Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ି ଉଦ୍‌ଘାଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସଂଲଗ୍ନ ଜାତୀୟ ରାଜପଥରେ ଅସାମାଜିକ କାର୍ଯ୍ୟକଳାପମାନ ବୃଦ୍ଧି ପାଉଥିବାରୁ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା। ଯାହାକୁ ଦେଖି ଗତକାଲିଠାରୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ଏକ ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ିକୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମାଣ୍ଡିଆପଲ୍ଲୀ ଛକଠାରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ।

ଏହି ପାଟ୍ରୋଲିଂ ଗାଡ଼ିଟି ଗୋପାଳପୁର-ଗୋଳନ୍ଥରା ମଧ୍ୟବର୍ତ୍ତୀ ଅଂଚଳରେ ପାଟ୍ରୋଲିଂ କରି ସମସ୍ତ ଆସାମାଜିକ ଗତିବିଧି, ଦୁର୍ଘଟଣା ଏବଂ ଅନ୍ୟାନ୍ୟ ସମସ୍ୟାମାନ ବିଷୟରେ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବ। ଏହି ଗାଡ଼ିଟି ସପ୍ତାହକୁ ସାତଦିନ ୨୪ ଘଣ୍ଟା କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଜିଲ୍ଲାର ରମ୍ଭାଠାରୁ ଛତ୍ରପୁର ଏବଂ ଛତ୍ରପୁରଠାରୁ ଗିରିସୋଲା ମଧ୍ୟରେ ବି ପାଟ୍ରୋଲିଂ କରାଯିବା ନେଇ ଗତକାଲି ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ: ଜାନିବିଲି ପ୍ରକଳ୍ପ ସହରବାସୀଙ୍କ ପାଇଁ ଶତାବ୍ଦୀର ଶୋଷ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବହୁ ପ୍ରତିକ୍ଷୀତ ସମସ୍ୟାର ସମାଧାନ ସକାଶେ ଜାନବିଲି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର ହୋଇଥିଲା। ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଜାନବିଲି ପ୍ରକଳ୍ପ ସମାପ୍ତ ହେବାର ନାଁ ଧରୁନି। କାରଣ ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସହରବାସୀ ପାଣି ଟୋପାଏ ପାଇବାରୁ ବଂଚିତ। ଯାହାକି ଜାନବିଲି ପ୍ରକଳ୍ପ ସହରବାସୀଙ୍କ ପାଇଁ ଶତାବ୍ଦୀର ଶୋଷ କହିଲେ କିଛି ଭୁଲ ହେବ ନାହିଁ।

ଗତ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅତି ତରବରିଆ ଭାବେ ଅଧପନ୍ତରିଆ ଭାବେ କାର୍ଯ୍ୟ ହୋଇଥିବା ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିଲା। କିନ୍ତୁ ଉଦ୍‌ଘାଟନ ଦିନ ହିଁ ସହରର ଅନେକ ଅଂଚଳରେ ପାଇପ୍ ଫାଟି ଜଳମୟ ହୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜନସାଧାରଣ ପାଇଁ ବହୁତ୍ କିଛି ଯୋଜନା ଘୋଷଣା କରୁଥିଲେ ସୁଦ୍ଧା ଏହାର ସୁଫଳ ମିଳିପାରୁନାହିଁ। ଏହି ଜାନବିଲି ପ୍ରକଳ୍ପ ପାଇଁ ଉଭୟ ପ୍ରଶାସନ ଏବଂ ରାଜନେତା ମଧ୍ୟ କିଛିମାତ୍ରାରେ ଦାୟୀ।

ଏହି ପ୍ରକଳ୍ପ ବିଭିନ୍ନ ଜାଗାରେ ଅତି ନିମ୍ନମାନର ହେଉଥିଲେ ସୁଦ୍ଧା ଏବଂ ସରକାରୀ ଗାଇଡ଼୍‌ଲାଇନ୍ ଖିଲାପରେ କାର୍ଯ୍ୟ କରାଯାଉଥିଲେ ସୁଦ୍ଧା ଏହାକୁ ତର୍ଜମା କରାଯାଉନାହିଁ। ଏଲ୍ ଆଣ୍ଡ ଟି ଏହି ପ୍ରକଳ୍ପ କରୁଥିବା ବେଳେ ଧର୍ମକୁ ଆଖିଠାର ନୀତିରେ ଅତି ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସହରର ଜନସାଧାରଣ ଏବଂ ବୁଦ୍ଧିଜୀବୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏହି ଅଭିଯୋଗ କେବଳ ଅଭିଯୋଗରେ ହିଁ ରହିଯାଉଛି।

ଆଗକୁ ଗ୍ରୀଷ୍ମଋତୁ। ଏବେଠାରୁ ଦେଖାଗଲାଣି ବିଭିନ୍ନ ୱାର୍ଡ଼ରେ ପାଣିର ସମସ୍ୟା। ପିଏଚ୍‌ଡ଼ି କର୍ତ୍ତୃପକ୍ଷ ଖାମଖିଆଲି ନୀତି ଯୋଗୁଁ ଏବଂ ଏଲ୍ ଆଣ୍ଡଟି ଏବଂ ପିଏଚ୍‌ଡ଼ିର ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିବା ସହ ଅତି ନିମ୍ନମାନର ହେବାକୁ ଯାଉଛି। ପାଣି ଯୋଗାଣ ନାମରେ ସହରର କୋଣ ଅନୁକୋଣ, ମୁଖ୍ୟରାସ୍ତା ଏଲ୍ ଆଣ୍ଡଟି କଂପାନୀ ପାଇପ୍ ବିଛାଇବା ଆଳରେ ସହରକୁ ଛିନ୍ନଛତ୍ର କରିଦେବା ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଜାଗାରେ ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଳି ମରାମତି ହେବା ପରେ ପୁଣିଥରେ ଖୋଳାଯାଉଥିବା ଅଭିଯୋଗ ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷ ସବୁଜାଣି ମଧ୍ୟ ଚୁପ୍ ରହୁଛନ୍ତି। କାରଣ ବିଏମ୍‌ସି ଦ୍ୱାରା ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଏଥିରେ ବାଧା ଉପୁଜୁଛି।

କାର୍ଯ୍ୟ କରିବାର କିଛି ଦିନ ପରେ ବିଲ୍ ହେବା ମାତ୍ରେ ପୁଣିଥରେ ସେହି କାର୍ଯ୍ୟକୁ ଖୋଳିଦିଆଯାଉଛି, ଯାହା ଫଳରେ ସରକାର କା ମାଲ୍ ଦରିଆ ମେଁ ଡ଼ାଲ୍ ସଦୃଶ୍ୟ ହେଉଛି। ବିଏମ୍‌ସି କର୍ତ୍ତୃପକ୍ଷ ଏଥିରେ ଅଧିକ ଲାଭବାନ ହେଉଛନ୍ତି। ରାସ୍ତା ଓ ଡ଼୍ରେନ କାମରେ କୋଟି କୋଟି ଟଙ୍କାର କାର୍ଯ୍ୟ ହେଉଥିôବାବେଳେ ମନେହୁଏ ଯେ, ଯେପରି ଏଲ୍ ଆଣ୍ଡଟି ଜାନବିଲି ପ୍ରକଳ୍ପର ବିଏମ୍‌ସି ସହିତ ବୁଝାମଣା ହୋଇ ଏହିଭଳି କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି।

ଜାନବିଲି ପ୍ରକଳ୍ପକୁ ଶେଷ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଥିବାବେଳେ ବର୍ତ୍ତମାନ ସେ ସମୟ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ନା ପିଏଚ୍‌ଡ଼ି, ନା’ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ପରିଲକ୍ଷିତ ହେଉନାହିଁ। ଏହି ଜାନବିଲି ପ୍ରକଳ୍ପରେ ଯନ୍ତ୍ରୀଠାରୁ ଆରମ୍ଭ କରି ମନ୍ତ୍ରୀଯାଏଁ କୋଟିପତି ଯେ ହୋଇନଥିବେ କିଏ କହିବ? ତେଣୁ ଜାନବିଲି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ଏହାର ଭିଜିଲାନସ ତଦନ୍ତ ଯଦି କରାଯାଏ, ତେବେ ବାଟମାରଣାକୁ ରୋକାଯିବା ସହ ଅନେକ ଅସାଧୁ ଅଫିସରମାନଙ୍କର ଚିତ୍ର ପଦାକୁ ଆସିବ ଏବଂ ଏଲ୍‌ଆଣ୍ଡଟି କଂପାନୀ ପାଇଁ ଆଗାମୀ ଭବିଷ୍ୟତରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସହରବାସୀ ଦାବି କରୁଛନ୍ତି।

ଜଳଯୋଗାଣ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀ କାଳରେ ସର୍ବତ୍କୃଷ୍ଟ ଯୋଜନା ମଧ୍ୟରୁ ଋଷିକୂଲ୍ୟା ନଦୀର ତଟବର୍ତ୍ତୀ ଜାନବିଲ୍ ପାଖରୁ ବ୍ରହ୍ମପୁରକୁ ଜଳଯୋଗାଣ ଅନ୍ୟତମ ଜନପ୍ରିୟ ଯୋଜନା। କେବଳ ନିର୍ବାଚନକୁ ଆଖି ଆଗରେ ରଖି ଜାନିବିଲି ପ୍ରକଳ୍ପକୁ ଭେଟିଦେବା ପରି ହୋଇଥିଲା ବୋଲି ବର୍ତ୍ତମାନ ଜଣାପଡ଼ିଛି। କାରଣ ନିର୍ବାଚନ ଶେଷହେବାର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସହରବାସୀ ପାଣି ଟୋପାଏ ପାଇଲେ ନାହିଁ।

ଏକହଜାର କୋଟି ଟଙ୍କାର ପ୍ରକଳ୍ପ ସରକାର ଏଲ୍‌ଆଣ୍ଡଟି ହାତକୁ ଟେକିଦେଲେ, ଯେଉଁସ୍ଥାନରେ କି ବିଶ୍ୱର ଯେକୌଣସି ଠିକାଦାର ସଂସ୍ଥା ନିଜର କୁଶଳୀ କାରିଗର ଏବଂ ମେସିନ୍‌କୁ ଧରି ବ୍ରହ୍ମପୁରବାସୀଙ୍କୁ କୌଣସି କ୍ଷତି ନହୋଇ ନିଜ କାମ କରି ଚାଲିଯାଇଥାନ୍ତା। କିନ୍ତୁ ଏଲ୍‌ଆଣ୍ଡଟି କଂପାନୀକୁ ସରକାର ଏହି କାମ ଦେଇ ପରେ ନିଜେ ପସ୍ତେଇବା ନିଶ୍ଚିତ। ସରକାରୀ ନିୟମକୁ ଫୁ କରିଲା ଭଳି ଆଲ୍‌ଆଣ୍ଡଟି ନିଜର ରାଜ ଚଲାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ଆରମ୍ଭ କରିଦେଲେଣି। ଯେମିତି କଛୁଆ ଗତିରେ ଚାଲିଛି ଜାନିବିଲି ପ୍ରକଳ୍ପ କାର୍ଯ୍ୟ ସେମିତି କଛୁଆ ଗତିରେ ହିଁ ଆତ୍ମସାତ୍ କରି ଚାଲିଛି ସରକାରଙ୍କ କୋଟି କୋଟି ଟଙ୍କା।

ଏହି ପରିପ୍ରେକ୍ଷୀରେ ଆଲ୍‌ଆଣ୍ଡଟି ସହରଟାକୁ ଉଲୁକ ବନେଇ ଚତୁର ଶୃଗାଳ ପରି କାମ କରି ଚାଲିବ ତେବେ ପଣସ ଖାଇ ଅଠା ବୋଳିବା ପାଇଁ ପ୍ରଶାସନର ମୁଣ୍ଡ ନା ଶାସକର ମୁଣ୍ଡ ବଳିପଡ଼ିବ ତାହା ସମୟସାପେକ୍ଷ।

Categories
ଆଜିର ଖବର ଆଞ୍ଚଳିକ ଖେଳ ରାଜ୍ୟ ଖବର

ରାଜ୍ୟସ୍ତରୀୟ ବିଜୁ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଆଜି ବିଜୁ ପଟ୍ଟନାୟକ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଏଥିରେ ଭାଗନେଇଥିଲେ।

ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା। ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସନାତନ ସଂଗ୍ରାମ ସିଂ, ଦୁଷ୍ମନ୍ତ ପାଢ଼ୀ, ସଂଜିତ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଅଜୀତ କୁମାର ପଣ୍ଡା, ଆର. ମୁରଲୀ ମୋହନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ପାଲଟୁଛି ଚୋରମାନଙ୍କର ପେଣ୍ଠସ୍ଥଳୀ: ଆଖି ପିଛୁଳାକେ ନେଇଗଲେ ଲାପ୍‌ଟପ୍

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ବର୍ତ୍ତମାନ ଚୋରମାନଙ୍କର ପେଣ୍ଠସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଯାତ୍ରୀଙ୍କଠାରୁ ମୋବାଇଲ୍‌, ଦାମି ସାମଗ୍ରୀ କିମ୍ବା ସେମାନେ ନେଉଥିବା ସାମଗ୍ରୀ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି। କିନ୍ତୁ ଏଥିପ୍ରତି ଥାନା ପୋଲିସ୍ ଦୃଷ୍ଟି ନଦେବାରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ସକ୍ରିୟ ହୋଇ ପ୍ରତିଦିନ ଚୋରି କରୁଛନ୍ତି। ସଦ୍ୟ ଘଟଣାକ୍ରମେ ଆଜି ଜନୈକ ଯାତ୍ରୀଙ୍କ ଆଖି ପିଛୁଳାକେ ଏକ ଦାମି ଲାପ୍‌ଟିପକୁ ଚୋରି କରି କୌଣସି ଦୁବୃର୍ତ୍ତ ନେଇଯିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଖବରରୁ ପ୍ରକାଶ ଯେ ବୈଦନାଥପୁର ଥାନା ଅନ୍ତର୍ଗତ କାଳିମନ୍ଦିର କେନାଳ ସାହିର ଅସିତ୍ କୁମାର ପଟ୍ଟନାୟକ ନାମକ ଜନୈକ ଯୁବକ ଭୁବନେଶ୍ୱର ଅଫିସରେ ଯୋଗଦେବା ପାଇଁ ବସ୍‌ଷ୍ଟାଣ୍ଡ ଆସି ଓଡ଼ିଶା ରାଜ୍ୟ ପରିହବ ନିଗମର ଏକ ହାଇଟେକ୍ ବସ୍ (ଓଡ଼ି ୦୨ ଏଜାଡ଼୍ ୬୬୬୭)ରେ ଚଢ଼ିଥିଲେ। ବସ୍‌ଟିରେ ସିସି ଟିଭି ମଧ୍ୟ ଲାଗିଥିଲା। ସେ ଲାପ୍‌ଟିକୁ ଉପର ଥାକକୁ ଟେକି ଦେଇ ଅନ୍ୟ ସାମଗ୍ରୀ ତଳେ ରଖିବା ବେଳେ ଆଖି ପିିଛୁଳାକେ କୌଣସି ଦୁବୃର୍ତ୍ତ ତାଙ୍କର ଦାମି ଡ଼େଲ୍ କଂପାନୀର ଏକ ଲାପ୍‌ଟପ୍‌କୁ ଧରି ଚମ୍ପଟ ମାରିଥିଲେ। ସେ ସଂଗେ ସଂଗେ ନିକଟସ୍ଥ ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡିର କନେଷ୍ଟବଲ ଆସି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଉକ୍ତ ଲାପ୍‌ଟପ୍‌ରେ କଂପାନୀର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ ଅନ୍ୟାନ୍ୟ ଡ଼କ୍ୟୁମେଣ୍ଟ ମଧ୍ୟ ରହିଛି।

ସୂଚନାଯୋଗ୍ୟ ଯେ ଠିକ୍ ଏଭଳି ଷ୍ଟାଇଲ୍‌ରେ କିଛି ଦିନ ତଳେ ଏହି ବସ୍ ମଧ୍ୟରୁ ହିଁ ଅନ୍ୟ ଜଣେ ଯାତ୍ରୀଙ୍କ ଲାପ୍‌ଟପ୍‌ଟିକୁ କେହି ଚୋରି କରିନେଇଥିଲା। ସେହି ଘଟଣାର ମଧ୍ୟ ଚୋର ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡ଼ି ନାହିଁ। ଏଠାରେ ଗୋଟିଏ କଥା ସ୍ମରଣଯୋଗ୍ୟ ଯେ ସରକାରୀ ହାଇଟେକ୍ ଗାଡ଼ିଗୁଡ଼ିକରେ ସିସି ଟିଭି ଲାଗିଥିଲେ ମଧ୍ୟ ତାହା ଖରାପ ଅଛି ବୋଲି ଉଚ୍ଚ ଅଧିକାରୀମାନେ କହିଛନ୍ତି।

ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଚୋର ଧରାନପଡ଼ିବାରୁ ସେମାନେଙ୍କ ମନୋବଳ ବୃଦ୍ଧି ଘଟି ପ୍ରତିଦିନ ଏଭଳି ଚୋରି କରୁଛନ୍ତି। ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ଥାନା ପୋଲିସ୍ ୩୦/୨୧ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଯୁବ ବିଜେଡ଼ି ଏକାଦଶ ହରାଇ ମିଡ଼ିଆ ଏକାଦଶ ବିଜୟୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ମେଡ଼ିକାଲ୍ କଲେଜ ଷ୍ଟାଡ଼ିୟମ ପରିସରରେ ମିଡ଼ିଆ ଏକାଦଶ ଓ ଯୁବ ବିଜେଡ଼ି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ତଥା ମିଡ଼ିଆ ସେଲ୍‌ର ମ୍ୟାନେଜର ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ମିଡ଼ିଆ ଏକାଦଶ ଅଧିନାୟକ ସୁରଜିତ୍ କୁମାର ପଣ୍ଡା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମିଡ଼ିଆ ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍‌ରେ ତିନୋଟି ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ଯୁବ ବିଜେଡ଼ି ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍‌ରେ ୮ ୱିକେଟ୍ ହରାଇ ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମିଡ଼ିଆ ଏକାଦଶ ୬ ରନ୍‌ରେ ଯୁବ ବିଜେଡ଼ି ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ।

ମୁଖ୍ୟଅତିଥି ବିକ୍ରମ ପଣ୍ଡା ଓ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା ବିଜୟୀ ଓ ପରାଜୟ ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ। ମିଡ଼ିଆ ଏକାଦଶର ଖେଳାଳୀ ସୀତାରାମଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଯୁବ ବିଜେଡ଼ି ଏକାଦଶ ଟିମ୍‌ର ଅଧିନାୟକ ଜଗନ୍ନାଥ ରନର୍ସଅପ୍ କପ୍ ଗ୍ରହଣ କରିଥିବାବେଳେ ଅଧିନାୟକ ସୁରଜିତ ପଣ୍ଡା ୱିନର ଟ୍ରଫି ଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଉପଖଣ୍ଡସ୍ତରୀୟ ଭୋଟର ଦିବସ ପାଳିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ ଯୋଗଦେଇ ଭାରତବର୍ଷର ଗଣତନ୍ତ୍ର ଓ ପରମ୍ପରା ଉଚ୍ଚକୋଟିର ଓ ଭାରତବର୍ଷର ସବୁଠାରୁ ବୃହତ୍ ଗଣତ୍ତ୍ର ଉତ୍ସବର ସଂବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ମୁଖ୍ୟଅତିଥି କହିଥିଲେ।

ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଥିଲେ ଯେ ଆମେ ନିଜ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ଏବଂ ସମସ୍ତ ବିଏଲ୍‌ଓ ଓ ସୁପରଭାଇଜରଙ୍କୁ ନିଷ୍ଠାର ସହିତ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ।

ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠି, ଭାଷା ଏବଂ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ନିଜ ମତାଧିକାର ପ୍ରୟୋଗ କରିବା ଏବଂ ବିଏଲ୍‌ଓ ଓ ସୁପରଭାଇଜରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଭଲ କାର୍ଯ୍ୟ କରିଥିବା ବିଏଲ୍‌ଓ ଓ ସୁପରଭାଇଜରଙ୍କୁ ପ୍ରଶଂସାପତ୍ର ମୁଖ୍ୟଅତିଥି ପ୍ରଦାନ କରିଥିଲେ। ନୂଆ ଭୋଟ ପରିଚୟ ପତ୍ର ପାଇଥିବା ଭୋଟରଙ୍କୁ ମଧ୍ୟ ଭୋଟର କାର୍ଡ଼ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ୱାରା ଇ-ଏପିକ୍ କାଉଣ୍ଟର ବ୍ରହ୍ମପୁର ମହାନଗର ନିଗମ ଏବଂ ଉପଜିଲ୍ଲାପାଳ ଅଫିସ ପାଇଁ ଉନ୍ମୋଚିତ ହୋଇଛି।

ଜାତୀୟ ଭୋଟର ଦିବସରେ ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଗଣ, ଜନସାଧାରଣ ଏବଂ ସାମ୍ବାଦିକଙ୍କୁ ମୁଖ୍ୟଅତିଥି ଶପଥପାଠ କରାଇଥିଲେ। ଶେଷରେ ଡ଼େପୁଟି କଲେକ୍ଟର ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟ ସମ୍ମାନିତ ଅତିଥି ମଧ୍ୟରେ ଡ଼େପୁଟି କଲେକ୍ଟର ଶ୍ରୀ ପାତ୍ର, ତହସିଲ୍‌ଦାର ସୀପକ କୁମାର ପାତ୍ର, କନିଷି ତହସିଲ୍‌ଦାର ତାପସ କୁମାର ରାଉତ ଯୋଗ ଦେଇଥିଲେ। ସହକାରୀ ଜିଲ୍ଲାପାଳ ଡି. ମାଲେଶ୍ୱର ପାତ୍ର, ବିନୋଦ କୁମାର ବେହେରା, ପ୍ରଦୀପ କୁମାର ମହାରଣା ଏବଂ ସେକ୍ସନ ଅଫିସର ବିବେକାନନ୍ଦ ଦଳେଇ ଓ ଡି. ଭେଙ୍କଟେଶ୍ୱର ରାଓ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବ୍ରହ୍ମପୁରରେ ଅନୁଷ୍ଠିତ ହେଲା କନ୍ୟାକିରଣ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
 ବ୍ରହ୍ମପୁର: ଜାତୀୟ କନ୍ୟା ଦିବସ ଅବସରରେ ବ୍ରହ୍ମପୁର ଠାରେ ଶିକ୍ଷାବିତ୍ ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ପକ୍ଷରୁ କନ୍ୟାକିରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଚେତନତା ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ, ମାନବ ଚାଲାଣ, ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା, ପୋଷଣ, ସୁରକ୍ଷା ଆଦି ପ୍ରଦାନ ପାଇଁ ୨୦୧୮ ମସିହାରୁ କନ୍ୟା କିରଣ ଅଭିଯାନ ମାଧ୍ୟମରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି।
ଏହି କ୍ରମରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଉତମା ଜେନା, ଏମକେସିଜି ମେଡ଼ିକାଲ କଲେଜ ଫାର୍ମୋକୋଲୋଜି ବିଭାଗୀୟ ମୁଖିଆ ପ୍ରଫେସର ଜୟନ୍ତୀପ୍ରଭା ବେହରା, ମେଡିସିନ୍ ବିଭାଗର ଏସୋସିଏଟ୍ ପ୍ରଫେସର ଡ. ଉମା ଶଙ୍କର ମିଶ୍ର, ସମାଜସେବୀ ଆର୍‌. ସୁନନ୍ଦା ଚୌଧୁରୀ, ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ନାରାୟଣ ପଣ୍ଡା, ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ମୋହନ ରାଓ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ।
ଡ଼. ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ ଅନୁଷ୍ଠାନ କିପରି ନାରୀ ମାନଙ୍କ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇ ପାରୁଛି ତାର ବର୍ଣ୍ଣନା କରିବା ସହ ଅତିଥି ମାନେ ଏଥି ପାଇଁ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଆଜିର ନାରୀ ଆଉ ଅବଳା କି ଦୁର୍ବଳା ନୁହଁ, ପୁରୁଷ ପ୍ରାଧ୍ୟାନ୍ୟ ସମାଜରେ ସବୁ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ନାରୀ ବିନା ପରିବାର ଅଧୁରା। ଏଣୁ ଆଜିର ଦିବସରେ କନ୍ୟା ମାନଙ୍କୁ ସଂକଳ୍ପବଦ୍ଧ ହୋଇ ନିଜ ପଥରେ ଆଗେଇ ଯିବାକୁ ଅତିଥି ମାନେ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ଗତ ମେଟ୍ରିକ୍ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ମଧୁସ୍ମିତା ବେହେରା ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବୋଚ୍ଚ ନମ୍ବର ରଖିଥିବା ଶୁଭଲକ୍ଷ୍ମୀ ପାଢ଼ୀଙ୍କୁ କିସ୍ ପକ୍ଷରୁ ପ୍ରଦତ ମାନପତ୍ର ଓ ପୁଷ୍ପଗୁଚ୍ଛ ଅତିଥି ମାନେ ପ୍ରଦାନ କରିଥିଲେ। ପ୍ରଭାତ କୁମାର ସ୍ୱାଇଁ ମାନପତ୍ର ପଠ କରିଥିବା ବେଳେ ଶିବ ଶଙ୍କର ସାହୁ, ସରୋଜ କୁମାର ମିଶ୍ର, ପ୍ରିୟମ୍ବଦା ଓ ଶ୍ରୀକାନ୍ତ ମିଶ୍ର ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କିସ୍ ଡ. ସିମାଂଚଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ: ଜଣେ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ ହୋଇଛି। ବ୍ରହ୍ମପୁର ପୋଲିସ ଏହି ନକଲି କାରଖାନାକୁ ଠାବ କରିଛି। ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ବଜାରର ପ୍ରଥମ ଲେନରେ ଏହି କାରଖାନାକୁ ଠାବ କରାଯାଇଛି। ଏହି କାରଖାନାରେ ନକଲି ଟମାଟ, ସୋୟା ସସ୍ ପ୍ରଭୃତି ପ୍ରସ୍ତୁତ କରାଯାଉଥିଲା। ତେବେ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନବୀନ ନମ୍ବର ୱାନ୍‌, ସ୍ଲୋଗାନରେ ବିଜେଡ଼ିର ଶୋଭାଯାତ୍ରା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ନବୀନ ନମ୍ବର ୱାନ୍। ଦେଶର ସର୍ବଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିପି ନିଉଜ୍ ଦ୍ୱାରା କରାଯାଇଥିବା ସି ସର୍ଭେରେ ଦେଶର ମସ୍ତ ରାଜ୍ୟ ଭିତରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇଥିବାରୁ ଆଜି ଗଂଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି।

ଏହାସହ ବିଜେଡ଼ି ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ନବୀନ ନମ୍ବର ୱାନ୍ ସ୍ଲୋଗାନ ଦିଆଯାଇଥିଲା। ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ସମ୍ମୁଖରେ ସମସ୍ତ ନେତା ଓ କର୍ମୀ ଏକତ୍ରିତ ହେବା ସହ ଯୁବ ବିଜେଡ଼ି, ମହିଳା ବିଜେଡ଼ି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସଂପାଦକ ସୁବାସ ମହାରଣା, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଶିବ ସାହାଣୀ, ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇ, ସୋନାଲି ଗନ୍ତାୟତ, ସଂଜିତ ପାଣିଗ୍ରାହୀ, ଦଣ୍ଡପାଣି ନାୟକ, ଟି. ଗୋପୀ, ଅଜିତ କୁମାର ପଣ୍ଡା, ଦୁର୍ଗା ପଣ୍ଡାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ: ଅଭିଯୁକ୍ତ ଅଟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜନୈକ ବସ୍ କଣ୍ଡକ୍ଟରଙ୍କୁ ଜଣେ ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିବାରୁ କଣ୍ଡକ୍ଟର ଜଣକ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ଗେଟବଜାର ବାଙ୍କବିହାରୀ ନଗରଠାରେ ଏମ୍‌. ଶ୍ରୀନିବାସ ଠିଆ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ ନେଇ ଗୟା ବେହେରା ନାମକ ବ୍ୟକ୍ତି ତାଙ୍କୁ ଖଣ୍ଡରେ ଆକ୍ରମଣ କରିଥିଲେ।

ଫଳରେ ଏମ୍‌. ଶ୍ରୀନିବାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଂଗେ ସଂଗେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ବୈଦ୍ୟନାଥପୁର ପୋଲିସ୍ ଗୟା ବେହେରାକୁ ଥାନାରେ ଅଟକ ରଖିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ବିକ୍ଷୋଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୫୦ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମ୍‌କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାରିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଥିଲେ। ତେବେ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତି କରି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କୃଷକ ସଂଗଠନମାନେ ଅଭିଯୋଗ କରି ଆଜି ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ମୁଖ୍ୟ ଛକ ନିକଟରେ ଚାଷୀ ସଂଗଠନମାନ ପକ୍ଷରୁ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଆନ୍ଦୋଳନ ସ୍ଥଳରେ ଏ ତିନୋଟି କୃଷି କଳା ଆଇନର ନକଲକୁ ନିଆଁରେ ଜଳାଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ନେତା ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ଦୁର୍ଯ୍ୟୋଧନ ସ୍ୱାଇଁ, ପପୁନ ସାହୁ, ପି. ପାର୍ବତୀ, ଗୋପାଳ ପାଣିଗ୍ରାହୀ, ଡି. ଦଣ୍ଡପାଣି ରେଡ୍ଡୀ, ବାବୁଲା ନାୟକ, ପୀତବାସ ପ୍ରଧାନ, ଲକ୍ଷ୍ମୀ ରଥ, ଶିବରାମ ସାହୁ ପ୍ରମୁଖ ବହୁ କୃଷକ ନେତା ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼୍ ନିୟମ ମଧ୍ୟରେ ଖୋଲିବ ସିନେମା ହଲ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୯ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଯୋଗୁଁ ସିନେମା ହଲ୍ ସପିଂ ମଲ୍ ଇତ୍ୟାଦିକୁ ବନ୍ଦ କରିଦିଆଯାଇଥିଲା। ଦୀର୍ଘଦିନ ପରେ ସଂକ୍ରମଣର ମାତ୍ରା ଧିରେ ଧିରେ କମିବା ଆରମ୍ଭ ହୋଇଛି। ଫଳରେ ଏହିସବୁକୁ ପର୍ଯ୍ୟାୟକ୍ରମେ ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ରେଶମ ସହର ବ୍ରହ୍ମପୁରରେ ମଧ୍ୟ ସିନେମା ହଲ୍ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମସ୍ତେ ସିନେମା ହଲ୍ ମଧ୍ୟକୁ ପ୍ରବେଶ ପାଇଁ କୋଭିଡ଼୍ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଶୋ ପରେ ଗୃହକୁ ସାନିଟାଇଜିଂ କରାଯିବ। ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପ୍ରବେଶ ସ୍ଥାନରେ ଥର୍ମାଲ ସ୍କିନିଂ ସହିତ ସାନିଟାଇଜର ବ୍ୟବସ୍ଥା ରହିବ। ଯଦି କେହି ଏଭଳି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ଏହି ସବୁ ନିୟମ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଚିଠି ମାଧ୍ୟମରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝଲମଲ ହେଲା ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ, ମଝିରେ ୩୫ ଫୁଟ ଉଚ୍ଚତାର ଦେବଦେବ ମହାଦେବ

ଭୁବନେଶ୍ବର, ରୂପାନ୍ତରର ବା Transformation ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି।

୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ କାମ ଆରମ୍ଭ ହୋଇଥିଲା। ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତୀ ଶୋଭା ପାଉଥିବା ବେଳେ ଚତୁର୍ପାଶ୍ବରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ବର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ବାନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି। ଏହା ହେଉଛି ପରିବର୍ତ୍ତନ, Transformation. ରାମଲିଙ୍ଗେଶ୍ବର ଜଳାଶୟ ଓ ପାର୍କ ଆଜି ଗଂଜାମର ପର‌୍ୟ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋଭିଡ ସମୟରେ ଗଂଜାମର ଜନସାଧାରଣଙ୍କର ଦୃଢ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମର ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଂଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି। ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର‌୍ୟ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର‌୍ୟ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂଗ ରୋଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରଖିଛି। ବ୍ରହ୍ମପୁର ତଥା ଗଂଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି ବୋଲି ମତଦେଇ ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଏହି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ଜଂଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି  ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ଆଇନ କଲେଜର କିରାଣୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସ୍ପେଶାଲ୍ ୱାରେଣ୍ଟ୍ ବଳରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ କିରାଣି (ଡ଼ିଏଲ୍‌ଆର୍ ଟାଇପିଷ୍ଟ)ପ୍ରଶାନ୍ତ କୁମାର ନାୟକଙ୍କ ଗେଟ୍‌ବଜାରରେ ଥିବା ତିନିମହଲା କୋଠା, ବ୍ୟାଙ୍କ କଲୋନୀ ଚତୁର୍ଥ ଗଳିରେ ଥିବା ଦୁଇ ମହଲା କୋଠା, ଆସିକା ରୋଡ଼୍ ଗେଟ୍‌ବଜାରରେ ଥିବା ଦୁଇମହଲା ଗୋଦାମ ଘର, ବିଷ୍ଣୁନଗର ମୁଖ୍ୟରାସ୍ତାରେ ଭଡ଼ା ଦିଆଯାଇଥିବା ଗୋଦାମ୍‌, ଶ୍ରୀରାମନଗର ବୃନ୍ଦାବନ ହୋଟେଲ୍ ନିକଟରେ ଭଡ଼ା ଦିଆଯାଇଥିବା ଗୋଦାମ୍ ଉପରେ ଚଢ଼ାଉ ହୋଇଥିଲା।

ଚଢ଼ାଉ ପରେ ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଥିଲା। ଆଜି ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ପରିମାଣ ହିସାବ କରାଯିବା ସହ ଗିରଫ କରାଯାଇଛି। କିରାଣୀ ତଥା ଡ଼ିଏଲ୍‌ଆର୍ ଟାଇପିଷ୍ଟ ଭାବେ ପ୍ରଶାନ୍ତ ନାୟକ ୧୯୯୦ରୁ କାର୍ଯ୍ୟରତ ଥିବାବେଳେ ଏହି ସମୟରୁ ୩୦.୧୨.୨୦୨୦ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଆୟର ସ୍ରୋତର ହିସାବ କରାଯାଇଥିଲା। ଆଜି ତାଙ୍କର ୫୭ ଲକ୍ଷ ୩୮ହଜାର ୭୨୯ ଟଙ୍କାର ସଂପତ୍ତି ଆକଳନ ହୋଇଛି। ଉପରୋକ୍ତ ସମୟ ମଧ୍ୟରେ ସେ ୩୧ ଲକ୍ଷ ୩୪ହଜାର ଟଙ୍କାର ଆୟ କରିଥିବା ହିସାବ ଦେଖାଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ୧୮ ଲକ୍ଷ ୮୭ହଜାର ୭୩୫ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ବଳକା ୧ ଲକ୍ଷ ୪୪ହଜାର ୯୨ ହଜାର ୪୬୪ (୪୬୨%) ଅଧିକା ଟଙ୍କା ଅସାଧୁ ଉପାୟରେ ସେ ଆୟ କରିଛନ୍ତି ବୋଲି ପ୍ରମାଣିତ ହୋଇଥିଲା।

ତେଣୁ ଭିଜିଲାନସ କେସ ନଂ ୩୦/୩୧.୧୨.୨୦୨୦ ୟୁ/ଏସ୍ ୧୩(୨) ଆର୍‌/ଡ଼ବ୍ଲ୍ୟୁ ୧୩(୧)(ବି) ପିସି ଆକ୍ଟ ୨୦୧୮ ଅନୁସାରେ ମାମଲା ରୁଜୁ ହୋଇ ଗିରଫ କରାଯିବା ସହ କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି

Categories
ଆଜିର ଖବର ରାଜ୍ୟ ଖବର

ଲାବ୍ରେଟୋରୀ ସହାୟକଙ୍କ ଘରେ ଭିଜିଲାନସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବ୍ରହ୍ମପୁର ଭିଜିଲାନସ ବିଭାଗ ସଂପୂର୍ଣ୍ଣ ଏକ୍ସନ ମୋଡ଼୍‌ରେ ଅଛି। ଗତକିଛି ଦିନ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାରିଚାରି ଜଣଙ୍କ ଘରେ ଭିଜିଲାନସ ଚଢ଼ାଉ ହେବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଆଜି ମଧ୍ୟ ସେସ୍ପାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚିକିଟି କଲେଜରେ କାର୍ଯ୍ୟରତ ଲାବ୍ରୋଟରୀ ସହାୟକ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ସକାଳୁ ସକାଳୁ ଚଢ଼ାଉ ହୋଇଥିଲା।

ଅଧିକାରୀମାନେ ଏକକାଳୀନ ବ୍ରହ୍ମପୁର ଶ୍ରୀଟାୱାର ଷଷ୍ଠ ଫ୍ଲୋର୍‌ରେ ଥିବା ଫ୍ଲାଟ୍‌, ଗାନ୍ଧିନଗର ପଞ୍ଚମଗଳି ସ୍ପେକ୍ଟ୍ରମ କଲେଶନୀ ସରୋବର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ବିଜେପି ନଗର ପ୍ରନଥ ଏନ୍‌କ୍ଲେଭ୍‌ରେ ଥିବା ଫ୍ଲାଟ୍‌, ଚିକିଟି ଗଡ଼ରେ ଥିବା ପୈତୃକ ଘର, ଚିକିଟି ଗଡ଼ରେ ଥିବା ଶ୍ୱଶୁର ଘର, ଚିକିଟି କଲେଜର ଅଫିସ୍ ଚାମ୍ବରରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରାୟ ଏକକୋଟିର ଉର୍ଦ୍ଧ୍ୱ ସ୍ଥାବର ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

ଶ୍ରୀଟାୱାର ଥିବା ଫ୍ଲାର୍ଟର ମୂଲ୍ୟ ୨୦ଲକ୍ଷ ୬୨ହଜାର ୫୪୭ ଟଙ୍କା, ସେକ୍ଟ୍ରମ କଲୋନୀ ସରବୋର ଆପାର୍ଟମେଣ୍ଟରେ ଥିବା ଫ୍ଲାଟର ମୂଲ୍ୟ ୧୨ଲକ୍ଷ ୫୦ହଜାର ୧୮୧ ଟଙ୍କା, ଭୁବନେଶ୍ୱର ବିଜେପି ନଗରରେ ଥିବା ଫ୍ଲାର୍ଟର ମୂଲ୍ୟ ୩୧ ଲକ୍ଷ ୧୦ହଜାର ୭୫୭ଟଙ୍କା, ୩ଟି ସ୍ଥାନରେ ଜାଗା, ଯାହାର ମୂଲ୍ୟ ୧୩ ଲକ୍ଷ ୭ହଜାର ୫୭୫ଟଙ୍କା, ଚିକିଟି ଗଡ଼ରେ ଥିବା ପୈତୃକ ଘର ଯାହାର ମୂଲ୍ୟ ୨୬ ଲକ୍ଷ ୨୫ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେହିପରି ଘର ପ୍ରସାଦ ସାମଗ୍ରୀ ଯାହାର ମୂଳ୍ୟ ୬ଲକ୍ଷ ୬୨ହଜାର ୭୨୩ ଟଙ୍କା, ନଗଦ ୨୦,୫୭୦ଟଙ୍କା, ୨ଲକ୍ଷ ୧୯ହଜାର ୨୨୯ ଟଙ୍କା ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୮ଲକ୍ଷ ୭୨୫୫ ଟଙ୍କାର ଡ଼ିପୋଜିଟ୍‌, ଆଇ-୧୦ କାର୍ ଯାହାର ମୂଲ୍ୟ ୪ଲକ୍ଷ, ହୋଣ୍ଡା ୟୁନିକନ୍ ଯାହାର ମୂଲ୍ୟ ୬୫ହଜାର, ହୋଣ୍ଡା ଏଭିଏଟର ଯାହାର ମୂଲ୍ୟ ୬୫ହଜାର, ଗୋଟିଏ ଟ୍ରିପର ଟ୍ରକ ଯାହର ମୂଲ୍ୟ ୧୩ ଲକ୍ଷ ୫୦ହଜାର ଟଙ୍କା, ଗୋଟିଏ ଟ୍ରାକ୍ଟର ଯାହାର ମୂଲ୍ୟ ୫ଲକ୍ଷ ୫୫ହଜାର ଟଙ୍କା। ମୋଟ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

କୈଳାସ ଚନ୍ଦ୍ର ମହାନ୍ତି ୨୦୦୮ ମସିହାରେ ଲାବ୍ରୋଟରୀ ଆସିଷ୍ଟାଷ୍ଟ ରୂପେ କଣ୍ଟ୍ରାଚୁଆଲ୍‌ରେ ରହିଥିଲେ। ପରେ ୨୦୧୪ରେ ତାଙ୍କର ରେଗୁଲାର ହୋଇଥିଲା। ଅଧିକ ଅନୁସନ୍ଧାନ ଜାରି ରହିଥିବାବେଳେ କାଲି ମୋଟ ସଂପତ୍ତିର ଆକଳନ କରାଯିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପୁଣି ଦାବିପତ୍ର ପ୍ରଦାନ

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍‌ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ୨୫ ତାରିଖ ଦିନ ଅର୍ଗସ ନିଉଜର ବାଲେଶ୍ୱର ସୋର ପ୍ରତିନିଧି ସଂଜୟ କୁମାର ମହାଳିକ ଖବର ପରିବେଷଣ ପାଇଁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ।

ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ୍ ସଂଗ୍ରହ ବେଳେ ସେଠାରେ ମଦ ନିଶାରେ ଭୋଜିଭାତ କରୁଥିବା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଏବଂ ବିଡ଼ିଓଙ୍କ କର୍ମଚାରୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ସରକାରୀ ଗାଡ଼ି ଧରି ଅଫିସ୍ କାମ ଛାଡ଼ି ମଦ୍ୟପାନ କରି ଭୋଜି ଭାତରେ ମସଗୁଲ ରହିଥିଲେ ଅଧିକାରୀମାନେ। ଦୁର୍ବବ୍ୟହାର ପରେ ସାମ୍ବାଦିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ।

ଫଳରେ ବାଲେଶ୍ୱରର ସମସ୍ତ ସାମ୍ବାଦିକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ଦୃଢ଼ ପ୍ରତିବାଦ କରି ବ୍ରହ୍ମପୁର ପ୍ରେସ୍ କ୍ଲବ୍ ଏବଂ ଗଂଜାମ ଜିଲ୍ଲା ପ୍ରେସ୍ କ୍ଲବ୍ ତରଫରୁ ଦୋଷୀଙ୍କୁ ଗିରଫ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ପାଇଁ ପୁଣିଥରେ ଅର୍‌ଡ଼ିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକମାନେ ପ୍ରତିଟି କ୍ଷେତ୍ରରେ ଆକ୍ରୋଶର ଶିକାର ହେଉଛନ୍ତି।

ଓଡ଼ିଶାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନୁଆଁ ନୁହେଁ, ବାରମ୍ବାର ବିଭିନ୍ନ ବର୍ଗର ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି ଗଣମାଧ୍ୟମ ପ୍ରତିନଧି। ତେବେ ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ସରକାର ନୀରବ। ତେବେ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବ୍ରହ୍ମପୁର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ଶିଶିର ପାଣିଗ୍ରାହୀ, ଗଂଜାମ ଜିଲ୍ଲା ପ୍ରେସ୍ କ୍ଳବ୍‌ର ସଂପାଦକ ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ପ୍ରକାଶ ପଟ୍ଟନାୟକ, ଅସିତ ପଣ୍ଡା, ରାଜୁ ସାହୁ, ଚିରଞ୍ଜିତ ରାଜଗୁରୁ, ବିଶ୍ୱନାଥ ମାରଣା, ସୁଦୀପ ସାହୁ, ପୀତାମ୍ବର ନାହାକ, ସମୀର ଆଚାର୍ଯ୍ୟ, ଜଗନ୍ନାଥ ସାହୁ, ନାଗର୍ଜୁନ ରାଓ, ବିଶାରଦ, ମୃତ୍ୟୁଞ୍ଜୟ, ସତ୍ୟଚେତନ ପରିଡ଼ା, ଅମର ଦାଶ, କପିଲ ପାଢ଼ୀ, ଦିନେଶ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ବ୍ରହ୍ମପୁର ଦକ୍ଷିଣାଞ୍ଚଣ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏସିଆ ବୁକ୍ ରେକର୍ଡ଼ ଲକ୍ଷ୍ୟରେ ବ୍ରହ୍ମପୁରର ଦୁଇ କିଶୋର ଏବଂ ଶିଶୁ ଲେଖକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରର ଦୁଇ କୃତି ପ୍ରତିଯୋଗୀ ସୌମ୍ୟଜିତ୍ ପଟ୍ଟନାୟକ (୧୩) ଏବଂ ସୋନିଆ ସାହୁ (୧୭) କରୋନା ସମ୍ବନ୍ଧୀତ ଦୁଇଟି ପୁସ୍ତକ ରଚନା କରିଛନ୍ତି। ସୌମ୍ୟଜିତ୍‌ଙ୍କ ରଚିତ ପୁସ୍ତକ “କୋଭିଡ଼୍ ୧୯ ଏ ବ୍ଲେସିଂ ଇନ୍ ଡ଼ିସ୍‌ଗ୍ୟୁସ” ଓ ସୋନିଆଙ୍କ ରଚିତ ପୁସ୍ତକ “ଦି ଗୁଡ଼୍‌, ଦି ବେଡ଼୍ ଆଣ୍ଡ ଦି ଅଗ୍‌ଲି” ଲାଇଫ୍ ଡ଼ିଉରିଂ ପାଣ୍ଡାମିକ୍ ରହିଛି।

ପାଞ୍ଚଦିନିଆ ଲେଖକ ପ୍ରତିଯୋଗିତାରେ ବରିଷ୍ଠ ଲେଖକ ଅଂଶୁମାନ ପାତ୍ରଙ୍କ ତତ୍ତ୍ୱାବଧାନରେ ସୌମ୍ୟଜିତ ଓ ସୋନିଆ ଅଂଶଗ୍ରହଣ କରି ମାତ୍ର ସାତଦିନରେ ନିଜ ନିଜର ପ୍ରଥମ କରୋନା ସମ୍ବନ୍ଧୀୟ ପୁସ୍ତକ ରଚନା କରିଛନ୍ତି। ଏହି ଦୁଇଟି ପୁସ୍ତକ ବର୍ତ୍ତମାନ ଆମାଜନ୍‌ରେ ଉପଲବ୍ଧ ହୋଇ ବେଷ୍ଟ ସେଲର ବୁକ୍‌ର ମାନ୍ୟତା ପାଇଛି।

ସେହିପରି ୟାସ୍ ତିୱାରୀ (୧୮) ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସର୍ବକନିଷ୍ଠ ଲେଖକର ମାନ୍ୟତା ପାଇଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ସହରର ଏହି ଦୁଇ କୃତି ପ୍ରତିଯୋଗୀ ମଧ୍ୟ ଏସିଆ ବୁକ୍ ଅପ୍ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି। ସେମାନେ ଯଦି ସ୍ଥାନ ପାଆନ୍ତି ଏହା ବ୍ରହ୍ମପୁର ଓ ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ ହେବ।

ସୌମ୍ୟଜିତ ଡ଼ିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଥିବାବେଳେ ସୋନିଆ ଖଲିକୋଟ କଲେଜର ଯୁକ୍ତ ୨ ବିଜ୍ଞାନ ଶ୍ରେଣୀ ଛାତ୍ରୀ। ସୌମ୍ୟଜିତଙ୍କ ପିତା ସୁନିଲ ପଟ୍ଟନାୟକ ଅତିରିକ୍ତ ବିିଡ଼ିଓ ଥିବାବେଳେ ମା’ ବ୍ରହ୍ମପୁର ମେଡ଼ିକାଲ୍ କଲେଜର ଅତିରିକ୍ତ ପ୍ରଫେସର ଡା. ସଂଗୀତା ଦାସ ଅଟନ୍ତି। ସେହିପରି ସୋନିଆଙ୍କ ପିତା ମନୋଜ କୁମାର ସାହୁ ଓ ମା’ ଯାଜ୍ଞସେନୀ ସାହୁ ଅଟନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଜଣେ କ୍ରିକେଟ୍ ବୁକିଂ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛି ମାସ ମଧ୍ୟରେ ପୋଲିସ୍ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍ ବୁକିଂମାନଙ୍କୁ ୠିରଫ କରିବାରେ ଲାଗି ପଡ଼ିଛନ୍ତି। ଏହିକ୍ରମରେ ଗୋଷାଣିନୂଆଗାଁ ପୋଲିସ୍ ପକ୍ଷରୁ ଆଉ ଜଣେ ବୁକିକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଚାପଡ଼ା ଅଂଚଳର ସଂଜୀବ ବେହେରା (୨୭)।

ପୂର୍ବରୁ ଗତ ୩୦ ତାରିଖରେ ଆଇପିଏଲ୍ ବ୍ୟାଟିଂର ବେତାଜ ବାଦାଶାହା ବୁକି ଲାଲି ଏବଂ ତା’ର ସହଯୋଗୀକୁ ପୋଲିସ୍ ଗିରଫ କରି ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା। ଇତି ମଧ୍ୟରେ ସେମାନେ ଜାମିନରେ ଆସିଛନ୍ତି। ଏହାସହ କିିଛିଦିନ ତଳେ ଆଉ ଜଣେ ବୁକିକୁ ଭୁବନେଶ୍ୱର ଏୟାରପୋର୍ଟ ଏବଂ ବ୍ରହ୍ମପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଧିରେ ଧିରେ କ୍ରିକେଟ ବ୍ୟାଟିଂରେ ସାମିଲ ଥିବା ଲୋକଙ୍କ ମୁଳଦୁଆ ଉପୁଡ଼ିବା ଆରମ୍ଭ ହେଲାଣି। ଗିରଫ ଭୟରେ କିଛି ବୁକିଂ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ଶୁଣିବାକୁ ମିଳିଛି। ସଂଜୀବ ବୁକି ଲାଲି ଆଚାରୀଙ୍କ ଲିଙ୍କରେ ଥିବା ଜଣାପଡ଼ିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୨ କରୋନା ଯୋଦ୍ଧାଙ୍କ ପରିବାର ପାଇଲେ ୫୦ ଲକ୍ଷ ଲେଖାଏଁ ସହାୟତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ଯୁଦ୍ଧ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ୍ ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ମଣ୍ଡଳ କର୍ତ୍ତବ୍ୟ କରୁଥିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କିଛିଦିନ ଚିକିତ୍ସା ପରେ ୩୧.୪.୨୦ ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ବ୍ରହ୍ମପୁର ବଡ଼ବଜାର ଥାନାରେ କାର୍ଯ୍ୟରତ ଥିବା କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗତ ୧୦.୮.୨୦୨୦ ଦିନ ମୃତ୍ୟୁବରଣ କରିଥିଲେ।

ସରକାରଙ୍କ ପ୍ରତିଶ୍ରୁତି ପ୍ରକାରେ ଦୁଇ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କାର୍ଯ୍ୟାଳୟରେ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ। କୃଷ୍ଣମଣ୍ଡଳଙ୍କ ସ୍ତ୍ରୀ ଅନିତା ମଣ୍ଡଳଙ୍କୁ ଏବଂ ଜିତେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୌଭାଗ୍ୟା କହଁରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ତରଫରୁ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡ଼େପୁଟି ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢ଼ାଉ: ୨୭ଟି ପ୍ଲଟ୍ ଏବଂ ୪୦ ଲକ୍ଷର କ୍ରସର ମିଶିନ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ତିନିଦିନ ମଧ୍ୟରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇଜଣଙ୍କ ଘରେ ଚଢ଼ାଉ ହୋଇଛି। ଦୁଇଦିନ ପୂର୍ବରୁ କୋଟିପତି ଅଙ୍ଗନୱାନି ଘରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଆର୍‌ଆଣ୍ଡଡ଼ି ଗୁଣପୁର ସବ୍‌ଡ଼ିଭିଜନର ଡ଼େପୁଟି ଏକଜ୍ୟୁକୁଟିଭ୍ ଇଂଜିନିୟର ଉଦ୍ଧବ ପାଢ଼ୀଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି।

ଗତକାଲି ସକାଳୁ ସକାଳୁ ସ୍ପେଶାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଉଦ୍ଧବଙ୍କ ବ୍ରହ୍ମପୁର କମାପଲ୍ଲୀ ଆର୍‌ସି ଲେନ୍‌ର ତିନିମହଲା କୋଠାଘରେ, ଗୁଣପୁର କାର୍ଯ୍ୟାଳୟର ଅଫିସ ରୁମ୍‌, ଗୁଣପୁରଠାରେ ଥିବା କ୍ୱାଟର ଏବଂ ଧରାକୋଟ ବ୍ଲକ୍‌ର ଦୁର୍ଗାମାଧବପୁରଠାରେ ଚାଲିଥିବା ତାଙ୍କ ପୁଅ କାହ୍ନୁଚରଣ ପାଢ଼ୀଙ୍କ ଷ୍ଟୋନ୍ କ୍ରସର ମିଲ୍ ଉପରେ ଚଢ଼ାଉ ହୋଇଛି। ଚଢ଼ାଉରେ ତାଙ୍କର ଅସ୍ଥାବର ଓ ସ୍ଥାବର ସଂପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି।

ବ୍ରହ୍ମପୁର କମାପଲ୍ଲୀ ଆର୍‌ସିଲେନ୍‌ରେ ଥିବା ଘରର ମୂଲ୍ୟ ୪୩ ଲକ୍ଷ ୬ହଜାର, ପୁଅ କାହ୍ନୁଚରଣ ପାଢ଼ୀଙ୍କ ନାମରେ ଦୁର୍ଗାମାଧମପୁର ଗ୍ରାମରେ ବିଭିନ୍ନ ସ୍ଥାନରେ ଥିବା ତିନୋଟି ଜାଗା ଯାହାର ମୂଲ୍ୟ ୩ଲକ୍ଷ ୯୨ହଜାର ୭୭୦ ଟଙ୍କା, ସ୍ତ୍ରୀ ମଧୁମଂଜରୀ ପାଢ଼ୀ ନାମରେ ଥିବା ୫ଟି ଜାଗା, ପୁଅ ନାମରେ ଥିବା ୧୫ଟି ଜାଗା, ଅନ୍ୟ ପୁଅ ନାମରେ ଥିବା ୪ଟି ସମୁଦାୟ ୨୪ଟି ଜାଗାର ମୂଲ୍ୟ ୧୬ ଲକ୍ଷ ୭ହଜାର ୨୩୦ ଟଙ୍କା, କ୍ରସର ଫେକ୍ଟ୍ରିର ମୂଲ୍ୟ ୭ଲକ୍ଷ ୧୧ହଜାର ୫୬୨ ଟଙ୍କାର ସ୍ଥାବର ସଂପତ୍ତି ଠାବ କରାଯାଇଛି।

ସେହିପରି ଅସ୍ଥାବର ସଂପତ୍ତି ମଧ୍ୟରେ ଘରକରଣା ସାମଗ୍ରୀ ଯାହାର ମୂଲ୍ୟ ୧୧ଲକ୍ଷ ୭ହଜାର ୩୭୫, ଗୋଟିଏ ୫ଲକ୍ଷ ୫୦ହଜାର ୬୫୪ ଟଙ୍କାର କାର୍‌, ଗୋଟିଏ ରୟଲ୍ ଇନ୍‌ଫିଲ୍ଡ ଯାହାର ମୂଲ୍ୟ ୧ ଲକ୍ଷ, ଗୋଟିଏ ଷ୍ଟନ କ୍ରସର ମେସିନ୍ ଯାହାର ମୂଲ୍ୟ ୪୦ ଲକ୍ଷ, ସୁନା ଅଳଙ୍କାର ଏବଂ ଲକରରେ ରଖିବା ସୁନା ସମୁଦାୟ ୭୧୮ ଗ୍ରାମ ଯାହାର ମୂଲ୍ୟ ୨୦ଲକ୍ଷ ୬୨ହଜାର ୨୬୦ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ୩୨ ଲକ୍ଷ ୨ହଜାର ୦୬୮ ଟଙ୍କା, ନଗଦ ୨ଲକ୍ଷ ୯୫ହଜାର ୭୦ ଟଙ୍କା, ଫେକ୍ଟ୍ରି ମଧ୍ୟରେ ରଖାଯାଇଥିବା ଚିପ୍‌ସର ମୂଲ୍ୟ ୩୦ ହଜାର ଟଙ୍କା। ୭୦ଲକ୍ଷ ୧୭ହଜାର ୫୬୨ ସ୍ଥାବର ଓ ୧ କୋଟି ୧୩ ଲକ୍ଷ ୪୭ହଜାର ୪୩୦ ଅସ୍ଥାବର, ଏହିପରି ସମୁଦାୟ ୧ କୋଟି ୮୩ ଲକ୍ଷ ୬୪ହଜାର ୯୯୨ ଟଙ୍କାର ସଂପତ୍ତି ଠାବ କରାଯାଇଛି।

ଶ୍ରୀ ପାଢ଼ୀ ଗତ ୧୯୯୧ରେ ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରମ୍ଭ କରିଥିଲେ। ବର୍ତ୍ତମାନ ସେ ରାୟଗଡ଼ା ଗୁଣପୁର ଆର୍‌ଆଣ୍ଡବି ଡ଼ିଭିଜନ-୨ରେ ଡ଼େପୁଟି ଏକଜିକୁଟିଭ୍ ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ସମସ୍ତ ସଂପତ୍ତିର ମୋଟ ଆକଳନ କରାଯାଉଥିବା ବେଳେ ଗତକାଲି ସମସ୍ତ ସଂପତ୍ତିର ପରିମାଣ ଏବେ କେତେ ସେ ଅୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ତାହା ଜଣାପଡ଼ିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି କର୍ମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ସମୁଦାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଠାବ କରାଯାଇଥିଲା। ମୋଟ ସଂପର୍ତ୍ତି ଆୟ-ବ୍ୟୟକୁ ବାଦ୍ ଦେଲେ ଅଧିକା ୨୯୫ ପ୍ରତିଶତ ଆୟ କରିଥିବାରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ କୋର୍ଟଚାଲଣ କରାଯାଇଥିଲା।

ଜାମିନ ଅଭାବରୁ ଜେଲ୍ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନୱାଡ଼ି କର୍ମୀ। ଭିଜିଲାନସ ଏସ୍‌ପିଙ୍କ ସୂଚନା ପ୍ରକାରେ ଗତ ୨୭.୧୧.୧୯୯୦ରୁ ୨୨.୧୨.୨୦୨୦ ମଧ୍ୟରେ ସେ ବିଭିନ୍ନ ଆୟ ବାବଦରେ ୭୪ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୬୨ ଲକ୍ଷ ୭୯ହଜାର ୮୬୪ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି  । କିନ୍ତୁ ତାଙ୍କର ସଂପତ୍ତିର ପରିମାଣ ୨ କୋଟି ୩୨ ଲକ୍ଷ ୨୯ହଜାର ୯୧୬ ରହିଥିବାବେଳେ ଖର୍ଚ୍ଚକୁ ବାଦ୍ ଦେଇ ଅଧିକା ୨ କୋଟି ୨୦ ଲକ୍ଷ ୪୬ହଜାର ୫୮୫ (୨୯୫%) ପ୍ରତିଶତ ଆୟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।