Categories
ବିଶେଷ ଖବର ରାଜ୍ୟ ଖବର

ମୁକ୍ତା ଯୋଜନାରେ ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାକୁ ଗୁରୁତ୍ବ ପାଇଁ ପରାମର୍ଶ

ଭୁବନେଶ୍ଵର: ଜଳାଶୟ ପୁନରୁଦ୍ଧାର ଏବଂ ବର୍ଜ୍ୟ ଜଳ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା ପାଇଁ ମୁକ୍ତା ପ୍ରଫେସନାଲମାନଙ୍କ ଦିନିକିଆ ଓରିଏଣ୍ଟେସନ କର୍ମଶାଳା ଗତକାଲି ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ମୁକ୍ତା ପ୍ରଫେସନାଲଙ୍କୁ କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକଳାପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଉପରେ ସ୍ପଷ୍ଟତା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା।

ପ୍ରାରମ୍ଭରେ ଗୃହ ନିର୍ମୋଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ସାରଦା ପଣ୍ଡା ଏହି ଦିବସର କାର୍ଯ୍ୟସୂଚୀ ସ୍ଥିର କରି ଲକ୍ଷ୍ୟ, ପ୍ରଗତି ଓ ସମ୍ଭାବ୍ୟ ପ୍ରତିବନ୍ଧକଗୁଡ଼ିକର ଆକଳନ ପାଇଁ ବିଚାର ବିମର୍ଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟଦକ୍ଷତା ଭିତ୍ତିକ କାର୍ଯ୍ୟ ପଦ୍ଧତି ଆଡକୁ ପରିବର୍ତ୍ତନ କରିବାକୁ ସେ ଆହ୍ୱାନ ଦେଇଥିଲେ ଏବଂ ମୁକ୍ତା ପ୍ରଫେସନାଲମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ବାଧା ସୃଷ୍ଟି କରୁଥିବା କୌଣସି ସମସ୍ୟାକୁ ଚିହ୍ନଟ କରିବା ଏବଂ ସମାଧାନ କରିବାକୁ ଅନୁରୋଧ କରିଥିଲେ।

ସେ କହିଲେ ଯେ ଆମେ ଶାସନର ୫-ଟି ଆଦେଶ ଅନୁଯାୟୀ ପରିବର୍ତ୍ତନଶୀଳ ସହରୀ ପଦକ୍ଷେପ ପାଇଁ କାର୍ଯ୍ୟ କରୁଛୁ। କାର୍ଯ୍ୟଦକ୍ଷତା ଭିତ୍ତିକ ପରିଚାଳନା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସିବିଓଙ୍କ ସହ ସମ୍ପୃକ୍ତି ଏବଂ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହିତ ମୁକ୍ତା ପ୍ରଫେସନାଲମାନଙ୍କୁ ମୂଲ୍ୟବାନ ବୁଝାମଣା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବିଭାଗୀୟ ସ୍ବତନ୍ତ୍ର ସଚିବ ତଥା ଅମୃତ ଯୋଜନାର ମିଶନ ନିର୍ଦେଶିକା ସାଗରିକା ପଟ୍ଟନାୟକ ‘ଆମ ପୋଖରୀ’ ଯୋଜନା ସମ୍ପର୍କରେ କହିଥିଲେ। ଗତ ଜୁଲାଇ ୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

୧୧୫ଟି ପୌରସଂସ୍ଥାର ପ୍ରାୟ ୨୦ ଜଳାଶୟ ପୁନରୁଦ୍ଧାର କରାଯିବ। ବର୍ତ୍ତମାନ ସୁଦ୍ଧା ୧୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬୫ଟି ଜଳାଶୟ ପାଇଁ ଡିପିଆର୍ କୁ ସରକାର ଅନୁମୋଦନ କରିଛନ୍ତି ଏବଂ ସହରାଞ୍ଚଳ ପରିବର୍ତ୍ତନ ପାଇଁ ରାଜ୍ୟର ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ମୁକ୍ତା ପ୍ରଫେସନାଲମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଏସଡି ସଞ୍ଜୟ ପରମାଣିକ, ଅତିରିକ୍ତ ଶାସନ ସଚିବ ରବୀନ୍ଦ୍ର ସାହୁ, ଇଆଇସି ଓଡବ୍ଲ୍ୟୁଏସ୍ଏସବି ପ୍ରଶାନ୍ତ କୁମାର ମହାପାତ୍ର, ଡବ୍ଲ୍ୟୁଆରଆଇ ଉପଦେଷ୍ଟା ଇଂ ଦେବସୁନ୍ଦର ମହାପାତ୍ର, ଓଡ଼ିଶା ସହରାଞ୍ଚଳ ଏକାଡେମୀର ନିର୍ଦେଶକ ଡ. ଶାନ୍ତନୁ ରଥ ପ୍ରମୁଖ କାର୍ଯ୍ୟାନ୍ଵୟନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

୧୦୦% ଏମଏସଜି ଲିଙ୍କେଜ୍, ମୁକ୍ତାରେ ଜଳାଶୟ ନଥିବା, ମୁକ୍ତାରେ କୌଣସି ଭେଣ୍ଡିଂ ଜୋନ୍ ନଥିବା, ଏକ ବର୍ଷ ପାଇଁ ସୁବିଧାର ୧୦୦% ରକ୍ଷଣାବେକ୍ଷଣ, ଗୋଷ୍ଠୀ ଭିତ୍ତିକ ସଂଗଠନ (ସିବିଓ)କୁ ଆକଳନ ବାଣ୍ଟିବା ଏବଂ ବୁଝାଇବା, ସିବିଓମାନଙ୍କୁ ସହାୟତା ପ୍ରଦାନ, ଠିକ୍ ସମୟରେ ଦେୟ ପ୍ରଦାନ ଏବଂ ମୁକ୍ତା ଅଧୀନରେ ଶୂନ୍ୟ ସହନଶୀଳତା ଭଳି ହସ୍ତକ୍ଷେପଗୁଡ଼ିକର ଫଳପ୍ରଦତା ରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କ ଅଭିଭାଷଣରେ ମୁକ୍ତା ପ୍ରଫେସନାଲଙ୍କ ଅଭିନବ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ବିଭିନ୍ନ ମାଧ୍ୟମରେ ସହରାଞ୍ଚଳର ଦକ୍ଷତା ଓ ସମ୍ବଳ ର ଉନ୍ନତି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି ।

ମୁକ୍ତା ହେଉଛି ସରକାରଙ୍କ ଅନ୍ୟତମ ଫ୍ଲାଗସିପ୍‍ କାର୍ଯ୍ୟକ୍ରମ। ଭବିଷ୍ୟତରେ ଉଚ୍ଚ ପ୍ରଦର୍ଶନ କରୁଥିବା ପେସାଦାରଙ୍କ ପାଇଁ ପୁରସ୍କାର ସଂରକ୍ଷିତ ରହିବ ଏବଂ ଅଣପ୍ରଦର୍ଶନକାରୀଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଅଧିକାରୀ, ସମସ୍ତ ୧୧୪ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ମୁକ୍ତା ପ୍ରଫେସନାଲ୍ ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀ ଓ ପରାମର୍ଶଦାତା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର ଏନଏସି ରେ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ: ମୁକ୍ତା ଯୋଜନା ଉପରେ ଗୁରୁତ୍ଵ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ରେ ଏକ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସମସ୍ତ କାଉନସିଲର, ମିଶନ ଶକ୍ତି ମହିଳା ଗ୍ରୁପ ଏବଂ ପୌର କର୍ମଚାରୀମାନେ ଯୋଗ ଦେଇଥିଲେ। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟରରୁ ସର୍ବେଶ୍ୱର ସିଂ ସାହୁ, ଜାଗ୍ରିତି ସିଂ ଏବଂ ମଧୁସ୍ମିତା ସାହୁ ଆଦି ଅଧିକାରୀ ମାନେ ସମସ୍ତଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଶେଷକରି ମୁକ୍ତା ଯୋଜନାର ସଫଳ ରୂପାୟନକୁ ଉକ୍ତ ଶିବିରରେ ପ୍ରାଧାନ୍ୟ ଦିଆଯାଇଥିଲା।

ମୁକ୍ତା ଯୋଜନାରେ ଆସୁଥିବା ଉନ୍ନୟନ ପ୍ରକଳ୍ପଗୁଡିକୁ କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ପନ୍ଦର ଗୋଟି ୱାର୍ଡରୁ ପନ୍ଦର ଗୋଟି ମିଶନ ଶକ୍ତି ଗ୍ରୁପ ଉକ୍ତ ଶିବିରରେ ଭାଗ ନେଇଥିଲେ। ମୁକ୍ତା ଯୋଜନା ଦ୍ୱାରା କିପରି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି, ତାହାର ବିଶେଷ ପ୍ରଶିକ୍ଷଣ ଉକ୍ତ ଶିବିରରେ ପ୍ରଦାନ କରାଯାଇଥଲା।

ଉକ୍ତ କାର୍ଯ୍ୟକ୍ରମକୁ ‘ମୁକ୍ତା’ ସଂଯୋଜକ ମାନସ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଗୁରୁଗୋବିନ୍ଦ ପ୍ରଧାନ ଏବଂ ତନ୍ମୟ ବିହାରୀ ସହଯୋଗ କରିଥିଲେ।

Categories
ବିଶେଷ ଖବର

ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ: ଏକ ଟିମ୍‌ ଭାବରେ କାମ କରିବା ଲାଗି ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ।

ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍‌ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗୀତା ଲୋକଙ୍କୁ ବିକାଶ ପ୍ରକ୍ରିୟା ସହିତ ଯୋଡିବା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିପାରିଛି ଏବଂ ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇପାରିଛି। ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସବୁ କାର୍ଯ୍ୟକ୍ରମରେ ସବୁ ବିଭାଗ ଏକ ଟିମ୍‌ ଭାବରେ କାମ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ।

ଏହି ଉପସ୍ଥାପନା ଅନୁଯାୟୀ ରାଜ୍ୟର ୧୬ ପ୍ରତିଶତ ଜନସାଧାରଣ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିମଧ୍ୟରୁ ୪୦ ପ୍ରତିଶତ ଅଞ୍ଚଳରେ ପିଇବା ପାଣିର ସୁବିଧା ନ ଥିଲା। ୪ ଲକ୍ଷ ଘରେ ଟଏଲେଟ୍‌ର ସୁବିଧା ମଧ୍ୟ ନଥିଲା।

କିନ୍ତୁ ଆମର ରୂପାନ୍ତର ଉପକ୍ରମ ଆରମ୍ଭ ହେବା ପରେ ଆଜି ରାଜ୍ୟର ୮୪ ପ୍ରତିଶତ ଘରେ ଶତପ୍ରତିଶତ ପାଇପ ପାଣିର ବ୍ୟବସ୍ଥା ହୋଇପାରିଛି। ପୂର୍ବରୁ ୩ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଥିବାବେଳେ, ବର୍ତ୍ତମାନ ୧୦ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଦିଆଯାଇପାରିଛି। ପୁରୀରେ Drink from Tap କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ବର୍ତ୍ତମାନ ରାଜ୍ୟର ୨୪ଟି ସହରରେ ଆରମ୍ଭ ହୋଇଛି। ଏଥିରେ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ପାନୀୟ ଜଳ ଯୋଗାଣ ନୀତିରେ Tap waterକୁ ନାଗରିକମାନଙ୍କର ଏକ ଅଧିକାର ଭାବରେ ଗ୍ରହଣ କରାଯାଇଛି।

ସେହିପରି ମଳମୁତ୍ର ଓ କଠିଜ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିପାରିଛି। ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି Seepage Treatment Plant ଦିନକୁ ୧୮୦୦ କିଲୋ ଲିଟର Faecal Sludge ବିଶୋଧନ କରାଯାଉଛି । ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଟେକ୍ନୋଲୋଜିର ପ୍ରୟୋଗରେ ଗୋଷ୍ଠୀ ସହଭାଗୀତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଜାଗା ଠାରୁ ଲୋକ ଅଧିକ ମୂଲ୍ୟବାନ। ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ମଧ୍ୟରେ ରହୁଥିଲେ। ଜାଗା ମିଶନରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଥିବା ବେଳେ, ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ସେହିପରି ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି। ୫୮୯ଟି ବସ୍ତିରେ ଶତ ପ୍ରତିସତ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଦୃଷ୍ଟିକୋଣରୁ ଏହି ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଏହା ବସ୍ତି ଲୋକଙ୍କର ସମ୍ମାନ ଓ ନାଗରିକ ଅଧିକାରର ସୁରକ୍ଷା କରିପାରିଛି।

ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଏଥିରେ ଦୁଇ ହଜାର କୋଟି ଟଙ୍କା ବିନିଯୋଗରେ ୨୨,୫୦୦ଟି ପ୍ରକଳ୍ପ କରାଯାଇଛି। ୧୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାମ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି। ଗୋଷ୍ଠୀ ସହଭାଗୀତାର ଏହା ଏକ ଆଦର୍ଶ ଉଦାହରଣ।

ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ରଖି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ସହରାଞ୍ଚଳର ଏକ ନିର୍ଦ୍ଧିଷ୍ଟ ପ୍ରତିଶତ (critical mass) ଜନସାଧାରଣ ସହରର ମୌଳିକ ସୁବିଧା ପାଇପାରିଲେ ହିଁ ରୂପାନ୍ତରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ। ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଓଡିଶାରେ ବଡ ବଡ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ କରାଯାଇଛି। ଏହା ହିଁ ଓଡିଶାର ରୂପାନ୍ତରଣର ବୈଶିଷ୍ଟ୍ୟ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।