Categories
ଆଞ୍ଚଳିକ ଖେଳ

ଲିପୁନଙ୍କ ବିସ୍ପୋରକ ଶତକୀୟ ଇନିଂସ: ଭଞ୍ଜନଗରକୁ ହରାଇ ବାଲୁଗାଁ ଏକାଦଶ ହେଲା ଚମ୍ପିୟାନ

ଭଞ୍ଜନଗର/ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଏକ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି। ଭଞ୍ଜନଗର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଘରୋଇ ଭଞ୍ଜନଗର ମା’ ବନଦୂର୍ଗା ଏକାଦଶ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏକାଦଶ ଖେଳିଥିଲା। ଏଥିରେ ବାଲୁଗାଁ ଏକାଦଶ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ତେବେ ଘରୋଇ ଦଳ ଟସ୍ ଜିତି ଭ୍ରମଣକାରୀ ଦଳ ବାଲୁଗାଁକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବାଲୁଗାଁ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ଧୂଆଁଧାର ୧୮୫ ରନ ସଂଗ୍ରହ କରିଥିଲା। ଲିପୁନ ବିସ୍ପୋରକ ବ୍ୟାଟିଂ କରି ବ୍ୟକ୍ତିଗତ ୧୪୦ ରନ ସଂଗ୍ରହ କରିଥିଲେ। ଜବାବରେ ଘରୋଇ ଭଞ୍ଜନଗର ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୧୪୦ ରନ ସଂଗ୍ରହ କରିପାରିଥିଲା। ଫଳରେ ବାଲୁଗାଁ ଏକାଦଶ ୪୫ ରନ ବ୍ୟବଧାନରେ ଏକ ବିରାଟ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା।

ବାଲୁଗାଁ  ଏକାଦଶର ଯାଦୁକରୀ ବୋଲର ତଥା ଅଧିନାୟକ ରାକେଶ ୩ ଓଭର ବୋଲିଂ କରି ସର୍ବାଧିକ ୪ ଟି ୱିକେଟ ହାସଲ କରିଥିଲେ। ଯେଉଁଥିରେ ଭଞ୍ଜନଗର ଦଳକୁ ମାତ୍ର ୧୪୦ ରନରେ ବାଲୁଗାଁ ଏକାଦଶ ସୀମିତ ରଖିବାରେ ସମର୍ଥ ହୋଇଥିଲା। ଏହି ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଲିପୁନଙ୍କୁ ପୁରଷ୍କୃତ କରାଯାଇଥିଲା। ସେହିଭଳି ବାଲୁଗାଁ ଏକାଦଶର ଅଧିନାୟକ ରାକେଶଙ୍କୁ ଶ୍ରେଷ୍ଠ ଫିଲଡର ଭାବେ ପୁରଷ୍କୃତ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଚିଲିକାର ଯୁବ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ଭରି ରହିଥିବା ବେଳେ ଜିଲ୍ଲା ବାହାରକୁ ଯାଇ ବହୁ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହେଉଥିବା ଦେଖାଯାଉଛି।