ବାଲୁଗାଁ: ୧୫୫ ଲିଟର ଦେଶୀମଦ ଜବତ, ତିନି ଗିରଫ

Published: Aug 10, 2023, 7:05 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗୁରୁବାର ପୂର୍ବାହ୍ନରେ ୧୫୫ ଲିଟର ଦେଶୀମଦ ଜବତ କରିବାସହ ଗୋଟିଏ ବାଇକ ଓ ତିନି ଜଣ ଅଭିଯୁକ୍ତ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ। ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ବେଧଡକ ଭାବେ ଚୋରା ଦେଶୀ ମଦ କାରବାର ନେଇ ବାରମ୍ବାର ପୋଲିସ ଓ ଅବକାରୀ ଚଢ଼ାଉ କରିବା ସତ୍ତ୍ୱେ ମଦ ବେପାରି ନିଜ ବେପାରରେ ନଛୋଡବନ୍ଧା। ଯାହାଫଳରେ ସମ୍ପୃକ୍ତି ଅଞ୍ଚଳରେ ଦୈନନ୍ଦିନ ନାନାଦି ଛୋଟ ମୋଟ ଦୁର୍ଘଟଣା ସାଙ୍ଗକୁ ପ୍ରାୟତଃ ପରିବାରରେ ଅଶାନ୍ତି ବାତାବରଣ ଦେଖାଦେଉଛି।

ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ବାଲୁଗାଁ ଅବକାରୀ ଅଧିକାରୀ ବି ମନୋଜ ବାରିକଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଚଢ଼ାଉ କରିଥିବାବେଳେ ସୁବୁଦ୍ଧିପାଟଣା ଛକ ଠାରେ ଗଞ୍ଜାମ ଜିଲ୍ଲା ଫାସିଖୋଲର ମନୋଜ ଶବରଙ୍କ (୨୦) ନିକଟରୁ ୯୦ ଲିଟର ଦେଶୀମଦ ସହ ଏକ ବାଇକ, ଗଞ୍ଜାମ ଜିଲ୍ଲା ଖାରିବନ୍ଧର ବଳଭଦ୍ର ଶବରଙ୍କ (୨୦) ନିକଟରୁ ୪୦ ଲିଟର ଓ ସ୍ଥାନୀୟ ବଡ଼କୁଳର କୃଷ୍ଣ ମୋହନ ସାହୁଙ୍କ (୫୦) ନିକଟରୁ ୨୫ ଲିଟର ଦେଶୀ ମଦ ଜବତ କରି ପୃଥକ ଭାବେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପିଆର କେଶ ନଂ ୮୧/୨୩-୨୪, ୮୨/୨୩-୨୪ ଓ ୮୩/୨୩-୨୪ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଏଏସଆଇ ସୁଦୀପ୍ତ କୁମାର ଦାସ, ଏଏସଆଇ ସୁମତି ମହାନ୍ତି, କନେଷ୍ଟବଳ ଚିନ୍ମୟୀ ଦାସ, ଅଶେଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Related posts