବର୍ଗ ଜାଣିବାକୁ ପାଇଥିଲେ ଯେ, ପ୍ରଶାନ୍ତ କୂପ ମଧ୍ୟରେ ପଡ଼ିଯାଇଛନ୍ତି। ସଙ୍ଗେ ସଙ୍ଗେ ପରିବାର ଲୋକେ ଏ ନେଇ ବାଲୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କ ଶରୀରକୁ କୂପରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ଡାକ୍ତର ସେଠାରେ ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିବା ସହ ବାଲୁଗାଁ ପୋଲିସକୁ ସୂଚନା ଦେଇଥିଲେ।

ବର୍ତ୍ତମାନ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମୃତ ପ୍ରଶାନ୍ତଙ୍କ ପତ୍ନୀ ସୁଲତା ପାତ୍ରଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ବିଜେପି ନେତାଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲା ବିଜେଡ଼ି, ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଛି। ବାଲୁଗାଁ ଥାନା ସମ୍ମୁଖରେ ବିଜେଡ଼ି ପକ୍ଷରୁ ପ୍ରତିବାଦ କରାଯାଇଛି। ଆକ୍ରମଣ ଏବଂ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ ଦାବି କରି ବିଜେଡ଼ି ଥାନା ଘେରାଉ କରିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଚିଲିକା ରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେଇ ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ଏହାକୁ ବିରୋଧ କରି ସ୍ଥାନୀୟ କିଛି ଜନସାଧାରଣ ପ୍ରତିବାଦ ସହିତ ଦୃଢ ବିରୋଧ କରିଥିଲେ। ସେମାନଙ୍କ କହିବା ମୁତାବକ ପୂର୍ବରୁ ସ୍କୁଲର ପୂର୍ବତନ ସମ୍ପାଦକ ବିଜୟ କୁମାର ସେନାପତିଙ୍କ ନାମରେ ସ୍କୁଲରୁ ଅର୍ଥ ତୋଷାରପାତ ଅଭିଯୋଗ ନେଇ ଭୁବନେଶ୍ୱର ସହିଦ ନଗର ଥାନାରେ ମାମଲା ବିଚାରାଧୀନ ରହିଛି। ରାଜ୍ୟ ଇକୋନୋମିକି ଅଫେନ୍ସ ଉଇଙ୍ଗ ବିଭାଗରେ ମଧ୍ୟ କେସ ଥିବା ବେଳେ ବିଧାୟକ କିଭଳି ସମ୍ପୃକ୍ତ ଅସାଧୁ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ସ୍କୁଲରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଛନ୍ତି। ତାକୁ ନେଇ ତୀବ୍ର ସମାଲୋଚନା ଓ ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଏହି ସମୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେଡ଼ିର ନେତାଙ୍କୁ ବିଜେପି ନେତା ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ମୁତାବକ, ବିଜେଡ଼ିର ବାଲୁଗାଁ ଏନଏସି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କୁ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଆକ୍ରମଣ କରିଥିଲେ। ଏବଂ କୃଷ୍ଣ ବେହେରାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ନିରଞ୍ଜନ ଧମକ ଦେଇଥିଲେ। ତେଣୁ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାକୁ ବିଜେଡ଼ି ପକ୍ଷରୁ ପ୍ରତିବାଦ କରିବା ସହ ନିରଞ୍ଜନ ସେଠୀଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା।

ତେବେ ବିଜେପି ନେତା ନିରଞ୍ଜନ ସେଠୀ ଏବଂ ଅଜୟ ତରାଇଙ୍କୁ ଥାନାରେ ପୋଲିସ ଅଟକ ରଖିଛି। କିନ୍ତୁ ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି। ମିଥ୍ୟା ମାମଲାରେ ମିରଞ୍ଜନ ଏବଂ ଅଜୟଙ୍କୁ ବାଲୁଗାଁ ପୋଲିସ ଅଟକ ରଖିଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଏନେଇ ବାଲୁଗାଁ ଥାନାରେ ଚାପା ଉତ୍ତେଜନା ଦେଖାଯାଇଛି। ଉଭୟ ବିଜେପି-ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ପରିସ୍ଥିତିକୁ ଦେଖି ଥାନା ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି, ବାଣପୁର ଅତିରିକ୍ତ ଆଇଆଇସି, ଟାଙ୍ଗୀ ଆଇଆଇସି, ନାଚୁଣୀ ଫାଣ୍ଡି ଅଧିକାରୀ, ନାଭାଲ ଫାଣ୍ଡି ଅଧିକାରୀ, କୁହୁଡି ଫାଣ୍ଡି ଅଧିକାରୀ ଏବଂ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହିତ ସଙ୍ଗୀନ ଧାରା ମଧ୍ୟ ଲାଗିଥିଲା। ଏହି ମାମଲାରେ ବିଧାୟକଙ୍କୁ ବିଜେଡ଼ି ପକ୍ଷରୁ ନିଲମ୍ବିତ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲୁଗାଁ: ଗୋଟାଏ ଦିନରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜ୍ଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏକ ଦୁଖଃଦନୀୟ ଘଟଣା ଘଟିଯାଇଛି।  ଗୋଟିଏ ଦିନରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏ ନେଇ ବାଲୁଗାଁ ପୋଲିସ ସୂଚନା ଦେଇଛି।

ସୂଚନା ମୁତାବକ ବାଲୁଗାଁ ଏନଏସି ଶାନ୍ତି ନଗରର ବାସିନ୍ଦା ବିଶ୍ୱଜିତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳ (୨୧) ଗତକାଲି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ପରିବାରବର୍ଗ ବାଲୁଗାଁ ମେଡିକାଲ ନେବାରୁ ଡାକ୍ତର ସେଠାରେ ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମିଳାଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ବୋଲି ଜଣାପଡିଛି।

ସେହିପରି ଭାବେ ଆନ୍ଧ୍ରପ୍ରଦେଶ ବିଜୟନଗରମ ସ୍ଥିତ ଏକ ହୋଟେଲରେ କାମ କରୁଥୁବା ଅନୁଗୁଳ ଜିଲ୍ଲାର ପ୍ରକାଶ ନାୟକ (୩୦) ଗତକାଲି ସଂନ୍ଧ୍ୟାରେ ଟ୍ରେନ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଶରୀର ଅସୁସ୍ଥ ଲାଗିବାରୁ ବାଲୁଗାଁ ଷ୍ଟେସନରେ ଓହ୍ଲାଇ ବାଲୁଗାଁ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଆଜି ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଲୁଗାଁ ପୋଲିସ କେସ ନମ୍ବର ୧ ଏବଂ ୨ ରେ ଦୁଇ ଗୋଟି ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଆଇ.ବି ରୋଡ଼ ପାଲଟିଛି ମରଣଯନ୍ତା, ନିଦ୍ରାରେ ଏନ୍ଏସି ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ର ଜନସଂଖ୍ୟା ଏବଂ ଆୟତ୍ତନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ନିକଟରେ ଏନଏସିର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ମୁକ୍ତା ଯୋଜନା ଅନ୍ତର୍ଗତ ୨୬ ଲକ୍ଷ ଟଙ୍କା ମଂଜୁର ମଧ୍ୟ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ସହରର ଉନ୍ନତିପାଇଁ ଏନଏସି ପ୍ରଶାସନ ଚିନ୍ତା କରୁଥିବାବେଳେ କିନ୍ତୁ ସହରର ନାଗରିକଙ୍କ ସୁରକ୍ଷା ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି। ଆମେ କହୁଛୁ ସହରର ପ୍ରମୁଖ ବ୍ୟସ୍ତବହୁଳ ଅଞ୍ଚଳ ଆଇ.ବି ରୋଡ଼ କଥା।

ଗତ ଏକମାସ ପୂର୍ବେ ବାତ୍ୟା ‘ଜୱାଦ’ କୁ ଆଖି ଆଗରେ ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରିଙ୍କ ଉପସ୍ଥିତିରେ ଆଇ.ବି ରୋଡ଼ ପାର୍ଶ୍ୱରେ ଥିବା ପୁରୁଣା ଡ୍ରେନକୁ ଜେସିବି ଲଗାଇ ଖୋଳିଦିଆଯାଇଥିଲା। ଯାହା ଫଳରେ ଡ୍ରେନ ପାର୍ଶ୍ୱରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଯିବା ଆସିବା ପାଇଁ ଏକମାତ୍ର ରାସ୍ତାଟି ମୁକୁଳା ଡ୍ରେନରେ ପାଲଟିଗଲା। ତେବେ ଏହା ଖୋଳିବାର କାରଣ କଣ ଏଯାବତ ବାରି ହେଉନାହିଁ। ରାସ୍ତା ପାର୍ଶ୍ୱରେ ମୁକୁଳା ଡ୍ରେନ ଥିବାରୁ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ଏନଏସି କର୍ତ୍ତୃପକ୍ଷଙ୍କ ନଜର ପଡୁନି।

ଡ୍ରେନଟି ପୁନଃରୁଦ୍ଧାର ପାଇଁ ଖୋଳାଯାଇଥିବାର ଏନଏସି ପ୍ରଶାସନ ସ୍ପଷ୍ଟୀକରଣ ଦେଉଥିବାବେଳେ, ବାତ୍ୟା ଯିବାର ପାଖାପାଖି ୨୫ ଦିନ ହେଲାଣି, କିନ୍ତୁ ଏଯାବତ ପାଞ୍ଚ ପଇସାର କାମ ଏଠାରେ ହୋଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ତରବରିଆ ଭାବେ ଡ୍ରେନକୁ ଜେସିବି ଲଗାଇ ଖୋଳାଗଲା କଣ ପାଇଁ? ରୋଡ଼ ପାର୍ଶ୍ୱ ଖୋଳାଯାଇଥିବାରୁ ଜନସାଧାରଣ ମାନଙ୍କୁ ଦୋକାନ ବଜାରକୁ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।  ଉକ୍ତ ରାସ୍ତାରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ରାସ୍ତା ପାର୍ଶ୍ୱକୁ ସମତୁଲ ମଧ୍ୟ କରିବାକୁ ଭୁଲିଯାଇଛି ଏନଏସି ପ୍ରଶାସନ।

ଏପରିକି ଗତକାଲି ଜଣେ ବ୍ୟକ୍ତି ଉକ୍ତ ମୁକୁଳା ଡ୍ରେନରେ ପଡିଯାଇ କ୍ଷତବିକ୍ଷତ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଏତେସବୁ ଘଟିଲା ପରେ ବି ଏନଏସି କର୍ତ୍ତୃପକ୍ଷ ଚୁପ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲୁଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ସହରର ଏପରି ଦୃଶ୍ୟ କି ପ୍ରକାର ପ୍ରଭାବ ପକାଇବ ତାହା ସାଧାରଣରେ ଅନୁମେୟ ହେଉଛି।

ଯଥାଶୀଘ୍ର ଉକ୍ତ ଡ୍ରେନକୁ ଆବଦ୍ଧ କରିବା ସହ ଜେସିବି ଦ୍ୱାରା ଖୋଳା ଯାଇଥିବା ରାସ୍ତା ପାର୍ଶ୍ୱକୁ ସମତୁଲ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ନହେଲେ ଯଦି ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟେ ତେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଞ୍ଚଳବାସୀ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ୧୫ ପୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଅମୃତ ପୁର ସାହିରୁ ୧୫ ପୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ବିଜୟ ପ୍ରଧାନଙ୍କ ଘର କଡ଼ରୁ ଏହି ଅହିରାଜ ସାପକୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବାପି ମିଶ୍ରଙ୍କ ଦ୍ଵାରା ଉଦ୍ଧାର କରା ଯାଇଛି। ଆଜି ଅପରାହ୍ନ ୪ ଟାରେ ବିଜୟଙ୍କ ପଡୋଶୀମାନେ ଏକ ବିରାଟ କାୟ ଅହିରାଜ ସାପକୁ ଦେଖିବାକୁ ପାଇଥିଲେ। ବିଜୟ ପ୍ରଧାନଙ୍କ ବାରିପଟେ ଥିବା ଅଜବେଷ୍ଟ୍ ଉପରେ ସାପଟି ଚଢ଼ୁ ଥିବାର ପଡୋଶୀମାନେ ଦେଖିଥିଲେ। ପରେ ଭୟଭୀତ ହୋଇ ସେମାନେ ସ୍ନେକ ହେଲ୍ପ ଲାଇନର କର୍ମଚାରୀଙ୍କୁ ଖବର ଦେଇଥିଲେ। ହେଲ୍ପ ଲାଇନର କର୍ମଚାରୀ ବାପି ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। କିନ୍ତୁ ସାପଟି ଆହତ ହୋଇଥିବାରୁ ପ୍ରଥମେ ଚିକିତ୍ସା କରାଯାଇ ତାକୁ ଜଙ୍ଗଲରେ ଛଡାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ଢ଼ାବା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ବାଲୁଗାଁ ଥାନା ବାଙ୍କିଆପଲି ଗ୍ରାମର ରୀନା ବେହେରା (୭୨) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ମାଛ ବିକ୍ରି କରିବା ଉଦ୍ଦେଶ୍ୟରେ ପାରିକଂସାରୀ ଯିବା ପାଇଁ ଉଦ୍ୟତ ହେଉଥିଲେ। ସେହିସମୟରେ ବୃଦ୍ଧା ଜଣଙ୍କ ତାରିଣୀ ଢ଼ାବା ନିକଟରେ ସଡ଼କ ପାର କରୁଥିବା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ଅଜଣା ଗାଡ଼ି ରୀନାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ତେବେ ଗୁରୁତର ଅବସ୍ଥାରେ ରୀନାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ଏହାପରେ ଦୁର୍ଘଟଣା ସମ୍ପର୍କରେ ବାଲୁଗାଁ ଥାନାକୁ ସୂଚନା ଦେଇଥିଲେ। କିନ୍ତୁ ମେଡିକାଲରେ ରୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ବେଳେ କେସ ନମ୍ବର ୨୨୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ତଦନ୍ତକାରୀ ଅଧିକାରୀ ଏଏସଆଇ ଶରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ତେବେ ରୀନାଙ୍କ ପରିବାର ବର୍ଗ କେହି ନଥିବା ବେଳେ କେବଳ ଜଣେ ବିବାହିତା ଝିଅ ଥିବା ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଊମାମହେଶ୍ୱର ମନ୍ଦିର ପରିଚାଳନା କମିଟିକୁ ବିରୋଧ: ଆନ୍ଦୋଳନ ଲାଗି ଏକାଠି ହେଲେ ଶତାଧିକ ଜନତା

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଅପରାହ୍ନରେ ବାଲୁଗାଁ ଉମାମହେଶ୍ୱର ବଣିକ ସଙ୍ଘ ପରିସରରେ ଅଠର ଖଣ୍ଡ ମୌଜାର ଶତାଧିକ ଜନତା ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ସୁରକ୍ଷା ନେଇ ବିଶାଳ ଜନ ଆନ୍ଦୋଳନ କରିଛନ୍ତି। ଏଥିନିମନ୍ତେ ସମାଜସେବୀ ପ୍ରସାଦ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ଅଠର ଖଣ୍ଡ ମୌଜା ତଥା ଏନ୍ଏସିର ପୁରୁଖା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସୂଚନା ମୁତାବକ ଗତ ୧୧ ତାରିଖରେ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି ୯ ଜଣିଆ କମିଟି ଗଠନ ହୋଇଥିଲା। ଉକ୍ତ କମିଟିରେ ୯ ଜଣ କମିଟି ମେମ୍ବର ଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ମାତ୍ର ସାଧାରଣ ଜନତା ତଥା ବୁଦ୍ଧିଜୀବୀ ମହଲ ଏହି କମିଟିକୁ ଗ୍ରହଣ କରିପାରୁନଥିବାରୁ ମନ୍ଦିର ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।ଏପରିକି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଥିଲା। ଯାହାଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଭକ୍ତଙ୍କ ସମାଗମ ଉପରେ ରୋକ ଲାଗିବା ସହ ଅଦ୍ୟାବଧି ୧୪୪ ଧାରା ବଳବତ୍ତର ରହିଛି।ଯେଉଁଥିପାଇଁ ଶ୍ରଦ୍ଧାଳୁମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ଏହାକୁ ନେଇ ଆଜି ବାଲୁଗାଁ ସଚେତନ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଅଠର ଖଣ୍ଡ ମୌଜାର ସାଧାରଣ ଜନତା ଦୃଢ଼ ବିରୋଧ କରିଛନ୍ତି ଏବଂ “ଶ୍ରୀ ଶ୍ରୀ ଉମାମହେଶ୍ୱରଦେବ ସୁରକ୍ଷା ମଞ୍ଚ” ଗଠନ କରାଯାଇ ଏହା ମାଧ୍ୟମରେ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟ ଭବିଷ୍ୟତରେ ଏହି ନୂତନ କମିଟିକୁ ରଦ୍ଦ କରି ସୁରକ୍ଷା ମଞ୍ଚ ପରାମର୍ଶରେ ଏକ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯିବାକୁ ସ୍ଥିରିକୃତ କରାଯାଇଥିବା ବେଳେ ଆଗାମି ଦିନରେ କିପରି ମନ୍ଦିର ପରିଚାଳନା ସୁରୁଖୁରୁରେ ହେବ ତାହାକୁ ନେଇ ବିସ୍ତ୍ରୁତ ଆଲୋଚନା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଊମାମହେଶ୍ୱର ଟ୍ରଷ୍ଟ ବୋର୍ଡରେ ଚିଲିକା ବିଧାୟକଙ୍କ ସଭ୍ଯପଦକୁ ବିରୋଧ, ଲାଗିଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଦ୍ଵାରା ବାଲୁଗାଁସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଆଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଆଇଆଇସି ରମାକାନ୍ତ ମାହାଲିକଙ୍କ ଅନୁରୋଧକ୍ରମେ ଉକ୍ତ ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି।

ଖବରରୁ ଜଣାପଡିଛି ଯେ, ଓଡିଶା ଦେବୋତ୍ତର ବିଭାଗ ତରଫରୁ ନୂଆ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଥିବା ଯୋଗୁଁ ସେଠାରେ ନୂତନ କରି କମିଟି ଗଠନ ହୋଇଥିବାର ଖବର ମିଳିଛି। ଉକ୍ତ ୯ ଜଣିଆ କମିଟିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସଭ୍ଯ କରାଯାଇଥିଲା। କିନ୍ତୁ ସାଧାରଣ ଜନତା ବିଧାୟକଙ୍କୁ ସଭ୍ଯ ଭାବେ ଗ୍ରହଣ କରିପାରୁନଥିବାରୁ ମନ୍ଦିରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା।

ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ହେବାର ଆଶଙ୍କା କରି ପୋଲିସ ୧୪୪ ଧାରା ଲାଗୁ କରିଛି। ଯାହାଫଳରେ ମନ୍ଦିର ପ୍ରାଙ୍ଗଣରେ ୫ ଜଣ ରୁ ଅଧିକ ଲୋକଙ୍କ ସମାଗମ ହେବା ଉପରେ ରୋକ ଲାଗିବା ଫଳରେ ସାଧାରଣରେ ଭୃକୁଂଚନ ସୃଷ୍ଟି ହୋଇଛି।

ଏନେଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା ନେବା ପାଇଁ ଆମ ପ୍ରତିନିଧି ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। କିନ୍ତୁ ଏବିଷୟରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ଯୋଗାଯୋଗ କରିବାରୁ ୧୫ ଖଣ୍ଡ ଗ୍ରାମକୁ ନେଇ ଉକ୍ତ ମନ୍ଦିରର ପରିଚାଳନା କମିଟି ଗଠନ ହୋଇଆସୁଥିବାର ସେ କହିଛନ୍ତି। ତେବେ ଚଳିତ ବର୍ଷ କମିଟି ଗଠନ ନିମନ୍ତେ ଦେବୋତ୍ତର ବିଭାଗର ଜାରି କରିଥିବା ସଭ୍ୟ ମାନଙ୍କ ସୂଚୀକୁ ସ୍ଥାନୀୟ ଜନସାଧାରଣ ଆପତ୍ତି ଦର୍ଶାଇ ଅନ୍ୟାନ ସଦସ୍ୟଙ୍କ ନାମକୁ ଅନୁମୋଦନ ନିମନ୍ତେ ଚଳିତ ବର୍ଷ ସେପ୍ଟେମ୍ବର ୭ ତାରିଖରେ ଦେବୋତ୍ତର ବିଭାଗକୁ ଦରଖାସ୍ତ ଦେଇଥିଲେ।

କିନ୍ତୁ ଦେବୋତ୍ତର ବିଭାଗ ଅଭିଯୋଗର ତଦନ୍ତ ନକରି ତାଙ୍କ ପ୍ରସ୍ତାବିତ ପୂର୍ବ ସୂଚୀକୁ ଅନୁମୋଦନ ପାଇଁ ସରକାରଙ୍କୁ ପଠାଇଥିଲେ। ଯାହାଦ୍ୱାରା ସରକାର ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଉକ୍ତ ଚିଠାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମ ଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରିଥିଲେ।

ବିଧାୟକ ଯେହେତୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ନୁହନ୍ତି ଏବଂ ସେ ଜନପ୍ରତିନିଧି, ତେଣୁ ସେ କିପରି ଟ୍ରଷ୍ଟ ବୋର୍ଡର ସଭାପତି ହୋଇପାରିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ମୁଖ୍ୟରାସ୍ତା ଅନ୍ଧକାରମୟ ପ୍ରସଙ୍ଗ: ସମସ୍ୟାପ୍ରତି ଧ୍ୟାନ ଦେଉନାହାନ୍ତି ବିଡ଼ିଓ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା ଅନ୍ତର୍ଗତ ବାଇପାସ ଠାରୁ ନନ୍ଦପୁର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ଧରି ଅନ୍ଧକାର ରହିଛି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିଲେ ମଧ୍ୟ ବାଣପୁର ବ୍ଲକ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଉକ୍ତ ସମସ୍ୟାକୁ ଗୁରୁତ୍ୱ ଦେଉନଥିବାର ଦେଖାଯାଇଛି। ବର୍ତ୍ତମାନ ଶୀତଋତୁ ଜାରି ରହିଥିବା ବେଳେ ଓଡିଶା ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିରକୁ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଅନ୍ଧାର ହୋଇ ପଡ଼ିରହିଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାଟି ପର୍ଯ୍ୟଟକ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟିକରୁଛି।

ସ୍ପଷ୍ଟ ଦିବାଲୋକରେ ଏହି ରାସ୍ତା ସୁରକ୍ଷିତ ନଥିବା ବେଳେ ରାତିରେ ଯାତାୟାତ କରୁଥିବା ଯାତ୍ରୀ ସୁରକ୍ଷିତ ମଣୁନାହାନ୍ତି। ନିକଟରେ ଉକ୍ତ ରାସ୍ତା ଅନ୍ତର୍ଗତ ପାରିନୂଆଗାଁ ଛକରୁ ଦିନ ବେଳେ ଲକ୍ଷାଧିକ ଟଙ୍କା ଲୁଟ ମଧ୍ୟ ହୋଇଥିଲା।

ତେବେ ଦିନକୁ ଦିନ ଉକ୍ତ ରାସ୍ତାରେ ଅପରାଧିକ ଗତିବିଧି ବଢୁଥିବାବେଳେ ଦୁର୍ଘଟଣା ମଧ୍ୟ ବଢୁଛି। ତଥାପି ବ୍ଲକ ପ୍ରଶାସନ କିପରି ଏହାକୁ ଗୁରୁତ୍ୱ ଦେଉନାହିଁ, ତାହା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

ଉନ୍ନତିମୂଳକ କାର୍ଯ୍ୟକୁ ରାଜ୍ୟସରକାର ଗୁରୁତ୍ଵ ଦେଉଥିବା ବେଳେ ଏଠି କିନ୍ତୁ ସ୍ଥାନୀୟ ପ୍ରଶାସନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୈନିକ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ବାଣପୁର ଆସୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନର ନୂଆ ଲାଇଟ ଲଗାଇବା ଦୂରର କଥା ଏପରିକି ଖରାପ ହୋଇଯାଇଥିବା ପୁରୁଣା ଲାଇଟକୁ ମରାମତି ମଧ୍ୟ କରିପାରୁନି।

ସୂଚନା ଥାଉକି ଉକ୍ତ ସମସ୍ୟାକୁ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ପୂର୍ବରୁ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକଙ୍କୁ ପଚାରିବାରୁ ଶୀଘ୍ର ଉକ୍ତ ସମସ୍ୟାର ସମାଧାନ ହେବ ବୋଲି କହୁଛନ୍ତି। କିନ୍ତୁ ଅଦ୍ୟାବଧି ଏହାର ସୁଫଳ ଦେଖିବାକୁ ମିଳୁନାହିଁ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ଯଦି ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ନହୁଏ, ତେବେ ଏହାକୁ ନେଇ ଏକ ବଡ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଲକ୍ଷାଧିକ ଟଙ୍କାର ପାନ ମସଲା ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ଲକ୍ଷାଧିକ ଟଙ୍କାର ପାନମସଲା ଚୋରି ହୋଇଥିଲା। ଏହି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି। ଗିରଫ ତିନି ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବିଡ଼ାନାସି ଅଞ୍ଚଳର ୱାଇ. ନରେଶ, ନିବେଶ ବେହେରା ଏବଂ ସୁଶାନ୍ତ ସାହୁ।  ତତସହିତ ଚୋରି ହୋଇଥିବା ପାନ ମସଲାର ବିକ୍ରି ମୂଲ୍ୟ ତିନି ଲକ୍ଷ ଟଙ୍କା ସମେତ ଚୋରି ପାଇଁ ବ୍ୟବହାର ହୋଇଥିବା ପିକ ଅପ ଭ୍ୟାନକୁ ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତମାସ ୧୮ ତାରିଖ ମଧ୍ୟ ରାତ୍ରିରେ ବାଲୁଗାଁ ପାଟଣା ସାହିସ୍ଥିତ ସୁଶୀଲ ସୁବୁଦ୍ଧିଙ୍କ ଗୋଦାମରୁ ପାଖାପାଖି ତିନି ଲକ୍ଷ ଟଙ୍କାର ପାନ ମସଲା ଚୋରୀ ହୋଇଯାଇଥିଲା। ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କ ଦ୍ଵାରା ସ୍ପେଶାଲ ସ୍କ୍ୱାର୍ଡ ସହଯୋଗରେ ତିନି ଗୋଟି ଟିମ ଗଠନ କରଯାଇଥିଲା। ଏବଂ ଏହି ଟିମ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ତଦନ୍ତ ବେଳେ ଅଭିଯୁକ୍ତମାନେ ଉକ୍ତ ପାନ ମସଲାକୁ ଝାରସୁଗୁଡା ଅଞ୍ଚଳରେ ବିକ୍ରି କରିଥିବାର ସ୍ୱୀକାର କରିଥିଲେ।

ପୋଲିସ ସୁଦୂର ଝାରସୁଗୁଡା ଅଞ୍ଚଳ ଯାଇ ଏକାଧିକ ଦୋକାନୀଙ୍କ ଠାରୁ ବିକ୍ରି ହୋଇଥିବା ସମସ୍ତ ଚୋରା ପାନ ମସଲାର ମୂଲ୍ୟ ତିନି ଲକ୍ଷ ଟଙ୍କା ଜବତ କରିଥିଲା। ଏ ସଂକ୍ରାନ୍ତରେ ବାଲୁଗାଁ ପୋଲିସ କେସ ନମ୍ବର ୨୧୩/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ତେବେ ଉକ୍ତ ଚୋରିରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଅବ୍ୟାହତ ରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟାରେ ବାଲୁଗାଁ ବାଣପୁର ହେବ ଜଳମଗ୍ନ, ଏସଆରସି ଦେଲେ ସୂଚନା

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ନେଇ ଆଜି ସ୍ବତନ୍ତ୍ର ରିଲିଫ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଓ ବାଣପୁର ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି କହିଛନ୍ତି।

କାରଣ କୁହାଯାଇଛି ଯେ, ବର୍ତ୍ତମାନ ସାଳିଆ ଡ୍ୟାମରେ ପ୍ରର୍ଯ୍ୟାପ୍ତ ପାଣି ମହଜୁଦ ରହିଛି। ହେଲେ ବାତ୍ୟା ଯୋଗୁଁ ବର୍ଷା ହେଲେ ଡ୍ୟାମ ଭିତରକୁ  ବହୁ ପରିମାଣର ଜଳ ପ୍ରବେଶ କରିବ। ଯାହାଦ୍ବାରା ଏହାର କ୍ଷମତାଠାରୁ ବହୁ ଅଧିକ ଜଳ ଜମା ହେବ। ସେଥିପାଇଁ ବର୍ତ୍ତମାନଠାରୁ ସାଳିଆ ଡ୍ୟାମର ପାଣି ନିଷ୍କାସନ ଆରମ୍ଭ କରାଯାଇଛି।

ହେଲେ ବାତ୍ୟା ସମୟରେ ଜଳ ନିଷ୍କାସନ ପରିମାଣ ଯଥେଷ୍ଠ ଅଧିକ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଏହି ଡ୍ୟାମର ତଳିଆ ଅଞ୍ଚଳ ବାଣପୁର ଓ ବାଲୁଗାଁ ଜଳମଗ୍ନ ହୋଇପାରେ ବୋଲି ଏସଆରସି କହିଛନ୍ତି। ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ନଜର ରଖିବା ପାଇଁ କୁହାଯାଇଛି ବୋଲି ଏସଆରସି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ପିକ୍ ନିକ୍ ଗାଡି ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଗଞ୍ଜାମରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକ ଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହା ସହିତ ଦୁର୍ଘଟଣା ରେ ଆହତ ଛାତ୍ର ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।