ଭୁବନେଶ୍ବର: ଆଜି ମହାଶିବରାତ୍ରିରେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଘଟିଲା ମହା ଅଘଟଣ। ମହାଦୀପ ନେଇ ମନ୍ଦିର ଉପରକୁ ସେବକ ଯିବା ବେଳେ ସେ ଖସିପଡି ତଳେ ପଡିଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ତାଙ୍କୁ କ୍ୟାପିଟାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଯୋଗେନ୍ଦ୍ର ସମର୍ଥା ବୋଲି ଜଣାପଡିଛି।
ଘଟଣାରୁ ଜଣାପଡିଛି ଯେ, ମହାଦୀପ ଧରି ସେବକମାନେ ମନ୍ଦିର ପରିକ୍ରମା କରୁଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ତଳେ ଗଣ୍ଡଗୋଳ ଚାଲିଥିବା ବେଳେ ମନ୍ଦିର ବେଢା ଉପରେ ଛିଡା ହୋଇଥିବା ଯୋଗେନ୍ଦ୍ର ମହାଦୀପ ଛଡାଇ ନେଇ ମନ୍ଦିର ଉପରକୁ ତରତର ହୋଇ ଚଢିଯାଇଥିଲେ। ଫଳରେ ତାଙ୍କର ଗୋଡ ଖସିଯାଇଥିଲା।
ତେବେ ସେ ଦୀପ ସହିତ ତଳେ ପଡିଥିବାରୁ ଏଥିରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସେବକ ହୋଇଥିବା ବେଳେ ଆଉ ଜଣେ ପୋଲିସ ଅଧିକାରୀ ବୋଲି ଜଣା ପଡିଛି। ଏମାନଙ୍କ ଗୋଡରେ ତେଲ ପଡି ପୋଡିଯାଇଥିବାରୁ ଫୋଟକା ହୋଇଛି। ଏହି ଦୁଇଜଣଙ୍କୁ ପ୍ରାଥମିକ ଚିକତ୍ସା କରି ରାତିରେ ଛାଡି ଦିଆଯାଇଛି। ହେଲେ ଯୋଗେନ୍ଦ୍ର ସମର୍ଥାଙ୍କ ଚିକିତ୍ସା ଚାଲିଛି।
ଏହି ଖବର ଜଣାପଡିବା ପରେ କ୍ୟାପିଟାଲ ହସପିଟାଲ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ତାଙ୍କ ସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ସ୍ଥାନୀୟ ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ।
ଏହି ଘଟଣା ନେଇ ଭକ୍ତଙ୍କ ମହଲରେ ବେଶ ଅସନ୍ତୁଷ୍ଠ ସୃଷ୍ଟି ହୋଇଛି। ତେବେ ଏହି ଘଟଣା ଉପରେ ଅନୁଧ୍ୟାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।