ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରିଟ୍ ପିଟସନ ୨୮୦୭୯/୨୦୨୦ରେ ଓଡ଼ିଶା ସରକାର ରାଜ୍ୟର ୧୪୩୭୯ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୦-୨୧ ବର୍ଷଠାରୁ ବନ୍ଦ କରିବା ପାଇଁ ଗଣଶିକ୍ଷା ବିଭାଗ ଚିଠି ନଂ ୧୦୪୪୨/୧୪.୫.୨୦୨୦ର ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁନଶ୍ଚ ଜିଲ୍ଲାୱାରୀ ତାଲିକା ନୋଟିଫିକେସନ ନଂ ୫୩୭୯/୭.୩.୨୦ରେ ନିକଟରେ ଥିବା ଅନ୍ୟ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଯେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମରେ ୨୦ ରୁ ୪୦ ଛାତ୍ର ପଠନ କରୁଛନ୍ତି ଏବଂ ମାଧ୍ୟମିକ ୬ ରୁ ୮ରେ ୫୦ ଛାତ୍ର ପଢ଼ୁଛନ୍ତି ସେହି ସ୍କୁଲଗୁଡ଼ିକ ନିକଟ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ମିଶ୍ରଣ ହେବ।
ସେହିପରି କ୍ଲାସ ୬ ରୁ ୧୦ ଶ୍ରେଣୀରେ ୬୦ରୁ କମ୍ ପିଲା ପଢ଼ୁଥିବେ ଯଥାକ୍ରମେ ୧ କି.ମି. ୨ କି.ମି. ଓ ୩ କି.ମି. ଦୂରତାରେ ୪୦, ୬୦, ୮୦ ଏପରି ପ୍ରକାରେ ଛାତ୍ର ସଂଖ୍ୟା ଥିବ ଏବଂ ୯ ଓ ୧୦ ଶ୍ରେଣୀ ୩ କି.ମି. ଭିତରେ ୬୦ରୁ କମ୍ ଥିବେ ସେହି ବିଦ୍ୟାଳୟକୁ ବନ୍ଦ କରାଯିବ। ଏହିପରି ଭାବେ କ୍ଲାସ ୧ ରୁ ୫, ୫ ରୁ ୮ ଓ ୮ ରୁ ୧୦ ଏବଂ ୧ରୁ ୧୦ କ୍ଲାସ୍ ଥିବା ସ୍କୁଲ ଅନ୍ୟ ସ୍କୁଲରେ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୬୩୪୦ ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି। ସେଥିମଧ୍ୟରୁ ରାୟଗଡ଼ା ଜିଲ୍ଲାରେ ୪୯୮, ମୟୁରଭଂଜରେ ୪୮୬, ଗଂଜାମରେ ୪୩୦, କନ୍ଧମାଳରେ ୪୦୪ ଏବଂ ୫୧୭୭ ସ୍କୁଲରେ ୪୦ ରୁ କମ୍ ପିଲା ପଢ଼ୁଛନ୍ତି। ରାଜ୍ୟ ସରକାରଙ୍କ ଏହି ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ, ଅଗଣତାନ୍ତ୍ରିକ। କାରଣ ସରକାରୀ ସ୍ତରରେ କେବେ ଚେଷ୍ଟା କରାଯାଇନାହିଁ ଯେ ପ୍ରକୃତରେ ଛାତ୍ର ସଂଖ୍ୟା କମିବାର କାରଣ କ’ଣ? ପିଲା ସେହି ଅଂଚଳରେ ଅଛନ୍ତି ନା’ ନାହିଁ, ସ୍କୁଲରେ ଶିକ୍ଷକ ଅଛନ୍ତି ନା’ ନାହିଁ ? ସ୍କୁଲ ଗୃହ ନାହିଁ, ଶୌଚାଳୟ ନାହିଁ, ପାଣି ନାହିଁ ଇତ୍ୟାଦି ବହୁ ସମସ୍ୟା ରହିଛି।
ଏହି ସବୁ ଅସୁବିଧାକୁ ଦୂର ନ କରି ସ୍କୁଲ ବନ୍ଦ କରିବା ବେନିୟମ ଅଟେ। ଗାଁର ଗରିବ ପିଲାମାନେ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଢ଼ିବାକୁ ଯାଇପାରିବେ ନାହିଁ। ଏହିପରି ସ୍କୁଲ ବନ୍ଦ କରିଦେଲେ ଦେଶର ମୁକ୍ତ ଶିକ୍ଷା ଅଧିକାର ଆଇନର ଉଲ୍ଲଂଘନ ହେବ ବା କୌଣସି ଅର୍ଥ ରହିବ ନାହିଁ। ଯେଉଁ ଅଂଚଳରେ ସ୍କୁଲ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ଆଦେଶ ଦେଇଛନ୍ତି ସେହି ଅଂଚଳରେ ୬୨୯୧ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅବସ୍ଥିତ। ସେଥିମଧ୍ୟରୁ ୨୯୬୮ ସ୍କୁଲରେ ପାଠ ପଢ଼ାଇବା ପାଇଁ ଏନ୍ଓସି ବା ଅନୁମତି ନାହିଁ। ସଂପୃକ୍ତ ଜିଲ୍ଲାର ଡ଼ିଇଓ ମାନେ ଗୋଟିଏ ମଧ୍ୟ ଘରୋଇ ଇଂରାଜୀ ମାଧ୍ୟମ ତଥା ସରସ୍ୱତୀ ଶିଶୁମନ୍ଦିର ବନ୍ଦ କରିବାକୁ ପ୍ରସ୍ତାବ ନଦେଇ ବରଂ ଘରୋଇ ସ୍କୁଲଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ତାଙ୍କୁ ସହାୟତା କରିବା ପାଇଁ ସରକାରୀ ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି। ବିକାଶ ପରିଷଦ ପୁଣି ଅଭିଯୋଗ କରିଛି ରାଜ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୨୦୧୬ ଡ଼ିସେମ୍ବର ମାସରୁ କୌଣସି ଶିକ୍ଷକ ନିଯୁକ୍ତି ହେଉ ନାହିଁ।
ବର୍ତ୍ତମାନ ରାଜ୍ୟରେ ପ୍ରାୟ ୭୪ ହଜାର ସିଟି, ବି.ଇଡ଼ି. ଓଟିଇଟି (ପ୍ରଥମ ଓ ଦ୍ୱିତୀୟ) ପେପର ପାସ୍ କରି ବେକାର ହୋଇ ବସିଛନ୍ତି। ସେମାନେ ପାଠ ପଢ଼ିବା ପାଇଁ ଋଣ କରି ବର୍ତ୍ତମାନ ତାହା ସୁଝି ନପାରି ଭାଗ୍ୟକୁ ଆଦରି ଘରେ ବେକାରୀ ହୋଇ ପଡ଼ି ରହିଛନ୍ତି। ତେଣୁ ଏଭଳି ସ୍କୁଲ ବନ୍ଦ କଲେ ରାଜ୍ୟରେ ବେକାର ସଂଖ୍ୟା ଆହୁରି ବୃଦ୍ଧି ପାଇବ। ରାଜ୍ୟ ତ ବେକାରରେ ଏକ ନମ୍ବର ସ୍ଥାନ ରହିଛି। ଆହୁରି ବେକାରୀ ସମସ୍ୟା ବଢ଼ି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ରାଜ୍ୟରେ ୧୨୫ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ବିଲ୍ଡ଼ିଂ ନାହିଁ, ୧୧୯୬୬ ସ୍କୁଲରେ କୋଠା ଭଗ୍ନାବସ୍ଥାରେ ରହିଛି, ୧୩୪ ସ୍କୁଲରେ ପ୍ରଥମଠାରୁ ୫ମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ଅଛନ୍ତି। ରାଜ୍ୟ ସରକାରଙ୍କ ଅଭାବ, ଅସୁବିଧାକୁ ଲୁଚାଇବା ପାଇଁ ସରକାରୀ ସ୍କୁଲ ବନ୍ଦ କରିବାକୁ ଚାହୁଁଛନ୍ତି। ଘରୋଇ ସ୍କୁଲଠାରୁ ମାସିକ, ବାର୍ଷିକ ମୋଟା ଅଙ୍କର ଉତ୍କୋଚ ଡ଼ିଇଓମାନେ ଗ୍ରହଣ କରି ସରକାରୀ ସ୍କୁଲ ବନ୍ଦ କରିବାକୁ ସୁପାରିଶ କରୁଛନ୍ତି। ଅନ୍ଧ ହୋଇ ଗଣଶିକ୍ଷା ବିଭାଗ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲକ୍ଷ୍ୟହୀନ ନିଷ୍ପତ୍ତି ନେଉଛି।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଇଟ୍ ଟୁ ଏଜୁକେଶସନ ୨୦୦୯କୁ ଉଲ୍ଲଂଘନ କରୁଛି। ଏହା ଘରୋଇ ସ୍କୁଲର ପ୍ରୋତ୍ସାହନ, ବେକାରୀ ସମସ୍ୟା ବୃଦ୍ଧି, ଗରିବ, ଆଦିବାସୀ, ହରିଜନ ଶ୍ରେଣୀର ଶିଶୁଙ୍କୁ ଶ୍ରମିକ ହେବାରେ ସାହାଯ୍ୟ କରିବା। ତେଣୁ ବିକାଶ ପରିଷଦ ଉକ୍ତ ମାମଲାରେ ପ୍ରମୁଖ ଶାସନ ସଚିବ, ଗଣଶିକ୍ଷା ବିଭାଗ, ପଞ୍ଚାୟତି ରାଜ ବିଭାଗ, ଅର୍ଥ ବିଭାଗ, ଓଡ଼ିଶା ସରକାର, ନିର୍ଦ୍ଦେଶକ ପ୍ରାଥମିକ ବିଦ୍ୟାଳୟ ଓ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷାଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରି ମିସ୍ କେସ ମାଧ୍ୟମରେ ପ୍ରାର୍ଥନା କରାଯାଇଛି। ଏହି ବେନିୟମ ଆଦେଶକୁ ସ୍ଥଗିତ ରଖିବା ସହିତ ବିଚାର କରି ରବ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଏହାକୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି।