Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ରାଲିରେ ପିଲାମାନଙ୍କୁ ବ୍ୟବହାର କରିବା ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ବର: ଆଜି ବିଜେପି ତରଫରୁ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ନେଇ ଏକ ରାଲିର ଆୟୋଜନ କରିଥିଲା। ଏଥିରେ ପିଲାମାନେ ରାଲିରେ ସାମିଲ ହେବା ଏବଂ ସେମାନେ ପତାକା ଧରିବାକୁ ନେଇ ଅଭିଯୋଗ କରିଛି ବିଜେଡି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଦୃଢ ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି କରିଆସୁଛି ଏବଂ ଓଡିଶାର ଲୋକମାନେ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଜି ଓଡ଼ିଶା ବିଜେପି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁବନେଶ୍ୱରରେ ଏକ ରାଲି କରିଥିବାବେଳେ ଏହି ରାଲିରେ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁ ମାମଲାରେ ତାଙ୍କ ପରିବାର ସଦସ୍ୟ ଘଟଣାର ରାଜନୀତିକରଣ ନକରିବାକୁ ଅନୁରୋଧ କରିଛନ୍ତି । ତେବେ ଓଡ଼ିଶା ବିଜେପି ଏଥିପ୍ରତି ଏପର୍ଯ୍ୟନ୍ତ କର୍ଣ୍ଣପାତ କରି ନାହିଁ ଏବଂ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେହିଭଳି ଆଜିର ରାଲିରେ ବିଜେପି କ୍ୟାଡର ଅଳ୍ପ ସଂଖ୍ୟାରେ ଥିଲେ ଏବଂ ତାହା ବିଫଳ ହୋଇଥିଲା । ଏହି ରାଲିରେ ସେମାନଙ୍କ କ୍ୟାଡର ଅଭାବକୁ ଘୋଡାଇବା ପାଇଁ ଓଡ଼ିଶା ବିଜେପି ଛୋଟ ପିଲାମାନଙ୍କୁ ବ୍ୟବହାର କରିଥିଲା ଏବଂ ବିଫଳତାକୁ ଲୁଚାଇବା ପାଇଁ ଛୋଟ ଛୋଟ ପିଲାଙ୍କ ହାତରେ ଦଳୀୟ ପତାକା ଧରାଇ ଦେଇଥିଲା । ଓଡ଼ିଶା ବିଜେପି ନେତୃତ୍ୱ ପିଲାମାନଙ୍କୁ ସେମାନଙ୍କ ରାଲିରେ ବ୍ୟବହାର କରିବା ପାଇଁ ତଳ ସ୍ତରକୁ ଯାଇ ଯେଭଳି ସେମାନଙ୍କ ହାତରେ ଦଳୀୟ ପତାକା ଧରାଇଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଯନ୍ତ୍ରଣାଦାୟକ ।

ବିଜେଡି ଏ ସଂକ୍ରାନ୍ତରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ର ଅଧ୍ୟକ୍ଷାଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଛି । ଏହି ଦୁର୍ଭାଗ୍ୟଜନକ ପରିସ୍ଥିତି ସହିତ ଆଉ ଏକ ଭୟଙ୍କର କାର୍ଯ୍ୟ ଯାହା ଆଜି ଓଡ଼ିଶା ବିଜେପି ନିଜର ରାଲିରେ କରିଛି । ଏକ ଗାଡିକୁ ନଷ୍ଟ କରିବା ସହିତ କିଛି ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଛି । ଏହା ଓଡିଶା ବିଜେପିର ହତାଶା ଏବଂ ଗୁଣ୍ଡାମିକୁ ଦର୍ଶାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।