ବାଲୁଗାଁ ଥାନା ପରିସରରେ ପୋଲିସକୁ ଆକ୍ରମଣ ଓ ଭଙ୍ଗାରୁଜା: ଦୁଇ ଅଭିଯୁକ୍ତ ଗିରଫ

Published: Aug 17, 2023, 9:11 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଦୁଇ ଯୁବକ ପୋଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିବା ସହ ଥାନା ପରିସରରେ ଭଙ୍ଗାରୁଜା ପରି ଚରମ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ କରୁଣାକର ଦାସଙ୍କ ପୁଅ ସୁରଜ ଦାସ (୩୨)ଓ ଅନ୍ୟ ଜଣେ ନାଚୁଣୀ ଥାନା ବଉଳାବନ୍ଧ ଗ୍ରାମର ସୁଦର ବେହେରାଙ୍କ ପୁଅ ପପୁ ବେହେରା(୪୦) ବୋଲି ଜଣାପଡିଛି।

ଖବର ମୁତାବକ ଅଭିଯୁକ୍ତ ସୁରଜ ଦାସ ବାଲୁଗାଁ ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରୁଥିବା ନେଇ ଜନୈକ ଯୁବତୀଙ୍କ ବାପା ଥାନାରେ ଏତଲା ଦେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁରଜ ଏବଂ ତାଙ୍କ ସହଯୋଗୀ ପପୁ ଥାନା ପରିସରରେ ଉନ୍ମତ୍ତ କାଣ୍ଡ ଘଟାଇବା ସହ ଥାନାରେ ଉପସ୍ଥିତ ଏସଆଇ,ଏଏସଆଇ ଓ କନେଷ୍ଟବଳଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବାସହ ଥାନା ଭିତରେ ଭଙ୍ଗା ରୁଜା କରିଥିଲେ।

ଦୀର୍ଘ ସମୟପରେ ଉଭୟଙ୍କୁ ପୋଲିସ କାବୁ କରି କେଶ ନଂ ୧୯୯/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Related posts