Categories
ଆଞ୍ଚଳିକ

ଶହେ ବର୍ଷର ସେତୁ ଏବେ ମରଣଯନ୍ତା!, ନିର୍ମାଣ ବାବଦ ୬ କୋଟି ଗଲା କୁଆଡ଼େ?

ରଣପୁର: ସେତୁ ବ୍ରିଟିଶ ଅମଳର। ଶହେ ବର୍ଷ ହେବ ସେମିତି ଭାର ସମ୍ଭାଳି ଆସୁଛି। ବେଳକୁ ବେଳ ଭାର ବଢ଼ିଚାଲିଛି ସିନା, ସେତୁର ମରାମତି ହେଉନି। ଫଳରେ ତାହା ଏବେ ମରଣଯନ୍ତା ପାଲଟିଛି। କେତେବେଳେ ବି ବଡ଼ ଅଘଟଣ ଘଟିପାରେ। ଏ କଥା ସ୍ଥାନୀୟ ପ୍ରଶାସନ ଜାଣିଥିଲେ ସୁଦ୍ଧା ପଦକ୍ଷେପ ଶୂନ। ସେପଟେ ୬ ବର୍ଷ ହେବ ଭିତ୍ତିପ୍ରସ୍ତର ସ୍ଥାପନରେ ରହିଯାଇଛି ନୂତନ ସେତୁର ନିର୍ମାଣ କାମ।

ରଣପୁର ବ୍ଲକ ଚମ୍ପତ୍ତିପୁର ଗାଁ ଦେଇ ବହିଯାଇଛି ମଲାଗୁଣି ନଦୀ। ଆଉ ବ୍ରିଟିଶ ଅମଳରୁ ନଦୀ ଛାତିରେ ଛିଡ଼ା ହୋଇଛି ଏହି ସେତୁ। ଶହେ ବର୍ଷର ସେତୁଟିର ତଳ ଫାଟି ଆଁ କରିଛି।  ମାଙ୍କଡ଼ା ପଥରରେ ନିର୍ମିତ ପିଲାରରୁ ପଲସ୍ତରା ଛାଡ଼ି ଯାଇଛି। ସେତୁ ଉପରେ ଭାରିଯାନ ଚଢିବା ମାତ୍ରେ ତାହା ଦୋହଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଚୁପ ବସିଛି ସ୍ଥାନୀୟ ପ୍ରଶାସନ। ତେବେ ସେତୁଟି ରଣପୁରକୁ ସିଧା ସୁନାଖଳା, ବୋଲଗଡ଼, ଟାଙ୍ଗୀ ସହ ଯୋଡୁଥିବାରୁ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି ଶହ ଶହ ଗାଡ଼ି।

ଏ ବିପଦକୁ ସମସ୍ତେ ବୁଝୁଛନ୍ତି ଆଉ ଜାଣୁଛନ୍ତି। କିନ୍ତୁ କିଛି ବିକଳ୍ପ ବାଟ ନ ଥିବାରୁ ଲୋକେ ଭାଗ୍ୟକୁ ଆଦରି ଯା’ଆସ କରୁଛନ୍ତି। ବଡ଼ ଅଘଟଣ ଆଶଙ୍କାକୁ ବାରୁଥିବା ସତ୍ତ୍ୱେ ପ୍ରଶାସନ କି ପୂର୍ତ୍ତ ବିଭାଗ ଏହାକୁ ବିପଦ ସଂକୁଳ ଘୋଷଣା କରୁନାହାନ୍ତି। ଅନ୍ୟପକ୍ଷେ ନୂତନ ସେତୁ ପାଇଁ ୨୦୧୬ ରେ ୬ କୋଟି ମଞ୍ଜୁର ହୋଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଜବାବ ମାଗିଲେ ବିଭାଗୀୟ ବାବୁ ମୁହଁ ଖୋଲୁନାହାନ୍ତି।  କିନ୍ତୁ ବିଭାଗୀୟ ଯନ୍ତ୍ରୀ ଦୟାନିଧି ରାୟଗୁରୁ କହିଛନ୍ତି ଯେ ଖୁବ ଶୀଘ୍ର ଟେଣ୍ଡର କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ।

ଏବେ ବି ସମୟ ଅଛି। ପ୍ରଶାସନ ଚେତିଲେ ହୁଏତ ଗୁଜୁରାଟ କି କଲିକତା ଭଳି ଭୟାନକ ଅଘଟଣକୁ ଏଡାଇ ହେବ। ଆଉ ତୁରନ୍ତ ନୂତନ ସେତୁ ନିର୍ମାଣ କରି ରଣପୁର ବ୍ଲକରେ ବିକାଶର ଧାରାକୁ ପ୍ରଖର କରିହେବ।

Categories
ଆଞ୍ଚଳିକ

ବାଣପୁର: ମରଣଯନ୍ତା ପାଲଟିଛି ଅନ୍ତରକିଆରୀ କେନାଲ ରୋଡ, ମରାମତି ପାଇଁ ବିଭାଗ ପାଖରେ ନାହିଁ ଅର୍ଥ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡଟିରେ ପାଣିର ସୁଅ ଛୁଟୁଛି। ଫଳରେ ବର୍ଷା ଜଳ ଉକ୍ତ ରୋଡ ଦେଇ କେନାଲକୁ ପ୍ରବାହିତ ହେଉଥିବା ଲାଗି ପିଚୁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଛି। ଶାଳିଆ ଡ୍ୟାମ ଜଳ ବିଲ ମଧ୍ୟକୁ ପ୍ରବେଶ କରି ଉକ୍ତ ରୋଡ ଦେଇ କେନାଲକୁ ଯାଇଥାଏ। ଯାହାଫଳରେ ବାରମ୍ବାର ରୋଡଟି ନଷ୍ଟ ହେଉଛି।

ତେବେ ନିମ୍ନମାନର ମରାମତି କାର୍ଯ୍ୟ ଲାଗି ରୋଡରୁ ବାରମ୍ବାର ପିଚୁ ଉଠିବା ସହ ଗତ୍ର ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ଏହି ରୋଡଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ ଆସୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ କରିବାରେ ବିଭାଗ କୁଣ୍ଠାବୋଧ କରୁଛି। ବାରମ୍ବାର ରୋଡରେ ପକ୍କା କାମ ନକରି ଅଳ୍ପ ବାଲି ଓ ପିଚୁ ପକାଇ ଦିଆଯାଉଛି ଯାହାଫଳରେ ଅଳ୍ପ ଦିନ ମଧ୍ୟରେ ରୋଡ ପୁଣି ପୂର୍ବବସ୍ଥାକୁ ଫେରିଆସୁଛି।

ତେବେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୋଟି କୋଟି ତାଙ୍କ ରାସ୍ତା ନିର୍ମାଣ ଓ ମରାମତି ପାଇଁ ପ୍ରଦାନ କରୁଥିବା ବେଳେ ବାଣପୁରରେ ତାହା ବିଫଳ ସଦୃଶ ହେଉଛି। ତେବେ ଏ ନେଇ ବାଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ ତ୍ରିଲୋଚନ ପାତ୍ରଙ୍କୁ ପଚାରିବାରୁ ସେଠାରେ ଏକ ଓସାରିଆ ପକ୍କା ରୋଡ ହେବା ପାଇଁ ସର୍ଭେ ସରିଛି ବୋଲି କହିଥିବା ବେଳେ ଆମ ପ୍ରତିନିଧି ନଷ୍ଟ ହୋଇଯାଇଥିବା ରାସ୍ତାକୁ ତୁରନ୍ତ ମରାମତି କରାଯାଉ ବୋଲି ଦାବି ରଖିଥିବା ବେଳେ ତାହା ପାଇଁ ବିଭାଗୀୟ ଅର୍ଥ ନଥିବା କହିଛନ୍ତି।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ନେଇ ପଚାରିବାରୁ ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଆଇ.ବି ରୋଡ଼ ପାଲଟିଛି ମରଣଯନ୍ତା, ନିଦ୍ରାରେ ଏନ୍ଏସି ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ର ଜନସଂଖ୍ୟା ଏବଂ ଆୟତ୍ତନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ନିକଟରେ ଏନଏସିର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ମୁକ୍ତା ଯୋଜନା ଅନ୍ତର୍ଗତ ୨୬ ଲକ୍ଷ ଟଙ୍କା ମଂଜୁର ମଧ୍ୟ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ସହରର ଉନ୍ନତିପାଇଁ ଏନଏସି ପ୍ରଶାସନ ଚିନ୍ତା କରୁଥିବାବେଳେ କିନ୍ତୁ ସହରର ନାଗରିକଙ୍କ ସୁରକ୍ଷା ପ୍ରତି ସତେ ଯେମିତି ଆଖି ବୁଜି ଦେଇଛି। ଆମେ କହୁଛୁ ସହରର ପ୍ରମୁଖ ବ୍ୟସ୍ତବହୁଳ ଅଞ୍ଚଳ ଆଇ.ବି ରୋଡ଼ କଥା।

ଗତ ଏକମାସ ପୂର୍ବେ ବାତ୍ୟା ‘ଜୱାଦ’ କୁ ଆଖି ଆଗରେ ରଖି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନିଷ୍ଠ ଯନ୍ତ୍ରିଙ୍କ ଉପସ୍ଥିତିରେ ଆଇ.ବି ରୋଡ଼ ପାର୍ଶ୍ୱରେ ଥିବା ପୁରୁଣା ଡ୍ରେନକୁ ଜେସିବି ଲଗାଇ ଖୋଳିଦିଆଯାଇଥିଲା। ଯାହା ଫଳରେ ଡ୍ରେନ ପାର୍ଶ୍ୱରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଯିବା ଆସିବା ପାଇଁ ଏକମାତ୍ର ରାସ୍ତାଟି ମୁକୁଳା ଡ୍ରେନରେ ପାଲଟିଗଲା। ତେବେ ଏହା ଖୋଳିବାର କାରଣ କଣ ଏଯାବତ ବାରି ହେଉନାହିଁ। ରାସ୍ତା ପାର୍ଶ୍ୱରେ ମୁକୁଳା ଡ୍ରେନ ଥିବାରୁ ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ଏନଏସି କର୍ତ୍ତୃପକ୍ଷଙ୍କ ନଜର ପଡୁନି।

ଡ୍ରେନଟି ପୁନଃରୁଦ୍ଧାର ପାଇଁ ଖୋଳାଯାଇଥିବାର ଏନଏସି ପ୍ରଶାସନ ସ୍ପଷ୍ଟୀକରଣ ଦେଉଥିବାବେଳେ, ବାତ୍ୟା ଯିବାର ପାଖାପାଖି ୨୫ ଦିନ ହେଲାଣି, କିନ୍ତୁ ଏଯାବତ ପାଞ୍ଚ ପଇସାର କାମ ଏଠାରେ ହୋଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ତରବରିଆ ଭାବେ ଡ୍ରେନକୁ ଜେସିବି ଲଗାଇ ଖୋଳାଗଲା କଣ ପାଇଁ? ରୋଡ଼ ପାର୍ଶ୍ୱ ଖୋଳାଯାଇଥିବାରୁ ଜନସାଧାରଣ ମାନଙ୍କୁ ଦୋକାନ ବଜାରକୁ ଯିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।  ଉକ୍ତ ରାସ୍ତାରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ରାସ୍ତା ପାର୍ଶ୍ୱକୁ ସମତୁଲ ମଧ୍ୟ କରିବାକୁ ଭୁଲିଯାଇଛି ଏନଏସି ପ୍ରଶାସନ।

ଏପରିକି ଗତକାଲି ଜଣେ ବ୍ୟକ୍ତି ଉକ୍ତ ମୁକୁଳା ଡ୍ରେନରେ ପଡିଯାଇ କ୍ଷତବିକ୍ଷତ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଏତେସବୁ ଘଟିଲା ପରେ ବି ଏନଏସି କର୍ତ୍ତୃପକ୍ଷ ଚୁପ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବାଲୁଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ସହରର ଏପରି ଦୃଶ୍ୟ କି ପ୍ରକାର ପ୍ରଭାବ ପକାଇବ ତାହା ସାଧାରଣରେ ଅନୁମେୟ ହେଉଛି।

ଯଥାଶୀଘ୍ର ଉକ୍ତ ଡ୍ରେନକୁ ଆବଦ୍ଧ କରିବା ସହ ଜେସିବି ଦ୍ୱାରା ଖୋଳା ଯାଇଥିବା ରାସ୍ତା ପାର୍ଶ୍ୱକୁ ସମତୁଲ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ନହେଲେ ଯଦି ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟେ ତେବେ ସେଥିପାଇଁ ଏନଏସି କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଅଞ୍ଚଳବାସୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ଅସରାଏ ବର୍ଷା ହେଲେ ବିଧାରପୁର ଛକରେ ଜମୁଛି ଆଣ୍ଠୁଏ ପାଣି, ପ୍ରଶାସନ ପାଲଟିଛି ନିଦାବିଷ୍ଣୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ର ପ୍ରମୁଖ ସ୍ଥଳୀ ବୋଲାଉଥୁବା ବିଧାରପୁର ଛକ ମରଣଯନ୍ତା ପାଲଟିଛି। ଉକ୍ତ ଛକରେ ଅସରାଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ପାଣି। ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଅଛି।

ସୂଚନା ମୁତାବକ ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷାପାଣି ସବୁ ବିଧାରପୁର ଗ୍ରାମକୁ ଯାଉଥିଲା।  ତେଣୁ କିଛି ଦିନ ତଳେ ଗାଲୁଆ ପଞ୍ଚାୟତ ପକ୍ଷରୁ ବିଧାରପୁର ରାସ୍ତାକୁ ଉଚ୍ଚା କରାଯାଇଥିବାରୁ ବର୍ତ୍ତମାନ ବର୍ଷାପାଣି ନିଷ୍କାସିତ ହୋଇନପାରି ପାଣ୍ଡିରିପଦର ଛକରେ ଜମିରହୁଛି। ଯାହାଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏପରିକି ବେଳେ ବେଳେ ଉକ୍ତ ଛକରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ଯାହାର ଶିକାର ସାଧାରଣ ଜନତା ହେଉଛନ୍ତି।

ଅପରପକ୍ଷେ ପ୍ରଶାସନ ବର୍ତ୍ତମାନ କୋଭିଡ଼ ଫାଇନ କାଟିବାରେ ବ୍ୟସ୍ତଥିବାବେଳେ ଉକ୍ତ ଜଟିଳ ସମସ୍ୟା ପ୍ରଶାସନଙ୍କୁ ବରକୋଳି ଫଳ ସଦୃଶ ଲାଗୁଛି। ନିତିଦିନ ଉକ୍ତ ରାସ୍ତା ଦେଇ ଖୋଦ ବାଣପୁର ତହସିଲଦାର, ବିଡ଼ିଓ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବରାବର ଚଳପ୍ରଚଳ କରୁଥିଲେ ମଧ୍ୟ ଉକ୍ତ ସମସ୍ୟାକୁ ଦେଖି ନଦେଖିଲା ପରି ରହୁଛନ୍ତି।

ଆଜିଠାରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବାବେଳେ ଏହାର ପ୍ରଭାବ ମଧ୍ୟ ବାଣପୁରରେ ଦେଖିବାକୁ ମିଳିଲାଣି। କୋଭିଡ଼କୁ ପ୍ରତିହିତ ପାଇଁ ସରକାର ପରିଷ୍କାର, ପରିଛନକୁ ସର୍ବାଗ୍ରେ ଗୁରୁତ୍ୱ ଦେଉଥିବାବେଳେ ଯଦି ଉକ୍ତ ଅଞ୍ଚଳରେ ଏପରି ଜଳବନ୍ଦୀ ସମସ୍ୟା ଲାଗି ଭବିଷ୍ୟତରେ କୋଭିଡ ସଂକ୍ରମଣ ବ୍ୟାପେ ତାହାହେଲେ ସେଥିଲାଗି କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଏସମସ୍ୟା ନେଇ ଆମ ପ୍ରତିନିଧି ପୂର୍ତ୍ତବିଭାଗ ଏସଡ଼ିଓ ଶ୍ଵେତା ଦାସଙ୍କୁ ପଚାରିବାରୁ ସେ ପୂର୍ବରୁ ଉକ୍ତ ସମସ୍ୟା ସହ ଅବଗତ ଥିବାର ସ୍ୱୀକାର କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ପ୍ରସ୍ତାବ ବିଭାଗକୁ ଅନୁମୋଦନ ପାଇଁ ଯାଇଥିବାର ସୂଚନା ଦେଇଛନ୍ତି। ହେଲେ ବର୍ତ୍ତମାନ ଏହାର ଅସ୍ଥାୟୀ ପ୍ରତିକାର ଯଥାଶୀଘ୍ର କରିବା ପାଇଁ ଆମ ପ୍ରତିନିଧି ଏସଡ଼ିଓଙ୍କୁ ଅନୁରୋଧ କରିବାରୁ ଦୁଇ ଘଣ୍ଟା ଭିତରେ ଉକ୍ତ ରାସ୍ତାରୁ ଜଳ ନିଷ୍କାସନ ହୋଇଯିବ ବୋଲି ସୁଶ୍ରୀ ଦାସ ପ୍ରତିଶୃତି ଦେଇଛନ୍ତି।

Categories
ଆଞ୍ଚଳିକ

ରାଜନୈତିକ ଚକ୍ରବ୍ୟୁହରେ ମରଣଯନ୍ତା ପାଲଟିଛି ଆକାଶବାଣୀ ରାସ୍ତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗେଟ୍‌ବଜାର ମୁଖ୍ୟ ଛକଠାରୁ ବସ୍ ଏବଂ ଭାରିଯାନ ଯିବା ବନ୍ଦ କରି ନୂଆବସ୍‌ଷ୍ଟାଣ୍ଡ ରୋଡ଼୍ ଗୋକର୍ଣ୍ଣେଶ୍ୱର ମନ୍ଦିର ଦେଇ ଲୋଚାପଡ଼ା ଆଡ଼କୁ ଯିବାର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାଦେଇ ଅନେକଗୁଡ଼ିଏ ବସ୍ ଏବଂ ଭାରିଯାନ ଯାତାୟତ ହୋଇଥାଏ। ଯାହାକି କିଛି ମାତ୍ରାରେ ଗେଟ୍‌ବଜାର ଟ୍ରାଫିକ୍ ସମସ୍ୟା ସମାଧାନ ହୋଇପାରିଥିଲା। ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ରାସ୍ତାଟିର କିଛି ଅଂଶ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହୋଇଥିବାବେଳେ ଅନ୍ୟ କିଛି ରାସ୍ତା ପୂର୍ତ୍ତବିଭାଗ ଅନ୍ତର୍ଭୁକ୍ତ।

ମୁଖ୍ୟତଃ ଗୋକର୍ଣ୍ଣେଶ୍ୱର ମନ୍ଦିରରୁ ଆସୁଥିବା ରାସ୍ତା ସାଉଥ୍‌କୋ ସବ୍‌ଷ୍ଟେସନ ଏବଂ ବୈକୁଣ୍ଠନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଆଣ୍ଠୁଏ ଗର୍ତ୍ତ। ସାମାନ୍ୟ ବର୍ଷା ହେଲେ ସେହି ଗର୍ତ୍ତରେ ପାଣି ଜମି ରହୁଛି। ସେଗୁଡ଼ିକ ସହଜରେ ଗାଡ଼ି ଚାଳକ ଠିକ୍‌ସେ ଅନୁମାନ କରିପାରନ୍ତି ନାହିଁ। ଖାସ୍ କରି ଦୁଇଚକିଆ ଗାଡ଼ି ସେହି ଗର୍ତ୍ତରେ ଖସି ଅନେକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଠିକ୍ ସେହିଭଳି ମହାନଗର ନିଗମର ପରିସୀମାର ସମାପ୍ତି ସ୍ଥାନରେ ଯାହାକି କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଭୁକ୍ତ ଆକାଶବାଣୀ ନିକଟ ଏସ୍‌ବିଆଇ ଏଟିଏମ୍ ସମ୍ମୁଖ ରାସ୍ତାକଥା ନ ଦେଖିବା ଲୋକ ବିଶ୍ୱାସ କରିପାରିବେ ନାହିଁ। ଏହି ରାସ୍ତା ରାଜ୍ୟର ସୀମା ଯେପରି ରୁହେ ଠିକ୍ ସେହିପରି ପୂର୍ତ୍ତବିଭାଗ ସବୁଜାଣି ସୁଦ୍ଧା ଦୀର୍ଘଦିନ ହେଲା ଅଣଦେଖା କରି ଆସୁଛି।

ତଳଦିନେ ପୂର୍ତ୍ତବିଭାଗ ଦ୍ୱାରା ସେହି ରାସ୍ତା ନିର୍ମାଣ ହୋଇଥିଲା, କିନ୍ତୁ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଏଭଳି ମଧୁଚନ୍ଦ୍ରିକାରେ ରାସ୍ତାରୁ ପିଚୁ ଉଠି ଛୋଟିଆ ଛୋଟିଆ ଗର୍ତ୍ତ ହୋଇ ସେଠାରେ ଏକ କ୍ଷୁଦ୍ର ପୋଖରୀ ସୃଷ୍ଟି ହେଲାଣି। ପ୍ରତ୍ୟେକ ଦିନ ଏହି ରାସ୍ତାଦେଇ କୁକୁଡ଼ାଖଣ୍ଡି ବିଡ଼ିଓ, ତହସିଲ୍‌ଦାର ଏବଂ ପୂର୍ତ୍ତବିଭାଗର ଉପରିସ୍ଥ ଅଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ ସହରର ସାବତପୁଅ ପରି ଏହି ରାସ୍ତାକୁ କିଏ ଦେଖୁନାହାନ୍ତି। ଯାହାଫଳରେ ଅନେକ ଦୁର୍ଘଟଣା ସେଠାରେ ଘଟୁଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ବ୍ୟାଙ୍କ କଲୋନୀ ଏବଂ ଆଖପାଖ ଅଂଚଳର ଅନେକ ବୁଦ୍ଧିଜୀବୀ ଅନେକଥର ଅଭିଯୋଗ କରି ଆସୁଥିଲେ। ତଳ ଦିନେ କିଛି ସ୍ୱେଚ୍ଛାସେବୀ ଯୁବକ ନିଜ ପକେଟ୍‌ରୁ ଖର୍ଚ୍ଚ କରି ସେହି ରାସ୍ତାରେ ମୋରମ ପକାଇ ଠିକ୍ କରିଥିଲେ। କିନ୍ତୁ ବର୍ଷାରେ ସେ ସବୁ ଧୋଇ ହୋଇଗଲା। ଏଭଳିକି ସ୍ଥାନୀୟ ବିଧାୟକ ଏବଂ ବିଜେଡ଼ିର ଜିଲ୍ଲା ସଭାପତିଙ୍କୁ ମଧ୍ୟ ଉକ୍ତ ଅଂଚଳବାସୀ ଡ଼ାକି ଦେଖାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଫଳ ମିଳିପାରିନାହିଁ।

ସୂଚନାଥାଉକି ସୀମା ବିବାଦ ଯୋଗୁଁ ରାସ୍ତାଟିର ଏହି ଅବସ୍ଥା। କୁକୁଡ଼ାଖଣ୍ଡି ବ୍ଲକ୍ ଯାହାକି କିଛି ଅଂଚଳ ସୂର୍ଯ୍ୟ ପାତ୍ର ଏବଂ କିଛି ଅଂଚଳର ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରଦୀପ ପାଣିଗ୍ରାହୀଙ୍କର ଅଂଚଳ ହୋଇଥିବା ଯୋଗୁଁ ଏହି ଶିତଳ ଯୁଦ୍ଧରେ ବଳି ପଡ଼ୁଛନ୍ତି ଅଂଚଳବାସୀ। କାରଣ ପୂର୍ତ୍ତବିଭାଗ-୨ ଯାହାକି ପ୍ରଦୀପ ପାଣିଗ୍ରାହୀଙ୍କ ହାତବାରିସି ସାଜିଛି। ଯାହାଫଳରେ ପୂର୍ତ୍ତବିଭାଗ ସବୁ ଜାଣି ସୁଦ୍ଧା ଉକ୍ତ ଅଂଚଳର କାର୍ଯ୍ୟ ଏବଂ ଶୈଳୀକୁ ଅତି ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା କାମ ବେଳେ ଅନେକ ଅଭିଯୋଗ ଉଠିଥିଲା। କୌଣସି ପ୍ରକାର ଫଳକ ନଥାଇ ଏହି କାର୍ଯ୍ୟ ହୋଇଥିଲା। ଯାହାକି ଠିକାଦାର ଏବଂ ଯନ୍ତ୍ରୀଙ୍କ ଭାଗମାପରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହା ବ୍ରହ୍ମପୁର ସହରର ଏକ ମୁଖ୍ୟ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ।

ବର୍ତ୍ତମାନ ଉକ୍ତ ରାସ୍ତା ଦୁଇପଟେ ମହାନଗର ନିଗମ ପକ୍ଷରୁ ବଡ଼ବଡ଼ ନାଳମାନ କାମ ହେଉଥିବାବେଳେ ବର୍ତ୍ତମାନ କିଛିଦିନ ହେଲା ଏହି କାମ ବନ୍ଦ ରହିଛି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତାଟି ଥିବାରୁ କେଉଁ ଦିନ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଦିନକୁ ହଜାର ହଜାର ଗାଡ଼ି, ମୋଟର ଏବଂ ଆମ୍ବୁଲାନସ ଏହି ରାସ୍ତାଦେଇ ଯାତାୟତ କରୁଛି। ମୁଖ୍ୟତଃ କୁକୁଡ଼ାଖଣ୍ଡି, ହିଂଜିଳିକାଟୁ, ପୁରୁଷୋତ୍ତମପୁର ଏହା ଏକ ମୁଖ୍ୟ ରାସ୍ତା। ଏଭଳିକି ନିମଖଣ୍ଡି, ଗୁରୁଣ୍ଠି, ଜଗଦଳପୁର, ବେଲଗାଁ ଆଦି ଅଂଚଳରୁ ସାଇକେଲ୍ ଏବଂ ମୋଟର ସାଇକେଲ୍ ଯୋଗେ ଅନେକ ଶ୍ରମିକ ତଥା ସାଧାରଣ ଜନତା ଯାତାୟତ କରନ୍ତି। ସନ୍ଧ୍ୟା ସମୟରେ ବିଭିନ୍ନ ହୋଟେଲ୍ ଏବଂ ଦୋକାନମାନଙ୍କରେ କାର୍ଯ୍ୟ କରୁଥିବା ଲୋକମାନେ ସାଇକେଲ ଯୋଗେ ନିଜ ଘରକୁ ଫେରନ୍ତି। ଯାହାଫଳରେ ଏହି ରାସ୍ତାରେ ପାଣି ଜମି ସାଇକେଲ୍ ଏବଂ ମୋଟର ସାଇକେଲ୍‌ରୁ ପଡ଼ିଯାଇ କ୍ଷତବିକ୍ଷତ ହୁଅନ୍ତି। ଏଭଳିକି ଭାରିଯାନ, କାର୍ ନାନା ଗର୍ତ୍ତରେ ପଡ଼ି ଦୁର୍ଘଟଣା ମଧ୍ୟ ଘଟୁଛି।

ଏହି ସମ୍ବନ୍ଧରେ ପୂର୍ତ୍ତ ବିଭାଗ ସହିତ ଯୋଗାଯୋଗ କରିବାରୁ ଆଲର୍ଟମେଣ୍ଟ ଆସିନାହିଁ, ଆସିଲେ କାମ ହେବ ବୋଲି ବେପାରୁଆ ମନ୍ତବ୍ୟ ଦେଇଥିଲେ। ସହରର ମୁଖ୍ୟ ରାସ୍ତା ପ୍ରତି ଏଭଳି ମନ୍ତବ୍ୟ କେତେଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ଏଣୁ ଜିଲ୍ଲାପାଳ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଏହାକୁ ଗୁରୁତର ଭାବରେ ନେଇ ଉକ୍ତ ରାସ୍ତାକୁ ମରାମତି କରିବା ସହ ଉନ୍ନତମାନର କାର୍ଯ୍ୟ ହେବ ସେଥିପ୍ରତି ଦୃଷ୍ଟିଦେବାକୁ ଅଂଚଳବାସୀ ଅଭିଯୋଗ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଅଂଚଳବାସୀ ରାସ୍ତାରୋକ କରିବାର ଚେତାବନୀ ମଧ୍ୟ ଦେଇଛନ୍ତି।