Categories
ଆଜିର ଖବର ରାଜ୍ୟ ଖବର

ସୋଲରି ରେଳ ଷ୍ଟେସନ ଠାରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ପ୍ରାଣହାନୀ!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ସୋଲରି ରେଳ ଷ୍ଟେସନ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ। ଯୁବକ ଜଣକ ବାଣପୁର ଅଞ୍ଚଳର ଗଗନ ଆଚାର୍ଯ୍ୟଙ୍କ ପୁତ୍ର ଅସିତ ଆଚାର୍ଯ୍ୟ (୨୦) ବୋଲି ଜଣାପଡିଛି। ସୋଲରି ସବ ଷ୍ଟେସନ ନିକଟରେ ତାଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡିରହିଥିବା ବେଳେ ରାତିରେ ଏ ନେଇ ସୂଚନା ପାଇଥିଲା ବାଲୁଗାଁ ଆରପିଏଫ। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ମେଡିକାଲ ପଠାଇଦେଇଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ଟ୍ରେନରୁ ଖସି ପଡ଼ିଥିବାରୁ ଯୁବକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଜିଆରପି ଏଏସଆଇ ପରୀକ୍ଷିତ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଜିଆରପି କେସ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ ଅସିତ ଦିଲ୍ଲୀରେ ଚାକିରୀ କରୁଥିବାର ଜଣାପଡିଛି।

ଉଲ୍ଲେଖ ଥାଉ କି ଗଗନ ଆଚାର୍ଯ୍ୟଙ୍କର ତିନି ପୁଅ ମଧ୍ୟରୁ ଅସିତ ହେଉଛନ୍ତି ମଝିଆଁ ପୁଅ। ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କର ବଡ ପୁଅ କଟକ ବଡ ମେଡିକାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ସାନ ପୁଅ ରେଭେନ୍ସା କଲେଜରେ ଅଧ୍ୟୟନ କରୁଛନ୍ତି। ହେଲେ ଅସିତ କିଟ୍ ବିଶ୍ୱବିଦ୍ୟାଳୟରେ ଡିପ୍ଲୋମା ପାଠ ସାରି ଦିଲ୍ଲୀରେ ଚାକିରୀ କରିଥିଲେ। କିନ୍ତୁ ସେ ଉଚ୍ଚ ଶିକ୍ଷା (ଡିଗ୍ରୀ) କରିବା ଲକ୍ଷ୍ୟରେ ଗାଁକୁ ଆସିଥିଲେ। ତେଣୁ ସେ ଆଡମିସନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ବର ଯାଉଥିଲେ ବୋଲି ଜଣାପଡିଛି। ହେଲେ ତା’ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଅସିତଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଣପୁରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।