Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ କେଉଁଠି ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି ପ୍ରମାଣ ଦିଅନ୍ତୁ ସସ୍ମିତ: ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପିରେ ମିଶିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାରମ୍ବାର ସାକ୍ଷାତ କରିଛନ୍ତି ବୋଲି ବିଜେଡି କହିଛି। ତେବେ ଏହାର ପ୍ରମାଣ ଦିଅନ୍ତୁ ବୋଲି ବିଜେପିର ବରିଷ୍ଠ ନେତା ପୃଥୀରାଜ ହରିଚନ୍ଦନ କହିଛନ୍ତି।

ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପ୍ରଶାନ୍ତଙ୍କୁ ବିଜେପି ନେବା ପାଇଁ ଧର୍ମେନ୍ଦ୍ର ଚେଷ୍ଠା କରୁଛନ୍ତି। ତେବେ ସେ କେଉଁଠି କେତେବେଳେ ସାକ୍ଷାତ କରିଥିଲେ ସସ୍ମିତଙ୍କ ପାଖରେ କିଛି ପ୍ରମାଣ ଅଛି କି ବୋଲି ପୃଥୀରାଜ ପ୍ରଶ୍ନ କରିଛନ୍ତି।

ପୃଥୀରାଜ କହିଛନ୍ତି ଯେ, ସସ୍ମିତ ଯେଉଁ ବିବୃତି ଦେଇଛନ୍ତି ତାହା ଡାହା ମିଛ କଥା। ନିଜର ଦୋଷକୁ ଲୁଚାଇବା ପାଇଁ ସେ ଏପରି କହିଥାଇ ପାରନ୍ତି। କିମ୍ବା କାହା ଚାପରେ ସେ ଏପରି ମିଛ ବିବୃତି ଦେଇଥାଇପାରନ୍ତି। ହେଲେ ସେ ଏହାର କୌଣସି ପ୍ରମାଣ ରଖି ନାହାଁନ୍ତି।

ପୃଥୀରାଜ ଆହୁରି କହିଛନ୍ତି ଯେ, ମୁଁ ସସ୍ମିତଙ୍କୁ ବ୍ୟକ୍ତିଗତ ଭାବେ ଭଲ ଭାବେ ଜାଣେ। ସେ ସେପରି ମିଛ ବିବୃତି କେବେ ଦିଅନ୍ତି ନାହିଁ। ହେଲେ ଏହି ଘଟଣା ସ୍ପଷ୍ଟ କରୁଛି ଯେ, ସେ କାହା ଚାପରେ ପଡି ଏପରି କଥା କହିଛନ୍ତି।

ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବାକୁ ଯାଇ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଥିରେ ସେ କହିଥିଲେ ଯେ, ବିଜେଡି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାରମ୍ବାର ଅଭିଯୋଗ କରିଆସୁଛନ୍ତି।

ହେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ହିଂସାକୁ ପ୍ରସୟ ଦିଅନ୍ତା ନାହିଁ ବୋଲି ସସ୍ମିତ ସେହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏକ ଉଦାହରଣ ଦେଇ ସେ ଚିଲିକା ବିଧାୟକଙ୍କ ଘଟଣା କହିଥିଲେ। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସେହିପରି ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ଦଳରୁ ବହିସ୍କାର କରିଛନ୍ତି।

ହେଲେ ସେହିପରି ଜଣେ ନେତାଙ୍କୁ ବିଜେପି କିପରି ଫୁଲମାଳ ଦେଇ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚେଷ୍ଠା କରୁଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଥିଲେ। ସସ୍ମିତଙ୍କ ଏହି ବିବୃତି ପରେ ଓଡିଶା ରାଜନୀତରେ ବେଶ ଚର୍ଚ୍ଚା ଚାଲିଛି। ସମସ୍ତଙ୍କର ସନ୍ଦେହ ରହିଛି ଯେ ସତରେ କଣ ପ୍ରଶାନ୍ତ ବିଜେପି ଆଡକୁ ଢଳୁଛନ୍ତି କି ?

କାରଣ ବିଜେଡି ବର୍ତ୍ତମାନ ପ୍ରଶାନ୍ତଙ୍କ ହାତ ଛାଡି ଦେଇଥିଲେ ମଧ୍ୟ ସେ ଦଳର ହାତ ଛାଡି ନାହାଁନ୍ତି। ସେହିପରି ସେ କେବେ ବିଜେଡି ବିରୋଧରେ ମଧ୍ୟ କହି ନାହାଁନ୍ତି। କାରଣ ତାଙ୍କର ମନ ଏ ପର୍ଯ୍ୟନ୍ତ ବିଜେଡିରେ ରହିଛି। ବିଜେଡିର କଥା ମାନି ସେ ଏବେ ବି କାର୍ଯ୍ୟ କରୁଛନ୍ତି। ହେଲେ ଦଳ ତାଙ୍କ ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନ ନେବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।