ବାଣପୁର: ଅସରାଏ ବର୍ଷା ହେଲେ ବିଧାରପୁର ଛକରେ ଜମୁଛି ଆଣ୍ଠୁଏ ପାଣି, ପ୍ରଶାସନ ପାଲଟିଛି ନିଦାବିଷ୍ଣୁ

Published: Jun 10, 2021, 12:33 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ର ପ୍ରମୁଖ ସ୍ଥଳୀ ବୋଲାଉଥୁବା ବିଧାରପୁର ଛକ ମରଣଯନ୍ତା ପାଲଟିଛି। ଉକ୍ତ ଛକରେ ଅସରାଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ପାଣି। ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଅଛି।

ସୂଚନା ମୁତାବକ ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷାପାଣି ସବୁ ବିଧାରପୁର ଗ୍ରାମକୁ ଯାଉଥିଲା।  ତେଣୁ କିଛି ଦିନ ତଳେ ଗାଲୁଆ ପଞ୍ଚାୟତ ପକ୍ଷରୁ ବିଧାରପୁର ରାସ୍ତାକୁ ଉଚ୍ଚା କରାଯାଇଥିବାରୁ ବର୍ତ୍ତମାନ ବର୍ଷାପାଣି ନିଷ୍କାସିତ ହୋଇନପାରି ପାଣ୍ଡିରିପଦର ଛକରେ ଜମିରହୁଛି। ଯାହାଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏପରିକି ବେଳେ ବେଳେ ଉକ୍ତ ଛକରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ଯାହାର ଶିକାର ସାଧାରଣ ଜନତା ହେଉଛନ୍ତି।

ଅପରପକ୍ଷେ ପ୍ରଶାସନ ବର୍ତ୍ତମାନ କୋଭିଡ଼ ଫାଇନ କାଟିବାରେ ବ୍ୟସ୍ତଥିବାବେଳେ ଉକ୍ତ ଜଟିଳ ସମସ୍ୟା ପ୍ରଶାସନଙ୍କୁ ବରକୋଳି ଫଳ ସଦୃଶ ଲାଗୁଛି। ନିତିଦିନ ଉକ୍ତ ରାସ୍ତା ଦେଇ ଖୋଦ ବାଣପୁର ତହସିଲଦାର, ବିଡ଼ିଓ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବରାବର ଚଳପ୍ରଚଳ କରୁଥିଲେ ମଧ୍ୟ ଉକ୍ତ ସମସ୍ୟାକୁ ଦେଖି ନଦେଖିଲା ପରି ରହୁଛନ୍ତି।

ଆଜିଠାରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବାବେଳେ ଏହାର ପ୍ରଭାବ ମଧ୍ୟ ବାଣପୁରରେ ଦେଖିବାକୁ ମିଳିଲାଣି। କୋଭିଡ଼କୁ ପ୍ରତିହିତ ପାଇଁ ସରକାର ପରିଷ୍କାର, ପରିଛନକୁ ସର୍ବାଗ୍ରେ ଗୁରୁତ୍ୱ ଦେଉଥିବାବେଳେ ଯଦି ଉକ୍ତ ଅଞ୍ଚଳରେ ଏପରି ଜଳବନ୍ଦୀ ସମସ୍ୟା ଲାଗି ଭବିଷ୍ୟତରେ କୋଭିଡ ସଂକ୍ରମଣ ବ୍ୟାପେ ତାହାହେଲେ ସେଥିଲାଗି କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଏସମସ୍ୟା ନେଇ ଆମ ପ୍ରତିନିଧି ପୂର୍ତ୍ତବିଭାଗ ଏସଡ଼ିଓ ଶ୍ଵେତା ଦାସଙ୍କୁ ପଚାରିବାରୁ ସେ ପୂର୍ବରୁ ଉକ୍ତ ସମସ୍ୟା ସହ ଅବଗତ ଥିବାର ସ୍ୱୀକାର କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ପ୍ରସ୍ତାବ ବିଭାଗକୁ ଅନୁମୋଦନ ପାଇଁ ଯାଇଥିବାର ସୂଚନା ଦେଇଛନ୍ତି। ହେଲେ ବର୍ତ୍ତମାନ ଏହାର ଅସ୍ଥାୟୀ ପ୍ରତିକାର ଯଥାଶୀଘ୍ର କରିବା ପାଇଁ ଆମ ପ୍ରତିନିଧି ଏସଡ଼ିଓଙ୍କୁ ଅନୁରୋଧ କରିବାରୁ ଦୁଇ ଘଣ୍ଟା ଭିତରେ ଉକ୍ତ ରାସ୍ତାରୁ ଜଳ ନିଷ୍କାସନ ହୋଇଯିବ ବୋଲି ସୁଶ୍ରୀ ଦାସ ପ୍ରତିଶୃତି ଦେଇଛନ୍ତି।

Related posts